Unknown

 

 

 

 

 

 

 

 

 

 

 

ମଥୁରାର ମାନଚିତ୍ର

ଗୌରହରି ଦାସ

 

ସୂଚିପତ୍ର

 

୦୧.

ଦଂଶନ

୦୨.

ଚୋର

୦୩.

ଖୋଳପା

୦୪.

ସୁନାହାର

୦୫.

ରେବତୀ

୦୬.

ସାଧାରଣ ଘଟଣା

୦୭.

ଚରିତ୍ରହୀନା

୦୮.

ଝିଅର ମାଆ

୦୯.

ଲକ୍ଷ୍ମୀ

୧୦.

ଝରକା

୧୧.

କାନ୍ଧ

୧୨.

ବୈରାଗ୍ୟ

୧୩.

ଗତକାଲି

୧୪.

କାରାଗାର

୧୫.

ରାଜଜେମା

୧୬.

ମଥୁରାର ମାନଚିତ୍ର

☆☆☆

 

ନିଜକଥା

 

ମଥୁରାର ମାନଚିତ୍ର କହିଲେ ମୁଁ ସେହି ଦେଶର ମାନଚିତ୍ରକୁ ବୁଝେ ଯାହାର ରଙ୍ଗରେ ଉକୁଟି ଉଠିଥାଏ ଷଡ଼ଯନ୍ତ୍ରର ରଙ୍ଗ । ସେ ଦେଶର ଗଛରେ ସବୁଜିମା, ଆକାଶରେ ନୀଳିମା କି ଫୁଲମାନଙ୍କର ସଭାରେ ଯେ ଇନ୍ଦ୍ରଧନୁର ରଙ୍ଗ ନଥାଏ ନୁହେଁ, ମାତ୍ର ଷଡ଼ଯନ୍ତ୍ର, ଭୟ ଓ ଆଶଙ୍କାର ପାଣ୍ଡୁର ରଙ୍ଗ ସେସବୁକୁ ଢାଙ୍କି ପକାଇ ଥାଏ । ପ୍ରତିଦିନ ସେଠାରେ ନିରୀହପଣର ହତ୍ୟା ଲାଗି ନୂଆ କଳା କୌଶଳ ଚିନ୍ତା କରାଯାଉଥାଏ; ଆତତାୟୀମାନେ ଛଦ୍ମବେଶର ନୂଆ ନୂଆ ମୁଖା ପିନ୍ଧୁଥାଆନ୍ତି ଏବଂ ଆତଙ୍କର ନୂଆ ନୂଆ ଅନୁଚ୍ଛେଦ ଯୋଡ଼ା ଯାଉଥାଏ ସେ ଦେଶର ଇତିହାସରେ-। ମରଣ ଆତଙ୍କରେ ଆତଙ୍କିତ ଅଥଚ ଅମରତ୍ୱ ଆଶାୟୀ ଜଣେ ଜଣେ ରାଜାଙ୍କ ଖିଆଲ ନିକଟରେ ସଂଖ୍ୟାଗରିଷ୍ଠ ଜନସାଧାରଣଙ୍କ ଆଶା–ଆକାଂକ୍ଷା ବଳି ପଡ଼ୁଥାଏ ।

ମଥୁରା ଏମିତି ଏକ ଷଡ଼ଯନ୍ତ୍ରର ଭୂଗୋଳ ଯେଉଁଠି ସତ୍ୟକୁ ସ୍ୱୀକାର କରିବା ଲାଗି ପରାଙ୍‌ମୁଖ ତା’ର କ୍ଷମତା–ପ୍ରମତ୍ତ ସିଂହାସନ । ସେ ସିଂହାସନ ବୁଝେ ନାହିଁ ଯେ କପଟ ଆଗ୍ରହ ଦେଖାଇ ହୁଏତ ରଙ୍ଗସଭାର ଆୟୋଜନ କରାଯାଇପାରେ ମାତ୍ର ତା’ର ପରିଣତିକୁ ନିୟନ୍ତ୍ରଣାଧୀନ କରିହୁଏ ନାହିଁ । ଅଥଚ ପୁରୁଣା ରଙ୍ଗସଭାର କରୁଣ ପରିଣତି ସତ୍ତ୍ୱେ ପ୍ରତିଦିନ ନୂଆ ରଙ୍ଗସଭାର ଆୟୋଜନ ଚାଲିଥାଏ କେଉଁଠି ନା କେଉଁଠି ।

‘ମଥୁରାର ମାନଚିତ୍ର’ ମୋର ଦ୍ୱାଦଶ ଗଳ୍ପ ସଂକଳନ । ଏହାର ପୂର୍ବ ସଂକଳନ ‘ଅହଲ୍ୟାର ବାହାଘର’ ୨୦୦୪ର ପ୍ରକାଶିତ ହୋଇଥିଲା । ତେଣୁ ଏ ସଂକଳନରେ ଥିବା ଗଳ୍ପଗୁଡ଼ିକର ରଚନା କାଳ ୨୦୦୪ରେ ଜାନୁଆରୀରୁ ୨୦୦୭ ଜାନୁଆରୀ ମଧ୍ୟବର୍ତ୍ତୀ ସମୟ । କେତେକ ଶୁଭେଚ୍ଛୁ ମୋତେ ପ୍ରତି ଗଳ୍ପର ଶେଷରେ ତାହା ଲେଖାଯିବାର ସମୟ ଉଲ୍ଲେଖ କରିବାକୁ ପରାମର୍ଶ ଦେଇଥିଲେ । ‘ବାପା’ ଗପ ପ୍ରକାଶ ପରେ ଆନ୍ଧ୍ରପ୍ରଦେଶର ବିଶିଷ୍ଟ ଲେଖିକା ଶ୍ରୀମତୀ ଆବୁରି ଛାୟାଦେବୀ ଅନୁରୂପ ପରାମର୍ଶ ଦେଇ କହିଥିଲେ ଯେ, ପ୍ରକାଶନର ସମୟ ଉଲ୍ଲେଖ ନ କଲେ ସମାଲୋଚକମାନେ କେଉଁ ଭାଷାର ଗଳ୍ପରେ ଏହି ପ୍ରକାର ଚିତ୍ର ପ୍ରଥମେ ପ୍ରକାଶ ପାଇଥିଲା, ତାହା ଜାଣିପାରିବେ ନାହିଁ । ଇତିମଧ୍ୟରେ ସେଇ ‘ବାପା’ (ତାହା ‘କାଗଜଡ଼ଙ୍ଗା’ ସଂକଳନରେ ସ୍ଥାନୀତ) ଗପଟି ଇଂରାଜୀ, ବଙ୍ଗଳା ପ୍ରଭୃତି ଅନ୍ୟ କେତୋଟି ଭାଷାକୁ ଅନୂଦିତ ହୋଇ ସାରିଲାଣି । ମୁଁ ଶ୍ରୀମତୀ ଛାୟାଦେବୀଙ୍କ ମତ ସହ ସମପରିମାଣରେ ଏକମତ । ମାତ୍ର ସତର୍କ ସମାଲୋଚକ ଚେଷ୍ଟା କଲେ କୌଣସି ଗଳ୍ପର ପ୍ରଥମ ପ୍ରକାଶ ସମୟ ଜାଣିପାରିବେ, ଏ ବିଶ୍ୱାସ ମୋର ଅଛି ।

ସମୟେ ସମୟେ ତର୍କ ହୁଏ, ସାହିତ୍ୟ ଜୀବନକୁ ଅନୁକରଣ କରେ ନା ଜୀବନ ସାହିତ୍ୟର ଅନୁସରଣ କରେ । କିଏ ଆଗ, କିଏ ପଛ ? ଏ ପ୍ରଶ୍ନ ଅବଶ୍ୟ ଗଛ ଆଗ ନା ମଞ୍ଜି ଆଗ ପରି ଅସମାହିତ ନୁହେଁ । କାରଣ ମଣିଷ ପ୍ରଥମେ ଆସିଛି ଏବଂ ତା’ପରେ ସାହିତ୍ୟ । କିନ୍ତୁ ମେଳାକୁ ବାହାରିବାବେଳେ ଯେଉଁ ଛୁଆଟି ବାପାର ହାତ ଆଙ୍ଗୁଳି ଧରି ପଛେ ପଛେ ଅନୁଧାବନ କରୁଥିଲା ସେଇ ଛୁଆଟି ମେଳା ମଝିରେ ନିଜେ ପଥପ୍ରଦର୍ଶକ ହୋଇଗଲାଣି । ତେଣିକି ସେ ଯେଉଁ ଦୋକାନକୁ ଭିଡ଼ୁଛି, ବାପାଟିକୁ ସେହି ଦୋକାନକୁ ଯିବାକୁ ପଡ଼ୁଛି । ଆଧୁନିକ ଗଳ୍ପରେ ଜୀବନ ଓ ସାହିତ୍ୟର ସମ୍ପର୍କ ଏହିପରି । ଏ ସଂକଳନର ଅନେକ ଗଳ୍ପରେ ବାସ୍ତବ ଜୀବନର ଚିତ୍ର ରହିଛି । କାରଣ ବାସ୍ତବତାକୁ ଛାଡ଼ି ସାହିତ୍ୟ ରଚନା ଅସମ୍ଭବ । ଲେଖକ ଗଳ୍ପର କାହାଣୀକୁ ନିଜେ ଅଙ୍ଗେ ନିଭେଇଛି ନା ଆଉ କାହା ଜରିଆରେ ଜାଣିଛି ତାହା ଅବଶ୍ୟ ଭିନ୍ନ ପ୍ରସଙ୍ଗ । ସବୁବେଳେ ଯେ ଅଙ୍ଗେନିଭା କାହାଣୀ ବେଶି ପ୍ରଭାବଶାଳୀ ହେବ ତାହା ନୁହେଁ । ସମୟେ ସମୟେ ଦେବକୀଙ୍କଠାରୁ ଯଶୋଦାଙ୍କ ମାତୃତ୍ୱ ଅଧିକ ମହତ୍ୱପୂର୍ଣ୍ଣ ହୋଇଯାଏ । ମୋ ବିଚାରରେ ପ୍ରତିଟି ଗଳ୍ପ ମଣିଷ ପରି ନିଜ ନିଜର ଭାଗ୍ୟ ସାଙ୍ଗରେ ଧରି ଆସିଥାଆନ୍ତି । ଲେଖକର ଭୂମିକା ଗୌଣ ନହେଲେବି ସୀମାବଦ୍ଧ ।

ଗାଳ୍ପିକ କାହିଁକି ଲେଖେ ଗପ ? କବି କାହିଁକି ଲେଖେ କବିତା ? ବେଳେବେଳେ ଭାବେ, ବାଲ୍ମୀକି ଯଦି କବି ନ ହୋଇ ଜଣେ ସମ୍ରାଟ ହୋଇଥାଆନ୍ତେ ତାହାହେଲେ ସେ କ୍ରୌଞ୍ଚ ପକ୍ଷୀକୁ ହତ୍ୟା କରିଥିବା ନିଷାଦକୁ ଶାସ୍ତି ଦେଇଥାଆନ୍ତେ । ପକ୍ଷୀ ଚିକିତ୍ସକ ହୋଇଥିଲେ ତା’ର ଚିକିତ୍ସା ବିଧାନ କରିଥାଆନ୍ତେ । ସେ ଶୋକ କବିତା ଲେଖି ନଥାନ୍ତେ । ସାହିତ୍ୟ ଲେଖକର ଅସାମର୍ଥ୍ୟର କ୍ଷତିପୂରଣ ନା ସାମର୍ଥ୍ୟର ଶ୍ୱେତପତ୍ର ସେକଥା କିଏ କହିବ ? ବେଳେବେଳେ ପାଠକପାଠିକା ପଚାରନ୍ତି ସାହିତ୍ୟଦ୍ୱାରା କ’ଣ ସମାଜର ପରିବର୍ତ୍ତନ ହେବ ? ମୁଁ ତା’ର ଉତ୍ତର ଦେଇପାରେ ନାହିଁ । ଏ ପ୍ରଶ୍ନ ବହୁଦିନର । ମୋ ପୂର୍ବରୁ ଲକ୍ଷ ଲକ୍ଷ ଲେଖକ ଏ ପ୍ରଶ୍ନର ଉତ୍ତର ଖୋଜିଛନ୍ତି, ମୋ ପରେ ଆସୁଥିବା ଲକ୍ଷ ଲକ୍ଷ ଲେଖକବି ସମାନ ପ୍ରଶ୍ନର ସମ୍ମୁଖୀନ ହେବେ ଏବଂ ତା’ ସତ୍ତ୍ୱେ ଏ ପ୍ରଶ୍ନ ଅସମାହିତ ହୋଇ ଝୁଲି ରହିଥିବ । ମୁଁ ଭାବେ ମୋ ଅସାମର୍ଥ୍ୟର କ୍ଷତିପୂରଣ ମୋର ଗପ । ତା’ ସତ୍ତ୍ୱେ ଯଦି ପାଠକପାଠିକାଙ୍କୁ ତାହା ଭଲ ଲାଗୁଥାଏ, ତାହାହେଲେ ସେସବୁ ମୋର ପୁରସ୍କାର ।

‘ମଥୁରାର ମାନଚିତ୍ର’ ପ୍ରକାଶନ ଅବସରରେ ଏହାର ଗପଗୁଡ଼ିକୁ ପ୍ରଥମେ ପ୍ରକାଶ କରିଥିବା ପତ୍ରପତ୍ରିକାର ସଂପାଦକ ଏବଂ ପ୍ରକାଶକ ‘ଭାରତ ଭାରତୀ’ର ମୁଖ୍ୟ ଶ୍ରୀ ଉମେଶ ପ୍ରସାଦ ସାହୁଙ୍କୁ କୃତଜ୍ଞତା ଜଣାଉଛି । ଅନୁଜ ପ୍ରତିମ ଶିଳ୍ପୀ ଶ୍ରୀମାନ ସୁଧାକର ବିଶ୍ୱାଳ ବହୁ ଶ୍ରମ କରି ବହିଟିର ପ୍ରଚ୍ଛଦ ଅଙ୍କନ କରିଥିବାରୁ ତାଙ୍କୁ ମଧ୍ୟ ଏହି ଅବସରରେ ମୁଁ ଧନ୍ୟବାଦ ଜଣାଉଛି ।

–ଗୌରହରି ଦାସ

 

ଦଂଶନ

 

ମାଳବିକାର ରକ୍ତ ବରଫ ପାଲଟିଗଲା ।

 

ଏମିତି ଗୋଟେ ଦୃଶ୍ୟ ସେ ଆଗରୁ କୌଣସି ସିନେମାରେ ସୁଦ୍ଧା ଦେଖି ନଥିଲା । ସେ ଚିତ୍କାର କରି ଉଠିଲା, “ଗାଡ଼ି ରଖ, ଗାଡ଼ି ରଖ ।”

 

କିନ୍ତୁ ଅନିରୁଦ୍ଧ ଗାଡ଼ି ରଖିଲା ନାହିଁ । ମାଳବିକା ଭାବିଲା, ଗାଡ଼ି ଚଳଉଥିବା ଯୋଗୁଁ ବୋଧହୁଏ ଘଟଣାଟି ଦେଖିପାରିଲା ନାହିଁ ଅନିରୁଦ୍ଧ । କିନ୍ତୁ ସେ ଟୋକା ଦିଇଟା ତ ଝିଅଟାକୁ ପ୍ରାୟ ପନ୍ଦର କୋଡ଼ିଏ ଫୁଟ୍ ଘୋଷାରି ଘୋଷାରି ନେଇଗଲେ । ସେଇଟା ଅନିରୁଦ୍ଧର ଆଖିରେ ପଡ଼ି ନଥିବ କେମିତି ?

 

ମାଳବିକା ଏଥର ବଡ଼ପାଟିରେ କହିଲା, “ଗାଡ଼ି ରଖ ଅନିରୁଦ୍ଧ ।”

 

ଅନିରୁଦ୍ଧ ଥଣ୍ଡା ସ୍ୱରରେ ପଚାରିଲା, ‘କ’ଣ ହୋଇଛି ? କିଛି ଛାଡ଼ି ଆସିଲ କି ?’

 

ମାଳବିକାକୁ ଝିଅଟିର ଦୁର୍ଦ୍ଦଶା ଅପେକ୍ଷା ଅନିରୁଦ୍ଧର ଶୀତଳ ବ୍ୟବହାର ବେଶି ବିସ୍ମିତ କଲା । ମୁହୂର୍ତ୍ତକ ପାଇଁ ଲାଗିଲା ସେ ଏଇ ଲୋକଟିକୁ ଜାଣେ ନାହିଁ । ଯେଉଁ ଲୋକଟି ସାଙ୍ଗରେ ସେ ଅଠରବର୍ଷ ହେଲା ସଂସାର ବାନ୍ଧିଛି, ଇଏ ସେହି ଲୋକ ନୁହେଁ । ତା’ ସ୍ୱାମୀ ଏମିତି ଭୀରୁ ଭଳି ସବୁ ଦେଖି ଆଖି ବୁଲେଇ ନିଅନ୍ତା ନାହିଁ କଦାପି । ତାକୁ ଖୁବ୍‌ ଅପମାନ ଲାଗିଲା । ବିଶ୍ୱାସ ତୁଟିଗଲେ ଯେମିତି ଲାଗେ ସେମିତି । ସେ ବଡ଼ପାଟିରେ ନିର୍ଦ୍ଦେଶ ଦେଲା, “ଗାଡ଼ି ବୁଲାଅ । ତମେ ଦେଖିପାରୁନ, ଟୋକା ଦିଇଟା ଝିଅଟାକୁ କେମିତି ଟେକି ନେଉଛନ୍ତି !”

 

ସେମାନେ ବାଣୀବିହାରପଟୁ ବରମୁଣ୍ଡାକୁ ଫେରୁଥିଲେ । ଜୟଦେବ ବିହାର ଫ୍ଲାଇଓଭର୍ ପାଖରେ ସତର ଅଠରବର୍ଷର ଝିଅଟିଏ ଛିଡ଼ା ହୋଇଥିଲା । ସନ୍ଧ୍ୟା ସାଢ଼େ ସାତଟା ହେବ । ବୋଧହୁଏ ଝିଅଟି ସହରପଟୁ ବସ୍‌ କି ଅଟୋରେ ଆସି ସେଇଠି ଓହ୍ଲେଇଥିଲା । ହୁଏତ ରାସ୍ତା ପାର ହୋଇ ଜୟଦେବ ବିହାରକୁ ଯିବାପାଇଁ ଚାହୁଁଥିଲା । ସେତିକିବେଳେ ଘଟଣାଟି ଘଟିଲା-। ଗୋଟେ କଳା ମୋଟର ସାଇକେଲ୍‌ରେ ଦିଇଟା ଟୋକା ଆସିଲେ ଓ ଝିଅଟା ପାଖରେ ଅଟକିଲେ-। ଅନିରୁଦ୍ଧ ଗାଡ଼ି ଚଳଉଥିଲା ଓ ମାଳବିକା ତା’ ପାଖ ସିଟ୍‌ରେ ବସିଥିଲା । ରାସ୍ତା ଆଲୁଅରେ ସେ ସଫା ଦେଖିପାରୁଥିଲା ଟୋକା ଦିଇଟିଙ୍କୁ । ହଠାତ୍‌ ପଛରେ ବସିଥିବା ଟୋକାଟି ଓହ୍ଲେଇପଡ଼ି ଝିଅଟାକୁ ଟେକି ଧରିଲା । ମାଳବିକାର ଝିଅ ସାନ ଥିବାବେଳେ ତୁଳାର ଭାଲୁକୁ ଚିପାଚିପି କଲାଭଳି ଟୋକାଟି ବଢ଼ିଲା ଝିଅଟାକୁ ଦଳି ପକେଇଲା ଓ ତା’ପରେ ତା’ ହାତ ଧରି ଭିଡ଼ିଲା-। ସେତିକିବେଳେ ଅନିରୁଦ୍ଧକୁ ଦେଖି ଝିଅଟି ପାଟି କରି ଉଠିଲା–“ଅଙ୍କଲ୍‌, ଅଙ୍କଲ୍‌ ।” ମାଳବିକା ଅନିରୁଦ୍ଧକୁ ଗାଡ଼ି ରଖିବାକୁ କହିଥିଲା ସେତିକିବେଳେ । ଝିଅଟାର ପାଟି ଶୁଣି ଟୋକା ଦିଇଟା ପଳେଇଗଲେ ସିନା, ତା’ କାନ୍ଧର ଓଢ଼ଣିଟାକୁ ଭିଡ଼ି ନେଇଗଲେ । ଝିଅଟା ତିନି ଚାରି ଗଡ଼ା ଗଡ଼ିଗଲା ରାସ୍ତାକଡ଼ରେ । ତା’ର ଭାଗ୍ୟ ଭଲ, ସେ ଓଢ଼ଣିଟାକୁ ବେକରୁ କାଢ଼ି ଖସେଇ ଦେଲା-। ନହେଲେ କ’ଣ ହୋଇଥାନ୍ତା କିଏ ଜାଣେ ! ଓଢ଼ଣିଟା ଝିଅଟାର ତଣ୍ଟିରେ ଚାପି ହୋଇ ତା’ ପ୍ରାଣ ନେଇଥାନ୍ତା ।

 

ଅନିଚ୍ଛୁକ ଅନିରୁଦ୍ଧ ଫ୍ଲାଇଓଭର୍ ତଳକୁ ଯାଇ ‘କ୍ରାଉନ୍‌ ହୋଟେଲ’ ପାଖେ ଡାହାଣକୁ ମୋଡ଼ିଲା ଏବଂ ଜୟଦେବ ବିହାର ଓଭର୍‌ବ୍ରିଜ୍‌ ତଳରାସ୍ତାରେ ଆସି ମାଳବିକା କହୁଥିବା ଜାଗାରେ ଅଟକିଲା । ମାଳବିକା ଧଡ଼୍‍କରି ଗାଡ଼ିରୁ ଓହ୍ଲେଇପଡ଼ିଲା ସେଇ ଜାଗାରେ, ଯେଉଁଠି ସେ ଝିଅଟାକୁ ଦେଖିଥିଲା । ସେଇଠି ସେ ଠିଆହେଲା । କିନ୍ତୁ ଝିଅଟି ସେଠି ନଥିଲା । ସେ ଏପଟ ସେପଟ ଚାହିଁଲା । ନା, ଝିଅଟି କେଉଁଠି ଦିଶୁ ନଥିଲା । ମାଳବିକା ଟ୍ରାଫିକ୍‌ ପୋଷ୍ଟ୍‍ରେ ଛିଡ଼ା ହୋଇଥିବା ହୋମ୍‍ଗାର୍ଡ଼ଟିକୁ ଯାଇ ପଚାରିଲା, “ସେ ଝିଅଟି କୁଆଡ଼େ ଗଲା ?”

 

ହୋମ୍‍ଗାର୍ଡ଼ଟି ବାଣୀବିହାର ପଟୁ ଆସୁଥିବା ଗାଡ଼ିମାନଙ୍କୁ ଖଣ୍ଡଗିରି ଆଡ଼କୁ ଯିବାପାଇଁ ସଙ୍କେତ ଦେଉ ଦେଉ ପଚାରିଲା, ‘କୋଉ ଝିଅ ?’

 

: ଏଇଠି ଏବେ ଝିଅଟିଏ ପାଟି କରୁ ନଥିଲା ? ଦିଇଟା ବଦମାସ ତାକୁ ଟେକି ନେଇଯିବାକୁ ଉଦ୍ୟମ କରୁଥିଲେ–ଚଢ଼ାଗଳାରେ ପଚାରିଲା ମାଳବିକା ।

 

ହୋମ୍‍ଗାର୍ଡ଼ଟି ଚମକିଲା ପରି ପଚାରିଲା, “କେଉଁଠି ? କେତେବେଳେ ? ମୁଁ ତ ଜାଣିପାରିଲି ନାହିଁ । ଏ ଗାଡ଼ି ମଟର ଶବ୍ଦରେ ମୋତେ କିଛି ଶୁଭି ନଥିବ ।”

 

ମାଳବିକା ଚିଡ଼ିଗଲା । କାଳେ ଭୁଲିଯିବ, ସେଇ ଆଶଙ୍କାରେ ସେ ତା’ ବ୍ୟାଗ୍‌ରୁ କଲମ ବାହାର କରି ମୋଟର ସାଇକେଲ୍‌ର ନମ୍ବରଟା ଆଗେ ଟିପିଦେଲା–ଏକ୍ସ ଆର୍‌ ଏମ୍‌ ୩୪୫୭ । ପୁଣି ସେହି ଜାଗାକୁ ଫେରିଗଲା ଏବଂ ଏପଟ ସେପଟ ଚାହିଁଲା । ଝିଅଟା ଯେଉଁଠି ଗଡ଼ି ଗଡ଼ି ଯାଇଥିଲା ସେଇ ଜାଗାକୁ ଯାଇ ଛିଡ଼ା ହେଲା । ଏବେବି ସେ ଝିଅଟିର ଚିତ୍କାର ତା’ କାନ ପାଖରେ ଶୁଭୁଥିଲା । ସେ ଠିକ୍‌ ଲକ୍ଷ୍ୟ କରିଛି, ଅନିରୁଦ୍ଧକୁ ଅନେଇ ସେ ଡାକିଥିଲା, “ଅଙ୍କଲ୍‌, ଅଙ୍କଲ୍‌ ।” କିନ୍ତୁ ଅନିରୁଦ୍ଧ ଅଟକି ନଥିଲା । ଗାଡ଼ିଟାର ସ୍ପିଡ଼୍ ବେଶି ନଥିଲା । ଚାହିଁଥିଲେ ଅନିରୁଦ୍ଧ ତଳେ ଛିଡ଼ା ହୋଇଥିବା ଟୋକାଟାକୁ ଯାଇ ସହଜରେ ଧରିପକେଇ ଥାଆନ୍ତା ।

 

ବିଚାରୀ କୁଆଡ଼େ ଗଲା ? ହୁଏତ ଲାଜ, ଅପମାନରେ ଦଉଡ଼ି ଦଉଡ଼ି ଘରକୁ ପଳେଇଥିବ । କେଉଁଠିକା ଝିଅ ? ଓଡ଼ିଶାର ନା ବାହାରର ? ଭୁବନେଶ୍ୱରରେ ଗୁଡ଼ିଏ ବୈଷୟିକ କଲେଜ ଖୋଲିଗଲାଣି । ବାହାର ରାଜ୍ୟରୁ ଅନେକ ପିଲା ଆସି ଏଠି ପଢ଼ୁଛନ୍ତି । ହଷ୍ଟେଲ୍‌ରେ, ମେସ୍‌ରେ ନହେଲେ ପେଇଙ୍ଗ୍ ଗେଷ୍ଟ୍‌ ଭାବରେ ସେମାନେ ରହୁଛନ୍ତି । ଝିଅଟା ହୁଏତ ସେମିତି କୌଣସି ମେସ୍‌ରେ ରହୁଥିବ । କିମ୍ବା ତା’ ନିଜର ଘର ଏଇ ପାଖାପାଖି କେଉଁଠି ହୋଇଥିବ ।

 

ଅନିରୁଦ୍ଧ କହିଲା, “ଚାଲ, ସିଏ ତ କୁଆଡ଼େ ଗଲାଣି । ଆମେ ଆଉ ଛିଡ଼ା ହୋଇ କ’ଣ କରିବା ? ଘରେ ମାମୁନି ଏକୁଟିଆ ଥିବ ।”

 

ମାଳବିକା କହିଲା, “ତୁମେ ସାଙ୍ଗେ ସାଙ୍ଗେ ଗାଡ଼ି ଅଟକେଇଥିଲେ ଟୋକା ଦିଇଟା ନିଶ୍ଚୟ ଧରାପଡ଼ିଥାଆନ୍ତେ ।”

 

ଅନିରୁଦ୍ଧ କହିଲା, “ମୁଁ ତ ସାଙ୍ଗେ ସାଙ୍ଗେ ଅଟକେଇଲି ।”

 

ମାଳବିକା ଆଉ ଯୁକ୍ତି କଲା ନାହିଁ । ସେ ଜାଣିପାରୁଥିଲା, ଅନିରୁଦ୍ଧ ମିଛ କହୁଥିଲା । ତା’ର ସେ ଝିଅଟି କଥା ମନେପଡ଼ୁଥିଲା । ମାମୁନିଠାରୁ ଚାରିବର୍ଷ ଖଣ୍ଡେ ବଡ଼ ହେବ ।

 

ସେ ଦୃଶ୍ୟଟାକୁ ଆଦୌ ଭୁଲିପାରୁ ନଥିଲା । ଦୁର୍ଦ୍ଦାନ୍ତ ଟୋକାଟା ଝିଅଟିକୁ ଦୁଇ ହାତରେ ଧରି କାଦୁଅ ଚକଟିବା ପରି ଚକଟି ଯାଉଥିଲା । ମାଳବିକାକୁ ବାନ୍ତି ମାଡ଼ୁଥିଲା । ଅଇ ଉଠୁଥିଲା ବାରମ୍ବାର । ଏ ସହରରେ କେମିତି ଚଳିବ ତା’ର ଝିଅ ? ସିଏବି ତ ଟିଉସନ୍‌ ଯାଉଛି ! କଲେଜରୁ ଫେରିବାବେଳେ ସମୟେ ସମୟେ ଡେରି ହୋଇଯାଉଛି ମାମୁନିର ।

 

କିନ୍ତୁ ଏସବୁ ଅପେକ୍ଷା ଅନିରୁଦ୍ଧର ଭୀରୁପଣ ତାକୁ ସବୁଠୁ ବ୍ୟସ୍ତ କରୁଥିଲା । ଆଜି ପର୍ଯ୍ୟନ୍ତ ଅନିରୁଦ୍ଧକୁ ନେଇ ତା’ ମନ ଭିତରେ ଥିବା ସବୁ ଧାରଣା ବାଲିଘର ଭାଙ୍ଗିଲା ଭଳି ଭାଙ୍ଗିଯାଉଥିଲା । ଏତେ ଭୟାଳୁ, ହୃଦୟହୀନ ଏବଂ ଭୀରୁ ଏହି ଅନିରୁଦ୍ଧ ? ଖାଲି ସ୍ମାର୍ଟ ପୋଷାକପତ୍ର ପିନ୍ଧିଲେ କି ଋଣ କରି କାର୍‌ଟିଏ କିଣି ପକେଇଲେ କ’ଣ କେହି ସୁପୁରୁଷ ହୋଇଯାଏ ! ଏଭଳି ସ୍ୱାମୀ କେବେ କୌଣସି ସ୍ତ୍ରୀର ସାହସ ହୋଇପାରେନା । ଅନିରୁଦ୍ଧର ମୁହଁକୁ ଚାହିଁବା ଲାଗି ତା’ର ଇଚ୍ଛା ହେଉ ନଥିଲା ।

 

ଘରେ ପହଞ୍ଚିବାକ୍ଷଣି ସେ ଧାଇଁଯାଇ ଗାଧୁଆଘରକୁ ପଶିଗଲା । ଭକଭକ କରି ବାନ୍ତି ହୋଇଗଲା ତା’ର । ସେ ଟ୍ୟାପ୍‌ ଖୋଲି ମୁହଁ, ବେକ ଓ ବେକତଳ ପୋଛିହେଲା । ତା’ ମୁଣ୍ଡ ଘୂରେଇ ଦେଉଥିଲା । ମାମୁନିକୁ ଡାକି କହିଲା, “ମୋ ଦେହ ଭଲ ଲାଗୁ ନାହିଁ । ମୁଁ ଟିକେ ବିଶ୍ରାମ ନେଉଛି ।”

 

ସେତିକିବେଳେ ଅନିରୁଦ୍ଧ କହିବାର ଶୁଣିଲା, “ମାମୁନି, ଗେଟ୍‌ ବନ୍ଦ କରିଦେ । ମୁଁ ଟିକେ ଏଇ ଛକ ପାଖରୁ ଆସୁଛି ।”

 

ଅନିରୁଦ୍ଧ କୁଆଡ଼େ ଯାଉଛି ସେକଥା ଜାଣିବା ଲାଗି ମାଳବିକାର ଆଗ୍ରହ ନଥିଲା ।

 

ତା’ ପର ଦୁଇଦିନ ମାଳବିକାକୁ କିଛି ଭଲ ଲାଗିଲା ନାହିଁ । ସ୍କୁଲ୍‍ରୁ ଛୁଟି ନେଇ ରହିଲା-। ଜୟଦେବ ବିହାର ଛକର ଘଟଣା ତା’ ନିଜ ସଂସାରର ଅସହାୟତାକୁ ଦେଖେଇ ଦେଇଥିଲା-। ହଠାତ୍‌ ତା’ର ମନେହେଉଥିଲା, ତା’ର ପାଦ ଦିଇଟା ଯେମିତି କଟି ଯାଇଛି । ଆଜି ପର୍ଯ୍ୟନ୍ତ ଯେଉଁ ପାଦ ଯୋଡ଼ିକ ଉପରେ ଭରସା କରି ସେ ଚାରିଆଡ଼େ ବୁଲୁଥିଲା, ଆଜି ସେ ପାଦ ଯୋଡ଼ିକ ନାହିଁ-। ଏହାପରେ ସେ ଯୁଆଡ଼କୁ ଯିବ ଘୁଷୁରି ଘୁଷୁରି ଯିବ–ଗେଣ୍ଡା ପରି, ତେଲୁଣି ପୋକ ପରି-। ଆଗ ପରି ସେ ଦଉଡ଼ି ପାରିବ ନାହିଁ, କୁଦା ମାରି ପାରିବ ନାହିଁ ଆଉ ।

 

ତାକୁ ଏକ ସମୟରେ ଦିଇଟି ଡର କାବୁ କରି ବସୁଥିଲେ । ଗୋଟିଏ ଡର, ତା’ ଝିଅ ମାମୁନିର କାଳେ ଏମିତି କିଛି ଘଟିଯିବ । ଅଥବା ଏହାଠାରୁ ଆହୁରି ଗୁରୁତର । ଏବଂ ଦ୍ୱିତୀୟଟି ପ୍ରଥମଠାରୁ ଆହୁରି ଭୟଙ୍କର ଡର । ତା’ ଝିଅ ରାସ୍ତାରେ ଏମିତି ବେଜିତ ହେଉଥିବ, କିନ୍ତୁ କେହି ତା’ପାଇଁ ଅଟକୁ ନଥିବେ । ଶହ ଶହ କାର୍‌, ଜିପ୍‌, ମଟର ସାଇକେଲ୍‌, ସ୍କୁଟର୍ ଓ ସାଇକେଲ୍‌ ତା’ ଝିଅର ଆଗରେ, ପଛରେ, ବାଁରେ, ଡାହାଣରେ ଅତିକ୍ରମ କରି ଚାଲିଯାଉଥିବେ; ମାତ୍ର ଗୋଟିଏବି ଗାଡ଼ି, ଜଣେ ହେଲେ ଲୋକ ଅଟକୁ ନଥିବେ ତା’ ପାଖରେ । ଏହି ଦିଇଟା ଡର ମିଶି ତାକୁ କୋରି କୋରି ଖାଇ ଯାଉଥିଲା ।

 

ମାମୁନି ଗୋଟେ ଟି–ସାର୍ଟ୍ ପିନ୍ଧି କଲେଜ ବାହାରିଥିଲା । ମାଳବିକା ମନା କଲା । କହିଲା, ଏ ପୋଷାକ ଭଲ ଦିଶୁନାହିଁ । ‘ତୋତେ ସାଲୱାର କମିଜ ଭଲ ଦିଶେ ମା’ । ସେଇଥିରୁ ଗୋଟେ ପିନ୍ଧ୍‌ ।’ ମାମୁନି ଖୁବ୍‌ ପୋଷାକ–ସଚେତନ । କେତୋଟି ପୋଷାକ ତା’ର ବେଶି ପସନ୍ଦ । ନୀଳ ରଙ୍ଗର ଜିନ୍‌ ପ୍ୟାଣ୍ଟ ଓ ଧଳା ଟି–ସାର୍ଟ୍ ସେଇ ପୋଷାକ ଭିତରୁ ହଳେ । ସେ ରାଜି ହେଲା ନାହିଁ । ମାଳବିକା ଦି’ ତିନିଥର ନରମ କଣ୍ଠରେ କହିଲା ଏବଂ ତା’ପରେ ପାଟି କରିଉଠିଲା ।

 

ମାମୁନି ଏଥର ଥଟ୍ଟା କଲାପରି କହିଲା, ‘ମୋତେ ଗୋଟେ ବୁର୍ଖା ଆଣିଦେ । ମୁଁ ତାକୁଇ ପିନ୍ଧିବି ।’

 

ମାଳବିକା ଯୁକ୍ତି କଲା, “ହଁ, ବୁର୍ଖା ପିନ୍ଧି ଯିବୁ । ନହେଲେ ଯିବୁନାହିଁ ।”

 

ତା’ର ଶାନ୍ତ ଓ ନରମ ମାଆର ଏ ରୂପ ଦେଖି ମାମୁନି ଆଶ୍ଚର୍ଯ୍ୟ ହେଲା । ମାଆର କଥା ବୁଝିପାରିଲା ବୋଧହୁଏ । ନିଜେ ଗାଧୁଆଘରକୁ ଯାଇ ଚଟ୍‌କିନା ପୋଷାକ ବଦଳେଇ ଆସିଲା । ମାଳବିକା ସାମ୍ନାରେ ଠିଆହୋଇ ପଚାରିଲା, ‘ଏବେ ଖୁସି ?’

 

ମାଳବିକା ହଁ ଭରିଲା । କହିଆସୁଥିଲା, ‘ତୁ ଜାଣିନୁ ସମୟ କେତେ ଖରାପ । ଗଲା ସୋମବାର ସଞ୍ଜବେଳେ... ।’

: କ’ଣ ହେଲା ସୋମବାର ସଞ୍ଜବେଳେ ? –ମାମୁନି ପଚାରିଲା ।

ମାଳବିକା ନିଜର ଭୁଲ୍‌ ବୁଝିପାରିଲା । ସେକଥା ତା’ର ମାମୁନିକୁ କହିବା ଉଚିତ ନୁହେଁ । ଥରେ ଭୟଟାଏ ମନ ଭିତରେ ପଶିଗଲେ ତାକୁ ମନରୁ କାଢ଼ି ବାହାର କରିବା କଷ୍ଟ । ସେ କଥା ବାଆଁରେଇବା ପାଇଁ କହିଲା, ସୋମବାର ସଞ୍ଜବେଳେ ପରା ସି.ଆର୍‌.ପି. ଛକରେ ଗଣ୍ଡଗୋଳ ହେଇଗଲା ।

ମାମୁନି ତା’ ମାଆକୁ ଅନେଇଲା ଏବଂ ହାଲୁକା ଭଙ୍ଗୀରେ କହିଲା, “ଗଣ୍ଡଗୋଳ ତ ସବୁଦିନେ ହେଉଛି । ଆମ କଲେଜର ଗୋଟେ ଟୋକା, ତା’ ବାପ–ମା’ ଆଇ.ଏ.ଏସ୍‌. ନା କ’ଣ, ତାଙ୍କ ପିଅନକୁ ମାରି ତା’ ମୁଣ୍ଡ ଫଟେଇ ଦେଇଛି । ଆଗରୁ ସେ ଆମ କଲେଜର ଦିଇଟା ପିଲାଙ୍କ ନାକ ଫଟେଇଥିଲା । କିନ୍ତୁ ତା’ର କିଛି ହେଉ ନାହିଁ । ହାକିମ ଘର ପିଲା !”

ମାଳବିକା ଏ କଥା ଖବରକାଗଜରୁ ପଢ଼ିଥିଲା । କିନ୍ତୁ ପଢ଼ିଥିଲା ବୋଲି କହିଲା ନାହିଁ । ସେ ସାହସ ଦେବାପାଇଁ କହିଲା, “ଯିଏ ଯାହା କରିବାର କରୁ, ଆମର ସେଥିରେ କ’ଣ ଅଛି ? ଆମେ ଆମର ନିଜ ପାଠରେ ମନଦେବା, ଛୁଟି ହେଲାକ୍ଷଣି ଘରକୁ ପଳେଇ ଆସିବା ।”

ମାମୁନି ସବୁ ବୁଝିଲା ପରି ହଁ ମାରି ଚାଲିଗଲା । ମାଳବିକା ଥକ୍କା ହୋଇ ବସିପଡ଼ିଲା ଡାଇନିଙ୍ଗ୍ ଟେବଲ୍ ପାଖରେ । ଅସମ୍ଭବ ଗୁଳୁଗୁଳି ହେଉଥିଲା । ଦେହହାତ କଣ୍ଟି ହେଉଥିଲା ଝାଳରେ । କିଛି କରିବାକୁ ଇଚ୍ଛା ହେଉ ନଥିଲା । ନା ରାନ୍ଧିବାକୁ ନା ଖାଇବାକୁ । ଯେତେ ଚେଷ୍ଟା କଲେବି ସେ ସୋମବାର ସନ୍ଧ୍ୟାବେଳର ଘଟଣାଟିକୁ ଭୁଲିପାରୁ ନଥିଲା ।

ଟେଲିଫୋନ୍‌ ବାଜୁଥିଲା । ଅନ୍ୟମନସ୍କ ମାଳବିକା ଶୁଣି ପାରୁ ନଥିଲା । ଅନେକ ସମୟ ପରେ ତା’ର ହେତୁ ହେଲା ଯେ ଫୋନ୍‌ଟା ବାଜୁଛି । ଅନିରୁଦ୍ଧ ଅଫିସ୍‌ ଯାଇଛି, ମାମୁନି ଗଲାଣି କଲେଜ । ସେ ଉଠିଯାଇ ଫୋନ୍‌ଟି ଧରିଲା ।

ଅନିରୁଦ୍ଧକୁ ନୂଆପଲ୍ଲୀ ଥାନାର ଇନିସ୍‌ପେକ୍ଟର ଖୋଜୁଥିଲେ । ମାଳବିକା ଆଶ୍ଚର୍ଯ୍ୟ ହେଲା । ସେପଟର କଥା ଯେତିକି ଶୁଣୁଥିଲା ତା’ ମନ ସେତିକି ଖୁସିରେ ଭରିଉଠୁଥିଲା । ଫୋନ୍‌ଟା ରଖିସାରିଲାବେଳକୁ ତିନିଦିନର ଦୁଃଖ, ଅବସାଦ ଓ ଲଜ୍ଜା କୁଆଡ଼େ ଉଭେଇ ଯାଇଥିଲା ।

 

ସେ ଅନିରୁଦ୍ଧ ପ୍ରତି କେତେ ଅନ୍ୟାୟ ନ କରିଛି ! ଅଯଥାରେ କେତେ ଟାଣ ଟାଣ କଥା ନ କହିଛି ସିଏ ! ସବୁଯାକ ତା’ର ଭୁଲ୍‌ । ଅନିରୁଦ୍ଧ ଠିକଣା ସମୟରେ ଠିକଣା କାମ କରିଛି । ମାଳବିକା ଭାବିଲା । ତା’ର ପାଦର ଗତି ହଠାତ୍‌ ଚଞ୍ଚଳ ହୋଇଯାଉଥିଲା ।

 

ମାଳବିକା ଅନିରୁଦ୍ଧର ଅଫିସ୍‌କୁ ଫୋନ୍‌ ଲଗଉଥିଲା ଓ ପଛକଥା ସବୁ ଭାବୁଥିଲା । “ଅନିରୁଦ୍ଧ ମହାନ୍ତିଙ୍କୁ ଟିକିଏ ଫୋନ୍‌ ଦେବେ, ମୁଁ ତାଙ୍କ ସ୍ତ୍ରୀ କହୁଛି” ବୋଲି କହିବାବେଳେ ତା’ର ମନେପଡ଼ୁଥିଲା ଯେ ଥରେ ଅନିରୁଦ୍ଧ ବାଲେଶ୍ୱର କଲେଜର ସମ୍ପାଦକ ପଦପାଇଁ ଲଢ଼େଇ କରୁଥିବା କଥା ତାକୁ କହିଥିଲା । ଛାତ୍ରନେତା ହେବାପାଇଁ ସବୁଠୁ ବେଶି ଦରକାର ସାହସ ଓ ଉତ୍ସାହ । ଏଭଳି ଗୋଟେ ସାହସୀ ଲୋକକୁ ସନ୍ଦେହ କରିବା ଉଚିତ ନଥିଲା ତା’ର । ଅନିରୁଦ୍ଧ ଭୀରୁ ନୁହେଁ ।

 

ସେପଟରୁ ଅନିରୁଦ୍ଧ ପଚାରିଲା, “କ’ଣ କୁହ ?”

 

ମାଳବିକା ଖିଲିଖିଲି ହୋଇ କେବଳ ହସିଲା । ସେ ବହୁତ ଖୁସି ଥିଲା । ଅନିରୁଦ୍ଧ ମାଳବିକାର ସ୍ୱରରୁ ଜାଣିପାରିଲା ସେକଥା । ତିନିଦିନ ହେଲା ମାଳବିକା ତା’ ସହ କଥାବାର୍ତ୍ତା କରୁ ନଥିଲା । ଅତି ଦରକାର ନ ପଡ଼ିଲେ ସେ କେବେ ଅଫିସ୍‌କୁ ଫୋନ୍‌ କରେ ନାହିଁ । ଏବେ ଫୋନ୍‌ କରିଛି ଏବଂ ହସୁଛି; କାରଣଟି କ’ଣ ହୋଇପାରେ ?

 

ମାଳବିକା କହିଲା, “ନୂଆପଲ୍ଲୀ ଥାନାରୁ ଖବର ଆସିଥିଲା । ସେମାନେ ସେ ଟୋକା ଯୋଡ଼ାକଙ୍କୁ ଧରିଛନ୍ତି । ତମେ ଯାଇ ଚିହ୍ନଟ କରିଦେଇ ଆସ । ସେ ଯୋଡ଼ାକ ମାମୁଘରକୁ ଗଲେ ବଳେ ବୁଦ୍ଧି ଶିଖିଯିବେ ।”

 

ଅନିରୁଦ୍ଧ ପଚାରିଲା, “କେଉଁ ଟୋକା ?”

 

: ଓ–ହୋ, ମୋତେ ଆଉ ଲୁଚାଅ ନାହିଁ । ମୁଁ ସବୁ ଜାଣିଛି । ଏବେ ସମୟ ନାହିଁ, ତୁମେ ଆଗେ ଯାଇ ଥାନାରୁ ଆସ । ଆମେ ସଞ୍ଜବେଳେ କଥା ହେବା ।” ମାଳବିକା ଫୋନ୍‌ଟା ରଖିଦେଲା-

 

ଦୁଇ

 

ଅନିରୁଦ୍ଧ ଫୋନ୍‌ଟି ରଖିଦେବା ପରେ ଚିନ୍ତା କଲା, ନୂଆପଲ୍ଲୀ ଥାନାବାଲା ତାକୁ ଡକେଇ ପଠେଇଲେ କାହିଁକି ? କ’ଣ ସବୁ ସେମାନେ କହିଛନ୍ତି ମାଳବିକାକୁ ? ନିଶ୍ଚୟ କିଛି କହିଥିବେ । ତାହା ନହେଲେ ମାଳବିକା ଏତେ ଖୁସି ହୁଅନ୍ତା କାହିଁକି ? ସୋମବାରଠାରୁ ଆଜି ପର୍ଯ୍ୟନ୍ତ ସେ ଗୁମ୍‌ ମାରି ବସୁଥିଲା । ଖିଆପିଆ କରୁ ନଥିଲା । ହଠାତ୍‌ ପୁଲିସବାଲାଙ୍କ ଫୋନ୍‌ ପାଇ ଏତେ ଉତ୍ସାହିତ ହୋଇଯିବାର କାରଣ କ’ଣ ?

 

ସେ ବଡ଼ବାବୁଙ୍କ ପାଖକୁ ଗଲା । ବଡ଼ବାବୁ ବଜେଟ ଫାଇଲ୍‌ ଧରି ଅଙ୍କ କଷୁଥିଲେ । ନୀଳମଣି ତାଙ୍କ ଟେବୁଲ୍‌ ଉପରେ ଚା କପ୍‌ଟି ଥୋଇଦେଇ କ’ଣ କହିବ କହିବ ହେଉଥିଲା । ଅନିରୁଦ୍ଧ ଯାଇ କହିଲା, “ମୁଁ ଟିକେ ଥାନାରୁ ଆସୁଛି ।”

 

ବଡ଼ବାବୁ ଚଷମାଟିକୁ କାନ ଉପରୁ ଓହ୍ଲେଇ ଅନିରୁଦ୍ଧକୁ ଅନେଇଲେ । କହିଲେ, “କିହୋ, ଥାନା ଚକ୍କର କାହିଁକି ? ତମେ ତ ଶାନ୍ତ ସୁଧାର ପରି ଜଣାପଡ଼ ।”

 

: ଜଣାପଡ଼େ ନୁହେଁ, ମୁଁ ଶାନ୍ତ ସୁଧାର । ଯାଉଛି, ଘଣ୍ଟାଏ ଭିତରେ ଚାଲିଆସିବି । ଅନିରୁଦ୍ଧ କହିଲା ।

 

ବଡ଼ବାବୁ କିଛି କହିଲେ ନାହିଁ । ତାଙ୍କ ହିସାବରେ ମନ ଦେଲେ ସେ ।

 

ବାଟସାରା ଅନିରୁଦ୍ଧର ହଜାରେ ପ୍ରକାର ଚିନ୍ତା । ତାକୁ ଥାନାକୁ ଡକରା ଯିବାର କାରଣ କ’ଣ ? କିଏ ଖବର ଦେଲା ସେ ଟୋକା ଦିଇଟାଙ୍କ ବାବଦରେ ? ସିଏ ତ ଖବର ଦେଇନାହିଁ ! ସିଏ ତ ମୂଳରୁ ସେଆଡ଼କୁ ଅନେଇ ନଥିଲା । ଥରେ ଦେଖିଦେଲା, ଗଣ୍ଡଗୋଳ ହେଉଛି । ଝିଅଟା ଅଚିହ୍ନା, ଲୋକ ଦି’ଟାବି ଅଚିହ୍ନା । ତା’ପରେ ସେ ଏକ୍ସିଲରେଟର ଦବେଇ ସେଠୁ ପଳେଇ ଆସିବାପାଇଁ ଚେଷ୍ଟା କରିଥିଲା । ତା’ର ଏହି ମନୋଭାବ ଧରିପକେଇଥିଲା ମାଳବିକା । ଧରିବ ନାହିଁ କିପରି ? ଏତେ ବର୍ଷ ହେଲା ଦିହେଁ ସଂସାର କରିଛନ୍ତି । ପରସ୍ପରର ପ୍ରତିକ୍ରିୟା ସାଙ୍ଗରେ ପରିଚୟ ରହିବା ତ ସ୍ୱାଭାବିକ ।

 

କିନ୍ତୁ ସେ ଗଣ୍ଡଗୋଳରେ କାହିଁକି ପଶିଥାନ୍ତା ? ପରପାଇଁ ନିଆଁକୁ ଡେଇଁବା ତା’ର ସ୍ୱଭାବ ନୁହେଁ । ଏ ସହରରେ କ’ଣ ସେ ଏକୁଟିଆ ଅଛି ? ଶହ ଶହ ଲୋକ ଯା–ଆସ କରୁଥିଲେ, କେହି ତ ଅଟକିଲେ ନାହିଁ । ସିଏ କାହିଁକି ଅଟକି ଥାଆନ୍ତା ?

 

ଅଥଚ ସେହିଦିନୁ ମାଳବିକାର କି ରାଗ ! ଅନିରୁଦ୍ଧ ଭାବିଲା ଓ ମାଳବିକାକୁ କିପରି ପ୍ରଭାବିତ କରିପାରିବ ସେ ବିଷୟରେ ଚିନ୍ତା କଲା ।

 

ଇନିସ୍‌ପେକ୍ଟର ସଚ୍ଚିକାନ୍ତ ପଣ୍ଡା ଚଉକିରୁ ଅଧା ଉଠିପଡ଼ିଲେ । ଅନିରୁଦ୍ଧ ସହ କରମର୍ଦ୍ଦନ କଲେ ଏବଂ ଡାକ ପକେଇଲେ, “ମହାଲିକ, ସେ ଟୋକା ଦିଇଟାଙ୍କୁ ଏଠିକି ଆଣିଲ ।”

 

ଅନିରୁଦ୍ଧ କହିବାକୁ ଯାଉଥିଲା, ଆଜ୍ଞା, ମୁଁ ତ କିଛି ଖବର ଦେଇ ନାହିଁ । କିନ୍ତୁ ମାଳବିକାର କଥା ମନେପଡ଼ିଲା । ତାକୁ ନାୟକ ହେବାକୁ ପଡ଼ିବ । ସେ ଚୁପ୍‌ଚାପ୍‌ ବସିଲା । ଟୋକା ଦିଇଟାଙ୍କୁ ଧରି ମହାଲିକ ଆସିଲା । ଦିଇଟିଯାକ ଏକା ବୟସର । ଏକୋଇଶ, ବାଇଶ ହେବ । ଚଉଡ଼ା ଛାତି, କଠୋର ମୁହଁ, ଚଞ୍ଚଳ ଆଖି । ଅନିରୁଦ୍ଧ ଜାଣିପାରିଲା ଏ ସେହି ଯୋଡ଼ାକ ଟୋକା । କିନ୍ତୁ ତାଙ୍କ ସାମ୍ନାରେ ‘ହଁ’ କହିବାକୁ ତା’ର ଭୟ ହେଉଥିଲା । ଏମିତି ଶହ ଶହ ଟୋକା କଟକ ଭୁବନେଶ୍ୱରରେ ଅଛନ୍ତି । ସେମାନେ ମାସିକ ଦରମା ନେଇ ଚୋରି, ଡକାୟତି କରୁଛନ୍ତି । ସେ ଚିହ୍ନା ପଡ଼ି ବିପଦକୁ ବରଣ କରିବା ଲାଗି ଚାହୁଁ ନଥିଲା ।

 

ମହାଲିକ ଟୋକା ଦିଇଟାଙ୍କୁ ଟାଣି ଟାଣି ନେଇଗଲା । ହାଜତ ଭିତରେ ସେମାନଙ୍କୁ ପୂରେଇ ଚାବି ଦେଇଦେଲା ।

 

ସଚ୍ଚିକାନ୍ତ ପଣ୍ଡା ପଚାରିଲେ, “ଏଇ ସେ ଦି’ ଜଣ ନା ?”

 

ଅନିରୁଦ୍ଧ ମହାନ୍ତି ଏପଟ ସେପଟ ଅନେଇଲା । ଆଉ ଜଣେ ସବ୍‌ଇନିସ୍‌ପେକ୍ଟର ତା’ ଆଡ଼କୁ ମଝିରେ ମଝିରେ ଅନଉଥିଲେ । ସେ କହିଲା, ସେତେବେଳକୁ ସଞ୍ଜ ସାଢ଼େ ସାତଟା ହୋଇଯାଇଥିଲା । ଟିକେ ଦୋଦୋଚିହ୍ନା ହେଉଛି । ଆଚ୍ଛା, ମଟର ସାଇକେଲ୍‌ଟା ମିଳିଛି ?”

 

: ନା ମିଳିନାହିଁ । ଖୋଜା ଚାଲିଛି । ତା’ର ନମ୍ବର ପ୍ଲେଟ୍‌ ହୁଏତ ବଦଳେଇ ଦେଇଥିବେ-

 

: ଆଚ୍ଛା, ମୁଁ ଘରକୁ ଯାଇ କହିଦେବି । ଆପଣଙ୍କ ମୋବାଇଲ୍‌ ନମ୍ବରଟା ଦେଇଥାଆନ୍ତୁ । ଅନିରୁଦ୍ଧ ଇନିସ୍‌ପେକ୍ଟରଙ୍କ ଫୋନ୍‌ ନମ୍ବର ଟିପିଲା ଓ ସେଠୁ ଉଠି ଚାଲିଆସିଲା ।

 

ସଞ୍ଜବେଳକୁ ଅନିରୁଦ୍ଧ ଘରେ ପହଞ୍ଚିଲାବେଳକୁ ମାଳବିକା ସାଜିସୁଜି ହୋଇ ବସିଥିଲା-। ଅନିରୁଦ୍ଧ ହାତରୁ ଆସି ବ୍ୟାଗ୍‌ଟି ନେଇଗଲା । ତା’ ଗଳାରେ ଓହଳି ପଡ଼ି କହିଲା, “ମୋତେ କ୍ଷମା କରିଦେବ । ତମର ଏତେ ସାହସ ବୋଲି ମୁଁ ଜାଣି ନଥଲି । ମୁଁ ତ ଭାବିଥିଲି ତମେ ଗୋଟେ... ।” ସେ କଥା ସମ୍ପୂର୍ଣ୍ଣ କରିପାରିଲା ନାହିଁ ।

 

: କ’ଣ ? ମାଇଚିଆ ?

 

: ରାଗୁଛ କାହିଁକି ? କହିଲ, ଆମ ଝିଅ ଯଦି ଏମିତି ବାଟରେ ବଦମାସଙ୍କ ହାବୁଡ଼ରେ ପଡ଼ିଥାନ୍ତା ଓ ତାକୁ ରକ୍ଷା ନ କରି କିଏ ମୁହଁ ବୁଲେଇ ପଳେଇଯାଆନ୍ତା, ତାହାହେଲେ ତୁମେ ତାକୁ କ’ଣ କୁହନ୍ତ ?

 

ଅନିରୁଦ୍ଧ କିଛି ଜବାବ ଦେଲା ନାହିଁ । ମାଳବିକାର କଥା ଠିକ୍‌, ମାତ୍ର ଏତେ ଭାବପ୍ରବଣ ହେବା ଉଚିତ ନୁହେଁ । ଆଜିକାଲି କଥା କଥାରେ ଗୁଳି ଫୁଟୁଛି, ବୋମା ଫୁଟୁଛି । ଏଥିରେ କିଏ କାହିଁକି ମରଣ ସାଙ୍ଗରେ ଖେଳିବାକୁ ଯିବ ?

 

କିନ୍ତୁ ସେ ମାଳବିକାକୁ ତା’ ମନକଥା କହିଲା ନାହିଁ । ମାଳବିକା ତାକୁ ସାହସୀ ବୋଲି ଭାବୁଛି, ସେଇଟା ଖୁବ୍‌ ଉତ୍ସାହର କଥା । ସେ ତା’ର ଏହି ନୂଆ ଭାବମୂର୍ତ୍ତିକୁ ପ୍ରଚାରିତ କରିବାପାଇଁ ଚାହୁଁଥିଲା ଏବଂ ଜାଣିଥିଲା ଯେ କାଲି ସକାଳ ସୁଦ୍ଧା ଏ କଲୋନିର ଅଧାରୁ ଅଧିକ ଲୋକ ଖବର ଜାଣିଯାଇଥିବେ–ସୋମବାର ସଞ୍ଜବେଳେ ଅନିରୁଦ୍ଧ ମହାନ୍ତି ଓ ତାଙ୍କ ସ୍ତ୍ରୀ ସେମାନଙ୍କ ନୂଆ କାର୍‌ରେ ବାଣୀବିହାରରୁ ଆସୁଥିଲେ । ଜୟଦେବ ବିହାର ଛକ ପାଖରେ ଦିଇଟି ଗୁଣ୍ଡା ଗୋଟେ ଝିଅକୁ ଟେକିନେବାକୁ ଉଦ୍ୟମ କରୁଥିଲେ । ମାଳିବକା ଚିତ୍କାର କଲେ ଓ ଲୋକ ଦିଇଟା ଦଉଡ଼ି ପଳେଇଗଲେ । କିନ୍ତୁ ଅନିରୁଦ୍ଧ ମହାନ୍ତି ସେଇଠି ଅଟକିଲେ ନାହିଁ । ସେ ଯାଇ ନୟାପଲ୍ଲୀ ଥାନାରେ ଏତଲା ଦେଲେ । ତା’ପରେ ପୁଲିସ ଗୁଣ୍ଡାଙ୍କୁ ଖୋଜିଲା । ତିନି ଦିନ ତିନି ରାତି ଖୋଜିବା ପରେ ସେ ଦିଇଟା ଧରା ପଡ଼ିଲେ । ଥାନାରୁ ଫୋନ୍‌ ଆସିଲା ଅନିରୁଦ୍ଧ ମହାନ୍ତିଙ୍କ ପାଖକୁ । ସେ ଥାନାକୁ ଯାଇ ସେମାନଙ୍କୁ ଚିହ୍ନଟ କଲେ । ଟୋକା ଦିଇଟାଙ୍କର ଜାମିନ୍ ନାମଞ୍ଜୁର ହେଇଯାଇଛି । ସେମାନେ ଏବେ ଝାରପଡ଼ା ଜେଲ୍‌ରେ । ମଟର ସାଇକେଲ୍‌ଟାକୁ ପୁଲିସ ଖୋଜୁଛି । ତା’ ନମ୍ବରବି ଅନିରୁଦ୍ଧବାବୁ ପୁଲିସକୁ ଜଣାଇ ଦେଇଛନ୍ତି । ସେଇ ଅନ୍ଧାର ଭିତରେ ସେ ଦି’ ପ୍ରାଣୀ ମୋଟର ସାଇକେଲ୍‌ଟିର ନମ୍ବର ଟିପି ଆଣିଥିଲେ । ନହେଲେ ଗୁଣ୍ଡା ଦିଇଟା ଖସିଯାଇଥାନ୍ତେ ।

 

ଅନିରୁଦ୍ଧର ଅନୁମାନ ସତ ଥିଲା । ପରଦିନ ସଞ୍ଜବେଳକୁ ଏହି ଖବରଟି କଲୋନିସାରା ଲୋକ ଜାଣିଯାଇଥିଲେ । ସେମାନେ ସେ ଦି’ ଜଣଙ୍କ ସାହସ ବିଷୟରେ ଚର୍ଚ୍ଚା କରୁଥିଲେ । ଥାନାବାଲାବି ଫୋନ୍‌ କରିଥିଲେ । କହୁଥିଲେ ଅନିରୁଦ୍ଧବାବୁ ସେ ଟୋକା ଦିଇଟାଙ୍କୁ ଚିହ୍ନଟ କରି ପୁଲିସର ବଡ଼ ଉପକାର କଲେ । ଆଜିକି ବର୍ଷେ ହେବ ପୁଲିସ ସେ ଦିଇଟାଙ୍କୁ ଜଟଣି ଏଟିଏମ୍‌ ଟଙ୍କା ଚୋରି ମାମଲାରେ ଖୋଜୁଥିଲା ।

 

କଲୋନି କମିଟିର ଲୋକେ ସ୍ଥିର କଲେ, ତାଙ୍କର ବାର୍ଷିକୋତ୍ସବ ପନ୍ଦର ଦିନ ଅଛି । ସେହି ଉତ୍ସବରେ ସ୍ୱାମୀ–ସ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଏ କଥାଟି ପ୍ରଚାରିତ ହେବା ଦରକାର । ତାଙ୍କ ସଭାପତି ଓ ସମ୍ପାଦକ ଆସି ମାଳବିକାଙ୍କଠାରୁ ସମ୍ମତି ନେଇଗଲେଣି । ସଭାପତି ନାରାୟଣ ଜେନାଙ୍କ ନାଁରେ ଗୋଟେ ଛୋଟ ଖବରବି ବାହାରି ସାରିଲାଣି ‘ପ୍ରତିଦିନ’ ଖବରକାଗଜରେ ।

 

ଅନିରୁଦ୍ଧ କିଛି ବୁଝିପାରୁ ନଥାଏ । ଏସବୁ କ’ଣ ହେଉଛି, କିଏ କରୁଛି ଏବଂ କାହିଁକି କରୁଛି ତାହା ସେ ଆଦୌ ଜାଣିପାରୁ ନଥାଏ । କେବଳ ଗୋଟିଏ କଥା ସେ ଜାଣିଥାଏ, ଯିଏ ଏସବୁ ପୁଲିସକୁ କହୁନା କାହିଁକି ସିଏ କିନ୍ତୁ କହିନାହିଁ । ସେଦିନ ସେ ଥାନାକୁ ଯାଇଥିଲା । ମାତ୍ର ଟୋକା ଦି’ ଜଣଙ୍କୁ ଦେଖି ଚାଲି ଆସିଥିଲା । ଯଦିଓ କହିଥିଲା, ଘରକୁ ଆସି ଫୋନ୍‌ କରିବ, ସେଇଟା କେବଳ ପୁଲିସକୁ ଆଡ଼େଇ ଯିବାପାଇଁ । ଏସବୁ ଗଣ୍ଡଗୋଳରେ ପଶି ଲାଭ କ’ଣ ? ମାତ୍ର ପୁଲିସ କହୁଛି, ଅନିରୁଦ୍ଧ ଘରୁ ଫୋନ୍‌ କରି କହିଲା, ହଁ ସେଇ ଟୋକା ଦି’ ଜଣ ଜୟଦେବ ବିହାର ଗଣ୍ଡଗୋଳରେ ସମ୍ପୃକ୍ତ । କିଏ କଲା ଫୋନ୍‌ ? ତାକୁ ଏସବୁ ରହସ୍ୟ ପରି ଲାଗୁଥିଲା ।

 

ନିଜେ ମାଳବିକା ଏସବୁ କରଉ ନାହିଁ ତ ?

 

ଅନିରୁଦ୍ଧ ଭାବିଲା ଏବଂ ତା’ର ମନେହେଲା ଏସବୁ ମାଳବିକାର କାମ । ଏକଥା ଭାବିଲାବେଳକୁ ସେ ଖୁବ୍‌ ଚିନ୍ତାଗ୍ରସ୍ତ ହୋଇପଡ଼ୁଥିଲା ।

 

ଅନ୍ୟପକ୍ଷରେ ମାଳବିକା ଖୁବ୍‌ ଉତ୍ସାହିତ ଥିଲା । ଏହା ଭିତରେ ସମ୍ବର୍ଦ୍ଧନା ସଭାରେ ପଢ଼ିବାପାଇଁ ସେ ଗୋଟେ ଭାଷଣବି ଲେଖି ସାରିଥିଲା । ସ୍କୁଲ୍‍ର ଅଧା ସମୟ ଏବେ ତା’ର ଏହି ଚର୍ଚ୍ଚାରେ ଯାଉଥିଲା । ଦି’ ଦିଇଟା ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଧରା ପକେଇବା କିଛି କମ୍‌ କଥା ନୁହେଁ ।

 

ସମ୍ବର୍ଦ୍ଧନା ସଭା ହେଲା ମ୍ୟୁନିସିପାଲଟି ସ୍କୁଲ୍‍ ହତାରେ । ଅନିରୁଦ୍ଧ ଏବଂ ମାଳବିକାଙ୍କୁ ଦିଆଗଲା ‘ସାହସୀ ଦମ୍ପତ୍ତି ସମ୍ମାନ’ । ମାଳବିକା ଗୋଟେ ଭାଷଣ ଦେଲା ଓ ତା’ପରେ ଅନିରୁଦ୍ଧ ।

ଅନିରୁଦ୍ଧ ଭାଷଣରେ କରତାଳି ଅଜାଡ଼ି ପଡ଼ିଲା ।

ସେ କହିଲା, “ଅନ୍ୟ କାହାର ଛୁଆ ରାସ୍ତାରେ ପଡ଼ିଥିବ ଓ ଆମେ ତାକୁ ଏଡ଼େଇ ଦେଇ ଚାଲିଆସିବା, ଅଥଚ ଆଶା କରିବା ଯେ ଆମ ଛୁଆ ବିପଦରେ ପଡ଼ିଥିଲାବେଳେ ତାକୁ ଯାଇ ଅନ୍ୟମାନେ ରକ୍ଷା କରିବେ, ଏହା କେବଳ ଆତ୍ମପ୍ରତାରଣା ଭିନ୍ନ କିଛି ନୁହେଁ ।” ଲୋକମାନେ ବାହାବା କଲେ । ଅନିରୁଦ୍ଧର ମୂଲ୍ୟବୋଧକୁ ତାରିଫ କଲେ । ନୂଆପଲ୍ଲୀ ଥାନାର ଇନିସ୍‌ପେକ୍ଟରବି ନିମନ୍ତ୍ରିତ ହୋଇ ଆସିଥିଲେ । ସିଏ ତାଙ୍କ ଭାଷଣରେ ଅନିରୁଦ୍ଧ ମହାନ୍ତି ଏ ସହରର ଶ୍ରେଷ୍ଠ ସାହସୀ ବୋଲି ନିଜ ମତ ରଖିଲେ ।

ଅନିରୁଦ୍ଧର ହାତ ପାଦ ଝାଳେଇ ଯାଉଥିଲା । ମାଳବିକାର କଥା ମାନି ସେ ସଭାକୁ ଗୋଟେ କୋଟ୍‌ ଓ ଟାଇ ଭିଡ଼ି ଆସିଥିଲା । ସେଥିପାଇଁ ତାକୁ ବେଶି ଗରମ ହେଉଥିଲା । ତା’ ସାଙ୍ଗକୁ ଭିତରେ ଭିତରେ ଅସ୍ୱସ୍ତିବୋଧ । ସେ ଜାଣୁଥିଲା ଯେ ଏସବୁ ମାଳବିକାର କାମ । ତାକୁ ଅପ୍ରସ୍ତୁତ କରିବାପାଇଁ ସେ ଏ କାମ କରିଛି । ତା’ ସତ୍ତ୍ୱେ ତାକୁ ଟିକେ ଟିକେ ଭଲ ଲାଗୁଥିଲା । ବେଶି ଭଲ ଲାଗୁଥିଲା ଲୋକଙ୍କ କରତାଳି । ସେ ନିଜେ ଜାଣିପାରୁ ନଥିଲା, ଏତେ ଆବେଗ ସେ କୋଉଠୁ ଆଣିଲା ଭାଷଣ ଦେବାବେଳେ ।

ସଭା ପରେ ଭୋଜି ଥିଲା । ଭୋଜି ସରୁ ସରୁ ରାତି ଦଶଟା । ସେ ତା’ ନୂଆ କାର୍‌ଟି ଗେଟ୍‌ ପାଖରେ ରଖିଥିଲା । ମାଳବିକା ଧରିଥିଲା ଫୁଲତୋଡ଼ା ଓ ସୁନେଲି ରଙ୍ଗର ଟ୍ରଫି । ସେ ଆଗେଆଗେ ଚାଲୁଥିଲା ।

ପାଚେରି କଡ଼ କୃଷ୍ଣଚୂଡ଼ା ଗଛ ପାଖରେ କିଏ ଜଣେ ରାସ୍ତାକୁ ପିଠି କରି ଛିଡ଼ା ହୋଇଥିଲା । ତାକୁ ଅନିରୁଦ୍ଧ ଅତିକ୍ରମ କରି ଆସିଲାବେଳେ ଲୋକଟି କହିଲା, “ଟିକିଏ ଶୁଣିବେ ଅନିରୁଦ୍ଧବାବୁ !”

 

ଅନିରୁଦ୍ଧ ଛିଡ଼ାହେଲା । ଆଗେଇ ଯାଇଥିବା ମାଳବିକା ପଛକୁ ଫେରି ଡାକିଲା, “ରହିଗଲ ଯେ । ଆସ ।”

 

: ତୁମେ ଚାଲ, ମୁଁ ଆସୁଛି–ଅନିରୁଦ୍ଧ କହିଲା ଏବଂ ତା’ପରେ ଦୂରଛଡ଼ା ହୋଇ ଠିଆ ହୋଇଥିବା ଲୋକଟିକୁ ପଚାରିଲା, “କ’ଣ କୁହନ୍ତୁ ।”

 

ଲୋକଟି କହିଲା, “ଆପଣ ଭଲଭାବେ ଜାଣନ୍ତି, ଏ ସମ୍ମାନ ଆପଣଙ୍କର ପ୍ରାପ୍ୟ ନୁହେଁ-।”

 

ଅନିରୁଦ୍ଧ ଚମକି ପଡ଼ିଲା । ଓଃ, ତାହାହେଲେ ଇଏ ସେହି ଲୋକ, ଯିଏ ଏହି କିଛିଦିନ ହେଲା ତା’ ସାଙ୍ଗେ ଲୁଚକାଳି ଖେଳ ଖେଳୁଥିଲା । ସେ ଟିକିଏ ଦବିଗଲାବି । ମାତ୍ର ସାହସ ରଖି କହିଲା, “ସେଇଠୁ ?”

 

: କିନ୍ତୁ ତା’ ସତ୍ତ୍ୱେ ଆପଣ ସମ୍ମାନ ଗ୍ରହଣ କଲେ । ଭାଷଣ ଦେଲେ । ମୁଁ କିଛି କହିଲି ନାହିଁ । ମୁଁ ଚାହିଁଥିଲେ ଆପଣଙ୍କର ମୁଖା ଖୋଲିଯାଇ ଥାଆନ୍ତା । ତେବେ ମୁଁ ଆଶ୍ଚର୍ଯ୍ୟ ହେଉଛି, ଯେଉଁ କାମଟି କରିବାକୁ ଆପଣଙ୍କର ସାହସ ନାହିଁ, ସେହି କାମପାଇଁ ସମ୍ମାନ ଗ୍ରହଣ କରିବାଲାଗି ଆପଣଙ୍କର ଲୋଭ ହେଲା କାହିଁକି ?

 

: କିନ୍ତୁ ଆପଣ କିଏ ? –ଅନିରୁଦ୍ଧ ଭୟାଳୁ ସ୍ୱରରେ ପଚାରିଲା ।

 

: ଧରନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱର ଆର ପାଖ । ଗୋଟିଏ ପାଖ ତ ଆପଣ ନିଜେ, ଯେଉଁ ପାଖଟା ଆପଣ ହୋଇପାରିଲେ ନାହିଁ, କିନ୍ତୁ ହେବାର ସମ୍ଭାବନା ଥିଲା, ମୁଁ ସେଇ ବୋଲି ଭାବନ୍ତୁ ।

 

ଲୋକଟାର କଥା ପାଗଳର ପ୍ରଳାପ ପରି ଶୁଭୁଥିଲା । ଅନିରୁଦ୍ଧ ଆଗକୁ ଯିବାପାଇଁ ଗୋଡ଼ ବଢ଼େଇଲା । ଏଥର ଲୋକଟି ବଡ଼ପାଟିରେ କହିଲା, “ମୁଁ ଆପଣଙ୍କ ପାଖେପାଖେ ଅଛି । ଆପଣଙ୍କ କଲୋନିରେ ଏବଂ ଆପଣଙ୍କ ଅଫିସ୍‌ରେ । ଆପଣ ମୋତେ ଜାଣନ୍ତି । ମୁଁ ମଧ୍ୟ ଆପଣଙ୍କୁ ଜାଣେ । କିନ୍ତୁ ମୁଁ ଆପଣଙ୍କୁ ପରିଚୟ ଦେବାକୁ ଚାହୁଁ ନାହିଁ ।

 

: କାହିଁକି ? ମୁଁ ଏ ସମ୍ମାନ ଆପଣଙ୍କୁ ଦେଇଦେବାକୁ ରାଜି । ମୁଁ ଜାଣେ ଏସବୁକୁ ମୁଁ ଭାଜନ ନୁହେଁ । –ଅନିରୁଦ୍ଧ ବୁଝାମଣା କଲା ଭଳି ଚାପା ଗଳାରେ କହିଲା ଏବଂ ଯୋଡ଼ିଲା, “ମୁଁ ତ ଭାବୁଥିଲି ଏସବୁ ମୋ ସ୍ତ୍ରୀର କାମ । ମାତ୍ର ଆପଣ ?”

 

: କହିଲି ତ ମୋ ପରିଚୟ ମାଗନ୍ତୁ ନାହିଁ । ମୋତେ ନିଜର ବିବେକ ବୋଲି ଭାବି ନଉନାହାନ୍ତି ? ଭାବିନିଅନ୍ତୁ । ଆଉ ଆପଣଙ୍କ ଭଳି ଜଣେ ଭୀରୁ ସହ ପରିଚିତ ହେବାରେ ମୋର କିଛି ଗୌରବ ନାହିଁ ।

 

ଓଃ, କି ଅସ୍ୱସ୍ତିକର ଏହି ମୁହୂର୍ତ୍ତ ! ଅନିରୁଦ୍ଧ ଆଗକୁ ପାଦ ପକେଇଲା ।

 

ଲୋକଟି ପଛରୁ ହସିଲା । କହୁଥିଲା, ସବୁବେଳେ ମୁଁ ଆପଣଙ୍କ ପାଖେପାଖେ ଥିବି ଏବଂ ଆପଣଙ୍କୁ ଏମିତି ଦଂଶନ କରୁଥିବି । ମୁଁ ବଞ୍ଚିଥିଲାଯାଏ ବା ଆପଣ ମରିବା ଯାଏଁ ।

 

: କିନ୍ତୁ ଏଥିରୁ ଆପଣଙ୍କୁ କି ଲାଭ ମିଳିବ ?

 

: କାଳେ କୋଉଦିନ ଆପଣ ସତକୁସତ ସାହସୀ ହୋଇପାରିବେ ।

 

ମାଳବିକା ଗାଡ଼ିର ହର୍ଣ୍ଣ ବଜଉଥିଲା । ଅନିରୁଦ୍ଧ ରୁମାଲ୍‌ କାଢ଼ି କପାଳର ଝାଳ ପୋଛିଲା-। ପଛକୁ ଚାହିଁ ଦେଖିଲା, ଲୋକଟା ନାହିଁ । ଅନ୍ଧାର ଭିତରେ କୁଆଡ଼େ ମିଶିଯାଇଛି-। ସେ ଯାଇ ଲୋକଟା ଯେଉଁ ଜାଗାରେ ଛିଡ଼ା ହୋଇଥିଲା ସେ ଜାଗାକୁ ଦେଖିଲା । ହଁ, ଲୋକଟାର ଜୋତା ଚିହ୍ନ ଅଛି । ସନ୍ତସନ୍ତିଆ ମାଟିରେ ବଡ଼ବଡ଼ ଜୋତା ଚିହ୍ନ । ତା’ ଅର୍ଥ ସେ ଲୋକଟି ଏଇଠି ଥିଲା । ସେଇ ସେ ଲୋକ ଯିଏ ତା’ ନାଆଁରେ ଏସବୁ କାମ କରେଇଛି । ଅଥଚ ତାକୁ ତା’ର ପରିଚୟ ଦେବାକୁ ଚାହୁଁନାହିଁ । ସେ ଧୀର ପାଦରେ ଗାଡ଼ି ପାଖକୁ ଯାଉଥିଲା । ସଭାରୁ ଫେରୁଥିବା ଲୋକେ ତାକୁ ଅନେଇ ହସୁଥିଲେ ଓ ତା’ ସହ କରମର୍ଦ୍ଦନ କରୁଥିଲେ । ତାକୁ ସେମାନେ ନାନା କଥା କହି ଅଭିନନ୍ଦନ ଜଣାଉଥିଲେ । କିନ୍ତୁ ସେ ସେମାନଙ୍କୁ ସେତିକି ଉତ୍ସାହର ସହ ଉତ୍ତର ଫେରେଇ ପାରୁ ନଥିଲା ।

 

ମାଳବିକା କହିଲା, “କାହା ସଙ୍ଗେ କଥା ହେଉଥିଲ ?”

 

ଅନିରୁଦ୍ଧ କିଛି କହିଲା ନାହିଁ; ବରଂ ଉପରକୁ ଆଶ୍ଚର୍ଯ୍ୟ ହେଲା ଭଳି କହିଲା, “କାହିଁ, କିଏ ?”

 

ମାଳବିକା କହିଲା, “ଆଜିକାଲି ତୁମେ ସବୁକଥା ଲୁଚେଇ ଲୁଚେଇ କରୁଛ । ହିରୋ ନା-! କାହିଁକି ଆମକୁ ଜଣେଇବ ? ହଉ ଘରକୁ ଚାଲ ।”

 

ମାଳବିକା ଅଠର ଊଣେଇଶିବର୍ଷର କିଶୋରୀଟିଏ ପରି ହସି ହସି ତା’ ଉପରକୁ ଆଉଜି ଆସୁଥିଲା । ମାତ୍ର ଅନିରୁଦ୍ଧ ଖୁସି ହୋଇପାରୁ ନଥିଲା । ଗୋଟାଏ ବିଷାକ୍ତ ଦଂଶନ ଜ୍ୱାଳାରେ ତା’ର ଦେହ, ମନ ଓ ଆତ୍ମା ଜଳି ଉଠୁଥିଲା ।

☆☆☆

 

ଚୋର

 

ରାତି ପାହିବା ଭଳି ଲାଗୁ ନଥିଲା ।

 

ଜଳନ୍ଧର କଡ଼ ଲେଉଟେଇଲା । କିନ୍ତୁ ପାରିଲା ନାହିଁ । ସାରା ଦେହ ଦରଜ । ପିଠି, ପେଟ ଓ ଦୁଇ ଗୋଡ଼ର ଭଣ୍ଡା ଫାଟିଯାଇଛି । ନୃଶଂସଭାବେ ବାଡ଼େଇଛି ପୁଲିସ ଇନିସ୍‌ପେକ୍ଟର । ପ୍ରଥମେ ରୁଲ୍‌ବାଡ଼ିରେ, ତା’ପରେ ଗୋଟେ ବଡ଼ ବେତରେ ଏବଂ ଶେଷରେ ନିଜ କମରପଟିରେ । ଜଳନ୍ଧର ଗାଲ ଉପରେ ହାତ ବୁଲେଇ ଆଣି ଚିତ୍କାର କରି ଉଠିଲା । ଡାହାଣ କଳ ଓଠ ଫାଟିଯାଇଛି । ଓଠ ଉପରେ ଖୁନ୍ଦାଟି ଦେଇଥିଲା ସବ୍‌–ଇନିସ୍‌ପେକ୍ଟର ମଲ୍ଲିକ । ସେ ତା’ ଇନିସ୍‌ପେକ୍ଟରକୁ ଖୁସି କରିବାପାଇଁ ଜଳନ୍ଧରକୁ ଖୁବ୍‌ ଜୋରରେ ଖୁନ୍ଦାଟାଏ ମାରିଥିଲା । ତା’ ଡାହାଣ ହାତର ମଝିଆ ଆଙ୍ଗୁଳିରେ ଗୋଟେ ବାବାଙ୍କ ଫଟୋ ଥିବା ବଡ଼ ମୁଦିଟାଏ । ସେଇଟା ମୁନିଆ କଣ୍ଟା ଭଳି ଜଳନ୍ଧର ଓଠରେ ପଶିଯାଇ ଫଟେଇ ଦେଇଥିଲା । ଜଳନ୍ଧର ମନେମନେ ଯେତେ ଯେତେ ଅଶ୍ରାବ୍ୟ ଗାଳି ଶିଖିଥିଲା ସବୁ ସେଇ ମଲ୍ଲିକ ସବ୍‌–ଇନିସପେକ୍ଟର ଉଦ୍ଦେଶ୍ୟରେ ଶୁଣେଇ ଦେଇଗଲା । କିନ୍ତୁ ତଥାପି ତା’ ମନ ଶାନ୍ତ ହେଲା ନାହିଁ ।

 

ଜଳନ୍ଧର ମନକୁ ମନ କହିଲା, ‘ଏ ପୁଲିସଗୁଡ଼ାକ ମଣିଷ ନୁହନ୍ତି । ସତ ମିଛ ଯିଏ ଜାଣି ନ ପାରିଲା ସିଏ କି ମଣିଷ ? ନୃଶଂସ କଂସେଇ ।’

 

କେତେବେଳେ ରାତି ପାହିବ କେଜାଣି ?

 

ନାରାୟଣପୁର ଥାନା ହାଜତରେ କାଲି ସଞ୍ଜ ପହରୁ ଅଟକ ଅଛି ଦାଗୀ ଚୋର ଜଳନ୍ଧର-। ଥାନା ଚାରିପଟେ ବୁଦିବୁଦିକିଆ ଜଙ୍ଗଲ । ଶ୍ରାବଣ ବର୍ଷାରେ ବୁଦାଗୁଡ଼ାକ ବଢ଼ିଯାଇଛନ୍ତି ଦୁର୍ନୀତି ପଇସାରେ ଅମଲାଏ ବଢ଼ିଯିବା ପରି । କିନ୍ତୁ ଏଗୁଡ଼ାକ କାଟି ସଫା କରିବାପାଇଁ କାହାର ବେଳ ନାହିଁ । ହାଜତ ଭିତରେ ଲୁହା ଗ୍ରିଲ୍‌ର କବାଟ ଛଡ଼ା ଝରକା ନାହିଁ । ଭିତରଟା ରହଣିଆ ଗନ୍ଧଉଛି-। ସାମ୍ନାପଟେ ଲୁହା ଫାଟକ । ତା’ ଦେହରେ ତାଲା ପଡ଼ିଛି । ଭିତରେ ଚାଳିଶ ୱାଟ୍‌ର ବଲ୍‌ବଟିଏ-

 

ମାଡ଼ ଖାଇ ଖାଇ ଆସାମୀ ଏହି ହାଜତ ଭିତରେ ଝାଡ଼ା ପରିସ୍ରା କରିପକାନ୍ତି । ସେଇ ଗନ୍ଧ ଲାଖିକି ରହେ ହାଜତର ଚଟାଣରେ । ଗୋଟେ ଆସାମୀ ଯାଏଁ, ତା’ପରେ ଆସେ ଆଉ ଗୋଟେ । ତା’ ପଛକୁ ପୁଣି ଗୋଟେ । ବେଳେବେଳେ ଆରପଟ ହାଜତରେ ଜାଗା ନହେଲେ ଏଇ ଅଣଓସାରିଆ ହାଜତରେ ଦି’ ତିନି ଜଣଙ୍କୁ ପୂରେଇ ଦିଆଯାଏ । ତା’ ଭିତରେ ସେମାନେ ଯେମିତି ରହିବାର ରହନ୍ତୁ, ଥାନାବାଲାଙ୍କର ଚିନ୍ତା ନାହିଁ । ସେତେବେଳେ ଆସାମୀଗୁଡ଼ାକ କାନ୍ଥକୁ ଢିରା ଦେଇ ଶୁଅନ୍ତି, ନହେଲେ ବସି ରହନ୍ତି । ପିଠିରେ ମାଡ଼ର ଆଘାତ, ପେଟରେ ଭୋକ, ଆଗରେ ଅନିଶ୍ଚିତ ଭବିଷ୍ୟତ । ତାଙ୍କରି ଦୀର୍ଘଶ୍ୱାସ, ଝାଳ ରକ୍ତ ଆଉ କଷ୍ଟ ହାଜତର ନିର୍ଦ୍ଦୟ କାନ୍ଥକୁ ଆହୁରି ନିର୍ଦ୍ଦୟ କରିଦିଏ ।

 

ଜଳନ୍ଧର ଆଖିକୁ ନିଦ ଆସୁ ନଥିଲା । ତା’ର ଭୟ ହେଉଥିଲା ଏଇ ଅରମାବୁଦା ଭିତରୁ ସାପଟେ ଆସି ଯଦି ହାଜତ ଭିତରେ ପଶିଯାଏ ତାହାହେଲେ ପ୍ରାଣ ରହିବ ନାହିଁ । ସେ ଜାଣେ, ହାଜତର ପଛପଟ କାନ୍ଥ ପ୍ଲାଷ୍ଟର୍ ହୋଇ ନାହିଁ । ମାଙ୍କଡ଼ାପଥର କାନ୍ଥରେ ସାପ ଚଢ଼ିଆସିବା ବିଚିତ୍ର ନୁହେଁ । ଏଠି ଯଦି ସାପ କାମୁଡ଼େ ତାକୁ କେହି ଡାକ୍ତରଖାନା ନେବେ ନାହିଁ । ଗୋଟିଏ ସବ୍‌ଇନିସ୍‌ପେକ୍ଟର ଡ୍ୟୁଟିରେ ଅଛି । ଡ୍ୟୁଟିରେ କ’ଣ, ସିଏ ତା’ର ଅଫିସ୍‌ ଟେବୁଲ ଉପରେ ଶୋଇଛି । ଆଉ ଚାରି ଜଣ କନେଷ୍ଟବଳ । ସମସ୍ତେ ଶୋଇପଡ଼ିଛନ୍ତି ।

 

ସଞ୍ଜବୁଡ଼େ ଦୀନବନ୍ଧୁ ଆସିଥିଲା । ତା’ ପାଖରେ ଅଧଘଣ୍ଟାଏ ଥିଲା । ତାକୁ ବହୁତ ବୁଝେଇଥିଲା । “ଅସଲ କଥାଟି କହିଦେଉନୁ, ଏତେ ମାଡ଼ ଖାଉଛୁ କାହିଁକି ? ସିଆଡ଼େ ତୋ ବୋଉ ଅବସ୍ଥା କହିଲେ ସରିବନି । ତୋତେ ପୁଲିସ ଧରିଆଣିବା ପରଠାରୁ ବୁଢ଼ୀ ପାଟିରେ ପାଣି ଟୋପେ ଦେଇ ନାହିଁ । ଖାଲି ମୁଣ୍ଡ ବାଡ଼ଉଛି ଆଉ କନ୍ଦାକଟା କରୁଛି । ଏ ଦଶା ଦେଖି ଭାଇଭଗାରି ହସୁଛନ୍ତି-। ନାନା କଥା କହୁଛନ୍ତି । ତୁ ପଢ଼ାଶୁଣା ପିଲା । ଏଗୁଡ଼ା କ’ଣ ବୁଝିପାରୁନୁ ?” ଜଳନ୍ଧରକୁ ବୁଝେଇଥିଲା ।

 

ଜଳନ୍ଧର ଦୀନବନ୍ଧୁର ସବୁକଥା ଶୁଣିଥିଲା ଓ ବୁଝିଥିଲା । ଦୀନବନ୍ଧୁ ଓ ସେ ଏକଦା ସାଙ୍ଗ ହୋଇ ଚୋରି କରୁଥିଲେ । ଏବେ ଦୀନବନ୍ଧୁ ସେଇ ବୃତ୍ତିରେ ଅଛି । କିନ୍ତୁ ଆଗ ପରି ଛୋଟମୋଟ ଚୋରି କରୁ ନାହିଁ । ସେ ତା’ର ପିଲା ରଖି ବେପାର ଚଳେଇଛି । କିନ୍ତୁ ପାଞ୍ଚବର୍ଷ ହେଲା ଜଳନ୍ଧର କୌଣସି ଚୋରି କରି ନାହିଁ । ଗୋଟିଏ ବାପର ପୁଅ ସେ । ଥରେ ଛାଡ଼ିଦେଇଛି ମାନେ ଛାଡ଼ି ଦେଇଛି । ଯେଉଁ ରାସ୍ତା ଥରେ ଛାଡ଼ିଦେଇଛି ସେ ରାସ୍ତାକୁ ଆଉ ସେ ଜୀବନସାରା ବୁଲି ଚାହିଁବ ନାହିଁ । ଏଇ କଥାଟିକୁ ସେ ଦୁଇଶହ ଥର ପୁଲିସକୁ କହିସାରିଲାଣି । ମାତ୍ର ପୁଲିସ ତା’ କଥା ଶୁଣୁ ନାହିଁ । ଶୁଣୁଛି ଯଦି ବିଶ୍ୱାସ କରୁ ନାହିଁ ।

 

ଜଳନ୍ଧର ଯେ ଚୋରି ରାସ୍ତା ସମ୍ପୂର୍ଣ୍ଣ ଛାଡ଼ିଦେଇଛି ଏଇଟି ସତ । ଆଜିକି ପାଞ୍ଚବର୍ଷ ତଳେ ଗୋଟାଏ ଘଟଣା ଘଟିଲା, ଯାହାପରେ ଜଳନ୍ଧର ଏ ଚୋରି କାମ ସମ୍ପୂର୍ଣ୍ଣ ଛାଡ଼ିଦେଇ ବାଙ୍ଗାଲୋର ପଳେଇଗଲା । ସେଇଠି ଗୋଟେ ସିକ୍ୟୁରିଟି ସଂସ୍ଥାରେ ସେ କାମ କରୁଛି । ତା’ର କାମ ଚୋର ଜଗିବା । ପ୍ରଥମ ଥର ଚାକିରି ଜାଗାରୁ ଆସିଥିବାବେଳେ ଦୀନବନ୍ଧୁ ସାଙ୍ଗର ନୂଆ ଚେହେରା ଦେଖି ହସିଥିଲା । ଗତକାଲିର ଚୋର, ଆଜିର ଜଗୁଆଳି ! କିନ୍ତୁ ଜଳନ୍ଧର ହସି ନଥିଲା । କହିଥିଲା, ‘ସବୁ ଚୋର ସୁଯୋଗ ପାଇଲେ ପୁଲିସ ହୋଇ ପାରିବେ । କିନ୍ତୁ ସବୁ ପୁଲିସ ଚୋର ହୋଇ ପାରିବେ ନାହିଁ !’

 

: ଚୋର ହେବାଟା କେଉଁ ଭଲ କାମ କି ?–ଦୀନବନ୍ଧୁ ତାକୁ ଥଟ୍ଟା କରିଥିଲା ।

 

: କିନ୍ତୁ ସାହସୀ କାମ । ତୁ ଭୁଲିଯାଉଛୁ ଯେ ଗୋଟେ ଚୋର ପେଟପାଇଁ ତା’ ଜୀବନକୁ ବାଜି ଲଗେଇ ଚୋରି କରେ । ଗୋଟେ ପୁଲିସ ତା’ ଚାକିରିପାଇଁ ଚୋର ଧରେ । ସେଥିରୁ ସେ ଦରମା ପାଏ, ସାବାସି ପାଏ, ମେଡ଼ାଲ୍‌ ପାଏ । ତା’ ସତ୍ତ୍ୱେ ଚୋରମାନେ ବଢ଼ୁଛନ୍ତି, ଚୋରି ବଢ଼ୁଛି । ଚୋରଙ୍କ ପାଖେ ପୁଲିସର ସାଧନ ଥିଲେ, ପୁଲିସ ତାଙ୍କ ଛାଇବି ଛୁଇଁ ପାରନ୍ତା ନାହିଁ ।

 

: କିନ୍ତୁ ଚୋର ସବୁଦିନେ ଚୋର ।

 

: ହଁ, ଚୋର କିନ୍ତୁ ଭିକାରି ନୁହେଁ ।

 

: ତୁ ତୋ ମାଲିକକୁ କହିଥିଲୁ ଯେ ତୁ ଆଗରୁ ଚୋରି କରୁଥିଲୁ !

 

: ହଁ ।

 

: ମିଛ । କେବେ କହି ନଥିବୁ । ଆଖି ଛୁଇଁଲୁ । –ଦୀନବନ୍ଧୁ ଜେରା କରିଥିଲା ।

 

: ମୋ ମାଲିକ ମୋର ସତକଥାରେ ଖୁସି ହେଲେ । ଆଉ ଜାଣିଛୁ, ମୁଁ ଯେଉଁ ଆପାଟ୍‍ମେଣ୍ଟରେ ଜଗୁଛି, ସେଠୁ ଗୋଟିଏବି ଚୋରି ହେଇ ନାହିଁ ।

 

ଦୀନବନ୍ଧୁ ନିରବ ରହିଥିଲା । ଜଳନ୍ଧର ସବୁବେଳେ ଅଲଗା ପ୍ରକାରର ମଣିଷ । ସେ ତା’ର ପିଲାଦିନର ସାଙ୍ଗ, ତଥାପି ତାକୁ ଠିକ୍‌ଭାବେ ସେ ବୁଝିପାରେ ନାହିଁ । ବେଳେବେଳେ ସେ ସାଧାରଣ ଲାଗେ ଆଉ ପାଞ୍ଚ ଦଶ ଜଣଙ୍କ ଭଳି । ଥଟ୍ଟାମଜା କରେ, ହସେ, ଗପେ । କିନ୍ତୁ ଆଉବେଳେ ସେ ଚୁପ୍‌ଚାପ୍‌ ହେଇଯାଏ ଉଇହୁଙ୍କା ପରି । ସେତେବେଳେ ଜଳନ୍ଧରକୁ ଚିହ୍ନିବା କଷ୍ଟକର ହୋଇଯାଏ । ତାକୁ ଚାହିଁବାକୁ ଡର ମାଡ଼େ, ଚିଡ଼େଇବାକୁ ମନ ହୁଏ ନାହିଁ ।

 

ଦୀନବନ୍ଧୁ କହିଛି, ଓକିଲଟେ ଯୋଗାଡ଼ କରି କଚେରିକୁ ଆସିବ । ଥାନାରୁ ତାକୁ ପୁଲିସ ଛାଡ଼ିବ ନାହିଁ । ଛାଡ଼ିବାର ହୋଇଥିଲେ କାଲି ରାତିରେ ଛାଡ଼ି ଦେଇଥାନ୍ତା ।

 

ଜଳନ୍ଧରର ତା’ ବୋଉ କଥା ମନେପଡ଼ିଲା । ପୁଲିସ ତାକୁ ଘରୁ ଧରି ଆଣିବାବେଳେ ତା’ ବୋଉ ସେ କନେଷ୍ଟବଳର ହାତଗୋଡ଼ ଧରି ଯେମିତି ନିଉଛାଳି ହେଉଥିଲା ତାହା ଦେଖି ସେ ରାଗ ଏବଂ ଅସହାୟତାରେ ଥରି ଉଠିଥିଲା । ମନ ହେଉଥିଲା ସେଇ କନେଷ୍ଟବଳଟାକୁ ଗୋଟାଏ ମୁଥରେ ତଳେ ପକେଇ ଦେଇଥାଆନ୍ତା ଓ ତା’ ଛାତି ଉପରେ ବସି ତା’ ପଞ୍ଜରାହାଡ଼ ଭାଙ୍ଗି ଦେଇଥାଆନ୍ତା । ମନବି ହେଉଥିଲା ସେ ତା’ ବୋଉର ହାତ ଧରି ଘର ଭିତରକୁ ଭିଡ଼ି ନେଇ ତାଲା ପକେଇ ଦେଇ ଥାଆନ୍ତା । କିନ୍ତୁ ଦିଇଟି ଭିତରୁ କୌଣସି ଗୋଟିଏ କରି ପାରି ନଥିଲା । ସେ ଚୁପ୍‌ଚାପ୍‌, ବଳିକୁ ଯାଉଥିବା ଛେଳି ପରି ସେ ଜିପ୍‌ରେ ବସି ଥାନାକୁ ଆସିଥିଲା ।

 

କାହିଁକି ସେ ଆସୁଥିଲା ବାଙ୍ଗାଲୋରରୁ କେଜାଣି ? ନା ସେ ଆସିଥାଆନ୍ତା ନା ପୁଲିସ ତାକୁ ଇଞ୍ଜିନିୟର୍ ସାହୁ ଘର ହାରଚୋରି କେସ୍‌ରେ ବାନ୍ଧି ଆଣି ଏଇଠି ଏମିତି ପକେଇଥାନ୍ତା !

 

ନାରାୟଣପୁର ସାହୁ ଘରୁ ଦିଦିନ ତଳେ ଗୋଟାଏ ସୁନା ହାର ଚୋରି ହୋଇଯାଇଥିଲା-। ସେଇଟି ତାଙ୍କ ଝିଅର ସୁନାହାର । ସାହୁଘର ବଡ଼ପୁଅ ଆଗରୁ ପୁଲିସ ବିଭାଗରେ ଚାକିରି କରୁଥିଲେ । ତାଙ୍କ ଘରୁ ସୁନାହାରଟା ଚୋରି ହୋଇଯିବା ଅର୍ଥ ପୁଲିସର ନାକ ତଳୁ ନିଶ ଚୋରି ହୋଇଯିବା ! ଏକଥା ସାହୁଘର ଲୋକେ ଥାନାରେ ଲେଖି ଜଣାଇବା ପରେ ଥାନା ପୁଲିସ ସବୁ କାମ ଛାଡ଼ି ସୁନାହାର ଖୋଜିବା କାମରେ ଲାଗି ପଡ଼ିଥିଲା । ଯୋଗକୁ ଜଳନ୍ଧର ସେତେବେଳେ ଗାଁକୁ ଆସିଥିଲା । ତେଣୁ ତା’ ଘରବି ଖାନ୍‍ତଲାସୀ ହେଲା ।

 

ଜଳନ୍ଧରର ବୋଉ କହିଥିଲା, ‘ମୋ ପୁଅ ଆଉ ସେ ଖରାପ କାମରେ ନାହିଁ । କାହିଁକି ତାକୁ ହଇରାଣ କରୁଛ ?’

 

କିନ୍ତୁ ପୁଲିସ କିଛି ଶୁଣି ନଥିଲା । ଓଲଟି ତା’ ବୋଉକୁ ବିନା କାରଣରେ ‘ବେଧେଇ’ ବୋଲି ଗାଳି ଦେଇଥିଲା । ଘର ଗୋଟାକଯାକ ହନ୍ତାଳି ପକେଇଥିଲା । କିନ୍ତୁ କେଉଁଠୁଁ କିଛି ପାଇ ନଥିଲା । ଜଳନ୍ଧର ଆଶ୍ୱସ୍ତ ହୋଇଥିଲା । ସେ ଜାଣିଥିଲା, ଇଏ ଆଉ କେଉଁ ଚୋରର କାମ । ମିଛଟାରେ ପୁଲିସ ତାକୁ ସନ୍ଦେହ କରୁଛି ।

 

ତାଙ୍କ ଘରୁ ଫେରିବାବେଳକୁ ପୁଲିସ କନେଷ୍ଟବଳ ଜଳନ୍ଧରର ଆଟାଚି ଭିତରୁ ଗୋଟେ ସୁନାହାର ପାଇଥିଲା । ସାଙ୍ଗେ ସାଙ୍ଗେ ସେ ହାରଟା ସାହୁଘର ଲୋକଙ୍କୁ ଦେଖେଇଥିଲା ପୁଲିସ । ସେମାନେ ମନା କରିଥିଲେ, ସେଇଟା ତାଙ୍କ ଘରୁ ଚୋରି ଯାଇଥିବା ହାର ନୁହେଁ । ତାଙ୍କ ଘରୁ ଚୋରି ଯାଇଥିବା ହାରଟା ଏହାଠାରୁ ଓଜନିଆ, ପ୍ରାୟ ଆଠଭରିର ହେବ । ପୁଣି ଏ ହାରରେ ଗୋଟେ ଏସ୍‌ ଇଂରାଜୀ ଅକ୍ଷର ଲେଖାଥିବା ଲକେଟ୍‌ ଝୁଲୁଥିଲା, ଯେଉଁଟା କି ସାହୁଘର ଝିଅର ହାରରେ ନଥିଲା ।

 

ଏତେ କଥା ସତ୍ତ୍ୱେ ଜଳନ୍ଧରକୁ ପୁଲିସ ଛାଡ଼ି ନ ଦେଇ ଥାନାକୁ ବାନ୍ଧି ଆଣିଲା । ପୁଲିସ ପଚାରିଥିଲା, ଏ ହାର ଜଳନ୍ଧର କେଉଁଠୁଁ ଆଣିଲା ? ଜଳନ୍ଧର କହିଲା, ଏଇଟା ତା’ର । ବେଶ୍‌ କିଛି ବର୍ଷ ହେଲା ତା’ ପାଖରେ ଅଛି । ମାତ୍ର ପୁଲିସ ମାନିଲା ନାହିଁ । ତା’ର ଦୃଢ଼ ଧାରଣା ଯେ ଜଳନ୍ଧର ଏବେବି ହାରଚୋରି କାରବାରରେ ଅଛି । ଯେମିତି ଆଉ କେଉଁ ଲୋକର ଚୋରି ହାର ଏଠି ଆଣି ତା’ ଘରେ ରଖିଛି, ସେମିତି ସାହୁଘର ହାରଟାକୁ ନେଇ ସେ ଆଉ କାହା ପାଖରେ ରଖିଥିବ । ଥାନାକୁ ନେଇ ଟାଙ୍କେ ଛେଚିଦେଲେ ବଳେ ସତକଥା ବାହାରି ଆସିବ ।

 

ଜଳନ୍ଧର ପୁଲିସକୁ ଅନୁରୋଧ କଲା । ସେମାନେ ତାକୁ ବିଶ୍ୱାସ କରନ୍ତୁ । ଏ ହାର ସେ ଚୋରି କରି ନାହିଁ ।

 

: ତାହାହେଲେ କ୍ୟାସ୍‌ମେମୋ ଦେଖା । କୋଉଠୁ କିଣିଛୁ କହ ?

 

: କ୍ୟାସ୍‌ମେମୋ... ! ଜଳନ୍ଧର ଆହୁରି ବିକଳ ହୋଇ ପଡ଼ିଥିଲା । ତା’ ପାଖରେ ସୁନାଚେନ୍‌ଟିର କ୍ୟାସ୍‌ମେମୋ ନଥିଲା । ସେ ମୁଣ୍ଡ ତଳକୁ ପୋତି ଠିଆ ହୋଇଥିଲା ।

 

ପୁଲିସ ତାକୁ ଜିପ୍‌ରେ ବସେଇ ଥାନାକୁ ଧରିଆଣିଥିଲା । ଥାନାରେ ପହଞ୍ଚିବା ପରେ ତା’ ଉପରେ ପ୍ରବଳ ମାଡ଼ ହୋଇଥିଲା । ଜଳନ୍ଧରର ଦେହ ହାତ ନୋଳା ଫାଟିଯାଇଥିଲା ।

 

ଜଳନ୍ଧର ପୁଣିଥରେ ଆଖି ମେଲେଇ ଜଳାକବାଟ ଆଡ଼େ ଅନେଇଲା । ନା, ଅନ୍ଧାର ହଟି ନାହିଁ । କେଡ଼େ ଲମ୍ବା ଆଜିର ରାତି ! ପାହିବ ନାହିଁ ନା କ’ଣ ? ନା ମେଘ ଘୋଟେଇଛି ଆକାଶରେ ! କିନ୍ତୁ ମେଘ ଘୋଟେଇଥିଲେ ଥଣ୍ଡା ଲାଗୁଥାନ୍ତା । ଏତେ ଝାଳ ବୋହୁଛି ଯେ ଚିଡ଼ିଚିଡ଼ା ଲାଗୁଛି । ତା’ ସାଙ୍ଗକୁ ଦେହସାରା ଜଳାପୋଡ଼ା ।

 

ଜଳନ୍ଧର ପ୍ରଥମ ଡିଭିଜନ୍‌ରେ ମାଟ୍ରିକ୍‌ ପାସ୍‌ କରିଥିଲା । ତା’ପରେ କଲେଜରେ ପଢ଼ିଥାନ୍ତା । କିନ୍ତୁ ସେ ଯେଉଁ ବର୍ଷ ମାଟ୍ରିକ୍‌ ପାସ୍‌ କଲା, ସେଇ ବର୍ଷ ତା’ର ବାପା ତା’ ମାଆକୁ ଛାଡ଼ି ଗୋଟେ ନର୍ସ ସାଙ୍ଗରେ ପଳେଇଗଲା । ସେ ନର୍ସ କଚେରି ବଜାରରେ ରହୁଥିଲା । ଏ କଥାରେ ତା’ ବୋଉ ଅଧାପାଗଳୀ ହୋଇଗଲା । ଜଳନ୍ଧର ପାଠ ପଢ଼ିବ କ’ଣ ବୋଉର ଚିକିତ୍ସାପାଇଁ ଟଙ୍କା ଯୋଗାଡ଼ରେ ଲାଗିଗଲା । ଏମିତି ଯୋଗାଡ଼ କରୁ କରୁ ସେ ଦିନେ ଚୋର ପାଲଟିଗଲା ।

 

କ୍ରମେ ତା’ ଅଞ୍ଚଳରେ ତା’ର ନାଁ ହୋଇଗଲା । ତା’ ନାଁ ଶୁଣିଲେ ସମସ୍ତେ ହୁସିଆର ହୋଇଗଲେ । ଲୋକମାନେ କୁହାକୁହି ହେଲେ, ଜଳନ୍ଧର ଚୋର ଚାହିଁଲେ ଆଖିରୁ କଜଳ ଚୋରି କରି ନେଇଯିବ, କେହି ଜାଣିପାରିବ ନାହିଁ ।

 

ଏସବୁ ଭାବି ଜଳନ୍ଧର ହସିଲା ।

 

ଅସଲରେ ଚୋର ନୁହେଁ, ଲୋକମାନେହିଁ ଜଣେଇ ଦିଅନ୍ତି ତାଙ୍କର ଟଙ୍କାପଇସା କେଉଁଠି ଅଛି । ଟଙ୍କା ରଖିଥିବା ପକେଟ୍‌ରୁ ଲୋକମାନେ ବରାବର ଛୁଉଁଥାଆନ୍ତି । ଦାମୀ ଜିନିଷକୁ ବରାବର ଅନଉଥାଏ ତା’ ମାଲିକ । ଲୋକଙ୍କ ଭାବଭଙ୍ଗୀରୁ ସେମାନଙ୍କ ପାଖେ କ’ଣ ଅଛି ଜଳନ୍ଧର ଜାଣିନିଏ । ତା’ପରେ ସୁବିଧା ଦେଖି ସେ ହାତସଫେଇ କରିନିଏ ।

 

କିନ୍ତୁ ସେସବୁ ପୁରୁଣା ଦିନର କଥା ।

 

ଏହି ପାଞ୍ଚବର୍ଷ ଭିତରେ ସେ କାହାଠାରୁ କିଛି ଚୋରି କରି ନାହିଁ । ଏଥିପାଇଁ ତାକୁ ବହୁତ କଷ୍ଟ ହେଇଛି । ମାତ୍ର ସେ ମନ ବଦଳେଇ ନାହିଁ । ଚୋରି ଛାଡ଼ିବା ପରେ ସେ ଚାରିଆଡ଼େ ବୁଲି କାମ ଖୋଜିଥିଲା । କିନ୍ତୁ ତା’ର ଦୁର୍ନାମ ଯୋଗୁଁ ଭଦ୍ରକ ଅଞ୍ଚଳରେ କେହି ଜଣେ ହେଲେ ତାକୁ କାମଟାଏ ଦେଲେ ନାହିଁ । ସେ ବହୁତ ଆଡ଼େ ଖୋଜିଲା । କହିଲା, ମୁଁ ଆଉ ଚୋରି କରୁ ନାହିଁ । କାମ କରି ପେଟ ପୋଷିବାକୁ ଚାହୁଁଛି । ମୋତେ କାମ ଦିଅ । ମାତ୍ର କେହି ତା’ କଥା ବିଶ୍ୱାସ କରି ନାହାନ୍ତି । କାମଟେ ଦେବେ ବୋଲି ଆଶା ଦେଇ ତା’ଠାରୁ ପୁରୁଣା ଚୋରିର ବୃତ୍ତାନ୍ତ ଶୁଣିଛନ୍ତି । ସତେକି ସେ ଗୋଟେ ମନୋରଞ୍ଜନର ସାମଗ୍ରୀ । ବାଧ୍ୟହୋଇ ଜଳନ୍ଧର ବାଙ୍ଗାଲୋର ପଳେଇଲା । ଏଠି ଯଦି କାମଟେ ମିଳିଥାନ୍ତା, ଏକଲା ବୁଢ଼ୀମାକୁ ଛାଡ଼ି ସେ ଏତେଦୂର ଯାଇ ନଥାନ୍ତା ।

 

ଜଳନ୍ଧର ନିଜ କଥା ଭାବି ହେଉଥିଲା ।

ଏବେ ତାକୁ ପଇଁତିରିଶ ପୂରିବ । ତା’ ସାଙ୍ଗସାଥୀ, ସମବୟସ୍କମାନେ ସମସ୍ତେ ଘରସଂସାର କଲେଣି । ଦୀନବନ୍ଧୁରବି ଦିଇଟି ପିଲା । ମାତ୍ର ଜଳନ୍ଧର ବାହା ହୋଇ ନାହିଁ । ଏ ଅଞ୍ଚଳରେ କେଉଁ ଝିଅ ତାକୁ ବାହା ହେବାକୁ ମନ କରିବ ?

କିନ୍ତୁ ଜଣେ ମନ କରିଥିଲା । ସବୁ ଜାଣିଶୁଣିବି ସେ ଜଳନ୍ଧରକୁ ପ୍ରଶଂସା କରୁଥିଲା । କହୁଥିଲା ସତକୁ ନେଇ ବଞ୍ଚୁଥିବା ମଣିଷଙ୍କ ସଂଖ୍ୟା ଦୁନିଆରେ ବେଶି ନୁହେଁ । ସତ ଚୋରର ଜୀବନ ମିଛ ସାଧୁର ଜୀବନଠାରୁ ଢେର୍‌ ଭଲ । କିନ୍ତୁ ଜଳନ୍ଧର ତା’ କଥାକୁ ବାଆଁରେଇ ଦେଇଥିଲା-। ଜୀବନ କ’ଣ ତିନି ଘଣ୍ଟାର ସିନେମା ଯେ ଏମିତି କଅଁଳ କଅଁଳ କଥାରେ ବିତିଯିବ ?

ଟେବୁଲ ଉପରେ ମୁଣ୍ଡ ଥୋଇ ଶୋଇପଡ଼ିଥିବା କନେଷ୍ଟବଳଟି ଭିଡ଼ିମୋଡ଼ି ହେଲା । ତା’ ନିଦ ଭାଙ୍ଗିଯାଇଥିଲା ବୋଧହୁଏ । ଉଠିଲା ଏବଂ କମରପଟି ସଜାଡ଼ିଲା । ହାଇ ମାରିଲା ଓ ଏକଡ଼ ସେକଡ଼ ଚାହିଁଲା । ଜଳନ୍ଧର ହସିଲା । ଏତିକି ସମୟ ଭିତରେ ସେ ଚାହିଁଥିଲେ ଏଠୁ ପଳେଇ ଯାଇ ସାରନ୍ତାଣି । କନେଷ୍ଟବଳଟି ଅଫିସ୍‌ ଘରକୁ ଗଲା ଓ ଫେରି ଆସିଲା । ରାତି ଡ୍ୟୁଟି ସବ୍‌-ଇନିସ୍‌ପେକ୍ଟର ଘୁଙ୍ଗୁଡ଼ି ମାରି ଶୋଇଛି । ଜଳନ୍ଧର କନେଷ୍ଟବଳକୁ ଡାକିଲା, “ହେ ଭାଇ ! ଟିକେ ଦରଜା ଖୋଲ, ପାସ୍‌ ଯିବା ।”

କନେଷ୍ଟବଳଟି ଫେରିଆସିଲା ଏବଂ କହିଲା, “ବେଲିଙ୍ଗି କାଢ଼ୁନୁ ତ ! ସକାଳୁ ସକାଳୁ ଯଦି ପେଖନା କାଢ଼ୁ, ତୋ ବଳାଗଣ୍ଠି ଛେଚିଦେବି ।”

ସକାଳୁ ସକାଳୁ କି ସମ୍ଭାଷଣ ! ଏମିତିବି ଦିନ ଆରମ୍ଭ ହେବାର ଥିଲା ! ଜଳନ୍ଧର ମନକୁ ମନ କହିଲା ଏବଂ ବାହାରକୁ ଗୋଡ଼ ବଢ଼େଇଲା ।

“ରହ, ସେମିତି ଯାଉଛୁ କ’ଣ ? ହାତରେ ବେଡ଼ି ପକାଏ । ନହେଲେ ଝାଡ଼ା, ପରିସ୍ରା ଯିବା ନାଁରେ ତୁ ଦଉଡ଼ି ପଳେଇଲେ ମୁଁ ଏଠି ବନ୍ଧା ହେବି ।” କନେଷ୍ଟବଳଟି କହିଲା ଓ ଜଳନ୍ଧର ହାତରେ ହାତକଡ଼ି ପକାଇଲା ।

 

ଦି’ କଡ଼େ ଲମ୍ବା ଟେବୁଲ । ଟେବୁଲ ଉପରେ ଫାଇଲ୍‍ପତ୍ର । ଅଧା ଫାଇଲ୍‍ପତ୍ର ଚିରା ଏବଂ ଅସଜଡ଼ା । କାନ୍ଥ ଦେହରେ ଅଳନ୍ଧୁ, ବୁଢ଼ିଆଣୀ ବସା । ଥାନାଟା ଗୋଟେ ପରିତ୍ୟକ୍ତ ଗୁହାଳ ଭଳି ଜଳନ୍ଧରକୁ ଦିଶୁଥିଲା ।

 

ସେ କାମ ସାରି ହାଜତ ଭିତରକୁ ଫେରି ଆସିଲା ।

 

ଦିନ ଦଶଟାବେଳକୁ ତାକୁ କଚେରିକୁ ନିଆଯିବାର ଥିଲା । ସେ ହାଜତ ଫାଟକ ଦେହରେ ଝୁଲିଥିବା ବ୍ୟାନିୟନ୍‌ ଖଣ୍ଡକ ପିନ୍ଧି ପକେଇଲା । ହାତ ଟେକିବାବେଳକୁ ପୁଣି କଷ୍ଟ ହେଲା-। ଗୋଡ଼ କି ହାତ ଉଠେଇବାବେଳକୁ ଭୀଷଣ ଦରଜ ହେଉଥିଲା ।

 

ଜଳନ୍ଧର ଭାବିଲା, କେଉଁ ଜୀବନଟା ଭଲ ? ପୂର୍ବର ଚୋର ଜୀବନ ନା ଏବକାର ଏଇ ଜୀବନ ? ଆଗରୁ ତା’ ପାଖରେ ସବୁବେଳେ କଞ୍ଚାପଇସା ରହୁଥିଲା । ସେଇଥିରୁ ସେ ଘରକୁ ଦେଉଥିଲା ଓ ପୁଲିସକୁ । ବାକି ପଇସା ନିଜେ ଖର୍ଚ୍ଚ କରୁଥିଲା ଏବେ ତା’ ପାଖରେ ପଇସା ନାହିଁ କି ପୁଲିସଙ୍କ ସାଙ୍ଗେ ସମ୍ପର୍କବି ନାହିଁ ।

 

ଥାନା ଆଗରେ ଜିପ୍‌ ରହିବାର ଶବ୍ଦ ଶୁଭିଲା । ତା’ପରେ ଜୋତା ମଚମଚ ଶବ୍ଦ । ଇନିସ୍‌ପେକ୍ଟର ଆସିଲେ । ଜଳନ୍ଧର ଜାଣିଶୁଣି ନଜର ହଟେଇ ଆଣିଲା । କିନ୍ତୁ ତାଙ୍କ ପଛରେ ଆର ଜଣକ କିଏ ? ଇଏ ତ ସାହୁବାବୁର ସାନପୁଅ ।

 

ଇନିସ୍‌ପେକ୍ଟର ଆସୁ ଆସୁ ଡାକ ପକେଇଲା, “ଜଳନ୍ଧରକୁ ବାହାର କର ।”

 

ଜଳନ୍ଧର ଡରିଗଲା । ଥାନା ଇନିସ୍‌ପେକ୍ଟର କଥା ତାକୁ କର୍କଶ ଶୁଭୁଥିଲା । ସେ ଜାଣିପାରିଲା ଯେ ସେ ତା’ ଉପରେ ଖୁବ୍‌ ରାଗିଛି ।

 

ସାହୁବାବୁର ସାନପୁଅ ଅଭିମାନ ଭରା ଗଳାରେ କହିଲା, “ଆପଣଙ୍କ ପରି ରାଜ୍ୟପାଳ ମେଡ଼ାଲ ପାଇଥିବା ପୁଲିସ ଅଫିସର ଥାଉଁଥାଉଁ ଗୋଟାଏ ସୁନାଚେନ୍‌ ଚୋରି ଧରାପଡ଼ୁ ନାହିଁ । ଏଥିରେ ଆପଣଙ୍କ ଥାନା ଉପରେ ଲୋକଙ୍କ ଭରସା ରହିବ ତ !”

 

: ମୁଁ ଦୁଃଖିତ ନରୋତ୍ତମବାବୁ । କିନ୍ତୁ ଏଇଟା ଗୋଟେ ହାର୍ଡ଼କୋର୍‌ କ୍ରିମିନାଲ୍‌ ।

 

: ଆପଣବି ତ ହାର୍ଡ଼କୋର୍‌ ପୁଲିସ ।

 

: ଆବେ ଆଣ୍‌ ଶଳାକୁ–ଇନିସ୍‌ପେକ୍ଟର ଗର୍ଜି ଉଠିଲା ।

 

ଜଳନ୍ଧର ଆସି ତାଙ୍କ ଟେବୁଲ ପାଖରେ ଛିଡ଼ାହେଲା । ଇନିସ୍‌ପେକ୍ଟର ନିଜ ଜାଗାରେ ଠିଆହୋଇ ଜଳନ୍ଧରର ଅଣ୍ଟାକୁ ମାଇଲା ଶକ୍ତ ଠିଆ ଗୋଇଠାଟାଏ । ଜଳନ୍ଧର କାନ୍ଥ ଉପରେ ଅଜାଡ଼ିପଡ଼ିଲା । ତା’ ହାତ ବାଜି ଟେବୁଲ ଉପରୁ ଫାଇଲ୍‍ଗୁଡ଼ାକ ଖସିପଡ଼ିଲା ।

 

ସେ ବିକଳରେ କ’ଣ କହିଆସୁଥିଲା । ଇନିସ୍‌ପେକ୍ଟର ଟେବୁଲ ଉପରୁ ନିଜ ବାଡ଼ିଟି ଉଠେଇ ପାହାର ଉପରେ ପାହାର କଷି ଦେଇଗଲା । ଜଳନ୍ଧର ଅଚେତ ହୋଇପଡ଼ିଲା ।

 

: ତା’ ଉପରେ ଆଣି ପାଣି ଛାଟ୍‌ବେ । ଶଳା, ହ୍ୟୁମାନ୍‌ ରାଇଟ୍‌ସ କମିଶନ ତ ଆମ ହାତ ବାନ୍ଧି ଦେଇଛି । ନହେଲେ ତା’ ପେଟରୁ କଥା ନ ବାହାରି କୁଆଡ଼େ ଯାଆନ୍ତା । ଇନିସ୍‌ପେକ୍ଟର ଧଇଁସଇଁ ହୋଇ ପଡ଼ିଥିଲା । ସେ ଚୌକିରେ ବସି ପଡ଼ିଲା ।

 

ସାହୁବାବୁର ସାନପୁଅ ଉତ୍ସାହିତ ଦିଶୁଥିଲା । ଆଖିରେ ଆଖିରେ ପ୍ରଶଂସାରେ ପୋତି ପକଉଥିଲା ଇନିସ୍‌ପେକ୍ଟରକୁ ।

 

ଦୀନବନ୍ଧୁ ଆସି ବାରନ୍ଦା ବେଞ୍ଚ୍‍ରେ ବସିଥିଲା । ଜଳନ୍ଧରର ଏ ଦୁର୍ଦ୍ଦଶା ଦେଖି ସେ ସହିପାରୁ ନଥିଲା । କିନ୍ତୁ ସେ ବା କରିବ କ’ଣ ? ପୁଲିସ ସାଙ୍ଗରେ କଳି କଲେ ଫଳ ଆହୁରି ଖରାପ ହେବ । ହୁଏତ କୋଉ ପୁରୁଣା ମାମଲାରେ ତାକୁବି ବାନ୍ଧିପକେଇବେ ।

 

ଦିନ ବାରଟା ପାଖାପାଖି ସେମାନେ କୋଟ୍‍କୁ ବାହାରିଲେ । ଦୀନବନ୍ଧୁ ଆଗେଆଗେ ଯିବ ବୋଲି ବାହାରିଲା । ଜଳନ୍ଧରର ଦେହ ହାତ ନୋଳା ଫାଟିଯାଇଥିଲା । ସେ ଦିଶୁଥିଲା ଜିଅନ୍ତା ମୁର୍ଦ୍ଦାର ପରି ।

 

ଦୀନବନ୍ଧୁ ତା’ କାନ୍ଧରେ ହାତ ରଖିଲା । ତା’ ରକ୍ତ ପୋଛିଦେଲା । କହିଲା, “ମୁଁ ଜାଣିଛି, ସେ ହାର ତୋତେ କିଏ ଦେଇଛି । ତା’ ନାଆଁ କହିଦେଉନୁ କାହିଁକି ? ପରପାଇଁ ନିଜେ କାହିଁକି ଏତେ କଷ୍ଟ ଭୋଗୁଛୁ ? ତା’ର ଯାହା ହେବ ହେଉ । ସିଏ ତ ତୋ କଥା ଭାବିଲା ନାହିଁ ? ତୁ କାହିଁକି ତା’ କଥା ଭାବି ହଉଛୁ ?”

 

ଜଳନ୍ଧରର ଓଠରେ କ୍ଷୀଣ ହସଟିଏ ଖେଳିଗଲା । ବଡ଼ କଷ୍ଟରେ ସେ କହିଲା, “ପୁଲିସ ଆଉ ଅଧିକା କ’ଣ କରିବ ? ଗୋଡ଼ଟା ଭାଙ୍ଗିଦେଇଛି । ହାତ ଭାଙ୍ଗିଦେବ । ତା’ପରେ ହୁଏତ ମେରୁ ହାଡ଼ । ଏସବୁ ମୁଁ ସହିନେବି । କିନ୍ତୁ ମୋର ପଦେ କଥାରେ ତା’ର ଘରକରଣା ଭାଙ୍ଗିଯିବ । ସେକଥା କ’ଣ ମୁଁ ସହିପାରିବି ?”

 

: କିନ୍ତୁ କାହିଁକି ? କାହିଁକି ଏତେ କଷ୍ଟ ପାଇବୁ ?

 

: କଥା ଦେଇଛି ଦୀନବନ୍ଧୁ । ଏ ଜନ୍ମରେ ତା’ କଥା କାହାକୁ କହିବି ନାହିଁ ।

 

ଦୀନବନ୍ଧୁ ନିରୁତ୍ତର ହୋଇ ଛିଡ଼ା ହୋଇଥିଲା । ପଛକୁ ବୁଲିପଡ଼ିବାବେଳକୁ ଦେଖିଲା ଇନିସ୍‌ପେକ୍ଟର ଛିଡ଼ା ହେଇ ତାଙ୍କ କଥା ଶୁଣୁଥିଲା । ସେ ଜଳନ୍ଧରକୁ ଅନେଇଲା ।

 

ଜଳନ୍ଧର ଜିପ୍‌ର ପଛ ସିଟ୍‌ରେ ବସି କ’ଣ ଭାବୁଥିଲା । ଦୀନବନ୍ଧୁ ଅନୁମାନ କରୁଥିଲା, ଜଳନ୍ଧର ପାଞ୍ଚବର୍ଷ ତଳର ଗୋଟେ ଜହ୍ନରାତି ପାଖରେ ଅଟକି ଯାଇଥିଲା ।

☆☆☆

 

Unknown

ଖୋଳପା

 

ଡାକ୍ତର ଜେନା କହିଲେ, “ବ୍ଲଡ଼୍ ପ୍ରେସର୍ ଟିକିଏ ବଢ଼ିଯାଇଛି । ବ୍ୟସ୍ତ ହୁଅନ୍ତୁ ନାହିଁ, ଏଇ ଔଷଧଗୁଡ଼ିକ ମଗେଇ ଦିଅନ୍ତୁ । ମୁଁ କାଲି କ୍ଲିନିକ୍‌ରୁ ଫେରିବା ବାଟରେ ଆଉଥରେ ଚେକ୍‌ଅପ୍‌ କରିନେବି । ବେଶି ଅସୁବିଧା ହେଲେ, ମୋ ଫୋନ୍‌ ନମ୍ବର ତ ଆପଣଙ୍କ ପାଖରେ ଅଛି ।”

 

ସଂଜୟ ଟିକେ ନିଶ୍ଚିନ୍ତ ହେଲା । ଡାକ୍ତର ଜେନା ଆସିଲେ ବୋଲି ସିନା, ନହେଲେ ସେ କଦାପି ବାପାଙ୍କୁ ତାଙ୍କ କ୍ଲିନିକ୍‌ କି ଡାକ୍ତରଖାନା ପର୍ଯ୍ୟନ୍ତ ନେଇପାରି ନଥାନ୍ତା । ବାପା ଓଜନିଆ ମଣିଷ । ତାଙ୍କୁ ଉଠେଇ ଗାଡ଼ିରେ ବସେଇବା ପାଇଁ ଆଉ ଜଣେ ଦରକାର । ସେ କୃତଜ୍ଞତାର ସ୍ୱରରେ କହିଲା, “ଆପଣଙ୍କୁ ଅଶେଷ ଧନ୍ୟବାଦ । ନହେଲେ ମୁଁ ଯେ କ’ଣ କରିଥାନ୍ତି ! ଏଠିକି ଜମା ମାସେ ହେଲା ଆମେ ଆସିଛୁ । କେହି ଚିହ୍ନା ପରିଚୟ ନାହାନ୍ତି । ତା’ଛଡ଼ା ଏ ସହର ବଜାରରେ କିଏ କାହା କଥା ବୁଝୁଛି ?”

 

ଡାକ୍ତର ଜେନା ସଂଜୟର କଥାକୁ ସମର୍ଥନ କଲା ପରି କହିଲେ, “ମୁଁ ଆପଣଙ୍କର ସମସ୍ୟା ବୁଝୁଛି । ଏବେ ସହର କ’ଣ, ଗାଁ ଗଣ୍ଡାରେବି ସେଇ ଅବସ୍ଥା ହେଲାଣି । ଆଗେ କେହି ଜଣେ ଅସୁସ୍ଥ ହୋଇପଡ଼ିଲେ ଲୋକେ ଖଟିଆରେ କାନ୍ଧେଇ ମାଇଲ ମାଇଲ ଦୂର ଡାକ୍ତରଖାନା ଆଣୁଥିଲେ । ଏବେ ରାସ୍ତା ଓ ଗାଡ଼ି ବ୍ୟବସ୍ଥା ହେଲାଣି । କିନ୍ତୁ, ଆଗର ଆନ୍ତରିକତା ନାହିଁ । ସହର କଥା ତ ନ କହିଲେ ଭଲ । ଏଠି ସମସ୍ତଙ୍କର ଗୋଟେ ଗୋଟେ ଛୁଆ–ଯେଉଁମାନେ ପିଲାଦିନୁ ଆଉ କାହା ସାଙ୍ଗେ ବାଣ୍ଟିବା କଥାଟି ଜାଣିଲେ ନାହିଁ । ବଡ଼ ହେଲେ ସେମାନେ ଆତ୍ମକୈନ୍ଦ୍ରିକ ହେବା ସ୍ୱାଭାବିକ ।”

 

ଆତ୍ମକୈନ୍ଦ୍ରିକ ! ଡାକ୍ତର ଜେନାଙ୍କର ଏଇ ଶବ୍ଦଟା ସଂଜୟକୁ ଟିକିଏ ଗମ୍ଭୀର କରିଦେଲା-। ସେ କହିଲା, “ହଁ, ଆପଣଙ୍କ କଥା ଠିକ୍‌ । ଖାଲି ଧନବଳ କି ମନବଳ ନୁହେଁ, ଜନବଳବି ଦରକାର-। ବିଶେଷକରି ଏଇ ରୋଗବଇରାଗ ମାମଲାରେ ।”

 

ଡାକ୍ତର ଜେନା ଯିବାକୁ ତରତର ହେଉଥିଲେ । ତାଙ୍କର କ୍ଲିନିକ୍‌ ଯିବାର ସମୟ ହୋଇଗଲାଣି । ସରକାରୀ ଡାକ୍ତର, ସକାଳେ ସନ୍ଧ୍ୟାରେ ପୁଣି ତିନିଟି କ୍ଲିନିକ୍‌ ଓ ଗୋଟିଏ ନର୍ସିଂହୋମ୍‌ ଯାଆନ୍ତି । ତାଙ୍କୁ ସହଜରେ ପାଇବା କଷ୍ଟ । ସଂଜୟ ତାଙ୍କର ବ୍ୟସ୍ତତା ଜାଣିଛି । ସେ ଗେଟ୍‌ ପର୍ଯ୍ୟନ୍ତ ବଳେଇ ଦେବାକୁ ଉଠିଲା । ତା’ ସ୍ତ୍ରୀ ରେଣୁ ବାପାଙ୍କ ପାଖରେ ବସିଥାଏ । ବାପା ଔଷଧ–ନିଦରେ ଶୋଇଥାଆନ୍ତି ।

 

ଡାକ୍ତର ଜେନାଙ୍କ ଗାଡ଼ିଟି ଛକମୋଡ଼ରେ ଥିଲା । ସଂଜୟର ଘର ପାଖରେ ଗାଡ଼ି ବୁଲେଇବା କଷ୍ଟ ହେଉଥିବାରୁ ସେ ସେଇଠି ଗାଡ଼ିଟି ରଖିଥିଲେ । ଦିହେଁ ଗେଟ୍‌ ବାହାରକୁ ଆସିଛନ୍ତି, ଦେଖିଲେ ବୁଢ଼ାଲୋକଟି ଛିଡ଼ା ହୋଇ ଶୀତରେ ଥରୁଛି । ପୌଷମାସର ହାଡ଼ଥରା ଶୀତ-। ସେମାନେ ବୁଢ଼ାଠୁ ବୟସରେ କମ୍‌ ହୋଇ ସୁଦ୍ଧା ସ୍ୱେଟର ଓ ବ୍ଲେଜର୍‌ ପିନ୍ଧିଛନ୍ତି, ମାତ୍ର ଲୋଚାକୋଚା ବୁଢ଼ାଲୋକଟି ପିନ୍ଧିଛି ଖଣ୍ଡିଏ ଆଣ୍ଠୁଲୁଚା ଗାମୁଛା ଓ ଖଣ୍ଡିଏ ଚିରାଫଟା ସୂତା ଚାଦର-। ମୁହଁର ଦାଢ଼ିବି ବଢ଼ି ଯାଇଛି, ମୁଣ୍ଡ ଚନ୍ଦା । ଡାହାଣ ପାଦଟି ପକ୍ଷାଘାତ ପୀଡ଼ିତ । ସେଥିପାଇଁ ସେ ବଡ଼ କଷ୍ଟରେ ବାଟ ଚାଲୁଥାଏ । ସଂଜୟ ଏବଂ ଡାକ୍ତରଙ୍କୁ ଦେଖି ସେ ଟିକିଏ ଆଡ଼େଇ ଗଲା-। ସଂଜୟ ଜାଣିଲା ଭିକାରିଟିଏ ।

 

ସେ ରୁକ୍ଷ ଗଳାରେ କହିଲା, “କିଛି ନାହିଁ, ଆଗକୁ ଯାଅ ।” ତା’ପରେ ଡାକ୍ତର ଜେନାଙ୍କୁ ଶୁଣେଇ ଶୁଣେଇ କହିଲା, “ସକାଳେ ସଞ୍ଜେ ଚବିଶିଘଣ୍ଟା ଏଠି ଭିକାରି । କେତେ କାହାକୁ ଦେବ !”

 

ଡାକ୍ତର ଜେନା କିଛି କହି ଆସୁଥିଲେ । ମାତ୍ର ସେ ବୁଢ଼ା ଲୋକଟି ପାକୁଆ ପାଟିରେ କହିଲା, “ମୁଁ ଭିକାରି ନୁହେଁ । ମୁଁ ସନା ବେହେରା ।”

 

: ଭିକାରି ନୁହ ! ତାହାହେଲେ ଏଠି କି କାମ ? ଯାଅ, ପରେ ଆସିବ । –ସଂଜୟ ପୂର୍ବପରି ଉଷ୍ଣ ଗଳାରେ କହିଲା ।

 

: ଡାକ୍ତର ଆସିଛନ୍ତି ବୋଲି ଖବର ପାଇ ଆସିଛି । ମୋତେ ଦି’ ପାନ ଓଷଦ ଦିଅନ୍ତ ନେଇଁ ଡାକ୍ତରବାବୁ? –ସନା ବେହେରା ବଡ଼ ବିକଳରେ ମାଗୁଥିଲା, ଯେମିତି ପାଣି ମୁନ୍ଦାଏପାଇଁ ଶୋଷିଲା ଲୋକ ମାଗେ, ଭାତ ମୁଠାଏପାଇଁ ଭୋକିଲା ଲୋକ ମାଗେ । ତା’ ଚେହେରାରେ ସେଇ ଅବସନ୍ନତା ଓ କ୍ଳାନ୍ତି ଲାଖି ରହିଥିଲା ଯେଉଁ ଚେହେରା ମାଇଲ ମାଇଲ ଦୂର ଚାଲି ଚାଲି ଆସିଥିବା ମଣିଷର ଚେହେରାରେ ଥାଏ । ସଂଜୟ ସନା ବେହେରାର ଗୋଡ଼ ଦୁଇଟିକୁ ଚାହିଁଲା । ଶୀର୍ଣ୍ଣ ଓ ଶିରାଳ, ତହିଁରେ ସତେ କି ଜୀବନ ନାହିଁ ! ସେଥିମଧ୍ୟରୁ ଗୋଟିଏ ପୁଣି ବୁଢ଼ାକୁ ଅସହଯୋଗ କରୁଛି । ଏ ସବୁ ଚିନ୍ତା କରି ସେ ମୁହୂର୍ତ୍ତକ ଲାଗି ଟିକିଏ ସହାନୁଭୂତିଶୀଳ ହୋଇପଡ଼ିଲା । କିନ୍ତୁ ପର ମୁହୂର୍ତ୍ତରେ ଡାକ୍ତର ଜେନାଙ୍କୁ ଅସ୍ୱସ୍ତିରୁ ମୁକୁଳେଇବା ଲାଗି ବୁଢ଼ାକୁ କହିଲା, “ଏଠି କ’ଣ ଏମିତି ବାଟରେ ଘାଟରେ ରୋଗୀ ଦେଖାଯାଏ ? ତୁମେ ତାଙ୍କ କ୍ଲିନିକ୍‌କୁ ଯିବ ନା !”

 

ସନା ବେହେରା କିନ୍ତୁ ଏସବୁ ଯୁକ୍ତି ଶୁଣିବା ଲାଗି ପ୍ରସ୍ତୁତ ନଥିଲା । ତା’ ଆଖି ଆଗରେ ବଡ଼ ଡାକ୍ତର । ସିଏ ତା’ର ରୋଗ ଭଲ କରିଦେବେ । ସେ ଏଇ ଅଖଞ୍ଜ ଗୋଡ଼ ନେଇ ଡାକ୍ତରଖାନା କି ନର୍ସିଂହୋମ୍‌ କୁଆଡ଼େ ଯାଇପାରିବ ନାହିଁ । ହାତ ଲମ୍ବେଇ ଦଇନି ହେବା ଭଙ୍ଗୀରେ ସେ କହିଲା, “ନାଇଁ, ନାଇଁ, ମୋତେ ଗୋଟେ ଓଷଦ ଦେଇଯାଅ । ଏ ନିଆଁଲଗା ଜୀବନ ରହୁ ନାହିଁ କି ଯାଉ ନାହିଁ । ଭାରି କଷ୍ଟ ଦଉଛି । ତିନିଦିନ ହେଲା ପାଣି ଟୋପେ ପିଇପାରୁ ନାହିଁ । ପେଟ ଭିତରୁ ହାକୁଟି ବାହାରୁଚି । ପେଟ ବଥଉଛି । ପ୍ରାଣ ଛାଡ଼ିଗଲା ପରି ଲାଗୁଛି । ସବୁବେଳେ ଧଇଁ ପେଲୁଛି ।”

 

ସଂଜୟ ଆଉ କିଛି କହିବାକୁ ଯାଉଥିଲା କିନ୍ତୁ ଡାକ୍ତର ଜେନା ତାକୁ ବାରଣ କଲେ । ସେ ବୁଝିଯାଇଥିଲେ ଯେ ସନା ବେହେରା ସେମିତି ତାଙ୍କୁ ଛାଡ଼ିବ ନାହିଁ । ସେ ତାଙ୍କ ବ୍ରିଫ୍‌କେଶ୍‌ ଖୋଲିଲେ ଓ ଦୁଇଟି କ୍ୟାପ୍‌ସୁଲ ବାହାର କରି ସନା ବେହେରା ହାତରେ ଧରେଇଦେଲେ । କହିଲେ, “ନିଅ, ଏଇ ଔଷଧ ଖାଅ । ଭଲ ହୋଇଯିବ ।” ସନା ବେହେରା ପରମ ଆନନ୍ଦରେ କ୍ୟାପ୍‌ସୁଲ ଦିଇଟିକୁ ନେଲା ଓ ବାଟରୁ ହଟିଗଲା । ଡାକ୍ତର ଜେନା ତାଙ୍କ ଗାଡ଼ି ପାଖକୁ ଗଲେ ।

 

ସଂଜୟ କହିଲା, “ବୁଢ଼ା ତ ରୋଗର ଗୋଟେ ବୁଜୁଳା । ଶ୍ୱାସପାଇଁ ଔଷଧ ଦେଲେ କି-?”

 

ଡାକ୍ତର ଜେନା ଟିକିଏ ହସିଲେ । କହିଲେ, “ଏଭଳି ପରିସ୍ଥିତି ଲାଗି ଆମେ ପ୍ରସ୍ତୁତ ଥାଉ-। ସେ ଦିଇଟା ଭିଟାମିନ୍‌ କ୍ୟାପ୍‌ସୁଲ ।”

 

ସଂଜୟ ଖୁସି ହେଲା । ସନା ବେହେରା ତା’ର ପ୍ରତିଦ୍ୱନ୍ଦ୍ୱୀ ନୁହେଁ ସତ, କିନ୍ତୁ ସିଏ ନିଜର ପଦବି, ଶ୍ରମ ଓ ସମୟ ବଳରେ ଯେଉଁ ସୁବିଧା ପାଇଲା, ସେଇ ସୁବିଧା ସନା ବେହେରା ଟିକିଏ ଆକୁଳବିକଳ ହୋଇ ପାଇଯାଉ–ଏକଥା ସେ ଚାହୁଁ ନଥିଲା । ଗାଡ଼ି ପାଖରେ ଛିଡ଼ାହୋଇ ଦିହେଁ ସନା ବେହେରାକୁ ଚାହିଁ ଦେଖିଲେ, ସଞ୍ଜ ଅନ୍ଧାରରେ ସୁଦ୍ଧା ବୁଢ଼ାର ଉଲ୍ଲାସ ଲୁଚିପାରୁ ନଥିଲା । ସତେ ଯେମିତି ସେ ମହୌଷଧି ପାଇଯାଇଥିଲା !

 

ଡାକ୍ତର ଜେନାଙ୍କ ଗାଡ଼ି ଚାଲିଗଲା । ସଂଜୟ ଫେରିଆସି ନିଜ ଘରର ଫାଟକ ବନ୍ଦ କରିବାକୁ ଯାଉଥିଲା, ସନା ବେହେରା ପଚାରିଲା, “ଡାକ୍ତରବାବୁ ଆଉ କୋଉ ଦିନ ଆସିବେ ?”

 

: ଶନିବାର–କହି ଆସୁଥିଲା ସଂଜୟ, କିନ୍ତୁ ନିରବ ରହିଲା । ଭାବିଲା ବୁଢ଼ା ନିଜ ଗୋଡ଼ ପାଖରେ ଗୋଟେ ସ୍ୱାସ୍ଥ୍ୟସେବା ପାଇଗଲା ପରି ଭାବୁଛି ବୋଧହୁଏ । ସେ ବିରକ୍ତ ହୋଇ କହିଲା, “ଏବେ ଆଉ ଆସିବାର ନାହିଁ ।”

 

ସନା ବେହେରାର ଖୁସି ଝାଉଁଳିଗଲା । କହିଲା, “ହଉ ।”

 

ତା’ପରେ ସେ ତା’ର ପକ୍ଷାଘାତ ପୀଡ଼ିତ ଗୋଟିଏ ପାଦକୁ କାଠର ପାଦ ପରି ଘୋଷାରି ଘୋଷାରି ଅନ୍ଧାରରେ ମିଶିଗଲା । ସଂଜୟକୁ ସନା ବେହେରାର ସେଇ ଚାଲିବା ଦୃଶ୍ୟ ପାଳଭୂତର ହଲିବା ପରି ଦିଶୁଥିଲା । ତେବେ ତାଙ୍କ ଘରକୁ ଡାକ୍ତର ଆସୁଥିବା ଖବର ସନା ବେହେରା କେମିତି ପାଇଲା ?

 

ଦୁଇ

 

ରେଣୁ କହିଲା, “ଏ ପ୍ରକାର ଲୋକମାନେ ଚିଲ ପରି । ଆକାଶରେ ଥାଇ ମାଟି ଉପରର ଜିନିଷ ଦେଖି ପାରନ୍ତି । ତୁମେ ପାଠୁଆ ଲୋକମାନେ ଏଭଳି ଲୋକଙ୍କ ଅସଲ ରୂପ ଜାଣ ନାହିଁ । ତୁମକୁ ସେମାନେ ତିନି ଥର ଏଇ ରୁଚିକା ହାଟରେ ବିକି ପୁଣି କିଣିନେବେ । ଦେଖୁନ, ଏଇ କଲୋନିର ଛକକୁ । ସକାଳୁ ସଞ୍ଜଯାଏ ତାସ୍‌ କି ପଶାପାଲି ପଡ଼ିଥିବ । ସକାଳେ କଞ୍ଚିଡ଼ି ଟୋକା ଖେଳୁଛନ୍ତି, ସେମାନେ ଉଠିଗଲା ପରେ ଲୁଙ୍ଗି ତଉଲିଆ ପିନ୍ଧା ଭେଣ୍ଡିଆମାନେ ବସୁଛନ୍ତି, ତାଙ୍କ ପରେ ବୁଢ଼ାମାନେ ଆସୁଛନ୍ତି । ଚାଲିଛି ଅହୋରାତ୍ର ସଂକୀର୍ତ୍ତନ । କଲୋନିଯାକ ଖବର ଏଇଠି ଚର୍ଚ୍ଚା ହେଉଛି ।

 

ସନା ବେହେରା ବୋଧହୁଏ ଏହି ତାସ୍‌ପାଲି ସଂସ୍ଥାର ସଭ୍ୟ ହୋଇଥିବ । ଡାକ୍ତରଙ୍କ ଗାଡ଼ିର ଚିହ୍ନ ଦେଖି କେହି ତାକୁ ଏଠିକି ପଠେଇ ଦେଇଥିବ । ସଂଜୟ ସନା ବେହେରା ପ୍ରସଙ୍ଗକୁ ସେଇଠି ରଖି ନିଜ କଥାକୁ ଫେରି ଆସିଲା । ବାପାଙ୍କର ଆକସ୍ମିକ ଅସୁସ୍ଥତା ତାକୁ ଚିନ୍ତାଗ୍ରସ୍ତ କରିଦେଇଥିଲା ।

 

ପିଲାଦିନରୁ ସଂଜୟ ଘରର କୌଣସି ଦାୟିତ୍ୱ ନେଇ ନଥିଲା । କାହିଁକି କେଜାଣି କୌଣସି ଘରୋଇ କାମପାଇଁ ତା’ର ଆଗ୍ରହ ହୁଏ ନାହିଁ । ସେ ଭାବେ, ଗୋଟିଏ ବୋଲି ଜୀବନ । ହସିବ, ନାଚିବ ଓ ହସି ହସି ଚାଲିଯିବ । ସବୁବେଳେ କଇଁଛ ପରି ଘରକରଣାର ଖୋଳପା ପିନ୍ଧି ଘୂରିବା ତା’ର ପସନ୍ଦ ନୁହେଁ । ଯେଉଁମାନଙ୍କର ପସନ୍ଦ ସେମାନେ ବୁଝନ୍ତୁ । ସେ ଯେମିତି ଅନ୍ୟମାନଙ୍କୁ ଦୋଷ ଦିଏ ନାହିଁ, ଅନ୍ୟମାନେ ସେମିତି ତାକୁ ଦୋଷ ନ ଦେବା ଉଚିତ । ନିଜ ନିଜ ବାଟରେ ଜୀବନ ଜିଇବାର ଅଧିକାର ସମସ୍ତଙ୍କର ଅଛି ।

 

ବାପା ବୁଢ଼ା ହୋଇଗଲେଣି । ରୋଗରେ ପଡ଼ିବେ ଓ ଦିନେ ଚାଲିଯିବେ । ଏହା ସ୍ୱାଭାବିକ କଥା । ଏହାକୁ ନେଇ ଖୁବ୍‌ ଭାବପ୍ରବଣ ହେବାର କିଛି ଅର୍ଥ ନାହିଁ । ସେଥିପାଇଁ ବଡ଼ ଭଉଣୀ ଫୋନ୍‌ କରି ବାପାଙ୍କ ଦେହପା ଖବର ପଚାରିଲେ ସେ ‘ହଁ’ ‘ନା’ କହି ଫୋନ୍‌ ରଖିଦିଏ ।

 

ସନ୍ଧ୍ୟାବେଳେ ପୁଣି ସନା ବେହେରା ସାଙ୍ଗରେ ସାକ୍ଷାତ । ସେ ଅଫିସ୍‌ରୁ ଫେରି ସ୍କୁଟର୍‍ଟା ଭିତରକୁ ଭର୍ତ୍ତି କରୁଛି, ସନା ବେହେରା ପଚାରିଲା, “ଆଜି ଡାକ୍ତରବାବୁ ଆସିବେ ନାହିଁ-?”

 

ନିଜ କଥା ଭାବି ଭାବି ସଂଜୟ ବିରକ୍ତ ହୋଇଯାଇଥିଲା । ବାପାଙ୍କ ଅଚାନକ ଅସୁସ୍ଥତା ଏବଂ ବଡ଼ଭଉଣୀର ଘନଘନ ତାଗିତା ତାକୁ ଚିଡ଼ିଚିଡ଼ା କରି ଦେଇଥିଲା । ଏଭଳି ମାନସିକତାରେ ସନା ବେହେରାର ପ୍ରଶ୍ନ ତାକୁ ଅନଧିକାର ଚର୍ଚ୍ଚା ଭଳି ଲାଗିଲା । ସେ ଚିଡ଼ିଗଲା । କହିଲା, “କହିଥିଲି ପରା ଡାକ୍ତର ଆସିବେ ନାହିଁ । ପୁଣି କାହିଁକି ଆସିଲ ?”

 

ଯେମିତି ନିର୍ଘାତ ବର୍ଷାବେଳେ ବସାହୀନ କୁଆ ଓ ଝଡ଼ ବତାସରେ ସାଙ୍କୁଡ଼ିଯାଏ ଫୁଲଗଛ, ସେମିତି ସାଙ୍କୁଡ଼ିଗଲା ସନା ବେହେରା । ଟିକିଏ ଦୂରେଇ ଯାଇ କ’ଣ ଗୁଡ଼ୁରୁ ଗୁଡ଼ୁରୁ ହେଲା । ସଂଜୟକୁ ତାହା ସ୍ପଷ୍ଟ ଶୁଭିଲା ନାହିଁ ।

ସେ ସ୍କୁଟର୍‌ର ଷ୍ଟାଣ୍ଡ ମାରିଲା ।

ନିଜେ ସ୍ୱାସ୍ଥ୍ୟ ବିଭାଗରେ କାମ କରୁଛି ବୋଲି ଡାକ୍ତର ଜେନାଙ୍କ ପରି ଲୋକ ତା’ ଘରକୁ ଆସି ତା’ ବାପାଙ୍କୁ ଦେଖୁଛନ୍ତି । ନହେଲେ, ମନ୍ତ୍ରୀ, ଏମ୍‌.ଏଲ୍‌.ଏ.ବି ତାଙ୍କ ଦେଖା ପାଇବା କଷ୍ଟ । ତାଙ୍କର ପୁଣି ଦୁର୍ବଳତା କହିଲେ ଏଇ ରାଜଧାନୀ ପୋଷ୍ଟିଂ । କଟକ କି ଭୁବନେଶ୍ୱରରେ ରହିବା ଲାଗି ସବୁ ଡାକ୍ତର ଚାହାନ୍ତି । ଏଠି ମେଡ଼ିକାଲ କଲେଜ, ରୋଗୀ ବହୁତ; ତେଣୁ ଉପାର୍ଜନବି ଅଧିକ । ନିଜେ ଡାକ୍ତର ଜେନା କହନ୍ତି, ସେ କେମିତି ଗୋଟିଏ ଆଟାଚି ଧରି ଭୁବନେଶ୍ୱର ଆସିଥିଲେ, କିନ୍ତୁ ଏବେ ତାଙ୍କର ଚାରିମହଲା କୋଠା ତିନିଟି । ସେଭଳି ଡାକ୍ତରଙ୍କ ସାଙ୍ଗେ ପ୍ରତିଦିନ ମାଗଣା ସାକ୍ଷାତକାର ଖୋଜୁଛି ସନା ବେହେରା, ଯିଏ ହୋମିଓପାଥି କମ୍ପାଉଣ୍ଡରର ରୋଗୀ ହେବାକୁ ସୁଦ୍ଧା ଭାଜନ ନୁହେଁ ।

ସନା ବେହେରା ସେଇମିତି ଛିଡ଼ା ହୋଇଥିଲା ।

ପଉଷର ଶୀତରେ ଥରୁଥିଲା ଥୁରୁଥୁରୁ ।

ସେତିକି ହେଉ ନଥିଲେ ଜଣାପଡ଼ନ୍ତା ନାହିଁ ସେ ମଣିଷ ନା ମୂର୍ତ୍ତି । ସଂଜୟ ତା’ ଆଡ଼ୁ ନଜର ବୁଲେଇ ଫେରୁଥିଲା । ତା’ କାନରେ ପଡ଼ିଲା, ସନା ବେହେରା କହୁଛି, ‘ବୁଢ଼ାବାବୁ କହନ୍ତି, ଆପଣେ ତାଙ୍କର ଟିକିଏ କ’ଣ ହେଲେ ସମ୍ଭାଳି ପାରନ୍ତି ନାହିଁ । ଭାବିଲି ନିଇତି ଡାକ୍ତର ଆସୁଥେବେ... ।”

ସନା ବେହେରା କ’ଣ କହିଲା ? ସେ ବାପାଙ୍କର ଏଭଳି ଯତ୍ନ ନିଏ ! ବାପାଙ୍କର ଟିକିଏ କ’ଣ ହେଲେ ସେ ସମ୍ଭାଳି ପାରେ ନାହିଁ । ସଂଜୟର ମନ ଚହଲିଗଲା । ସେ ବନ୍ଦ ଫାଟକ ଖୋଲିଦେଇ ଡାକିଲା, “ହଉ, ଭିତରକୁ ଆସ ମଉସା ।”

 

ସନା ବେହେରାର କି ଆନନ୍ଦ ! ସେ ତା’ ଦେହର ସବୁଯାକ ବଳ ଜୁଟେଇ ଭିତରକୁ ଆସୁଥିଲା । ଯେମିତି ମୁହୂର୍ତ୍ତଟିଏ ବିଳମ୍ବ ହେଲେ ତା’ପାଇଁ ସୁଖର ଫାଟକ ବନ୍ଦ ହୋଇଯିବ । ସେ ରହିଯିବ ଦୁଃଖର ପୃଥିବୀରେ ।

 

ସଂଜୟ ଭାବିଲା, ସନା ବେହେରାର ଏଇ କଥା ତା’ ଭଉଣୀ ଶୁଣିବା ଦରକାର । ମା’ ଚାଲିଯିବା ପରେ ବଡ଼ଭଉଣୀ ମନେମନେ ଘରର ମୁଖ୍ୟ ପାଲଟିଯାଇଛି । ଶାଶୁଘରୁ ଚାରି ଚାରି ଘଣ୍ଟା ଅନ୍ତରରେ ଫୋନ୍‌ କରି ପଚାରୁଛି, ‘ବାପା ଔଷଧ ଖାଇଲେଣି, ଗାଧୋଇଲେଣି, ମନ୍ଦିରରୁ ଫେରିଲେଣି... ?’ ତା’ ପ୍ରଶ୍ନର ଉତ୍ତର ଦେଇ ଦେଇ ସେ ଓ ରେଣୁ ବ୍ୟସ୍ତ ହୋଇଗଲେଣି । ରେଣୁ ତ କହିଲାଣି, ଅପାଙ୍କର ଯଦି ଆମ ଉପରେ ଭରସା ନାହିଁ, ସେ ନିଜେ ଆସି ବାପାଙ୍କୁ ତାଙ୍କ ପାଖକୁ ନେଇଯାଉ ନାହାନ୍ତି !

 

ସଂଜୟ ଚମକି ପଡ଼ିଲା । ବଡ଼ଭଉଣୀ କ’ଣ ଖବର ପାଇଯାଇଛି କି, ସଂଜୟ ମାଗଣାରେ ଡାକ୍ତରୀ ସୁବିଧା ପାଉଛି । ଫିଜିସିଆନ୍‌ ସାମ୍ପଲ୍‌ ଔଷଧରେ ବାପାଙ୍କ ଚିକିତ୍ସା ଚଳଉଛି । ନହେଲେ ଏତେ ପ୍ରଶ୍ନ କରୁଛି କାହିଁକି ?

 

ସନା ବେହେରା ବସିଥିଲା । ଫଟା ଚାଦର ଖଣ୍ଡେ ଦେହରେ ସେ ଢାଙ୍କି ହୋଇଥିଲା ଯାହା ଶୀତର ଅହଂକାର ଆଗରେ ଥିଲା ବିକଳ ଆତ୍ମସମର୍ପଣ ଅବା ନିଆଁ ପାଖରେ ପାଳକୁଟା ଖଣ୍ଡର ସମର୍ପଣ ପରି । ସଂଜୟ ପଚାରିଲା, “ଚା’ କପେ ପିଇବ କି ମଉସା ?”

 

: ଚା’ ? ବୁଢ଼ା ପଚାରିଲା । ସେ ନିଜ କାନକୁ ବିଶ୍ୱାସ କରିପାରୁ ନଥିଲା ।

 

: ହଁ, ଚା’ । ପିଇବି ।

 

ବୁଢ଼ା ମୁଣ୍ଡ ଟୁଙ୍ଗାରିଲା । ଥରେ ନୁହେଁ କି ଦି’ଥର ନୁହେଁ, ଚାରି ପାଞ୍ଚ ଥର ।

 

ସଂଜୟ ଚା’ କପେ ଆଣି ସନା ବେହେରାକୁ ଦେଲା । ସନା ବେହେରା ତା’ ଚାଦର କାନିରେ ଗରମ କପ୍‌ଟିକୁ ଧରି କିଛି ସମୟ ଚା’ କପ୍‌ରୁ ବାହାରୁଥିବା ବାମ୍ଫକୁ ଆଘ୍ରାଣ କଲା ଏବଂ ତା’ପରେ ସୁଡ଼୍ ସୁଡ଼୍ କରି ଚା’ ପିଇଲା ।

 

ସଂଜୟ ତା’ ବାପାଙ୍କର ସାନପୁଅ, ଉପରେ ବଡ଼ ଭାଇ ଓ ଭଉଣୀ । ଭାଇ ଗତବର୍ଷ ଆମେରିକା ପଳେଇଲା । ବଡ଼ଭଉଣୀ ବାହା ହୋଇ ବାଙ୍ଗାଲୋରରେ ରହୁଛି । ସଂଜୟ ନିଜେ ସ୍ୱାସ୍ଥ୍ୟ ବିଭାଗର ଅଣ୍ଡର୍‌ ସେକ୍ରେଟାରି । ଆଗେ କଳ୍ପନା ଏରିଆରେ ସରକାରୀ କ୍ୱାଟର୍ ପାଇ ସେ ରହୁଥିଲା । ଏବେ ବରମୁଣ୍ଡା କଲୋନିକୁ ଉଠି ଆସିଛି । ଏଇଠି ଘରଟିଏ କରିଛି ସଂଜୟ । ଉପରଘର କାମ ସମ୍ପୂର୍ଣ୍ଣ ସରି ନାହିଁ । ଏତିକିବେଳେ ବାପା ବେମାର । ଏଥିରେ ସେ କେମିତି ଘର କାମ ସାରିବ ସେଇ ଚିନ୍ତା ତାକୁ ଘାରୁଥିଲା । ବଡ଼ ଭାଇ ଓଡ଼ିଶାରେ ଥିବା ପର୍ଯ୍ୟନ୍ତ ବାପା ତା’ ପାଖରେ ଥିଲେ । କିନ୍ତୁ ସେ ଆମେରିକା ପଳେଇଲା ପରେ ସଂଜୟ ବାଧ୍ୟ ହୋଇ ବାପାଙ୍କୁ ନିଜ ପାଖକୁ ଆଣିଲା । ବୋଉ ବଞ୍ଚିଥିଲେ ଏସବୁର ଦରକାର ପଡ଼ି ନଥାନ୍ତା । ବୁଢ଼ାବୁଢ଼ୀ ଦିହେଁ ଗାଁରେ ରହିଥାନ୍ତେ ।

 

ସଂଜୟ ନିଜର ସମସ୍ୟା କଥା ଚିନ୍ତା କରୁଥିଲା ।

 

ତା’ କାନରେ ସନା ବେହେରାର କଥା ଶୁଣାଗଲା । ସନା ବେହେରା କହୁଥିଲା, “ତମ ପରି ପୁଅ ସାତ ଜନ୍ମ ତପ କଲେ ଯାଇ ମିଳନ୍ତି । ଜଣେ ତମେ ଆଉ ଜଣେ ମୋ ପୁଅ । ଛାଡ଼, କାହା ସାଙ୍ଗେ କାହାର ତୁଳନା ।”

 

ସନା ବେହେରାର ପ୍ରଶଂସା ସଂଜୟକୁ ଭଲ ଲାଗିଲା । ସେ ପଚାରିଲା, “ତୁମ ପୁଅ କ’ଣ ତୁମର ଯତ୍ନ ନେଉ ନାହିଁ ?”

 

: ତମେ ଯାହା କରୁଛ, ତା’ର ଲକ୍ଷେ ଭାଗରୁ ଭାଗେବି ନୁହେଁ । ଆଉ କଥା ଥାଉ, ଦି’ବେଳା ଦି’ମୁଠା ଖାଇବାକୁ ସୁଦ୍ଧା ଦେଉ ନାହିଁ । ସବୁବେଳେ ଦୂର୍‌ ଦୂର୍‌ । ପୁଅ କହି କହି ଅଫିସ୍‌ ପଳେଇବ, ତା’ପରେ ବୋହୂ । ଦେଖୁନ, ମୋ ବେଶପୋଷାକ । ମୁଁ ‘ଟାଟା’ କମ୍ପାନୀରେ ପିଅନ ଥିଲି । ପୁଅକୁ ରଖେଇଥିଲି ସେଇ କମ୍ପାନୀରେ । ତା’ର ସବୁ ସୁବିଧା । କିନ୍ତୁ ମୋପାଇଁ ଟଙ୍କାଟେ ଖର୍ଚ୍ଚ ପଡ଼ିଲେ କହୁଛି ବଦଖର୍ଚ୍ଚ । ବୁଢ଼ାର ସ୍ୱର ଅସ୍ପଷ୍ଟ ହୋଇ ଆସୁଥିଲା ।

 

ଟିକିଏ ରହି ସନା ବେହେରା କହିଲା, “ଦିନରାତି ପୁଅବୋହୂ ଦିହେଁ କଟରକଟର ହୁଅନ୍ତି-। ସେଥିପାଇଁ ମୁଁ ଘରେ ନ ରହି ବାହାରେ ବୁଲୁଥାଏ । ମୋ ହାଲତ ତ ଦେଖୁଛ । ୟା ପିଣ୍ଡା, ତା’ ପିଣ୍ଡା ହୋଇ ଦିନଟା ସରିଯାଏ । ସେଇଠୁ ଘରକୁ ଫେରେ । ସକାଳୁ ଉଠି ପୁଣି ମନ୍ଦିର କି ଛକ ଆଡ଼େ ପଳେଇଆସେ ।”

 

: ସାରା ଦିନ ଇଆଡ଼େ ସିଆଡ଼େ ବୁଲ ? କ’ଣ କର ଏତେ ସମୟ ?

 

: କାନ୍ଦେ । ବୁଢ଼ୀ କଥା ଭାବେ ।

 

: ଆଉ... ?

 

: ଛାଡ଼ ବାବୁ । ସେ କଥା ଶୁଣି ଲାଭ କ’ଣ ?

 

ସଂଜୟ ଉତ୍ସାହ ଦେଲା, “କହୁନ କୁହ ।”

 

ବୁଢ଼ା କୁଙ୍କୁରିକାଙ୍କୁରି ହୋଇ ବସିଲା । କହିଲା, “ଏଇ ପୁଅ ଜନ୍ମ ହେବାର ଦି’ବର୍ଷ ପରେ ଝିଅଟିଏ ହୋଇଥାଆନ୍ତା । ସେତେବେଳେ ଆମେ ତାକୁ ନଷ୍ଟ... ।”

 

ସଂଜୟ ବୁଝିପାରିଲା । ସନା ବେହେରା ତା’ ସ୍ତ୍ରୀର ଦ୍ୱିତୀୟ ଗର୍ଭ ନଷ୍ଟ କରେଇଥିଲା । ବୋଧହୁଏ ପୁଅ ହୋଇଥିଲେ ସେ ତାହା କରି ନଥାନ୍ତା । କିନ୍ତୁ ସିଏ ତ କୋଉ କାଳର କଥା ହେଲାଣି । ସଂଜୟ କହିଲା, “ଛାଡ଼, ସିଏ ତ ପୁରୁଣା କଥା ।”

 

: ସେଇ ପାପର ଦଶା ଭୋଗୁଛି ବାବୁ । ଝୁଅଟିଏ ଥିଲେ ମୁହଁରେ ପାଣି ଟୋପେ ତ ଦେଇଥାଆନ୍ତା । ଏମିତି ମରମଜଳା କଥା ଶୁଣି ବଞ୍ଚିବାରେ କି ସୁଖ ?

 

ସଂଜୟର ସନା ବେହେରା କଥା ଶୁଣିବା ଲାଗି ମନ ନଥିଲା । ସିଏ ତା’ ନିଜ କଥା ଶୁଣିବାକୁ ଚାହୁଁଥିଲା । ତେବେ ସନା ବେହେରାର ଦୁଃଖ ଆଉ ନିର୍ଯାତନାର କାହାଣୀ ତାକୁ ଖରାପ ଲାଗୁ ନଥିଲା । ଖାଲି କ’ଣ ମଣିଷ ନିଜ ସୁଖରେ ଖୁସି ହୁଏ ? ଅନ୍ୟ ଦୁଃଖରୁ ତ ସେ ଅଧିକ ଆନନ୍ଦ ପାଏ !

 

ଚା’ କପ୍‌ଟି ଚଟାଣରେ ଥୋଇଦେଲା ସନା ବେହେରା । ତା’ ଭାବଭଙ୍ଗୀରୁ ସଂଜୟ ଜାଣୁଥିଲା, ଅନେକ ଦିନ ପରେ ସେ କପେ ଚା’ ପିଇବାର ସୁଯୋଗ ପାଇଥିଲା ।

 

ସନା ବେହେରା କହିଲା, “ବୁଢ଼ାବାବୁଙ୍କ ସାଙ୍ଗେ ପହିଲେ ମନ୍ଦିରରେ ଦେଖା ହେଲା । ବହୁ ଶାସ୍ତ୍ର ପୁରାଣ ପଢ଼ିଛନ୍ତି । ଯେତିକି ସମୟ ଥାଆନ୍ତି, ବୁଢ଼ା ଆପଣ ଦି’ ଜଣଙ୍କ କଥା କହନ୍ତି । ଓହୋ, କେତେ ସେବା ବୁଢ଼ାଙ୍କର ଆପଣ ଦି’ ପ୍ରାଣୀ ନ କରୁଛନ୍ତି ! ବୁଢ଼ାବାବୁ ତ କହନ୍ତି ଆପଣ ଦିହେଁ ରାମ-ସୀତା ।”

 

ସଂଜୟ କାଶିଲା । ତା’ ତୋଟିରେ କ’ଣ ଲାଗିଗଲା କି କ’ଣ ? ଇଏ ପ୍ରଶଂସା ନା ପରିହାସ ? ସନା ବେହେରାର କଥାକୁ ସହଜରେ ଗ୍ରହଣ କରିପାରୁ ନଥିଲା ସଂଜୟ ।

 

ସନା ବେହେରା ପୁଣି କହିଲା, “ବୁଢ଼ାବାବୁ ମନ୍ଦିରକୁ ହରିବଂଶ ଆଉ ଭାଗବତ ବହି ନେଇ ଦେଇଛନ୍ତି । କହୁଥିଲେ, ଆପଣେ ବହି ଯୋଡ଼ାକ ମନ୍ଦିରପାଇଁ ଦେଇଛନ୍ତି ।” ସଂଜୟ ଏକଥା ଜାଣି ନଥିଲା । ବାପା ଅନେକ ବହି ରଖିଥିଲେ । ସେସବୁ ଖବର ସେ ବୁଝନ୍ତି । ତା’ର ଏ ପୁରାଣ ଶାସ୍ତ୍ର କି ଗପ, ନଭେଲ୍‌ ପଢ଼ିବାରେ କୌଣସି ଆଗ୍ରହ ନଥାଏ । ସମ୍ଭବତଃ ସେଇ ବହିରୁ ଦିଖଣ୍ଡ ମନ୍ଦିରକୁ ଦେଇଥିବେ ।

 

ସନା ବେହେରା କହୁଥିଲା, “ବୁଢ଼ାବାବୁ କହନ୍ତି ଆପଣଙ୍କ କଥା । ଆପଣ ତାଙ୍କ ଦେହ ଖରାପ ଖବର ଶୁଣିବାମାତ୍ରକେ କ୍ୟାପ୍‌ସୁଲ, ଟନିକ୍‌, ଟାବ୍‌ଲେଟ୍‌ ସବୁ ଆଣି ଗଦେଇ ଦିଅନ୍ତି । ସେ କହନ୍ତି, ଆପଣ ତ ଆୟୁଷ ଗଣ୍ଡାକ ଛଡ଼ା ସବୁ ଦରବ ଖଞ୍ଜି ଦେଇଛନ୍ତି ।” ସନା ବେହେରା କଥା ନ ସାରି ଉପରକୁ ଅନାଇଲା ।

 

ସଂଜୟବି ସନା ବେହେରାକୁ ଅନେଇଲା । ମନେମନେ ଗର୍ବ ଅନୁଭବ କଲା । ବୁଢ଼ା ଜାଣୁ ଖାଲି ପୁଅ ଜନ୍ମ କରିବା ବଡ଼କଥା ନୁହେଁ । ପୁଅ ପରି ପୁଅ ଜନ୍ମ କରିବା ବଡ଼କଥା । ବୁଢ଼ାକୁ ତା’ ପୁଅ ପଚାରୁ ନାହିଁ । ସେଥିପାଇଁ ବୁଢ଼ା କଲୋନି ରାସ୍ତାରେ ବୁଲି ବୁଲି ତା’ ଦୁଃଖତକ ଖଇ ବିଞ୍ଚିଲା ପରି ବିଞ୍ଚୁଛି । ଲୁହ ନିଗାଡ଼ୁଛି । ପ୍ରତିଟି ଦିନ ଗୋଟିଏ ଗୋଟିଏ ଯୁଗ ବଞ୍ଚିଲା ପରି ବଞ୍ଚୁଛି ।

 

ଏକଥା ଭାବିବାବେଳକୁ ତା’ ଭିତରୁ ଆଉ ଜଣେ କେହି ତାକୁ ଚିମୁଟି ଦେଉଥିଲା । ତାକୁ କହୁଥିଲା ମନବୋଧ ଚଉତିଶାର କଥା–ଚିରି ଭିତର ଦେଖ କି ନାରଖାର । ସଂଜୟ ଚମକି ପଡ଼ିଲା-। ତା’ ଘର ସାମ୍ନାରେ ଲୁହାର ଗ୍ରିଲ୍‌ ଗେଟ୍‌, ଚାରିପଟେ ନିବୁଜ ପାଚେରି । ବାପା ଅଛନ୍ତି ଭିତର ଘରେ । ଏପଟକୁ ଡ୍ରଇଂରୁମ୍‌, ସବୁ ସେଇଠି ଚିକ୍‌ଚିକ୍‌ । ସେଠି ପିକାସୋ ଏବଂ ମୁରଲୀ ଟାଲି-। କାଶ୍ମୀର କାର୍ପେଟ୍‌, ଚୀନର ପୋର୍ସେଲିନ୍‌ ଫୁଲଦାନି । ବାପାଙ୍କ ବ୍ୟାଧି ଓ ବାର୍ଦ୍ଧକ୍ୟର ଯନ୍ତ୍ରଣା ସେଯାଏ ପହଞ୍ଚି ପାରେ ନାହିଁ । ପୁଣି ତାକୁ ଅତିକ୍ରମ କରି ଯଦି ଆସିବ, ପଡ଼ିବ ପ୍ରଶସ୍ତ ପୋର୍ଟିକୋ-। ସେଇଠି ଫୁଲକୁଣ୍ଡ, ଗ୍ରାନାଇଟ୍‌ ଲଗା ସିମେଣ୍ଟ ଖୁଣ୍ଟ । ସେପଟେ ତା’ର ନାଁ ଲେଖା ନାମଫଳକ-। ଏତେସବୁ ଭେଦ କରି ତା’ ବୁଢ଼ା ବାପାଙ୍କର କଷ୍ଟ, ଯନ୍ତ୍ରଣା କି ଚିତ୍କାର କୌଣସିଟିବି ବାରନ୍ଦାରେ ପହଞ୍ଚି ପାରିବ ନାହିଁ । ତାଙ୍କର ସବୁକଥା ଘର ଭିତରେ ରହିବ । ବାହାରକୁ ଆସିବ ନାହିଁ ।

 

ସନା ବେହେରା କହିଲା, “ବାପା–ମା’ ଲକ୍ଷେ ଶିବ ପୂଜିଥିଲେ ଆପଣଙ୍କ ପରି ପୁଅ ମିଳନ୍ତି । ବୁଢ଼ାବାବୁଙ୍କର କେଡ଼େ ଭାଗ୍ୟ !”

 

ସଂଜୟ ଆଉଥରେ ଖୁସି ଦିଶିଲା । ସ୍ତ୍ରୀ ରେଣୁର ଏକଥା ଶୁଣିବା ଦରକାର । ତେବେ ତା’ କଥା ସେ ସନା ବେହେରାକୁ କହିଲା ନାହିଁ । ସେ ସ୍ୱାସ୍ଥ୍ୟ ବିଭାଗର ଅଫିସର । ସେଇ ସୂତ୍ରରେ ତା’ର ଡାକ୍ତରମାନଙ୍କ ସହ ସମ୍ପର୍କ । ସେମାନେ ମାଗଣାରେ ଫିଜିସିଆନ୍‌ ସାମ୍ପଲ ଔଷଧ ଅଫିସ୍‌ରେ ଦେଇଯାଆନ୍ତି । ଏପର୍ଯ୍ୟନ୍ତ ଟଙ୍କା ଶହେଟାର ଔଷଧବି ସେ ହାତରୁ କିଣି ନାହିଁ ।

ସନା ବେହେରା କାନ୍ଥକୁ ଆଉଜି ବସିଥିଲା । ସେ ତା’ ଘରକୁ ଯିବାପାଇଁ ଆଦୌ ବ୍ୟସ୍ତ ହେଉ ନଥିଲା । ଘର ତ ଖାଲି କାନ୍ଥ କି ଛାତ ନୁହେଁ । ଘର ନିଜେ ଗୋଟେ ଆଦର ଅପେକ୍ଷା । ଯେଉଁଠି ଜଣକ ଲାଗି ଆଦର ନାହିଁ କି ଅପେକ୍ଷା ନାହିଁ ସେଠିକି ଯିବାପାଇଁ କାହିଁକି ବା ତା’ର ଆଗ୍ରହ ହେବ !

ସଂଜୟ କହିଲା, “ତୁମ ପୁଅଟା ବଡ଼ ନିଷ୍ଠୁର ଲୋକ ଦେଖୁଛି । ଏ ଶୀତଦିନେ ତୁମକୁ ଭଲ ଚାଦର ଖଣ୍ଡିଏବି ଦେଇ ନାହିଁ । ତୁମକୁ ତ ଥଣ୍ଡା ଲାଗୁଥିବ ।”

: ଲାଗୁଥିଲା ବାବୁ, ଏବେ ଆଉ ଲାଗୁ ନାହିଁ । ଆଗେ ଭାରି ଶୀତ ହେଉଥିଲା । ଆଜିକାଲି ସକାଳୁ ଉଠି ମହାଦେବ ପୋଖରୀରେ ଗାଧୋଇ ପଡ଼ିଲେ ସବୁ ଥଣ୍ଡା ଛାଡ଼ିଯାଏ । ଏବେ ତ ଅଭ୍ୟାସ ହୋଇଗଲାଣି ।

ପୁଣି ହୁଏତ ସନା ବେହେରା ନିଜ କଥା କହିବ । ପୁଣି କିଛି ସାହାଯ୍ୟ ଲୋଡ଼ିବ । ସେସବୁପାଇଁ ସଂଜୟର ଆଗ୍ରହ ନାହିଁ । ତାକୁ ସେ କପେ ଚା’ ଦେଇ ସାରିଲାଣି । ତା’ ବଦଳରେ ଦି’ ଚାରି ପଦ ପ୍ରଶଂସା ଶୁଣିଛି । ହିସାବ ଠିକ୍‌ ଠିକ୍‌ ହୋଇଗଲାଣି । ଏବେ ସନା ବେହେରା ତା’ ଘରକୁ ଯାଉ । ନହେଲେ ପୁଣି ଔଷଧପତ୍ର କଥା ଉଠେଇବ ।

 

ସେ କହିଲା, “ହଉ ତମେ ଯାଅ । ଡାକ୍ତର ଆସିବା ଦିନ ମୁଁ ତୁମକୁ ନିଶ୍ଚେ ଖବର ଦେବି-।”

ସନା ବେହେରାର ମୁହଁ ଆଉଥରେ ଉଜ୍ଜ୍ୱଳି ଉଠିଲା । ବଗ ଗୋଡ଼ ପରି ନିଜର ଡାହାଣ ଗୋଡ଼କୁ ଦେଖେଇ କହିଲା, “ଦି’ ପାନ ଔଷଧ ଖାଇଦେଲେ ମୁଁ ପୁଣି ଚେଙ୍ଗା ହୋଇଯିବି ।” ତା’ପରେ ହାତକୁ ଦେଖେଇ କାହାକୁ କହିଲା ପରି କହିଲା, “ଏଇ ହାତରେ ମୁଁ ଦିନେ ଲୁହା ରଡ଼୍ ବଙ୍କେଇ ଦେଉଥିଲି । ଔଷଧ ଦି’ ପାନ ହେଲେ ସବୁ ଭଲ ହୋଇଯିବ । କ’ଣ କହୁନ ବାବୁ ?”

ସଂଜୟ ହସିଲା । ସନା ବେହେରାର କଙ୍କାଳସାର ଚେହେରା, ପକ୍ଷାଘାତଗ୍ରସ୍ତ ପାଦ, ଶ୍ୱାସ ଆକ୍ରାନ୍ତ ଫୁସ୍‌ଫୁସ୍‌ ଏବଂ ଦୁର୍ବଳ ଶରୀର ଦେଖି ସେ ଜାଣିପାରୁଥିଲା ଯେ ଏହାର ଆଉ ବେଶିଦିନ ନାହିଁ । ହୁଏତ ଔଷଧ କି ପଥି ସେବା ମିଳିଲେ ବୁଢ଼ା କିଛିଦିନ ଟେକିଯାଆନ୍ତା । ମାତ୍ର ପୁଅ ଖାଇବାକୁ ଦେଉ ନାହିଁ କି ଡାକ୍ତରଙ୍କୁ ଦେଖଉ ନାହିଁ । ବୁଢ଼ା ଭଲ ହେବ କେମିତି ?

ସନା ବେହେରା ଉଠିଲା ଓ ଧୀରେ ଧୀରେ ଅନ୍ଧାର ଭିତରେ ମିଶିଗଲା ।

ରେଣୁ କହିଲା, “ସେ ବୁଢ଼ାଟାକୁ କାହିଁକି ଘର ଭିତରକୁ ଡାକି ଆଣୁଥିଲ ? ଏମିତି ତ ସବୁବେଳେ ଗେଟ୍‌ ପାଖରେ ଆସି ସେ ଅପେକ୍ଷା କରୁଛି । ତା’ର ସବୁବେଳେ ଡାକ୍ତର ଦରକାର । ତମେ ପୁଣି ଭିତରକୁ ଡାକି ଆହୁରି ଉତ୍ସାହ ଦେଉଛ ।”

ସଂଜୟ କହିଲା ନାହିଁ ଯେ ବୁଢ଼ା ମୁହଁରୁ ପ୍ରଶଂସା ଶୁଣିବା ଲାଗି ତାକୁ ଡାକିଥିଲା । ଆଉ ଦିପଦ ଅଧିକ ପ୍ରଶଂସା ଶୁଣିବା ଲାଗି ତାକୁ ଚା’ କପେ ଦେଇଥିଲା । ସେ ପ୍ରସଙ୍ଗ ବଦଳେଇ କହିଲା, “ନା, ବୁଢ଼ା ଗୋଟେ ଜମି ଖବର ଦେଉଥିଲା । ଚନ୍ଦକା ପାଖରେ ପାଞ୍ଚଗୁଣ୍ଠ ବଢ଼ିଆ ଜମି ।”

 

: ଜମି ? –ରେଣୁ ଖୁସି ହୋଇଗଲା । ତା’ପରେ କହିଲା, “ମୋତେ ଡାକିଲ ନାହିଁ । ହଁ ଏତିକିବେଳେ ବାପାଙ୍କର ଦେହ ଖରାପ ହେବାର ଥିଲା । ମୁଁ ତିନିଦିନ ଛୁଟି ନେଲିଣି । ଏଣିକି ତୁମେ ଛୁଟି ନେଇ ରୁହ । ମୁଁ ପାରିବି ନାହିଁ ।”

 

ସଂଜୟ କହିଲା, “କାଲି ଡାକ୍ତରଙ୍କୁ ପଚାରିବି । ନହେଲେ ନର୍ସିଂହୋମ୍‌କୁ ନେଇଯିବା । ବିଛଣାରେ ପଡ଼ିବା ଲୋକଙ୍କ ସେବାଯତ୍ନ କରିବା କଷ୍ଟ ।”

 

ସେଦିନ ରାତିରେ ସଂଜୟ ଅନେକ ସମୟ ପର୍ଯ୍ୟନ୍ତ ସନା ବେହେରା କଥା ଭାବିଲା । ତା’ର ଉପଲବ୍ଧି ହେଲା ଯେ ସେ ତା’ ବାପାଙ୍କର ଯେତିକି ଯତ୍ନ ନେବା କଥା ବୋଧହୁଏ ସେତିକି ନେଇ ନାହିଁ । କେମିତି ଗୋଟେ ଗ୍ଳାନିବୋଧ ତାକୁ ସଚେତନ କରିଦେଲା ।

 

ଡାକ୍ତର ଆସିଲେ । ଜଣକ ପରେ ଜଣେ । ପକେଟ୍‌ରୁ ପଇସା ଖର୍ଚ୍ଚ କରି ଔଷଧବି କିଣିଲା ସେ । କିନ୍ତୁ ବାପାଙ୍କ ଦେହ ଭଲ ହେଉ ନଥିଲା । ପ୍ରତିଦିନ ନୂଆ ନୂଆ ରୋଗର ଉପସର୍ଗ ବାହାରୁଥିଲା । ସେ ବିଛଣାରେ ପଡ଼ି ରହୁଥିଲେ ।

 

ମଝିରେ ସନା ବେହେରା ପୁଣି ଥରେ ଆସିଥିଲା । ସଂଜୟ ସେତେବେଳେ କୌଣସି କଥାପାଇଁ ଚିଡ଼ିଚିଡ଼ି ହେଉଥିଲା । ତେଣୁ ସନା ବେହେରା କବଳରୁ ମୁକ୍ତିପାଇଁ ସେ କହିଥିଲା, “ତୁମର ସବୁଦିନେ ଆସିବା ଦରକାର ନାହିଁ ।” ତା’ ପାଖକୁ ସେ ଗୋଟାଏ ବଡ଼ ଭିଟାମିନ୍‌ ଶିଶି ଫୋପାଡ଼ି ଦେଇଥିଲା । କହିଥିଲା, “ପ୍ରତିଦିନ ଗୋଟାଏ ଗୋଟାଏ ଖାଇବ । ମାସକ ପରେ ଆସିବ-। ଯାଅ-।”

 

ଅବିଚଳିତ ସନା ବେହେରା ପୁଣି ସେଇ ପ୍ରଶ୍ନ ପଚାରିଥିଲା, “ଡାକ୍ତର ଆଜି ଆସିବେ ନାହିଁ ?”

 

: ନା । ବାପା ଭଲ ହୋଇଗଲେଣି । ଡାକ୍ତର ଆଉ ଆସିବେ ନାହିଁ । ସଂଜୟ ସନା ବେହେରାର ଜଞ୍ଜାଳରୁ ମୁକ୍ତିପାଇଁ ସେଦିନ କହିଥିଲା । ତାହା ସାତ ଦିନ ତଳର କଥା ହୋଇଗଲାଣି-। ସନା ବେହେରା ଆସି ନାହିଁ । ତା’ର କତରାଲଗା ଅବସ୍ଥା ହୋଇଥିଲା । ସଂଜୟ ଭାବିଥିଲା, ଲୋକଟା ହୁଏତ ମରିଯାଇଥିବ । ଏଠୁ ଅଧମାଇଲି ଦୂର ତା’ର ଘର, ସାଲିଆସାହି ପାଖରେ-। ସେଇଠୁ ସେ ଗୋଟିଏ ଗୋଟିଏ ପାଦ ପକେଇ ଏତେ ବାଟ ଆସେ । ଆସିବା ବାଟରେ ଦଶ ଜାଗାରେ କାନ୍ଥ କି ଗଛକୁ ଆଉଜି ବସେ । ଧଇଁସଇଁ ହୁଏ ବୁଢ଼ା । କେଉଁ ଗୋଟାଏ ଗଛତଳେ ପଡ଼ି ବୁଢ଼ା ମରିଯାଇଥିବ ।

 

ସଂଜୟ ବାପାଙ୍କର ଅବସ୍ଥା ଗୁରୁତର ହୋଇପଡ଼ୁଥିଲା । ଧୀରେ ଧୀରେ ରୋଗ ସଂକ୍ରମି ଯାଉଥିଲା ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡକୁ । ବଡ଼ଭଉଣୀ ତା’ ବର ସହ ଆସି ପହଞ୍ଚି ଯାଇଥିଲା । ସେମାନେ ବାପାଙ୍କୁ ନର୍ସିଂହୋମ୍‌ ନେଇଥିଲେ । ସେଠି ଅକ୍ସିଜେନ୍‌ ଦିଆଗଲା । ଯନ୍ତ୍ର ସାହାଯ୍ୟରେ କଫ ବାହାର କରାଗଲା । ମାତ୍ର କିଛି ଫଳ ହେଲା ନାହିଁ । ନର୍ସିଂହୋମ୍‌ରୁହିଁ ସେମାନେ ବାପାଙ୍କ ମୃତ ଦେହ ଗାଁକୁ ନେଲେ । ବାପାଙ୍କର ଶେଷ ଇଚ୍ଛା ଥିଲା ଗାଁରେ ଅନ୍ତ୍ୟେଷ୍ଟିକ୍ରିୟା ହେବ । ବାର ଦିନରେ ହେବ ଅଷ୍ଟପ୍ରହରୀ ।

 

ପଉଷ ସରି ମାଘ ଚାଲୁଥିଲା ।

 

କାଲି ରାତିରେ ଗାଁରୁ ଫେରିଲା ସଂଜୟ । ଘରେ ସବୁ ଅସଜଡ଼ା । ପରିବାପତ୍ର କିଛି ନାହିଁ । ରେଣୁ ଗାଁରେ ଅଛି, ରବିବାର ଆସିବ । ପାଖ ଜଳଖିଆ ଦୋକାନକୁ ଯିବା ଲାଗି ସ୍କୁଟର୍‍ଟା ବାହାର କରୁଥିଲା ସେ । ଦେଖିଲା ଗେଟ୍‌ ସେପଟେ ସନା ବେହେରା ଛିଡ଼ା ହୋଇଛି । ସେ ତାକୁ ଦେଖି ଯେତିକି ଆଶ୍ଚର୍ଯ୍ୟ ହେଲା ତା’ର ସୁସ୍ଥ ଚେହେରା ଦେଖି ତାହାଠୁଁ ଅଧିକ ଆଶ୍ଚର୍ଯ୍ୟ ହେଲା । ଯେଉଁ ସନା ବେହେରା ମରିଯାଇଥିବ ବୋଲି ସେ ଭାବୁଥିଲା ସେ ପୂର୍ବ ଅପେକ୍ଷା ବେଶ୍‌ ଚେଙ୍ଗା ଦିଶୁଥିଲା । ଖଣ୍ଡେ ସଫା ଧୋତି ଉପରକୁ ଢିଲା ସୁଏଟର୍‌ଟେ ପିନ୍ଧିଥିଲା ।

 

ସନା ବେହେରା ପଚାରିଲା, “ବୁଢ଼ାବାବୁ ଆସିଲେଣି ? ଡାକ୍ତର ଆଜି ଆସିବେ ନା ?”

 

ସଂଜୟ କ’ଣ ଉତ୍ତର ଦେବାକୁ ଯାଉଥିଲା, କିନ୍ତୁ ନିରବ ରହିଲା । ତା’ ବାପାଙ୍କ ବିଷୟରେ ଏଠି କେହି ଜାଣନ୍ତି ନାହିଁ । ନର୍ସିଂହୋମ୍‌ରୁ ସେମାନେ ସିଆଡ଼େ ସିଆଡ଼େ ଯାଇଥିଲେ ଗାଁକୁ ।

 

ସେ ବୁଢ଼ାର ପ୍ରଶ୍ନକୁ ଏଡ଼େଇ ଯାଇ ପଚାରିଲା, “ତୁମେ ତ ବେଶ୍‌ ଭଲ ଦିଶୁଛ ? ଏ ସୁଏଟର୍‌ କିଏ ଦେଲା ?”

 

ସନା ବେହେରା କ୍ଷୀଣ ହସ ହସିଲା । କହିଲା, “ତମେ ବାବୁ ଯୋଉ ଔଷଧ ଦେଇଥିଲ ଇଏ ତାଆରି କାମ । ମୁଁ ସବୁଦିନେ ସେଥିରୁ ଗୋଟାଏ ଗୋଟାଏ ଖାଉଛି । କୋଉଠୁ ଆଣିଲି ବୋଲି ପୁଅ ପଚାରୁଥିଲା । ମୁଁ କହିଲି ଦୁନିଆ କେଡ଼େ ବଡ଼ । ତୁ ନ ପଚାରିଲେ କ’ଣ ହେଲା, ବଡ଼ ଡାକ୍ତର ମୋତେ ଦେଇଛନ୍ତି । ବହୁତ ଦାମୀ ଔଷଧ । ଆଉ ଏ ସୁଏଟର ମୋ ପୁଅ ଦେଇଛି । ସେ କେମିତି ଜାଣି ଯାଇଛି, ମୁଁ ଆପଣଙ୍କଠୁ ଔଷଧ ଯୋଗାଡ଼ କରିଛି । ତା’ ପରଠୁ ମୋତେ ସେ ପଦେପଦେ ଭଲ କଥା କହୁଛି । ଡରୁଛି, କାଳେ ମୁଁ କୋଉଠି ତା’ କଥା କହିଦେବି । ମୁଁ କାଇଁକି କହିବି କହୁନ ? ଏଇ ସୁଏଟର୍‌ ଭଲ ଦିଶୁନି ?”

 

: ହଁ–ହଁ, ଭଲ ଦିଶୁଛି ।

 

: ଆଚ୍ଛା ! ଆଜି ଡାକ୍ତର ଆସିବେ ? ମୋର ଏଇ ଗୋଡ଼ଟା କଥା ଟିକିଏ କହନ୍ତି ।

 

ସନା ବେହେରାର କଥା ସଂଜୟ ଶୁଣି ପାରୁ ନଥିଲା । ସନା ବେହେରାର ପୁଅ ଡରେ ଚକ୍ଷୁଲଜ୍ଜାକୁ । ସେ ବି ଡରେ । ସନା ବେହେରା ପୁଅ ପିଅନ । ସେ ଅଫିସର । କିନ୍ତୁ ଦିହିଁଙ୍କ ଖୋଳପା ଭିତରେ କି ସାମ୍ୟ ! ସେ ସନା ବେହେରାକୁ ଆଉଥରେ ଚାହିଁଲା । ଯେଉଁଦିନ ତାକୁ ସେ ପ୍ରଥମେ ଦେଖିଥିଲା, ସେଦିନ ସେ ଭାବି ନେଇଥିଲା ଯେ ଲୋକଟା ସାତ ଆଠଦିନ ଭିତରେ ମରିଯିବ । ସେ ତା’ କବଳରୁ ମୁକ୍ତି ପାଇବାଲାଗି ଏକ୍ସପାୟାର୍ଡ଼୍‍ ଡେଟ୍‌ ଗଡ଼ିଯାଇଥିବା ଭିଟାମିନ୍‌ ବଟିକାର ଶିଶିଟିଏ ଦେଇଥିଲା କେବଳ । ସେଇଟା କୋଉ କାମରେ ଆସି ନଥାନ୍ତା । ସେଇ ଔଷଧରେ ଭଲ ହୋଇ ତା’ ସାମ୍ନାରେ ଛିଡ଼ା ହୋଇଛି ସନା ବେହେରା । ଔଷଧ ନୁହେଁ, ବଞ୍ଚିବାର ପ୍ରବଳ ଇଚ୍ଛା ସନା ବେହେରାକୁ ବଞ୍ଚେଇ ରଖିଛି । ଅଥଚ ତା’ର ଏତେ ପରିଶ୍ରମ, ଡାକ୍ତରମାନଙ୍କ ଉଦ୍ୟମ ଏବଂ ପରିଚୟ ତା’ ବାପାଙ୍କୁ ସୁସ୍ଥ କରିପାରିଲା ନାହିଁ । ତା’ ବାପାଙ୍କର କ’ଣ ବଞ୍ଚିବାର ଇଚ୍ଛା ଟିକକ ନଥିଲା ? କାହିଁକି ମରିଯାଇଥିଲା ସେଇ ଇଚ୍ଛା ଟିକକ ?

 

ସନା ବେହେରା ଉଚ୍ଛନ୍ନ ହେଉଥିଲା । ପଚାରୁଥିଲା, ‘ଆଜି ଡାକ୍ତର ଆସିବେ ନା ନାହିଁ ? ମୋର ଏଇ ଗୋଡ଼ଟା ଭଲ ହୋଇଗଲେ ମୁଁ ଟିକେ ଶ୍ରୀକ୍ଷେତ୍ର ଯାଆନ୍ତି । ଢେର୍‌ଦିନ ହେଲା ପୁରୀ ଯାଇ ନାହିଁ । ଆଉ ବୁଢ଼ାବାବୁଙ୍କ ଦେହ କିମିତି ଅଛି ? ହଁ ତାଙ୍କର ତ ଭାଗ୍ୟ । ଆପଣଙ୍କ ପରି ପୁଅ ପାଇଛନ୍ତି । ଗୋଡ଼େ ଗୋଡ଼େ ଡାକ୍ତର, ଛିଙ୍କିଲେ କି କାଶିଲେ ଔଷଧ । କଫ ବାହାରିଲେ ଇଞ୍ଜେକ୍‌ସନ୍, ଔଷଧ । ଡାକ୍ତର ଛଡ଼ା ଏମିତି ସେବା ଯତ୍ନ କିଏ କରିବ ? ଆମେ ତ ହତଭାଗା ।’

 

ସଂଜୟକୁ କିଏ ଜୋରରେ ଠେଲିଦେଲା । ସେ ଚମକି ପଡ଼ିଲା । ଇଏ ସନା ବେହେରା କହୁଥିଲା ନା ଆଉ କେହି ?

 

ସେ କହିଲା, “ତମେ ଯାଅ । ଡାକ୍ତର ଆଉ ଆସିବେ ନାହିଁ ।”

 

: ଆଁ, ଆସିବେ ନାଇଁ ! ତାହାହେଲେ, ବୁଢ଼ାବାବୁ ଭଲ ହୋଇଗଲେ । ହଉ, ହଉ । ମୋତେ ସେଇ ଔଷଧରୁ ଆଉ ଦିଇଟା ଦେଲ ବାବୁ । –ସନା ବେହେରା ହାତ ବଢ଼େଇ କହୁଥିଲା ।

 

ସଂଜୟ ବ୍ୟତିବ୍ୟସ୍ତ ହୋଇପଡ଼ୁଥିଲା । ତା’ର ଇଚ୍ଛା ହେଉଥିଲା, ସେ ବଡ଼ପାଟିରେ ଚିତ୍କାର କରି କହନ୍ତା, “ତୁ ସନା ବେହେରା ଏଠୁ ତୁରନ୍ତ ପଳା । ନହେଲେ ମୁଁ ତୋର ତଣ୍ଟି ଚିପି ମାରିଦେବି । ତୁ ଭିକାରି, କାଙ୍ଗାଳିଆ; ତୁଚ୍ଛା ଭିଟାମିନ୍‌ ଓ ଟାଇମ୍‌ ଗଡ଼ିଥିବା ଔଷଧ ଖାଇ ଚେଙ୍ଗା ହେଉଛୁ । ମୋ ବାପାଙ୍କୁ ମୁଁ ଡାକ୍ତର, ନର୍ସିଂହୋମ୍‌, ଦାମୀ ଔଷଧ ସତ୍ତ୍ୱେ ବଞ୍ଚେଇ ପାରିଲି ନାହିଁ । ତୁ ମୋତେ ଖାଲି ଭଣ୍ଡେଇଛୁ । ମିଛ କହିଛୁ । ମୋ ବାପା କେବେ ମୋର ପ୍ରଶଂସା କରି ନଥିବେ । ସେ ଜାଣିଥିଲେ ମୁଁ କେମିତି ତାଙ୍କୁ ହତାଦର କରେ । ମୁଁ ମାଗଣା ଔଷଧଗୁଡ଼ା ଆଣି ତାଙ୍କୁ ଭଣ୍ଡିଦିଏ-। ସ୍ନେହ, ଆଦର ଦିଏ ନାହିଁ । ମୋପାଇଁ ମୋ ଘର, ମୋ ଚାକିରି, ମୋର ସ୍ତ୍ରୀ ଆଉ ମୋ କ୍ୟାରିଅର୍ ବଡ଼ । ମୁଁ ଓ ମୋର ପୃଥିବୀରେ ଗୋଟେ ବୁଢ଼ାଲୋକର ସ୍ଥାନ ନଥିଲା । ତୁ ଯାହା ସବୁ କହିଛୁ ମିଛ । ନିଜ ମତଲବ ପାଇଁ, ମାହାଳିଆ ଔଷଧପାଇଁ, ମାଗଣା ଡାକ୍ତରଦେଖା ପାଇଁ-।”

 

ତା’ ଭିତରେ କ୍ରୋଧ ଏବଂ ଆକ୍ରୋଶର ଶବ୍ଦ ତତଲା ବାଲିରେ ଖଇ ଫୁଟିବା ପରି ଫୁଟୁଥିଲା; କିନ୍ତୁ କୌଣସି ଗୋଟିଏ ଶବ୍ଦ ବାହାରକୁ ଆସିପାରୁ ନଥିଲା ।

 

ସନା ବେହେରା ସେମିତି ମୂର୍ତ୍ତିଟେ ପରି ହାତ ବଢ଼େଇ ଛିଡ଼ା ହୋଇଥିଲା । ସଂଜୟକୁ ସେଇ ଲୋକଟାର ଦୁର୍ବଳ ଏବଂ ଦୟନୀୟ ଚେହେରା ଗୋଟେ ଭୟଙ୍କର ମୂର୍ତ୍ତି ପରି ମନେ ହେଉଥିଲା ।

 

ସେ ବଡ଼ପାଟିରେ ଚିତ୍କାର କଲା, “ପଳା, ପଳା ଏଠୁ । ଡାକ୍ତର ଆସିବେ ନାହିଁ । ଆଜି ଆସିବେ ନାହିଁ, କାଲି ଆସିବେ ନାହିଁ । କୌଣସି ଦିନ ଆସିବେ ନାହିଁ । ପଳା, ପଳା ।”

☆☆☆

 

ସୁନାହାର

 

କାହାର ନିଦ ସକାଳର କୁଆ କା କା ଶୁଣି ଭାଙ୍ଗୁଥିବ ସିନା ରଘୁନାଥର ନିଦ କିନ୍ତୁ ତା’ର ମାଆ ଏବଂ ସ୍ତ୍ରୀର ଝଗଡ଼ା ଶୁଣି ଭାଙ୍ଗେ । ସମୟେ ସମୟେ ସେ ଝଗଡ଼ା କୁଣ୍ଡାଝଡ଼ା ବର୍ଷା ପରି ଥାଏ ଏବଂ ସେହି କାରଣରୁ ରଘୁନାଥ ଗାଲେଇ ଶୋଇପଡ଼େ । ମାତ୍ର ସବୁଦିନେ ସେ ସୁଯୋଗ ତା’ର ନଥାଏ । ଯେମିତି ଆଜି । ହଠାତ୍‌ କେଉଁଠି କିଏ ଶଗଡ଼େ କଂସାବାସନ ଚଟାଣରେ କଚାଡ଼ି ଦେଲା ପରି ଝଣଝାଣ ଶବ୍ଦ ତା’ ଆଖିରୁ ସବୁତକ ନିଦ ପୋଛିପାଛି ଛଡ଼େଇନେଲା । ସେ ରୋଷେଇଘର ମୁହାଁ ଧାଇଁଲା । କାରଣ ସପ୍ତାହର ସାତଦିନ ଭିତରୁ ଅନ୍ୟୂନ ପାଞ୍ଚଦିନର କଳିକଜିଆ ସେଇ ଜାଗାରେ ଲାଗୁଥିଲା ।

 

ରଘୁନାଥର ସାନପୁଅ ଦାଣ୍ଡଘରେ ବସି ଟିଭି ଦେଖୁଥିଲା । “ଏତେ ସକାଳୁ ସକାଳୁ କାହିଁକି ଟିଭି ଦେଖୁଛୁ” ବୋଲି କହି ରଘୁନାଥ ଟିଭିର ସ୍ୱିଚ୍‌ଟା ବନ୍ଦ କରିବାକୁ ଯାଉଥିଲା । ମାତ୍ର ଇପ୍ସିତ କହିଲା, ‘ମାଆ ଦେଖୁଥିଲା’ ଓ ତା’ପରେ ମୁହଁ ବୁଲେଇ ନେଲା । ହୁଏତ, ରଘୁନାଥର ଅସହାୟତାକୁ ସାମାନ୍ୟ ଦୟା କଲା କି କ’ଣ ! ହୋଇଥିବ, କାନରେ ବାଜିଲା ସକାଳ ଖବରର ଦିଇଟା ବାକ୍ୟ । ଇସ୍ରାଏଲ୍‌ର ବୋମାମାଡ଼ରେ ଲେବାନନର ଦିଇଟି ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ହଜାର ହଜାର ଲୋକ ବାସହରା । ଲେବାନନରେ ଥିବା ଅନ୍ୟ ଦେଶର ଲୋକମାନେ ପ୍ରାଣ ବିକଳରେ ସେଠୁ ପଳେଇ ଆସିବା ଲାଗି ବିମାନବନ୍ଦରରେ ଭିଡ଼ ଲଗାଇଛନ୍ତି ।

 

: ଦେଲୁ, ଦେଲୁ । ସେଇ ଚ୍ୟାନେଲ୍‌ଟା ଆଉଥରେ ଦେଲୁ–ରଘୁନାଥ ଇପ୍ସିତକୁ କହିଲା । ଇପ୍ସିତ ଉଦ୍ଦେଶ୍ୟହୀନଭାବେ ରିମୋଟ୍‌ର ସ୍ୱିଚ୍‌ଗୁଡ଼ିକୁ ଟିପି ଚ୍ୟାନେଲ୍‌ ବଦଳଉଥିଲା, ଯଦିଓ ରଘୁନାଥ ଜାଣେ ସିଏ ପ୍ରକୃତରେ କାର୍ଟୁନ୍‌ ଚ୍ୟାନେଲ୍ ଦେଖିବାପାଇଁହିଁ ଅବକାଶ ଖୋଜୁଥିଲା । ଏବେ ବାପା କଥା ମାନି ସେ ପୁଣି ନ୍ୟୁଜ୍‌ ଚ୍ୟାନେଲ୍‍କୁ ଫେରିଆସିଲା ।

 

ଲେବାନନର ନୀଳ ଆକାଶକୁ ପ୍ରଚଣ୍ଡ କଳାଧୂଆଁର ବାଦଲ ଢାଙ୍କି ପକଉଛି । ସେଇ ପ୍ରକାର ଚିତ୍ର ଟିଭି ପରଦାକୁ ଆବୋରି ବସୁଛି, ଯେଉଁ ପ୍ରକାରର ଚିତ୍ର ହିରୋସୀମା ଆଉ ନାଗାସାକୀର ପରମାଣୁ ବୋମା ବିସ୍ଫୋରଣ ବର୍ଣ୍ଣିତ ଅଧ୍ୟାୟରେ ସେ ଇତିହାସ ବହିରେ ଦେଖିଥିଲା-। କେବଳ ଧୂଅଁ ଆଉ ଧୂଆଁ । ସେ ଧୂଆଁ ଲେବାନନର ଜନପଥ ଡେଇଁ ନାଗରିକମାନଙ୍କର ଘରର ଝରକା କବାଟ ଓ ଜଳାକବାଟ ଭେଦି ଭିତରକୁ ପଶି ଯାଉଛି ଆତତାୟୀର ହାତ ପରି ଏବଂ କ୍ରମେ ସେ ହାତଗୁଡ଼ିକ ରକ୍ତ ଜୁଡ଼ୁବୁଡ଼ୁ ହୋଇପଡ଼ୁଛି । ତା’ ଭିତରେ ହଜିଯାଉଛି ହାହାକାର, ଅଭିଶାପ ଓ ଲହରେଇଥିବା କାନ୍ଦଣା । ରଘୁନାଥ ସ୍ତବ୍ଧ ହୋଇଗଲା । ଡାକ ପକାଇଲା, ‘ବନ୍ଦନା ଦେଖିଲଣି-!’

 

ମୁହୂର୍ତ୍ତକ ଲାଗି ଶାଶୁଙ୍କ ସହ ଝଗଡ଼ାର ପ୍ରସଙ୍ଗକୁ ପଛରେ ପକେଇଦେଲା ଅଧ୍ୟାପିକା ବନ୍ଦନାର ଆନ୍ତର୍ଜାତିକ ଚେତନା । ‘ମୁଁ ସେଇଟା ପରା ଦେଖୁଥିଲି । କି ଦାରୁଣ ଘଟଣା ! ହଜାର ହଜାର ଲୋକ ଆଖିପିଛୁଳାକେ ବାସହରା ହୋଇପଡ଼ୁଛନ୍ତି । ଜୀବନଯାକର ଅର୍ଜିତ ଧନ ସମ୍ପତ୍ତି ପୋଡ଼ି ପାଉଁଶ ହେଇଯାଉଛି ନିମିଷକରେ ।’

 

: ଅଥଚ ମଣିଷ ସବୁଠାରୁ ସମ୍ବେଦନଶୀଳ ପ୍ରାଣୀ ବୋଲି ଦାବି କରେ । –ରଘୁନାଥ କହିଲା ।

 

: କି ସମ୍ବେଦନା ? ବାଗଦାଦ୍‌ ପୋଡ଼ି ପାଉଁଶ ହେଇଗଲା । ପ୍ରତିଦିନ ଜଳୁଛି କାଶ୍ମୀର । ଏବେ ବିରୁଟ୍‌ । ଅଦ୍ଭୁତ ପ୍ରାଣୀ ଏ ମଣିଷ ! କେଉଁଠି ଶାନ୍ତି ନାହିଁ । ବନ୍ଦନା ଜାଣି ଜାଣି ‘ଶାନ୍ତି’ ଶବ୍ଦଟା ଉପରେ ଅଧିକ ଗୁରୁତ୍ୱ ଦେଉଥିଲା ।

 

ରଘୁନାଥର ଗୋଟିଏ ଆଖି ଟିଭି ପରଦା ଉପରେ ଥିଲା ଓ ଆର ଆଖି ତା’ ମାଆ ଉପରେ । ଏହା ଭିତରେ ଇପ୍ସିତ ମେଲାଘରୁ ଯାଇ ତା’ ପଢ଼ା ଟେବୁଲ ପାଖରେ ବସି ସାରିଲାଣି । ମାଆ ବସିଛି ତା’ ଶୋଇବାଘରେ ।

 

ପ୍ରକୃତରେ ମାଆର ଶୋଇବା ଘର ବୋଲି ସ୍ୱତନ୍ତ୍ର ଘରଟେ ନାହିଁ । ସେଇଟା ତାଙ୍କ ପରିବାରର ଭଣ୍ଡାର ଘର । କୁଣିଆ ମଇତ୍ର କିଏ ଆସିଲେ, ସେଇଠି ତାଙ୍କ ଜିନିଷପତ୍ର ରଖନ୍ତି । ଘରଟାର ଚଉଠେ ଜାଗା ସ୍ଥାୟୀ ଭାବରେ ଅଧିକାର କରିଥାନ୍ତି ମାଆର ଠାକୁରଠାକୁରାଣୀମାନେ । ମାଆ ଆଗରୁ ଅଭିଯୋଗ କରୁଥିଲା । ତା’ ଶୋଇବା ଘରଟାରେ ଚାଉଳ, ଚୁଡ଼ା, ଡାଲି ଓ ଆଳୁ କାହିଁକି ରଖାଯାଉଛି ବୋଲି କହୁଥିଲା । ମାତ୍ର ତାକୁ ବୁଝେଇ ଦିଆଗଲା ଯେ, ଆଗରୁ ବାପା ଥିଲାବେଳେ ସେ ଯେଉଁ ଜାଗାରେ ରହୁଥିଲେ ସେଇ ଜାଗାରେ ରହୁଛି ପରିବା, ଚାଉଳ ଓ ଡାଲି । ମାଆ ଆଗରୁ ଯେମିତି ଓ ଯେତିକି ଜାଗାରେ ରହୁଥିଲା ଏବେ ସେମିତି ଓ ସେତିକି ଜାଗାରେ ରହିବାରେ ତେଣୁ କିଛି ସମସ୍ୟା ନାହିଁ ।

 

ତା’ ସତ୍ତ୍ୱେ ସେ ଅଭିଯୋଗ କରୁଥିଲା । ମଝିରେ ମଝିରେ ଖୁଡ଼୍‍ଖାଡ଼୍ ଶବ୍ଦରେ ନିଦ ଭାଙ୍ଗିଗଲେ ସେ ଗୁଣୁଗୁଣୁ ହୋଇ କ’ଣ କହୁଥିଲା ।

 

ଲେବାନନ ଖବର ସରିଗଲା । ବନ୍ଦନା ମନେପକେଇବା ପରି କହିଲା, “ଶୁଣ, ତୁମକୁ କହିବି ନାହିଁ ବୋଲି ଭାବୁଥିଲି । ମାତ୍ର ମୁଁ ଆଉ ପାରୁ ନାହିଁ । ତୁମେ ତୁମ ମାଆଙ୍କର କିଛି ଗୋଟାଏ ବ୍ୟବସ୍ଥା କର । ନହେଲେ ମୋତେ କହିଦିଅ, ମୁଁ ପୁଅକୁ ନେଇ ବ୍ରହ୍ମପୁର ଚାଲିଯିବି ।”

 

ରଘୁନାଥ କିଛି କହିଲା ନାହିଁ । କାରଣ ଏ ପ୍ରସ୍ତାବର କୌଣସି ସନ୍ତୋଷଜନକ ଉତ୍ତର ତା’ ପାଖେ ନଥିଲା ।

 

ରଘୁନାଥ ଦି’ ଭାଇ । ଗୋଟେ ଭାଇ ରହେ ଜୟପୁରରେ ଏବଂ ସେ ଭୁବନେଶ୍ୱରରେ । ରଘୁନାଥ ବଡ଼ । ସେ ଓ ତା’ର ପତ୍ନୀ ଦିହେଁ ଚାକିରି କରୁଛନ୍ତି । ସାନଭାଇ ଜୟପୁରର ଗୋଟେ ଠିକାଦାରି ସଂସ୍ଥାରେ କ୍ଲର୍କ ଅଛି । ତା’ର ରୋଗିଣା ସ୍ତ୍ରୀ ଓ ଦିଇଟି ପିଲା । ଉପାର୍ଜନ କମ୍‌ । ତା’ ସତ୍ତ୍ୱେ ବାପା–ମାଆ ମଝିରେ ମଝିରେ ସେଠାକୁ ଯାଉଥିଲେ । ଗତବର୍ଷ ରଘୁନାଥର ବାପାଙ୍କ ଦେହ ଭୀଷଣ ଖରାପ ହେଲା । ରଘୁନାଥ ଯାଇ ବାପା, ମାଆଙ୍କୁ ଭୁବନେଶ୍ୱର ନେଇ ଆସିଥିଲା । ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ବାପା ବଞ୍ଚିଲେ ନାହିଁ । ଗଲାବର୍ଷ ମେ ମାସରେ ତା’ ବାପା ଚାଲିଗଲେ ଓ ରଘୁନାଥ ବାପଛେଉଣ୍ଡ ହୋଇଗଲା । ତା’ ପରଠାରୁ ମାଆ ତା’ ପାଖରେ ଅଛି ।

 

ବନ୍ଦନା ଓ ମାଆ ଦିହିଁଙ୍କ ଭିତରୁ କିଏ ଭଲ ଆଉ କିଏ ଖରାପ ପଚାରିଲେ ରଘୁନାଥ କିଛି କହିପାରିବ ନାହିଁ । ଗୋଟେ ଭଲ ଓ ଗୋଟେ ଖରାପ ଭିତରୁ ଗୋଟିକକୁ ବାଛିବା ସହଜ; କିନ୍ତୁ ଦିଇଟା ଭଲ ଭିତରୁ ଗୋଟାକକୁ ବାଛିବା କଷ୍ଟ । ପୁଣି ଏ ଦିହେଁ କ’ଣ ପରିବା ଦୋକାନର କଖାରୁ କି ଲାଉ ହେଇଛନ୍ତି ଯେ ସେ ଗୋଟିକକୁ ଦୋକାନରେ ଛାଡ଼ି ଆରଟିକୁ ଧରି ଚାଲି ଆସିବ ।

 

ବେଶ୍‌ କିଛିଦିନ ହେଲା ରଘୁନାଥ ଏମିତି ଏକ ପରିସ୍ଥିତିକୁ ଅପେକ୍ଷା କରୁଥିଲା । ଏହା ଆଗରୁ ଏଭଳି ସ୍ପଷ୍ଟ ଶବ୍ଦରେ ବନ୍ଦନା ତା’ କଥା କହି ନଥିଲେ ସୁଦ୍ଧା, ତା’ର ଆଚରଣ ଓ ହାବଭାବରେ ସେ ଏହିକଥାହିଁ କହୁଥିଲା । ମାତ୍ର ଏଭଳି ସ୍ପଷ୍ଟ ଶବ୍ଦରେ ସେ କଥାଟା କହିଦେବ ବୋଲି ରଘୁନାଥ ଭାବି ନଥିଲା ।

 

ସେ ଭାବିଲା, ଅଧାରୁ ଅଧିକ ଭାରତୀୟ ପରିବାରରେ ଏହି ସମସ୍ୟା । ପଶ୍ଚିମ ଦେଶ ଆଉ ଭାରତ ଭିତରେ ଇଏ ଗୋଟିଏ ବଡ଼ ପାର୍ଥକ୍ୟ । ସେ ଦେଶରେ ମଣିଷ ବଡ଼ ହେବା ଦିନୁ ଅଲଗା ରହିବାର ଅଭ୍ୟାସ କରେ । ତେଣୁ ବାପା–ମାଆ ଅଲଗା ହୋଇ ରହିଲେ ପୁଅକୁ କି ଝିଅକୁ କେହି ଦୋଷ ଦିଅନ୍ତି ନାହିଁ କିମ୍ବା ପୁଅ ଝିଅମାନେ ଗ୍ଳାନିବୋଧ କରନ୍ତି ନାହିଁ । ମାତ୍ର ‘ବସୁଧୈବ କୁଟୁମ୍ବକମ୍‌’ ବୋଲି କହୁଥିବା ଭାରତ ଗୋଟିଏ ଅଦ୍ଭୁତ ମାନସିକତାର ଦେଶ । ବୁଢ଼ା ବାପା–ମାଆଙ୍କୁ ପୁଅବୋହୂ ପାଖରେ ରଖିବାପାଇଁ ଚାହାନ୍ତି ନାହିଁ । ଲୋକାଚାର ଭୟରେ ନା ସେମାନଙ୍କୁ ତଡ଼ି ଦେଇପାରନ୍ତି ନା ସେମାନେ ଆଉ କୁଆଡ଼କୁ ଯାଇପାରନ୍ତି । ସେତିକି ଆର୍ଥିକ ସ୍ୱଚ୍ଛଳତାବି ନଥାଏ ଅନେକଙ୍କର । ତା’ ସାଙ୍ଗକୁ ଅଦ୍ଭୁତ ପ୍ରକାର ମାୟା । ଗାଳି ଶୁଣନ୍ତୁ, ମାଡ଼ ଖାଆନ୍ତୁ, ଯେତେ ଯାହା ହଇରାଣ ହୁଅନ୍ତୁ ପଛକେ ବୁଢ଼ା ବାପା–ମାଆ ସେମାନଙ୍କ ପିଲାଙ୍କୁ ଛାଡ଼ି ଯାଆନ୍ତି ନାହିଁ । ସମାଜବିଜ୍ଞାନର ଅଧ୍ୟାପିକା ବନ୍ଦନା ଏସବୁ ଜାଣେ । ତା’ ସତ୍ତ୍ୱେ କେମିତି ସେ ଏମିତି ରୋକ୍‌ଠୋକ୍‌ କହିପାରିଲା ଏକଥା ? –ରଘୁନାଥ ବିଚଳିତ ହୋଇପଡ଼ିଲା ।

 

ମେଲାଘରୁ ଉଠି ତା’ ମାଆ ପାଖକୁ ଗଲା । ମା’ ବନ୍ଦନାର ସବୁ କଥା ଶୁଣିସାରିଥିଲା । ସେ ସୁଁ ସୁଁ ହୋଇ କାନ୍ଦୁଥିଲା ଏବଂ ତା’ର ବ୍ୟବହାର୍ଯ୍ୟ ଜିନିଷ ସବୁ ଗୋଟିଆଗୋଟି କରି ବଡ଼ ଝୁଲାଟିରେ ଭର୍ତ୍ତି କରୁଥିଲା । ରଘୁନାଥ ଏ ଦୃଶ୍ୟ ଦେଖି ବିକଳ ହୋଇ ପଡ଼ିଲା । ସେଇ ମୁହୂର୍ତ୍ତରେ ତା’ର ସତୁରିବର୍ଷର ମାଆ ତାକୁ ଜଣେ ଅପରିଚିତ ନିଆଶ୍ରୀ ବୁଢ଼ୀ ପରି ଦିଶିଲା–ଯାହାର ସ୍ୱାମୀ ନାହିଁ, ପିଲାମାନେ ଥାଇ ନଥିଲା ପରି ।

 

ରଘୁନାଥ କ’ଣ କରିବ ? ପାଞ୍ଚ ବଖରାର ଘର, ସ୍ୱାମୀ–ସ୍ତ୍ରୀ ଉଭୟେ ଉପାର୍ଜନ କରୁଛନ୍ତି-। ଖୁବ୍‌ ସ୍ୱଚ୍ଛଳ ନହେଲେବି ତା’ ପରିବାର ଅଭାବୀ ନୁହେଁ । କିଛି ଧାର କରଜ ରହିଛି ସତ, ହେଲେ କାହାର କରଜ ନାହିଁ ? ବାପା ଚାଲିଗଲେଣି । ମାଆର ବା ଆଉ କେତେଟା ବର୍ଷ ? ଅଥଚ ବନ୍ଦନା କହୁଛି, ଶାଶୁଙ୍କ ସାଙ୍ଗେ ଚଳିପାରିବ ନାହିଁ ! ସାନଭାଇ ଘରକୁ ମାଆ ହୁଏତ ଚାଲିଯିବ । କିନ୍ତୁ ସେଠି ମାଆର ଚିକିତ୍ସା ହୋଇପାରିବ ନାହିଁ । ତା’ର ଭାରି ଟାଣଟୁଣା ସଂସାର । ତା’ର ସ୍ତ୍ରୀ ରୋଗିଣା-। ସେ ନିଜ କାମ ନିଜେ କରିପାରୁ ନାହିଁ । ଶାଶୁଙ୍କ କଥା କେମିତି ବୁଝିବ ? ତା’ଛଡ଼ା ଆଉ ଗୋଟିଏ କଥାବି ରଘୁନାଥକୁ କଷ୍ଟ ଦେଉଥିଲା । ଯଦି ସେ ତା’ ବାପା–ମାଆଙ୍କର ଗୋଟିଏ ପୁଅ ହୋଇଥାଆନ୍ତା ତାହାହେଲେ ତା’ ମାଆ ଏବେ ଯାଇ କୋଉଠି ରହନ୍ତା ?

 

ସେତେବେଳେ ଜଣେ ବଡ଼ ଅଫିସରଙ୍କ କଥା ତା’ର ମନେ ପଡ଼ିଲା । ପ୍ରତିଦିନ ସମସ୍ୟା ଦେଖାଦେବାରୁ ସେ ଭଦ୍ରଲୋକ ତାଙ୍କ ଅଫିସ୍‌ର ଜଣେ ଅଧସ୍ତନଙ୍କ ଘରେ ନିଜ ମାଆଙ୍କୁ ରଖେଇବାର ବନ୍ଦୋବସ୍ତ କରିଛନ୍ତି । ମାଆଙ୍କପାଇଁ ଖର୍ଚ୍ଚ ବାବଦକୁ ମାସକୁ ମାସ ଟଙ୍କା ଦେଉଛନ୍ତି ନିଜ ଦପ୍ତରର ପିଅନଟିକୁ । ରଘୁନାଥ ସେ କଥା ଭାବି ଶିହରି ଉଠିଲା । ସେଇ ସହରରେ ମାଆ ରହୁଥିବ ଆଉ ଜଣକ ଆଶ୍ରୟରେ ଏବଂ ପୁଅବୋହୂ ରହୁଥିବେ ନିଜ ଘରେ । ଏଥିରେ ମନ କେମିତି ନିଜକୁ ବୁଝେଇବ ? କେମିତି କ୍ଷମା ଦେବ ନିଜର ବିବେକ ?

 

ବନ୍ଦନାର ବଡ଼ ଅଭିଯୋଗ, ରଘୁନାଥଙ୍କ ମାଆ ମୂର୍ଖ । ସବୁ ଜିନିଷ ଓଲଟାପାଲଟା ବୁଝି ସମସ୍ୟା ବଢ଼ଉଛନ୍ତି । କେତେବେଳେ ଗ୍ୟାସ୍‌ ସିଲିଣ୍ଡର ଖୋଲା ଛାଡ଼ି ଦେଉଛନ୍ତି ତ କେତେବେଳେ ଫ୍ରିଜ୍‌ କବାଟ ମେଲା । ରାସ୍ତାରେ ଯାଉଥିବା ବୁଲାବିକାଳିଗୁଡ଼ାଙ୍କୁ ଘରକୁ ଡାକିଆଣି ଘଣ୍ଟା ଘଣ୍ଟା ଗପୁଛନ୍ତି । ସେଦିନ ଜଣେ ଭଣ୍ଡ ବାବାଜିକୁ ଆଣି ମେଲାଘରେ ବସେଇଥିଲେ । କୋଉଦିନ କୋଉ ଚୋର, ଡକେଇତ ଆସି ଏ ଘରୁ ସବୁ ଲୁଟିନେବ । ତା’ ସାଙ୍ଗକୁ ତା’ ପିଲାଙ୍କ ଜୀବନ । ବନ୍ଦନା ଘଟଣାଟିକୁ ଯେତିକି ଉଚ୍ଚକୁ ନେବା ସମ୍ଭବ ସେତିକି ଉଚ୍ଚକୁ ନେଇ ଛାଡ଼ିଦିଏ ।

 

ରଘୁନାଥ ତା’ ମାଆ ଉପରେ ବିଗିଡ଼େ । ମାଆ କହେ, ‘ମୁଁ ତ ଜମା ପାଠ ପଢ଼ିନାହିଁ । ମୋ ବାପା ମରିଯିବାରୁ ଭାଇମାନେ ପଢ଼େଇଲେ ନାହିଁ । ତୋ ବାପା କଲିକତା ଇଟାଖୁଲାରେ କାମ କଲେ । ସେ ବଙ୍ଗଳା ରାଜ୍ୟର ଭାଷା ମୁଁ ବୁଝିପାରିଲି ନାହିଁ କି ଶିଖି ପାରିଲି ନାହିଁ । ତମର ଏଠି ସବୁ ନୂଆ ନୂଆ ଜିନିଷ । ମୋତେ ବୁଝିବାକୁ ସମୟ ଲାଗିବ ।’

 

ତା’ ମାଆ ଭୁଲ୍‌ କହୁ ନଥିଲା । ଗରିବ ଘରର ଝିଅ । ପିଲାଦିନୁ ବାପ–ମା’ଛେଉଣ୍ଡ । ଭାଇମାନେ ପଢ଼େଇଲେ ନାହିଁ । ସେତେବେଳେ କେଉଁଠି ଗାଁ ଗହଳରେ ସ୍କୁଲ୍‍ ଥିଲା, ଝିଅମାନେ କେଉଁଠି ପାଠ ପଢ଼ୁଥିଲେ ? ତା’ ବାହାଘରବି ସମ୍ଭବ ହୋଇ ନଥାଆନ୍ତା । ରଘୁନାଥର ମୃତଦାର ବାପା ଦ୍ୱିତୀୟ ବିବାହ କରିବାରୁ ତା’ ମାଆ ବିନା ଯୌତୁକରେ ବାହା ହୋଇ ପାରିଥିଲେ ।

 

ସେ ସେଇକଥା ବନ୍ଦନାକୁ କହେ ।

 

ବନ୍ଦନା ବୁଝିବା ବଦଳରେ ମୁହଁ ମୋଡ଼ି ଦେଇ କହେ, “ସେଇ ଗରିବପଣିଆ ତାଙ୍କ ମୁଣ୍ଡ ଭିତରେ ବସା ବାନ୍ଧିଛି । ପିଲାଦିନେ ସୁନା, ରୁପା ପିନ୍ଧି ପାରି ନାହାନ୍ତି ବୋଲି ଏବେ ଏ ବୁଢ଼ୀ ବୟସରେ ଡହଳବିକଳ ହଉଛନ୍ତି । ସେଦିନ ପରା କହୁଥିଲେ, ରଘୁ କହିଛି ମୋତେ ଗୋଟେ ସୁନାହାର ଆଣିକି ଦେବ । ଘର ଖର୍ଚ୍ଚପାଇଁ ତ ଟଙ୍କା ଦେଇପାରୁନ, ନିଜ ମାଆଙ୍କପାଇଁ ସୁନାହାର ଗଢ଼ିବା ଲାଗି କୋଉଠୁ ଆଣୁଛ ? ସେକ୍ରେଟାରିଏଟ୍‌ରେ ଟଙ୍କା ଲଗାଣ ବେପାର କଲଣି କି ?”

 

ରଘୁନାଥ ଭୟରେ ଏତେଟିକେ ହୋଇଯାଇଥିଲା । ତା’ ମାଆ ତାକୁ ଅନେକ ଦିନ ହେଲା କହିଥିଲା, ଗୋଟେ ସୁନାହାର ଦେବୁ । ଏଇ ହଳଦିଆ ପଦାର୍ଥ ‘ସୁନା’ପାଇଁ ସ୍ତ୍ରୀଲୋକମାନଙ୍କର କାହିଁକି ଏତେ ମୋହ କିଏ ଜାଣେ ? ବନ୍ଦନାର ଅଭିଯୋଗ ସତ । ତା’ ବାପା ଦରିଦ୍ର ଥିଲେ; ତାଙ୍କ ଜୀବନକାଳ ଭିତରେ ନିଜ ସ୍ତ୍ରୀକୁ ଖଣ୍ଡିଏ ସୁନା ଗହଣା ଗଢ଼ିଦେଇ ପାରି ନଥିଲେ । ବରଂ ସ୍ତ୍ରୀ ବାହାହୋଇ ଆସିବାବେଳେ ଯେଉଁ ଏକମାତ୍ର ଗହଣା କାନଫୁଲ ହଳକ ଆଣିଥିଲା ତାକୁ ପ୍ରଥମେ ବନ୍ଧା ପକେଇ ପଛକୁ ବିକି ଦେଇଥିଲେ । ଊଣେଇଶ ଏକସ୍ତରି ବାତ୍ୟା ପରେ ନିଜର ସ୍ତ୍ରୀ ଓ ପିଲା ଦିହିଁଙ୍କୁ ଭାତ କି ରୁଟି ଦେବା କଷ୍ଟକର ହୋଇପଡ଼ିଥିଲା । ସେଇ ଧକ୍କାରେ ଜମି ବିକା ହେଲା, ବିକାଗଲା ଗାଈ ବଳଦ । ସ୍ତ୍ରୀର କାନଫୁଲ ହଳକ ବା କେମିତି ରହିଥାନ୍ତା ?

 

କିନ୍ତୁ ତାକୁ ସୁନାହାରଟେ ପାଇଁ କହିଥିବା କଥା ମାଆ ବନ୍ଦନାକୁ କହୁଥିଲା କାହିଁକି ? ସେ ପୁଣି ତା’ ମା’ ଉପରେ ରାଗିଗଲା । ମନେମନେ ସ୍ଥିର କରିଥିଲା, ‘ସୁନାହାର କଥାଟାକୁ ସେ ପୁଣି କିଛି ବର୍ଷ ଗଡ଼େଇଦେବ । ସେଇ ହେବ ତା’ ମାଆର ଅସାବଧାନତାର ଉପଯୁକ୍ତ ଶାସ୍ତି ।’

 

କିନ୍ତୁ ରଘୁନାଥ ଜାଣେ ନାହିଁ, ତା’ର ସ୍ତ୍ରୀ କି ବଡ଼ଝିଅ ଗୋଟାକୁ ଗୋଟା ସୁନା ଜିନିଷ ପିନ୍ଧିବାବେଳେ ଫୁଙ୍ଗୁଳା ବେକ ହାତର ତା’ ମାଆ କେମିତି ଘର କୋଣରୁ ଲୋଭିଲା ଆଖିରେ ଚାହେଁ । ସେ ବୁଝେ ନାହିଁ, ଏବେ ସେ ବିଧବା ନାରୀ । ଏ ଦେଶର ବିଧବା ନାରୀ ଗୋଟେ ଲକ୍ଷ୍ମୀଛଡ଼ା ଜୀବ । ତା’ ଦେହକୁ ଭଲ ଶାଢ଼ି କି ଭଲ ଗହଣା ସାଜେ ନାହିଁ । ମାତ୍ର ସେ ବିକଳ ହୋଇ ଚାହେଁ । ଏଇ ଯେ ତା’ର ଫୁଙ୍ଗୁଳା ବେକ, ହାତ, କାନ ଓ ନାକ–ଥରୁଟେ ଲାଗି ସୁନା ଜିନିଷର ଛୁଆଁ ପାଇଲେ ନାହିଁ, ସେଇଆ ଭାବି ସାନପିଲାଟେ ପରି ଡହଳବିକଳ ହୁଏ । ରଘୁନାଥ ସେକଥା ଜାଣିପାରେ । କିନ୍ତୁ କିଛି କହିପାରେ ନାହିଁ । ଥରେ ଦି’ଥର ଏକଥା ସେ ଉଠେଇଥିଲା । ବନ୍ଦନା ହିସାବ ମାଗିଲା । କହିଲା, ଘର ଋଣ ପାଞ୍ଚଲକ୍ଷ ମୁଣ୍ଡ ଉପରେ, ଝିଅ ଇଞ୍ଜିନିୟରିଙ୍ଗ ପଢ଼ିବାକୁ ଯାଇଛି ଯେ ତା’ପାଇଁ ବର୍ଷକୁ ବର୍ଷ ଦେଢ଼ଲକ୍ଷ ଟଙ୍କା ଖର୍ଚ୍ଚ, ପୁଣି ଇପ୍ସିତର ପଢ଼ା ଓ ଟିଉସନ୍‌ । ମାସର କୋଡ଼ିଏ ତାରିଖବେଳକୁ ଗ୍ୟାସ୍‌ ସିଲିଣ୍ଡର ଆସିଲେ ଧାର ଉଧାର କରିବାକୁ ପଡ଼ୁଛି । ୟାଙ୍କର ବୁଢ଼ୀଙ୍କପାଇଁ ସୁନାଗହଣା କିଣା ଜରୁରି ହେଇପଡ଼ୁଛି । ଜାଣିଛ, ଗୋଟେ ଲୋକ ପିଛା କେତେ ଖର୍ଚ୍ଚ ? ତା’ ସାଙ୍ଗକୁ ତାଙ୍କର ପ୍ରତି ସପ୍ତାହରେ ଡାକ୍ତର, ଔଷଧ ଦରକାର ।

 

ରଘୁନାଥ କହେ, “ସିଏ ମୋ ମା’ ।”

 

ବନ୍ଦନା ଜବାବ ଦିଏ, “ଦଶବର୍ଷ ବିତିଲା ତମ ବାପାଙ୍କୁ ସମ୍ଭାଳି ସମ୍ଭାଳି । ତା’ ଆଗରୁ ତମ ଭାଇଙ୍କ ଜଞ୍ଜାଳ ଥିଲା । ଏବେ ତମ ମାଆଙ୍କ ଜଞ୍ଜାଳ । ଏହା ଭିତରେ ମୋର ଜୀବନ କାହିଁ ? ମୋ ପିଲାଙ୍କ କଥା ବୁଝିବାକୁ ବେଳ କାହିଁ ?”

 

ରଘୁନାଥ ଆଉ କିଛି କହେ ନାହିଁ । କହେ ନାହିଁ ଯେ ତା’ ପୁଅ–ଝିଅ ସାନ ଥିବାବେଳେ କେମିତି ତା’ର ମାଆ ବନ୍ଦନାପାଇଁ ସବୁଠୁ ପ୍ରୟୋଜନୀୟ ବ୍ୟକ୍ତି ଥିଲା । ଦି’ ଜଣ ଚାକିରି କରିଥିବାରୁ ପିଲାଙ୍କୁ ସମ୍ଭାଳିବା କେତେ କାଠିକର ଥିଲା । ମାତ୍ର ଆଜି ତା’ ଝିଅ ଓ ପୁଅ ବଡ଼ ହୋଇଗଲେଣି । ସେ ପୁରୁଣା କଥା କାହାର ମନେ ନାହିଁ । ମନେପକେଇ ଲାଭ ବା କ’ଣ ?

 

କେମିତି ଗୋଟେ ଅସହାୟତା ଭିତରେ ସେ ଛନ୍ଦି ହୋଇଯାଉଥିଲା । କ’ଣ କରିବ, କ’ଣ ନ କରିବ ବୁଝିପାରୁ ନଥିଲା । ଭାବିଲା, ବନ୍ଦନା କଲେଜ ଯାଉ । ତା’ପରେ ସେ ତା’ ମାଆକୁ ବୁଝେଇବ । ଦି’ ଜଣଙ୍କ ଉପସ୍ଥିତିରେ କାହାରିକୁ ଜଣକୁ ବୁଝେଇବା ସମ୍ଭବ ନୁହେଁ । ସେ ଆଖିବୁଜି କଳ୍ପନା କଲା, ପୁରାଣର ଜରାସନ୍ଧ ପରି ତାକୁ ଗୋଟେ ବର ମିଳିଥାନ୍ତା କି ! ସେ ଦିଗଡ଼ ହୋଇ ଗଡ଼େ ସ୍ତ୍ରୀ ପାଖରେ ଆଉ ଆର ଗଡ଼କ ମାଆ ପାଖରେ ରହନ୍ତା । ଦିନେ କି ଦିଦିନ ନୁହେଁ । ସବୁଦିନେ ଏକା ଅବସ୍ଥା । ଏହିପରି ରାଗି ବିଗିଡ଼ି ସେ ଅଫିସ୍‌ ଯାଏଁ । ଅଫିସ୍‌ରେ ଟିକିଏ ମନ ପରିବର୍ତ୍ତନ କରି ଫେରିବାବେଳକୁ ସଞ୍ଜବୁଡ଼େ ଆଉ କିସ୍ତିଏ ଅଭିଯୋଗ ଓ ପାଲଟା ଅଭିଯୋଗ ଶୁଣେ । ରାତିରେବି ସେଇ ଅବସ୍ଥା । ବନ୍ଦନା ଏମିତି ମନ୍ତବ୍ୟ ଦେଇ କଡ଼ ବୁଲେଇ ଶୁଏ ଯେ ତା’ ଦେହରେ ଟିପ ଦେବାବି ଅସମ୍ଭବ ମନେହୁଏ । ଏଥିରେ ବୁଝେଇବାର ଅବକାଶ ସେ କେଉଁଠୁଁ ପାଆନ୍ତା ?

 

ଅଥଚ ଅଫିସ୍‌ରେ ସାଙ୍ଗମାନେ କହନ୍ତି, ‘ରଘୁନାଥର ଡବଲ୍‌ ଇଞ୍ଜିନ୍‌ । ତା’ର ଚିନ୍ତା କ’ଣ-?’

 

ରଘୁନାଥ ଦାନ୍ତ କାମୁଡ଼ି ମନକୁ ମନ କହେ, “ଚାକିରିଆ ସ୍ତ୍ରୀର ଭାତ ଦେଖିଛ, ନାତ ଦେଖି ନାହଁ ।”

 

ରଘୁନାଥର ମାଆ ସକସକ କରି କାନ୍ଦୁଥିଲା । ତା’ର ପରଳମଖା ଆଖିରୁ ଲୁହ ନିଗୁଡ଼ୁଥିଲା । ସେ ନିଜ ଲୁଗା କାନିରେ ନିଜ ଲୁହତକ ପୋଛି ଦେଉଥିଲା । ଟିକିଏ ଆଗରୁ ଇପ୍ସିତ ଆସି ଜେଜେମାକୁ ବୁଝେଇବା ଲାଗି ଚେଷ୍ଟା କରୁଥିଲା । ମାତ୍ର ବନ୍ଦନା ପାଟିକଲାରୁ ସେ ଉଠିଯାଇ ତା’ ବହିଖାତା ପାଖରେ ବସିଥିଲା । ଏସବୁ ଦେଖି ରଘୁନାଥର ନିଜ ଉପରେ ଦୟା ଆସୁଥିଲା । ଏଇ ତା’ର ଘର, ଏଇ ତା’ର ପରିବାର ! ଏହାରି ଭିତରେ ତା’ର ଛୟାଳିଶବର୍ଷ ବିତିଲାଣି । ଏମିତିରେ ବିତିବ ଆଉ କେତେଟା ବର୍ଷ ।

 

ବାପା ଆଖି ବୁଜିବା ଆଗରୁ ତାକୁ କହିଥିଲେ, “ତୋ ମାଆକଥା ବୁଝିବୁ । ମୁଁ ସିନା ସମସ୍ତଙ୍କ କଥା ସହିନିଏ, ସିଏ ସହିପାରେ ନାହିଁ । ପଦେ ଜାଗାରେ ଦିପଦ କହିଦିଏ । ଅଭାବୀ ଘରର ଝିଅ । ପିଲାଦିନେ ତା’ ଭାଇ ରାଗିଲେ, କଥାକଥାକେ ‘ଘରୁ ବାହାର କରିଦେବି’ ବୋଲି କହୁଥିଲା । ତେଣୁ ତା’ର ସେଇ ପଦକପାଇଁ ଭାରି ଭୟ । ଯାହା କହିବ ପଛେ କହିବ, ‘ପଳା’ ବୋଲି କହିବ ନାହିଁ । ବୁଢ଼ାବୁଢ଼ୀମାନଙ୍କୁ ‘ଯାଆ’ କି ‘ପଳା’ ବୋଲି କହିଲେ ତାଙ୍କ ଦୁନିଆ ଅନ୍ଧାର ହେଇଯାଏ । ଯୁବକ ଥିଲାବେଳେ ପିଲାଏ କହନ୍ତି, ଆମେ ‘ପଳେଇବୁ’, କିନ୍ତୁ ବୁଢ଼ାବୁଢ଼ୀ ହେଲାପରେ ଠିକ୍‌ ଓଲଟା । ତାଙ୍କର ବଳ ନଥାଏ, ବୟସ ନଥାଏ । କୁଆଡ଼େ ଯିବେ ସେମାନେ ? ବାପାଙ୍କ କାନ୍ଦୁରା ଆଖି ଜାଲିଜାଲିଆ ହୋଇ ଆସିଥିଲା । ସେ ଆଉ କିଛି କହିପାରି ନଥିଲେ ।

 

ରଘୁନାଥର ତା’ ବାପାଙ୍କ କଥା ମନେପଡ଼ି ଛାତି ଭିତରଟା ଦୁହିଁ ହୋଇଗଲା । ବାପା ଥିବାବେଳୁ ବନ୍ଦନାର ଖିଟ୍‌ଖିଟ୍‌ ଆରମ୍ଭ ହୋଇଥିଲା । ମାତ୍ର ତା’ ବାପା ସେ କଥାକୁ କାନକୁ ନେଉ ନଥିଲେ । ଜୀବନସାରା ସେ ବହୁତ କଷ୍ଟ ସହିଥିଲେ । ପିଲାଦିନରୁ ଦାରିଦ୍ର୍ୟର କଷ୍ଟ, ବଡ଼ ହେବାପରେ ଅନିଶ୍ଚିତ ଜୀବନର ନିର୍ଯାତନା ଏବଂ ତା’ ସାଙ୍ଗକୁ ପ୍ରାକୃତିକ ବିପର୍ଯ୍ୟୟ । କଷ୍ଟ ସହିବା ତାଙ୍କର ଅଭ୍ୟାସରେ ପଡ଼ିଯାଇଥିଲା । ଓଲଟି ସେ ବନ୍ଦନାର ପକ୍ଷ ନେଇ ତାକୁ ବୁଝଉଥିଲେ :

 

“ବନ୍ଦନା ସ୍ୱଚ୍ଛଳ ଘରର ଝିଅ । ଉଚ୍ଚଶିକ୍ଷିତା । ନିଜେ ଅଧ୍ୟାପିକା । ତୁମେ ଦିହେଁ ପରସ୍ପରକୁ ରାଜି ହେଲ ବୋଲି ସିନା, ନହେଲେ ତା’ ବାପ–ମାଆ ନିଶ୍ଚୟ ବଡ଼ଘରେ ତାକୁ ବାହା ଦେଇଥାଆନ୍ତେ । ତୁମ ଘରକୁ ଆସି ସେ କଷ୍ଟ ପାଉଛି । ତୁମର ନିଜର ଘର ଏଯାଏଁ ତୋଳି ପାରି ନାହଁ । ତା’ ବାପା ଭାଇଙ୍କର ସହରରେ କୋଠା ଅଛି । ତୁମ ଘରପାଇଁ ତାକୁ ଋଣ କରିବାକୁ ପଡ଼ିଲା । ସକାଳୁ ଉଠି ସେ ପିଲାଙ୍କପାଇଁ ରୋଷେଇ କରୁଛି, ହାଟ ବଜାର କରୁଛି ସିଏ । ତୋପାଇଁ ରାନ୍ଧିଦେଇ ଯାଉଛି । ସେଠି କଲେଜରେ ପିଲାଙ୍କ ସାଙ୍ଗେ ଚାରିଘଣ୍ଟା ପାଠ ଆଲୋଚନା । ଏହା ଭିତରେ କେମିତି ତା’ର ମୁଣ୍ଡଥଣ୍ଡା ରହିବ ? ତୋ ମାଆ ଟିକିଏ ସହିଗଲେ ଚଳନ୍ତା, କିନ୍ତୁ ସିଏବି ଶୁଣିବା ଜନ୍ତୁ ନୁହେଁ ।”

 

ରଘୁନାଥ ମୁଣ୍ଡ ଟୁଙ୍ଗାରେ । ‘ଯେତେ ଭାଇ ସେତେ ଘର’ କଥାଟି ବଦଳେଇ ଯେତେ ଝିଅ ସେତେ ଘର ହେବାର ଥିଲା ବୋଲି ଭାବେ । ପ୍ରକୃତରେ ଦିଇଟି ନାରୀ ଗୋଟିଏ ଘରେ ରହିପାରିବେ ନାହିଁ । କାରଣ ନାରୀର ସଂସାରରେ ତା’ ଛଡ଼ା ଆଉ କେହି ଦ୍ୱିତୀୟ କେନ୍ଦ୍ର ରହିପାରିବେ ନାହିଁ । ସେ ତା’ କଳ୍ପନାରେ ଘର ସଜାଡ଼ିବ, ରଙ୍ଗ ଦେବ, ଜିନିଷପତ୍ର ସଜାଡ଼ି ରଖିବ ଏବଂ ତାକୁ ଘନଘନ ବଦଳଉଥିବ । ବନ୍ଦନା ସେଇଆ ଚାହେଁ । ସେ ଆଶା କରେ, ଏଇଟା ତା’ର ସଂସାର । ଏଠି ତା’ ବର, ତା’ ପୁଅ–ଝିଅ ଏବଂ ସେ ହେଲେ ମୁଖ୍ୟ ଚରିତ୍ର । ଶାଶୁ–ଶ୍ୱଶୁର ଅତିଥି । ଆସିବେ, ଯିବେ । ଯେତେବେଳେ ରହିବେ, ଅତିଥିଭାବେ ରହିବେ । କିନ୍ତୁ ରଘୁନାଥର ମା’ ଠିକ୍‌ ଓଲଟା ଚିନ୍ତା କରନ୍ତି । ତାଙ୍କ ବିଚାର, ସେ ପୁଅର ମା’ । ଏଇଟା ତାଙ୍କ ସଂସାର । ପୁଅ ଥିଲା ବୋଲି ବୋହୂ ଆସିଲା । ବୋହୂ ଏ ଘରର ଅତିଥି । ତାକୁ ସିଏ ଗଢ଼ିବେ । ବୋହୂ ତାଙ୍କ କଥା ମାନି ଚଳିବ-

 

ବିବାଦର ଉତ୍ସ ଏଇଠାରୁ ।

 

ଦିହେଁ ସଜାଡ଼ିବାକୁ ଚାହାନ୍ତି, ଦିହେଁ ଚାହାନ୍ତି ଗଢ଼ିବାକୁ ।

 

କିନ୍ତୁ ଦିହେଁ ଭାଙ୍ଗନ୍ତି । ସଂସାର, ମନ ଓ ସମ୍ପର୍କ ।

 

ବନ୍ଦନା ଖାଇଲା ନାହିଁ । ଧଡ଼୍‍କରି ଉଠି ଲୁଗା ବଦଳେଇଲା ଏବଂ ନିଜର ବ୍ୟାଗ୍‌ଟିକୁ ଧରି ଗେଟ୍‌ ବାହାରକୁ ପଳେଇଲା । ରଘୁନାଥ ତାକୁ ଡାକିବାପାଇଁ ଯାଉଥିଲା; ମାତ୍ର ରାସ୍ତା ଉପରଟାରେ ତା’ର ସେ ଡାକିବା ଏବଂ ବନ୍ଦନାର ନ ଶୁଣି ପଳଉଥିବାର ଦୃଶ୍ୟ ତାକୁ ସମ୍ମାନଜନକ ଲାଗିଲା ନାହିଁ । ସିଏ ଜାଣେ, ବନ୍ଦନା ଥରେ ରାଗିଲେ ତିନିଦିନ ଆଗରୁ ଶୀତଳ ପଡ଼ିବ ନାହିଁ ।

 

ସେ ଫେରି ଆସିଲା ତା’ ମାଆ ପାଖକୁ ।

 

ବନ୍ଦନାର ଅନୁପସ୍ଥିତି ମାଆର ସ୍ୱରକୁ ବଢ଼େଇ ଦେଇଥିଲା ।

 

ସେ କହିଲା, “ମୋତେ ଖଣ୍ଡେ ଟିକେଟ ଆଣିଦେ । ମୁଁ ଲୋକନାଥ ପାଖକୁ ପଳେଇବି । ଏଠି ଆଉ ଦିନଟାଏବି ରହିବି ନାହିଁ ।”

 

ରଘୁନାଥ କହିଲା, ‘ରହ, ଏତେ ବ୍ୟସ୍ତ ହେଲେ କ’ଣ ହେବ ? କ’ଣ ହେଇଛି କହ । ସକାଳୁ ଏମିତି ହଠାତ୍‌ କ’ଣ ହେଲା ?’

 

ତା’ ମାଆ ସେଇଠୁ ଗୋଟେ ଦୀର୍ଘ କାହାଣୀ କହିଲା । ସକାଳୁ ସକାଳୁ କମ୍‌ ଭୋଲ୍‌ଟେଜ୍‌ ଅଛି ବୋଲି ସେ ଜାଣି ନଥିଲା । ପାଣି ଉଠେଇବା ମୋଟରର ସ୍ୱିଚ୍‌ ଟିପି ଦେଇଥିଲା-। ସବୁଦିନେ ସକାଳେ ସେ ପାଣି ଉଠାଏ । ଆଜିବି ଉଠଉଥିଲା । ବନ୍ଦନା ଧାଇଁ ଆସି ସ୍ୱିଚ୍‌ଟା ଅଫ୍‌ କରିଦେଲା । ତା’ପରେ ପାଟିତୁଣ୍ଡ । “ମୋଟରଟା ପୋଡ଼ିଦେବ । ଥରେ ପୋଡ଼ିଗଲେ ଚାରି ହଜାର ଖର୍ଚ୍ଚ । ପାଣି ମୁନ୍ଦେପାଇଁ ଡହଳବିକଳ ହେବି ।”

 

ରଘୁନାଥ କାରଣଟା ଜାଣିପାରିଲା । ଜଗନ୍ନାଥ ବିହାରରେ ଭୋଲ୍‌ଟେଜ୍‌ କମ୍‌ । ବେଳେବେଳେ ବାର୍‌ଲାଇଟ୍‌ ଜଳେ ନାହିଁ । ସେଥିପାଇଁ ସେମାନେ ସ୍ଥିର କରିଛନ୍ତି, ଆଗେ ମୋଟର ସୁଇଚ୍‌ ଟିପିବା ଆଗରୁ ବାର୍‌ଲାଇଟ୍‌ଟା ଜଳେଇ ଦେଖିବେ । ଯଦି ବାର୍‌ଲାଇଟ୍‌ ସାଙ୍ଗେ ସାଙ୍ଗେ ଜଳିଲା, ତାହାହେଲେ ଭୋଲ୍‌ଟେଜ୍‌ ଅଛି । ବେଶି ସମୟ ଧପ୍‌ଧପ୍‌ ହେଲେ କିମ୍ବା ନ ଜଳିଲେ ଜାଣିବେ ଭୋଲ୍‍ଟେଜ୍‌ ନାହିଁ । ଆଉ ମୋଟର ସ୍ୱିଚ୍‌ ଟିପାଯିବ ନାହିଁ । ସବୁଦିନ ସେଇଆ ହୁଏ । ଆଜି ସକାଳୁ ମେଘୁଆ ପାଗ ଥିଲା । ରଘୁନାଥର ମାଆ ଡେରି ପର୍ଯ୍ୟନ୍ତ ଟିକେ ଶୋଇପଡ଼ିଥିଲା । ତେଣୁ ତରବରରେ ଯାଇ ମୋଟର ସୁଇଚ୍‌ ଟିପି ଦେଇଥିବ । ଯୋଗକୁ ଆଜି ଭୋଲ୍‍ଟେଜ୍‌ ବହୁତ କମ୍‌ ଥିଲା । ବନ୍ଦନା ମେଲାଘରେ ବସି ଟିଭି ଦେଖୁଥିଲା । ଏ ଘଟଣା ଦେଖି ଧାଇଁ ଆସିଲା । ତା’ପରେ ଥାଳି ଗିନା କଚଡ଼ା କଚଡ଼ି ।

 

ରଘୁନାଥ କହିଲା, “ଏଇ କଥାକୁ ନେଇ ତୁ ଚାଲିଯିବା ପାଇଁ ବାହାରିଛୁ ? ମୁଁ ଯଦି ଗୋଟିଏ ପୁଅ ହୋଇଥାଆନ୍ତି ତାହାହେଲେ ତୁ କ’ଣ କରିଥାନ୍ତୁ ?”

 

ରଘୁନାଥ ଯୁକ୍ତିରେ ତା’ ମାଆକୁ ହରେଇବାକୁ ବସିଥିଲା । କାରଣ ସେ ଜାଣିଥିଲା, ତା’ ମାଆ କହିବ–ଗୋଟିଏ ହୋଇଥିଲେ ମୁଁ କାନମୁଣ୍ଡା ଆଉଁଶି ତୋଅରି ପାଖରେ ପଡ଼ିରହନ୍ତି । ସେ ଉତ୍ତରଟା ଶୁଣିବା ଲାଗି ଅପେକ୍ଷା କଲା ।

 

: କୂଅ ପୋଖରୀକୁ ଡେଇଁ ପଡ଼ନ୍ତି–ତା’ ମାଆ କହିଲା ।

 

ରଘୁନାଥ କଚାଡ଼ି ପଡ଼ିବା ପରି ଅନୁଭବ କଲା ।

 

ମାଆ କହିଲା, “ତୋତେ ମୁଁ କିଛି କହେ ନାହିଁ । ପିଲାଲୋକ, ଅଫିସ୍‌ରୁ ଖଟି ଖଟି ଆସିଥିବୁ । ପୁଣି ମୋ କଥା ଶୁଣି କଷ୍ଟ ପାଇବୁ । ବନ୍ଦନା ଚାହେଁ ନାହିଁ, ମୁଁ ଏଠି ରହେ । ସବୁଦିନ ସେଇ କଥା କହେ । ମୁଁ ଆଉ ସହିପାରୁ ନାହିଁ । ମୋତେ ତୁ ଖଣ୍ଡେ ଟିକେଟ ଆଣିଦେ । ମୁଁ ଆଜି ପଳେଇବି ।”

 

ରଘୁନାଥ ଆଖି ବୁଜି ଘଡ଼ିଏ ଠିଆ ହେଲା । ତା’ର ପିଲାଦିନ କଥା ମନେ ପଡ଼ୁଥିଲା । ଏଇ ତା’ର ମାଆ । ତା’ପାଇଁ କେତେ ଦୁଃଖ, କେତେ କଷ୍ଟ ନ ସହିଛି ! ରାତିରାତି ଅନିଦ୍ରା ହୋଇ ତାକୁ ଖାଲି ଆଉଁଶିଛି । ତାକୁ ପିଲାଦିନେ ଟାଇଫଏଡ଼୍ ହୋଇଗଲା । ସମସ୍ତେ କହିଲେ, ରଘୁ ବଞ୍ଚିବ ନାହିଁ । ମାତ୍ର ତା’ ମାଆ ବିଶ୍ୱାସ କରି ନଥିଲା । ତା’ ବାପା କହନ୍ତି, ତୋ ମାଆର ବିଶ୍ୱାସ ତୋତେ ଯମ ଦୁଆରୁ ଫେରାଇ ଆଣିଲା ।”

 

ମାଆ ତା’ର ଝୁଲାପଟା ସଜ କରି ସାରିଥିଲା । ପାନଡ଼ବାଟିକୁ ବନ୍ଦ କରି ରଖୁ ରଖୁ କହିଲା, “ବେଳ ପାଇଲେ ବନ୍ଦନାକୁ କହିବୁ । ତା’ରବି ଗୋଟିଏ ପୁଅ । ସବୁଦିନ ବଳ ବୟସ ନଥିବ-। ଯେଉଁଦିନ ତା’ ବୋହୂ ତାକୁ ଏମିତି କହିବ, ସେଇଦିନ ସେ ଏ ବୁଢ଼ୀର ଦୁଃଖ ବୁଝିବ-।”

 

ରଘୁନାଥ କାନ୍ଦି ପକେଇବ । କିନ୍ତୁ ଏବେ କାନ୍ଦିବାର ବେଳ ନୁହେଁ । ଏବେ ତା’ ମାଆକୁ ବୁଝେଇବାର ବେଳ । ବୁଢ଼ୀଲୋକ, କାଳେ ଯଦି କ’ଣ ହେଇଯିବ, ତାହାହେଲେ ସେ ତା’ ବାପାଙ୍କୁ ଦେଇଥିବା କଥା ପୂରଣ କରିପାରିବ ନାହିଁ । ସାରା ଜୀବନ ସନ୍ତୁଳି ହେବ ଅକ୍ଷମଣୀୟ ଅପରାଧବୋଧରେ । ଯେମିତି ହେଲେ ମାଆକୁ ଅଟକେଇବାକୁ ହେବ । ଅନ୍ତତଃ ଗୋଟିଏ ଦିନ । ଦିନଟିଏ ଗଡ଼ିଗଲେ ହୁଏତ ମାଆର ମନ ଟିକେ ବଦଳିଯିବ । ସେ କହିଲା, “ହେଉ, ତୁ ଜୟପୁର ଯିବୁ । କିନ୍ତୁ ତୋ ଲାଗି ସୁନାହାରଟା ଗଢ଼େଇଦେବା ଲାଗି କହିଥିଲି । ସେ କାଲିକି ଦେବ । ତୁ କାଲି ଯିବୁ ।”

 

ରଘୁନାଥର ମାଆ ନିଜ କାନକୁ ବିଶ୍ୱାସ କରିପାରିଲା ନାହିଁ । ସତରେ ତା’ ପୁଅ ତା’ପାଇଁ ସୁନାହାର ଗଢ଼େଇଦେବ ! ପଇସା ତ ସେ ନିଶ୍ଚୟ ଯୋଗାଡ଼ କରିପାରିବ । ମାସକୁ ମାସ ବାର ତେର ହଜାର ଦରମା ପାଉଛି, ପଇସା କ’ଣ ପାଇବ ନାହିଁ; କିନ୍ତୁ ବନ୍ଦନା ଯଦି ଜାଣିବ, ତାହାହେଲେ ରଘୁର ସଂସାର ରହିବଟି ? ନା, ନା ଥାଉ । ଜୀବନସାରା ତ ସୁନାହାରଟେ ପିନ୍ଧି ପାରିଲା ନାହିଁ । ଆଉ ଏ ଚମ ଧୁଡ଼ୁଧୁଡ଼ୁ ବୟସରେ, ସେଥିରୁ ଖଣ୍ଡିଏ ପକେଇ କି ଲାଭ ? କିନ୍ତୁ ସେ କଥାଟି ଚଟ୍‌କରି କହିପାରିଲା ନାହିଁ । ରଘୁନାଥ ଖୁସି ହେଲା । ସେ ଜାଣେ, ତା’ ମାଆର ସୁନାହାର ଖଣ୍ଡେପାଇଁ ବହୁତ ଲୋଭ । ଅନେକ ଥର ତାକୁ ସେଇ କଥାଟି ମନେପକେଇ ଦେଇଛି । ମାତ୍ର ସୁନାହାରଟା ଲାଗି ଦଶ ବାର ହଜାର ଟଙ୍କା ଦରକାର । ଘରେ ଗୋଟିଏ ପଛକୁ ଆଉ ଗୋଟିଏ ବରାଦ ସବୁବେଳେ । ହଠାତ୍‌ ଦଶ ବାର ହଜାର ଟଙ୍କା ଖର୍ଚ୍ଚ, ମାଆର ସୁନାହାର ପାଇଁ, ତାକୁ ଅଯୌକ୍ତିକ ଲାଗେ । ବୁଢ଼ୀଲୋକ, ଘରଟା ଭିତରେ ଖାଲି ବସି ରହୁଛି । ହାର ପିନ୍ଧି ଲାଭ କ’ଣ ? ଗୋଟେ ରୁପା ମାଳି ଓ ଆଉ ଗୋଟେ କାଠ ମାଳି ତ ପକେଇଛି । ତା’ଛଡ଼ା ତା’ ମାଆର ଆଜିକାଲି ସବୁକଥା ମନେ ରହୁ ନାହିଁ । କୋଉଠି ଯଦି ହାରଟା ହଜେଇ ଦିଏ ତାହାହେଲେ ମହାଭାରତଟେ ହେବ । ନିଜେ ମାଆବି ସବୁଠୁ ଅଧିକ କଷ୍ଟ ପାଇବ । ଯେଉଁ ଜିନିଷଟାକୁ ମଣିଷର ବେଶି ଲୋଭ, ସେଇଟା ଶୀଘ୍ର ହାତଛଡ଼ା ହେଇଯାଏ । ଏହିସବୁ ଆଗପଛ ଚିନ୍ତା କରି ରଘୁନାଥ ସୁନାହାର ପ୍ରସଙ୍ଗଟିକୁ ଆଡ଼େଇ ଯାଏଁ । କିନ୍ତୁ ବର୍ତ୍ତମାନ ସମୟରେ ସେଇ ହାରଟାହିଁ ତାକୁ ସାହାଯ୍ୟ କରିବ । ଯେମିତି ହେଲେ ମାଆକୁ ଅଟକେଇବାକୁ ପଡ଼ିବ । କାରଣ ଲୋକନାଥ ତାକୁ ବାରମ୍ବାର କହିଛି, ମାଆ ଜୟପୁର ଗଲେ ଚଳିପାରିବ ନାହିଁ । ଦି’ ବଖୁରିଆ ଘରେ ମାଆର ଠାକୁରଠାକୁରାଣୀଙ୍କୁ ଜାଗା ଅଣ୍ଟିବ ନାହିଁ । ଭାଇ ମା’ କଥା ବୁଝନ୍ତୁ ନହେଲେ ଗାଁକୁ ପଠେଇ ଦିଅନ୍ତୁ ।

 

ଗାଁ ? ଗାଁରେ ଦେଢ଼ମାଣ ଖଣ୍ଡ ଜମି ଥିଲେ ଥିବ । କିନ୍ତୁ ସେସବୁ କାହା ଦଖଲରେ ରଘୁନାଥ ଜାଣେ ନାହିଁ । ବାପା ବଞ୍ଚିଥିଲା ପର୍ଯ୍ୟନ୍ତ ଗାଁରେ ଘରଟିଏ ତୋଳିବାପାଇଁ ବରାବର କହୁଥିଲେ । ମାତ୍ର ସେତକ ସମ୍ଭବ ହେଲା ନାହିଁ । ଗାଁରେ ଯଦି କେହି ରହିବେ ନାହିଁ, ତାହାହେଲେ ଘରଟେ କରି ଲାଭ କ’ଣ–ଏହି ଯୁକ୍ତି କରି ରଘୁନାଥ ସେ କଥାକୁ ଟାଳି ଦେଇଥିଲା । ସେ ଜାଣିଥିଲା, ଦି’ ବଖରାର ଘରଟାଏ କଲେବି ଟଙ୍କା ଲକ୍ଷେରୁ କମ୍‌ ଲାଗିବ ନାହିଁ । ତା’ ପାଖେ ଏତେ ଟଙ୍କା, କେବଳ ତା’ ବାପା–ମାଆଙ୍କ ଭାବପ୍ରବଣତା ଲାଗି, ବ୍ୟୟ କରିବାକୁ କୌଣସି ଦିନ ନଥିଲା । ଲୋକନାଥ ଗାଁ କଥା ଉଠେଇଲେ ରଘୁନାଥ ସେଇକଥା ମନେପକାଏ । ବାପା କହୁଥିଲେ ଦି’ ବଖରା ଘର । ମାଆ ସେଥିରେ ଆଉ ବଖରାଏ ଯୋଡ଼େ । କହେ, ମୋ ନାତୁଣୀଜ୍ୱାଇଁ କି ବୋହୂ ଆସିଲେ କେଉଁଠି ରହିବେ ? ବାପାଙ୍କର ସମାଧିପାଇଁବି ଅରାଏ ଜାଗା ଦରକାର ।

 

ରଘୁନାଥ ବୁଝିପାରେ । ମଣିଷ କ’ଣ ଗଛ କ’ଣ, ଯେତିକି ଯେତିକି ପାକଳ ହୁଅନ୍ତି, ମୂଳକୁ ଜାବୋଡ଼ି ଧରିବା ଲାଗି ସେତିକି ସେତିକି ଡହଳବିକଳ ହୁଅନ୍ତି । ପୁଅବୋହୂ ଲୋଡ଼ନ୍ତୁ ନ ଲୋଡ଼ନ୍ତୁ, ଘରର ଛିଣ୍ଡା, ଭଙ୍ଗା ଦରବକୁ ଗୋଟେଇ ଆଣି ସାଇତିବାକୁ ମନ କରନ୍ତି । ସବୁ କଥାରେ ନାକ ଗଳେଇବାର ଯେଉଁ ଆଗ୍ରହ ତାହା ବୋଧହୁଏ ଏହି କାରଣରୁ । ରଘୁନାଥ ଚିନ୍ତା କଲା ଓ ମାଆର ଉତ୍ତରକୁ ଅପେକ୍ଷା କଲା ।

 

କିନ୍ତୁ ତା’ ମାଆ ତଥାପି ଜିନିଷପତ୍ର ସଜାଡ଼ି ଚାଲିଥାଏ । କେତେ ବା ଜିନିଷ ? ଯିଏ ଦିନେ ପରିବାରର ମୁଖ୍ୟ ଥିଲା, ମାଲିକାଣୀ ଥିଲା, ତା’ର ସଂସାର କହିଲେ ଆଜି ଗୋଟିଏ ପୁରୁଣା ଟ୍ରଙ୍କ୍‌ । ସେଇଥିରେ ତା’ର ଲୁଗାପଟା, ତା’ର ପାରଦଛଡ଼ା ଆରିଶି ଓ ଦିଇଟି ପାନିଆ, ତା’ର ପୂଜା କୋଥଳି, ବାପାଙ୍କ ପୁରୁଣା ହାତବନ୍ଧା ଘଣ୍ଟା ଓ ଖଣ୍ଡିଏ ଟିପାଖାତା । ରଘୁନାଥର ମାଆ ପଢ଼ିପାରେ ନାହିଁ; କିନ୍ତୁ ଗାଁ, ଭୁବନେଶ୍ୱର ଓ ଜୟପୁରର ଲୋକନାଥ ଠିକଣା ଟିପେଇ ରଖିଛି । କାଳେ କେତେବେଳେ ଦରକାରରେ ଆସିବ । ରଘୁନାଥ ଲକ୍ଷ୍ୟ କଲା, ସେଇ ଜିନିଷଗୁଡ଼ାକୁ ବାରମ୍ବାର ଟ୍ରଙ୍କ୍‍ରୁ ବାହାର କରୁଥିଲା ଓ ପୁଣି ସଜାଡ଼ୁଥିଲା ତା’ର ମା’ ।

 

ସେ କହିଲା, “ହଉ, ମୁଁ ଅଫିସ୍‌ରୁ ଆସେ । ଜୟପୁର ବସ୍‌ ସଞ୍ଜବେଳକୁ । ତୁ ଏତିକିବେଳୁ ଆଉ ସଜ ହୋଇ ବସନା । କହୁଛୁ ଯଦି ଯିବୁ । ମୋ କଥା କିଏ ଶୁଣୁଛି ଏଠି ? ତୁ କହୁନୁ ? ମୁଁ କ’ଣ କରିବି ?”

 

ରଘୁନାଥ ଇପ୍ସିତକୁ କହିଲା, ତୁ ପ୍ରସ୍ତୁତ ହୋଇଯା । ତୋତେ ତୋ ବସ୍‌ଷ୍ଟପ୍‌ରେ ଛାଡ଼ିଦେଇ ଯିବି ।

 

ଇପ୍ସିତ ଟାଉନ୍‌ ସ୍କୁଲ୍‌ରେ ପଞ୍ଚମ ଶ୍ରେଣୀରେ ପଢ଼ୁଛି । ଦମକଳ ଛକ ପାଖରୁ ତା’ ବସ୍‌ ତାକୁ ନେଇଯାଏ ।

 

ଦିନସାରା ରଘୁନାଥର କାମରେ ମନ ଲାଗିଲା ନାହିଁ । ଘୂରେଇ ବୁଲେଇ ପଛକଥାଗୁଡ଼ାକ ମନେ ପଡ଼ିଲା । ବନ୍ଦନାକୁ ଭଲପାଇବା ଦିନଠାରୁ ସେ ତା’ ଘରର ସବୁକଥା କହିଥିଲା । ସେମାନେ ମଫସଲୀ ଲୋକ, ବାପା ଚାଷୀ ଓ ମାଆ ନିରକ୍ଷର । ବନ୍ଦନା ସେଠି ଚଳିପାରିବ ନାହିଁ । କିନ୍ତୁ ସେଦିନ ବନ୍ଦନା ଆଖିରେ ଅନ୍ଧପୁଟୁଳି ବନ୍ଧା ହୋଇଥିଲା ପରା ! ସେ ସବୁ ଶୁଣିଥିଲା ଓ ସବୁକଥାକୁ ଗ୍ରହଣ କରି ନେଇଥିଲା ।

 

ରଘୁନାଥ କ’ଣ କରିବ ବୁଝିପାରୁ ନଥିଲା । ବାରମ୍ବାର ତା’ ବାପାଙ୍କର ପେଜୁଆ ଆଖି ଓ ଶେତା ମୁହଁ ମନେ ପଡ଼ିଯାଉଥିଲା । ଯେତେବେଳେ ସେ ‘ତୋ ମାଆର ଦାୟିତ୍ୱ ନେବୁ’ ବୋଲି କହୁଥିଲେ ସେତେବେଳେ ରଘୁନାଥକୁ ଲାଗିଥିଲା, ତା’ ବାପା ତା’ ମାଆର ଦାୟିତ୍ୱ ତା’ ଉପରେ ଦେଉ ନାହାନ୍ତି, ଜଣେ ଅସହାୟ ସ୍ୱାମୀ ତା’ ବୁଢ଼ୀ ସ୍ତ୍ରୀଟିର ଦାୟିତ୍ୱ ଗୋଟେ ଯୁବକ ଉପରେ ନ୍ୟସ୍ତ କରି ଯାଉଛନ୍ତି । ଏବେ ସେହି ବୁଢ଼ା ମଣିଷଟିର ବିଶ୍ୱାସର କ’ଣ ହେବ ?

 

ଏବଂ କାଳେ ଯଦି ଜୟପୁରରେ ଦୁର୍ବଳ ହୃଦୟ ତା’ ମାଆର କିଛି ହୋଇଯାଏ ?

 

ସେ ଭାବପ୍ରବଣ ହୋଇପଡ଼ୁଥିଲା । ମାତ୍ର ପରେ ପରେ ବନ୍ଦନାର ରାଗ ତମତମ ମୁହଁ ତାକୁ ଦିଶିଯାଉଥିଲା । ଖରା ଧାସରେ କାକର ଉଭେଇଗଲା ପରି ତା’ର ସବୁ ଭାବପ୍ରବଣତା କୁଆଡ଼େ ଉଭେଇ ଯାଉଥିଲା ।

 

ସେ ତରବରରେ ସାମଲବାବୁଙ୍କ ପାଖକୁ ଗଲା । ସାମଲବାବୁ ଟଙ୍କା କରଜ ଲଗାନ୍ତି । ତାଙ୍କଠାରୁ ଟଙ୍କା ଆଣି ସୁନା ଦୋକାନକୁ ଧାଇଁଲା । ଯାଉ, କିଛିଦିନ ମା’ ଲୋକନାଥ ପାଖରେ ରହୁ-। ସିଏ ପଛେ ମାସକୁ ମାସ ଟଙ୍କା ଦି’ ତିନି ହଜାର ପଠେଇଦେବ । ଏବେ ଭାଦ୍ରବ ଚାଲିଛି, ଅଶିଣବେଳକୁ ପୁଣି ଯାଇ ମାଆକୁ ନେଇ ଆସିବ ।

 

ଗହଣା ଦୋକାନକୁ ଅନେକ ବର୍ଷ ହେଲା ଯାଇ ନଥିଲା ରଘୁନାଥ । ସେଇପ୍ରକାର ଚାହାଣିରେ ସେଲ୍‌ସ୍‍ମ୍ୟାନ୍‌ଟି ତାକୁ ଚାହୁଁଥିଲା । ଭାବିଥିଲା, ଦଶ ହଜାର ଟଙ୍କା ଭିତରେ ବଟଫଳ ମାଳିଟେ ହେଇଯିବ । କିନ୍ତୁ ହେଲା ନାହିଁ । ପୁଅପିଲା ପକେଇବା ପରି ବିନା ଲକେଟ୍‌ର ଚେନ୍‌ଟିଏ ଧରି ସେ ଫେରିଲା । ଘରେ ମାଆ ସକାଳ ପହରୁ ଯେଉଁଠି ବସିଥିଲା ସେଇଠିହିଁ ବସିଥିଲା । ବନ୍ଦନା ମେଲାଘରେ କବାଟ ଆଉଜେଇ ଟିଭି ଦେଖୁଥିଲା । ଶାଶୁ ଟିଭି ଦେଖିବାବେଳେ ବୋହୂ ଦେଖେ ନାହିଁ, ବୋହୂ ଦେଖିବାବେଳେ ଶାଶୁ ତା’ ଘରକୋଣରେ ବସିଥାଏ ।

 

ରଘୁନାଥ ଯାଇ ତା’ ମାଆ ସାମ୍ନାରେ ସୁନାଚେନ୍‌ଟା ଖୋଲି ଧରିଲା । ମାଆକୁ କହିଲା, “ନାଲିଆ ଖୋଳଟା ଧର । ଥରେ ପିନ୍ଧି ପକେଇ କାଢ଼ିପକା । ବସ୍‌ରେ କିଏ ଛଡ଼େଇ ଛାଡ଼େଇ ନେବ । ଟ୍ରଙ୍କ୍‍ରେ ପୂରେଇଦେ, ଜୟପୁରରେ ପହଞ୍ଚି ପିନ୍ଧିବୁ ।”

 

ରଘୁନାଥର ମାଆ ତା’ ଆଖିକୁ ବିଶ୍ୱାସ କରିପାରୁ ନଥିଲେ । ସତରେ ତା’ ପୁଅ ତା’ ଲାଗି ସୁନାହାର ଆଣିଛି ! ଯେଉଁ ସୁନାହାରଟେ ପିନ୍ଧିବାଲାଗି ସତୁରି ବରଷ ଯାଏଁ ଅପେକ୍ଷା କରିବାକୁ ପଡ଼ିଲା, ସେଇ ସୁନାହାର । ତା’ ପରଳମଖା ଆଖି ଚିକ୍‌ଚିକ୍‌ କରି ଉଠୁଥିଲା । ମାଆ ଆଖିରେ ଖୁସି ଦେଖି ରଘୁନାଥର ଆଖିରେ ଲୁହ ଜକେଇ ଆସୁଥିଲା ।

 

କିନ୍ତୁ ଗୋଟିଏ ମୁହୂର୍ତ୍ତ । ତା’ପରେ କ’ଣ ହେଲା କେଜାଣି ରଘୁନାଥର ମାଆ ସୁନାହାରଟାକୁ ବେକରୁ ଖୋଲିଆଣି ଡବା ଭିତରେ ପୂରେଇ ଦେଲା । ତାକୁ ରଘୁନାଥ ହାତରେ ଧରେଇ ଦେଇ କହିଲା, ‘ନେଇଯା । ବନ୍ଦନା ଜାଣିଲେ ମନକଷ୍ଟ କରିବ ।’

 

ରଘୁନାଥ ଚିଡ଼ିଗଲା । କହିଲା, “ରାଗିଲେ ରାଗୁ । ମୋର କ’ଣ କିଛି କର୍ତ୍ତବ୍ୟ ନାହିଁ !”

 

ତା’ ମାଆ କହିଲା, “ଆଉ ଏ ବସୟରେ ଘରେ ଝଗଡ଼ା ହେଲେ ଭାରି କଷ୍ଟ । ପୁରୁଣା ଘର ଝଡ଼ପବନରେ ଭାଙ୍ଗିଯାଏ । ସେଥିପାଇଁ ତାକୁ ବରାବର ଚୂନ ସିମେଣ୍ଟ ଲୋଡ଼ା ।”

 

: କିନ୍ତୁ ତୋର ଆଶା, ତୋର ସୁନାହାର ! ଦଶବର୍ଷ ହେଲା ଏଇ ହାର କଥା କହୁଥିଲୁ ପରା ! ନା ଏ ହାରଟା ଛୋଟ ବୋଲି ମନ ମାନୁ ନାହିଁ ।

 

ରଘୁନାଥର ମାଆ ପୁଅର ଦି’ ହାତକୁ ତୋଳି ଧରିଲା । ତା’ର ସେଇ କାଳିଆ ଡେଙ୍ଗା ଦି’ ହାତକୁ ତା’ ଗଳା ଚାରିପଟେ ଛନ୍ଦିଦେଇ କହିଲା, “ଅସଲ ସୁନାହାର ତ ମୋ ବେକରେ ସଦାଦିନେ ରହିଛିରେ ରଘୁ । ଇଏ ହାର ଆଉ ବୁଢ଼ୀ ବୟସରେ କ’ଣ ହେବ ? ନେଇଯା, ବନ୍ଦନାକୁ ଦେବୁ, ଝିଅପାଇଁ ରଖିଦେବ ।”

 

ରଘୁନାଥର ହାତ ଯୋଡ଼ିକ ତା’ ମାଆର ବେକ ଚାରିପଟେ ସେଇମିତି ଥିଲା । ତା’ର ମନେପଡ଼ିଲା, କାହିଁ କେତେ ଯୁଗ ହେଲା ସେ ତା’ ମାଆର କୋଳରେ ମୁଣ୍ଡ ଥୋଇନାହିଁ । ମାଆକୁ ଧରି ନାହିଁ, ଆଉଁଶି ଦେଇ ନାହିଁ । ସେ ସେଇଠି ଛୟାଳିଶବର୍ଷର ପ୍ରୌଢ଼ରୁ ଛଅବର୍ଷର ଛୁଆ ପାଲଟିଯାଉଥିଲା ।

 

: କ’ଣ ଚାଲିଛି ଏଠି ? ଆଁ, ଏଇଟା ସୁନାହାରଟେ ନା କ’ଣ ? କୁଆଡ଼ୁ ଆସିଲା ? କିଏ ଆଣିଲା ? ପଚାରୁଛି ପରା, କିଏ ଆଣିଲା ଏ ସୁନାହାର ?

 

ବନ୍ଦନା କବାଟ ପାଖରେ ଛିଡ଼ା ହୋଇ ପଚାରୁଥିଲା । ରଘୁନାଥ ତା’ ମାଆ ବେକରେ ସେମିତି ଓହଳିଥିଲା । ବନ୍ଦନା ପ୍ରଶ୍ନର କୌଣସି ଜବାବ ଦେବା ଲାଗି ତା’ର ଆଗ୍ରହ ନଥିଲା ।

 

ତା’ ମାଆ କହିଲା, “ଏଇ ହାରଟା ପୁଅ ଆଣିଛି ତା’ ଝୁଅ ଲାଗି । ମୋତେ ଦେଖଉଥିଲା । ଭଲ ହାରଟେ ହେଇଛି ।”

 

ରଘୁନାଥ କିଛି କହିପାରିଲା ନାହିଁ । ଜୟପୁର ବସ୍‌ ଯିବା ସମୟ ପାଖେଇ ଆସୁଥିଲା ।

☆☆☆

 

ରେବତୀ

 

ରେବତୀ ଜେନା ହାତଘଣ୍ଟାକୁ ଚାହିଁ ଦେଖିଲା, ସଞ୍ଜ ସାଢ଼େ ଛଅଟା ବାଜିବ । ବର୍ଷା ଯୋଗୁଁ ସେ ପୀରବଜାରରେ ଅଟକି ନଥିଲେ ଏତେବେଳକୁ ପାଟପୁରରେ ପହଞ୍ଚିବା ହୁଅନ୍ତାଣି । ଖରା ଦିନଟାରେ ଏମିତି ପବନ ଓ ବର୍ଷା ହେବ ବୋଲି ସେ ଆଦୌ ଭାବି ନଥିଲା । କି ପବନ, କି ବର୍ଷା ! ରେବତୀ ତ ଭାବିଥିଲା ଏ ବର୍ଷା ଆଉ ଛାଡ଼ିବ ନାହିଁ ।

 

ସୂର୍ଯ୍ୟ ଅସ୍ତ ହେଇଗଲେଣି । ନ ହେଇଥିଲେବି ମେଘ ଯୋଗୁଁ ଜାଣିବାର ଉପାୟ ନଥିଲା । ସେ ‘ବସ୍ତ୍ରାଳୟ’ ଛାତ ତଳୁ ବାହାରକୁ ଆସି ସ୍କୁଟି ଉପରୁ ପାଣି ପୋଛିଲା । ଗାଡ଼ିଟା ଉପରେ ଚାକୁଣ୍ଡା ପତ୍ର ଓ କେରାଏ ନଡ଼ା ପଡ଼ିଥିଲା । ମେଘ ଆଗରୁ ଯେଉଁ ପବନ ହେଲା, ଇଏ ତାଆରି ଯୋଗୁଁ । କିକ୍‌ ମାରି ସେ ସ୍କୁଟି ଷ୍ଟାର୍ଟ୍ କଲା । କିନ୍ତୁ ଗାଡ଼ିଟା ସାଙ୍ଗେ ସାଙ୍ଗେ ଷ୍ଟାର୍ଟ୍ ହେଲା ନାହିଁ । ବେଶ୍‌ କିଛି ସମୟର ଉଦ୍ୟମ ପରେ ଷ୍ଟାର୍ଟ୍ ହେଲା । ପୀରବଜାର ପାଖରୁ ଦୋକାନ ଭିଡ଼ ସରିଯାଏ । ତା’ପରେ ନିଛାଟିଆ ମଫସଲୀ ରାସ୍ତା । ରେବତୀ ସ୍କୁଟିର ହେଡ଼୍‍ଲାଇଟ୍‌ ପୀରବଜାର–ପାଟପୁର ରାସ୍ତାର ଖାଲଢ଼ିପ ଉପର ଦେଇ ପହଁରି ଯାଉଥିଲା । ଠାଆକୁ ଠାଆ ପାଣି । ରାସ୍ତାର ଦି’ କଡ଼ରୁ ବେଙ୍ଗଗୁଡ଼ାଙ୍କର କଟର କଟର ଶୁଭିଲାଣି । ଅଦିନ ବର୍ଷା ବେଶ୍‌ ଉତ୍ସାହିତ କରିଦେଇଛି ବେଙ୍ଗପଲଙ୍କୁ । ସଞ୍ଜପହର ଲାଗୁଛି ରାତି ପରି । ରେବତୀ ଅଣ୍ଟା ସଳଖିବା ପାଇଁ ଟିକିଏ ଉପରକୁ ଚାହିଁଲା । ଆକାଶରେ ଟିପି ଟିପି ତାରା । ଦି’ କଡ଼ ଧାନବିଲରୁ ଓଦା ମାଟିର ଗନ୍ଧ ଭାସି ଆସୁଛି । ଠାଏଠାଏ ପାଣି ଜମି ଦିଶୁଛି ଗାଡ଼ିଆ କି ପୋଖରୀ ପରି ।

 

ରେବତୀ ପାଟପୁରରୁ ଯିବ ନୂଆସାହି, ଆଉରି ସାତ କିଲୋମିଟର ବାଟ । ମନ୍ତେଇ ନଈ କୂଳର ସେଇ ଗାଁ ଛାଡ଼ି ଆସିବାର ଢେର୍‌ ଦିନ ହୋଇ ଗଲାଣି । ତା’ ବାପା ତାକୁ ମନା କରୁଥିଲେ । ଯାହା ହେବାର ହେଲାଣି, ଆଉ ସେ ଜାଗାକୁ ଯିବା ନାହିଁ । କାଳେ ପୁଣି କଳିଝଗଡ଼ା ହେବ, ଆମେ ପାରିବା ନାହିଁ । ମାତ୍ର ରେବତୀ ବାପାଙ୍କ କଥାରେ ରାଜି ହେଲା ନାହିଁ । ସକାଳେ ବାପା ବସ୍‌ରେ ଯାଇ ପହଞ୍ଚି ସାରିଛନ୍ତି । ତା’ର ଭଦ୍ରକରେ ଡେରି ହୋଇଗଲା । ସେଇଠୁ ସାଙ୍ଗ ମାଧବୀର ସ୍କୁଟି ଧରି ସେ ଆସୁଛି । ଭଦ୍ରକରୁ ପାଟପୁର ତିରିଶ କିଲୋମିଟର । ଭାବିଥିଲା ଦେଢ଼ଘଣ୍ଟାରେ ନୂଆସାହିରେ ପହଞ୍ଚିଯିବ । ମାତ୍ର ଏବେ ଯାହା ପରିସ୍ଥିତି ଗାଡ଼ି ପନ୍ଦର କିଲୋମିଟର ବେଗରୁ ଟପୁ ନାହିଁ । ରାସ୍ତାସାରା ଖାଲ । ପହଞ୍ଚୁ ପହଞ୍ଚୁ ରାତି ସାଢ଼େ ଆଠଟା ବାଜିଯିବ ।

 

ରେବତୀ ଜେନା ପୁଲିସ ସବ୍‌–ଇନିସ୍‍ପେକ୍ଟର । ନିଜେ ଭଲ ଖେଳାଳି । ଧାଁ ଦଉଡ଼ କରି ସେ ନିଜ ଶରୀରକୁ ଦୃଢ଼ କରିଛି । ପୁଲିସ ବିଭାଗର ତାଲିମ ତାକୁ ସାହସୀ କରିଛି । ସେଥିପାଇଁ ସେ ତା’ ବାପାଙ୍କ କଥାର ପ୍ରତିବାଦ କରିଥିଲା । ‘ଆମ ଜମିବାଡ଼ି, ଆମେ ଯାହାକୁ ଦେବାର କଥା ଦେବା କି ବିକିବା । ଏମିତି ଚୋରଙ୍କ ପରି ପଳେଇ ଆସି ପରଲୋକଙ୍କୁ ଖାଇବାକୁ ଦେବା କାହିଁକି-? ପୁଣି ସେମାନେ କେଉଁ ଭଲଲୋକ ଯେ ତାଙ୍କୁ ଛାଡ଼ିଦେବା ! ଏମିତି ତ ଗୁଡ଼ାଏ ବର୍ଷ ହେଲା ଭୋଗ କଲେଣି । ଆଉ ନୁହେଁ ।’

 

ତା’ ବାପା ନବଘନ ଯୁକ୍ତି କରିଥିଲେ, ‘କେତେ ବା ଜମି ! ଖଣ୍ଡିଏ ଘରଡ଼ିହ ଆଉ ଦେଢ଼ମାଣ ଜମି । ସେଇଥିରେ ଆମର କ’ଣ ଦୁଃଖ ଘୁଞ୍ଚିବ ?’

 

: କେତେ ଜମି ସେଇଟା ବଡ଼କଥା ନୁହେଁ । ବଡ଼କଥା ହେଉଛି ଆମର ଆତ୍ମସମ୍ମାନ । ଏମିତିରେ ଆମର ସେ ଜମି ଆମେ ପଛେ ଗାଁ ସ୍କୁଲ୍‍କୁ ଦେଇ ଆସିବା, କିନ୍ତୁ ଅଭଦ୍ର ଲୋକମାନଙ୍କୁ ନୁହେଁ ।

 

ରେବତୀ ଉତ୍ତେଜିତ ହୋଇପଡ଼ୁଥିଲା । ଗାଁ କଥା ମନେପଡ଼ିବାକ୍ଷଣି, ବର୍ଷାପାଗ ଓ ଥଣ୍ଡାପବନ ସତ୍ତ୍ୱେ ତା’ କପାଳ ଝାଳେଇ ଯାଉଥିଲା । ସେ ଲକ୍ଷ୍ୟ କଲା, ଅଜାଣତରେ ଏକ୍ସିଲରେଟରର ଗତି ବଢ଼ିଯାଉଛି । ସେ ନିଜକୁ ସଂଯତ କଲା । ବାପା ବୁଢ଼ାଲୋକ, କାହା ସାଙ୍ଗେ ଗଣ୍ଡଗୋଳ କରିବାକୁ ଚାହାନ୍ତି ନାହିଁ । ସିଏ ମଧ୍ୟ ଗଣ୍ଡଗୋଳ ଚାହେଁ ନାହିଁ । କିନ୍ତୁ ଅପମାନ ? କଦାପି ନୁହେଁ ।

 

ଆଉ କେତେବାଟ ରହିଲା ପାଟପୁର ?

 

ଅନ୍ଧାରରେ ମାଇଲଖୁଣ୍ଟ ଦିଶୁନାହିଁ । ଯେଉଁଟା ଦିଶିଲା, ରଙ୍ଗଛାଡ଼ି ଯାଇଥିବାରୁ ସେଥିରେ କେତେ ସଂଖ୍ୟା ଲେଖାଯାଇଛି ତାହା ରେବତୀ ପଢ଼ି ପାରିଲା ନାହିଁ ।

 

ସେ ଖୁବ୍‌ ସତର୍କତାର ସହ ସ୍କୁଟି ଚଳଉଥିଲା ।

 

ରାସ୍ତାସାରା ଗଛଝଡ଼ା ପତ୍ର ଓ ଛୋଟବଡ଼ ଡାଳ । ଦି’ କଡ଼ର ସାନ ସାନ ଗଛଗୁଡ଼ାକ ପବନମାଡ଼ରେ ନୋଇଁ ପଡ଼ିଛନ୍ତି । ଏଣେ ରାସ୍ତାକଡ଼ରେ ଗୋଟିଏବି ଲାଇଟ୍‌ ଜଳୁନାହିଁ ।

 

ବ୍ରେକ୍‌ ଦେଲା ରେବତୀ ।

 

ଆଉ ଟିକକରେ ତା’ର ସ୍କୁଟି ସାମ୍ନାରେ ଠିଆ ହୋଇଥିବା କାର୍‌ ଦେହରେ ପିଟି ହୋଇଯାଇଥାଆନ୍ତା ।

 

: କି ଦାୟିତ୍ୱହୀନ ଲୋକହୋ ତୁମେ !–ବଡ଼ପାଟିରେ ଚିତ୍କାର କରି ଉଠିଲା ରେବତୀ । ମାତ୍ର ତା’ର ସେ ଚିତ୍କାର ରାତିର ଅନ୍ଧାର ସହ ଧକ୍କା ଖାଇ ତା’ ପାଖକୁ ଫେରିଆସିଲା । ଆଗ ଗାଡ଼ିର ଡ୍ରାଇଭର କିଛି ଉତ୍ତର ଦେଲା ନାହିଁ । ରେବତୀ ଭିତରର ପୁଲିସ ରାଗ ନାକ ଆଗକୁ ଚଢ଼ି ଆସିଲା । ସେ ସ୍କୁଟିକୁ ସେଇଠି ରଖି ଗାଡ଼ିର ଡ୍ରାଇଭର ବସିଥିବା ସିଟ୍‌ ପାଖକୁ ଆସିଲା । କିନ୍ତୁ ସେଠି ସେ ଯାହା ଦେଖିଲା, ସେଥିରେ ତା’ର ରାଗ ବରଫ ପରି ଶୀତଳ ହୋଇଗଲା ।

 

କାର୍‌ଟି ଗୋଟେ ଗଛ ଦେହରେ ପିଟି ହୋଇ ଯାଇଥିଲା ।

 

ଡ୍ରାଇଭରଟିର ମୁଣ୍ଡ ବାଡ଼େଇ ହୋଇଯାଇଥିଲା ଷ୍ଟିୟରିଂ ଉପରେ । ରେବତୀ ଲୋକଟିର ମୁଣ୍ଡ ଓ ମୁହଁ ଉପରେ ହାତ ବୁଲେଇ ଆଣିଲା । ତା’ ହାତ ଓଦା ହୋଇଗଲା । ସେ ଜାଣିପାରିଲା ଗୁଡ଼ାଏ ରକ୍ତ ମୁଣ୍ଡରୁ ବୋହି ଯାଇଛି । ଲୋକଟିର ଚେତା ନାହିଁ । ରେବତୀ ଗାଡ଼ିର ପଛ ସିଟ୍‌କୁ ଚାହିଁ କହିଲା, “ଆଉ କିଏ ଅଛ ?” ମାତ୍ର ପଛରେ କେହି ନଥିଲେ । ବୋଧହୁଏ ଏକାକୀ ଗାଡ଼ି ଚଳେଇ ଫେରୁଥିଲା ଲୋକଟି ! ସେ ଏକଥାବି ଜାଣିପାରିଲା ଯେ ଗାଡ଼ିଟା ଗଛରେ ବାଜି ରହିଯାଇଛି, ନହେଲେ ତଳକୁ ଗଡ଼ି ପଡ଼ିଥାଆନ୍ତା ।

 

ତା’ର ଏବେ କ’ଣ କରିବା ଉଚିତ ?

 

ସେ ଗାଡ଼ିର ନମ୍ବର ପଢ଼ିଲା ଓ ମନେରଖିଲା । ପାଟପୁରରେ ଡାକ୍ତରଖାନା ନାହିଁ । ଲୋକଟାକୁ ଡାକ୍ତରଖାନାକୁ ନେବାକୁ ହେଲେ ତାକୁ ପୁଣି ପଛକୁ ପୀରବଜାର ଫେରିବାକୁ ପଡ଼ିବ । ଏଇଠୁ କିନ୍ତୁ ପାଟପୁର ପାଖ, ପୀରବଜାର ଦୂର ।

 

ସେ ରାସ୍ତା ଉପରେ ପାଞ୍ଚ ସାତ ମିନିଟ୍‌ ଛିଡ଼ାହୋଇ କାଳେ କେହି ଏ ବାଟ ଦେଇ ଯା–ଆସ କରୁଥିବେ ବୋଲି ଅପେକ୍ଷା କଲା । କିନ୍ତୁ ପ୍ରାୟ ପନ୍ଦର ମିନିଟ୍‌ ଅପେକ୍ଷା କରିବା ସତ୍ତ୍ୱେ ତା’ ନଜରରେ ଜଣେବି ଲୋକ ପଡ଼ିଲେ ନାହିଁ । ଝଡ଼ବର୍ଷା ଯୋଗୁଁ ରାସ୍ତା ଫାଙ୍କା । ଆଜି ପୁଣି ପାଟପୁର ହାଟବାରି ନୁହେଁ ।

 

ରେବତୀ ଆକାଶକୁ ଚାହିଁଲା । କୃଷ୍ଣପକ୍ଷ ରାତି ଖୁବ୍‌ ନିଛାଟିଆ ଏବଂ ଅସମର୍ଥ ଲାଗୁଥିଲା । ସେ ଭାବିଲା, ଲୋକଟାକୁ ଏଇଠି ଛାଡ଼ି ନିଜ ରାସ୍ତାରେ ଚାଲିଯିବ ! କାରଣ ସେ କ୍ଳାନ୍ତ ଏବଂ ଏକୁଟିଆ । ଲୋକଟାବି ତା’ର ଅପରିଚିତ । ଏଠୁ ଡାକ୍ତରଖାନାକୁ ନେଲେ ବଞ୍ଚିବ କି ମରିବ ଜଣାନାହିଁ । ତା’ଛଡ଼ା ସେ ଏକାକୀ ଲୋକଟାକୁ ସ୍କୁଟିରେ ଲଦିକି ନେବ କେମିତି ?

 

ରେବତୀ ଜିପ୍‌ ଚଳେଇ ଜାଣେ । ହୁଏତ ଚେଷ୍ଟାକଲେ କାର୍‌ଟା ଚଳେଇ ପାରିବ ।

 

ମାତ୍ର କାର୍‌ ଚାଲିବା ଅବସ୍ଥାରେ ନାହିଁ । ତା’ର ଆଗ ବାଁ ପଟରୁ ଚେପା ହୋଇଯାଇଛି ।

 

ରେବତୀ କିଛି ସ୍ଥିର କରିବା ପୂର୍ବରୁ ସେ କାର୍‌ଟିର ଦୁଆର ଖୋଲି ଲୋକଟିକୁ ଭିଡ଼ିବାକୁ ଆରମ୍ଭ କରିଦେଇଥିଲା । ଚେଇଁଥିବା ଲୋକ ଅପେକ୍ଷା ଶୋଇଥିବା ଲୋକ ଓଜନିଆ ଲାଗେ । ତାକୁ ଏ ଅଚେତ ଲୋକଟା ଖୁବ୍‌ ଓଜନିଆ ଲାଗୁଥିଲା । ଲୋକଟାର ପାଟିରୁ ହ୍ୱିସ୍କି ଗନ୍ଧ ଆସୁଥିଲା । ରେବତୀ ଅନୁମାନ କଲା, ମଦ୍ୟପାନ ଯୋଗୁଁ ଏ ଦୁର୍ଘଟଣା ଘଟିଛି ।

 

ସେ ଲୋକଟାର ମୁହଁରେ ରାସ୍ତାଧାର ବର୍ଷାପାଣିରୁ ଚଳାଏ ପାଣି ଆଣି ଛିଞ୍ଚିଲା । କିନ୍ତୁ ଲୋକଟାର ଚେତା ଫେରିଲା ନାହିଁ । ତା’ର ମୁହଁଟା ରକ୍ତ ବଲବଲ ହୋଇ ବିବର୍ଣ୍ଣ ଦିଶୁଥିବା ରେବତୀ ଅନୁମାନ କଲା । ନା, ଆଉ ସେ ଡେରି କରିବ ନାହିଁ । ଆକ୍ସିଡ଼େଣ୍ଟ୍‌ ଘଟିବାର ପ୍ରଥମ ପଇଁଚାଳିଶ ମିନିଟ୍‌ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଯଦି ସେହି ସମୟ ଭିତରେ ଆଶୁ ଚିକିତ୍ସା ଯୋଗାଇ ଦିଆଯାଇପାରେ, ତାହାହେଲେ ଦୁର୍ଘଟଣାଗ୍ରସ୍ତ ଲୋକଟି ବଞ୍ଚିଯାଇପାରେ । କେତେ ସମୟ ହେଲା ଲୋକଟା ଏଠି ଏମିତି ପଡ଼ିରହିଲାଣି କିଏ ଜାଣେ ! ଆଉ ଡେରି କରିବା ଉଚିତ ନୁହେଁ ।

 

କିନ୍ତୁ କେମିତି ନେବ ସେ ଲୋକଟାକୁ ସ୍କୁଟିରେ ଲଦି ?

 

ଘୋଷାରି ଘୋଷାରି ଲୋକଟାକୁ ଆଣିଲା ଏବଂ ତାକୁ ହ୍ୟାଣ୍ଡଲ୍‌ ସହ ସମାନ୍ତରାଳଭାବେ ଶୁଆଇ ସେ ତା’ ପଛକୁ ବସିଲା । ମାତ୍ର ଗାଡ଼ି ଷ୍ଟାର୍ଟ୍ କରିଛି କି ନାହିଁ ଲୋକଟା ଡାହାଣ କଡ଼କୁ ଖସି ରାସ୍ତାରେ ପଡ଼ିଗଲା । ରେବତୀ ଭୟ ପାଇଲା । କାଳେ ଟଣାଟଣିରେ ଲୋକଟି ମରିଯିବ ନାହିଁ ତ ! ସେ ଏଥର ସ୍କୁଟିର ଡିକି ଭିତରୁ ରାତିରେ ପାଲଟିବ ବୋଲି ସାଙ୍ଗରେ ଆଣିଥିବା ଶାଢ଼ିଟି ବାହାର କଲା ଓ ଲୋକଟିକୁ ସିଟ୍‌ ଉପରେ ପେଟେଇ ସିଟ୍‌ ସହ ତାକୁ ବାନ୍ଧିଦେଲା । ଲୋକଟିର ଗୋଡ଼ ଓ ମୁଣ୍ଡ ଦି’ ପଟକୁ ଝୁଲି ରହିଥିଲା । ସେ ଜାଣିପାରୁ ନଥିଲା ଏହାଦ୍ୱାରା ସେ ଲୋକଟିର ଭଲ କରୁଥିଲା କି ମନ୍ଦ । କିନ୍ତୁ ଏହାଛଡ଼ା ତା’ ପାଖରେ ଅନ୍ୟ ବିକଳ୍ପ ନଥିଲା ।

 

ସେ ଈଶ୍ୱରଙ୍କୁ ଡାକିଲା । ପ୍ରାର୍ଥନା କଲା, ଲୋକଟିକୁ ରକ୍ଷା କର ଏବଂ ତା’ପରେ ପୀରବଜାର ମୁହାଁ ଗାଡ଼ି ଚଳେଇଲା ।

 

କିଛି ସମୟ ଆଗରୁ ତାକୁ ଥକ୍କା ଲାଗୁଥିଲା, ଭୋକବି । ମାତ୍ର ଏବେ ତାକୁ ଭୋକ କି ଥକ୍କା କୌଣସିଟି ଲାଗୁ ନଥିଲା । ତା’ର ଖାଲି ଗୋଟିଏ ଲକ୍ଷ୍ୟ, କିଭଳି ସେ ପୀରବଜାର ଡାକ୍ତରଖାନାରେ ପହଞ୍ଚିବ ।

 

ଚାରିପଟେ ମଫସଲୀ ଅନ୍ଧାର । ନିର୍ଜନ ରାସ୍ତା । ଅନେକ ବାଟ ଆସିବା ପରେ ଗୋଟେ ଟ୍ରେକର୍ ତାକୁ ଅତିକ୍ରମ କରିଗଲା । ମାତ୍ର ସେତେବେଳକୁ ରେବତୀ ଆଉ ଅଟକିବା ମାନସିକତାରେ ନଥିଲା । ତା’ପାଇଁ ଏ ଘଟଣା ଗୋଟେ ଆହ୍ୱାନ ହୋଇସାରିଥିଲା ।

 

ଧୀରେ ଧୀରେ ମଫସଲୀ ରାସ୍ତା ସରି ଆସୁଥିଲା । ପୀରବଜାର ରାସ୍ତାର ଆଲୁଅ ଦିଶିଲା । ରେବତୀ ଅଚିହ୍ନା ଲୋକଟି ଉଦ୍ଦେଶ୍ୟରେ କହିଲା, ‘ମୋ ଦାୟିତ୍ୱ ମୁଁ କରିଛି । ତେଣିକି ତୁମ ଭାଗ୍ୟ ।’

 

ସେ ପୀରବଜାର ଡାକ୍ତରଖାନାରେ ପହଞ୍ଚି ଡାକ ପକେଇଲା, ‘କିଏ ଅଛ ଭାଇ, ଗୋଟେ ଆକ୍ସିଡ଼େଣ୍ଟ୍‌ କେସ୍‌ । ଜଲଦି ଆସ ।’

 

ଡାକ୍ତର ନଥିଲେ । ବେହେରା ଜଣକ ନିଦରୁ ଉଠିଲା ପରି ଆସିଲା ଏବଂ କହିଲା, ‘ଏଇଟା ତ ପୁଲିସ କେସ୍‌ ।’

 

: ଜାଣେ । ମୁଁ ନିଜେ ପୁଲିସ । ଡାକ୍ତର କାହାନ୍ତି? –ଚଢ଼ାଗଳାରେ ରେବତୀ ଜେନା ପଚାରିଲା ।

 

‘ପୁଲିସ’ ଶବ୍ଦ ଶୁଣି ବେହେରାର ଆଖିରୁ ନିଦ ହଟିଗଲା । ସେ କହିଲା, ‘ମାଡ଼ାମ୍‌, ଏବେ ମୁଁ ଡାକି ଆଣୁଛି,’ ଏବଂ ଧାଇଁ ଧାଇଁ ଡାକ୍ତରଙ୍କୁ ଡାକିବାପାଇଁ ଚାଲିଗଲା ।

 

ରେବତୀ ସେଇଠି ପ୍ରଥମଥର ଲାଗି, ପଚିଶ କିଲୋମିଟର ବାଟ ବୋହି ବୋହି ଆଣିଥିବା ଲୋକଟିର ଚେହେରା ଡାକ୍ତରଖାନାର ଆଲୁଅରେ ଦେଖିଲା ଏବଂ ଥମ୍‌ ହୋଇ ବସିଗଲା ।

 

ଡାକ୍ତର ରୋଗୀକୁ କିଛି ସମୟ ଦେଖିଲେ ଓ କହିଲେ, “ଖୁବ୍‌ କ୍ରିଟିକାଲ୍‌ କେସ୍‌ ମାଡ଼ାମ୍‌-! ଏଠି କିଛି କରିହେବ ନାହିଁ । ତେବେ ମୁଁ ଆମ୍ବୁଲାନ୍‌ସ୍ ବ୍ୟବସ୍ଥା କରୁଛି । ବଡ଼ ଡାକ୍ତରଖାନା ନେଇଯିବାକୁ ହେବ । ଆମ ପାଖେ ସମୟ ନାହିଁ ।”

 

।। ଦୁଇ ।।

 

ରେବତୀ କଟକର ବଡ଼ ଡାକ୍ତରଖାନା ବାରନ୍ଦାରେ, ଗୋଟିଏ ଫ୍ୟାନ୍‌ ତଳ ବେଞ୍ଚ୍‍ରେ ବସିଥିଲା । ପଙ୍ଖାଠାରୁ ଅଧିକ ବେଗରେ ଗଲା ସାତବର୍ଷ ତଳର ସେହି ଭୟଙ୍କର ରାତିର ଘଟଣା ତା’ ମୁଣ୍ଡ ଭିତରେ ଘୂରିବୁଲୁଥିଲା । ଯେତେ ଚେଷ୍ଟା କଲେ ସୁଦ୍ଧା ସେ ସେଇ ଘଟଣାଗୁଡ଼ିକୁ ତା’ ମୁଣ୍ଡ ଭିତରୁ ବାହାର କରି ପାରୁ ନଥିଲା ।

 

ତରତର ପାଦରେ ମଙ୍ଗଳାବାଗ ଥାନାର ମୋହନ ରାଉତ ଆଇ.ସି.ୟୁ.ରୁ ବାହାରି ଆସି ଡାକିଲା, “ରେବତୀ, ପେସେଣ୍ଟ୍‍ର ସମ୍ପର୍କୀୟଙ୍କୁ ଖବର ଦେବାକୁ ପଡ଼ିବ । ମୋ ପାଖେ ଯାହା ଥିଲା ମୁଁ ଦେଇଛି । କିନ୍ତୁ ଏଇଟା ଖୁବ୍‌ ସିରିୟସ କେସ୍‌ ।”

 

ରେବତୀ ଖଣ୍ଡେ କାଗଜ ଉପରେ ପାଟପୁର ଫାଣ୍ଡିର ଫୋନ୍‌ ନମ୍ବର ଲେଖିଦେଲା । “ଏଇ ନମ୍ବରରେ ଖବର ଦେଇ ଦିଅ । ଖବର ପାଇବେ ନୂଆସାହିର ଘନଶ୍ୟାମ ମିଶ୍ର । ଯିଏ ଫୋନ୍‌ ଧରିବେ, ତାଙ୍କୁ କହିଦେବ ।”

 

: ତୁମେ କ’ଣ ତାଙ୍କୁ ଚିହ୍ନ ? –ମୋହନ ପଚାରିଲା ।

 

: ହଁ । ରେବତୀ ଆଖି ଉଠେଇ ତାକୁ ଅନେଇଲା । ସାରା ଦିନର କ୍ଳାନ୍ତି, ସଞ୍ଜ ପହରର ଭିଡ଼ାଓଟରା, ତା’ପରେ ଭଦ୍ରକରୁ କଟକ ଆସିବା ଭିତରେ ତା’ର ହାତଗୋଡ଼ ନିଶ୍ଚଳ ହୋଇଯାଇଥିଲା । ବ୍ୟସ୍ତତା ଏବଂ ଉତ୍ତେଜନା ଭିତରେ ସେ ପାଣି ଟୋପାଏ ମୁହଁରେ ଦେଇ ନାହିଁ । ଏବେ କଥା କହିବାକୁ ସୁଦ୍ଧା କଷ୍ଟ ହେଉଥିଲା ।

 

: କିନ୍ତୁ ଏତେ ସବୁ ସେ କଲା କାହିଁକି ? କାହାପାଇଁ ? –ଏବେ ଏହି କଥାଟି ଭାବୁଥିଲା-। ତା’ର ନିଜ ଉପରେ ଦୟା ଆସୁଥିଲା । ଏହାଠୁ ଭଲ ହୋଇଥାନ୍ତା, ଲୋକଟାକୁ ସେଇଠି ରାସ୍ତାକଡ଼ରେ ପକେଇ ସେ ତା’ ନିଜ ବାଟରେ ଚାଲି ଯାଇଥାଆନ୍ତା ।

 

ସାତବର୍ଷ ତଳର ଗୋଟେ ଅମାବାସ୍ୟା ରାତି ।

 

ସେ ନୂଆସାହିର ପୋଖରୀ ମୁଣ୍ଡରେ, ତାଙ୍କ ନିଜ ଘରେ ଲଣ୍ଠନ ଜଳେଇ ପାଠ ପଢ଼ୁଥିଲା । କଲେଜର ଷାଣ୍ମାସିକ ପରୀକ୍ଷା ଥାଏ ମୁଣ୍ଡ ଉପରେ । ବାପା ସକାଳ ପହରୁ ରାଧାଗୋବିନ୍ଦପୁର ବାହାରିଯାଇଥିଲେ, ସେ ଯାଏଁ ଘରକୁ ଫେରି ନଥିଲେ । କହିଯାଇଥିଲେ, ପଟ୍ଟନାୟକ ଘରର ଗୋରୁଟାଏ ମରିଛି । ତା’ରି ଚମଡ଼ା ଛାଲି, ଲୁଣଦେଇ ଶୁଖେଇ ଫେରି ଆସିବେ-

 

ସେଇ ରେବତୀ ବାପାର କାମ, ମଲା ଗୋରୁଗାଈଙ୍କ ଚମଡ଼ା ସଂଗ୍ରହ କରିବା, ନହେଲେ ଲୋକଙ୍କ ନଡ଼ିଆଗଛ ଉଞ୍ଚେଇବା, ମୂଲ ଲାଗିବା ।

 

ରେବତୀପାଇଁ ତା’ ବାପା ଉଭୟ ମାଆ ଓ ବାପା । ସାନ ଦିନୁ ମାଆକୁ ହରେଇଥିଲା ସେ । କିନ୍ତୁ କୌଣସି ଦିନ ମାଆର ଅଭାବ ଅନୁଭବ କରିବାକୁ ଦେଇ ନାହାନ୍ତି ତା’ର ବାପା ।

 

ସେ ମୁଣ୍ଡ କୁଣ୍ଡେଇ ଦିଅନ୍ତି, ବେଣୀ ପାରିଦିଅନ୍ତି । ଆଖିରେ କଜଳ ଲଗେଇ ଦିଅନ୍ତି । ଘାଗଡ଼ା ଗଳାରେ ଗୀତ ଗାଇ ଶୁଆଇ ପକାନ୍ତି ।

 

ରେବତୀ ଅନାଏ, ତେଲଚିକିଟା କଳା, ଡେଙ୍ଗା ଓ ପଥର ମୂର୍ତ୍ତି ପରି ଚେହେରାର ତା’ ବାପା ତାକୁ ସବୁବେଳେ ଆପଣାର ଲାଗନ୍ତି । ବାପାଙ୍କ ପାଖରେ ବସିଥିଲେ ତା’ର ଦମ୍ଭ ଆସେ । ସେଇ ସଞ୍ଜରେ, ଦମକାଏ ଝଡ଼ପବନ ପରି କିଏ ଟିଣ କବାଟଟାକୁ ଠେଲି ଦେଇଥିଲା । ଚମକି ପଡ଼ିଥିଲା ରେବତୀ । କାହିଁ କେଉଁଠି ଝଡ଼ ପବନ ନାହିଁ । କିଏ ଏମିତି କବାଟଟାକୁ ଠେଲିଦେଲା ? ତା’ ବାପା କେବେ ଏମିତି କବାଟ ଠେଲି ଦିଅନ୍ତି ନାହିଁ । କିଛି ଗୋଟାଏ ସମସ୍ୟାରେ ପଡ଼ିଥିଲେ କି ବାପା ?

 

ରେବତୀ ପଢ଼ା ବହିଟାକୁ ଥୋଇ ତରବର ହୋଇ ଉଠିଯାଇଥିଲା । କବାଟ ସେପଟେ ବାପା ନଥିଲେ । ଥିଲେ ସରପଞ୍ଚ ଘନଶ୍ୟାମ ମିଶ୍ର, ତାଙ୍କ ପୁଅ ଅନଙ୍ଗ ଏବଂ ତାଙ୍କର ଦି’ଜଣ ସହଯୋଗୀ । ଲଣ୍ଠନ ଆଲୁଅରେ ରେବତୀ ଅନେଇଥିଲା, ସେମାନଙ୍କ ଆଖିମାନ ଦପ୍‌ଦପ୍‌ ହେଉଥିଲା । ସତରବର୍ଷର ରେବତୀ ସେହି ଆଖିଗୁଡ଼ାକୁ ଚାହିଁ ବୁଝି ପାରିଥିଲା ଯେ ସେମାନେ କିଛି ଗୋଟାଏ ଭୟଙ୍କର କାମ କରିବାପାଇଁ ଆସିଥିଲେ ।

 

: ଅନଉଛ କ’ଣ ? ତାକୁ ଘୋଷାରି ଆଣ । ସେଇ ଚାଳ ସେପଟକୁ ନେଇ ତା’ କାମ ବଢ଼େଇ ଦିଅ । ମୁଁ ଦେଖିବି, କେଉଁ ଶଳା ଆସି ତାକୁ ରକ୍ଷା କରିବ? –ଘନଶ୍ୟାମ ମିଶ୍ର ଚିତ୍କାର କରିଥିଲେ ।

 

ଲୋକ ଦି’ଜଣ ତା’ ହାତ ଧରି ତାକୁ ଭିଡ଼ିବାକୁ ଆରମ୍ଭ କରିଥିଲେ । ରେବତୀ ଚିତ୍କାର କରିବାପାଇଁ ବାହାରିଥିଲା, ଘନଶ୍ୟାମ ମିଶ୍ରଙ୍କ ପୁଅ ଧାଇଁଆସି ତା’ ପାଟିକୁ ବନ୍ଦ କରିଦେଇଥିଲା ତା’ ହାତ ପାପୁଲିରେ । ରେବତୀର ଚିତ୍କାର ଖାଲି ଗଁଗଁରେ ପରିଣତ ହୋଇଥିଲା ।

 

ରେବତୀ ଜାଣିପାରିଥିଲା, ସେ କେଉଁ ପରିସ୍ଥିତିର ଶିକାର ହେବାକୁ ଯାଉଥିଲା । ସେତେବେଳେ ତା’ର କୁରୁସଭାର ଦ୍ରୌପଦୀଙ୍କ କଥା ମନେପଡ଼ିଥିଲା । କିନ୍ତୁ ଦ୍ରୌପଦୀଙ୍କ ଲାଗି ସ୍ୱୟଂ ଶ୍ରୀକୃଷ୍ଣ ଥିଲେ । ତା’ପାଇଁ କେହି ନଥିଲେ ।

 

ସେ ବିକଳରେ ଛାଟିପିଟି ହେଇ ତା’ ବାପାଙ୍କୁ ଖୋଜି ହେଇଥିଲା । ଛାତି ଭିତରୁ କଲିଜା ଥରେଇ ଚିତ୍କାରଟେ ବାହାରକୁ ବାହାରି ଆସିବା ଲାଗି ଚେଷ୍ଟା କରୁଥିଲା । କିନ୍ତୁ ସେ ନିରୁପାୟ ଥିଲା । ତାକୁ ଦି’ଜଣ ଲୋକ ଭିଡ଼ି ଧରିଥିଲେ ।

 

ସରପଞ୍ଚ ଘନଶ୍ୟାମ ମିଶ୍ର ରେବତୀର ଘର ଭିତରେ ପଶି ଜିନିଷପତ୍ର ଫିଙ୍ଗାଫୋପଡ଼ା କରୁଥିଲେ । ବହିଖାତା, ତା’ ସ୍କୁଲ୍‌ ବସ୍ତାନି, ତା’ ବାପାର ଜାମା, ଧୋତି, ତାଙ୍କର ଡେକ୍‌ଚି, କଡ଼େଇ ସବୁଗୁଡ଼ାକୁ ଫିଙ୍ଗି ଦେଇଥିଲେ ବାହାରକୁ । ଶେଷକୁ ତା’ ସାଇକେଲ୍‌ଟାକୁ ତଳେ ଶୁଆଇ ପାଗଳ ପରି ତା’ର ସ୍ପୋକ୍‌ଗୁଡ଼ାକ ଉପରେ ନାଚୁଥିଲେ ।

 

: ହାଡ଼ିର ଝିଅ, ସାଇକେଲ୍ ଚଢ଼ି ସ୍କୁଲ୍‍ ଯାଉଛି ? ଶଳା, ଏ ଗାଁର ଧର୍ମ ବୋଲି କିଛି ରହିବ ନା ନାହିଁ ? ଯୋଉଦିନୁ ଏ ଶାଳୀ ସାଇକଲ୍ ଚଢ଼ିଲାଣି, ସେଇଦିନୁ ଏ ଗାଁରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିଚାଲିଛି । କିବେ ମୁଁ ସତ କହୁଛି ନା ନାହିଁ କପିଳା ?

 

: ସମ୍ପୂର୍ଣ୍ଣ ସତ ଆଜ୍ଞା । ନହେଲେ କ’ଣ ଚଡ଼ଚଡ଼ି ପଡ଼ି ଆପଣଙ୍କ ଦୁଧିଆଳୀ ଗାଈଟା ମରିଥାନ୍ତା ନା ନବଘନ ରାଉତରା ପୁ‌ଅକୁ ସର୍ପ ଦଂଶିଥାନ୍ତା ? ସବୁ ସତ । ଦେଖୁ ନାହାନ୍ତି, ଛଅ ମାସ ହେଲାଣି ଏ ଗାଁରେ ବର୍ଷା ପାଣି ଟୋପେ ପଡ଼ିଲାଣି ? ଆପଣେ ଗାଁର ମୁରବି । ଧର୍ମ ଜଗିବା ଆପଣଙ୍କ କାମ । ଆପଣ ଆଖି ବୁଲେଇ ନେଲେ ଆମେ କୁଆଡ଼େ ଯିବୁ ?–କପିଳା ଉତ୍ସାହର ସହ ମିଶ୍ରଙ୍କୁ ସମର୍ଥନ କରୁଥିଲା ।

 

: ଶୁଣିଲୁ ଶାଳୀ ? ଗାଁସାରା ଲୋକ ବସି ନିଷ୍ପତ୍ତି ନେଇଛନ୍ତି । ତୁ ଆଉ ତୋ ବୋପା ଏ ଗାଁ ଛାଡ଼ି ପଳେଇବ । ନହେଲେ, ତୋ ବୋପା ସିନା ମଲା ପଶୁଙ୍କ ଚମଡ଼ା ଛାଲୁଛି, ମୁଁ ଜିଅନ୍ତା ତା’ ଚମଡ଼ା ଛାଲିଦେବି । କୋଉ ସରକାର ଆସି ତମ ପିଠିରେ ପଡ଼ିବ ଦେଖିବି !

 

ରେବତୀ ଛାଟିପିଟି ହେଉଥିଲା । ତା’ର ଫ୍ରକ୍‌ ଖଣ୍ଡଟା ପିଠିପଟୁ ଛିଣ୍ଡି, କାନ୍ଧରୁ ଖସି ଓହଳି ପଡ଼ିଥିଲା । ମିଶ୍ରଙ୍କ ମୂଲିଆ ତା’ର ଟାଣ ହାତରେ ତାକୁ ଭିଡ଼ି ଧରିଥିଲା ।

 

: ଆବେ ସେତିକିବେଳୁ ଧରିଛୁ କ’ଣ ? ନେଇକି କାମ ବଢ଼େଇଦେ । ଶାଳୀର ଇଜ୍ଜତ ଲୁଟିଗଲେ କାହାକୁ ମୁହଁ ଦେଖେଇ ପାରିବ ନାହିଁ । ପୁଲିସ କଚେରି କଥା ମୁଁ ବୁଝିବି । ଯା, ଶାଳୀକି ଲଙ୍ଗଳା କରି ପକା ।

 

ସେତିକିବେଳେ ବୁଦ୍ଧିଟିଏ ରେବତୀର ମୁଣ୍ଡକୁ ଜୁଟିଥିଲା । କିଏ ଦେଇଥିଲେ ତାକୁ ସେ ବୁଦ୍ଧି ? ପରିସ୍ଥିତି ? ତା’ର ଅସହାୟତା ନା ଭଗବାନ ଶ୍ରୀକୃଷ୍ଣ ? ସିଏ ଜାଣି ନାହିଁ । ଲୋକଟାର ହାତକୁ ଛିଞ୍ଚାଡ଼ି ଦେଇ ସେ ମିଶ୍ରଙ୍କ ପୁଅ ଅନଙ୍ଗକୁ ଯାଇ ଜାବୋଡ଼ି ଧରିଥିଲା ଦି’ ହାତରେ । ଚାପା ସ୍ୱରରେ କହିଥିଲା, “ଯାହା କରିବାର ତୁମେ କର । ତମକୁ ମୁଁ ଭଲପାଏ । ତୁମେ ମୋ ମନର ଠାକୁର ।”

 

ଅନଙ୍ଗ ମିଶ୍ରର ହାତ ହୁଗୁଳା ହୋଇଯାଇଥିଲା । ରେବତୀ ଅନୁଭବ କରିଥିଲା, ଏଭଳି କଥା ଶୁଣିବାପାଇଁ ସେ ପ୍ରସ୍ତୁତ ନଥିଲା ।

 

ଉତ୍ସାହିତା ରେବତୀ ଅନଙ୍ଗକୁ ଜାବୋଡ଼ି ଧରି କହିଥିଲା, “ଛୋଟ ଘରଲୋକଙ୍କ ବାଡ଼ିର ଫୁଲ କ’ଣ ଠାକୁରଙ୍କ ପୂଜାରେ ଲାଗେ ନାହିଁ ? ମୋତେ ବାହା ହେବାକୁ କହିବିନି, କିନ୍ତୁ ମୋତେ ତମେ ଏମାନଙ୍କ ପାଖରୁ ନେଇ ଚାଲ । ତମ ଛଡ଼ା ଆଉ କାହାକୁ ମୁଁ... ।” ସେ କାନ୍ଦି କାନ୍ଦି ଏସବୁ କହିଥିଲା ।

 

କପିଳା ଓ ତା’ର ସାଙ୍ଗ ଆଉଥରେ ରେବତୀକୁ ଝିଙ୍କିବାପାଇଁ ଆଗେଇ ଆସୁଥିଲେ । ଅନଙ୍ଗ ମିଶ୍ର ବଡ଼ପାଟିରେ କହିଲା, “ଖବରଦାର, ତା’ ଦିହରେ ଟିପ ଦିଅ ନାହିଁ । ସେ ମୋର ।”

 

ଦେଶୀ ମଦର ନିଶା ଚହଲି ଯାଇଥିଲା ଘନଶ୍ୟାମ ମିଶ୍ରଙ୍କର । ସାଇକେଲ୍‌ ଭାଙ୍ଗିବା କାମରୁ ଫୁରୁସତ୍‌ ଲୋଡ଼ି ସେ ତାଙ୍କ ପୁଅକୁ ଚାହିଁଥିଲେ । ଛବିଶବର୍ଷର ଯୁବକ । ତାଙ୍କରି ଛାଞ୍ଚରେ ଗଢ଼ା । ଟିକିଏ ରହି ମୂଲିଆ ଦିହିଁଙ୍କି କହିଲେ, “ହଉ ସାନବାବୁଙ୍କର ଯାହା ଇଚ୍ଛା ସେଇଆ କରନ୍ତୁ । ଚାଲ ।”

 

ଏବଂ ତା’ପରେ ?

 

ରେବତୀ ନାନା ମିଛ କହି ଅନଙ୍ଗକୁ ସେଦିନ ବିଦା କରିଥିଲା । କହିଥିଲା, ସେହିଦିନ ସେ ମାସିକ ନାରୀଧର୍ମ ପାଳିଛି । ଦିଦିନ ପରେ ଶୁଦ୍ଧସ୍ନାନ କରି ସେ ଅନଙ୍ଗପାଇଁ ଅପେକ୍ଷା କରିବ । ଏ ଜନ୍ମରେ ସେ କେବଳ ଅନଙ୍ଗ ମିଶ୍ରର । ଆଉ କାହାର ହେବ ନାହିଁ ।

 

ଅନଙ୍ଗ ମିଶ୍ର ତାକୁ କୁଣ୍ଢେଇ ବହେ ନାଚିଯାଇଥିଲା । ତା’ ଗାଲ ଓ ଓଠକୁ କାମୁଡ଼ି ପକେଇଥିଲା । କହିଥିଲା, ‘ହାଡ଼ି ଘରେ ଜନମି ଏଡ଼େ ସୁନ୍ଦରୀ ତୁ କେମିତି ହେଲୁଲୋ ରେବତୀ !’

 

ରେବତୀ ମିଛରେ ହସିଥିଲା । କିରିକିରି ହେଇ ହସିଥିଲା । ଅନଙ୍ଗ ମିଶ୍ରର ଝାଳ ସରସର ଦେହକୁ ଜାବୋଡ଼ି ଧରିଥିଲା ସେ । ତା’ ଆଖି ତାଙ୍କର ବିପର୍ଯ୍ୟସ୍ତ ଘରକରଣା ଉପରେ ପହଁରି ଆସୁଥିଲା । ସବୁଯାକ ଭାଙ୍ଗିରୁଜି ଛାରଖାର ହୋଇଯାଇଥିଲା । କିନ୍ତୁ ସେ କାନ୍ଦିବା ବଦଳରେ ହସିଥିଲା । ଅନଙ୍ଗ ମିଶ୍ର ମନଖୁସିରେ ତାଙ୍କ ଘରୁ ଚାଲିଯିବା ପରେ ରେବତୀ ସେଇଠି ସେମିତି ବସିଥିଲା । ପାହାନ୍ତା ପହରକୁ ଆସିଥିଲେ ବାପା ।

 

ରେବତୀକୁ କିଛି କହିବାପାଇଁ ପଡ଼ି ନଥିଲା । ଗାଁମୁଣ୍ଡ ଦେଇ ଆସିବା ବାଟରେ ବାପା ଏ ଦୁର୍ଘଟଣାର ସୁରାକ ପାଇସାରିଥିଲେ ।

 

ଚମଡ଼ାଛଲା ଛୁରିକୁ ଧରି ବାପା ବାହାରିଥିଲେ ଘନଶ୍ୟାମ ମିଶ୍ର ଘରକୁ ।

 

ରେବତୀ ମନା କରିଥିଲା । ବାଟ ଓଗାଳିଥିଲା ତା’ ବାପାଙ୍କର ।

 

ବାପା ପୁଣି ବାହାରିଥିଲେ ପାଟପୁର ଫାଣ୍ଡିକି ।

 

ରେବତୀ ମନା କରିଥିଲା । କହିଥିଲା, ‘କ’ଣ ଲାଭ ହେବ ବାପା ? ଦଶ ପନ୍ଦର ଦିନ ପୁଲିସ ଜଗିବ । କିନ୍ତୁ ତା’ପରେ କ’ଣ ହେବ ?’

 

ବାପା ବୁଝିପାରି ନଥିଲେ ।

 

ରେବତୀ କାନ୍ଦି କାନ୍ଦି କହିଥିଲା, “ଗୋଟେ ଚାଳଛପର ଘର ଜଳିବାକୁ ଖୁବ୍‌ କମ୍‌ରେ ଚାରିଘଣ୍ଟା ସମୟ ଲାଗେ । ମାତ୍ର ଗୋଟେ ଝିଅର ଭାଗ୍ୟ ଜଳିପୋଡ଼ି ପାଉଁଶ ହେବାପାଇଁ ପାଞ୍ଚ ମିନିଟ୍‌ ସମୟ ଲାଗିବ ନାହିଁ । ଆମେ ପୁଲିସ କି କଚେରି ଦଉଡ଼ି ଏ ଗାଁରେ ରହିପାରିବା ନାହିଁ ବାପା । ଚାଲ, ସକାଳ ହେବା ଆଗରୁ ଆମେ ପଳେଇଯିବା । ଜୀବନ ବଞ୍ଚେଇ ଏଠୁ ପଳେଇବା !”

 

ନବଘନ ଜେନା ସତାବନବର୍ଷର ପାକଳ ମଣିଷ । ଜନ୍ମବେଳୁ କେତେକେତେ ଦୁଃଖ ଦେଖିଥିଲେ ଦି’ ଆଖିରେ । କିନ୍ତୁ ଜୀବନର ସବୁ ଦୁଃଖକୁ ଟପିଗଲା ମା’ଛେଉଣ୍ଡ ଝିଅର ନିର୍ଯାତନା । ତାଙ୍କୁ ଲାଗିଥିଲା, କିଏ ଯେମିତି ଜିଅନ୍ତା ତାଙ୍କ ଚମଡ଼ା ଛାଲି ତହିଁରେ ଲୁଣ ଲଙ୍କାମରିଚ ବୋଳି ଦେଇଥିଲା । ସେ ଜଳିପୋଡ଼ି ଚିତ୍କାର କରୁଥିଲେ, ଛାଟିପିଟି ହେଉଥିଲେ । କିନ୍ତୁ ତାଙ୍କ ଯନ୍ତ୍ରଣା କମୁ ନଥିଲା ।

 

ରେବତୀ ଉପରେ ଘନ ମିଶ୍ରଙ୍କ ଅହନ୍ତା ଅନେକ ଦିନୁ ସେ ଜାଣିଥିଲେ । ମିଶ୍ରଙ୍କ ଝିଅ ମାଟ୍ରିକ୍‌ ପରୀକ୍ଷାରେ ଭଲ ନମ୍ବର ରଖି ପାରି ନଥିଲା । ରେବତୀ ପାସ୍‌ କରିଥିଲା ପ୍ରଥମ ଶ୍ରେଣୀରେ-। ନୂଆସାହିଠୁଁ ପାଟପୁର ପାଞ୍ଚ ମାଇଲ ଦୂର । ସାଇକଲ୍ ଖଣ୍ଡେ ନ କିଣିଥିଲେ ବିଚାରୀ ସବୁଦିନ କେମିତି ସ୍କୁଲ୍‌କୁ ଯାଇଥାଆନ୍ତା ? କିନ୍ତୁ ଯୋଉଦିନୁ ରେବତୀ ସାଇକଲ୍ ଚଢ଼ିଲାଣି ସେଇଦିନୁ ଗାଁରେ ଟୁପୁରୁଟାପର ସେ ଶୁଣିଲେଣି । ସେଇଦିନୁ ଗାଁରେ ଯେତେ ବିପଦ ଆପଦ, ସବୁର କାରଣ ରେବତୀର ସାଇକେଲ୍ ଚଢ଼ା ! ଗୋଟେ ସାନ ଝିଅର ସାଇକେଲ୍ ଚଢ଼ାରେ କ’ଣ ଏତେ ଆପଦ ବିପଦ ଥାଏ ?

 

ପୋଖରୀ ହୁଡ଼ାରେ ଛିଡ଼ାହୋଇ ବାପା, ଝିଅ ଦି’ଜଣ ଢେର୍‌ ସମୟ କାନ୍ଦିଥିଲେ । ଦିହିଁଙ୍କ ଲୁହରେ ଦିହେଁ ଓଦା ହେଇଥିଲେ । ‘ଧିକ୍‌ ଏ ଜୀବନ, ଯୋଉଠି ଏତିକି ଟିକିଏ ସୁଖ ନାହିଁ’ କହିଥିଲେ ତା’ର ବାପା । ରେବତୀ ବୁଝେଇଥିଲା, ‘ଦୁନିଆ ବହୁତ ବଡ଼ । ପଳେଇଚାଲ ।’

 

।। ତିନି ।।

 

ପେସେଣ୍ଟ୍‍ଙ୍କର କ’ଣ କେହି ରିଲେଟିଭ୍‌ ଆସି ନାହାନ୍ତି ?–ଜେରା କରୁଥିଲା ନର୍ସ ।

 

: ରିଲେଟିଭ୍‌ । ମୁଁ, ମୁଁ ଅଛି ।

 

: ଚାଲନ୍ତୁ, ଦସ୍ତଖତ କରିବେ । ସାର୍‌ ଡାକୁଛନ୍ତି ।

 

ରେବତୀ ଠେଲିଲା ପରି ୱାଡ଼୍‍ ଭିତରକୁ ଗଲା । କ’ଣ ଦସ୍ତଖତ କରିବ ? କାହାର ଜୀବନରକ୍ଷା ଲାଗି ଦସ୍ତଖତ କରିବ ସେ ? କାହିଁକି ? ଲୋକଟା ନ ବଞ୍ଚିଲେ ତା’ର କ’ଣ କ୍ଷତି ହୋଇଯିବ ?

 

ସେବର୍ଷ ଭଦ୍ରକରେ ପହଞ୍ଚିବାର ତିନିଦିନ ପରେ ରେବତୀ ତା’ ବାପାଙ୍କଠାରୁ ଖବର ପାଇଥିଲା, ଘନଶ୍ୟାମ ମିଶ୍ର ଓ ଗାଁଲୋକ ମିଶି ତାଙ୍କ ଘରଟାକୁ ପୋଡ଼ି ଦେଇଥିଲେ । କୁହାକୁହି ହେଉଥିଲେ, ଘଟଣାଟି କୁଆଡ଼େ ଥିଲା ଆକସ୍ମିକ ।

 

ସାତବର୍ଷ କାଳ କେମିତି ବିତେଇଛନ୍ତି ବାପ–ଝିଅ, ରେବତୀ ଜାଣେ । ଗାଁର ମଫସଲୀ ଲୋକ ତା’ ବାପା ସହରର ପିଚୁ ରାସ୍ତା କାମ କରିଛନ୍ତି ଖରାରେ ସିଝି । ମେସିନ୍‌ ପାଲଟିଛନ୍ତି ତା’ ବାପା । ଗୋଟିଏ ସ୍ୱପ୍ନ–ଝିଅ ପାଠ ପଢ଼ିବ । ମଣିଷ ହେଇ ଦୁନିଆ ଦାଣ୍ଡରେ ଛିଡ଼ା ହେବ ।

 

ଏବଂ ରେବତୀ ।

 

କୌଣସି ଦିନ ରେବତୀ ଭୁଲିପାରି ନାହିଁ ସେହି ଅମାବାସ୍ୟା ରାତିର ଭୟଙ୍କର ଦୃଶ୍ୟ । ଚାରି ଚାରିଟି ମଦ୍ୟପ ଏବଂ ତା’ ଭଳି ଗୋଟେ ଏକାକୀ ଝିଅ । ସେମାନେ ଜିଭ ଲହଲହ କରି, ନଖଦାନ୍ତ ଦେଖେଇ ତା’ ଆଡ଼କୁ ମାଡ଼ି ଆସୁଛନ୍ତି ଡାହାଳ କୁକୁର ପରି । ସେ ଆଖି ବୁଜି ଈଶ୍ୱରଙ୍କୁ ଡାକୁଛି–ବଞ୍ଚାଅ ଠାକୁରେ ! ବଞ୍ଚାଅ ।

 

ଚମକି ଉଠି ପଡ଼େ ରେବତୀ ରାତିଅଧରେ । ଅଣ୍ଡାଳି ଅଣ୍ଡାଳି ଯାଇ କଳସୀରୁ ପାଣି ଅଜାଡ଼ି ପିଏ । ଦମ୍‌ ମାରେ । ଶାଢ଼ି କାନିରେ କପାଳରୁ ଝାଳ ବୁନ୍ଦା ପୋଛେ । ନିଜ ହାତକୁ ଚିମୁଟି ଅନୁଭବ କରେ ସେ ବାସ୍ତବରେ ଅଛି ନା ସ୍ୱପ୍ନରେ ! ପୁଣି ଶୋଇପଡ଼ିବାକୁ ଚେଷ୍ଟା କରେ । ଆଖିକୁ ନିଦ ଆସେ ନାହିଁ ।

 

ସେଇ ରେବତୀ ଏବେ ପୁଲିସ ସବ୍‌ଇନିସ୍‌ପେକ୍ଟର । ଅନୁଗୁଳର ଟ୍ରେନିଙ୍ଗ୍ ପରେ ପୋଷ୍ଟିଂ ହୋଇଛି ବ୍ରହ୍ମପୁରରେ । ବାପା ତା’ର ମନା କରୁଥିଲେ, ଝିଅପିଲାଟା, ପୁଲିସ ଚାକିରି କ’ଣ କରିବ ! ମାତ୍ର ରେବତୀ ନିଜ ଜିଦ୍‌ରେ ଅଟଳ ରହିଥିଲା ।

 

ଯେଉଁଦିନ ପୁଲିସ ପୋଷାକ ପିନ୍ଧି ବାପାଙ୍କ ସାମ୍ନାରେ ରେବତୀ ଯାଇ ଛିଡ଼ା ହୋଇଥିଲା, ସେଦିନ ନବଘନ ଜେନା ଖୁସିରେ କାନ୍ଦି ପକେଇଥିଲେ । କହିଥିଲେ, ‘ମୋ ସ୍ୱପ୍ନକୁ ପୂରା କରି ତୁ ମୋତେ ଋଣୀ କରିଦେଲୁଲୋ ମାଆ ।’

 

ପୁଲିସ ପୋଷାକରେ ରେବତୀ ପୁଅଟେ ପରି ଦିଶୁଥିଲା । ବାପା କହିଥିଲେ, ‘ତୁ ମୋର ପୁଅ, ତୁ ମୋର ଝିଅ ।’

 

ରେବତୀ କହିଥିଲା, “ଝିଅମାନେ ପୁଅଙ୍କ କାମ କରିପାରିବେ, ପୁଅ ପରି ଦିଶିପାରିବେ । କିନ୍ତୁ ପୁଅଗୁଡ଼ାକ ଝିଅଙ୍କ ପରି ହେଲେ ସମସ୍ତେ ହସିବେ ।”

 

ସେକଥା ମନେପଡ଼ି ରେବତୀର ଆଖିରୁ ଲୁହ ଦି’ ଟୋପା ଖସିପଡ଼ିଲା ।

 

ମୋହନ ଆଉ ଖଣ୍ଡେ କାଗଜ ଧରି ତରତରରେ ଆସୁଥିଲା । ଲୋକଟି ଖୁବ୍‌ ସାହାଯ୍ୟକାରୀ । ରାତିଅଧରୁ ତା’ ପାଖେପାଖେ ଅଛି । ରେବତୀ କହିଲା, “କ’ଣ ଦରକାର ?”

 

: ଆଗେ ଗୋଟେ ଭଲ ଖବର ଶୁଣନ୍ତୁ । ପେସେଣ୍ଟ୍‍ର ଚେତା ଫେରିଲାଣି ।

 

: ଚେତା ଫେରିଲାଣି ? ରେବତୀ ଉତ୍ସାହିତ ହୋଇପଡ଼ିଲା । ହଠାତ୍‌ ତା’ ମୁହଁର ଟାଣପଣ ସବୁ କୁଆଡ଼େ ଉଭେଇଗଲା ଏବଂ ସେ କୋମଳ ହୋଇପଡ଼ିଲା ।

 

ସେ ବାରନ୍ଦାର ଗ୍ରିଲ୍‌ ଫାଙ୍କରେ ଦେଖିଲା, ଗୋଟାଏ ଗାଡ଼ିରୁ ଘନଶ୍ୟାମ ମିଶ୍ର ଏବଂ ତାଙ୍କର ସାଙ୍ଗ ଦି’ଜଣ ଓହ୍ଲଉଥିଲେ । ରେବତୀ ଚୁପ୍‌ଚାପ୍‌ ଛିଡ଼ା ହୋଇ ରହିଲା ।

 

ଘନଶ୍ୟାମ ମିଶ୍ର ଦ୍ରୁତ ପାଦରେ ଆଇ.ସି.ୟୁ. ଯାଏଁ ଦଉଡ଼ିଗଲେ ଏବଂ ଦୁଆର ପାଖେ କିଛି ସମୟ ରହି ପୁଣି ଫେରିଆସିଲେ । ଏଥର ସେ ସିଧା ଆସି ରେବତୀ ଜେନା ସାମ୍ନାରେ ଛିଡ଼ା ହେଲେ ଏବଂ ରେବତୀର ଦୁଇ ହାତ ଧରି ସାନ ପିଲାଙ୍କ ପରି ଭୋଭୋ କାନ୍ଦି ଉଠିଲେ ।

 

ଘନଶ୍ୟାମ ମିଶ୍ର ନୂଆସାହିର କୁଳୀନ ପରିବାରର ଲୋକ । ଲକ୍ଷ ଲକ୍ଷ ଟଙ୍କାର ମାଲିକ-। ରାଜରାସ୍ତାର ଭିକାରି ପରି ସେ ମେଡ଼ିକାଲ ବାରନ୍ଦାରେ କାନ୍ଦୁଥିଲେ ।

 

ରେବତୀ ଏଣେତେଣେ ଚାହିଁ କାହାକୁ ଖୋଜି ହେଉଥିଲା । ଘନଶ୍ୟାମ ମିଶ୍ର ଡାକପକେଇଲେ, “ଆସ ନବଘନ, ଆସ । ରେବତୀକୁ କୁହ, ମୋ ଭଳି ମହାପାପୀଟାକୁ କ୍ଷମା କରିଦେଉ ।”

 

ରେବତୀ ଦୀର୍ଘଶ୍ୱାସ ନେଲା ଏବଂ କିଛି ନ କହି ତା’ ବାପା ପାଖକୁ ଘୁଞ୍ଚିଗଲା । ନବଘନ ଝିଅକୁ ଆଉଁଶି ଦେଇ ତାକୁ କୋଳେଇ ନେଲେ ।

 

ଘନଶ୍ୟାମ ମିଶ୍ର ଆଉଥରେ ରେବତୀର ହାତ ଧରି କହିଲେ, ‘ମା’ ମୋତେ କ୍ଷମା କରିଦେ । ତୋ ଦୟା ହେଇ ନଥିଲେ ଆଜି ମୁଁ ନିର୍ବଂଶ ହେଇଯାଇଥାଆନ୍ତି । ତୋର ଏ ଋଣ ମୁଁ ଜୀବନରେ କେବେ ଶୁଝିପାରିବି ନାହିଁ ।’

 

ରେବତୀ ନିଜର ହାତ ଖସେଇ ଆଣିଲା । ଘନଶ୍ୟାମ ମିଶ୍ରଙ୍କ ମୁହଁକୁ ସିଧା ଅନେଇ କହିଲା, “ଆପଣଙ୍କ ପୁଅ ଥରେ ଅଜାଣତରେ ମୋତେ ବଞ୍ଚେଇଥିଲେ । ମୁଁ ସେମିତି ଅଜାଣତରେ ତାଙ୍କୁ ଆଣି ଏଠି ପହଞ୍ଚେଇଛି । କ୍ଷମା କି ଋଣ କଥା କୁହନ୍ତୁ ନାହିଁ । ବାକି କଥା ତ ସବୁ ତାଙ୍କ ଉପରେ ।” ସେ ଉପରକୁ ଅନେଇ ଆକାଶକୁ ଇସାରା କଲା ।

 

ଘନଶ୍ୟାମ ମିଶ୍ର ମୁହଁ ତଳକୁ କରି ଛିଡ଼ା ହୋଇଥିଲେ ।

 

ରେବତୀ ତା’ ବାପାଙ୍କୁ ଧରି ଧୀରେ ଧୀରେ ମେଡ଼ିକାଲ ବାରନ୍ଦାରୁ ବାହାରି ଯାଉଥିଲା । ଘନଶ୍ୟାମ ମିଶ୍ର ପଛରୁ ଛୋଟ ଜାତିର ଏଇ ବାପ–ଝିଅ ଯୋଡ଼ିକଙ୍କୁ ଅନେଇ ଦେଖୁଥିଲେ । ଯେତେ ଚେଷ୍ଟା କଲେ ସୁଦ୍ଧା ରେବତୀର ମୁଣ୍ଡ ପର୍ଯ୍ୟନ୍ତ ତାଙ୍କର ଆଖି ପାଉ ନଥିଲା ।

☆☆☆

 

Unknown

ସାଧାରଣ ଘଟଣା

 

ମନ୍ତେଇ ନଈ ଉପରେ ଶଙ୍ଖଚିଲଟାଏ ଉଡ଼ିଗଲା ।

 

କରୁଣାକର ଯୋଗୀ ଖୁସି ହୋଇଗଲା । ଶଙ୍ଖଚିଲ ଦେଖିବା ଶୁଭ । ଏ ବର୍ଷ ନିଶ୍ଚୟ ସେ ବହୁତ ଚାଉଳ ପାଇବ । ଆଗେ ସେ ବନମାଳୀଙ୍କ ଘରେ ପହଞ୍ଚିଯାଉ । ତା’ପରେ ବୁଡ଼ଟିଏ ପକେଇ ମାଗଣରେ ବାହାରି ପଡ଼ିବ ।

 

ଭଅଁରାବାଙ୍କ ଆଡ଼କୁ ଗଡ଼ି ଯାଇଥିବା ପାଦଚଲା ରାସ୍ତାର ଉତ୍ତର ମୁଣ୍ଡକୁ ସରପଞ୍ଚ ଦଶରଥ ନାୟକର ଖଳା । ତା’ର ବାର ମାଣ ଜମି ସେପାରି ଚାଷ । ଏପଟେ ଆଉ ବାର ମାଣ । ଦଶରଥ ନାୟକ ପାଟପୁରର ବଡ଼ଚାଷୀ । ତା’ ଘରେ ଭାତ ଖାଇବା ଲୋକ ଜାଣିପାରେ ନାହିଁ, ସେ କେଉଁ ସନ ଧାନର ଚାଉଳ ଖାଉଛି । ଅଭାବୀ ଲୋକ ଘରେ ସିନା ଅଶିଣ କାର୍ତ୍ତିକକୁ ଧାନ ସରିଯାଏ, ମାତ୍ର ଦଶରଥ ନାୟକ ଘରେ ବର୍ଷକର ଧାନ ସରି ନଥିବ, ନୂଆ ଧାନ ଆସି ହାଜର ।

 

ନଈକୂଳ ପଦା ଉପରୁ ଘାସ ଉଞ୍ଛେଇ ଖଳା ବାନ୍ଧିଛି ଦଶରଥ ନାୟକ । ମାଟି ଗୋବରରେ ଲିପି ସଫା କରିଦେଇଛି ଏଇ ଅରାକ ଜାଗା । ଚାରିପଟେ ଧାନ କଳେଇର ବଦାଡ଼ି । ମଝିରେ ବେଙ୍ଗଳା ପକେଇବା ପାଇଁ ଖୋଲା ଜାଗା ।

 

କିଆବୁଦା ଡେଇଁ ଉତ୍ତରା ପବନ ବୋହି ଆସୁଥିଲା । ଦଶରଥ ବେଙ୍ଗଳା ଗୋରୁଙ୍କୁ ଆଡ଼ଉ ଆଡ଼ଉ କହିଲା, “କିହୋ ତାନ୍‌ସେନ୍‌ ମହାଶୟ, ଆସିଗଲ ? ଏଥର ଭାରି ଖୁସି ଖୁସି ଦିଶୁଛ-!”

 

କରୁଣାକର ବୁଝିପାରିଲା ଦଶରଥ ନାୟକ ତାକୁ ପରିହାସ କରୁଛି । ସେ ଜାତିରେ ଯୋଗୀ । କେନ୍ଦରା ବଜେଇ ଗୀତ ଗାଏ, ଦୁଆର ଦୁଆର ଭିକ ମାଗେ । ଯିଏ ଯାହା ଦେଲେ ସେ ସେଇଥିରେ ଖୁସି । ଆଗରୁ ଲୋକମାନେ ବେଶି ବେଶି ଚାଉଳ ଦେଉଥିଲେ, ଏବେ ଅଧିକାଂଶ ଦଶପଇସି କି ଚାରଣିଟିଏ ତା’ ଥାଳରେ ପକେଇ ଦିଅନ୍ତି । ସେ ପଇସାଗୁଡ଼ିକୁ ଅଲଗା କରି ଖୋସଣିରେ ଖୋସିଦିଏ । ଆଗରୁ ସେ ଅରୁଆ ଉଷୁନା ଗୋଟିଏ ଥାଳରେ ନେଇଯାଉଥିଲା । କିନ୍ତୁ ବାରମିଶା ଚାଉଳଗୁଡ଼ା ବେପାରୀ ନିଅନ୍ତି ନାହିଁ । ସେହିଦିନୁ ସେ ଦିଇଟି ଥାଳ କରିଛି । ଗୋଟାକରେ ଅରୁଆ, ଆରଟିରେ ଉଷୁନା । ଲୋକଙ୍କ ଘରକୁ ଯାଇ ଭିକ ମାଗିଲାବେଳେ ଆଜିକାଲିକା ଭିକାରିଙ୍କ ପରି ସେ ଖାଲି ମାଗେ ନାହିଁ, ଗୀତ ଗାଏ । ଟୀକା ଗୋବିନ୍ଦଚନ୍ଦ୍ର, କେଶବକୋଇଲି, ବଉଳା ଗାଈ, ଅଚ୍ୟୁତାନନ୍ଦ ମାଳିକା ନହେଲେ ସର୍ପ ଜଣାଣ । କରୁଣାକରର ସ୍ୱରଟି ଭଲ । ତହିଁକୁ ଦୁଃଖଭାବର ଗୀତଗୁଡ଼ିକ ତା’ କଣ୍ଠରେ ଆହୁରି ଭଲ ଶୁଭେ ।

 

କରୁଣାକର ଯେତେବେଳେ ଟୀକା ଗୋବିନ୍ଦଚନ୍ଦ୍ରରୁ ପଦେ କି ବଉଳା ଗାଈ ଗୀତରୁ ପଦେ ଗାଇ ସ୍ୱର ଲହରେଇ ଦିଏ, ସେତେବେଳେ ଗାଁର ସ୍ତ୍ରୀଲୋକମାନେ ଲୁହ ରୋକି ପାରନ୍ତି ନାହିଁ । କରୁଣାକର ରାନ୍ଧୁଣୀ ଗାଧୁଆବେଳେ ମାଗଣରେ ଆସେ । ଘରଣୀମାନେ ଗାଧୋଇ ପାଧୋଇ ଚୁଲିରେ ହାଣ୍ଡି ବସେଇବାକୁ ଗଲାବେଳେ ଦୁଆରମୁହଁରୁ ଶୁଭେ–

 

“କୋଇଲି କେଶବ ଯେ ମଥୁରାକୁ ଗଲା...

 

କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା,

 

ଲୋ କୋଇଲି !”

 

କରୁଣାକରର ଏ ଗୀତ ଶୁଣି ମା’ ମାନେ ଥୟ ଧରିପାରନ୍ତି ନାହିଁ । କେମିତି ଆନମନା ହୁଅନ୍ତି ସେମାନେ । ତା’ ଥାଳରେ ଦି’ ମୁଠା ଚାଉଳ ନ ପକେଇ ନିଜ ହାଣ୍ଡିରେ ପକେଇ ପାରନ୍ତି ନାହିଁ ।

 

କରୁଣାକର ଏସବୁ ଜାଣେ । ଯଦି ‘କେଶବ କୋଇଲି’ ଗୀତରେ କେହି ପ୍ରଭାବିତ ନ ହେଲା, ତାହାହେଲେ ସେ ଗାଏ–“ଭଜୁ କିନା ରାମ ନାମରେ କୁମର ଭଜୁ କିନା ରାମ ନାମ ।” ଶେଷକୁ କେନ୍ଦରା ସୁରରେ ସୁର ମିଳେଇ ଗାଏ ବଉଳା ଗାଈ ଗୀତ । ବଉଳା ଗାଈକୁ ବାଘ ମହଲତ ଦେଇଛି । ସେ ଆସିଛି ତା’ ବାଛୁରୀକୁ କ୍ଷୀର ଦେଇ ପୁଣି ବାଘ ପାଖକୁ ଫେରିଯିବ । ସେଇଠି ବାଘ ତାକୁ ମାରି ଖାଇବ । ବାଛୁରୀକୁ ସେଇ କଥା କହୁଛି ମାଆ ବଉଳା ଗାଈ ।

 

–“ଆଜିକ ଧନମାଳୀ କ୍ଷୀର ଦି’ ଟୋପା ପିଇ ଦେଇଥା, କାଲିକି ତ ମୁଁ ନଥିବି ।” କରୁଣାକର ଗୀତ ଗାଉ ଗାଉ ନିଜେ କାନ୍ଦି ପକାଏ । ତା’ ଥାଳ ଉଛୁଳି ଉଠେ ଚାଉଳରେ । ସେଇ କରୁଣାକର । କୋଉ ଗାଁରେ ତା’ ଘର, ସେ ଖବର ତାକୁ କେହି ପଚାରନ୍ତି ନାହିଁ । ମାର୍ଗଶିର, ପୌଷ ଓ ମାଘ ତିନିଟି ମାସ ଘଣ୍ଟେଶ୍ୱର ଅଞ୍ଚଳରେ ତା’ ଦେଖା ମିଳେ । ତା’ପରେ ଫଗୁଣ ଆସିବା ଆଗରୁ ସେ ଯେଉଁଆଡ଼ୁ ଆସିଥାଏ ସେଇ ଆଡ଼କୁ ପଳେଇଯାଏ । ସିଏ ଶୀତର ଅତିଥି । ଯେତେବେଳେ କ୍ଷେତରେ ପାଚିଲା ଧାନର ଲହରୀ ଖେଳୁଥାଏ, ଟିଆଠୁଁ ନେଇ ବାଇଚଢ଼େଇ ପର୍ଯ୍ୟନ୍ତ ନାନାପ୍ରକାର ଚଢ଼େଇ ଆକାଶରେ ଚକ୍କର କାଟୁଥାଆନ୍ତି, ସେତିକିବେଳେ କେନ୍ଦରା ବଜେଇ ବଜେଇ ଆସେ କରୁଣାକର । ତା’ର ଚାଲି କାଦୁଅନାସିର ବନମାଳୀ ଓଝାଙ୍କ ଘର ଆଗରେ ଆସି ଶେଷ ହୁଏ ।

 

କରୁଣାକରର ସାଙ୍ଗ ବନମାଳୀ ଓଝା, ଗୁରୁ ପୁଣି ମୁରବି । ବୟସ ସତୁରି ଟପିଲାଣି । ଦିନେ ହାତୁଡ଼ିରେ ପିଟି ପିଟି ବଙ୍କା ଲୁହାକୁ ସିଧା କରୁଥିବା ହାତରୁ ଆଜି ବଳ ହଟିଲାଣି, କିନ୍ତୁ ବୁଦ୍ଧିତକ ସେମିତି ଅଛି । ବନମାଳୀ ବୁଢ଼ାଙ୍କ ମୁଣ୍ଡରେ ଯେତେ କଥା, ସବୁଯାକ ରେଡ଼ିଓବି କହିପାରିବ ନାହିଁ–କରୁଣାକର ଭାବେ । କରୁଣାକର ଚାରିଆଡ଼େ ବୁଲି ବୁଲି ମାଗଣ କରେ । ଧାନ, ଚାଉଳ, ପଇସା ଯିଏ ଯାହା ଦେଲା ସେସବୁ ଆଣି ବନମାଳୀ ଓଝାଙ୍କ ଘରେ ରଖେ । ସେଇଠୁ ସମୟ ଦେଖି ସେସବୁ ନେଇ ପାଖ ହାଟରେ ବିକ୍ରି କରି ପଇସା ଆଣେ । ଯିବା ଆଗରୁ କରୁଣାକର ବନମାଳୀ ଓଝାଙ୍କ ପାଦ ଛୁଇଁ କୁହେ, “ବଞ୍ଚିଥିଲେ, ଆର ସନକୁ ଆସିବି ।”

 

–“କିଏ ବଞ୍ଚିଥିଲେ, ତୁ ନା ମୁଁ ?” ପାକୁଆ ପାଟିରେ ହସ ଖେଳେଇ ବନମାଳୀ ଓଝା ଗତ ସନ ପଚାରିଥିଲେ ।

 

କରୁଣାକର ଏ କଥା ଶୁଣି ଦି’ କାନରେ ହାତ ଦେଇଥିଲା ।

 

–“କିହୋ ତାନ୍‌ସେନ୍‌, ଆମ କଥା ଶୁଭୁନି କି ?” ବେଙ୍ଗଳା ପକଉ ପକଉ ଆଉଥରେ ଡାକ ପକେଇଲା ଦଶରଥ ନାୟକ । କରୁଣାକର ଉତ୍ତର ଫେରେଇଲା, “ଶୁଣିଲେ କ’ଣ ହେବ ? କୁବେର ତ ଏ ତାନ୍‌ସେନ୍‌କୁ ପଚାରୁ ନାହାନ୍ତି ।” ଏତକ କହି ସେ ମୁହଁ ମୋଡ଼ିଦେଇ ନିଜ ବାଟରେ ଚାଲିଲା । ମନରେ ଭାବିଲା, ଶଙ୍ଖଚିଲଟି ପରେ ଏ ମାଟିଆଚିଲଟିକୁ କାହିଁକି ଦେଖିଲା କେଜାଣି ! ଦଶରଥ ନାୟକ ମୁହଁ ଚାହିଁଲି, ଖାଇବାକୁ ମିଳୁଛି ନା ନାହିଁ କିଏ ଜାଣେ ?

 

କରୁଣାକର ଅଭିଯୋଗ ମିଛ ନୁହେଁ । ଦଶରଥ ଯେତିକି ଧନୀ, ସେତିକି କୃପଣ । ତା’ ସାଙ୍ଗରେ ଆଉ ଗୋଟେ ଗୁଣ ମିଶିକି ରହିଛି–ପରଶ୍ରୀକାତରତା । ଅନ୍ୟ ଜଣେ କେହି ଭଲ ଖାଇଲେ, ସେ କଥା ତା’ ଦେହରେ ଯାଏଁ ନାହିଁ । ତା’ପରଠାରୁ ଚିନ୍ତା, କେମିତି ସେ ଲୋକଟିକୁ ହଇରାଣ କରିବ । ଅନ୍ୟର ଭଲ ଦେଖିଲେ ତା’ ମନ ଖରାପ ହୋଇଯାଏ ।

 

ପିଲାପିଲି ତ ନାହାନ୍ତି, କାହାପାଇଁ ଏ ଯକ୍ଷ ଏତେ ସମ୍ପତ୍ତି ସମ୍ଭାଳୁଛି କେଜାଣି? –କରୁଣାକର ମନକୁ ମନ କହିଲା ଏବଂ ନିଜ ବାଟରେ ଚାଲିବାକୁ ଲାଗିଲା । ତା’ର ଏମିତି ଏଡ଼େଇ ଯିବା ଢଙ୍ଗଟି ଦଶରଥ ନାୟକକୁ ଭଲ ଲାଗିଲା ନାହିଁ । ସିଏ କହିଲା–ଏ ସନବି ସବୁ ଧାନଚାଉଳ ସେଇ ଓଝା ଘରେ ପୂରେଇବୁ ! ତା’ ଝିଅ ତ କୋଉକାଳୁ ଆଉ କାହା ହାତ ଧରି ପଳେଇ ଗଲାଣି, ମିଛଟାରେ କାହିଁକି ସମ୍ପତ୍ତି ସାରୁଛୁ ? ସେ ବୁଢ଼ା କାଙ୍ଗାଳ ହେଲାଣି । ତମ ଚାଉଳତକ ଚଳୁ କରିଦେବା ବିଚିତ୍ର ନୁହହୋ ତାନ୍‌ସେନ୍‌ !

 

କରୁଣାକରର ମନଟା ‘ଛି’ ହୋଇଗଲା । କି ମଳିଛିଆ ମନ ଦଶରଥ ନାୟକର ! ସମ୍ପତ୍ତିବାଡ଼ିର ସୀମା ନାହିଁ, ଜମିବାଡ଼ି ଯାହାକୁ ଯେତେ । କିନ୍ତୁ ମନଟି ହାଣ୍ଡିକଳାଠାରୁ ଆହୁରି କଳା-। ବନମାଳୀ ଓଝା ଗରିବ ହୋଇପାରନ୍ତି, ଦୁର୍ବଳ ହୋଇପାରନ୍ତି, କିନ୍ତୁ ଖରାପ ଲୋକ ନୁହନ୍ତି । ବିଧାତା ଏଭଳି ଲୋକଙ୍କୁ ଗୋଟିଏ ପରେ ଗୋଟିଏ ବିପଦ କାହିଁକି ଦେଉଛି କେଜାଣି-? ପଚାଶବର୍ଷବେଳକୁ ଯୁବକ ପୁଅ ମରିଗଲା । ଝିଅଟିଏ ଥିଲା । ସିଏବି କାହା ସାଙ୍ଗରେ ପଳେଇଗଲା । ତା’ ପରେ ପରେ ବୁଢ଼ୀ । ଏବେ ଅଭାବୀ ଘରେ ଏକଲା ବାସ୍ତରିବର୍ଷର ବନମାଳୀ ଓଝା । କାମ କରିବାକୁ ବଳ ନାହିଁ କି ସାହସ ନାହିଁ । ଏବେ ତ ଗାଁରେ ଶାଳ ଚାଲୁ ନାହିଁ-। ଚାଲୁଥିବାବେଳେ ସେ ଦାଆ କୁରାଢ଼ି କି ଲଙ୍ଗଳଫାଳ ତିଆରି କରୁଥିଲେ । ବର୍ତ୍ତମାନ ସମସ୍ତେ ଇଲେକ୍‍ଟ୍ରିକ୍ ଶାଣକୁ ଯାଉଛନ୍ତି, ଗାଁ କମାରଶାଳ ସବୁ ବନ୍ଦ ହୋଇଗଲାଣି । କରୁଣାକର ଚାଲିବାର ବେଗ ବଢ଼େଇଲା । ଛାଡ଼ ବଅର ହେଲେ, କାଦୁଅରେ ପଶିବାକୁ ପଡ଼ିବ । ମନ୍ତେଇ ନଈ ଭାରି ମନୁଆ । ଜୁଆରବେଳେ ଯେମିତି ଚଟ୍‌କିନା ବଢ଼ିଯାଏ, ଭଟ୍ଟାବେଳକୁ ସେମିତି ଛଟ୍‌କରି କମିଯାଏ-। ଜୁଆରବେଳେ ପାଣି ମାଡ଼ିଆସେ କିଆବୁଦା ପାଖାପାଖି । ଡଙ୍ଗା ଆସିଯାଏ କୂଳକୁ । ଗୋଡ଼ରେ କାଦୁଅ ଲାଗେ ନାହିଁ । ଛାଡ଼ବେଳେ ଭାରି ହଇରାଣ । ଆଣ୍ଠୁଏ କାଦୁଅରେ ପଶି ଡଙ୍ଗା ପର୍ଯ୍ୟନ୍ତ ଯିବାକୁ ହୁଏ । ସେ ଯେଉଁ ଚିକିଟା ମାଟି, ଦିଇଟାଯାକ ଗୋଡ଼ ଧୋଇବାପାଇଁ ଚାରି କଳସୀ ପାଣି ଦରକାର !

 

କରୁଣାକର ଗୀତ ମେଲେଇ ଦେଲା–“ଆରେ ବାବୁ ଶ୍ୟାମଘନ, ତୁ ଗଲେ ମଧୁଭୁବନ, କାହା ମୁଖ ଅନାଇ ବଞ୍ଚିବି । ହେବ ଦଶଦିଗ ଶୂନ୍ୟ, ଅସ୍ଥିର ହେବ ଜୀବନ, ନିଶିଦିବସରେ ଝୁରୁଥିବିରେ ଜୀବଧନ... ।”

 

ତା’ର ସେ ବାତ୍ସଲ୍ୟ ରସର ଗୀତ ମନ୍ତେଇ ନଈର ଚହଲା ପାଣିରେ ସତେ କି ନୂଆ କମ୍ପନ ସୃଷ୍ଟି କଲା । ଡଙ୍ଗା ଉପରୁ ଘାଟିଆ ଡାକିଲା–“ଆସ ଆସ ଯୋଗୀପୁଅ, ତମ ଲାଗି ପରା ଡଙ୍ଗା ଅଟକେଇଛି ।”

 

କରୁଣାକର ଏଥର ଦଉଡ଼ିଲା । ସତକଥା । ଡଙ୍ଗାରେ ଲୋକମାନେ ବସି ସାରିଲେଣି । ଜଣେ କିଏ ସାଇକେଲ୍‌ଟିଏ ଧରି ଉଠିଛି । ଥରେ ସେପଟକୁ ଡଙ୍ଗା ଚାଲିଗଲେ ପୁଣି ଏପଟକୁ ଆସୁ ଆସୁ ଅଧଘଣ୍ଟା । ସେପଟେ ଯାତ୍ରୀ ନ ଜୁଟିଲେ ଘାଟିଆ ଅପେକ୍ଷା କରେ । ଯାତ୍ରୀଙ୍କୁ ଧରି ଏ କୂଳରୁ ଫେରେ । ଗଲା ସାତବର୍ଷ ଧରି କରୁଣାକର ଏଇ ଅଞ୍ଚଳକୁ ଆସୁଛି । ଘାଟିଆ ତାକୁ ଚିହ୍ନେ । ପଚାରିଲା–“ଓଝାଙ୍କ ଘରକୁ ଯାଉଛ ନା ?”

 

–“ହଁ, ଶୁଣିଲି ତାଙ୍କ ଦେହ ଖରାପ ।”

 

–“ହେଇଥିବ । କେତେ ଦିନ ହେଲାଣି, ତାଙ୍କୁ ଦେଖି ନାହିଁ ।”–ଘାଟିଆ କହିଲା ।

 

ତା’ପରେ ଯୋଡ଼ିଲା–“ଯଦି ରହିବାର ସମସ୍ୟା ହେବ, ଆମ ଖଳାକୁ ପଳେଇ ଆସିବ । ଏଇଠି ତମର କେନ୍ଦରାକୁ ମୋର ଖଞ୍ଜଣି । ଭଲ କୀର୍ତ୍ତନ ହେବ ।”

 

–“ହଁ, ହଁ”, କରୁଣାକର ଉତ୍ତର ଦେଲା । ତା’ପରେ ଚାରିଆଡ଼କୁ ଅନେଇ ମନ୍ତବ୍ୟ ଦେବା ସ୍ୱରରେ କହିଲା–“ଏ ସନ ତମ ଅଞ୍ଚଳରେ ବେଶ୍‌ ଧାନ ହେଇଛି ତ ?”

 

“ଆହୁରି ହୋଇଥାଆନ୍ତା । ଠିକ୍‌ବେଳରେ ମେଘ ଛାଡ଼ିଗଲା । ଯେଉଁ ଭାବରେ ଥୋଡ଼ ଧରିଥିଲା, ଅମାରରେ ଜାଗା ଧରି ନଥାନ୍ତା । ତା’ ସାଙ୍ଗକୁ ଆସିଲା ଝଡ଼ିବରଷା । ଏପଟେ ତ ଉଠା ପାଣି ବ୍ୟବସ୍ଥା ନାହିଁ ! ଲୀଳାବତୀ ଧାନ ନଷ୍ଟ ହୋଇଗଲା ।”

 

ଲୀଳାବତୀ ଏ ଅଞ୍ଚଳର ବାସୁମତି ପରି । ଛୋଟ ଛୋଟ ଧାନ, ପ୍ରଚୁର ବାସନା । ଏ ଘରେ ରନ୍ଧାହେଲେ ଗାଁମୁଣ୍ଡ ଘର ଯାଏଁ ବାସେ । କରୁଣାକର କହିଲା–“ସୋଲା, ପାଟିଣି ହେଲେ ଯୋଗୀର କାମ ଚଳିଲା । ବଡ଼ବଡ଼ିଆଙ୍କ ଲୀଳାବତୀରେ ଆମର ବା କି ଗରଜ ?”

 

ଡଙ୍ଗା ଏ ପାରିରେ ଆସି ଲାଗିଲା । କରୁଣାକର ତା’ର ଲୁଗାପଟା ଭର୍ତ୍ତି ବଡ଼ ଝୁଲାଟାକୁ ଧରି ଓହ୍ଲେଇ ପଡ଼ିଲା । ଲାଉତୁମ୍ବାରେ ତିଆରି ଦିଇଟି ଥାଳ, କେନ୍ଦରା ଏବଂ ଗୋଟେ ଟସର ଚାଦର । ତା’ ସାଙ୍ଗକୁ କଳାକନା ଉପରେ ଧଳାକନା ଘୋଡ଼ା ବେତ ବେଣ୍ଟର ଗୋଟିଏ ଛତା । ଏଇତକ କରୁଣାକର ସମ୍ପତ୍ତି ।

 

ସେ ଖୋସଣିରୁ ବାହାର କରି ଆଠଣା ବଢ଼େଇ ଦେଲା ଘାଟିଆକୁ । ଘାଟିଆ କହିଲା, “ତମଠୁଁ ପଇସା ନବାକୁ ମନ ହଉ ନାହିଁ । କିନ୍ତୁ ନ ନେଲେ ଏଣେ ପେଟ ପୋଷି ହେବା କଷ୍ଟ ଯୋଗୀ ପୁଅ ! ସବୁବେଳେ ତ ଅଭାବ ।”

 

କରୁଣାକର ହସିଦେଲା ।

 

।। ଦୁଇ ।।

 

କରୁଣାକର ଯେମିତି ଭାବିଥିଲା, ପ୍ରଥମ ଦିନର ମାଗଣ ସେମିତି ଭଲ ହେଲା ନାହିଁ । ସକାଳ ପହରୁ ଯାଇ ସଞ୍ଜବୁଡ଼େ ଫେରିବାବେଳକୁ ଚାଉଳ ତିନି କିଲୋ ସୁଦ୍ଧା ଆଦାୟ ହୋଇ ନଥିଲା । ଲୋକମାନଙ୍କ ଭିତରେ ଦେବାପାଇଁ ଆଗ୍ରହ କମିଗଲାଣି । ତା’ ସାଙ୍ଗକୁ ଆଉ ଦି’ ଦି’ ଜଣ ଯୋଗୀବି ବୁଲିଲେଣି କାଦୁଅନାସି ଅଞ୍ଚଳରେ । ଏମିତି ହେଲେ ତା’ର ମଜୁରି ଉଠିବ ନାହିଁ ।

 

ସେ ମନଦୁଃଖରେ ଫେରୁଥିଲା । ଆସିବା ବାଟରେ କୃପଣ ଦଶରଥ ନାୟକର ମୁହଁ ଦେଖିଥିବା ଯୋଗୁଁ ଏପରି ହେଲା ବୋଲି ସେ ଭାବୁଥିଲା ।

 

ତା’ ସାଙ୍ଗକୁ ବନମାଳୀ ଓଝାଙ୍କର ସ୍ୱାସ୍ଥ୍ୟ ତାକୁ ଭୟଭୀତ କରୁଥିଲା । ସେ ସମ୍ପୂର୍ଣ୍ଣ କତରାଲଗା ହୋଇ ଗୋଟିଏ ଜାଗାରେ ପଡ଼ି ରହିଥିଲେ । ତାଙ୍କର ଅନ୍ଧାରିଆ ଘରଟା କେମିତି ଗମୁରା ଗନ୍ଧଉଥିଲା । ଓଝା ବଡ଼ କଷ୍ଟରେ ବିଛଣାରୁ ଉଠି ବାଡ଼ି ପର୍ଯ୍ୟନ୍ତ ଯାଉଥିଲେ, ଆଉ ତା’ପରେ ଫେରିଆସି କନ୍ଥା ଉପରେ ଗଡ଼ି ପଡ଼ୁଥିଲେ ।

 

କରୁଣାକର ଓଝାଙ୍କ ଘରେ ରହିଲେବି ଅଲଗା ରୋଷେଇ କରେ । କାଲି ସେ ବୁଢ଼ାଙ୍କୁ ଗଣ୍ଡେ ଭାତ ଖାଇବାକୁ ଦେଇଥିଲା । ମାତ୍ର ଅଜୀର୍ଣ୍ଣ କହି ଓଝା ଖାଇ ନଥିଲେ । ଅସଲ କଥା ଯୋଗୀ ଚାଉଳର ଭାତ ସେ ଖାଇବେ ନାହିଁ । ଆଜି କରୁଣାକର ଦୂର ନନ୍ଦପୁର ବାହାରିଛି । ସେପଟେ କଜଳପାତି, ମରୁଆ, ବିତଳ, ଜୟୀପୁର ଏବଂ ଗୁରୁଦାସପୁର ହୋଇ ଫେରିବାବେଳକୁ ଚାରି ପାଞ୍ଚଦିନ ଲାଗିଯିବ । ନ ବୁଲିଲେ ତାକୁ ବା କିଏ ଆଣି ଦେଇଯିବ ? ଏତେ ବୁଲି ବୁଲି ତ ଥାଳ ପୂରୁ ନାହିଁ । ଗୋଟିଏ ଜାଗାରେ ବସି ରହିଲେ, କେଉଁଠୁଁ ଚାଉଳ ଆସିବ ?

 

କରୁଣାକରର ବୟସ ପଚାଶ ଛୁଇଁଲାଣି । ଅଣ୍ଟା ଧରିଲାଣି । ଆଗ ପରି ଏବେ ବେଶୀ ବାଟ ଘୂରିପାରୁ ନାହିଁ । କିନ୍ତୁ ଏଇ ବେଉସା ଛଡ଼ା ଅନ୍ୟ କିଛି ସେ ଜାଣେ ନାହିଁ । ତାଆରି ପାଖରୁ ଏ କୁଳବେଉସା ବୁଡ଼ିଯିବ । ତା’ ପୁଅ ଆଉ ଏ କାମରେ ପଶିବ ନାହିଁ । ଏ କାମ ପ୍ରତି ପୁଅର ବିରାଗ । ଭିକ ମାଗିବାଟା ଗୋଟେ କ’ଣ ଜୀବିକା ? –ସେ କହେ । କରୁଣାକର ପ୍ରତିବାଦ କରେ ନାହିଁ । ଦିନକୁଦିନ ଦୁନିଆ ବଦଳୁଛି । ଯଦି ସେ ଆଉ କିଛି ନୂଆ କାମ କରିବାକୁ ଚାହୁଁଛି କରୁ, ସିଏ ବା କାହିଁକି ବାଧ୍ୟ କରିବ ?

 

ବନମାଳୀ ଓଝାଙ୍କର କରୁଣ ଚେହେରାଟି କରୁଣାକର ଆଖି ଆଗରେ ନାଚିଯାଉଥିଲା । ଓଝା ଖୁବ୍‌ ଗୁଣୀ ମଣିଷ । ମହତାବଙ୍କ ଆନ୍ଦୋଳନବେଳେ ସେ ବାନର ସେନାରେ ଯୋଗ ଦେଇଥିଲେ । ଗୀତ ଗାଇ ଗାଇ ଗାଁରେ ପ୍ରଚାର କରୁଥିଲେ ସ୍ୱାଧୀନତାର କଥା । ଦେଶ ସ୍ୱାଧୀନ ହେଲା, ଆଗରୁ ଯେଉଁମାନେ ରଜା ଥିଲେ ତାଙ୍କ ଭିତରୁ କେତେକ ମନ୍ତ୍ରୀ ହୋଇଗଲେ । ସେମାନେ ଆଗରୁ ଯେମିତି ଶାସନ କରୁଥିଲେ, ଦେଶ ସ୍ୱାଧୀନ ହେବାପରେବି ସେମିତି ଶାସନ କଲେ । ଗରିବ ଲୋକ ରହିଗଲେ ଦୂରରେ ।

 

କରୁଣାକର ସବୁ ଶୁଣେ, କିଛି ମନ୍ତବ୍ୟ ଦିଏ ନାହିଁ । ଏ ଦେଶର ବଡ଼ବଡ଼ିଆ ଯାଏଁ କପେ ଚା’ କି କଫିପାଇଁ ଶହେ ଦିଇଶହ ଟଙ୍କା ବଢ଼ାଇ ଦିଅନ୍ତି । କିନ୍ତୁ ରୋଗିଣା ବୁଢ଼ାବୁଢ଼ୀଙ୍କୁ ମାସିକ ଭାତିଆ ମିଳେ ଶହେ ଟଙ୍କା ! ସେଥିରେ ସେମାନେ ସାରା ମାସ କେମିତି ଚଳିବେ ? ତା’ ସାଙ୍ଗକୁ ଔଷଧପତ୍ର ଖର୍ଚ୍ଚ ଅଛି । ଗୋଟେ ଗୋଟେ ବଟିକା ଦାମ୍‌ ହେଲାଣି ପାଞ୍ଚ କି ଦଶଟଙ୍କା । ସେମାନେ କାହାକୁ ଆପତ୍ତି କରିବେ ? ଗାଁ ଗାଁରେ ଦଳୀୟ ରାଜନୀତି, ମାଡ଼ଗୋଳ, ପିଟାପିଟି । ଏହା ଭିତରେ ବନମାଳୀଙ୍କ କଥା କିଏ ବା ଶୁଣନ୍ତା ?

 

ଗତବର୍ଷ ବନମାଳୀ କହୁଥିଲେ, “ଆଉ ବଞ୍ଚିବା ଲାଗି ଇଚ୍ଛା ନାହିଁ । କିନ୍ତୁ ଦଇବ ଇଚ୍ଛା ନହେଲେ କେହି ମରି ପାରିବ ନାହିଁ । କାହିଁକି ବା ବଞ୍ଚିବି, କିଏ ଅଛି ମୋର ? ଓଲଟି ଏ ଗାଁ ଉପରେ ବୋଝ ହେଇଛି ।”

 

କରୁଣାକର ସବୁ ଶୁଣିଥିଲା । ସିଏ ବାରବୁଲା ଯୋଗୀ । ଯାହା ଘରେ ଢିଙ୍କି ନାହିଁ କି ଅମାର ନାହିଁ । ସିଏ ଦଶରଥ ନାୟକ ପରି ସ୍ୱଚ୍ଛଳ ହୋଇଥିଲେ ବନମାଳୀଙ୍କ ଦୁଃଖ ଘୁଞ୍ଚେଇ ପାରନ୍ତା, କଥାଟି ଭାବିଦେଇ ତୁନି ପଡ଼ିଗଲା ସେ । ବନମାଳୀ କ’ଣ ତା’ ହାତରୁ କିଛି ନିଅନ୍ତେ ?

 

କେମିତିକା ଜୀବନ ଇଏ ! କରୁଣାକର ଦୀର୍ଘଶ୍ୱାସ ନେଲା ଏବଂ ହିଡ଼ମୁଣ୍ଡ ବାଟ ଦେଇ ଆଗକୁ ଚାଲିଲା । ଘାସ ଦେହରୁ ସକାଳ କାକର ଶୁଖିନାହିଁ । କେଉଁଠି ରାତି କଟା କଳେଇଗୁଡ଼ିକ ହିଡ଼ ଉପରେ ଧାଡ଼ି ଧାଡ଼ି ରଖାଯାଇଛି । ଏଗୁଡ଼ାକ ଗୁରୁଧାନ ହୋଇଥିବ । ଠାଏ ଗୋଟାଏ କିଆରିରେ ସାନ ସାନ ପିଲା ମୁଠିଶାଗ ତୋଳୁଥିଲେ । ଏପଟେ ମୁଠିଶାଗ ଭଲ ହୁଏ । କଷାଳିଆ ଶାଗ । ଚତରେଇ ଯାଇ ବଢ଼ିଥାଏ ମାଟି ଉପରେ । ସେଥିରେ ଗୋଟେ ଯୋଡ଼େ ସାରୁ ଓ ଚିଙ୍ଗୁଡ଼ି ଶୁଖୁଆ ପଡ଼ିଗଲେ ସୁଆଦିଆ ଲାଗେ । ଏକଥା ଭାବିଲାକ୍ଷଣି କରୁଣାର ପାଟି ଲାଳେଇଗଲା । ସେ ଡାକ ପକେଇଲା, “କିରେ ମୁଠିଶାଗ ତୋଳୁଛ କି ପିଲାଏ ?”

 

ପିଲାଏ ଉତ୍ତର ଫେରେଇଲେ, “ହଁ ଯୋଗୀନନା !”

 

କରୁଣାକର ସେମାନଙ୍କୁ ଅତିକ୍ରମ କରି ଆଗକୁ ବଢ଼ିଲା । ଦୂରରେ ତାଳ ଓ ନଡ଼ିଆ ଗଛ-। ଆଗରୁ ଏପଟେ ଅନେକ ଗଛ ଥିଲା । ବର୍ଷକୁ ବର୍ଷ ଝଡ଼ବାତ୍ୟାରେ ସେଗୁଡ଼ିକ ଭାଙ୍ଗି ପଡ଼ୁଛନ୍ତି-। ଆଗରେ ବିତଳ ଗାଁ । ସେ କେନ୍ଦରା ସଜ କଲା । ସକାଳବେଳ ଗାଁ ଭିତରେ ମାଗଣ ଓ ଉପରବେଳା ବିଲ ମୁଣ୍ଡରେ ।

 

କରୁଣାକର ଗାଇଲା, “ପତିତପାବନ ବାନା ଆଉ କେତେବେଳକୁ, ଭାସିଗଲି ଭବ ଜଳେ ନାବ ଦିଅ କୂଳକୁ... ।”

 

ହେଇ କରୁଣାକର ଯୋଗୀ ଆସିଲାଣି ! ସାନ ସାନ ପିଲାଙ୍କ ତୁଣ୍ଡଦେଇ ଗାଁରେ କରୁଣାକରର ଆସିବା ଖବର ପହଞ୍ଚିଗଲା । କରୁଣାକର ଖୁସି ହେଲା । ସେ ଗୋଟାଏ ବରଗଛ ମୂଳେ ବସି ସେଇ ଗୀତର ସ୍ୱର ଲମ୍ବେଇଦେଲା–“ରୋପିବାରେ ବୃକ୍ଷ ଗୋଟି କାଟୁଅଛ ମୂଳକୁ, ତିନି ପୂରେ ଅପକୀର୍ତ୍ତି ହେବ ଆଦିମୂଳକୁ ।”

 

ଘର ଦୁଆରମୁହଁରେ ଗୋଟିଏ ପରେ ଗୋଟିଏ ମୁହଁ ଉଙ୍କିମାରେ । ଯେତେ ଅଧିକା ଲୋକ ତା’ ଗୀତ ଶୁଣନ୍ତି, କରୁଣାକର ସେତେ ଖୁସି ହୁଏ । ବେଶୀ ଲୋକ ଶୁଣୁଥିବା ଜାଗାରୁ ବେଶୀ ଚାଉଳ ନ ମିଳିଲେବି ମନଦୁଃଖ ହୁଏ ନାହିଁ । ସେଠୁ ଚାଲିଯିବା ପରେ ସେ ଘରର ମୁହଁଟିମାନ ତା’ ଆଖି ଆଗରେ ନାଚୁଥାଏ । ମୁହଁକୁ ଚାହିଁ ସେ ଜାଣିପାରେ ମଣିଷର ମନ । କୋଉଁ ଭୁଆସୁଣୀଟିର ମନ କେତେ ନରମ ସେକଥା ଭୁଆସୁଣୀଟିର ଥରିଲା ଥରିଲା ଓଠ ଓ ଆଖି ଦେଖି କରୁଣାକର ଜାଣିପାରେ । ସେତେବେଳେ ଅଦ୍ଭୁତ ଉତ୍ସାହ ଖେଳିଯାଏ ତା’ ଦେହରେ ।

 

ସାନ ସାନ ପିଲାଏ ତା’ ଚାରିପଟେ ଘେରି ବେକଟିମାନ ଟେକି ତାକୁ ଅନଉଥାନ୍ତି । ତା’ର ଗୀତ ଅପେକ୍ଷା କେନ୍ଦରାରୁ ବାହାରୁଥିବା ସ୍ୱର ସେମାନଙ୍କୁ ବେଶୀ ବିସ୍ମିତ କରେ । କେମିତି ଏତେ ପ୍ରକାର ସ୍ୱର ବାହାରୁଛି ଏଇ ଯନ୍ତ୍ରଟାରୁ !

 

କରୁଣାକର ଏମିତି ଦୁଆରୁ ଦୁଆର ବୁଲି ଗୀତ ଗାଏ । ଚାଉଳ ସଂଗ୍ରହ କରେ । ଥାଳରୁ ଚାଉଳତକ କାନ୍ଧର ଥଳିରେ ଅଜାଡ଼ି ପୁଣି ଆଗକୁ ବାଟ ଚାଲେ । ଦ୍ୱିପ୍ରହରବେଳେ ଗାଁମୁଣ୍ଡ ମହାଦେବ ମନ୍ଦିର କି ସ୍କୁଲ୍‌ ବାରଣ୍ଡାରେ ଘଡ଼ିଏ ବିଶ୍ରାମ ନେଇ ପୁଣି ବାହାରିପଡ଼େ । ସଞ୍ଜବେଳକୁ ଚାଉଳତକ ଗାଁ ଦୋକାନରେ ବିକିଦେଇ ଟଙ୍କା ଖୋସଣିରେ ରଖେ ।

 

ବେଳେବେଳେ କେଉଁଠି ଏକାଧିକ ଗୀତ ଗାଇବାକୁ ବରାଦ ମିଳେ । କରୁଣାକର ଘର ପିଣ୍ଡା ପାଖରେ ଛିଡ଼ାହେଇ ଗୀତତକ ବୋଲେ । ତା’ର ଆଖି ଚାଳଛପର ଘରର ମଥାନ, ମଥାନ ଉପରେ ଡଙ୍କେଇଥିବା ରୋଗଣା ପୋଇ–କଖାରୁ ଗଛ, ଘର ସେପଟର ସଜନାଡାଳ ଦେଇ ନୀଳ ଆକାଶସାରା ଘୂରିବୁଲେ । କିନ୍ତୁ ମନ ଥାଏ ସ୍ଥିର । କେମିତି ଏକାତ୍ମ ଚିତ୍ତରେ ସେ ଗୀତତକ ବୋଲୁଥାଏ ।

 

ଲୋକମାନେ କହନ୍ତି–କରୁଣା ଯୋଗୀ କଣ୍ଠରେ କିମିଆ ଅଛି । ତା’ ଗୀତ ଶୁଣିଲେ ସାପ ତ ବଶ ହେଇ ଶୁଣିବ, ମଣିଷ କଥା କାହିଁକି ପଡ଼ିଛି !

 

ଆଜିକୁ ପାଞ୍ଚଦିନ ହେଇଗଲାଣି ବିତଳ ଓ ନନ୍ଦପୁର ଆସିବା । କାଲି ରାତିରେ ବନମାଳୀ ଓଝାଙ୍କୁ ସ୍ୱପ୍ନରେ ଦେଖିଥିଲା କରୁଣା । ବୁଢ଼ା ତାକୁ ଖୋଜୁଥିଲେ । କହୁଥିଲେ, ତାଙ୍କ ପାଖରେ ବସି କରୁଣା ‘ସ୍ତୁତିଚିନ୍ତାମଣି’ରୁ ଦିପଦ ଗୀତ ବୋଲନ୍ତା ନାହିଁ !

 

ସେ ଛାଇନେଉଟାବେଳୁ ଓଝାଙ୍କ ଘରକୁ ବାହାରି ପଡ଼ିଲା । ଟଙ୍କାତକ ଖୋସଣିରେ ରହିଛି । ସବୁ ମିଶି ଚାରିଶହ ସତାବନ ଟଙ୍କା ହେଲା । ଆଉ କିଛି ଚାଉଳ ଓଝାଙ୍କ ଘରେ ଅଛି । ସିଏ ଶହେ ଟଙ୍କାର ହୋଇପାରେ । କାଲିକି ସେ ରାଇପୁର, ବ୍ରହ୍ମଟିକ୍ରି ଆଡ଼େ ବାହାରିବ ।

 

କାଦୁଅନାସି ଗାଁ ସଡ଼କ କଡ଼ରେ ଲୋକଭିଡ଼ ଦେଖି କରୁଣାକର ଚମକି ପଡ଼ିଲା । ବେଳ ଚାରିଟା ହେବଣି କି କ’ଣ ? ଶୀତଦିନ ଉପରଓଳି, ଦେଖୁଦେଖୁ ସଞ୍ଜ ମାଡ଼ି ଆସେ । କ’ଣ କିଛି ଖେଳକୁଦ ହେଉଛି କି ? ସିଏ ମୋଟର ସାଇକେଲ୍‌କୁ ଆଉଜି ଛିଡ଼ା ହୋଇଥିବା ଲୋକଟିକୁ ପଚାରିଲା, “କ’ଣ ଖେଳ ହେଉଛି କି ?”

 

ଲୋକଟି ଥଟ୍ଟା କଲା ପରି କହିଲା, “ହଁ, ଖେଳ ହେଉଛି ! ପୁଲିସ୍‌–ସରପଞ୍ଚ ଖେଳ ।” କରୁଣାକର ବୁଝିପାରିଲା ନାହିଁ । ସେ ପାଦର ଗତି ବଢ଼େଇ ଦେଲା । ବନମାଳୀ ଓଝା ଘର ଆଗରେ ବେଶୀ ଭିଡ଼ ଥିଲା । ଚାରିଖଣ୍ଡ ମୋଟର ସାଇକେଲ୍‌ ଓ ସାତ ଆଠଟି ସାଇକେଲ୍‌ । ଦାଣ୍ଡ ଅଗଣାରେ ଗୋଟେ ଚଦର ଘୋଡ଼ା ହୋଇ ରଖାଯାଇଥିଲା ଓଝାଙ୍କର ନିର୍ଜୀବ ଦେହ ।

 

–“ଇଏ ଅନାହାର ମୃତ୍ୟୁ ଛଡ଼ା କିଛି ନୁହେଁ ।” ସଫା ପାଇଜାମା ଓ କୁର୍ତ୍ତା ପିନ୍ଧିଥିବା ଲୋକଟି ବଡ଼ପାଟିରେ କହୁଥିଲା । ସେ ପୁଣି ଯୋଡ଼ିଲା–“ଏ ଗାଁରେ କାହାକୁ ଜବ୍‌ କାର୍ଡ଼ ମିଳି ନାହିଁ-। ବେକାରି ଭତ୍ତା ମଧ୍ୟ ଦିଆଯାଉ ନାହିଁ । ଅନ୍ନପୂର୍ଣ୍ଣା ଯୋଜନା ନାହିଁ କି ବାର୍ଦ୍ଧକ୍ୟ ଭତ୍ତା ନାହିଁ-। ବନମାଳୀ ଓଝା ନ ଖାଇ ନ ପିଇ ମରିଗଲେ । ଏଇଟା ଅନାହାର ମୃତ୍ୟୁ ।”

 

–“ଆମେବି ସେଇଆ ଭାବୁଛୁ । କିନ୍ତୁ ଏବେ କହିହେବ ନାହିଁ । ଡେଡ଼୍‍ବଡ଼ିକୁ ଡାକ୍ତରଖାନା ନିଆଯିବ । ସେଇଠି ପୋଷ୍ଟ୍‍ମର୍ଟମ୍‌ ହେଲାପରେ ଜଣାପଡ଼ିବ, ଏ ମୃତ୍ୟୁ ଅନାହାର ମୃତ୍ୟୁ ନା ବାର୍ଦ୍ଧକ୍ୟଜନିତ । ଏମିତିବି ହୋଇପାରେ, କୌଣସି ରୋଗରେ ପୀଡ଼ିତ ଥିବା ଯୋଗୁଁ ଲୋକଟି ମରିଯାଇଥାଇପାରେ ।” ଅଫିସର ଜଣକ ଏକଥା କହିସାରି ଟିକିଏ ଦମ୍‌ ନେଲେ । ତା’ପରେ ସେ ଦି’ କଡ଼କୁ ଚାହିଁ ଯୋଡ଼ିଲେ–“ଲୋକଟିର କିଏ ରିଲେଟିଭ୍‌ ଅଛନ୍ତି କି ?”

 

–“ତାଙ୍କର କେହି ନାହିଁ । ତା’ ପୁଅ ମରିଥିଲା, ଝିଅବି ପଳେଇ ଯାଇଛି ଚାରିବର୍ଷ ତଳୁ । ସ୍ତ୍ରୀ ଆଗରୁ ମରିଯାଇଥିଲା ।”

 

–“କେହି ଲେଖାଯୋଖାରେ ? କାରଣ ଡେଡ଼୍‍ବଡ଼ିକୁ ଡାକ୍ତରଖାନା ନେବାକୁ ପଡ଼ିବ ।”

 

କିଛି ସମୟର ନିରବତା । ବନମାଳୀ ଓଝାଙ୍କର କେହି ୱାରିସ୍‌ ନାହାନ୍ତି । ତାଙ୍କ ଶବ ଲାୱାରିସ୍‌ ଶବ ।

 

କିନ୍ତୁ ସେ ଏଇ ଗାଁରେ ବାସ୍ତରିବର୍ଷ ବିତେଇଥିଲେ । ଏଇଠି ଥିଲା ତାଙ୍କର କମାରଶାଳ-। ମହତାବଙ୍କ ବାନରସେନାରେ ଯୋଗଦେଇ ଗାଁପାଇଁ ସମ୍ମାନ ଆଣିଥିଲେ । ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରି ଗାଁ ଲୋକଙ୍କ ସେବା କରୁଥିଲେ । ଆଜି ତାଙ୍କପାଇଁ କେହି ଜଣେବି ନାହିଁ-!

 

–“ସେଇ ଯୋଗୀ ତା’ ଚିହ୍ନା ପରିଚୟ ।”

 

କିଏ କହିଲା ? ଲୋକମାନେ ପରସ୍ପର ମୁହଁକୁ ଅନେଇଲେ । କରୁଣାକର ଯୋଗୀ ଭିଡ଼ କାଟି ଶବ ପାଖକୁ ଗଲା । ଦେଖିଲା, ସରପଞ୍ଚ ଦଶରଥ ନାୟକ ତାଆରି ନାଁ କହିସାରି ତାକୁ ଅନେଇଛନ୍ତି ।

 

–“କ’ଣ ହେଇଛି ?” କରୁଣାକର ନିରୀହ ସ୍ୱରରେ ପଚାରିଲା ।

 

–“ତୁମେ ୟାଙ୍କର କ’ଣ ହୁଅ ?” ପୁଲିସ ଜଣକ ଜେରା କଲା ପରି ପଚାରିଲା । ତା’ ସ୍ୱରରେ ଏତେ କର୍କଶପଣ ଥିଲା ଯେ ଅନ୍ୟ ସମୟ ହୋଇଥିଲେ କରୁଣାକର ଡରିଯାଇଥାଆନ୍ତା । ମାତ୍ର ବନମାଳୀ ଓଝାଙ୍କ ମୃତ୍ୟୁ ତାକୁ ପଥର କରିଦେଇଥିଲା । ସେ କହିଲା “ମୁଁ ତାଙ୍କର ଶିଷ୍ୟ !”

 

ଅଫିସର ଜଣକ ଆଉ କ’ଣ କହିବାକୁ ଯାଉଥିଲେ, ଦି’ଜଣ ଅଚିହ୍ନା ଲୋକ ବନମାଳୀଙ୍କର ଭଙ୍ଗା ଘର ଭିତରୁ ଗୋଟେ ଚାଉଳ ଭର୍ତ୍ତି ସିମେଣ୍ଟ ଥାଳିଆକୁ ଟେକି ଟେକି ଆଣି ଦାଣ୍ଡ ମଝିରେ ରଖିଦେଲେ ।

 

ପ୍ରଥମ ଅଫିସରଙ୍କ ମୁହଁ ଉଜ୍ଜ୍ୱଳି ଉଠିଲା । କହିଲେ, “ଦେଖନ୍ତୁ, ପ୍ରାୟ ପଚିଶ କିଲୋରୁ ଅଧିକ ଚାଉଳ ମହଜୁଦ୍ ଥିଲା ଓଝାର ଘରେ । ଏହାପରେବି ଧ୍ରୁବବାବୁ ଏହାକୁ ଅନାହାର ମୃତ୍ୟୁ ବୋଲି କହୁଛନ୍ତି । ରିଡ଼ିକୁଲସ୍‌ ।”

 

“ଚାଉଳ ଅଖାଟି ଘଟଣାର ଚେହେରାକୁ ସମ୍ପୂର୍ଣ୍ଣ ବଦଳେଇ ଦେଇଥିଲା । ସ୍ଥାନୀୟ ନେତା ଧ୍ରୁବବାବୁ ଏ ଘଟଣା ପରେ କ’ଣ କହିବେ, ତାହା ବୁଝିପାରୁ ନଥିଲେ । ଦି’ ମାସ ତଳେ ବନମାଳୀ ଓଝା ତାଙ୍କୁ ନିଜର ଦୁଃଖତକ କହି କିଛି ସହାୟତା ଲୋଡ଼ିଥିଲେ । ମାତ୍ର ସେ ସେଇ କଥାକୁ ଗୁରୁତ୍ୱ ଦେଇପାରି ନଥିଲେ । ସେଥିପାଇଁ ସେ ନିଶ୍ଚିତ ଥିଲେ ଯେ ଏହା ଏକ ଅନାହାର ମୃତ୍ୟୁ । ମାତ୍ର ଏଇ ଚାଉଳ ଭର୍ତ୍ତି ଅଖା ବ୍ୟାଗ୍‌ଟି ସବୁ ଓଲଟପାଲଟ କରିଦେଲା ।”

 

ଅଫିସର କହିଲେ, “ସେ ଯୁଗ ଗଲାଣି । ବର୍ତ୍ତମାନର ସରକାର ଯେତେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆପଣମାନେ ନିଜେ ଦେଖନ୍ତୁ । ମାସେ ଚଳିଲା ଭଳି ଚାଉଳ ଥାଉଁଥାଉଁ ବୁଢ଼ାଟା ଅନାହାରରେ ମରିବ କେମିତି ?”

 

ତାଙ୍କ ଓଠରେ ହସଟିଏ ଉକୁଟି ଉଠୁଥିଲା । ଭୟଙ୍କର ଦୁଶ୍ଚିନ୍ତାରୁ ଅବା ସେ ମୁକ୍ତି ପାଇ ଯାଇଥିଲେ ।

 

ସରପଞ୍ଚ ଦଶରଥ ନାୟକ ଯୋଡ଼ିଲେ, “ସରକାର ଲକ୍ଷେ କୋଟି ଟଙ୍କା ରାଜ୍ୟକୁ ଆଣୁଛନ୍ତି । ଲକ୍ଷେ କୋଟି ! ମନ୍ତେଇ ନଈରେବି ଏତେ ଟଙ୍କା ଧରିବ ନାହିଁ । ମୁଁ ଗୋଟାଏ କଥା ପଚାରୁଛି, ବନମାଳୀ ଓଝା କେଉଁଦିନ ଯାଇ ମାଗିଛନ୍ତି ଏବଂ ମୁଁ ତାଙ୍କୁ ଫେରେଇ ଦେଇଛି, ଏମିତି କଥା ହୋଇଛି କି ? ବୁଢ଼ା ତ ଢେର୍‌ ଟଙ୍କା ରଖିଥିଲା । ମୁଁ ତ ଭାବୁଥିଲି ସିଏ ଏଇ କରୁଣା ଯୋଗୀ ଜରିଆରେ ସୁଧ ବେପାର କରୁଥିବ !”

 

କରୁଣାକରର କାନମୁଣ୍ଡା ତାତି ଉଠିଲା । ଦଶରଥ ନାୟକ ଲୋକଟା ନିଷ୍ଠୁର ବୋଲି ଜାଣିଥିଲା, ମାତ୍ର ଏମିତି ମିଥ୍ୟାବାଦୀ ବୋଲି ଭାବି ନଥିଲା ସେ ।

 

ଅଫିସର, ଯିଏ ବ୍ଲକ୍ ବି.ଡି.ଓ. ଥିଲେ, କାମ ସାରିବା ଲାଗି ବ୍ୟସ୍ତ ହୋଇ ପଡ଼ୁଥିଲେ । ତାଙ୍କୁ ତାଙ୍କର ସହକର୍ମୀ କହିଲା, “ଅନ୍ଧାର ରାସ୍ତା । ଏପଟେ ମଶା ପ୍ରବଳ । ସବୁ ତ ଜଣାପଡ଼ିଗଲା-। ଆମେ ଉପସ୍ଥିତ ଥାଇ ଶବଦାହ କାମଟି ବଢ଼େଇ ଦେଲେ ଦାୟିତ୍ୱ ସରିବ । ବାକି ସେ ଟାଉଟର ଧ୍ରୁବକୁ ଦିଇଟା ଇନ୍ଦିରା ଆବାସ କରାଇଦେଲେ ସେ ତୁନି ରହିଯିବ ।” ବି.ଡି.ଓ.ଙ୍କ ମୁହଁ ଉଜ୍ଜ୍ୱଳି ଉଠିଲା । ସେ ସରପଞ୍ଚଙ୍କୁ କହିଲେ, “ଆମେ ସମସ୍ତେ ଦିନେ ଯିବା । ଆଜି ସିଏ ଗଲେ, କାଲି ଆମେ ଯିବା । ଯାହା ହେବାର ହେଲାଣି । ଏସବୁ ସାଧାରଣ ଘଟଣା । ଏବେ ଶବଦାହ ବ୍ୟବସ୍ଥା କରିବା ।”

 

: କିନ୍ତୁ ମୁଁ କହୁଛି ଏଇଟା ଅନାହାର ମୃତ୍ୟୁ । ଘରେ ଚାଉଳ ଥିଲା ସତ, ମାତ୍ର ସେ ଚାଉଳ ତାଙ୍କର ନୁହେଁ । ସେସବୁ ମୋ ଚାଉଳ । ବାରଦୁଆର ଭିକମଗା ଚାଉଳ । ସେ ଚାଉଳରେ ଭାତ ଖାଇବାକୁ ବନମାଳୀ ଓଝା ଘୃଣା କରନ୍ତି । ଭାରି ଅଭିମାନୀ ମଣିଷ ସେ । କହନ୍ତି, “ଭିକମଗା ଚାଉଳରେ ଭାତ ଖାଇବାଠୁଁ ମରିଯିବା ଭଲ ।”

 

–“ହେ, ହେ । କାହିଁକି ମିଛ କଥାଗୁଡ଼ାକ କହୁଛ ? ଆଁ, ଜାଣିଛ, ଏଥିପାଇଁ ତମ ବିରୋଧରେ ସରକାର କଡ଼ା ପଦକ୍ଷେପ ନେଇପାରନ୍ତି । ଗାଁବାଲାଙ୍କ କଥା ମିଛ, ଆଉ ତୁମ କଥା ସତ । ତୁମେ କିଏ ? ମଝିରେ ମଝିରେ ଏଠିକି କାହିଁକି ଆସ ? ବାଂଲାଦେଶୀ ଗୁଇନ୍ଦା ସଂସ୍ଥା ସହ ତୁମର ସମ୍ପର୍କ ନାହିଁ ତ ? କାହିଁ କେଉଁଠି ରଖିଛ ତମର ଜିନିଷପତ୍ର... ଆଁ ?” ବି.ଡି.ଓ. ରାଗିକି ଲାଲ ହୋଇଗଲେ ।

 

କରୁଣାକର ଡରିଗଲା । ବରପତ୍ର ପରି ଥରିଲା । ସେ କହିଲା, “ସତ କହୁଛି ବାବୁ, ସେ ଯୋଗୀ ଚାଉଳର ଭାତ... ।”

 

–“ଚୁପ୍‌ ! କୁଆଡ଼େ ଗଲେ ଆମ ଏସ୍‌.ଆଇ. ? ଏଇଟାକୁ ବାଂଶଡ଼ା ଥାନାକୁ ନେଇ ଚାଲନ୍ତୁ । ମୋତେ ଲାଗୁଛି, ଲୋକଟା ଗୁପ୍ତଚର !”

 

ଗାଁ ଲୋକମାନେ ନିରବ ଥିଲେ । ସରପଞ୍ଚ ଦଶରଥ ନାୟକର ଲୋକମାନେ ଅତି ତତ୍ପରତାର ସହ କୋକେଇପାଇଁ ବାଉଁଶ, ନୂଆ ଆଟିକା, ଖଇ, ପଇସା ଏବଂ କାଠ ଯୋଗାଡ଼ କରୁଥିଲେ । ସରପଞ୍ଚ ମଝିରେ ମଝିରେ କହୁଥିଲେ, “ଖୁବ୍‌ ଭଲ ଲୋକଟା ଥିଲା ବୁଢ଼ା । ତା’ ଏଗାର ଦିନରେ କିଛି ଗୋଟାଏ କରିବାକୁ ପଡ଼ିବ !”

 

କାମ ସାରି ବି.ଡି.ଓ. ଏବଂ ତାଙ୍କର ଲୋକମାନେ ବାହାରୁଥିଲେ । କରୁଣାକର ସେମାନଙ୍କ ପଛେ ପଛେ ଚାଲିଥିଲା । କ୍ରମେ ଗାଁ ରହିଯାଉଥିଲା ଦୂରକୁ । ଅନ୍ଧାର ଘୋଟି ଆସୁଥିବା ମଶାଣିପଦାରେ ବନମାଳୀ ଓଝାଙ୍କ ଜୁଇ ଜଳୁଥିଲା । ସରପଞ୍ଚ ଦଶରଥ ନାୟକ ଆଗେଇ ଯାଇ ବି.ଡି.ଓ.ଙ୍କ କାନରେ କ’ଣ କହିଲା । ବି.ଡି.ଓ. ଟିକେ ଅଟକିଗଲେ । ଅନ୍ୟମାନଙ୍କୁ ଆଗକୁ ଯିବାକୁ ଦେଇ ସେ କରୁଣାକରକୁ ପାଖକୁ ଡାକିଲେ, ‘ଏ ଯୋଗୀ, ଏଠିକି ଆ ।’

 

କରୁଣାକର ଦୁଇ ହାତଯୋଡ଼ି ଚାଲୁଥିଲା । କାନ୍ଦିବା ବନ୍ଦ କରି ସେ ବି.ଡି.ଓ.ଙ୍କ ପାଖକୁ ଆସିଲା । ବି.ଡି.ଓ. ଗୋଟେ ସିଗ୍ରେଟ ଲଗେଇଲେ । ତହିଁରୁ ପୁଳାଏ ଧୂଆଁ ଛାଡ଼ି କହିଲେ, “ତୋ ଘର କେଉଁଠି ?”

 

: ମୋ ଘର ଧାମନଗର ବାବୁ ।

 

: ଏଠିକି କାହିଁକି ବରାବର ଆସୁ ?

 

ଉତ୍ତରରେ ଗୋଟେ ଲମ୍ବା କାହାଣୀ କହିବାକୁ ଯାଉଥିଲା କରୁଣାକର, ବି.ଡି.ଓ. ତାକୁ ନିରବ କରାଇ ଦେଲେ । ପକେଟ୍‌ରୁ ଶହେଟଙ୍କିଆ ନୋଟ୍‌ଟେ ବାହାର କରି ତା’ ହାତରେ ଗୁଞ୍ଜିଦେଇ କହିଲେ, “ତୋ ଗାଁକୁ ପଳା । ମିଛଟାରେ କାହିଁକି ମାଡ଼ ଖାଇବୁ ? ଦେଖିଲୁ, ଗାଁଟାଯାକ ଲୋକ ଚୁପ୍‌ ରହିଲେ ନା ନାହିଁ ! ସେମାନେ ଯଦି ଅନାହାର ମୃତ୍ୟୁ ବୋଲି କହିଥାନ୍ତେ, ଆମେ ଓଲଟି ପଚାରିଥାନ୍ତୁ, ଏତେ ବଡ଼ ଗାଁଟାରେ କେହି ଜଣେ ବୁଢ଼ାକୁ ଗଣ୍ଡିଏ ଖାଇବାକୁ ଦେଇପାରିଲ ନାହିଁ ?” କରୁଣାକର ତଥାପି ବୁଝିପାରିଲା ନାହିଁ । ପଚାରିଲା, “ଏ ଟଙ୍କା କାହିଁକି ଦଉଛ ବାବୁ ?”

 

–“ଯିଏ ପଚାରିଲେ କହିବୁ, ବୁଢ଼ା ଘରେ ଚାଉଳ ଥିଲା ।”

 

କରୁଣାକର ଶହେଟଙ୍କିଆ ନୋଟ୍‌ଟାକୁ ଅଫିସରଙ୍କ ମୁହଁକୁ ଛାଟିଦେଲା । ଆଖିରୁ ଲୁହ ଓ ନାକରୁ ସିଂଘାଣି ପୋଛୁ ପୋଛୁ ଖୋସଣିରୁ ନିଜ ଟଙ୍କାତକ ବାହାର କରି କହିଲା, “ତମେ ବରଂ ଏ ସବୁତକ ନିଅ । ହେଲେ ସତ କଥା ମାନ ବାବୁ, ବନମାଳୀ ଓଝା ଭିକାରି ଚାଉଳର ଭାତ କଦାପି ଖାଇ ନଥାନ୍ତେ । ଉପାସରେ ଶୁଖି ଶୁଖି ମରିଗଲେ ବନମାଳୀ ଓଝା । ଲୋକଟାକୁ ଜୀବନ ନ ଦେଇପାରିଲେ ନାହିଁ, ତାଙ୍କ ଅଭିମାନକୁ ମାରିଦିଅ ନାହିଁ ।”

 

ବି.ଡି.ଓ. ଦରଜଳା ସିଗ୍ରେଟଟାକୁ ଦୂରକୁ ଫିଙ୍ଗିଦେଇ କରୁଣାକରକୁ ଗୋଟାଏ ବ୍ରହ୍ମଚାପୁଡ଼ା ମାରିଲେ । ନିଜ ଟଙ୍କାକୁ ପକେଟ୍‌ରେ ରଖି ବଡ଼ପାଟିରେ କହିଲେ, “ସିଧା ତୋ ଗାଁକୁ ପଳା । ନହେଲେ ଏମିତି କେସ୍‍ରେ ପକେଇଦେବି ଯେ ବାକି ଜୀବନ ଜେଲ୍‌ ଭିତରେ କେନ୍ଦରା ବଜଉଥିବୁ ।”

☆☆☆

 

ଚରିତ୍ରହୀନା

 

ବେଶ୍‌ କିଛିଦିନ ହେଲା ଅରୁନ୍ଧତୀ ସହ ସମ୍ପର୍କ ବଢ଼େଇବା ଲାଗି ଉଦ୍ୟମ କରୁଥିଲା ମଳୟ । ସେଥିପାଇଁ ସାଢ଼େ ଚାରିଟାବେଳେ ତାଙ୍କ ଅଫିସ୍‌ରେ ହେଉଥିବା ସମନ୍ୱୟ ବୈଠକକୁ ଦିନେ ଦିନେ ସେ ଯାଉ ନଥିଲା । କେହି ପଚାରିଲେ କହୁଥିଲା, “ସେ ବୈଠକରେ କ’ଣ ହୁଏ କି ? ଚା’ କପେ ଓ ଦିଇଟା ଲେଖାଏଁ ବିସ୍କୁଟ୍‌ ଦିଆଯାଏ । ଗପ ସରିବାବେଳକୁ ଆଜି କେତେଶହ ବାଲଟି ଉତ୍ପାଦନ ହେଲା, ଏସିଡ଼୍ ଅଛି ନା ନାହିଁ, କେତେ ଜି.ଆଇ. ସିଟ୍‌ ସାଙ୍ଗରେ କେତେ ପିଚୁ ଟିଣ ମିଶିଥିଲା ସେଇ କଥା ପ ପଦକରେ ପଚରାଉଚୁରା ହୁଏ । ଏ ବୈଠକ ଟି.ଭି.ର ସିରିଏଲ୍‌ ପରି । ମଝିରେ ପନ୍ଦର ଦିନ ନ ଦେଖି ତା’ପରେ ଦେଖିଲେବି କାହାଣୀକୁ ବୁଝିହୁଏ ।”

 

ମଳୟ ମହାନ୍ତି ଟ୍ରାନ୍ସପୋର୍ଟ ବିଭାଗର ମାନେଜର । ‘ଭାରତ ବାଲଟି କାରଖାନା’ର ପରିବହନ ଦାୟିତ୍ୱ ସେ ବୁଝେ । ଅରୁନ୍ଧତୀ ‘କଞ୍ଚାମାଲ୍‌’ ବିଭାଗର ଆସିଷ୍ଟାଣ୍ଟ୍‌ ମାନେଜର ଭାବେ ଦି’ ସପ୍ତାହ ହେଲା ଯୋଗ ଦେଇଛି । ଖୁବ୍‌ ସୁନ୍ଦରୀ ଏବଂ ସମ୍ଭ୍ରାନ୍ତ । ତା’ର ଠାଣିବାଣୀ ବେଶ୍‌ ଅଭିଜାତ-। ତାକୁ ଦେଖିଲେ କେହି କହିବ ନାହିଁ ଯେ ତା’ର ବୟସ ତିରିଶ ହେଲାଣି କିମ୍ବା ସେ ଜଣେ ବିଧବା-

 

ଅରୁନ୍ଧତୀର ପରିବାର ସ୍ୱଚ୍ଛଳ । ତା’ ବାହାଘର ଯେଉଁ ପିଲାଟି ସାଙ୍ଗରେ ହୋଇଥିଲା ସେ ଆମେରିକାରେ ଚାକିରି କରୁଥିଲା । ବାହାଘରବେଳେ କଥା ହୋଇଥିଲା, ସେ ଅରୁନ୍ଧତୀକୁ ସେଠାକୁ ନେଇଯିବ । କିନ୍ତୁ ଭିସା ହୋଇ ନ ପାରିବା କାରଣରୁ ଅରୁନ୍ଧତୀ ଯାଇପାରିଲା ନାହିଁ । କେତେକ କହନ୍ତି, ସେ ପିଲାଟାର ସେଠି ଆଉ ଜଣକ ସାଙ୍ଗରେ ସମ୍ପର୍କ ଥିଲା । ବାପା–ମାଆଙ୍କ ଚାପରେ ପଡ଼ି ଏଠି ବାହା ହୋଇଗଲା ସିନା, ନ ହେଲେ ଅରୁନ୍ଧତୀ ତା’ର ପସନ୍ଦ ନଥିଲା । ସେ ମୁକୁଳା ପକ୍ଷୀ । ତା’ର ସର୍ଟ୍‌ସ୍‌ ଓ ଜିନ୍‌ସ ପିନ୍ଧା, ପାର୍ଟି ଯିବା ଓ ନାଚ ଜାଣିବାବାଲା ପ୍ରଜାପତିଟେ ଦରକାର ଥିଲା । ଅରୁନ୍ଧତୀ ତା’ର ପସନ୍ଦ ନଥିଲା ।

 

କିନ୍ତୁ ଅରୁନ୍ଧତୀ ଚେଷ୍ଟା କରୁଥିଲା । ଦିନେ ହଠାତ୍‌ ଟେଲିଫୋନ୍‌ ଆସିଲା, ପିଲାଟି ନ୍ୟୁଜର୍ସିରୁ ନ୍ୟୁୟର୍କ ଗାଡ଼ି ଚଳେଇ ଯାଉ ଯାଉ ଆକ୍ସିଡ଼େଣ୍ଟ୍‌ ଘଟେଇଛି । ସେ ହସ୍‌ପିଟାଲ୍‌ରେ । ତା’ ପରଦିନ ଖବର ଆସିଲା, ସେ ମରିଗଲା । ଅରୁନ୍ଧତୀ ଆଗରୁ ଚୁପ୍‌ଚାପ୍‌ ରହୁଥିଲା ଅଭିମାନରେ, ତା’ ପରଠାରୁ ସମ୍ପୂର୍ଣ୍ଣ ନିର୍ବାକ୍‌ ହୋଇଗଲା । ତା’ର କୌଣସି କଥାରେ ଆଗ୍ରହ ରହିଲା ନାହିଁ । ଗୋଟାଏ ବର୍ଷ ସେ କେବଳ ଘର ଭିତରେ ବସି ରହିଲା । ତା’ପରେ ଏଇ ଚାକିରି ।

 

ମଳୟ ମହାନ୍ତି ଅରୁନ୍ଧତୀର ଟେବୁଲ୍‌ ପାଖକୁ ଆସି କହିଲା, “ଆଜି ପିଚୁ ଟିଣ ଓ ଜି.ଆଇ. ସିଟ୍‌ ଭାଗମାପ କେତେ ?”

 

ଅରୁନ୍ଧତୀ ଟିକିଏ ହସିଲା । ଏଇଟା ତାଙ୍କ ବ୍ୟବସାୟର ଗୋପନୀୟତା । ବାହାରେ କେହି ଏକଥା ଜାଣନ୍ତି ନାହିଁ । କିନ୍ତୁ ମଳୟ ମହାନ୍ତି କମ୍ପାନୀର ମାନେଜର । ସିଏ ଜାଣନ୍ତି । କହିଲା, “କୋଡ଼ିଏ ଅଶୀ ।”

 

: ନା ଅଶୀ କୋଡ଼ିଏ ? –ମଳୟ ଓଲଟି ପଚାରିଲା ।

 

ସେମାନଙ୍କ କମ୍ପାନୀ ବାଲଟି ତିଆରିପାଇଁ ନୂଆ ଜି.ଆଇ. ଚାଦର ବ୍ୟବହାର କରେ । ଲୁହା ଚାଦର କଟାଯାଇ ବାଲଟି ତିଆରି ହେବାପରେ ଏସିଡ଼୍‍ରେ ବୁଡ଼ାଯାଏ । ତା’ପରେ ତତଲା ତରଳ ଦସ୍ତାରେ ବୁଡ଼ାଯାଇ ସେଗୁଡ଼ିକୁ ଚିକ୍‌ ଚିକ୍‌ କରାଯାଏ । ତେବେ ଅଧିକ ଲାଭପାଇଁ ବେଳେବେଳେ ରାସ୍ତା ତିଆରି କାମରେ ଲାଗୁଥିବା ପିଚୁ ଡ୍ରମ୍‌ ଚାଦରକୁ ମଧ୍ୟ ବ୍ୟବହାର କରାଯାଏ-। ସେଗୁଡ଼ିକ ଦୁର୍ବଳ ହୋଇପଡ଼ିଥାଏ, ଏସିଡ଼୍‍ରେ ବୁଡ଼ାଗଲାବେଳେ ଛୋଟ ଛୋଟ କଣାବି ହୋଇଯାଇଥାଏ । ମାତ୍ର ଦସ୍ତାରେ ବୁଡ଼ାଯାଉଥିବାରୁ କଣାଗୁଡ଼ାକ କିଛିକାଳ ଲାଗି ବନ୍ଦ ହୋଇଯାଏ-। ସେଗୁଡ଼ିକ କିନ୍ତୁ ଲୁହା ଚାଦର ବାଲଟି ପରି ମଜଭୁତ ହୁଏ ନାହିଁ ।

 

ମଳୟ ମହାନ୍ତି ପ୍ରକୃତରେ ବାଲଟି କଥା ବୁଝିବାପାଇଁ ଚାହୁଁ ନଥିଲା । ସେ କେବଳ ଅରୁନ୍ଧତୀ ସହ ଗପିବା ଲାଗି ବାହାନା ଖୋଜୁଥିଲା । ଖାଲି ସିଏ ନୁହେଁ, ଅରୁନ୍ଧତୀ ଏଠି ଚାକିରି କରିବାଦିନୁ ଯୁବ କର୍ମଚାରୀଙ୍କ ଭିତରେ ଗୋଟେ ଅଦୃଶ୍ୟ ପ୍ରତିଯୋଗିତା ଚାଲିଛି । ଏଥିରେ ମଳୟ ଅନ୍ୟମାନଙ୍କଠାରୁ ଆଗରେ ଅଛି । ତା’ର ପ୍ରମାଣ ହେଲା, ଅରୁନ୍ଧତୀ ଆଉ କାହା କଥାରେ ହସୁ ନଥିଲାବେଳେ ମଳୟ କଥାରେ ହସୁଥିଲା । ସମୟେ ସମୟେ ଉଭୟେ କ୍ୟାଣ୍ଟିନ୍‌କୁ ଯାଇ ଚା’ କି କଫି ପିଉଥିଲେ ।

 

ପ୍ରଥମେ ପ୍ରଥମେ ପ୍ରଚୁର ସହାନୁଭୂତି ଜଣଉଥିଲା ମଳୟ ମହାନ୍ତି । ଯଦିଓ ଅନ୍ୟମାନଙ୍କ ପରି ଅରୁନ୍ଧତୀ ପଛରେ ସେ ତା’ର ବୈଧବ୍ୟ, ତା’ ବରର ଅନ୍ୟ ଝିଅ ସହ ସମ୍ପର୍କ ଏବଂ ଅରୁନ୍ଧତୀ ପରିବାରର ଦୁର୍ଭାଗ୍ୟକୁ ନେଇ ନାନା କଥା ଗପୁଥିଲା ଅରୁନ୍ଧତୀ ସାମ୍ନାରେ କିନ୍ତୁ ସେ ଓଲଟି ପଡ଼ୁଥିଲା । ଯେତେ ସବୁ ସହାନୁଭୂତିର ଶବ୍ଦ ଅରୁନ୍ଧତୀ ସହ କଥାବାର୍ତ୍ତାବେଳେ ସେ ବ୍ୟବହାର କରୁଥିଲା ଏବଂ ଏକଥାବି କହୁଥିଲା ଯେ ଏବେବି ଅରୁନ୍ଧତୀର ବେଶି ବୟସ ହୋଇଯାଇ ନାହିଁ । ସେ ପୁଣିଥରେ ନୂଆକରି ତା’ର ଜୀବନ ଆରମ୍ଭ କରିବା ଉଚିତ ।

 

ମଳୟ ସହ ସମ୍ପର୍କ ବଢ଼ିବାର କାରଣ ଏଇଠି । ଅନ୍ୟ ମାନେଜରମାନେ ବୟସ୍କ ଏବଂ ବିବାହିତ ଥିଲେ । ମଳୟର ବୟସ ବତିଶ ହେଇଯାଇଥିଲେବି ସେ ବାହା ହୋଇ ନଥିଲା । ତେଣୁ ଦିନେ ଯେତେବେଳେ ଅରୁନ୍ଧତୀ ତା’ ଆଖିକୁ ଚାହିଁ ସିଧା ପ୍ରଶ୍ନ କଲା ଯେ, ତା’ ଭଳି ଜଣେ ବିଧବାକୁ କ’ଣ ସେ ବାହାହେବ, ସେତେବେଳେ ମଳୟ ଅପ୍ରସ୍ତୁତଭାବେ ‘ହଁ’ କହିଥିଲା ।

 

ସେହିଦିନୁ ମଳୟ ସାଙ୍ଗରେ ଅରୁନ୍ଧତୀ ନିଜକୁ ଟିକିଏ ଅଧିକ ସହଜ ମନେ କରିଥିଲା ।

 

ମଳୟ ଅରୁନ୍ଧତୀ ସହ ନିକଟତର ହେବାର ସମୟ ବାଛିଥିଲା, ଏଇ ସମନ୍ୱୟ ବୈଠକର ସମୟ ସାଢ଼େ ଚାରିଟାରୁ ସାଢ଼େ ପାଞ୍ଚଟା ।

 

ଲାଗଲାଗ ଦିଦିନ ବୈଠକକୁ ଯାଇ ନଥିବାରୁ ସେଦିନ ରମାକାନ୍ତ ଶତପଥୀ ମଳୟକୁ କହିଲେ, “ଆଜିକାଲି ଆପଣଙ୍କ ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି ବୈଠକରେ । ବିଶେଷକରି ଆପଣଙ୍କର ରୋମାନ୍‌ସ ବିଷୟରେ ।”

 

ମଳୟ ମହାନ୍ତି ରାଗିଯାଇଥିଲା । କିନ୍ତୁ କିଛି କହିପାରି ନଥିଲା । ରମାକାନ୍ତ ଶତପଥୀ ମାଲିକଙ୍କର ନିକଟତମ ମାନେଜର । ତା’ଛଡ଼ା ତାଙ୍କର ଅଭିଯୋଗଟି ସମ୍ପୂର୍ଣ୍ଣ ମିଛ ନଥିଲା । ଏପରି ସ୍ଥଳେ ସେ ଏଣୁତେଣୁ କହି ନିଜର କ୍ଷତି କରିବାକୁ ଚାହୁଁ ନଥିଲା । ଓଲଟି ସେ ରମାକାନ୍ତ ଶତପଥୀଙ୍କଠାରୁ ତା’ ବାବଦରେ ହେଉଥିବା କଥାବାର୍ତ୍ତା ସମ୍ପର୍କରେ ଅଧିକ କିଛି ଜାଣିବାକୁ ଚାହିଁଲା-। ଶ୍ରୀ ଶତପଥୀ କହିଲେ, ଆଗରୁ ତ ସମସ୍ତେ ଅରୁନ୍ଧତୀଙ୍କୁ ସହାନୁଭୂତି ଜଣାଉଥିଲେ-। କିନ୍ତୁ ଆଜିକାଲି ତାଙ୍କୁ କେତେକ ଈର୍ଷା କରୁଛନ୍ତି ।”

 

ସେଦିନ ମଳୟ ଠିକ୍‌ କଲା, ଯେତେବେଳେ ଅଫିସ୍‌ସାରା ସମସ୍ତେ ଜାଣିଲେଣି, ସେତେବେଳେ ଅଭିନୟ କରି ଲାଭ ନାହିଁ । ସିଧା ସିଧା କହିଦେବା ଭଲ । ଅରୁନ୍ଧତୀ ସୁନ୍ଦରୀ ଓ ବୁଦ୍ଧିମତୀ, ତା’ଛଡ଼ା ଉପାର୍ଜନକ୍ଷମ । ତା’ର ବାପା ଓ ଭାଇ ସହରର ପ୍ରତିଷ୍ଠିତ ଲୋକ । ସେଆଡ଼ୁ ମଧ୍ୟ ଲାଭ ଅଛି । ଅନ୍ୟ ପକ୍ଷରେ ତା’ ନିଜର ଆର୍ଥିକ ସ୍ଥିତି ଅରୁନ୍ଧତୀ ପରି ସ୍ୱଚ୍ଛଳ ନୁହେଁ । ତାକୁ ବତିଶବର୍ଷ ହେଲାଣି । ସବୁଠୁ ବଡ଼କଥା ହେଲା, ଅରୁନ୍ଧତୀକୁ ସେ ବାହା ହେଲେ ଜୀବନସାରା ଅରୁନ୍ଧତୀ ତା’ ନିକଟରେ କୃତଜ୍ଞ ହୋଇ ରହିବ ।

 

ଏକଥା ଚିନ୍ତାକରି ସେ ଟିକିଏ ନିରବ ରହିଗଲା ।

 

ସେ ବେଶି ସ୍ୱାର୍ଥପର ହୋଇପଡ଼ୁଛି କି ?–ନିଜକୁ ନିଜେ ପଚାରିଲା ଏବଂ ପୁଣି ଉତ୍ତର ଦେଲା, ନା ଏଇଟା ତା’ର ବାସ୍ତବବାଦୀ ଦୃଷ୍ଟିଭଙ୍ଗୀ । ଏ ବୟସରେ ବେଶି ଭାବପ୍ରବଣତା କ’ଣ ଭଲ ?

 

କିନ୍ତୁ ଅରୁନ୍ଧତୀକୁ ଦେଖିଲେ ସେ ଭାବପ୍ରବଣ ହୋଇଯାଉଥିଲା । ଅରୁନ୍ଧତୀବି । ଦିନେ ଦୁର୍ବଳ ମୁହୂର୍ତ୍ତରେ ଅରୁନ୍ଧତୀ ମଳୟକୁ ଏକଥା କହିଲା ଯେ ତା’ ଓଠ ଉପରେ କଳାଜାଇ ଥିବାରୁ ପିଲାଦିନେ ତା’ର ସାଙ୍ଗ କଳ୍ପନା କହିଥିଲା, ତା’ ଜୀବନରୁ ପ୍ରେମ ସରିଯାଇ ନାହିଁ । ମଳୟହିଁ ତା’ ଜୀବନର ଦ୍ୱିତୀୟ ଲହଡ଼ି । ସେଦିନ ସିନା ସେ କଳ୍ପନା କଥାକୁ ଅବିଶ୍ୱାସ କରୁଥିଲା, କିନ୍ତୁ ମଳୟ ସହ ପରିଚୟ ହେବାପରେ ସେ ତାକୁ ସତ ବୋଲି ଜାଣୁଛି ।

 

ସେମାନେ ଅଫିସ୍‌ ବାହାରେ ଦୀର୍ଘସମୟ ଧରି ଗପୁଥିଲେ ଓ ସେ ଗପ ଭିତରେ କ୍ୟାବିନ୍‌ ପାଖ ଟେଲିଫୋନ୍‌ ଖୁଣ୍ଟଠୁଁ ନେଇ କୋରାପୁଟର ପାଇନ୍‌ ଗଛ ଯାଏଁ ସବୁ ବିଷୟ ସ୍ଥାନ ପାଉଥିଲା । ଏପରିକି ଅରୁନ୍ଧତୀର ନାକଗୁଣା । ମଳୟ କହୁଥିଲା, ଅସଲରେ ଅରୁନ୍ଧତୀ ଯେତେ ସୁନ୍ଦରୀ ନୁହେଁ, ଏହି ନାକଗୁଣା ତାକୁ ସେତେ ସୁନ୍ଦରୀ କରିଦେଇଛି ।

 

ଅରୁନ୍ଧତୀ ନାକଗୁଣା ବିଷୟରେ କହେ । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିଲାବେଳେ ତା’ ମାଆ ତା’ର ନାକ ଫୋଡ଼େଇ ଦେଇଥିଲେ । କିନ୍ତୁ କିଛିଦିନ ପରେ ନାକଫୋଡ଼ା କାଠିଟା କୁଆଡ଼େ ଖସିଗଲା ଓ ନାକର କଣାଟି ବନ୍ଦ ହୋଇଗଲା । ଦିନେ ତା’ର ମା’ ଏକଥା ଦେଖିଲେ ଓ ସ୍କୁଲ୍‍ ଯିବା ବାଟରେ ଗୋଟେ କେଲୁଣୀଦ୍ୱାରା ଆଉଥରେ ଫୋଡ଼େଇ ଦେଲେ । ସେଥର ଅରୁନ୍ଧତୀକୁ ବହୁତ କଷ୍ଟ ହୋଇଥିଲା । ମାତ୍ର ଏତେବର୍ଷ ପରେ ମଳୟ ତା’ର ନାକଗୁଣାକୁ ସୁନ୍ଦର ବୋଲି କହିବାରୁ, ଏପର୍ଯ୍ୟନ୍ତ ତା’ ମନ ଭିତରେ ଥିବା କଷ୍ଟ ଦୂର ହୋଇଗଲା ।

 

ମଳୟର ବେଳେବେଳେ ଅରୁନ୍ଧତୀକୁ ଛୁଇଁଦେବାକୁ ମନ ହେଉଥିଲା । ମାତ୍ର ସେମାନେ ଢେର୍‌ ସମୟ ପାଖାପାଖି ରହୁଥିଲେବି ଅରୁନ୍ଧତୀ ତାକୁ ଛୁଉଁ ନଥିଲା କି ସେଭଳି ଅବକାଶ ତିଆରି କରୁ ନଥିଲା । ବାଧ୍ୟହୋଇ ଆଜି ମଳୟ ଅରୁନ୍ଧତୀର ହାତ ପାପୁଲି ଟାଣିଆଣି, ଅଭିଜ୍ଞ ହସ୍ତରେଖା ବିଶାରଦ ପରି ରେଖାଗୁଡ଼ିକୁ ପଢ଼ିବାରେ ଲାଗିଲା । ତା’ର ଭାବଭଙ୍ଗୀରୁ ଅରୁନ୍ଧତୀ ଜାଣି ପାରିଲା, ମଳୟର ଏ ବିଷୟରେ କିଛି ଧାରଣା ଅଛି । କିନ୍ତୁ ମଳୟ କିଛି କହିଲା ନାହିଁ ।

 

ଅରୁନ୍ଧତୀ ପଚାରିଲା, “କିଛି କହିଲ ନାହିଁ ଯେ !”

 

ମଳୟ କହିଲା, “ତୁମ ହାତରେ ପ୍ରଚୁର ସମ୍ପତ୍ତି ଅଛି ।”

“ମୋର ସମ୍ପତ୍ତିରେ ଟୋପେବି ଲୋଭ ନାହିଁ”–ଅରୁନ୍ଧତୀ କହିଲା ।

: ସତେ ? ତାହାହେଲେ ତୁମର ହୀରାମୁଦିଟା ମୋତେ ଦେଲ ।

: ନିଅ । –ଅରୁନ୍ଧତୀ କହିଲା ଓ ସାଙ୍ଗେ ସାଙ୍ଗେ ତା’ ହାତରୁ ହୀରାପଥରବସା ମୁଦିଟା ବାହାର କରି ମଳୟକୁ ବଢ଼େଇଦେଲା ।

ମଳୟ ଆଶ୍ଚର୍ଯ୍ୟ ହୋଇଥିଲା, ଖୁସିବି । କିନ୍ତୁ ବେଶି ଆଶ୍ଚର୍ଯ୍ୟ ହୋଇଥିଲା । ତା’ପରେ ମୁଦିଟା ଫେରେଇ ଦେଇ କହିଥିଲା, “ତମ ହାତ କହୁଛି, ତମେ ବହୁତ ସୁଖରେ ରହିବ ।”

: ତୁମେ ସୁଖରେ ରଖିଲେ ସିନା !

: ହାତ ତ ସେଇଆ କହୁଛି ! –ମଳୟ କହିଥିଲା ।

ଏ କଥାବାର୍ତ୍ତାକୁ ଚାରିମାସ ପୂରିଗଲାଣି । କିନ୍ତୁ ଆଉ କଥାବାର୍ତ୍ତା ଆଗେଇ ପାରି ନାହିଁ ।

ମଳୟ ଓ ଅରୁନ୍ଧତୀର ସମ୍ପର୍କ ସେଇଠି ରହିଛି । ସେଇଠି ରହିଛି କାହିଁକି ବରଂ ଖରାପ ହେଇଛି କହିଲେ ଭୁଲ୍‌ ହେବ ନାହିଁ ।

ତା’ର କାରଣଟା ଅଜଣା ନୁହେଁ ।

ସେଇ କଥାଟା ଏବେ ଅଫିସ୍‌ସାରା ଚର୍ଚ୍ଚା ହେଉଛି । ଅରୁନ୍ଧତୀ ଏଠି ଯୋଗ ଦେବାବେଳେ ତା’ର ବୈଧବ୍ୟ ଥିଲା ଚର୍ଚ୍ଚାର ବିଷୟ । କିଛିଦିନ ପରେ ମଳୟ ମହାନ୍ତି ସାଙ୍ଗେ ତା’ର ପ୍ରେମ ହେଲା ମୁଖ୍ୟ ପ୍ରସଙ୍ଗ । ଏବେ ହୋଇଛି ତା’ର ଗର୍ଭଧାରଣ !

 

ସମସ୍ତଙ୍କ ଆଖି ଆଗରେ ଅରୁନ୍ଧତୀର ପେଟ ବଡ଼ ହେଉଥିଲା । ଏକଥା ଆଗେ ଅଫିସ୍‌ର ମହିଳା ସହକର୍ମୀମାନେ ନିଜ ନିଜ ଭିତରେ ଟୁପ୍‌ଟାପ୍‌ ହେଲେ । ତା’ପରେ ବୟସ୍କ ପୁରୁଷ କର୍ମଚାରୀ । ଏଭଳି ଏକ ପାପକଥା ଚର୍ଚ୍ଚାର ପରିସରରୁ ବାହାରେ ରହିପାରନ୍ତା ନାହିଁ କଦାପି । ମହିଳା ସହକର୍ମୀମାନେ କହିଲେ, “ଏତେ ଯଦି ମନ ହେଲା, ଆଜିକାଲି ପରା କେତେକଅଣ ମିଳୁଛି-? ଅରୁନ୍ଧତୀ କ’ଣ ସେସବୁ ଜାଣେ ନାହିଁ ?”

 

କେହି କହିଲେ, “ଏଭଳି ଦୁଶ୍ଚରିତ୍ରା ଝିଅକୁ ଭଗବାନ ବିଧବା କରି ଉଚିତ ଶାସ୍ତି ଦେଇଛନ୍ତି ।”

 

ଆଉ କେହି ପ୍ରଶ୍ନ କଲେ, “ଆସାମୀ ଆମର ମଳୟ ମହାନ୍ତି ନୁହେଁ ତ ?”

 

କିନ୍ତୁ ନିଜେ ମଳୟ ମହାନ୍ତି ଯେଉଁଦିନ ଏ ଆଲୋଚନାରେ ଅଂଶଗ୍ରହଣ କରିବସିଲା, ସେଦିନ କଥାଟା ସ୍ପଷ୍ଟ ହୋଇଗଲା । ମଳୟ ମହାନ୍ତି ଅରୁନ୍ଧତୀର ଗର୍ଭଧାରଣ ପାଇଁ ଦାୟୀ ନୁହେଁ । ଏଇଟା ଅନ୍ୟ କାହାର ଅବଦାନ ।

 

ସେଦିନ ମଳୟ ମହାନ୍ତି ଅଫିସ୍‌ରେ କାମ କରିପାରିଲା ନାହିଁ । ଅରୁନ୍ଧତୀର ଏଭଳି ପ୍ରତାରଣା ପାଇଁ ସେ ଆଦୌ ପ୍ରସ୍ତୁତ ନଥିଲା । କି ଭୟଙ୍କର ଏହି ନାରୀ ! ସର୍ପଠାରୁବି ଅବିଶ୍ୱାସୀ !

 

ତା’ର ବନ୍ଧୁମାନେ କହିଲେ, “ତୁ ବଞ୍ଜିଗଲୁ ।”

 

ମହିଳା ସହକର୍ମୀ କହିଲେ, “ସାର୍‌ଙ୍କ ଭାଗ୍ୟ ଭଲ ।”

 

ରମାକାନ୍ତ ଶତପଥୀ କହିଲେ, “ଆପଣଙ୍କ ପ୍ରେମ କାହାଣୀ ହଠାତ୍‌ ଏଭଳି ବୁଲାଣି ନେବ ବୋଲି କେହି ଭାବି ନଥିଲେ । ଆଜିକାଲି ସନ୍ଧ୍ୟା ବୈଠକରେ ଏଇଟାହିଁ ମୁଖ୍ୟ ପ୍ରସଙ୍ଗ ।”

 

ଅରୁନ୍ଧତୀ କିଛିଦିନ ହେଲା ଆସୁ ନଥିଲା । ଏଭଳି ଅବସ୍ଥାରେ ଚଲାବୁଲା କରିବାକୁ ନିଶ୍ଚୟ କଷ୍ଟ ହେଉଥିବ । ତା’ଛଡ଼ା ଅସୁନ୍ଦର ଦିଶୁଛି ବୋଲି କାଳେ ଅରୁନ୍ଧତୀ ଭାବୁଥିବ । ମଳୟ ଅରୁନ୍ଧତୀ କଥା ଭୁଲିବାକୁ ଚେଷ୍ଟା କରୁଥିଲା ଏବଂ ଧୀରେ ଧୀରେ ଏଥିରେ ସଫଳ ହେଉଥିଲା । କେବଳ ସମୟ ପାଇଲେ ସେ ଚିନ୍ତା କରୁଥିଲା, ଅରୁନ୍ଧତୀର ସେହି ପ୍ରେମିକଟି କିଏ, ଯାହାର ସନ୍ତାନକୁ ଗର୍ଭରେ ଧରିବା ଲାଗି ଅରୁନ୍ଧତୀ ସଙ୍କୋଚ କଲା ନାହିଁ ?

 

ମନେମନେ ସେ ଅରୁନ୍ଧତୀ ଉପରେ ରାଗିଯାଉଥିଲା ଏବଂ ତା’ର ଅପରିଚିତ ପ୍ରେମିକଟିକୁ ଈର୍ଷା କରୁଥିଲା । ମାତ୍ର ଏକଥା ତା’ର ପଚାରିବାଲାଗି ଆଗ୍ରହ ହେଉ ନଥିଲା; ବରଂ ସେ ନିଜେ ଚେଷ୍ଟା କରି ତା’ର ଅରୁନ୍ଧତୀ ସହ ସମ୍ପର୍କକୁ ଭୁଲିବାପାଇଁ ଚେଷ୍ଟା କରୁଥିଲା । ଯେମିତି କେହି ନ ଜାଣନ୍ତୁ, ଅରୁନ୍ଧତୀ ସହ ତା’ର ଏତେ ଗଭୀର ସମ୍ପର୍କ ଥିଲା । ସେ ଅରୁନ୍ଧତୀର ଘରକୁ ଫୋନ୍‌ କରୁ ନଥିଲା କି ଥରୁଟେ ଯାଇ ପଚାରି ନଥିଲା । କାଳେ ଅରୁନ୍ଧତୀର ବାପା କି ଭାଇ ତା’ ବିଷୟରେ ପଚାରିବେ ଏବଂ କାଳେ ଅରୁନ୍ଧତୀ ମିଛଟାରେ ତା’ ନାଁ କହି ତାକୁ ବଦନାମ କରିଦେବ, ସେଇ ଭୟ ତା’ର ସବୁବେଳେ ଲାଗି ରହୁଥିଲା ।

 

ସେ ଅରୁନ୍ଧତୀଠାରୁ ଦୂରକୁ ପଳେଇବାଲାଗି ଚେଷ୍ଟା କରୁଥିଲା, ବହୁତ ଦୂର । ଏତେଦୂର ଯେ ସେଠିକି ଯେମିତି ଅରୁନ୍ଧତୀର ଛାଇ ସୁଦ୍ଧା ଦିଶିବ ନାହିଁ ।

 

ଏମିତି ସମୟ ବିତୁଥିଲା । ‘ଭାରତ ବାଲଟି କାରଖାନା’ର ସମୟ–ଢଣ୍‌ଢ଼ାଣ୍‌ ଶବ୍ଦ, ଏସିଡ଼୍‍ର ଗନ୍ଧ, ଦସ୍ତାର ରଙ୍ଗ ଏବଂ ଶେଷରେ ଚିକ୍‌ଚିକ୍‌ ବାର୍ଣ୍ଣିସ୍‌ ପ୍ରିଣ୍ଟ୍‌ ଲେବୁଲ୍‌ । ତାଆରି ଭିତରେ ଅରୁନ୍ଧତୀର କଥା ଇତିହାସ ହୋଇଯାଉଥିଲା । ଅରୁନ୍ଧତୀ ଏହା ଭିତରେ ଚାକିରିରୁ ଇସ୍ତଫା ଦେଇ ସାରିଥିଲା ।

 

ଅଫିସ୍‌ ଦପ୍ତର ଏବେ ନୂଆ କାହାଣୀ ଖୋଜୁଥିଲା । ଯାହା ବିଷୟରେ ଗପ୍‍ସପ୍ କରାଯାଇପାରିବ, ହସ ମଜା ହେଇହେବ ।

 

ରେଳ ଷ୍ଟେସନ୍‌ ପାଖ ସେଇ କାରଖାନାରେ ନିତି ସକାଳେ ପୁଙ୍ଗା ବାଜୁଥିଲା ଏବଂ ସଞ୍ଜକୁ ଆଉଥରେ । ଚାରିପଟେ ସହରର କୋଳାହଳ, କାଠଯୋଡ଼ିର ଭାବ ଅଭାବ, ଆକାଶର ରଙ୍ଗ ବଦଳ ।

 

କ୍ରମେ ଅରୁନ୍ଧତୀର ସ୍ମୃତି ରାତି ଆକାଶରେ ଅରୁନ୍ଧତୀ ତାରାର ସ୍ଥିତି ପରି କ୍ଷୀଣ ହୋଇ ଆସୁଥିଲା । ହଠାତ୍‌ ଦିନେ ଗୋଟେ ଟେଲିଗ୍ରାମ୍‌ ଆସି ମଳୟ ମହାନ୍ତି ଠିକଣାରେ ପହଞ୍ଚିଲା । ସେତେବେଳକୁ ଅରୁନ୍ଧତୀ ଇସ୍ତଫା ଦେବାର ଦେଢ଼ବର୍ଷ ହେଇଗଲାଣି । ମଳୟ ଭାବିଥିଲା, ଅରୁନ୍ଧତୀ ତା’ର ପୁଅ କି ଝିଅ ହେବାର ଖବର ଲେଖିଥିବ । କିନ୍ତୁ ଭିତରେ ସେମିତି କିଛି ଖବର ନଥିଲା । ଖାଲି ଥରୁଟେ ଦେଖା କରିବାପାଇଁ ଦିଇଟି ଇଂରାଜୀ ବାକ୍ୟ ଲେଖାଯାଇଥିଲା । ମଳୟ ମହାନ୍ତି, ଯିଏ ଦିନେ ଅରୁନ୍ଧତୀ ସହ ତା’ର ଖୋଲାଖୋଲି ପ୍ରେମ ସମ୍ପର୍କକୁ ସମସ୍ତଙ୍କ ପାଖରୁ ଲୁଚେଇବାକୁ ଚାହୁଁଥିଲା ସିଏ ଏଇ ବ୍ୟକ୍ତିଗତ ଟେଲିଗ୍ରାମ୍‌ର ଖବରକୁ ସମସ୍ତଙ୍କୁ ଜଣାଇଲା । ସମସ୍ତଙ୍କୁ କହିବାକୁ ଚାହିଁଲା ଯେ, ତୁମେମାନେ ଯଦି ଭାବୁଥିବ, ଅରୁନ୍ଧତୀ ଗର୍ଭର ପିଲାର ବାପା ମୁଁ, ତାହାହେଲେ ସେକଥାଟି ସମ୍ପୂର୍ଣ୍ଣ ମିଛ । ନହେଲେ ଅରୁନ୍ଧତୀ ମୋତେ ଡାକି ନଥାନ୍ତା । କାରଣ ଏତେବେଳକୁ ତା’ର ଗର୍ଭସ୍ଥ ପିଲା ଭୂମିଷ୍ଠ ହୋଇସାରିଥିବ ।

 

: ହୁଏତ ମରିଯାଇଥିବ ।

 

: କିମ୍ବା ତାକୁ ମାରିଦିଆଯାଇଥିବ ।

 

ଅଫିସ୍‌ ସହକର୍ମୀମାନେ ମନ୍ତବ୍ୟ ଦେଲେ । ମଳୟ ଭାବିଲା, ଏସବୁବି ଅମୂଳକ ନୁହେଁ । ଅରୁନ୍ଧତୀ ଭଳି ଝିଅ ପକ୍ଷେ ସମ୍ଭବ । ସେଇଆ ହୋଇଥିବ । ପୁଣିଥରେ ସଫାସୁତୁରା ହୋଇ ମୋ ସହ ସମ୍ପର୍କ ଯୋଡ଼ିବାକୁ ଜାଲ ପାତୁଥିବ ।

 

ମଳୟ ଟେଲିଗ୍ରାମ୍‌ଟିକୁ ଚିରିଦେଲା ଏବଂ ସେହିଦିନ ତା’ ଘରକୁ ଉତ୍ତର ଲେଖିଲା, ‘ବାପା ଯେଉଁ ପ୍ରଧାନଶିକ୍ଷକଙ୍କ ଝିଅ ସହ ପ୍ରସ୍ତାବ ପକେଇଛନ୍ତି ସେଇଠି ସେ ବାହା ହେବାପାଇଁ ରାଜି ।’

 

ମଳୟର ବୟସ ଗଡ଼ିଯାଇଥିଲା । ତା’ର କାରଣ ସେ ନିଜେ । ଅନେକ ଆଡ଼ୁ ଅନେକ ପ୍ରସ୍ତାବ ଆସୁଥିଲେବି କୌଣସିଟି ତା’ର ପସନ୍ଦ ହେଉ ନଥିଲା । ସେ ଚାହୁଁଥିଲା ରୂପ, ଗୁଣ ଓ ନାଚଗୀତ ସବୁଥିରେ ତା’ର ଭାବୀପତ୍ନୀ ଯୋଗ୍ୟା ହେବା ଦରକାର । ମାତ୍ର ସେଭଳି ଝିଅ ମିଳୁ ନଥିଲେ । କେବଳ ଅରୁନ୍ଧତୀ ପାଖରେ ସବୁଯାକ ପ୍ରତିଭା ଠୁଳ ଥିଲା ।

 

କିନ୍ତୁ ଅରୁନ୍ଧତୀ ତା’ ସହ ବିଶ୍ୱାସଘାତକତା କରିବ ବୋଲି ସେ ଭାବି ନଥିଲା ।

 

ମଳୟ ଅରୁନ୍ଧତୀକୁ ଭୁଲିଗଲା । ତା’ର ନିଜର ବାହାଘର କାର୍ଡ଼ ଛପାଯାଇ ଆସିସାରିଥିଲା । ଭାବିଲା, ଅରୁନ୍ଧତୀକୁ କାର୍ଡ଼ଟିଏ ପଠେଇଦେଲେ କ୍ଷତି ହୁଅନ୍ତା କି ?

 

: କିନ୍ତୁ ତା’ଦ୍ୱାରା ଲାଭ କ’ଣ ହେବ ?

 

ସେ ଲାଭ କ୍ଷତି କଥା ଚିନ୍ତା କଲା । ବେଶ୍‌ କିଛି ସମୟ । ସେତିକିବେଳେ ତା’ ଟେବୁଲ୍‌ ଉପରର ଫୋନ୍‌ ବାଜିଲା । ମଳୟ ଫୋନ୍‌ ଉଠେଇଲା । ସେପଟୁ ପୁରୁଷ ଲୋକ ଜଣେ ପଚାରୁଥିଲା, “ମଳୟ ମହାନ୍ତିଙ୍କ ସହ କଥା ହେଇହେବ କି ?”

 

ମଳୟ ମହାନ୍ତି ଉତ୍ତର ଦେଲା, “ହଁ ।”

 

ଏଥର ସେପଟୁ ଯିଏ ଫୋନ୍‌ ଧରିଲା ସିଏ ଅରୁନ୍ଧତୀହିଁ ଥିଲା । ମଳୟ ଆଶ୍ଚର୍ଯ୍ୟ ହେଲା-। ଇଏ ’କଣ ଟେଲିପାଥି ? କିନ୍ତୁ ତା’ର ବିସ୍ମୟକୁ ସେ ଗୋପନ ରଖିଲା । ଶୀତଳ ଭାବରେ ଉତ୍ତର ଦେଲା, “କ’ଣ କୁହନ୍ତୁ ।”

 

ଏଭଳି ସମ୍ମାନସୂଚକ କଥା ଶୁଣି ସେପଟୁ ଅରୁନ୍ଧତୀ ଆଶ୍ଚର୍ଯ୍ୟ ହେଲା । ଆଉଥରେ ପଚାରିଲା, “ମଳୟ କହୁଛନ୍ତି ତ ?”

 

: ମୁଁ ଦିଦିନପାଇଁ ଆସିଛି । ମହାନଦୀ କୋଲ୍‌ ଫିଲ୍‌ଡ଼୍‍ସ ଅତିଥି ଭବନରେ ଅଛି । ଟିକେ ଦେଖା ହୋଇପାରିବ ? ଗୋଟେ ଜରୁରି କଥା ଖାଲି କହିବାର ଅଛି ।

 

: ଫୋନ୍‌ରେ କହୁ ନାହାନ୍ତି ?

 

: ଫୋନ୍‌ ? ନା ଫୋନ୍‌ରେ କହିହେବ ନାହିଁ । ତା’ଠୁଁ ଭଲ ସେକଥା ମୋ ପାଖରେ ଥାଉ । –ଅରୁନ୍ଧତୀ ଫୋନ୍‌ କାଟିଦେଲା ।

 

ଅରୁନ୍ଧତୀର କଥାବାର୍ତ୍ତା ମଳୟକୁ ରହସ୍ୟଜନକ ମନେହେଲା । ତାକୁ ଭେଟିବାର ଇଚ୍ଛାଟି ମଧ୍ୟ ଆହୁରି ଦୃଢ଼ ହେଲା । ବାହାଘର କାର୍ଡ଼ଟା ହାତେହାତେ ଦେଇଦେଲେ କିଛି କ୍ଷତି ନାହିଁ-। ମଳୟ ସ୍ଥିର କଲା ।

 

ମହାନଦୀ କୋଲ୍‌ ଫିଲ୍‌ଡ଼୍‍ସର ଗେଷ୍ଟହାଉସ୍‌ଟି ଖୋଜି ପାଇବାକୁ ଡେରି ହେଲା ନାହିଁ । ପରଦିନ ସକାଳୁ ସକାଳୁ ମଳୟ ଯାଇ ପହଞ୍ଚିଗଲା । ତାକୁ ଅପେକ୍ଷା କରି ଏପଟ ସେପଟ ହେଉଥିଲା ଅରୁନ୍ଧତୀ । ତା’ ବସିବା ଠାଣିରୁ ଜାଣିପାରିଲା ମଳୟ । କିନ୍ତୁ ଅରୁନ୍ଧତୀର ସ୍ୱଭାବ ଏମିତି ଯେ ସେ ନିଜର ବ୍ୟସ୍ତତା କଥା କାହାରିକୁ ଜାଣିବାପାଇଁ ଦିଏ ନାହିଁ ।

 

ଅରୁନ୍ଧତୀ ପୂର୍ବ ଅପେକ୍ଷା ଆହୁରି ସୁନ୍ଦରୀ ଦିଶୁଥିଲା । ହାଲୁକା ଗୋଲାପୀ ରଙ୍ଗର ଶାଢ଼ିଟିଏ ପିନ୍ଧିଥିଲା । ଟିକିଏ ଝଡ଼ିଯାଇଥିଲା ସେ, କିନ୍ତୁ ସେଇଟା ତାକୁ ବେଶି ସୁନ୍ଦରୀ କରିଥିଲା । ତାକୁ ଦେଖୁଦେଖୁ ମଳୟ ନିଜ ଭିତରେ ଗୋଟେ ଅଦ୍ଭୁତ ଶିହରଣ ଅନୁଭବ କଲା । ସେ ବୁଝିପାରିଲା, ଶତ ଚେଷ୍ଟା ସତ୍ତ୍ୱେ ସେ ଅରୁନ୍ଧତୀକୁ ନିଜ ଭିତରୁ ଦୂରେଇ ପାରି ନାହିଁ ।

 

ଅରୁନ୍ଧତୀ ପଚାରିଲା, “ଲେମ୍ବୁ ଚା’ ନା ?”

 

ମଳୟ କିଛି କହିଲା ନାହିଁ । ଅରୁନ୍ଧତୀ ଏବେବି ତା’ର ପସନ୍ଦ ମନେରଖିଛି ।

 

ସେ ଚା’ ପିଇ କପ୍‌ଟିକୁ ଟି–ପୟ ଉପରେ ରଖିଦେଲା ।

 

ଅରୁନ୍ଧତୀ କହିଲା, “ତୁମ ବାହାଘର ଖବର ମୁଁ ଜାଣିଛି । ଖାଲି ବାହାଘର ଖବର କାହିଁକି, ତୁମର ସବୁ ଖବର ମୁଁ ରଖିଛି । ଏବଂ ମୁଁ ଖୁବ୍‌ ଖୁସି ।”

 

ମଳୟ ନିରବ ରହିଥିଲା ।

 

ଅରୁନ୍ଧତୀ କହିଲା, “ତମର ହାତପାପୁଲି ରେଖା ଉପରେ ଖୁବ୍‌ ଭରସା, ନୁହେଁ ? କିନ୍ତୁ ଯେଉଁମାନଙ୍କର ମୂଳରୁ ହାତ ନଥିବ, ତାଙ୍କର ଭାଗ୍ୟ କ’ଣ ହେବ ?”

 

ମଳୟ କହିଲା, “ମୁଁ ବୁଝିପାରିଲି ନାହିଁ ।”

 

ଅରୁନ୍ଧତୀ ସୋଫା ଉପରୁ ଉଠି ପଡ଼ିଲା । କାଚ ଝରକା ପାଖକୁ ଗଲା । ପରଦା ଆଡ଼େଇ ବାହାରକୁ ଚାହିଁଲା ଏବଂ ସାନ ପିଲାଟେ ପରି ବଡ଼ପାଟିରେ କହିଲା, “ହେଇ ଦେଖ ! ହଳଦିବସନ୍ତ । ଆଜି ଦିନଟା ତୁମର ନିଶ୍ଚୟ ଭଲରେ ବିତିବ । ଦେଖିଲ ନା ?”

 

ମଳୟ ଉଠିପଡ଼ି ଝରକା ଆଡ଼କୁ ଚାହିଁଲା । କିନ୍ତୁ ସେଠି ହଳଦିବସନ୍ତ ନଥିଲା । ହୁଏତ ଅରୁନ୍ଧତୀର ଚିତ୍କାର ଶୁଣି ଉଡ଼ି ପଳେଇଥିଲା ।

 

ଅରୁନ୍ଧତୀ ଫେରିଆସି ସୋଫାରେ ବସିଲା । କହିଲା, “ପଚାରିବ ନାହିଁ, କାହିଁକି ମୁଁ ଚାକିରି ଛାଡ଼ିଦେଲି ?”

 

ମଳୟ କହିଲା, “ନା, ସେଇଟା ତୁମର ବ୍ୟକ୍ତିଗତ ମାମଲା । ମୁଁ ସେଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ।”

 

ଅରୁନ୍ଧତୀ ହସିଦେଲା । କହିଲା ନାହିଁ ଯେ ଏକଦା ତା’ ସହ ନିକଟତର ହେବାପାଇଁ ମଳୟ କେତେ ତୁଚ୍ଛ ପ୍ରସଙ୍ଗ ଆଣି ଗପ ଯୋଡ଼ୁଥିଲା । ଅଥଚ ସେଦିନ ସେସବୁ ବ୍ୟକ୍ତିଗତ କଥା ନଥିଲା । ତା’ର ମୁହଁର ମାଂସପେଶୀ ଟିକିଏ ଦୃଢ଼ ହେଲା । ସେ ମୁହଁ ଖୋଲିବାକୁ ଯାଉଥିଲା, ସେ କୋଠରି ଭିତରକୁ ଜଣେ ଯୁବକ ପଶିଆସିଲା । ବେଶପୋଷାକରେ ଆଭିଜାତ୍ୟ, ସକାଳୁ ସକାଳୁ କୋଟ୍‌–ଟାଇ ଭିଡ଼ି ଭଦ୍ରଲୋକ ପ୍ରସ୍ତୁତ ହୋଇଗଲେଣି ।

 

ପଶି ଆସୁ ଆସୁ କହିଲେ, “ମୁଁ ଦୁଃଖିତ । ଟିକିଏ ଛାଡ଼ି ଆସୁଛି ! ତୁମେ କଥା ହୋଇସାର ।”

 

: ନା, ନା; ମୁଁ ତୁମକୁ ଅପେକ୍ଷା କରୁଥିଲି । ଆସ । ଇଏ ହେଲେ ମଳୟ ମହାନ୍ତି ।

 

: ଆଚ୍ଛା, ଆଚ୍ଛା । ମୁଁ କାଲି ଆପଣଙ୍କୁ ଫୋନ୍‌ କରିଥିଲି ।

 

ଭଦ୍ରଲୋକ ଆଉ କିଛି କହିଆସୁଥିଲେ, ଅରୁନ୍ଧତୀ ତାଙ୍କୁ ଅଟକେଇଦେଲା । କହିଲା, “ଆଗେ ମୁଁ କହିସାରେ ।”

 

ମଳୟ ବସି ରହିଲା ।

 

ଅରୁନ୍ଧତୀ କହିଲା, “କ୍ରନିକ୍‌ ରିଟେନ୍‌ସନ୍‌ ଅଫ୍‌ ୟୁରିନ୍‌ ଯୋଗୁଁ ମୋ ପେଟ ଫୁଲି ରହୁଥିଲା । ମୂତ୍ରାଶୟରେ ଜମି ରହୁଥିଲା କିଛି କିଛି । ମୁଁ ଖୁବ୍‌ ଡରିଯାଇଥିଲି । ବଞ୍ଚିବି କି ମରିବି ଏମିତି ସନ୍ଦେହ ଆସିଲା । ଯେତେବେଳେ ସବୁଠୁ ଅଧିକ ତୁମର ସାହଚର୍ଯ୍ୟ ଲୋଡ଼ୁଥିଲି ସେତେବେଳେ ତୁମେ ଦୂରେଇଗଲ । ମୁଁ ଯଦି ତୁମ ଜାଗାରେ ଥାଆନ୍ତି କ’ଣ କରିଥାନ୍ତି ଜାଣିଛ ?”

 

ମଳୟ ନିରୁତ୍ତର ଥିଲା ।

 

“ସବୁ କାମଦାମ, ମାନସମ୍ମାନ, ଲୋକନିନ୍ଦା ଓ ସମାଲୋଚନାକୁ ପଛରେ ପକେଇ ତୁମ ପାଖକୁ ଧାଇଁ ଯାଇଥାଆନ୍ତି । ତମ ପାଖରେ ଛିଡ଼ା ହୋଇଥାଆନ୍ତି । ତମର ପାପ, ଯଦିବି ଥାଆନ୍ତା, ମୁଁ ତାକୁ ନିଜ ମୁଣ୍ଡ ଉପରକୁ ନେଇଯାଇଥାଆନ୍ତି । ଅଥଚ ତୁମେ ଥରୁଟିଏ ପଚାରିଲବି ନାହିଁ । ତୁମ ସାଙ୍ଗରେ ଏତେଦିନର ପରିଚୟ ସତ୍ତ୍ୱେ କେବେ ତୁମକୁ ଛୁଇଁ ନଥିଲି । ଅଥଚ ଆଉ କାହାର ପିଲାକୁ ଗର୍ଭରେ ଧରିଥିବି ବୋଲି ତୁମେ କେମିତି ଭାବିପାରିଲ ?”

 

ମଳୟର ଦେହହାତ ଝାଳେଇଗଲା । ସେ ଏଭଳି ଏକ ମୁହୂର୍ତ୍ତପାଇଁ ଆଦୌ ପ୍ରସ୍ତୁତ ନଥିଲା । କେବଳ ଅରୁନ୍ଧତୀ ଥିଲେ ଅବା ପରିସ୍ଥିତିକୁ ସେ ଚଳେଇ ନେଇଥାଆନ୍ତା । ମାତ୍ର ପାଖରେ ଆଉ ଜଣେ ଅପରିଚିତ ଭଦ୍ରଲୋକ । ସେ କ’ଣ କରିବ ଚିନ୍ତା କରି ପାରୁ ନଥିଲା । ତା’ର ବାହାଘର ନିମନ୍ତ୍ରଣ କାର୍ଡ଼ଟି ତା’ ଡାଏରି ଭିତରେ ଅଛି । ସେଇଟିକୁ ବାହାର କରିବାକୁ ତା’ର ଭୟ ହେଉଥିଲା-

 

ଏଥର ଭଦ୍ରଲୋକ ମୁହଁ ଖୋଲିଲେ । କହିଲେ, “ଅରୁନ୍ଧତୀ ଜୀବନରେ ଆପଣଙ୍କୁହିଁ ସବୁଠୁ ବେଶି ଭଲପାଉଥିଲେ ଏବଂ ଏକଥା ସେ ମୋତେ ସ୍ପଷ୍ଟ ଭାବରେ କହିଥିଲେ ଆମ ବାହାଘର ଆଗରୁ ।”

 

: ବାହାଘର ?

 

: ହଁ । ଅପରେସନ୍‌ ପରେ ଅରୁନ୍ଧତୀ ଖୁବ୍‌ ଦୁର୍ବଳ ହୋଇପଡ଼ିଥିଲେ । ଯେତେ ବେଶି ଅପରେସନ୍‌ ପାଇଁ ନୁହେଁ, ସେତେ ବେଶି ଆପଣଙ୍କ ବ୍ୟବହାର ପାଇଁ । ତା’ପରେ ମୋ ସହ ପରିଚୟ ହେଲା । ମୁଁ ମୋ ପତ୍ନୀଙ୍କୁ ହରେଇଥିଲି । ଆମେ ଦିହେଁ ରେଜିଷ୍ଟ୍ରି ମ୍ୟାରେଜ୍‌ କଲୁ ।

 

: ଆପଣ ?

 

: ମୁଁ ଅରବିନ୍ଦ ବିଶ୍ୱାଳ, ସ୍ପେଶାଲ କ୍ଲାସ୍‌ କଣ୍ଟ୍ରାକ୍ଟର । ମୋର ଲୁହା ଓ କୋଇଲା ବ୍ୟବସାୟ ।

 

ମଳୟର ଏବେ ଉଠିବା ପାଳି । ସେ ଖୁବ୍‌ କଷ୍ଟରେ ମୁହଁ ଟେକି ଅରୁନ୍ଧତୀକୁ ଚାହିଁଲା । ଅରୁନ୍ଧତୀର ଆଖିରେ ଲୁହ ଚକ୍‌ଚକ୍‌ କରୁଥିଲା କି ? ସେ ଜାଣିପାରିଲା ନାହିଁ । କହିଲା, “ମୋତେ କ୍ଷମା କରିଦେବ ଅରୁନ୍ଧତୀ । ଏସିଡ଼୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ନହେଲେ କେଉଁ ଲୁହା ଚାଦର ଭଲ କି ଖରାପ ଜଣାପଡ଼େ ନାହିଁ । ମୁଁ ହାରିଗଲି ।”

 

ସେ ଫେରିଆସୁଥିଲା ।

 

ଅରୁନ୍ଧତୀ କହିଲା, “ବାହାଘର କାର୍ଡ଼ ଦେବ ନାହିଁ ?”

 

ଚମକି ପଡ଼ିଲା ମଳୟ ମହାନ୍ତି । ଡାଏରି ଭିତରୁ କାର୍ଡ଼ଟି ବାହାର କରି ଅରୁନ୍ଧତୀ ସାମ୍ନାରେ ଥୋଇଦେଲା ।

 

ଅରୁନ୍ଧତୀ ଏଥର ଉଠିଯାଇ ତା’ ବ୍ୟାଗ୍‌ରୁ ଗୋଟେ ଛୋଟ ପ୍ୟାକେଟ୍‌ ବାହାର କରିଆଣିଲା । ମଳୟ ହାତକୁ ବଢ଼େଇ ଦେଇ କହିଲା, “ତୁମ ପତ୍ନୀଙ୍କୁ ଦେବ ।”

 

ମଳୟ କ’ଣ କହି ଆସୁଥିଲା । ଅରୁନ୍ଧତୀର ସ୍ୱାମୀ କହିଲେ, “ମୁଁ ସବୁ ଜାଣେ । ଆପଣ କିଛି ମନେ କରନ୍ତୁ ନାହିଁ । ମଣିଷ ଯେତେ ଚାହିଁଲେବି ଗତକାଲିକୁ ଭୁଲିପାରିବ ନାହିଁ । ଆମର ବର୍ତ୍ତମାନ ଯଦି ସତ, ଗତକାଲି ତାହାଠାରୁ ଅଧିକ ସତ ।”

 

ଅରୁନ୍ଧତୀ ମଳୟର ଖୁବ୍‌ ନିକଟରେ ଛିଡ଼ାହୋଇଥିଲା । ତା’ ଦେହର ଗନ୍ଧ ମଳୟ ବାରିପାରୁଥିଲା ଆଘ୍ରାଣରେ । ତା’ ଦେହ ହାତରେ ଅଦ୍ଭୁତ କମ୍ପନ ସେ ଅନୁଭବ କରୁଥିଲା । ସେ ଶେଷଥର ଲାଗି ଅରୁନ୍ଧତୀକୁ ଚାହିଁଲା ଓ ବହୁ କଷ୍ଟରେ କ୍ଷୀଣ ହସଟିଏ ହସି କହିଲା, “ମୁଁ ଆସୁଛି ।”

 

ସେତିକିବେଳେ ତା’ର ନଜର ପଡ଼ିଲା, ଅରୁନ୍ଧତୀ ନାକଗୁଣା ପିନ୍ଧି ନାହିଁ । ସେଇ ଜାଗାଟି ଗୋଟେ ଛୋଟ ଶୂନ୍ୟସ୍ଥାନ ପରି ବାରି ହୋଇ ପଡ଼ୁଥିଲା ।

 

ସେକଥା ସେ ପଚାରିବାକୁ ଯାଉଥିଲା, କିନ୍ତୁ ଅରୁନ୍ଧତୀ ପଣତକାନିରେ ନିଜ ମୁହଁ ଢାଙ୍କିନେଲା ।

☆☆☆

 

Unknown

ଝିଅର ମାଆ

 

ଶ୍ରୀମତୀ ଶର୍ମାଙ୍କୁ ଟ୍ରେନ୍‌ରେ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । କାରଣ ପ୍ରଥମ କି ଦ୍ୱିତୀୟ ଶ୍ରେଣୀ ଏ.ସି. ବଗିରେ ନୁହେଁ, ସେ ବସିଥିଲେ ଗୋଟିଏ ସାଧାରଣ ସ୍ଲିପର୍ କୋଚ୍‌ରେ । ପ୍ରଥମେ ଭାବିଲି ଇଏ ଶ୍ରୀମତୀ ଶର୍ମା ନ ହୋଇ ତାଙ୍କ ଭଳି ଦିଶୁଥିବା ଆଉ କିଏ ହୋଇଥିବେ । ସେଥିପାଇଁ ନିଜ ସିଟ୍‌ରେ ସୁଟ୍‌କେଶ୍‌ଟି ଥୋଇଦେଇ ବାଥ୍‌ରୁମ୍‌ ଯିବା ବାହାନାରେ ଆଉଥରେ ଯାଇ ତାଙ୍କୁ ଦେଖିଆସିଲି । ଭଦ୍ରମହିଳା ଶ୍ରୀମତୀ ଶର୍ମାହିଁ ଥିଲେ । ଯଦିଓ ମୁଁ ତାଙ୍କୁ ପ୍ରାୟ ଦଶବର୍ଷ ପରେ ଦେଖୁଥିଲି, ତଥାପି ତାଙ୍କୁ ଚିହ୍ନିବାରେ ମୋର ଭୁଲ୍‌ ହେଉ ନଥିଲା ।

 

ଶ୍ରୀମତୀ ଶର୍ମା ହରିଆଣା ଝିଅ । ବାହା ହୋଇଛନ୍ତି ଓଡ଼ିଶାରେ । ନିଜେ କମ୍ପାନୀ ଏକ୍‌ଜିକ୍ୟୁଟିଭ୍‌ । ତାଙ୍କ ସ୍ୱାମୀ ଥିଲେ ଡିଫେନ୍‌ସରେ । ଡିଫେନ୍‌ସର ର୍ୟାଙ୍କ ନେଇ ମୋର ସବୁବେଳେ ଦ୍ୱନ୍ଦ୍ୱ ହୁଏ ଏବଂ କମାଣ୍ଡର ବଡ଼ ପାହ୍ୟା ନା କମୋଡ଼ର ମୁଁ ଜାଣିପାରେ ନାହିଁ । ମାତ୍ର ଶ୍ରୀଯୁକ୍ତ ଶର୍ମା ତା’ ଉପର ପାହ୍ୟାର ଥିଲେ । ତେଣୁ ସେମାନେ ସବୁବେଳେ ଉଡ଼ାଜାହାଜରେ ଯା–ଆସ କରୁଥିଲେ । ସେଭଳି ଜଣେ ସମ୍ଭ୍ରାନ୍ତ ଏବଂ ଉଚ୍ଚ ପଦବିର ମହିଳା ଏଭଳି ସାଧାରଣ କୋଚ୍‌ରେ କାହିଁକି, ଏଇ କଥା ଭାବି ମୁଁ ଦ୍ୱନ୍ଦ୍ୱରେ ପଡ଼ିଲି ।

 

ମୁଁ ସେତେବେଳେ ଭୁବନେଶ୍ୱର ଶାଖା ଷ୍ଟେଟ୍‌ ବ୍ୟାଙ୍କ୍‍ରେ କାମ କରୁଥିଲି । ସେଇଠି ଶ୍ରୀମତୀ ଶର୍ମାଙ୍କର ଗୋଟେ ଆକାଉଣ୍ଟ୍‌ ଥିଲା । ତିନି ଚାରି ମାସରେ ଥରେ ତାଙ୍କ ସାଙ୍ଗେ ଦେଖା ହୋଇଯାଉଥିଲା ।

 

ହଁ, ମୁଁ ସେତେବେଳେ ରବୀନ୍ଦ୍ରମଣ୍ଡପରେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଉଥିଲି । ଅଭିନୟ ସଉକ ଥିଲା, ତା’ ସାଙ୍ଗକୁ ‘କଳାକାର’ ସୌଖୀନ ନାଟ୍ୟସଂସ୍ଥା ସହ ସଂପୃକ୍ତି । ତାହା ମୋ ପ୍ରତି ତାଙ୍କର ଶ୍ରଦ୍ଧାର କାରଣ ହୋଇଥିଲା । ମୁଁ ମଧ୍ୟ ତାଙ୍କର ଶ୍ରଦ୍ଧା ଲାଭ କରି ବିଶେଷ ଅନୁଗୃହୀତ ହେଉଥିଲି । ଏହାର କାରଣ ସେ ଜଣେ ବଡ଼ ଅଫିସର ଥିଲେ ଏବଂ ଦ୍ୱିତୀୟ ସେ ଖୁବ୍‌ ସୁନ୍ଦରୀ ଓ ଅଭିଜାତ ଥିଲେ । ଏହା ସାଙ୍ଗକୁ ତାଙ୍କର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତରେ ଗଭୀର ପ୍ରବେଶ ଥିଲା ।

 

ଟ୍ରେନ୍‌ଟି ଭୁବନେଶ୍ୱର ଛାଡ଼ି ସାରିଥିଲା । ରାତି ତିନିଟା ତିରିଶ ବାଜିଥିଲା । ଆଉ ଦେଢ଼ ଘଣ୍ଟା ପରେ ସକାଳ ହୋଇଯିବ । ମୁଁ ଝିଅ ପାଖକୁ ବାଙ୍ଗାଲୋର ଯାଉଥିଲି । କିନ୍ତୁ ଶ୍ରୀମତୀ ଶର୍ମା କୁଆଡ଼କୁ ଯାଉଛନ୍ତି ? ମନ ହେଉଥିଲା, ଯାଇକି ପଚାରି ଆସିବି । କିନ୍ତୁ କାଳେ ସେ ଶୋଇବା ଲାଗି ଉପକ୍ରମ କରୁଥିବେ ଭାବି ଗଲିନାହିଁ । ମୁଁ ମୋର ସୁଟ୍‍କେଶ୍‌ଟି ସିଟ୍‌ ତଳେ ରଖିଦେଇ ଚାବି ପକେଇଦେଲି । ଶୋଇବାକୁ ଚେଷ୍ଟା କଲି, କିନ୍ତୁ ନିଦ ଆସିଲା ନାହିଁ । ଶ୍ରୀମତୀ ଶର୍ମାହିଁ ମୋର ମନକୁ ଆଚ୍ଛନ୍ନ କରି ବସିଲେ ।

 

ସେବର୍ଷ ରବୀନ୍ଦ୍ରମଣ୍ଡପର ନାଟକ ଉତ୍ସବକୁ ଶ୍ରୀମତୀ ଶର୍ମା ଅତିଥିଭାବେ ଯୋଗଦେବା ଲାଗି ଆସିଥିଲେ । ଆମ ରିକ୍ରିଏସନ୍‌ କ୍ଲବ୍‌ର ସେକ୍ରେଟାରି ଧୀରେନ୍ଦ୍ରବାବୁ ତାଙ୍କୁ ଆମନ୍ତ୍ରଣ କରିଆଣିଥିଲେ । ସେଥିରେ ମୁଁ ଗୋଟେ ପାର୍ଶ୍ୱ ଚରିତ୍ର ଭୂମିକାରେ ଅଭିନୟ କରିଥିଲି । ମୋର ଭୂମିକା ଥିଲା, ଜଣେ ଶିକ୍ଷକର ଭୂମିକା । ମୋର ଅଭିନୟ ଭଲ ହୋଇଥିବାରୁ ମୋତେ ପୁରସ୍କାରଟିଏ ମିଳିଥିଲା । ଶ୍ରୀମତୀ ଶର୍ମାଙ୍କଠାରୁ ମୁଁ ସେ ପୁରସ୍କାର ଗ୍ରହଣ କରିଥିଲି ।

 

ମୁଁ ରାତି ପାହିବାକୁ ଅପେକ୍ଷା କରୁଥିଲି । ସ୍ଲିପର୍ କ୍ଲାସ୍‌ର ଯାତ୍ରା ଦ୍ୱିଗୁଣା କଷ୍ଟଦାୟକ । ପ୍ରଥମତଃ ଏହି ଶ୍ରେଣୀର ଯାତ୍ରୀଙ୍କ ପ୍ରତି ରେଳବାଇର ଉଦାସୀନତା ଏବଂ ଦ୍ୱିତୀୟ, ସହଯାତ୍ରୀମାନଙ୍କର ହାଟୁଆ ହାବଭାବ ।

 

ମୁଁ ବାଥ୍‌ରୁମ୍‌ ଯାଇ ଫେରୁଛି, ଶ୍ରୀମତୀ ଶର୍ମାଙ୍କ ଆଖି ସହ ମୋ ଆଖି ମିଶିଗଲା । ମୁଁ ଲକ୍ଷ୍ୟ କଲି, ତାଙ୍କ ଆଖିରେ ପୂର୍ବର ସେ ଜ୍ୟୋତି ନାହିଁ । ତାଙ୍କ ଚେହେରା ଦିଶୁଥିଲା ମଉଳା ଧଳା ଗୋଲାପ ପରି । ମୁଁ ହାତଯୋଡ଼ି ନମସ୍କାର କଲି । କହିଲି, ‘ମୁଁ ସିଦ୍ଧାର୍ଥ ଦାସ ।’

 

ଶ୍ରୀମତୀ ଶର୍ମା ହସିଲେ ।

 

ମୁଁ ତାଙ୍କଠାରୁ ତାଙ୍କର ଗନ୍ତବ୍ୟସ୍ଥଳ ବୁଝିବା ଲାଗି ଚାହୁଁଥିଲି । ତେଣୁ ପଚାରିଲି, ‘ଆପଣ କ’ଣ ବାଙ୍ଗାଲୋର ଯାଉଛନ୍ତି ?’

 

‘ନା, ମୁଁ ବିଶାଖାପାଟଣାରେ ଓହ୍ଲେଇ ଯିବି ।’ ସେ ତାଙ୍କ ଚଷମାର କାଚ ପୋଛିଲେ ଓ ପୁଣି ପିନ୍ଧିଲେ । ମୁଁ କହିଲି, ‘ବାଙ୍ଗାଲୋର ଯାଉଛି । ଝିଅ ପାଖକୁ ।’

 

: ଆଚ୍ଛା, ଭଲ । ସେ ସଂକ୍ଷେପରେ କଥା ସାରିଦେବାକୁ ଚାହୁଁଥିଲେ ।

 

ମୁଁ ତାଙ୍କ ସାମ୍ନା ସିଟ୍‌ରେ ବସିଥିବା ଭଦ୍ରଲୋକଙ୍କୁ ଟିକିଏ ଜାଗା ଦେବାକୁ କହି ବସିଗଲି-। ପଚାରିଲି, “ଆପଣ ଅସୁସ୍ଥ ହୋଇ ପଡ଼ିଥିଲେ କି ? ଖୁବ୍‌ ଶୁଖିଲା ଦିଶୁଛନ୍ତି ।”

 

: ନା, ନା । ମୁଁ ଅସୁସ୍ଥ ହୋଇ ନାହିଁ । ଅନେକ ଦିନ ପରେ ଦେଖୁଛନ୍ତି ତ ! ତେଣୁ ସେମିତି ଲାଗୁଥିବ ।

 

କମ୍ପାଟ୍‍ମେଣ୍ଟ ଭିତରେ ସକାଳର ବ୍ୟସ୍ତତା । ବୁଲାବିକାଳିମାନେ ତାଙ୍କ ବ୍ୟବସାୟ ଚଳେଇଛନ୍ତି । ସେମାନଙ୍କ ଚିତ୍କାରରେ ପାଖ ଲୋକର କଥାବି ଶୁଭୁ ନଥିଲା ।

 

ଶ୍ରୀମତୀ ଶର୍ମା ପଚାରିଲେ, “ଝିଅ କ’ଣ ପଢ଼ୁଛି ?”

 

ମୁଁ କହିଲି, “ଡାକ୍ତରୀ ପଢ଼ୁଛି ।” ତା’ପରେ ନିଜକୁ ନିଜେ ସାବାସି ଦେବାପାଇଁ ଯୋଡ଼ିଲି, ପିଲାଙ୍କପାଇଁ ଟଙ୍କା ଖର୍ଚ୍ଚ କରିବା ଭଲ । ସେମାନେ ଅର୍ଥନୈତିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେଲେ ଭବିଷ୍ୟତ ପାଇଁ ଚିନ୍ତା ରହିବ ନାହିଁ । ନହେଲେ ବର୍ତ୍ତମାନର ଯେଉଁ ପରିସ୍ଥିତି, ସେଥିରେ ଚାକିରି ପାଇବା କଷ୍ଟ । ଚାକିରି ନଥିଲେ ଝିଅମାନଙ୍କ ବାହାଘର ତ ଆହୁରି କଷ୍ଟ । ଆପଣଙ୍କୁ ବା କ’ଣ କହିବି ? ଆପଣ ତ ସବୁ ଜାଣନ୍ତି ।

 

ସେ ମୁହଁ ବୁଲେଇ ନେଇ ବାହାରକୁ ଚାହିଁଲେ । ବାହାରେ ମେଘପଖଳା ପ୍ରକୃତି । ଦୂରରେ ପାହାଡ଼ ଓ ପାହାଡ଼ମାଳା ଉପରେ ସବୁଜିମାର ସୂଚିପତ୍ର । ତାଙ୍କ ଦୃଷ୍ଟି ସେଇଆଡ଼େ ପହଁରି ଆସୁଥିଲା ।

 

ମୁଁ ତାଙ୍କଠାରୁ କିଛି ଶୁଣିବା ଲାଗି ଚାହୁଁଥିଲି । ମାତ୍ର ସେ ନିରବ ରହିଲେ । ମୋର ମନେହେଲା, ସେ ମୋ କଥାକୁ ସମର୍ଥନ କରନ୍ତି ନାହିଁ । କିନ୍ତୁ କିଛି ତ କହନ୍ତେ ? ସେ ଖୁବ୍‌ ମେଧାବୀ ଛାତ୍ରୀ ଏବଂ ଅଭିଜ୍ଞ ଅଫିସର । ଜଣେ ଖୁବ୍‌ ଭଲ ବକ୍ତାଭାବେ ତାଙ୍କର ସୁଖ୍ୟାତି ମଧ୍ୟ ରହିଥିଲା । ଏଭଳି ପ୍ରସଙ୍ଗରେ ତ ସେ ନିରବ ରହିବା କଥା ନୁହେଁ । ମୁଁ ମନକୁ ମନ ଭାବିଲି । ଏହା ଭିତରେ ସ୍ୱାମୀ–ସ୍ତ୍ରୀଙ୍କର କ’ଣ କିଛି ଅପଡ଼ ହୋଇଯାଇଛି କି ? ଆଜିକାଲି ଖବରକାଗଜରେ ସବୁଦିନ ଏହିକଥା ସବୁ ବାହାରୁଥିଲା । ମୁଁ ସିନା ଭାବୁଛି, ଝିଅମାନେ ଶିକ୍ଷିତା ଓ ସ୍ୱାବଲମ୍ବୀ ହୋଇଗଲେ ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ ପ୍ରକୃତରେ ସମସ୍ୟା ଅନ୍ୟ ଦିଗରେ ବଢ଼ୁଥିଲା । ଆଗରୁ ପୁଅଟିଏ ଉପାର୍ଜନ କରୁଥିଲା ଏବଂ ଝିଅଟି ଘର ଚଳଉଥିଲା । ତେଣୁ ଅଧିକାଂଶ କଥାରେ ପୁଅଟିର କଥାହିଁ ପରିବାରରେ ମୁଖ୍ୟ ହେଉଥିଲା । ସେ ତା’ ସ୍ତ୍ରୀକୁ ଖରାପ ବ୍ୟବହାର ଦେଖେଇଲେବି ଝିଅଟି ଲେଉଟି ଯିବାର ସମ୍ଭାବନା ରହୁ ନଥିଲା । ତା’ ଉପରକୁ ସାମାଜିକ ଲଜ୍ଜା । ମାତ୍ର ଏବେ ସେକଥା ନାହିଁ । ସ୍ୱାମୀ–ସ୍ତ୍ରୀ ଉଭୟେ ଶିକ୍ଷିତ, ଉଭୟେ ଅର୍ଥ ଉପାର୍ଜନ କରୁଛନ୍ତି । ତେଣୁ ସ୍ୱାମୀର ସବୁକଥା ସ୍ତ୍ରୀ ମୁଣ୍ଡପାତି ସହୁ ନାହିଁ । ଉଭୟଙ୍କ ଭିତରେ ବେଶି ପାଟିତୁଣ୍ଡ ହେଲେ ସାଙ୍ଗେ ସାଙ୍ଗେ ଛାଡ଼ପତ୍ର ।

 

ଆଉ ଗୋଟିଏ କାରଣ ମଧ୍ୟ ଏଥିପାଇଁ ଦାୟୀ । ଆଗରୁ ପୁଅ ବୋହୂ, ଶାଶୁ ଓ ଶ୍ୱଶୁର ଏକାଠି ରହୁଥିଲେ । ଯୌଥ ପରିବାରରେ କେହି ଜଣେ ରାଗିଲେ କି ରୁଷିଲେ ଅନ୍ୟମାନେ ଆସି ବୁଝାଉଥିଲେ । ହାତ ଧରି ଖାଇବା ଟେବୁଲ୍‌ ପାଖକୁ ନେଇ ଖୁଆଉଥିଲେ । ତା’ପରେ ରାଗ ଥଣ୍ଡା ପଡ଼ୁଥିଲା । ଏବେ ସ୍ୱାଧୀନତା ନାଁରେ ସ୍ୱାମୀ ଓ ସ୍ତ୍ରୀ ଦି’ଜଣ କେବଳ ଘରେ ରହୁଛନ୍ତି । ଶାଶୁ–ଶ୍ୱଶୁରଙ୍କୁ ପାଖରେ ରଖୁ ନାହାନ୍ତି । ତେଣୁ ଦିହିଁଙ୍କ ଭିତରେ ଝଗଡ଼ା ହେଲେ, ମଧ୍ୟସ୍ଥତା ଲାଗି କେହି ନାହିଁ । ସମସ୍ୟା ଜଟିଳରୁ ଜଟିଳତର ହେଉଛି ଓ ଶେଷ ପରିଣତି ଛାଡ଼ପତ୍ର ।

 

ଆଗରୁ ପୁଅ ଲାଗି ଝିଅ ଠିକଣାବେଳେ ନାନା କଥା ବୁଝାଯାଉଥିଲା । ପୁଅର ତିନି ପୁରୁଷ, ଝିଅର ତିନି ପୁରୁଷ, ପୁଅର ମାମୁଘର ଓ ଝିଅର ମାମୁଘର, ପୁଅର ବାପା ମାଆଙ୍କ ବ୍ୟବହାର ଓ ଝିଅ ବାପା ମାଆଙ୍କ ବ୍ୟବହାର ସମ୍ବନ୍ଧରେ ଟିକିନିଖି ଖବର ରଖାଯାଉଥିଲା । ମାତ୍ର ଆଜିକାଲି ତାହା ହେଉ ନାହିଁ । ପୁଅ ଓଡ଼ିଶାର ତ ଝିଅ ପଞ୍ଜାବର, ଝିଅ ନାଗାଲାଣ୍ଡର ତ ପୁଅ କେରଳର । ପ୍ରଥମେ ପ୍ରଥମେ କିଛି ବର୍ଷ ଠିକ୍‌ ଚାଲୁଛି, ତା’ପରେ ସମସ୍ୟା ଆରମ୍ଭ ହେଉଛି ।

 

ମାତ୍ର ଶ୍ରୀମତୀ ଶର୍ମା ତ ପରିଣତ ଓ ପରିପକ୍ୱ ମହିଳା । ତାଙ୍କ ଜୀବନରେ ଏମିତି ସମସ୍ୟା କାହିଁକି ମୁଣ୍ଡ ଟେକିଥିବ ? ମୁଁ ଭାବୁଥିଲି । ଶ୍ରୀମତୀ ଶର୍ମା ଚାରିପଟକୁ ଚାହିଁଲେ । ଥ୍ରୀ ଟାୟାର ସ୍ଲିପର୍ କୋଚ୍‌ । ତାଙ୍କ ପାଖରେ ଦି’ଜଣ ଓ ସାମ୍ନାରେ ଆଉ ଦି’ଜଣ । ସିଟ୍‌ ତଳେ ଶଗଡ଼େ ଜିନିଷପତ୍ର । ଭଦ୍ରଲୋକ ଦି’ଜଣ କଲିକତାରୁ ଆସୁଛନ୍ତି । ସାଙ୍ଗରେ ଗୋଟେ ବଡ଼ ଅଖା ଭର୍ତ୍ତି ମୁଢ଼ି-। ମଝିରେ ମଝିରେ ସେଇଥିରୁ କଂସାଏ ଲେଖା ବାହାର କରି ପାଟିରେ ପକଉଥାନ୍ତି-

 

ମୁଁ କହିଲି, “ମାଡ଼ାମ୍‌, ଆସନ୍ତୁ । ମୋ ପାଖ ସିଟ୍‌ ଖାଲି ଅଛି । ଆପଣ ସେଇଠି ବସିବେ-। ଏଠି ତ ଜିନିଷପତ୍ର ଚାବି ପଡ଼ିଛି ।”

 

ଶ୍ରୀମତୀ ଶର୍ମା ନିରୁତ୍ସାହିତ ଦିଶିଲେ । କହିଲେ, “ମୁଁ ଏଇଠି ଠିକ୍‌ ଅଛି । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ରାତିରେ ଶୋଇ ନଥିବେ । ବରଂ ଟିକେ ଶୋଇପଡ଼ନ୍ତୁ । ଆପଣ ତ ଆସନ୍ତାକାଲି ପହଞ୍ଚିବେ ।”

 

ଶ୍ରୀମତୀ ଶର୍ମା ସତ କହୁଥିଲେ । ରାତିଅଧରେ ଉଠିଆସିଥିବା ଯୋଗୁଁ ନିଦ ଭୋଗ ହୋଇ ନଥିଲା । କିନ୍ତୁ ଏ ଭିଡ଼ କମ୍ପାଟ୍‍ମେଣ୍ଟରେ ନିଦ ଆସିବ ନାହିଁ । ପୁଣି ଶ୍ରୀମତୀ ଶର୍ମା ଏତେ ନିସ୍ପୃହ କାହିଁକି ? ନିଶ୍ଚୟ ଦାମ୍ପତ୍ୟ କଳହ । ତାହା ନ ହୋଇଥିଲେ ତାଙ୍କ ଭଳି ଜଣେ ସୁନ୍ଦରୀ, ସଙ୍ଗୀତ ଓ ନୃତ୍ୟ ନିପୁଣା ସମ୍ଭ୍ରାନ୍ତ ଭଦ୍ରମହିଳା ଏଭଳି ନିରାଶ ଦିଶନ୍ତେ ନାହିଁ ।

 

ମୁଁ ଫେରିଆସି ହାତବ୍ୟାଗ୍‌ ଭିତରୁ ଖଣ୍ଡିଏ ବହି ବାହାର କରି ପଢ଼ିବାକୁ ଚେଷ୍ଟାକଲି । ଗୋଟିଏ ପୃଷ୍ଠା ପଢ଼ିଥିବି କି ନାହିଁ, କାହା ପାଟିର ଅଧାପିଜୁଳି ଖଣ୍ଡକ ଶୂନ୍ୟରୁ ପଡ଼ିଲା ପରି ବହି ଉପରେ ପଡ଼ିଲା । ଉପରକୁ ଚାହିଁ ଦେଖିଲି, ପିଲାଟିଏ ପିଜୁଳି ଖାଉ ଖାଉ ତା’ ହାତରୁ ଖସିପଡ଼ିଛି । ତା’ ମାଆ ଓ ସେ ଦୁହେଁ ମୋ ଆଡ଼କୁ ଅପରାଧୀ ଦୃଷ୍ଟିରେ ଚାହିଁଥାନ୍ତି । ତାଙ୍କୁ ଦେଖି ଆଉ ବିରକ୍ତ ହେବାକୁ ମନ ହେଲା ନାହିଁ । କିନ୍ତୁ ବହି ପଢ଼ିବାକୁ ସୁଦ୍ଧା ଆଗ୍ରହ ହେଲା ନାହିଁ ।

 

ମୁଁ ଝରକାକୁ ଆଉଜି ବାହାରକୁ ଚାହୁଁଥିଲି । ଟ୍ରେନ୍‌ ଆନ୍ଧ୍ର ସୀମା ଛୁଇଁବାକ୍ଷଣି ଦିପଟର ଦୃଶ୍ୟ ବଦଳିଯାଏ । ଚାରିଆଡ଼େ ଶାଗୁଆ, ସାବଜା । ଓଡ଼ିଶା ପରି ଖାଁ ଖାଁ ନୁହେଁ ।

 

: କ’ଣ ନିଦ ଲାଗୁ ନାହିଁ ? –କାହାର ଚମତ୍କାର ସ୍ୱର ଭାସିଆସିଲା । ମୁଁ ସଂଯତ ହୋଇ ବସି ଚାହିଁଲି, ଶ୍ରୀମତୀ ଶର୍ମା ମୋ ଆଗରେ । ତାଙ୍କ ନାକର ଗୁଣାଟି ଚିକ୍‌ଚିକ୍‌ କରୁଥିଲା ।

 

ଗାଢ଼ ନୀଳ ରଙ୍ଗର ସୂତା ଶାଢ଼ିଟିଏ ସେ ପିନ୍ଧିଥିଲେ । କାନ୍ଧରେ ଛୋଟ ଭ୍ୟାନିଟିବ୍ୟାଗ୍‌ । ମୁଁ ଉଠିପଡ଼ି ତାଙ୍କ ବସିବାପାଇଁ ଜାଗା ଛାଡ଼ିଦେଲି । ଶ୍ରୀମତୀ ଶର୍ମା କହିଲେ, “ବସନ୍ତୁ, ମୁଁ କିଛି ସମୟ ବସି ଚାଲିଯିବି ।”

 

: ଆରେ, ଆପଣ ଏଇଠି ବସନ୍ତୁ । ମୋର କୌଣସି ସମସ୍ୟା ନାହିଁ–ମୁଁ କହିଲି ।

 

ଶ୍ରୀମତୀ ଶର୍ମା କହିଲେ, “ଆପଣ ଝିଅକୁ ଖୁବ୍‌ ଭଲପାଆନ୍ତି ନିଶ୍ଚୟ ।”

 

: ହଁ । ଗୋଟିଏ ଝିଅ । ତା’ କଥା ଭାଙ୍ଗିପାରେ ନାହିଁ । ତା’ରବି ‘ନା’ ପଦ ଶୁଣିବାର ଅଭ୍ୟାସ ହୋଇ ନାହିଁ ।

 

: ଶ୍ରାବଣୀକୁ ମୁଁ ବି ଖୁବ୍‌ ଭଲପାଏ । ତାକୁ କେବେ କୌଣସି କଥାରେ ନା କହି ନଥିଲି । କିନ୍ତୁ...

 

: ଶ୍ରାବଣୀ ଆପଣଙ୍କ ଝିଅ ? –ମୁଁ ପଚାରିଲି ।

 

: ହଁ । ଭୁଲ୍‌ ନିଷ୍ପତ୍ତି ନେଇଗଲା । କିଛି କହିପାରିଲି ନାହିଁ । ଗୋଟିଏ ଭୁଲ୍‌ ନିଷ୍ପତ୍ତି ଆମର ସବୁ ଛାରଖାର କରିଦେଲା । –ଶ୍ରୀମତୀ ଶର୍ମାଙ୍କ କଥାର ପ୍ରତିଟି ଅକ୍ଷର ଖୁବ୍‌ ଓଜନିଆ ଲାଗୁଥିଲା । ତାଙ୍କ ଦୀର୍ଘଶ୍ୱାସର ଉଷ୍ମତା ମୁଁ ଅନୁଭବ କରିପାରୁଥିଲି । ସାନ୍ତ୍ୱନା ଦେବାପାଇଁ କହିଲି, “ପିଲାଙ୍କୁ ଭଲ ପାଠ ପଢ଼େଇଲେ ସେ ପରିପକ୍ୱ ହେବେ ।”

 

: ମୋ ଝିଅ ଡାକ୍ତର । –ଶ୍ରୀମତୀ ଶର୍ମାଙ୍କ ସଂକ୍ଷିପ୍ତ ଉତ୍ତର ।

 

ମୁଁ ଲଜ୍ଜିତ ହେଲି । ମୋର ଅହଂକାର ପାଣିଫୋଟକା ପରି ଫାଟିଗଲା ।

 

ସେ କଲେଜରେ ପଢ଼ୁଥିବାବେଳେ ଆମେ କଟକର ତୁଳସୀପୁରରେ ରହୁଥିଲୁ । ପାଖରେ ଜଣେ ଦକ୍ଷିଣ ଭାରତୀୟ ଧନୀ ଲୋକ ରହୁଥିଲେ । ମୁଁ ସକାଳୁ ଅଫିସ୍‌ ଚାଲିଯାଏ । ତା’ ବାପା ଅଧିକାଂଶ ଦିନ ରାଜ୍ୟ ବାହାରେ ଥାଆନ୍ତି । ପଡ଼ୋଶୀ ଘରର ପୁଅ ସାଙ୍ଗେ ମୋ ଝିଅର ସମ୍ପର୍କ ଗଢ଼ି ଉଠିଲା । ପିଲାଳିଆ ପ୍ରେମ ।

 

ମୁଁ ନିରବ ରହି ତାଙ୍କ କଥା ଶୁଣୁଥିଲି ।

 

ଶ୍ରୀମତୀ ଶର୍ମା କହିଲେ, “ସେ ପୁଅଟି ପ୍ରତି ସପ୍ତାହରେ ନୂଆ ନୂଆ ଗାଡ଼ି ଚଢ଼ି ଆସେ । ସାଙ୍ଗଙ୍କ ମେଳରେ ଶହ ଶହ ଟଙ୍କା ଖର୍ଚ୍ଚ କରେ । ଭଲ ହୋଟେଲରେ ପାର୍ଟି ଦିଏ । ଏସବୁ ଦେଖି ଶ୍ରାବଣୀ ପ୍ରଭାବିତ ହୋଇଯାଏ । ତା’ ଦୃଷ୍ଟିରେ ସେଇ ପୁଅଟି ସବୁଠୁ ଯୋଗ୍ୟ ପୁରୁଷ ପାଲଟିଯାଏ । ଏମିତି ଦି’ବର୍ଷ ଯୁକ୍ତ ବିଜ୍ଞାନ ପଢ଼ିଲା । ତା’ପରେ ଆମେ ଆସିଲୁ ଭୁବନେଶ୍ୱର । ସେ କଟକରେ ଡାକ୍ତରୀ ପଢ଼ିଲା । ମନ ଦେଇକି ପାଠ ପଢ଼ୁଥିଲା ମୋ ଝିଅ, କିନ୍ତୁ ପୁଅଟିକୁ ଛାଡ଼ି ନଥିଲା ।

 

ମୁଁ ଅନୁମାନ କରିନେଇଥିଲି, ପୁଅଟି ଶ୍ରୀମତୀ ଶର୍ମାଙ୍କ ଝିଅକୁ ପ୍ରତାରିତ କରିଥିବ । କିନ୍ତୁ ନିଜ ଆଡ଼ୁ ଏକଥା କହିଲି ନାହିଁ ।

 

ଶ୍ରୀମତୀ ଶର୍ମା କହିଲେ, “ଝିଅ ଡାକ୍ତରାଣୀ ହେଲା । ଆମେ ବାପ–ମା’ ଖୁସି ହେଲୁ । ଗୋଡ଼ ତଳେ ଲାଗୁ ନଥାଏ । ତା’ ବାହାଘର ଲାଗି ଖୋଜାଖୋଜି କଲୁ । କିନ୍ତୁ ଦିନେ ସେ କହିଲା, ସତୀଶକୁ ବାହାହେବ ।

 

: ସତୀଶ ?

 

: ସେଇ ଦକ୍ଷିଣ ଭାରତୀୟ ପୁଅ । ବାହାଘର ହୋଇଗଲା । ତା’ ବାପା କି ମୁଁ କେବେ କୌଣସି କଥାରେ ନାହିଁ କରି ନଥିଲୁ । ସେ ଯଦି ନିଜେ ସତୀଶ ସାଙ୍ଗେ ଖୁସିରେ ରହିବ ବୋଲି କହୁଛି, ଆମେ କାହିଁକି ମନା କରିଥାନ୍ତୁ? ଖୁବ୍‌ ଭଲରେ ବାହାଘର କଲୁ । ଗୋଟେ ବୋଲି ପିଲା, ତେଣୁ ଆଗପଛ ଚିନ୍ତା ନ କରି ସବୁ ଦେଲୁ । ଏମିତି ଚାରିଟି ବର୍ଷ ବିତିଗଲା । ତା’ପରେ ଦିନେ ଝିଅ–ଜ୍ୱାଇଁ ଆସି ପହଞ୍ଚିଥିଲେ । ଜ୍ୱାଇଁ କହିଲା, “ସେ ଇଣ୍ଡଷ୍ଟ୍ରି କରିବ । ବ୍ୟାଙ୍କ୍‍ବାଲାଙ୍କ ସହ କଥାବାର୍ତ୍ତା କରିଛି । ପଚାଶ ଲକ୍ଷ ଟଙ୍କା ଋଣ ଆଣିବ !” ଆମେ ଭାବିଥିଲୁ, ସେ କେବଳ ଆମକୁ ଏକଥା ଜଣାଇବା ଲାଗି ଆସିଥିଲା । କିନ୍ତୁ ସେଇଆ ନୁହେଁ । ସେ ଆମର ଘରଟି ବନ୍ଧା ପକେଇ ବ୍ୟାଙ୍କ୍‍ରୁ ଋଣ ଆଣିବାକୁ ଚାହୁଁଥିଲା ।

 

ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ପଚାରିଲି, “କାହିଁକି ? ତା’ ବାପା, ମାଆଙ୍କୁ ସେ କହିଲା ନାହିଁ ? ସେମାନେ ତାଙ୍କ ନିଜ ଘର ବନ୍ଧା ପକେଇ ପାରିଥାନ୍ତେ । ଶ୍ୱଶୁରଙ୍କ ଘର ଉପରେ ନଜର କାହିଁକି ?”

 

ବହୁତ ପରେ ଜାଣିଲୁ । ସେ ବାପ–ପୁଅ ପାଞ୍ଚଟି ବ୍ୟାଙ୍କ୍‍ରୁ ଖୁବ୍‌ କମ୍‌ରେ ଦି’ କୋଟି ଟଙ୍କା ଋଣ କରିଥିବେ । ପୁଅର ମନ, ରାତିକେ ହାତୀ କିଣିବ । ସବୁ ମାସରେ ନୂଆ ଗାଡ଼ି, ନୂଆ ହୋଟେଲ, ନୂଆ ମୋବାଇଲ୍‌, ନୂଆ ପୋଷାକ । ଅଥଚ ନିଜର ବୋଲି ଉପାର୍ଜନ ଶୂନ୍ୟ ।

 

: ଆପଣଙ୍କ ଝିଅ ଏକଥା ଜାଣିପାରିଲେ ନାହିଁ ?

 

: ସବୁବେଳେ ବହି ପାଖରେ ବସେ । ବାହାର ଦୁନିଆ କହିଲେ ଟେଲିଭିଜନ । ସତୀଶ ତାକୁ ଖୋସାମତି କରି, ଖୁଆଇ ପିଆଇ ଏମିତି ପ୍ରଭାବିତ କରିଦେଇଥିଲା ଯେ ସେ ଅନ୍ୟ କଥା ଦୂରେ ଥାଉ ନିଜ ବାପ–ମାଆଙ୍କ କଥା ଶୁଣିବା ଅବସ୍ଥାରେ ନଥିଲା । ହଁ, ‘ଆମେ ଚିନ୍ତା କରିବୁ’ କହି ସେଦିନ ଝିଅ–ଜ୍ୱାଇଁଙ୍କୁ ଫେରେଇଦେଲୁ । କିନ୍ତୁ ତା’ପରେ ଝିଅ ଉପରେ ତାଙ୍କ ପରିବାରର ଜୁଲୁମ ଆରମ୍ଭ ହେଲା । ଏହା ଭିତରେ ଝିଅର ଦିଇଟି ପିଲା ହେଲେ । ପୁଅଟେ ଓ ଝିଅଟେ । ବାଧ୍ୟ ହୋଇ ଦିନେ ଆମେ ବ୍ୟାଙ୍କ୍ କାଗଜରେ ଦସ୍ତଖତ କରିଦେଲୁ । ଝିଅ ସରକାରୀ ଡାକ୍ତର । ସିଏବି ତା’ ସ୍ୱାମୀପାଇଁ ଗ୍ୟାରେଣ୍ଟର ପଡ଼ିଲା । ଆମ ଘରଟାର ମୂଲ୍ୟ ପଚିଶ ଲକ୍ଷରୁ ଅଧିକ ହେବ ନାହିଁ । ମାତ୍ର ସତୀଶ ବ୍ୟାଙ୍କ୍‍ବାଲାଙ୍କୁ ଧରି ତା’ର ମୂଲ୍ୟ ଷାଠିଏ ଲକ୍ଷ କରେଇଦେଇଥିଲା ।

 

ମୁଁ ଲାଜରେ ମୁହଁ ତଳକୁ କରିଦେଲି । ଅଳ୍ପ କିଛି ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ୍ ଅଫିସରଙ୍କ ଲାଗି ଆମେ ସମସ୍ତେ ନିନ୍ଦିତ ହେଉଛୁ । ଟ୍ରେନ୍‌ ଛୁକ୍‌ ଛୁକ୍‌ ଶବ୍ଦ କରି ଚାଲିଥାଏ । ମାତ୍ର ମୋତେ ସେ ଶବ୍ଦ ଶୁଭୁ ନଥାଏ । ଶ୍ରୀମତୀ ଶର୍ମା ଦୀର୍ଘଶ୍ୱାସ ନେଲେ ।

 

କହିଲେ, “ବ୍ୟାଙ୍କ୍‍ରୁ ଋଣ କରି ସତୀଶ କ’ଣ ଗୋଟାଏ ପୁରୁଣା କାରଖାନା କିଣିଲା । ମାତ୍ର ବର୍ଷକ ପରେ ସେଇଟି ବନ୍ଦ ହେଲା । ତା’ପରେ ଦିନେ ସକାଳୁ ଝିଅଠାରୁ ଫୋନ୍‌ ପାଇଲି-। ସେ ଖାଲି କାନ୍ଦୁଥାଏ । ବୁଝିବାବେଳକୁ ସତୀଶ ଦୁବାଇ ପଳେଇଛନ୍ତି । ତାଙ୍କୁ କିଛି ଜଣାଇ ନାହାନ୍ତି-।”

 

: ମୁଁ ଚମକି ପଡ଼ିଲି । ଏଭଳି ପ୍ରତାରଣା କଥା ମୁଁ ଆଗରୁ ଶୁଣି ନଥିଲି ।

 

ଶ୍ରୀମତୀ ଶର୍ମା କହିଲେ, “ଝିଅ କାନ୍ଦି କାନ୍ଦି ଆସି ଆମ ଘରେ ପହଞ୍ଚିଲା । ସବୁକଥା କହିଲା । ମୁଁ ଏକଥା ଶୁଣି ତା’ ବାପାଙ୍କୁ ଏବଂ ତା’ ବାପା ମୋତେ ଦୋଷ ଦେଲେ । କିନ୍ତୁ ସେତେବେଳକୁ ଆମ ହାତରେ ଆଉ କିଛି ନଥିଲା । ଆମେ ସତୀଶଙ୍କ ପରିବାରକୁ ଦଉଡ଼ିଲୁ । ତାଙ୍କ ବାପା ଅଦ୍ଭୁତ ମଣିଷ । ସେ ଓଲଟି ଆମ ଝିଅର ଦୋଷ ଦେଲେ । ଆମ ଝିଅ ବାହାହୋଇ ତାଙ୍କ ପରିବାରକୁ ଯିବା ଦିନୁ ତାଙ୍କର ସବୁ ଅସୁବିଧା ହେଉଥିବା କହିଲେ । ଆମେ ଅପମାନିତ ହୋଇ ଫେରିଲୁ । ଝିଅ ଆମ ସାଙ୍ଗରେ ଫେରିଲା । ତା’ ସାଙ୍ଗରେ ପିଲାଯୋଡ଼ିକ ।

 

ଏହା ଭିତରେ ପାଞ୍ଚବର୍ଷ ବିତିଗଲାଣି । ସତୀଶ ଫେରିନାହିଁ । ବ୍ୟାଙ୍କ୍‍ବାଲାଙ୍କ କରଜ ପଚାଶ ଲକ୍ଷରୁ ଆସି ନବେ ଲକ୍ଷରେ ପହଞ୍ଚିଲାଣି । ହୁଏତ ଆମ ଘରଟି କିଛିଦିନ ଭିତରେ ନିଲାମ ହୋଇଯିବ ।”

 

ଏକଥା ପଦକ କହିବାବେଳେ ଶ୍ରୀମତୀ ଶର୍ମା ନିଜ ଉପରେ ନିୟନ୍ତ୍ରଣ ରଖିପାରୁ ନଥିଲେ । କେଡ଼େ ଆଦରରେ ଘରଟିଏ ତୋଳିଥିବେ ! ଏମିତି ଅସହାୟଭାବେ ସେଇଟି ଚାଲିଯିବ ବୋଲି କଦାପି ଭାବି ନଥିବେ । ମୁଁ ନିଜକୁ ଅସହଜ ମଣୁଥିଲି । ଶ୍ରୀମତୀ ଶର୍ମାଙ୍କ ସମ୍ବନ୍ଧରେ କିଛି କଥା ଜାଣିବାକୁ ମୁଁ ନିଜ ଆଡ଼ୁ ଆଗ୍ରହ ଦେଖେଇଥିଲି । ମାତ୍ର ଏଭଳି ଏକ କଥା ଶୁଣିବା ଲାଗି ଆଦୌ ପ୍ରସ୍ତୁତ ନଥିଲି ।

 

ଶ୍ରୀମତୀ ଶର୍ମା କହିଲେ, “ପିଲା ଯୋଡ଼ିକ ଏବେ ନର୍ସରିରେ ପଢ଼ୁଛନ୍ତି । ବାପ ସୁଖ କ’ଣ ସେମାନେ ଜାଣନ୍ତି ନାହିଁ । ଝିଅ ବ୍ୟାଙ୍କ୍ ଋଣ କାଗଜପତ୍ରରେ ଗ୍ୟାରେଣ୍ଟର ପଡ଼ିଥିଲା । ବ୍ୟାଙ୍କ୍‍ବାଲାଏ କହୁଛନ୍ତି, “ଅନାଦେୟ ଟଙ୍କା ଝିଅର ଦରମାରୁ କଟାହେବ । ଏ ଘଟଣା ପରେ ଶ୍ରାବଣୀର ବାପାଙ୍କ ହାଟ୍‍ ଆଟାକ୍‌ ହେଲା । ସେ ଏବେ ଏକପ୍ରକାର ଶଯ୍ୟାଶାୟୀ । ମୁଁ ଏ ବୁଢ଼ୀ ବୟସରେ ଝିଅ ଓ ତା’ର ଦି’ ପିଲାଙ୍କ କଥା ବୁଝୁଛି । ସବୁଦିନେ ଅନିଶ୍ଚିତତା ଭିତରେ ବଞ୍ଚୁଛି । ଘର ଚାଲିଯିବ । ଝିଅର ଦରମା ଟଙ୍କାବି । ଆମେ ବୁଢ଼ାବୁଢ଼ୀ ହେଲୁଣି । ଝିଅ କେମିତି ଚଳିବ ଭାବିଲେ ସବୁ ଅନ୍ଧାର ଦିଶୁଛି ।”

 

: ଆପଣ କହିଲେ ନାହିଁ, ବ୍ୟାଙ୍କ୍‍ବାଲାଏ ଘରଟା ନ ଦେଖି ଏତେ ଟଙ୍କା କେମିତି ଦେଲେ । ଝିଅ ଯାଇ ମନା କରନ୍ତୁ, ଏସବୁ ତାଙ୍କ ଦସ୍ତଖତ ନୁହେଁ ।

 

ଶ୍ରୀମତୀ ଶର୍ମା ହସିଲେ । ବଡ଼ କରୁଣ ସେ ହସ । କହିଲେ, “ଯେଉଁ ବ୍ୟାଙ୍କ୍ ଅଫିସରମାନେ ଲାଞ୍ଚ ଖାଇ ପଚିଶ ଲକ୍ଷର ଘରକୁ ପଚାଶ ଦେଖେଇଥିଲେ, ସେଇମାନେ ଏବେ ଶ୍ରାବଣୀକୁ କହୁଛନ୍ତି, ‘ତୁମେ ସ୍ୱାମୀ–ସ୍ତ୍ରୀ ମିଶି ବ୍ୟାଙ୍କ୍‍କୁ ଠକିଛ । ସ୍ୱାମୀକୁ ଦୁବାଇ ପଠେଇ ଦେଇ ଟଙ୍କାତକ ହଡ଼ପ କରିବା ଲାଗି ଯୋଜନା କରିଛ ।’ ଏଥିରେ ଆମେ କି ଉତ୍ତର ଦେବୁ ?”

 

ମୁଁ ନିରବରେ ବସିଥିଲି ।

 

ଶ୍ରୀମତୀ ଶର୍ମା କହୁଥିଲେ, “ମୋ ଝିଅର ଜୀବନ ମାଟି ହୋଇଗଲା । ଘରକରଣା ସୁଖ କ’ଣ ଜାଣିଲା ନାହିଁ । ପିଲା ଦିଇଟି ନଥିଲେ ତା’ ବାପା ହୁଏତ ତାକୁ ଆଉ କୋଉଠି ବାହା କରେଇ ଦେଇଥାଆନ୍ତେ । ମାତ୍ର ପିଲାଙ୍କୁ ନେଇ କୁଆଡ଼େ ଯିବ ? ସରକାରୀ ଚାକିରି ଖଣ୍ଡେ ଅଛି । କିନ୍ତୁ ତା’ର ଦରମା ବ୍ୟାଙ୍କ୍ କାଟିନେବ ବୋଲି ବାରମ୍ବାର ନୋଟିସ୍‌ ଆସୁଛି । ସେ କେସ୍‌ କରି ହାରିଗଲାଣି । ଏସବୁ ଆମ ବାପା–ମାଆ ଦୁହେଁ ପ୍ରତିଦିନ ନିଜ ଆଖିରେ ଦେଖୁଛୁ । ଅଥଚ ଆପଣ କିଛି ସମୟ ଆଗରୁ କହୁଥିଲେ, ଆପଣଙ୍କ ଝିଅର ‘ନା’ ଶୁଣିବାର ଅଭ୍ୟାସ ନାହିଁ । ଅଭ୍ୟାସ ହୋଇ ନାହିଁ ଯଦି ତା’ର ଅଭ୍ୟାସ କରାନ୍ତୁ ।”

 

ଶ୍ରୀମତୀ ଶର୍ମା ସଜାଡ଼ି ହୋଇ ବସିଲେ । ସଫା ଶାଢ଼ି ତଳେ ପୁରୁଣା ସାୟାଟିଏ ପିନ୍ଧିଥିଲେ, ଯାହାର ଧଡ଼ି ଚିରି ଯାଇଥିଲା । ବୁଝିପାରୁଥିଲି, ଏହି ଦୁର୍ଘଟଣା ତାଙ୍କ ଜୀବନରୁ ସବୁ ରସ ଛଡ଼େଇ ନେଇଛି । ନହେଲେ ଶ୍ରୀମତୀ ଶର୍ମାଙ୍କ ପରି ପ୍ରସାଧନ ସଚେତନ ମହିଳା କ’ଣ ଏଭଳି ଲୁଗାପଟା ପିନ୍ଧିଥାଆନ୍ତେ ?

 

ମୁଁ କ’ଣ କହି ତାଙ୍କୁ ସାନ୍ତ୍ୱନା ଦେବି ଅଥବା ଏହି ବିଷଚକ୍ରରୁ ମୁକୁଳିବାର ରାସ୍ତା ବତେଇବି ଜାଣିପାରୁ ନଥିଲି । ଯାହା କହିଲେ ମଧ୍ୟ ଅବାସ୍ତବ ଓ ପିଲାଳିଆମି ଶୁଭିବ । ମୋର ଧାରଣ ଥିଲା, ଭଲ ପଢ଼ୁଥିବା ପିଲାଏ ଜୀବନ ସମ୍ପର୍କରେ ଠିକଣା ନିଷ୍ପତ୍ତି ନେଇପାରନ୍ତି । ମାତ୍ର ଡାକ୍ତରୀ ପରି ଜଟିଳ ପାଠ ପଢ଼ି କୃତିତ୍ୱ ଅର୍ଜନ କରିଥିବା ଝିଅଟି ଅସଲ ମଣିଷ ଚିହ୍ନିପାରିଲା ନାହିଁ ! ଡାକ୍ତରମାନେ ମଣିଷର ଆନାଟୋମି ବିଶ୍ଳେଷଣ କରନ୍ତି । କେଉଁ ହରମୋନ୍‌ ଯୋଗୁଁ ମଣିଷ ମନରେ ପ୍ରେମ ଜାତ ହୁଏ, କାହା ଯୋଗୁଁ ଜାତ ହୁଏ ଘୃଣା, ସେକଥା ମଧ୍ୟ ପଢ଼ୁଥିବେ । ମାତ୍ର ସେ ପୋଥିପଢ଼ା ପାଠ ଅସଲବେଳକୁ କାହିଁ କାମରେ ଆସିଲା ନାହିଁ ତ ?

 

ଶ୍ରୀମତୀ ଶର୍ମା ଝରକା ଦେଇ ବାହାରକୁ ଚାହୁଁଥିଲେ । ଆଜିକୁ ଦଶବର୍ଷ ତଳେ ତାଙ୍କୁ ଯେତେବେଳେ ମୁଁ ପ୍ରଥମେ ଦେଖିଥିଲି, ସେତେବେଳେ ସେ ସ୍ୱପ୍ନ ଆଉ ସୁଖର ଦେବୀ ବୋଲି ମୋର ମନେ ହୋଇଥିଲେ । ମାତ୍ର ଆଜି ସେ ଦୁଃଖର ଦେବୀ । ଭଲଭାବେ ଲକ୍ଷ୍ୟ କରି ଦେଖିଲି, ତାଙ୍କ ଆଖି ତଳେ ଗାଢ଼ କଳା ଦାଗ । ମୁଣ୍ଡର ବାଳ ଅଧା ପାଚି ସାରିଛି ।

 

ଶ୍ରୀମତୀ ଶର୍ମା କହିଲେ, “ଝିଅଟିଏ ଅଧିକ ପାଠ ପଢ଼ିଲେ କିମ୍ବା ଅର୍ଥନୈତିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେଲେ ଯେ ତା’ର ସମସ୍ୟା ଦୂର ହୋଇଯାଏ, ସେକଥା ସତ ନୁହେଁ । ଶ୍ରାବଣୀ ଭଲ ପାଠ ପଢ଼ିଛି । ପ୍ରଥମରୁ ନେଇ ଡାକ୍ତରୀ ପର୍ଯ୍ୟନ୍ତ ସବୁ ଶ୍ରେଣୀରେ ପ୍ରଥମ ହୋଇଛି । ସରକାରୀ ଚାକିରିବି କରିଥିଲା । ମାତ୍ର ହେଲା କ’ଣ ? ଗୋଟେ କୁଳାଙ୍ଗାର ଯୁବକ ଷଡ଼ଯନ୍ତ୍ର କରି ତା’ର ଜୀବନ ମାଟି କରିଦେଲା । ତା’ ସତ୍ତ୍ୱେ ସେ ଯୁବକ ଆରାମରେ ବୁଲୁଛି । ହୁଏତ ଆଉ ଗୋଟିଏ ବାହା ହୋଇଯିବ । ମାତ୍ର ମୋ ଝିଅ ଯିବ କୁଆଡ଼େ ? ଏକଲା ଯୁବତୀ ଝିଅଟାର ଭବିଷ୍ୟତ କ’ଣ ହେବ ?”

 

ମୁଁ ଭିତରେ ଭିତରେ ଭୟ ପାଇଯାଉଥିଲି । ମୋର ମଧ୍ୟ ଗୋଟିଏ ଝିଅ । ଆଜି ପର୍ଯ୍ୟନ୍ତ ତାକୁ କୌଣସି କଥାରେ ‘ନା’ କହି ନାହିଁ । ଚାକିରି ଜଞ୍ଜାଳ ଯୋଗୁଁ ତା’ପାଇଁ ବେଶି ସମୟ ଦେଇପାରେ ନାହିଁ । ତାଆରି କ୍ଷତିପୂରଣ ପାଇଁ ସେ ଯେତେବେଳେ ଯାହା ମାଗେ, କଷ୍ଟ ହେଉ ପଛେ, ଦିଏ । କିନ୍ତୁ ଶ୍ରୀମତୀ ଶର୍ମାଙ୍କ କଥା ଶୁଣି ମୋତେ ଭୀଷଣ ଡର ଲାଗୁଥିଲା ।

 

ମୁଁ ପଚାରିଲି, “ବିଶାଖାପାଟଣା କାହିଁକି ?”

 

ଶ୍ରୀମତୀ ଶର୍ମା କହିଲେ, “ମୋ ମାଆଙ୍କ ଦେହ ଖରାପ । ଭାଇ ଫୋନ୍‌ କରିଥିଲା ।”

 

ପୁଣି ଏକ ଖରାପ ଖବର । ଲାଗୁଥିଲା ଶ୍ରୀମତୀ ଶର୍ମାଙ୍କୁ ଯେମିତି ଦୁର୍ଭାଗ୍ୟ ଛାଡ଼ି ନଥିଲା ।

 

ଶ୍ରୀମତୀ ଶର୍ମା କହିଥିଲେ, “ଭାରତ ବିଭାଜନ ପରେ ବାପା ଚାଲିଆସିଥିଲେ ଭାରତ । ରାସ୍ତାକଡ଼ ବିଜୁଳି ଖୁଣ୍ଟ ପାଖରେ ବସି ପାଠ ପଢ଼ିଥିଲେ । ବଡ଼ ହେଲାପରେ ସେନାବାହିନୀରେ ଯୋଗଦେଇଥିଲେ । ବହୁ କଷ୍ଟରେ ଆମକୁ ପଢ଼େଇଥିଲେ ସେ । ଭାବିଥିଲେ ଆମେ ସୁଖରେ ରହିବୁ । ସୁଖରେ ଥିଲୁବି । କିନ୍ତୁ ।

 

: ଶ୍ରୀଯୁକ୍ତ ଶର୍ମା କ’ଣ ସୁସ୍ଥ ହେବେ ନାହିଁ ?

 

: ଆଉ କ’ଣ ସୁସ୍ଥ ହେବେ ? ବିଛଣାରେ ପଡ଼ି ରହୁଛନ୍ତି । ଝିଅକଥା ଭାବି ଲୁହ ଗଡ଼ଉଛନ୍ତି । କ’ଣ ହୋଇଥିଲେ କ’ଣ ହୋଇଥାଆନ୍ତା, ସେହିକଥା ଚିନ୍ତା କରୁଛନ୍ତି ।

 

ମୁଁ କହିଲି, “ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଯେଉଁଠି ରାତିର ଅନ୍ଧାର ଯେତେ ଗାଢ଼, ସେଇଠି ନିଶ୍ଚୟ ସକାଳର ସମ୍ଭାବନା ଅଛି । ମୋ ମନ କହୁଛି, କିଛି ଗୋଟାଏ ସମ୍ଭାବନା ନିଶ୍ଚୟ ବାହାରିବ ।”

 

ଶ୍ରୀମତୀ ଶର୍ମା ଦ୍ୱିତୀୟ ଥରପାଇଁ ହସିଲେ ।

 

କହିଲେ, “ମୁଁ ଯାଉଛି । ବିଶାଖାପାଟଣାରେ ଓହ୍ଲାଇବା ଆଗରୁ ଦେଖାହେବ ।” ସେ ନିଜ ସିଟ୍‌କୁ ଚାଲିଗଲେ ।

 

ମୁଁ ତାଙ୍କର ଯିବା ବାଟକୁ ସେହିପରି ଚାହିଁ ରହିଥାଏ । ମୋ ସିଟ୍‌ ପାଖରୁ ତାଙ୍କ ସିଟ୍‌ ମାତ୍ର ଦଶ ବାର ଫୁଟ୍‌ ଦୂର ହେବ । ମାତ୍ର ସେତିକି ବାଟ ମୋତେ ଯଥେଷ୍ଟ ଦୂର ଲାଗୁଥାଏ ।

 

ଟ୍ରେନ୍‌ ପୂର୍ବ ପରି ଷ୍ଟେସନ୍‌ ପରେ ଷ୍ଟେସନ୍‌ରେ ଅଟକୁଥାଏ ଏବଂ ପୁଣି ଦଉଡ଼ୁଥାଏ । କେଉଁ ଯାତ୍ରୀ ଖୁସି ଗପରେ ମାତିଥାଆନ୍ତି, ଆଉ କେହି ଘୁମେଇ ପଡ଼ି ଅବସର ସମୟକୁ ଉପଭୋଗ କରୁଥାନ୍ତି ।

 

ବିଶାଖାପାଟଣାରେ ଏହି ଟ୍ରେନ୍‌ର ପହଞ୍ଚିବା ସମୟ ଦିନ ବାରଟା । କିନ୍ତୁ ଆଜି ଟ୍ରେନ୍‌ଟି ବିଳମ୍ବରେ ଚାଲୁଥିଲା ।

 

ମୁଁ ଶ୍ରୀମତୀ ଶର୍ମାଙ୍କୁ ବିଦାୟ ଦେବାଲାଗି ଉଠିଲି । ପ୍ଲାଟ୍‌ଫର୍ମ୍‍କୁ ଯାଇ ତାଙ୍କ ପାଖେ ଠିଆ ହୋଇ ପଚାରିଲି, “ଆପଣ ନିଶ୍ଚୟ ଝିଅ ଉପରେ ରାଗିଯାଉଥିବେ । ଏକଥାବି କହୁଥିବେ ତା’ ନିଜ ବୁଦ୍ଧିରେ ପଡ଼ି ସମସ୍ତଙ୍କୁ ଦୁର୍ଭାଗ୍ୟରେ ପକାଇଲା ?”

 

ସେ ଟିକିଏ ନିରବ ରହିଲେ । ହୁଏତ ଜାଣିପାରିଲେ, ମୁଁ ଶ୍ରାବଣୀ ତରଫରୁ ଟିକିଏ ସ୍ନେହ ପ୍ରାର୍ଥନା କରୁଛି । ତା’ପରେ ମୋତେ କହିଲେ, “ସେଇ ଗୋଟାକ କଥା ତ ମୋତେ ବଞ୍ଚିବାପାଇଁ ସାହସ ଦେଉଛି । କାରଣ ମୁଁ ଭାବିନେଇଛି, ଶ୍ରାବଣୀପାଇଁ ମୁଁ ବରଘର ଠିକ୍‌ କରିଥିଲେ ଏମିତି ଦୁର୍ଘଟଣା ଘଟି ନଥାନ୍ତା । କିନ୍ତୁ ଥରେ ଭାବିଲେ ଦେଖି, ଯଦି ମୁଁ ଗୋଟିଏ ବାହାଘର ଠିକ୍‌ କରିଥାଆନ୍ତି ଏବଂ ତା’ର ପରିଣତି ଏହିଭଳି ହୋଇଥାଆନ୍ତା, ତାହାହେଲେ ମୁଁ ନିଜକୁ କ୍ଷମା ଦେଇ ପାରିଥାଆନ୍ତି ତ ?”

 

ମୋ ପାଖେ ଏହାର ଉତ୍ତର ନଥିଲା ।

 

ଏ ଗପଟି ପ୍ରଥମେ ‘ଝିଅ’ ଶିରୋନାମାରେ ପ୍ରକାଶିତ ହୋଇଥିଲା ।

☆☆☆

 

ଲକ୍ଷ୍ମୀ

 

ମୁଁ ଶ୍ୱେତାକୁ ସହାନୁଭୂତି ଓ ସମାନୁଭୂତି ଭିତରର ଫରକ ବୁଝଉଥିଲି । ଶ୍ୱେତା ବୁଝୁ ନଥିଲା । ମୁଁ ତାକୁ କହୁଥିଲି–ଜଣେ ଆଖି ଥିବା ଲୋକର ଅନ୍ଧ ପ୍ରତି ଦୟା ହେଉଛି ସହାନୁଭୂତି । କିନ୍ତୁ ଜଣେ ଅନ୍ଧର ଆଉ ଜଣେ ଅନ୍ଧ ପ୍ରତି ସମ୍ବେଦନା ହେଲା ସମାନୁଭୂତି । ସେତିକିବେଳେ ଅରୁଣା ଘର ଭିତରକୁ ପଶିଆସିଲା । ତା’ ପଛେ ପଛେ ଶାଢ଼ି ପିନ୍ଧିଥିବା ବାଙ୍ଗିରୀ ଝିଅଟିଏ ।

 

ସେ ଦୁହିଁଙ୍କୁ ଦେଖି ଶ୍ୱେତା ଉଠିପଡ଼ିଲା । କହିଲା, “ମୁଁ ଯାଉଛି, ହୋମ୍‌ୱାର୍କ କରିବି ।”

 

ଅରୁଣା କହିଲା, “ଚିହ୍ନିଲ ଇଏ କିଏ ? ଚିହ୍ନି ପାରୁଛ ?”

 

ମୁଁ ଟିକିଏ ଦୋଦୋଚିହ୍ନା ହେଲି । ତା’ପରେ କହିଲି, ‘ଇଏ ତ ଲକ୍ଷ୍ମୀ । ମୁଁ ଚିହ୍ନି ପାରିବି ନାହିଁ ?’

 

ଲକ୍ଷ୍ମୀ ଓଢ଼ଣା ଟାଣି ଚଟାଣରେ ମୁଣ୍ଡ ଲଗେଇ ମୋତେ ପ୍ରଣାମ କଲା । ମୁଁ କହିଲି ‘ଉଠ୍‌ ଲକ୍ଷ୍ମୀ, ବୁଢ଼ୀଟେ ହେଇଥାଆ ।’ ଲକ୍ଷ୍ମୀ ଉଠିପଡ଼ି ଦୂରଛଡ଼ା ହୋଇ ଛିଡ଼ାହେଲା । ଅରୁଣା ତାକୁ କହିଲା, “ତୁ ମା’ ମେଲାଘରକୁ ଯା । ମୁଁ ବାବୁଙ୍କ ସାଙ୍ଗେ ପଦେ କଥା ହୋଇ ଯାଉଛି ।”

 

ଲକ୍ଷ୍ମୀ ଅରୁଣାଙ୍କ ବାପଘରେ କାମ କରୁଥିଲା । ଛୁଆଟି ଦିନରୁ ଥିଲା ଅରୁଣାର ମାଉସୀଙ୍କ ପାଖରେ । ଅରୁଣାର ମାଉସୀ ଡାକ୍ତରାଣୀ । ସେ ଅବିବାହିତା । ଲକ୍ଷ୍ମୀ ତାଙ୍କର ହାତବାରିସି ଥିଲା । ଆମ ବାହାଘରବେଳକୁ ଲକ୍ଷ୍ମୀକୁ ସାତ ଆଠବର୍ଷ ବୟସ ହୋଇଥିଲା । ଏହା ଭିତରେ ଆମ ବାହାଘରକୁ ପନ୍ଦରବର୍ଷ ପୂରିଲାଣି । ଲକ୍ଷ୍ମୀକୁ ବାଇଶି କି ତେଇଶି ହେବ । ଅରୁଣାର ମାଉସୀ ଘରେ ଖୁବ୍‌ ଭଲରେ ଥିଲା ଲକ୍ଷ୍ମୀ । ତା’ର ସ୍ୱଭାବଟି ଭଲ । ସବୁ କାମ ଚୁପ୍‌ଚାପ୍‌ କରିଯାଏ-। ଯିଏ ଯେତେ ଟାଣ କରି କହିଲେବି ଜବାବ ଦିଏ ନାହିଁ । ଅରୁଣାର ମାଉସୀ ବ୍ୟସ୍ତ ଲୋକ, ପୁଣି କ୍ଷଣକୋପୀ । ତାଙ୍କ ସାଙ୍ଗେ ପନ୍ଦରବର୍ଷ କାଳ କାଟିବା ଖୁବ୍‌ ଗୋଟେ ବଡ଼କଥା । ତିନିବର୍ଷ ତଳେ ଲକ୍ଷ୍ମୀ ବାହାହୋଇଛି । ମୁଁ ଶୁଣିଥିଲି, ତା’ର ଗୋଟେ ଝିଅ ହୋଇଛି ଏହା ଭିତରେ ।

 

ଅରୁଣା କ’ଣ କହିବ କହିବ ହେଉଥିଲା, ମୁଁ ପଚାରିଲି, “କ’ଣ କହିବ କହୁନା । ଲକ୍ଷ୍ମୀର ବର ଆସିଛି କି ? ନା ଏକାକୀ ଆସିଛି ସେ ?”

 

: ତା’ ବର ତାକୁ ଛାଡ଼ିଦେଇଛି । ଅରୁଣା କହିଲା । ବଡ଼ ଗମ୍ଭୀର ଶୁଭୁଥିଲା ତା’ ସ୍ୱର ।

 

ମୁଁ ଚମକି ପଡ଼ିଲି । ଏଇ ତିନିଟା ବର୍ଷ ତଳେ ତ ଲକ୍ଷ୍ମୀର ବାହାଘର ହୋଇଥିଲା ! ଅରୁଣାର ମାଉସୀ ନିଜ ଝିଅ ବାହାଘର କରିବା ପରି ସବୁ ଦାୟିତ୍ୱ ତୁଲେଇଥିଲେ । ତା’ ନାଆଁରେ ଆଗରୁ ଚୌଦ୍ୱାରରେ ଗୋଟେ ଜାଗା କିଣି ରଖିଥିଲେ । ମୁଁ ଶୁଣିଛି ବାହାଘରବେଳକୁ ଯୌତୁକ ଦେବାପାଇଁ ସେଇଟା ବିକା ହେଇଥିଲା । ସେ ଜମିର ମୂଲ୍ୟ ପଚାଶ ହଜାର ଟଙ୍କାରୁ କମ୍‌ ହୋଇ ନଥିବ । ସେଦିନ ମୁଁ କହିଥିଲି, “ମାଉସୀ ତାଙ୍କ ଘରର ଚାକରାଣୀ ପାଇଁ ଏତେ ଖର୍ଚ୍ଚ କରୁଛନ୍ତି, ଆମକୁ ଦେଉ ନାହାନ୍ତି ।”

 

ଅରୁଣା ମୋ କଥା ଶୁଣି ବିରକ୍ତ ହୋଇଥିଲା । କହିଥିଲା, “ଆଉ ଯାହା କୁହ ପଛେ ଲକ୍ଷ୍ମୀକୁ ଚାକରାଣୀ ବୋଲି କହିବ ନାହିଁ । ତାକୁ ମାଉସୀ ନିଜ ଝିଅଠାରୁ ବେଶି ସ୍ନେହ କରନ୍ତି । ଖାଲି କ’ଣ ନିଜ ରକ୍ତରୁ ଜନ୍ମହେଲେ ନିଜର ହୁଅନ୍ତି ?”

 

ଅରୁଣା ମିଛ କହି ନଥିଲା । ମୁଁ ଯେତେଥର ଅରୁଣାର ମାଉସୀଙ୍କ ଘରକୁ ଯାଇଛି ସେତେଥର ଲକ୍ଷ୍ମୀର ପରିଚ୍ଛନ୍ନତା ଦେଖି ଖୁସି ହୋଇଛି । ସାଧାରଣତଃ ଗରିବ ଘରର ପିଲାଏ ଅପରିଷ୍କାର, ଅପରିଚ୍ଛନ୍ନ ରହନ୍ତି ବୋଲି ଏକ ଧାରଣା ରହିଛି । କିନ୍ତୁ ଲକ୍ଷ୍ମୀ ତା’ର ବ୍ୟତିକ୍ରମ । ଯାହା କରେ ପରିଷ୍କାରଭାବେ କରେ । ବାସନକୁସନ ମାଜିବାଠାରୁ ନେଇ ରୋଷେଇବାସ, ଲୁଗାସଫାଠୁଁ ନେଇ ମଣ୍ଡଦେଇ ଇସ୍ତ୍ରୀ କରିବା–ସବୁ କାମରେ ସେ କୁଶଳୀ ।

 

: ଏଭଳି ଗୋଟେ ଗୁଣବତୀ ସ୍ତ୍ରୀକୁ ତା’ ବର ଛାଡ଼ିଦେଲା କାହିଁକି ? ପୁଣି ବର୍ଷ ତିନିଟାରେ ? –ମୁଁ ତଥାପି ବୁଝିପାରୁ ନଥିଲି ।

 

ଅରୁଣା କହିଲା, “ତମକୁ କିଛି ଗୋଟାଏ କରିବାକୁ ହେବ । ତୁମର ତ ଓକିଲ ସାଙ୍ଗ ଅଛନ୍ତି । ସେମାନଙ୍କ ଭିତରୁ କାହା ସଙ୍ଗେ ଟିକେ କଥା ହୁଅ । ନହେଲେ ବିଚାରୀ ଭାସିଯିବ । ବର୍ଷକର ଛୁଆଟିକୁ ନେଇ ସେ କୁଆଡ଼େ ଯିବ କହିଲ ? ତା’ର ତ ବାପ–ମା’ କେହି ନାହାନ୍ତି ଜାଣିଛ-। ଗୋଟେ ଭଉଣୀ ଅଛି, ସିଏ ଲକ୍ଷ୍ମୀର ଶିରୀ ଦେଖିପାରେ ନାହିଁ । ମାଉସୀଙ୍କ ପାଖେ ରହିବା ଯୋଗୁଁ ଲକ୍ଷ୍ମୀ ପାଖରେ କିଛି ପଇସା ଥିଲା, ସେଇଥିପାଇଁ ତା’ ଭଉଣୀର ରାଗ ।”

 

ଅଧଘଣ୍ଟାଏ ତଳେ ମୁଁ ଲକ୍ଷ୍ମୀକୁ ସବୁଠୁ ଭାଗ୍ୟବତୀ ଝିଅ ବୋଲି ଭାବୁଥିଲି । ମାତ୍ର ଏବେ ଲାଗୁଛି ସେ ସବୁଠୁ ଭାଗ୍ୟହୀନା । ଲକ୍ଷ୍ମୀ ପରି ଝିଅର ଦୁର୍ଭାଗ୍ୟ ଓ ସୌଭାଗ୍ୟ ଭିତରେ ବ୍ୟବଧାନ କ’ଣ ଖାଲି ଗୋଟିଏ ଯୋଡ଼ିଏ ବାକ୍ୟ ?

 

ମୁଁ କହିଲି, “ନିଶ୍ଚୟ । ମୁଁ ହୃଦୟବଲ୍ଲଭବାବୁଙ୍କୁ ପଚାରିବି । ଶ୍ରୀମତୀ ପଣ୍ଡା ମହିଳା କମିଶନର ଅଧ୍ୟକ୍ଷା ଅଛନ୍ତି । ତାଙ୍କୁ ମଧ୍ୟ କହିବି । ୟେ କ’ଣ ଗୋଟେ ଖେଳଘର କଥା ନା କ’ଣ ? ଲକ୍ଷ୍ମୀକୁ କୁହ, ସେ ବ୍ୟସ୍ତ ହେବ ନାହିଁ । ତାକୁ ନିଶ୍ଚୟ ନ୍ୟାୟ ମିଳିବ ।”

 

ଅରୁଣା ଚାଲିଗଲା । ଲକ୍ଷ୍ମୀ ମେଲାଘରେ ଅପେକ୍ଷା କରିଛି । ବୋଧହୁଏ ତାକୁ ଯାଇ ଏହି କଥା କହିବ ଅରୁଣା ।

 

ସେଦିନ ଲକ୍ଷ୍ମୀ ଆମ ଘରେ ରହିଲା । ତା’ ପରଦିନ ମୁଁ କହିଲି, “ଚାଲ୍‌ ତୋତେ ଆମେ ନେଇ ତୋ ଶାଶୁଘରେ ଛାଡ଼ି ଆସିବୁ ।” ସେ ପ୍ରଥମେ ହଁ, ହାଁ କହୁଥିଲା । ଠିକଣାବେଳକୁ ମନା କଲା । ତା’ର ଅରାଜି ହେବାର କାରଣ ମୁଁ ବୁଝିପାରିଲି ନାହିଁ । କିନ୍ତୁ ବାଧ୍ୟବି କଲି ନାହିଁ । କାଳେ ତା’ର ଧାରଣା ହେବ, ଅସମୟରେ ଆସି ପହଞ୍ଚିଛି ବୋଲି ଆମେ ତାକୁ ତଡ଼ିଦେଉଛୁ । କିନ୍ତୁ ଆମର ସେ ପ୍ରକାର ମନୋଭାବ ନଥିଲା । ସେ ଅରୁଣାର ବହୁତ ସେବା କରିଥିଲା । ମୁଁ ବି ତା’ ହାତର ରୋଷେଇ ଖାଇଛି । ମୋ ଝିଅକୁ ଲକ୍ଷ୍ମୀ ଖୁବ୍‌ ଆଦର କରେ । ପିଲାଟିଦିନରୁ ଶ୍ୱେତା ଲକ୍ଷ୍ମୀକୁ ଅପା, ଅପା ଡାକେ । ଥାଉ । ଦି’ ଚାରିଦିନ ଏଠି ରହିଲେ ତା’ ମନ ବଦଳିଯିବ ।

 

ଲକ୍ଷ୍ମୀର ବର୍ଷକର ଝିଅଟି ବିଲେଇଛୁଆ ପରି ତା’ କାନ୍ଧରେ ଶୋଇ ଜୁଳୁଜୁଳୁ କରି ଅନଉଥିଲା । ମୋତେ ଛୁଆଟାର ଚେହେରା ଖୁବ୍‌ ବିକଳ ଦିଶୁଥିଲା ।

 

ପରଦିନ ମୁଁ ଅରୁଣାକୁ ପଚାରିଲି, “ଲକ୍ଷ୍ମୀ ତା’ ଶାଶୁଘରକୁ ଯିବାଲାଗି ମନା କରୁଛି କାହିଁକି ?”

 

ସେତିକିବେଳେ ଅରୁଣା ଲକ୍ଷ୍ମୀର ଅରାଜିର କାରଣ କହିଲା । “ତା’ ବର ଆଉ ଗୋଟେ ଝିଅକୁ ଆଣି ଛଅମାସ ହେଲା ପାଖରେ ରଖିଛି । ତା’ରବି ପିଲାପିଲି ହେବ, ଲକ୍ଷ୍ମୀ କହୁଥିଲା । ଟୋକାଟାର ରୋଜଗାରପତ୍ର କିଛି ନାହିଁ । ତା’ ସାଙ୍ଗରେ ଚାରିଟା ମଣିଷ । ସବୁଦିନେ ନିଶାପାଣି ଖାଇ ଆସେ ଓ ବକାବକି କରେ । ଲକ୍ଷ୍ମୀକୁ କ’ଣ ସେ କମ୍‌ ମାରଧର କରେ !”

 

: ଆହା, ବିଚାରୀ ! ମୁଁ କହିଲି । “କିନ୍ତୁ ଲୋକଟା ପରା କିଛି କାମ କରେ ନାହିଁ, ନିଶାପାଣି ଲାଗି କୋଉଠୁ ପଇସା ଆଣେ ?”

 

: ଟାଉଟରି । ଲକ୍ଷ୍ମୀ ବାହାହେଇ ଯିବାର ଛଅମାସ ହେଇଥିଲା । ମୋ ମାଉସୀଙ୍କୁ ନିଜର ଧରମ ଶାଶୁ ପରିଚୟ ଦେଇ ସେ ଜଣକଠାରୁ ଦଶହଜାର ଟଙ୍କା ଲାଞ୍ଚ ଆଣିଥିଲା । କହିଥିଲା, ଧରମ ଶାଶୁଙ୍କୁ କହି ଚାକିରି କରେଇଦେବ ମେଡ଼ିକାଲରେ । ଏ ଖବର ଜାଣିଲାରୁ ମାଉସୀ ଲକ୍ଷ୍ମୀ ଆଉ ତା’ ବର ଦିହିଁଙ୍କୁ ଡାକି ଗାଳିମନ୍ଦ କରିଥିଲେ । ସେହିଦିନୁ ସେ ଟାଉଟର ମାଉସୀଙ୍କ ଘରକୁ ଆସେ ନାହିଁ, ଲକ୍ଷ୍ମୀର ଆସିବାବି ବନ୍ଦ କରିଦେଇଥିଲା । ଇଆଠୁ, ତାଆଠୁ ମିଛ ସତ କହି ଦଶ ପଚାଶ ଆଣେ । ତାକୁ ନିଶାପାଣିରେ ଖର୍ଚ୍ଚ କରେ । ଘରେ ବିଧବା ମାଆ । ସେ କିଛି କହିଲେ ତା’ ଉପରକୁ ହାତ ଉଠାଏ । ବୁଢ଼ୀ ଲୋକ କ’ଣ କରିବ ?

 

ମୋତେ ଲକ୍ଷ୍ମୀର ସମସ୍ୟା ଜଟିଳରୁ ଜଟିଳତର ମନେ ହେଉଥିଲା । ମୁଁ ମନେମନେ ଲକ୍ଷ୍ମୀ ଉପରେ ବିରକ୍ତ ହେଉଥିଲି । ସ୍ୱାମୀଟା ଇଆଡ଼େ ସିଆଡ଼େ ଆଖି ବୁଲେଇଲାବେଳେ ସ୍ତ୍ରୀ କେମିତି ଜାଣିପାରିଲା ନାହିଁ ? ସେତେବେଳେ ଆସି କହିଥିଲେ ଦ୍ୱିତୀୟ ବାହାଘରଟା ଅନ୍ତତଃ ବନ୍ଦ କରାଯାଇପାରିଥାନ୍ତା । ଏବେ ତ ସେ ଆଉଗୋଟେ ଆଣି ରଖି ସାରିଲାଣି । ତା’ର ପୁଣି ପିଲାପିଲି ହେବ । ଏ ଅବସ୍ଥାରେ କ’ଣ କରାଯାଇପାରିବ ? ଅରୁଣାର ମାଉସୀବି କିଭଳି ଏ ଖବର ରଖିପାରିଲେ ନାହିଁ ? ନିଜେ ଲକ୍ଷ୍ମୀକୁ ବାହା ଦେଇଥିଲେ । ତାଙ୍କର ଗୋଟେ ଦାୟିତ୍ୱ ରହିବା କଥା !

 

ଅରୁଣା କହିଲା, “ତୁମେ ମିଛଟାରେ ମାଉସୀଙ୍କୁ ଦୋଷ ଦେଉଛ । ଅସଲ କଥା, ସେଇ ଘଟଣା ପରଠାରୁ ଲକ୍ଷ୍ମୀର ଯିବା ଆସିବା ତା’ ବର ବନ୍ଦ କରିଦେଇଥିଲା, ତା’ ମୁଣ୍ଡଛୁଆଁଇ । କୁଆଡ଼େ ଲକ୍ଷ୍ମୀକୁ ଶପଥ କରେଇଥିଲା, ମଲାଯାଏ ସେ ମାଉସୀଙ୍କ ଦୁଆରକୁ ଆସିବ ନାହିଁ । ମାଉସୀ ଜାଣିବେ କେମିତି ? ସିଏ ତ ତାଙ୍କର କ୍ଲିନିକ୍‌ କାମନେଇ ବ୍ୟସ୍ତ ଥାଆନ୍ତି । କେହି କହିଲେ ସିନା ସେ ଜାଣିଥାଆନ୍ତେ । ଜାଣିଥିଲେ କ’ଣ ଆଜିଯାଏ ଚୁପ୍‌ ରହିଥାଆନ୍ତେ ?”

 

ମୁଁ କହିଲି, “ହଉ, ଯାହା ହେବାର ହେଲାଣି ! ପଛ କଥା ଚିନ୍ତା କରି ଲାଭ ନାହିଁ । ମୁଁ ହୃଦୟବଲ୍ଲଭବାବୁଙ୍କ ପାଖକୁ ଯାଇ ଆସେ । ସେ ଓକିଲ ଲୋକ । କିଛି ଗୋଟାଏ ପରାମର୍ଶ ଦେବେ ।”

 

ଅରୁଣା ମୋ କଥାରେ ଏକମତ ହେଲା ।

 

ସେଦିନ ରାତିରେ ମୋତେ ନିଦ ହେଲା ନାହିଁ । ଏ ଦେଶରେ ହଜାର ହଜାର ନାରୀ ପ୍ରତିଦିନ ଲକ୍ଷ୍ମୀ ପରି ଦୁର୍ଭାଗ୍ୟ ଭୋଗୁଛନ୍ତି । ସେସବୁ ଖବରକାଗଜରେ ବାହାରୁଛି, ଟେଲିଭିଜନରେ ପ୍ରଚାର ହେଉଛି । କିନ୍ତୁ ସେସବୁ ପଢ଼ିବା କି ଦେଖିବାବେଳେ ମୁଁ ଏତେ ବିଚଳିତ ହୁଏ ନାହିଁ । ସେସବୁ ମୋପାଇଁ ଖାଲି ଗୋଟେ ଗୋଟେ ଖରାପ ଖବର । ମାତ୍ର ଲକ୍ଷ୍ମୀର ଦୁର୍ଘଟଣା ଗୋଟେ ନିଷ୍ଠୁର ବାସ୍ତବତା । ସେଥିପାଇଁ ମୁଁ ବିଚଳିତ ହୋଇ ପଡ଼ୁଥିଲି ।

 

ସକାଳୁ ଉଠି ଶ୍ୱେତାକୁ ଡାକିବାପାଇଁ ଗଲି । ଶ୍ୱେତା ବିଛଣାରେ ଶୋଇଥିଲା । ଲକ୍ଷ୍ମୀ ତା’ ଗୋଡ଼ ପାଖରେ ବସି ତାକୁ ଆଉଁଶି ଦେଉଥିଲା । ଶ୍ୱେତାର ଖଟ ପାଖରେ, ଚଟାଣ ଉପରେ ଖଣ୍ଡେ ଶପ ପରାହେଇଥିଲା । ସେଇ ଶପ ଉପରେ ଲକ୍ଷ୍ମୀର ଝିଅ ଖଣ୍ଡେ ନେଳିଆ କନା ପାଟିରେ ପୂରେଇ ଛାତକୁ ଚାହିଁଥିଲା । ମୁଁ ଅରୁଣାକୁ ଡାକି ଦେଖେଇଲି । ଅରୁଣା ମନଦୁଃଖ କଲା । ଲକ୍ଷ୍ମୀକୁ ଡାକି କହିଲା, ‘ଥାଉ, ଶ୍ୱେତା କ’ଣ ଛୁଆ ହେଇଛି ? ତୁ ଆଗେ ତୋ ଝିଅ କଥା ବୁଝ ।’ ତା’ପରେ ଶ୍ୱେତାକୁ ବଡ଼ପାଟିରେ ଡାକିଲା, “ଏଇ ଶ୍ୱେତା, ଉଠ୍‌ । ସାଢ଼େ ସାତଟା ଯାଏଁ କ’ଣ ଶୋଇଛୁ ? ହୋମ୍‌ୱାର୍କ କରିବୁ କେତେବେଳେ, ସ୍କୁଲ୍‍କୁ ଯିବୁ କେତେବେଳେ ?”

 

ଲକ୍ଷ୍ମୀ ଉତ୍ତର ଦେଲା, “ଥାଉ ଦେଈ, ମୁଁ ଆଉ ଟିକିଏ ତାଙ୍କୁ ଘଷିଦିଏ । କାଲି ତାଙ୍କର ପରା ଡିଆଁକୁଦା ଖେଳ ଥିଲା । ବଳେ ଉଠିବେନି କି ଏବେ !”

 

ଅରୁଣା ଚାଲିଆସିଲା । ମୋତେ ଚା’ କପେ ଦେଇ ପାଖ ଚଉକିରେ ବସିଲା । ମୁଁ ଜାଣିପାରିଲି, ସେ ମୋଠାରୁ ଲକ୍ଷ୍ମୀ ବିଷୟରେ କ’ଣ କରାଯିବ ସେକଥା ଜାଣିବା ଲାଗି ଚାହୁଁଥିଲା । ଲକ୍ଷ୍ମୀର ଦୁର୍ଦ୍ଦଶା ସେ ବରଦାସ୍ତ କରି ପାରୁ ନଥିଲା । ମୁଁ ଝରକା ଦେଇ ଆକାଶକୁ ଚାହିଁଲି । ଆକାଶରେ ଶ୍ରାବଣ ବର୍ଷାର ଭିଡ଼ । ଚାରିଆଡ଼ୁ କଳାହାଣ୍ଡିଆ ମେଘ ଘୋଟି ଆସୁଥିଲା ।

 

ଅରୁଣାକୁ କହିଲି, “ଗୋଟେ ଧଳା କାଗଜରେ ଲକ୍ଷ୍ମୀଠୁଁ ଟିପ ଚିହ୍ନଟେ ନେଇ ଆସିବ । ହୃଦୟବଲ୍ଲଭବାବୁ କହିଛନ୍ତି, ଆଗେ ଗୋଟେ ଦରଖାସ୍ତ ମହିଳା କମିଶନ୍‌କୁ ଦେବେ । ତା’ପରେ ଅନ୍ୟ ପଦକ୍ଷେପ । କିଛିଦିନ ସମୟ ତ ଲାଗିବ !”

 

: ଲକ୍ଷ୍ମୀ ଏବେ ରହିବ କେଉଁଠି ? –ଅରୁଣା କହିଲା ।

 

ଆମ ଘରେ ଆଉ ଗୋଟେ ଝିଅ କାମ କରୁଛି । ଝିଅଟି ଭଲ, ତେବେ ତା’ର ଗୋଟିଏ ହାତ ଅଖଞ୍ଜ । ପିଲାଦିନେ ଭାଙ୍ଗିଯାଇଥିଲା । ବାପ–ମାଆ ଡାକ୍ତରଖାନା ନେଲେ ନାହିଁ । ଓଲଟି ଟୁଣୁକାଟୁଣୁକି ଔଷଧ ଦେଲେ, ସେକ ପରେ ସେକ ଦିଆଗଲା । ଫଳ ଏମିତି ହେଲା ଯେ କହୁଣି ପାଖରୁ ବାଁ ହାତଟା ସେ ଏବେ ବଙ୍କେଇ ପାରେ ନାହିଁ । ଅରୁଣା ତାକୁ ଓଲଟପୁର ହାଡ଼ଭଙ୍ଗା ଡାକ୍ତରଖାନାକୁ ନେଇଥିଲା । ସେଠି ଏକ୍ସ–ରେ କରାଗଲା । ଡାକ୍ତର କହିଲେ, ଅପରେସନ୍‌ କରାଯାଇପାରିବ ସତ, କିନ୍ତୁ ତା’ପରେ ହାତର ବଳ କମିଯିବ । ଝିଅଟି ଯେଉଁଠି ହେଲେ କାମ କରିବ । ବଳ କମିଗଲେ ଇଟା, ପଥର ବୋହି ପାରିବ ନାହିଁ । ପାଣି ଭର୍ତ୍ତି ବାଲଟିଟା ଉଠେଇବାକୁବି କଷ୍ଟ ହୋଇପାରେ । ଏସବୁ କଥା ଶୁଣି ଅରୁଣା ଫେରି ଆସିଲା । ଅପରେସନ୍‌ କରାଇନେଲେ କାଳେ ତା’ର ବାପା–ମାଆ କିଛି କହିବେ ଓ ଭଲ ଉଦ୍ଦେଶ୍ୟର ଖରାପ ଅର୍ଥ ବାହାରିବ !

 

ଝିଅଟି ଆଦିବାସୀ ଝିଅ । ଭଲଭାବେ ଉପକୂଳ ଓଡ଼ିଶା ଭାଷା ବୁଝି ନ ପାରିଲେବି କାମ ଚଳେଇ ନେଉଛି । ତେଣୁ ଆମ ଘରେ ଆଉ ଗୋଟେ ଲୋକ ଦରକାର ନାହିଁ । ତା’ଛଡ଼ା ଲକ୍ଷ୍ମୀ ଏକୁଟିଆ ନୁହେଁ, ତା’ ସାଙ୍ଗରେ ତା’ର ଛୋଟ ଛୁଆ । ତା’ପାଇଁ ନାନା ଉପଚାର ଦରକାର ।

 

: ମାଉସୀଙ୍କ ପାଖକୁ ପଠେଇଦେଲେ ହୁଅନ୍ତା ନାହିଁ ? –ମୁଁ ପଚାରିଲି ।

 

ଅରୁଣା କହିଲା, “ସେଠି ତ ନର୍ମଦା ଅଛି । ଲକ୍ଷ୍ମୀ ଯିବାପରେ ମାଉସୀ ଗାଁକୁ ଯାଇ ନର୍ମଦାର ବାପା–ମାଆଙ୍କୁ କୁହାବୋଲା କରି ତାକୁ ଆଣିଛନ୍ତି । ନର୍ମଦାର ମାଆ ତା’ ଝିଅକୁ ଛାଡ଼ୁ ନଥିଲେ । ବହୁ କୁହାବୋଲା ପରେ ଛାଡ଼ିଲେ । ଏବେ ନର୍ମଦାକୁ ବିଦା କରିଦେଲେ ଗାଁରେ ମାଉସୀଙ୍କ ବଦନାମ ହେବ । କ୍ଲିନିକ୍‌ କାମପାଇଁ ଆଉ ଦି’ଜଣ ନର୍ସ ଅଛନ୍ତି । ତାଙ୍କର ଆଉ ଲୋକ କ’ଣ ହେବ ?”

 

ଲକ୍ଷ୍ମୀ ବାରନ୍ଦାରେ ଝାଡ଼ୁ ଦେଉଥିଲା । ବାସନକୁସନ ମାଜୁଥିଲା । କେହି ତାକୁ କାମ କରିବାକୁ ନ କହିଲେବି ସେ ଥୟ ଧରି ବସିପାରୁ ନଥିଲା । ଏଇଟା ତା’ର ସ୍ୱଭାବ । କେତେବେଳେ ସେ ଖାଲିଟାରେ ବସେ ନାହିଁ । ଏବେ ତ ନିଜକୁ ଆମ ଉପରେ ଲଦିହେଲା ପରି ସେ ଅନୁଭବ କରୁଥିବ । ଖାଲିଟାରେ ବସି ଖାଇବ କେମିତି–ଏଇଆ ଭାବି ସେ କାମ କରୁଛି ।

 

ମୁଁ ଲକ୍ଷ୍ମୀର ସ୍ୱଭାବ ଚିନ୍ତା କରି ବିସ୍ମିତ ହେଉଥିଲି । ଏ ଦେଶର ହଜାର ହଜାର, ଲକ୍ଷ ଲକ୍ଷ ଲୋକ ପରାଙ୍ଗପୁଷ୍ଟ ପରି ସାରା ଜୀବନ ଜିଉଁଛନ୍ତି । ସେମାନଙ୍କୁ ମାଡ଼ିପଡ଼େ ନାହିଁ । ଗରିବ ଘରର ଝିଅ ଲକ୍ଷ୍ମୀକୁ ମାଡ଼ି ପଡ଼ୁଛି ଦିଓଳିର ଭାତଡ଼ାଲି !

 

ଲକ୍ଷ୍ମୀର ଚେହେରାଟି ଭଲ । ଗୋଲ ମୁହଁ, ବାଙ୍ଗରା ଗଢ଼ଣ । ସେଥିପାଇଁ ତା’ ନାଁ କୁଆଡ଼େ ଲକ୍ଷ୍ମୀ ଦିଆଯାଇଥିଲା । କଳ ଦାନ୍ତ ଗୋଟେ ବାହାଡ଼ା । ହସିଲାବେଳେ ସୁନ୍ଦର ଦିଶେ । ଭଲରେ ରହୁଥିବାବେଳେ ଥିଲାବାଲା ଘରର ପିଲା ପରି ଦିଶୁଥିଲା । ଏବେ ଅବହେଳା ଆଉ ଅଯତ୍ନ ଯୋଗୁଁ ରଙ୍ଗ ମଳିନ ପଡ଼ିଆସିଛି । ବାହାଘରବେଳକୁ ଟିକିଏ ମୋଟେଇ ଯାଇଥିଲା । ଏବେ ଝଡ଼ିଯାଇଛି । ମୁହଁରେ ହସ ନାହିଁ । ସବୁବେଳେ ଦୁଃଖୀ ଦିଶୁଛି ।

 

ମୁଁ ଏହା ଭିତରେ ଖବର ବୁଝିସାରିଥିଲି । ଲକ୍ଷ୍ମୀର ବରଟି ଗୋଟେ ପକ୍କା ଟାଉଟର । ଏଠିକା କଥା ସେଠି ଓ ସେଠିକା କଥା ଏଠି କହି ଦିପଇସା ହାତସଫେଇ କରେ । ଲକ୍ଷ୍ମୀ ସାଙ୍ଗେ ବାହାଘର ଆଗରୁ ତା’ର ଗୋଟେ ଝିଅ ସାଙ୍ଗେ ସମ୍ପର୍କ ଥିଲା । କିନ୍ତୁ ସେ ଝିଅକୁ ବାହାହେଲା ନାହିଁ-। ଗାଁରେ ନିଶାପ ହେଲା, ଜୋରିମାନା ଦେଇ ସେଥିରୁ ଟୋକା ମୁକୁଳିଥିଲା । ଝିଅଟାବି ମନା କଲା, ୟାକୁ ବାହା ହବ ନାହିଁ । ତା’ପରେ ଲକ୍ଷ୍ମୀ ସାଙ୍ଗେ ପ୍ରସ୍ତାବ । ସବୁବେଳେ ସଫାସୁତୁରା ପୋଷାକ ପିନ୍ଧି ରାସ୍ତା ପାଖ ବଜାର ଉପରେ ଟହଲ ମାରେ । ଦେଖିଲେ ମନେହେବ, ଖୁବ୍‌ ଗୋଟାଏ ଖାଇବା ପିନ୍ଧିବା ଘରର ପିଲା । ଲକ୍ଷ୍ମୀ ବାପ–ମା’ଛେଉଣ୍ଡ । ଗାଁର ଭଦ୍ରଲୋକ ଟୋକାଠୁଁ ପଇସା ଖାଇ ବାହାଘର କରିଦେଲେ । ତା’ପରେ ଏହି ଅବସ୍ଥା । ଲକ୍ଷ୍ମୀ ପରେ ଯେଉଁ ଝିଅଟିକୁ ଆଣି ରଖିଛି ତା’ ଘର ପାଖ ଗାଁରେ । ସିଏବି ଗରିବ ଘରର ଝିଅ । ତା’ର ଲକ୍ଷ୍ମୀ ସାଙ୍ଗରେ ରହିବାରେ ଆପତ୍ତି ନାହିଁ-। ମାତ୍ର ସେ ଟୋକା ଦିଇଟି ସ୍ତ୍ରୀଙ୍କୁ ପୋଷିପାରିବ ନାହିଁ । ଲକ୍ଷ୍ମୀ ପେଟରେ ତା’ ଝିଅ ରହିବାପରଠୁଁ ବରର ମନ ଲକ୍ଷ୍ମୀଠାରୁ ଛାଡ଼ିଯାଇଥିଲା ।

 

ଅରୁଣା କହିଲା, “ଝିଅଗୁଡ଼ାକ କ’ଣ ଆଳୁ ନା ବାଇଗଣ ? ଗୋଟାକୁ ଗୋଟା ଧରି ଆଣୁଥିବ ଓ ମନ ତୁଟିଗଲେ ଫୋପାଡ଼ି ଦେଉଥିବ ? ସେ ଲୋକଟାକୁ ଜେଲ୍‌ ହେବା ଦରକାର । ଲକ୍ଷ୍ମୀ ପଛେ ସବୁଦିନେ ଏଇଠି ରହିବ, କିନ୍ତୁ ତୁମେ ସେ ଟୋକାକୁ ହାତକଡ଼ା ପକେଇ ଜେଲ୍‌କୁ ପଠାଅ । ତା’ପରେ ଯାଇ ମୋ ମନ ଶାନ୍ତ ହେବ ।”

 

ଅରୁଣାର କ୍ରୋଧ ଅଯୌକ୍ତିକ ନଥିଲା । ସିଏବି ଗୋଟେ ଝିଅର ମାଆ । ଆଜି ଲକ୍ଷ୍ମୀ କ୍ଷେତ୍ରରେ ଯାହା ହେଲା, କାଲି ଶ୍ୱେତା କ୍ଷେତ୍ରରେ ସେଇଆ ହୋଇପାରେ । ହୁଏତ ଘଟଣାର ଚେହେରା ଟିକିଏ ଭିନ୍ନ ହେବ । ମାତ୍ର ଦୁର୍ଘଟଣା ତ ଏକା । ମୁଁ ସେ ଦୃଶ୍ୟର କଳ୍ପନା କରିପାରୁ ନଥିଲି । ଲକ୍ଷ୍ମୀର ବାପ–ମାଆ ନାହାନ୍ତି, ଗୋଟେ ଦୃଷ୍ଟିରୁ ଭଲ ହୋଇଛି । ସେମାନେ ନିଜ ଆଖିରେ ଝିଅର ଏ ଦୁର୍ଦ୍ଦଶା ଦେଖି କଦାପି ଦେହ ସମ୍ଭାଳି ରହିପାରି ନଥାନ୍ତେ ! କୌଣସି ବାପ–ମା’ ନିଜ ଝିଅର ଏଭଳି ଦୁଃଖ ଦେଖିପାରିବେ ନାହିଁ ।

 

ମୁଁ ସଞ୍ଜବେଳେ ଅରୁଣାକୁ ପଚାରିଲି, “ଲକ୍ଷ୍ମୀଠୁଁ ଟିପଚିହ୍ନ ଆଣିଲ ?”

 

ଅରୁଣା ଭୁଲିଯାଇଥିବା ଭଳି ବ୍ୟସ୍ତ ହେଲା । କହିଲା, “ଦେଖୁଛ, ମୁଁ ସଂକ୍ରାନ୍ତି ହୋମ ଜଞ୍ଜାଳରେ ସେଇଟା ତମକୁ ଦେବାପାଇଁ ଭୁଲିଯାଇଥିଲି । ଶ୍ୱେତାର ପଢ଼ା ଟେବୁଲ ଉପରେ ଥିବ, ମୁଁ ଯାଇ ଆଣୁଛି ।”

 

ଅରୁଣା କାଗଜ ଖଣ୍ଡିକ ଆଣିବାପାଇଁ ଉଠିଗଲା । ମୁଁ ଭାବୁଥିଲି, ଲକ୍ଷ୍ମୀର ଦରଖାସ୍ତରେ କ’ଣ ଲେଖା ହେବା ଉଚିତ । ଆଜିକାଲି ଅଧିକାଂଶ ଦରଖାସ୍ତରେ ଯୌତୁକ ନିର୍ଯାତନା କଥା ଲେଖାଯାଉଛି । ସେ ଆଇନଟି ଟାଣ । ସାଙ୍ଗେ ସାଙ୍ଗେ ଲକ୍ଷ୍ମୀର ବରକୁ ହାଜତ ଯିବାକୁ ହେବ । କିନ୍ତୁ ଲକ୍ଷ୍ମୀ ବୋଧହୁଏ ସେଇଆ ଚାହୁଁନାହିଁ । ସେ ଚାହୁଁଚି ଅଧିକାର । ସେ ତା’ ବର ପାଖରେ ରହିବ । ତା’ ଶାଶୁଘରେ ଘରକରଣା କରିବ । ତା’ ଝିଅକୁ ବଡ଼ କରିବ । ସେ ବଡ଼ ହେଲେ ତାକୁ ପାଠ ପଢ଼େଇବ । ତା’ ଭଳି ତା’ର ଝିଅକୁ ଆଉ ପର ପାଇଟି କରି ଚଳିବାକୁ ପଡ଼ିବ ନାହିଁ । ତା’ ଝିଅ ନିଜ ଗୋଡ଼ରେ ଛିଡ଼ାହେବ । ତା’ର ଧାରଣା, ସରକାର ତା’ ବରକୁ ଡାକି ଟାଣ କରି ବୁଝେଇଦେଲେ ତା’ ବର ସାବାଡ଼ ହେଇଯିବ । ତା’ପରେ ଆସି ଏଠୁ ଲକ୍ଷ୍ମୀ ଓ ଝୁଅକୁ ସାଙ୍ଗରେ ନେଇଯିବ ତାଙ୍କ ଘରକୁ । ସେମାନେ ଶାନ୍ତିରେ ରହିବେ । ଲକ୍ଷ୍ମୀ ଗାଁଲୋକଙ୍କ ବିଲରେ କାମ କରିବ, ଚାଉଳ କୁଟିବ, ବାଟଣ ବାଟିବ, ବାସନ ମାଜିବ ଓ ତା’ ବର କାମ କରିବ ଧାନବିଲରେ, ରାସ୍ତା ତିଆରି କାମରେ । ମନ ଦେଇ କାମ କଲେ ବର୍ଷ ପାଞ୍ଚଟାରେ ଧାର କରଜ ଶୁଝିଯିବ । ନିଆଁଲଗା ନିଶାପାଣି ସିନା ତା’ ବରକୁ ନଷ୍ଟଭ୍ରଷ୍ଟ କରିଦେଲା । ନହେଲେ ତା’ର ଦୋଷ କ’ଣ ?–ଅରୁଣା ତା’ ଭାଷାରେ ଲକ୍ଷ୍ମୀର ମନକଥା କହୁଥିଲା ।

 

: ଆଉ କ’ଣ ଲେଖିବାକୁ କହିଛ ? ମୁଁ ପଚାରିଲି ।

 

: କହୁଛି, ସରକାର ତାକୁ କହନ୍ତୁ, ସେ ଲକ୍ଷ୍ମୀକୁ ସବୁଦିନେ ଡାଙ୍ଗରେ ପିଟିବ ନାହିଁ ।

 

ଅରୁଣା ଧୈର୍ଯ୍ୟ ଧରି ପାରୁ ନଥିଲା । ଏକଥା କହିବାବେଳେ ସେ କାନ୍ଦିପକଉଥିଲା । ସେ ପିଲାଟିଦିନରୁ ଲକ୍ଷ୍ମୀକୁ ଦେଖିଆସୁଛି । ନିଜର ସାନ ଭଉଣୀଟିଏ ପରି ସେ ଦେଖେ ତାକୁ । ତା’ ପାଖରେ ଲକ୍ଷ୍ମୀ ସବୁକଥା କହିଛି । ହୁଏତ ଦେହହାତର ମାଡ଼ ଚିହ୍ନ ଦେଖେଇଥିବ । ଝିଅ ପିଲାଟା, ଗୋଟେ ମଦ୍ୟପର ମାଡ଼ କେତେ ସହିବ ? ମୁଁ ଦୀର୍ଘଶ୍ୱାସ ନେଲି । ଭାରତରେ ଶହ ଶହ ଆଇନ, ହଜାର ହଜାର କୋଟ୍‍ । କିନ୍ତୁ ଲକ୍ଷ୍ମୀର ସଂସାର ଗଢ଼ିଦେବା ଭଳି ଆଇନ ମୋ ଆଖିରେ ପଡ଼ୁ ନଥିଲା । ହେଉ, ଆଗେ ମହିଳା କମିଶନ୍‌କୁ ଦରଖାସ୍ତଟିଏ ଲେଖେ ।

 

ମୁଁ ଚଉଭାଙ୍ଗ କାଗଜଟା ଖୋଲିଲି । କାଗଜଟା ଦେଖି ହସିବି ନା କାନ୍ଦିବି ଜାଣିପାରିଲି ନାହିଁ । କାଗଜର ଠିକ୍‌ ମଝାମଝିରେ, ଲକ୍ଷ୍ମୀ ଟିପଚିହ୍ନ ଲଗେଇଥିଲା । ମୁଁ ଅରୁଣାକୁ କହିଲି, “ତୁମେ ଥିଲ ସେ ଟିପଚିହ୍ନ ଦେବାବେଳେ ?”

 

: ନା, ମୁଁ ରୋଷେଇ କରୁଥିଲି । କ’ଣ ଭୁଲ୍‌ କରିଦେଲା କି ? ବାଁ ହାତ ବୁଢ଼ାଆଙ୍ଗୁଳି ଚିହ୍ନପାଇଁ କହିଥିଲଟି ?

 

: ହେଇ ଦେଖ । ମୁଁ ସେ କାଗଜଟା ଅରୁଣାକୁ ଦେଖେଇଲି ।

 

ଅରୁଣା କ୍ଷମା ମାଗିବା ପରି ବ୍ୟବହାର ଦେଖେଇଲା । ହସିଲା ଟିକିଏ । କହିଲା, “ପାଠଶାଠ କିଛି ପଢ଼ି ନାହିଁ । ସିଏ ଜାଣିବ କେମିତି ? ମୋଅରି ଭୁଲ୍‌ । ଏବେ ତ ସେ ଶୋଇପଡ଼ିଲାଣି । କାଲି ସକାଳୁ ମୁଁ ଆଉ ଖଣ୍ଡେ କାଗଜରେ ଟିପଚିହ୍ନ ଆଣିବି ।”

 

ଅରୁଣା ଚାଲିଗଲା । ମୁଁ ଲକ୍ଷ୍ମୀର ଟିପଚିହ୍ନ ଥିବା କାଗଜଟାକୁ ଏପଟ ସେପଟ କରି ଦେଖୁଥିଲି । ବ୍ଲକ୍‌ ଅଫିସ୍‌ରେ ମୋର ଚାକିରି । ସବୁଦିନେ ଏମିତି ଟିପଚିହ୍ନ କାଗଜ ଦେଖିବାକୁ ପଡ଼େ । କିନ୍ତୁ ଲକ୍ଷ୍ମୀର ଏ କାଗଜ ଖଣ୍ଡିକ ମୋତେ ଅଲଗା ଦିଶୁଥିଲା । ଠିକ୍‌ ମଝାମଝିରେ ଥିଲା ତା’ର ଟିପଚିହ୍ନ । କାଗଜର ସବୁ ସୀମାଠାରୁ ସମାନ ଦୂରତାରେ । ଯେଉଁଠି ଦରଖାସ୍ତ ଲେଖାଯିବ, ଅର୍ଥାତ୍ ଟିପଚିହ୍ନ ଉପରକୁ, ସେଠି ପାଞ୍ଚସାତ ଧାଡ଼ି ଲେଖିହେବ । କିନ୍ତୁ ଲକ୍ଷ୍ମୀର ଲମ୍ବା କାହାଣୀ କ’ଣ ଏତିକିରେ ଲେଖିହେବ ?

 

ସାଦାକାଗଜ ଖଣ୍ଡକ ଉପରେ ଲକ୍ଷ୍ମୀର ଟିପଚିହ୍ନ ମୋ ପାଠପଢ଼ାକୁ ଆହ୍ୱାନ କରୁଥିଲା । ଯଦି ପାଞ୍ଚଧାଡ଼ିରେ ମୋ ଦୁଃଖ ଲେଖି ନ ପାରିବ, ତାହାହେଲେ ପୂରା ଖାତାଟାରେବି ଲେଖି ପାରିବ ନାହିଁ । ମୁଁ କାନ ଡେରିଲି । କିଏ କହୁଥିଲା ଏକଥା ? ଲକ୍ଷ୍ମୀ ବୋଧହୁଏ । ନା, ସେ ଶୋଇଲାଣି । ଅରୁଣାବି । ଏ ଖାଲି ମୋ ମନର ଭ୍ରମ ।

 

ମୁଁ ଆଉଥରେ କାଗଜଟିକୁ ଦେଖି ଚଉଭାଙ୍ଗ କରି ରଖିଦେଲି । ସକାଳକୁ ଦରଖାସ୍ତ ଲେଖିବା କଥା ଭାବିବି ।

 

।। ଦୁଇ ।।

 

ଆଡ଼୍‍ଭୋକେଟ ହୃଦୟବଲ୍ଲଭବାବୁ କହିଲେ, “ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ମହେନ୍ଦ୍ରବାବୁ-! ମୁଁ ସେ ଟୋକାକୁ ଥଣ୍ଡା କରିଦେଉଛି । ଲକ୍ଷ୍ମୀକୁ ସେ ଅଲବତ୍‌ ଘରକୁ ନେବ । ଆଉ ଆର ମାଇକିନାକୁ ତଡ଼ିଦେବ । ସିଏ ଯଦି କେଶ୍‌ବାସ୍‌ କରିବ, ଭିନ୍ନେ କଥା । ମାତ୍ର ହିନ୍ଦୁ ବିବାହ ଆଇନରେ ଦ୍ୱିତୀୟ ବିବାହକୁ ସ୍ୱୀକୃତି ନାହିଁ । ମୁଁ ଯୌତୁକ ଦଫା ଲଗେଇ ଦରଖାସ୍ତ ଲେଖିଦେଇଛି-। ମହିଳା କମିଶନ୍‌କୁ ଗଲେ ଡେରି ହେବ । କମିଶନ୍‌ଟା ଖାଲି ଗୋଟେ କାଗଜ ବାଘ-। ତା’ର ନଖ, ଦାନ୍ତ କିଛି ନାହିଁ । ଆମେ ମହିଳା ଥାନାରେ କେସ୍‍ଟେ ଦେଇଦେବା ।”

 

ଆମେ ସେଇଆ କଲୁ । ଲକ୍ଷ୍ମୀ ଆଉ ଗୋଟେ କାଗଜରେ ଟିପଚିହ୍ନ ଦେଲା । ତା’ ତଳକୁ ଲେଖାଗଲା ଏ ଟିପଚିହ୍ନ ଲକ୍ଷ୍ମୀ ଭୋଇ, ସ୍ୱାମୀ: କାହ୍ନୁ ଭୋଇ, ସାକିନି: ଗୋପାଳପୁର, ଥାନା: କଟକ ସଦର, ଜିଲ୍ଲା: କଟକ । ମହିଳା ଥାନାର ଇନିସ୍‌ପେକ୍ଟର କହିଲେ, “ଆପଣ ଯାଆନ୍ତୁ । ଏବେ ଯାହା କରିବାର ଆମେ କରିବୁ । ଦରକାର ପଡ଼ିଲେ ଖବର ଦେବି । ଏଣିକି ତ କେସ୍ ଚାଲିବ ।”

 

ଆମେ ଚାଲି ଆସିଲୁ ।

 

ଆସିଲାବେଳେ ବାଟରେ ଲକ୍ଷ୍ମୀ ଅରୁଣାକୁ ପଚାରୁଥାଏ, “ପୁଲିସ ଏବେ କ’ଣ କରିବ-?” କୁନିବାପାକୁ ବାନ୍ଧିକି ବାଡ଼େଇବ କି ? କେମିତି ଖୋଜି ପାଇବ ତାଙ୍କୁ ? ସିଏ ତ ସବୁବେଳେ ବାରଆଡ଼େ ବୁଲୁଥାଆନ୍ତି ।

 

ଅରୁଣା ‘ହଁ’ ‘ନା’ କହି ଲକ୍ଷ୍ମୀ ପ୍ରଶ୍ନର ଉତ୍ତର ଦେଉଥାଏ । ବେଳେବେଳେ ବିରକ୍ତ ହେଉଥାଏ ତା’ ଉପରେ । କାହ୍ନୁ ପ୍ରତି ଲକ୍ଷ୍ମୀର ଦରଦ ଅରୁଣାକୁ ଚିଡ଼େଇ ଦେଉଥାଏ । ଅଦ୍ଭୁତ ଝିଅ ଏ ଖଣ୍ଡକ ! ପୁଲିସ ପିଟିବ ନାହିଁ କ’ଣ ଧୂପଦୀପ ଦେଇ ପୂଜା କରିବ ! ଯିଏ ଯେମିତି କରିଛି, ସିଏ ସେମିତି ଫଳ ପାଇବ ।

 

ଚୌଦ୍ୱାରରୁ ଅରୁଣାକୁ ତା’ ମାଉସୀ ଫୋନ୍‌ କରିଥିଲେ । ଲକ୍ଷ୍ମୀ ବିଷୟରେ କ’ଣ ସବୁ କରାଯାଉଛି, ତା’ର ଗୋଟେ ବିବରଣୀ ସେ ଚାହୁଁଥିଲେ । ଅରୁଣା ମୋତେ ପଚାରିଲା । ମୁଁ କହିଲି, ‘ମାଉସୀଙ୍କୁ କୁହ, ସେ କଟକ ଆସି ନିଜେ ବୁଝିଯିବେ ।’

 

ଲକ୍ଷ୍ମୀ ଆମ ଘରେ ରହିବାର ଛଅଦିନ ହୋଇଗଲାଣି । ପୁଲିସ କାହ୍ନୁକୁ ଖୋଜୁଥିବା ମୁଁ ଖବର ପାଇଥିଲି । କାହ୍ନୁ ତା’ ଗାଁରେ ନଥିଲା । ଦି’ଥର ପୁଲିସ ଫେରିଲାଣି । ସେ ଟୋକା ଖୁବ୍‌ ଚାଇଁଆ । ପୁଲିସ ଖୋଜିବା ଖବର ଜାଣି ହୁଏତ କଲିକତା କି ସୁରଟ ପଳେଇଥିବ । ସିଏ ତ ଆଉ ଠିକାଦାରି ଟେଣ୍ଡର କେସ୍‍ର ଆସାମୀ ନୁହେଁ ଯେ ପୁଲିସ ତାକୁ ଧରିବା ଲାଗି ଏତେ ବାଟ ଯିବ ? ମୋତେ ଲକ୍ଷ୍ମୀ କେସ୍‍ର ସହଜ ସମାଧାନ ଦିଶୁ ନଥିଲା । ତେବେ ଡେରି ହେଉ ପଛେ, ଟୋକାଟାକୁ ଶାସ୍ତି ଦରକାର । ଏଭଳି ଲୋକ ଦଣ୍ଡ ନ ପାଇବା ଯୋଗୁଁ ଏହି ଧରଣର ଅପରାଧ ବଢ଼ି ବଢ଼ି ଚାଲିଛି ।

 

ଲକ୍ଷ୍ମୀ ଝିଅର ଦେହ ଏହା ଭିତରେ ଖରାପ ହୋଇଗଲା । ଅରୁଣାର ଚିନ୍ତା ବଢ଼ିଗଲା । ଲକ୍ଷ୍ମୀ ଖାଲି ଡବଡ଼ବ କରି ଅରୁଣାକୁ ଅନାଏ । ଛୁଆଟି ଜନ୍ମଦିନୁ ତା’ର ଖରାପବେଳା ପଡ଼ିଛି । ବେଳେବେଳେ ସେଇକଥା କହି ଝିଅକୁ ଗାଳିମନ୍ଦ କରେ । ଆମର ତିନି ବଖରା ଘର । ଗୋଟେ ମେଲାଘର, ଆଉ ଗୋଟାକରେ ଆମେ ସ୍ୱାମୀ–ସ୍ତ୍ରୀ ରହୁ ଓ ଆର ଘରଟାରେ ଶ୍ୱେତା ପଢ଼େ । ଲକ୍ଷ୍ମୀ ସେଇ ଖାଇବା ଜାଗାରୁ ଦୂରଛଡ଼ା ହେଇ ତା’ର ଝୁଲାପତ୍ର ରଖିଛି । ସେଇଠି ଗୋଟେ ଶେଯରେ ତା’ ଝିଅ ଶୋଇଥାଏ । ଆମ ଖିଆପିଆବେଳେ ଲକ୍ଷ୍ମୀ ଝିଅକୁ ବିଛଣା ସମେତ ଉଠେଇ ନେଇ ଅଗଣାକୁ ପଳାଏ । ଆମେ ଖାଇସାରିବା ପରେ ପୁଣି ଆଣି ତାକୁ ଶୁଆଇଦିଏ ।

 

ମୁଁ ଭାବେ, କାହ୍ନୁକୁ ଶାସ୍ତି ଦେବା ସହ ଲକ୍ଷ୍ମୀର ଭରଣପୋଷଣ କଥାଟାବି ସମାଧାନ ହେବା ଦରକାର । ନହେଲେ ସେ ଏଡ଼େ ବଡ଼ ଲମ୍ବା ଜୀବନଟା କେମିତି ବଞ୍ଚିବ ? ଦିନ ଛଅଟାରେ ଆମେ ଥକିଗଲୁଣି । ସାରା ଜୀବନ କେହି କ’ଣ କାହାକୁ ପାଳି ପାରିବ ?

 

ବେଳ ପାଇଲେ ଅରୁଣା ଲକ୍ଷ୍ମୀ ପାଖରେ ଘଡ଼ିଏ ବସେ । ତା’ ଆଖିରୁ ଲୁହ ପୋଛିଦିଏ-। ତାକୁ ସାହସ ଦିଏ । ଏକଥାବି କୁହେ, କାହ୍ନୁ ଆସିଲେ ତୁ ଭଳି ଯିବୁ ନାହିଁ । ସେଇଟା ଗୋଟେ ମିଛୁଆ । ତୁ କହିବୁ, ଯାହା କୋଟ୍ କଚେରିରେ ହେବ । ନହେଲେ ତୁ ଆମ ନାଁ କହିବୁ । ନିଜେ କିଛି କହିବୁ ନାହିଁ । ତୁ ବୋକୀଟା । ଅସଲବେଳେ ତ ତାକୁ ବାଧା ଦେଇ ପାରିଲୁ ନାହିଁ । ଏବେ କଥା ଗଡ଼ିଲାରୁ ଆସି କହୁଛୁ ।

 

ଲକ୍ଷ୍ମୀ ଗୋଟେ ହାତରେ ଲୁହ ପୋଛି ଆର ହାତରେ ତା’ ଝିଅକୁ ଆଉଁଶୁଥାଏ । ତା’ ମୁଣ୍ଡରୁ ପାଦଯାଏ ଆଉଁଶୁ ଆଉଁଶୁ ଗାଳି ଦେଉଥାଏ, ‘କାହିଁକି ଏଇଟା ଜନ୍ମ ହେଲା କେଜାଣି, ସେଇଦିନୁ ଦୁଃଖ । ଏଇଟା ନଥିଲେ, ମୁଁ କୁଆଡ଼େ ନାହିଁ କୁଆଡ଼େ ପଳାନ୍ତି । ରେଳ ଲାଇନ୍‍ରେ ପଛେ ବେକ ଦେଇଦିଅନ୍ତି ।’

 

ଅରୁଣା ପାଟି କଲା । “ଚୁପ୍‌, ଏଇ କଥା ଶିଖିଛୁ । ଛୁଆକୁ କ’ଣ ଏମିତି ଗାଳି ଦିଅନ୍ତି । ଯିଏ ତ ରେଳ ଧାରଣାରେ ଦେବା କଥା ସିଏ ଷଣ୍ଢା ଟେକି ବୁଲୁଛି, ତୁ କାହିଁକି ବ୍ୟସ୍ତ ହେଉଛୁ ? କିଛି ଗୋଟାଏ ବ୍ୟବସ୍ଥା ହେବ ନାହିଁ !”

 

ରବିବାର ଯୋଗୁଁ ମୁଁ ଟିକେ ଡେରିଯାଏ ଗଡ଼ପଡ଼ ହେଉଥାଏ । ଅରୁଣା ଉଠି ରୋଷେଇଘରେ ଚା’ କରୁଛି । ଲକ୍ଷ୍ମୀର ଝିଅ ପାଟି କରି କାନ୍ଦି ଉଠିଲା । ମୁଁ ପ୍ରଥମେ ଚିଡ଼ିଗଲି । ପରେ ବୁଝିଲି, ଛୋଟ ଛୁଆ ନିଜର ଦିନରାତି ତିଆରି କରେ । ତାକୁ ଯେତେବେଳେ ନିଦ ଲାଗେ ସେଇଟା ରାତି, ତାକୁ ଯେତେବେଳେ ନିଦ ଲାଗେ ନାହିଁ ସେଇଟା ଦିନ । ଲକ୍ଷ୍ମୀର ଝିଅ କୁଆଡ଼ୁ ବୁଝିବ ଏଇଟା ଦିନ ନା ରାତି ! ତା’ର ମା’ ଭଲରେ ଅଛି ନା ଆଉ କାହା ଘରେ ଆଶ୍ରୟ ନେଇଛି ।

 

ସକାଳ ଆଠଟା ଖଣ୍ଡେ ହେବ । ମୁଁ ଚଷମାଟି ପିନ୍ଧି କାନ୍ଥ ଘଣ୍ଟାକୁ ଚାହୁଁଥିଲି ।

 

ସେତିକିବେଳେ ଦାଣ୍ଡଦୁଆରୁ ଗୋଟେ ସ୍ତ୍ରୀଲୋକର କାନ୍ଦଣା ଶୁଭିଲା । କଥା କ’ଣ ? ମୁଁ ଚମକି ପଡ଼ିଲି । ଇଏ କାନ୍ଦଣା ଲକ୍ଷ୍ମୀର ହୋଇଥିବ । କିନ୍ତୁ ଏତେ ଜୋରରେ କାନ୍ଦୁଛି କାହିଁକି ? ଏଥିରେ ତ ପାଖ ପଡ଼ିଶାଏ ଉଠି ଆସିବେ ।

 

ମୁଁ ଧଡ଼ପଡ଼ ହୋଇ ଉଠି ଆସିଲି ।

 

ଆମ ଘରର ଗେଟ୍‌ ଏପଟେ ଲକ୍ଷ୍ମୀ ଛିଡ଼ା ହେଇଥିଲା, ତା’ ପାଖରେ ତାଆରି ବୟସର ଆଉ ଗୋଟେ ଗର୍ଭବତୀ ସ୍ତ୍ରୀଲୋକ । ସେଇ ସ୍ତ୍ରୀଲୋକଟି କାନ୍ଦୁଥିଲା ।

 

ଅରୁଣା ସେ ଦି’ଜଣଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଥିଲା । ମୁଁ ଯାଇ ପଚାରିଲି, “ଇଏ କିଏ ? ଏମିତି ଅବସ୍ଥାରେ ଏଠି କାହିଁକି ? ସକାଳୁ ସକାଳୁ କ’ଣ ଚାଲିଛି ?”

ଅରୁଣା କହିଲା, “ଇଏ କାହ୍ନୁର ଦ୍ୱିତୀୟ ସ୍ତ୍ରୀ ରମା ।”

ମୁଁ ଅରୁଣା ଉପରେ ସେ ଦିହିଁଙ୍କ ଜଞ୍ଜାଳ ଛାଡ଼ି ଚାଲିଆସିଲି । ବିଛଣାରୁ ଉଠି ସିଧା ଯାଇଥିଲି । ମୋର ଗାଧୁଆଘର ଯିବା ଦରକାର ପଡ଼ୁଥିଲା । ସକାଳର ଘଟଣାରୁ ମୁଁ ଅନୁମାନ କରିନେଇଥିଲି ଯେ ଆଜିର ଦିନଟା ଲମ୍ବା ହେବାକୁ ଯାଉଛି । ଗୋଟିଏ ପରେ ଗୋଟିଏ ଗଣ୍ଠି ପଡ଼ୁଛି ଲକ୍ଷ୍ମୀର ଅଡ଼ୁଆ ସୂତାରେ ।

ଗାଧୋଇସାରି ଆସିବାବେଳକୁ ଅରୁଣା ଖାଇବା ଜାଗାରେ ଦିହିଁଙ୍କୁ ବସେଇ ଚୁଡ଼ା, ଚିନି ଓ କଦଳୀ ଚକଟା ଖାଇବାକୁ ଦେଉଥିଲା । ଦିହେଁ ଖାଇଲେ ଓ ଖାଇସାରି ପାଣି ପିଇଲେ-। ମୁଁ ପୋଷାକ ପିନ୍ଧିବାକୁ ଶୋଇବା ଘରକୁ ଗଲି । ଅରୁଣା ପଛରୁ ଯାଇ କହିଲା, “ଟଙ୍କା ଦିଇଶହ ଦେଲ-?”

: ଟଙ୍କା କ’ଣ ହେବ ? –ମୁଁ ପଚାରିଲି ।

ଅରୁଣା କହିଲା, “ଲକ୍ଷ୍ମୀ ବାହାରିଲାଣି, ତାକୁ ଦେବି ।”

: ଲକ୍ଷ୍ମୀ ବାହାରିଲାଣି ? କୁଆଡ଼େ ? ରମା ସାଙ୍ଗରେ ଯିବାପାଇଁ କାହ୍ନୁ ପଠେଇଛି କି ? ଦେଖିଲ ତ, ଇଆଡ଼େ ଆମେ ଏଫ୍‌.ଆଇ.ଆର୍‌. ଦେଉ ଦେଉ ସିଆଡ଼େ ଟୋକା କେମିତି ଥଣ୍ଡା ପଡ଼ିଗଲାଣି ! କିନ୍ତୁ ସେ ଟୋକା ନିଜେ ଆସିଲା ନାହିଁ କାହିଁକି ? –ମୁଁ ଅରୁଣାକୁ ପଚାରିଲି ।

 

ଅରୁଣା କହିଲା, “ତୁମେ ଯେମିତି ଭାବୁଛ ସେମିତି ନୁହେଁ । ଲକ୍ଷ୍ମୀ ଏବେ ମନା କରୁଛି, ସେଠିକି ଯିବ ନାହିଁ । ସେ ତା’ ଭଉଣୀ ଘରକୁ ଯିବ ।”

 

ମୋତେ ଅରୁଣାର କଥାଗୁଡ଼ାକ ଦୁର୍ବୋଧ୍ୟ ମନେହେଲା । ମୁଁ କହିଲି, “ଲକ୍ଷ୍ମୀ କାହିଁ ? ମୁଁ ଟିକେ ତାକୁ ପଚାରେ ।”

 

ଆଜି ପର୍ଯ୍ୟନ୍ତ ମୁଁ ସିଧାସଳଖ ଲକ୍ଷ୍ମୀ ସାଙ୍ଗରେ ବେଶି କଥାବାର୍ତ୍ତା ହୋଇ ନାହିଁ । ସିଏ ଯାହା କହିଛି ଅରୁଣା ମାଧ୍ୟମରେ, ମୁଁ ବି ଅରୁଣା ମାଧ୍ୟମରେ ଉତ୍ତର ଦେଇଛି । ଝିଅପିଲାଙ୍କ ସମସ୍ୟା ଝିଅମାନେ ବୁଝିବେ । ସେମାନେ ପୁରୁଷଲୋକଙ୍କ ଆଗରେ ସେତିକି ସହଜ ହୋଇପାରିବେ ନାହିଁ । କିନ୍ତୁ ଆଜି ମୁଁ ଏକଥାଟି ସିଧାସଳଖ ତାକୁ ପଚାରି ନେବାକୁ ଚାହୁଁଥିଲି ।

 

ଲକ୍ଷ୍ମୀ ମେଲାଘର ଆଗ ବାରନ୍ଦାରେ ବସିଥିଲା । ତା’ ଝିଅ ଟିକିଏ ଦୂରଛଡ଼ା ହୋଇ ଗୋଟେ ରବର କଣ୍ଢେଇ ଧରି ଖେଳୁଥିଲା ।

 

ମୁଁ ପଚାରିଲି, ‘ଇଏ ମୁଁ କ’ଣ ଶୁଣୁଛି ଲକ୍ଷ୍ମୀ ?’

 

ଲକ୍ଷ୍ମୀ ଓଢ଼ଣାଟି ମୁଣ୍ଡ ଉପରକୁ ଭିଡ଼ିନେଇ କହିଲା, “ଇଏ ରମା । ତା’ ପିଠି ଦେଖନ୍ତୁ ବାବୁ, ତାକୁ କେମିତି ସେ ଗୋରୁ ପରି ପିଟି ପକେଇଛନ୍ତି ।”

 

ରମା ତା’ ପିଠିରୁ ଶାଢ଼ି କାଢ଼ି ଦେଖାଇବାକୁ ଯାଉଥିଲା, ମୁଁ ଆଖି ବୁଲେଇନେଲି । ସେ କାନ୍ଦି କାନ୍ଦି କହିଲା, “କହିଛନ୍ତି, ମୋଅରି ଯୋଗୁଁ ସେ ହଇରାଣ ହଉଛନ୍ତି । ଲକ୍ଷ୍ମୀ ପୁଲିସ କେସ୍ ନ ଉଠେଇଲେ ସିଏ ଆତ୍ମହତ୍ୟା କରିଦେବେ । ଗୋଟେ ଦଉଡ଼ି ଆଣି ମୋତେ ଦେଖଉଛନ୍ତି । ମୁଁ କୁଆଡ଼େ ଯିବି ବାବୁ ? କ’ଣ କରିବି ? ବୁଦ୍ଧି ଦିଶୁ ନାହିଁ ।” ରମା ଭୋଭୋ କାନ୍ଦି ମୋ ପାଦ ପାଖରେ ଲୋଟିଗଲା ।

 

ଏ ଦୃଶ୍ୟ ଦେଖି ମୋର ରାଗ ପଦାକୁ ବାହାରି ଆସିଲା । କହିଲି, “ତୋ ଭଳି ଝିଅକୁ ଏଇଆ ଦରକାର । ବାହାହେବା ଆଗରୁ ବୁଝିଲୁ ନାହିଁ । କାହ୍ନୁର ସ୍ତ୍ରୀ ଅଛି ନା ନାଇଁ ?”

 

ରମା କହିଲା, “ପୁଅପିଲାକୁ ଦେଖି କେମିତି ଜାଣନ୍ତି ବାବୁ ? ମୋର କେହି ନାହିଁ । ଆମ ଗାଁକୁ କାମ କରିବାକୁ ଯାଇଥିଲେ । ମୋର ଦାଦା ପୁଅ ଭାଇ ତାଙ୍କ ସାଙ୍ଗରେ ମୋତେ ଜୁଟେଇ ଦେଇଥିଲେ । କୋଉ ବାହାଘର ହେଇଛି ନା ମୁଁ ଶଙ୍ଖା ସିନ୍ଦୂର ପିନ୍ଧିଛି । ବାହା ହେବେ ବୋଲି ଆଠମାସ ଗଡ଼ିଗଲାଣି । ଏବେ କହୁଛନ୍ତି ପଳା ।”

 

ମୋ ପାଟିରୁ ଗୋଟେ ଅଶ୍ଳୀଳ ଶବ୍ଦ କାହ୍ନୁ ଉଦ୍ଦେଶ୍ୟରେ ବାହାରି ଆସୁଥିଲା । ପ୍ରକୃତ କାହ୍ନୁ ଖଣ୍ଡେ ସେ । ଏଭଳି ଲୋକକୁ ଲଙ୍ଗଳା କରି ବିଛୁଆତି ଡାଙ୍ଗରେ ବାଡ଼େଇ ପକେଇବା କଥା ।

 

କିନ୍ତୁ କିଛି କହିଲି ନାହିଁ । ମୋ ସାମ୍ନାର ଦୃଶ୍ୟଟି ଏଡ଼େ କ୍ରୂର, ଏଡ଼େ ଅସହାୟ ଏବଂ ଏଡ଼େ ମର୍ମନ୍ତୁଦ ଥିଲା ଯେ ତାକୁ ପ୍ରକାଶ କରିବାପାଇଁ ମୁଁ ଶବ୍ଦ ପାଉ ନଥିଲି ।

 

ଲକ୍ଷ୍ମୀ ଉଠିଆସି ଭୂଇଁରେ ମୁଣ୍ଡ ଛୁଆଇ ପ୍ରଣାମ କଲା । ମୋଠୁଁ ଯାଇ ଅରୁଣାକୁ । ମେଲାଘର ଦୁଆରବନ୍ଧ ପାଖରେ ଶ୍ୱେତା ଛିଡ଼ାହୋଇ ଏ ଦୃଶ୍ୟ ଦେଖୁଥିଲା । ତା’ ପାଖକୁ ଯାଇ ଲକ୍ଷ୍ମୀ ତା’ର ମୁଣ୍ଡବାଳ ଓ ଗାଲମୁହଁ ଆଉଁଶି ଦେଲା । ମୋ ପାଖକୁ ଆସି କହିଲା, “ମୁଁ ତ ହେଲେ ଶଙ୍ଖା ସିନ୍ଦୂର ପିନ୍ଧିଛି, ବିଚାରୀ ରମା ଭାଗ୍ୟରେ ସେତିକି ନାହିଁ । ଏ ଦଶାରେ ସେ କୁଆଡ଼େ ଯିବ ? ମୁଁ ସେ ଘରେ ଥିଲି, ଲୋକଟିକୁ ଚିହ୍ନିଛି । ତା’ ଉପରେ ପଡ଼ିଲେ ସେ ଗୋରୁ, ମଇଁଷି ପରି ପିଟି ପକେଇବ । ମୁଁ କେସ୍ ଉଠେଇ ଆଣିବି ବାବୁ, ମୋର ସେଠିକି ଯିବା ଦରକାର ନାହିଁ । ମୋପାଇଁ ଗୋଟେ ଯୋଡ଼ିଏ ଘର ଠିକ୍‌ କରି ଦିଅନ୍ତୁ । ମୁଁ ବାସନ ମାଜି ମୋ ଝିଅକୁ ପାଳିବି ।”

 

ମୁଁ ଲକ୍ଷ୍ମୀର ଏ ରୂପ ଦେଖି ନଥିଲି । ମୋ ଆଖିରେ ଲୁହ ବାମ୍ଫେଇ ଆସୁଥିଲା-। ମଫସଲୀ, ଅପାଠୋଇ ଲକ୍ଷ୍ମୀ ଇଏ କ’ଣ କହୁଛି ? ନିଜ ଗୋଡ଼ରେ ନିଜେ କୁରାଢ଼ି ଚୋଟ ମାରୁଛି-?

 

ଅରୁଣା ଲକ୍ଷ୍ମୀ ହାତରେ ଦିଇଶହ ଟଙ୍କା ଗୁଞ୍ଜିଦେଇ କହିଲା, “ତୁ ବ୍ୟସ୍ତ ହଅନା । ମୁଁ ଗୋଟେ ଘର ଠିକଣା କଲେ ତୋତେ ଖବର ଦେବି । ଝିଅକୁ ଅବହେଳା କରିବୁ ନାହିଁ । ଖବରଦାର୍‌ । ତା’ର କିଛି ଦୋଷ ନାହିଁ ।”

 

ଲକ୍ଷ୍ମୀ ଉଠିଲା । ଝିଅକୁ କୋଳ କଲା । ରମାକୁ ଡାକିଲା, ‘ଉଠ୍‌’ । ଭାରୀପେଟ ଯୋଗୁଁ ରମା ଉଠି ପାରୁ ନଥିଲା । ଲକ୍ଷ୍ମୀ ତା’ ଝିଅକୁ ତଳେ ବସେଇ ଦି’ ହାତରେ ରମାକୁ ଉଠେଇଲା । କହିଲା, “ଧୀରେ, ଧୀରେ । ଏମିତି ଅବସ୍ଥାରେ କ’ଣ ତୋର ଆସିବା କଥା ?”

 

ନିଷ୍ଫଳ ଆକ୍ରୋଶରେ ମୋ ଦେହହାତ କମ୍ପୁଥିଲା । ମୁଁ କେବଳ ମୂର୍ତ୍ତିଟାଏ ପରି ଅନେଇଲି । ଲକ୍ଷ୍ମୀ ତା’ ଝିଅକୁ ବାଁ ହାତରେ ଓ ରମାକୁ ଡାହାଣ ହାତରେ ଧରି ଧୀରେ ଧୀରେ ବାଟ ଚାଲୁଥିଲା । ସେ ଗଳିମୋଡ଼ ପାରହେବା ପରେ ମୋର ମନେ ପଡ଼ିଲା, କେସ୍‍ଟା ଉଠେଇବାଲାଗି ଲକ୍ଷ୍ମୀର ଟିପଚିହ୍ନ ଥିବା ଖଣ୍ଡେ କାଗଜ ଦରକାର ।

 

ମୁଁ ଅରୁଣାକୁ ଏକଥା କହିଲି । ଅରୁଣା କାନ୍ଦୁଥିଲା । ଆଖିରୁ ଲୁହପୋଛି କହିଲା, “କ’ଣ ଧାଡ଼ିଏ ଲେଖିଦେବ ତ ! ସେଇ ଟିପଚିହ୍ନ କାଗଜ ଖଣ୍ଡକ ମୋ ପାଖରେ ଅଛି ପରା !”

 

ମୁଁ ମୁହଁ ବୁଲେଇଲି । ଶ୍ୱେତା ବୋକୀଙ୍କ ପରି କବାଟ କୋଣରେ ଛିଡ଼ା ହେଇଥିଲା । ତାକୁ ବାରବର୍ଷ । ହୁଏତ କିଛି କିଛି ବୁଝିପାରିଥିବ । ରମା ଆଉ ଲକ୍ଷ୍ମୀଙ୍କ ଉଦାହରଣ ଦେଇ ତାକୁ ସମାନୁଭୂତିର କଥା କହିବି କି ? ନା ଥାଉ, ଶବ୍ଦଟାର ଅର୍ଥ ପଛେ ନ ବୁଝୁ, ଏଡ଼େ ନିର୍ଦ୍ଦୟ ଉଦାହରଣ ମୁଁ ଝିଅକୁ ଦେଇପାରିବି ନାହିଁ ।

☆☆☆

 

ଝରକା

 

ସଁବାଳୁଆଠେଁଇ କ’ଣ ଲକ୍ଷଣ ଥାଏ ଯେ ଯାହାକୁ ଦେଖି ଅନୁମାନ କରିହେବ ଏଇଟି କିଛିଦିନ ପରେ ପାଲଟିଯିବ ଗୋଟେ ରଙ୍ଗିନ ପ୍ରଜାପତି । ଥାଏ କି ? ଦେବବ୍ରତ ପ୍ରଶ୍ନଟେ ପଚାରି ମାଳବିକାଠାରୁ ଉତ୍ତର ଆଶା କରୁଥିଲା ।

 

ମାଳବିକା କିଛି କହିଲା ନାହିଁ । ଅପରିଚିତ ଲୋକଟି ସାଙ୍ଗେ କଥାବାର୍ତ୍ତା କରିବାଲାଗି ତା’ର ଆଦୌ ମନ ନଥିଲା । ସେ କିଛି ସମୟର ନିର୍ଜନତା ଲୋଡ଼ୁଥିଲା । ତା’ ମନରେ କୌଣସି ସରାଗ ନଥିଲା ।

 

ମାଳବିକା ଚାରିଦିନ ହେଲା ବଦଳି ହୋଇ ଆସିଛି ରାୟଗଡ଼ା । ଏହା ଆଗରୁ ତିନିବର୍ଷ ଥିଲା ବ୍ରହ୍ମପୁରରେ । ଭଲ କାମ କରୁଥିଲା । ଅଡ଼ିଟ୍‌ ରିପୋର୍ଟରେ ତା’ର ସବୁ କାମ ଉତ୍ତମ ବୋଲି ମନ୍ତବ୍ୟ ଦିଆଯାଇଥିଲା । ତା’ ସତ୍ତ୍ୱେ ତାକୁ ରାୟଗଡ଼ା ବଦଳି କରିଦିଆଗଲା । ଅଥଚ ତା’ର ସହକର୍ମୀମାନେ ତେର ଚଉଦବର୍ଷ ହେଲା କଟକ–ଭୁବନେଶ୍ୱରରେ ଅଛନ୍ତି । ସେଇ ଭୁବନେଶ୍ୱର ଭିତରେ ଏ ବ୍ରାଞ୍ଚରୁ ସେ ବ୍ରାଞ୍ଚ ହୋଇ ଦଶବର୍ଷ କଟେଇ ଦେଲାଣି ପ୍ରତିଭା ।

 

ବଦଳି ଆଗରୁ ଯଦି ପଦୋନ୍ନତିଟି ମିଳିଥାଆନ୍ତା ତାହାହେଲେ ଅବଶ୍ୟ ମାଳବିକା ମନକୁ ବୁଝେଇ ଦେଇପାରନ୍ତା । ମାତ୍ର ତାହାବି ହୋଇ ନାହିଁ ।

 

ବର୍ଷ ବର୍ଷ ଧରି ନିୟମିତ ଓ ଶୃଙ୍ଖଳିତ ଭାବରେ କାମ କରି ଆସିଥିଲା ମାଳବିକା । ସେ ସେହିପରି କର୍ମଚାରୀଙ୍କ ଭିତରୁ ଜଣେ ଥିଲା, ଯିଏ ଭାବୁଥିଲା ଯେ ପରିଶ୍ରମ ଏବଂ କର୍ତ୍ତବ୍ୟନିଷ୍ଠାହିଁ କର୍ମଚାରୀକୁ ପଦୋନ୍ନତି ଦେଇଥାଏ । ସେଇପାଇଁ ସେ ସବୁଦିନ ସକାଳ ଦଶଟା ପୂର୍ବରୁ ତା’ ଅଫିସ୍‌ରେ ପହଞ୍ଚୁଥିଲା ଏବଂ ସନ୍ଧ୍ୟା ସାତଟା ଆଗରୁ ଘରକୁ ଫେରୁ ନଥିଲା । ମାର୍ଚ୍ଚ ମାସ କାମବେଳେ ସେ ବେଳେବେଳେ ରାତି ଗୋଟାଏବେଳେ ଘରକୁ ଆସୁଥିବାରୁ ମହେନ୍ଦ୍ର ତାକୁ ପରିହାସରେ ‘ଗୁଡ଼୍ ମର୍ନିଙ୍ଗ୍’ କହି କବାଟ ଖୋଲୁଥିଲା ।

 

ମାଳବିକା ଭାରତୀୟ ଜୀବନ ବୀମା ନିଗମରେ କାମ କରୁଥିଲା ଏବଂ ତା’ କାମ ଥିଲା କମ୍ପ୍ୟୁଟର ସେକ୍ସନ୍‌ରେ । ସେକ୍ସନ୍‌ର ଗୁରୁତ୍ୱ ଯୋଗୁଁ ତାକୁ ସବୁଦିନେ ସକାଳୁ ଆସି ‘ପାସ୍‌ୱାର୍ଡ଼’ ଦେବାକୁ ପଡ଼ୁଥିଲା ଏବଂ ସନ୍ଧ୍ୟାରେ କାଉଣ୍ଟର ବନ୍ଦ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେଉଥିଲା-

 

ଅଥଚ ତା’ର ପଦୋନ୍ନତି ହେଲା ନାହିଁ । ବଦଳି ହେଲା ରାୟଗଡ଼ା !

 

ଏ ଖବର ଶୁଣି ସେ ଅଭିମାନରେ କାନ୍ଦିଥିଲା, ମାତ୍ର ତା’ର ଚିଡ଼ିଚିଡ଼ା ସ୍ୱାମୀ ତାକୁ ପ୍ରବୋଧନା ଦେବେ କ’ଣ ଓଲଟି ତା’ ଉପରେ ବିରକ୍ତ ହୋଇ କହିଥିଲେ, “ତୁମେ ତ ସମସ୍ତଙ୍କ ମୁହେଁ ମୁହେଁ ଜବାବ ଦେବ, ତୁମ କଥା କିଏ କାହିଁକି ସୁପାରିସ୍ କରିବ ?”

 

ମାଳବିକାର କାନ୍ଦ ବନ୍ଦ ହୋଇଯାଇଥିଲା । ସହାନୁଭୂତି ଯୋଗୁଁ ନୁହେଁ, ବିସ୍ମୟ ଯୋଗୁଁ । ଏ ସେ କ’ଣ ଶୁଣୁଥିଲା ? ଯେତେବେଳେ ସେ ମହେନ୍ଦ୍ରଙ୍କ ପାଖରୁ ପଦୁଟିଏ ସାନ୍ତ୍ୱନା ଆଶା କରୁଥିଲା, ସେତେବେଳେ ସେ ଏମିତି କଟା ଘା’ରେ ଲୁଣ ଛିଟା ଦେବା ଭଳି କଥା କାହିଁକି କହୁଥିଲେ ? କିଛି ଯଦି ବୁଝେଇ କହିପାରିବେ ନାହିଁ, ତାହାହେଲେ କ’ଣ ଚୁପ୍‌ ରହିପାରି ନଥାନ୍ତେ-?

 

ଦେବବ୍ରତ ତାକୁ ଚାହିଁ ଟେବୁଲ ସେପଟେ ସେମିତି ବସି ରହିଥିଲା । ମାଳବିକା କଥାଟାକୁ ସେଇଠି ସାରିଦେବା ପାଇଁ କହିଲା, “ମୋର ସଁବାଳୁଆ ଏବଂ ପ୍ରଜାପତିଙ୍କ ସମ୍ପର୍କରେ କିଛି ଧାରଣା ନାହିଁ ।”

 

: ଠିକ୍‌ ଅଛି । ମୁଁ ଲଞ୍ଚ୍ ଆୱାର୍‌ରେ ଆସିବି । ଆପଣ ତ ଏଠି ନୂଆ । ଏଠିକା କାରବାର ବିଷୟରେ କିଛି ଜାଣି ନଥିବେ । ଆପଣଙ୍କର କିଛି ଆପତ୍ତି ନଥିଲେ ସାଙ୍ଗ ହୋଇ କ୍ୟାଣ୍ଟିନ୍‌ ଯିବା ?

 

: ଅଦ୍ଭୁତ ଲୋକ ତ ! ପରିଚୟ ନ ହେଉଣୁ ବନ୍ଧୁତା ଗଢ଼ି ବସିଲାଣି–ମନକୁ ମନ କହିଲା ମାଳବିକା । ଦେବବ୍ରତ ଲୋକଟି ତାକୁ ଜୋକ ପରି ଲାଗୁଥିଲା । ଲୋକଟି ଆଗରୁ ସ୍ତ୍ରୀଲୋକ ଦେଖିନି ନା କ’ଣ ? ସେ କହିଲା, “ମୁଁ ଘରୁ ଜଳଖିଆ ନେଇ ଆସିଛି ।”

 

‘ଆଚ୍ଛା ହେଉ’ କହି ଦେବବ୍ରତ ଚାଲିଗଲା । ପ୍ରକୃତରେ ମାଳବିକା ଘରୁ ଜଳଖିଆ ନେଇ ନଥିଲା । ରାୟଗଡ଼ାରେ ତା’ର ମୋଟେ ଚାରିଦିନର ରହଣି । ଏ ସହର ବିଷୟରେ ତା’ର କିଛି ଧାରଣା ନାହିଁ । ଟ୍ରେନ୍‌ ଝରକା ଫାଙ୍କରୁ ଅବଶ୍ୟ ଜାଗାଟି ସୁନ୍ଦର ଦିଶୁଥିଲା । ମାତ୍ର ସେସବୁ ଦେଖିବା ଲାଗି ମାଳବିକାର ମାନସିକତା ନଥିଲା । ମହେନ୍ଦ୍ର ତାକୁ ଛାଡ଼ିବାପାଇଁ ଆସିଥିଲେ । ଘର ମାଲିକାଣୀ ଶ୍ରୀମତୀ ଖାଡ଼ଙ୍ଗାଙ୍କ ସହ ପରିଚିତ କରାଇ ଦେଇ ପରଦିନ ଫେରିଗଲେ । ଅଧିକ ଗୋଟେ ଦିନ ରହିବାପାଇଁ ମାଳବିକା ତାଙ୍କୁ କହିଲା ନାହିଁ କି ସିଏବି ତାଙ୍କ ଆଡ଼ୁ ପ୍ରସ୍ତାବ ଦେଲେ ନାହିଁ ।

 

ମାଳବିକା ଏଠିକି ଆସିବା ଆଗରୁ ଖବର ସଂଗ୍ରହ କରିସାରିଥିଲା ଯେ ଏ ଅଫିସ୍‌ରେ ଆଉ କେହି ସ୍ତ୍ରୀଲୋକ ନାହାନ୍ତି । ସେ ଏକାକିନୀ । ତା’ ସେକ୍ସନ୍‌ର ଦାସମହାପାତ୍ରବାବୁ ୟୁନିୟନ୍‌ ନେତା । ସେ ତାଙ୍କ ମନଇଚ୍ଛା ଆସନ୍ତି ଓ ମନଇଚ୍ଛା ଯାଆନ୍ତି । ତାଙ୍କୁ ବ୍ରାଞ୍ଚ ମାନେଜର କିଛି କହନ୍ତି ନାହିଁ । ସେ ସ୍ଥାନୀୟ ଲୋକ ହୋଇଥିବାରୁ ତାଙ୍କୁ ଭୟ କରନ୍ତି ବ୍ରାଞ୍ଚ ମାନେଜର । ଆର ସେକ୍ସନ୍‌ର ଶାନ୍ତନୁବାବୁ ସମୟେ ସମୟେ ସାହାଯ୍ୟ କରିଥାନ୍ତି । କିନ୍ତୁ ତାଙ୍କ ପୁଅ ଦେହ ଖରାପ ଯୋଗୁଁ ସେ ମଧ୍ୟ ଅନିୟମିତ । ମାଳବିକାର ଏଠି କାମ କରିବାରେ ଆଦୌ ମନ ଲାଗୁ ନଥିଲା । ଭିତରୁ କେମିତି ଗୋଟେ ଅବରୁଦ୍ଧ କୋହ ବାହାରକୁ ବାହାରି ଆସିବା ଲାଗି ବାଟ ଖୋଜୁଥିଲା । ତାକୁ ରାୟଗଡ଼ା କଳାପାଣି ପରି ମନେ ହେଉଥିଲା । ଏଠି କେମିତି ବିତିବ ତା’ର ସମୟ ?

 

: ମାଡ଼ାମ୍‌, ଗୋଟେ କଥା କହିବାକୁ ଇଚ୍ଛା ହେଲା । ସେତେବେଳେ କହିପାରି ନଥିଲି, ଚାଲି ଆସିଲି । କାମ କରିବାକୁ ମନ ହେଉ ନାହିଁ । ମନଟା ଭୀଷଣ ଖରାପ ।

 

: ଆଁ, ଖରାପ । ଦେବବ୍ରତର ପୁଣି କ’ଣ ହୋଇଛି କି ? ମାଳବିକା ମନେମନେ ଭାବିଲା-। କିନ୍ତୁ ଦେବବ୍ରତର ମନ ଖରାପ କଥା ଶୁଣି ଭଲ ଲାଗିଲା । ଅନ୍ତତଃ ଆଉ ଜଣେ ଦୁଃଖୀ ଲୋକ ମିଳିଗଲା । ସେ ପଚାରିଲା, “ଆପଣଙ୍କ ମନ କାହିଁକି ଖରାପ ?”

 

: ମୋର ପନ୍ଦର ଦିନର ଯୋଜନା ବୃଥା ହୋଇଗଲା ।

 

: କି ଯୋଜନା ? –ମାଳବିକା ପଚାରିଲା ।

 

: କୁହନ୍ତୁ ନାହିଁ । ଦିଇଟି ଆଙ୍କୁଡ଼ି ଷ୍ଟେସନ୍‌ ରୋଡ଼୍‍କୁ ଯାଇ ସଂଗ୍ରହ କରିଥିଲି । ସମୟବି ସ୍ଥିର କରିଥିଲି ରବିବାର । ମାତ୍ର ସେ ଲୋକଟା ରାତି ପାହିବା ଆଗରୁ ସକାଳୁ ଆସି ସବୁ ନେଇଗଲା ।

 

ମାଳବିକା ଏ କଥାରୁ କିଛି ବୁଝି ପାରୁ ନଥିଲା । ସେ କେବଳ ଡବଡ଼ବ କରି ଦେବବ୍ରତକୁ ଚାହିଁଲା । ଲୋକଟିର ବୟସ ଚଉତିରିଶ କି ପଇଁତିରିଶ ହେବ । ତା’ଠାରୁ ଦଶବର୍ଷ ସାନ । ଆଖି ଦୁଇଟି ଖୁବ୍‌ ଚଞ୍ଚଳ । ନାକତଳେ ମୋଟା ନିଶ, ପାନଖିଲେ ପାଟିରେ ଗୁଞ୍ଜା ହେଇଛି । ପିନ୍ଧିଛି ଗୋଟେ ବାଇଗଣି ରଙ୍ଗର ଟି–ସାର୍ଟ୍ ଓ ପାଉଁଶିଆ ରଙ୍ଗର ପ୍ୟାଣ୍ଟ୍‌ । ତା’ର ଗୋରା ଦେହକୁ ଏ ପୋଷାକ ହଳକ ଭଲ ମାନୁଛି । ମୁଣ୍ଡରେ ଛୋଟ ଛୋଟ ବାଳ ।

 

ମାଳବିକା ପଚାରିଲା, “କ’ଣ ନେଇଗଲା ? ସେ ଲୋକଟା କିଏ ?”

 

ଦେବବ୍ରତ ଉତ୍ସାହୀ ଦିଶିଲା । ଅନେକ ସମୟ ହେଲା ସେ ଶ୍ରୋତାଟିଏ ଖୋଜୁଥିଲା କି କ’ଣ ! ସଳଖ ହୋଇ ବସିଲା ଓ କହିଲା, “ଶୁଣନ୍ତୁ । ମୁଁ ଯେଉଁ ଘରେ ରହୁଛି ତା’ର ପାଖ ଘରଟା ଗନ୍ତାୟତବାବୁର ଘର । ତାଙ୍କର ଓ ମୋର ପାଚିରିକୁ ଲାଗି ଗୋଟେ ସଜନା ଗଛ । ଗଛଟା ତାଙ୍କ ଜାଗାରେ । କିନ୍ତୁ ଗୋଟେ ବଡ଼ ଡାଳ ମୋ ହତା ଭିତରକୁ ଲମ୍ବି ଆସିଛି । କ’ଣ କହିବି ମାଡ଼ାମ୍‌, ସେଇ ଡାଳଟାରେ ସଜନା ଶାଗ ଓ ଛୁଇଁ ବୋଝେଇ ହେଇଥିଲା । ମାର୍ଚ୍ଚ ମାସ କାମରେ ମୁଁ ଅଫିସ୍‌ରେ ବ୍ୟସ୍ତ ରହିଗଲି । ସବୁ ଯୋଜନା ବ୍ୟର୍ଥ ହେଇଗଲା ।”

 

: ଯୋଜନାଟି କ’ଣ ?

 

: କହୁଛି । କାଲି ରାତିରେ ଯେଉଁ ପବନ ହେଲା, ସେଥିରେ ଆମପଟ ଡାଳଟା ଭାଙ୍ଗିଗଲା । ପାଚେରି ଉପରେ ପଡ଼ିଥିଲା ଡାଳଟା । ମୁଁ ଖୁସି ହେଇଥିଲି । ଅଗ ଆକାଶରୁ ଝୁଲୁଥିଲା, ଏବେ ମାଟି ଉପରେ । ସକାଳୁ ସଜନା ଛୁଇଁ ତୋଳା ହେବ । ତା’ ସାଙ୍ଗକୁ ଶାଗ । ପନ୍ଦର ଦିନପାଇଁ ଯୋଜନା ପ୍ରସ୍ତୁତ କରି ସାରିଥିଲି । ସ୍ତ୍ରୀକୁବି ବତେଇ ଦେଇଥିଲି । ମାତ୍ର ସକାଳୁ ଉଠିଲାବେଳକୁ ଡାଳଟା ଘୋଷାରି ସବୁତକ ଲୋକଟା ନେଇଯାଇଛି ।

 

: କିଏ ନେଇଯାଇଛି ?

 

: ନିଜେ ଗନ୍ତାୟତବାବୁ ।

 

ମାଳବିକାକୁ ହସ ମାଡ଼ିଲା । ଗଛର ମାଲିକ ତା’ ଗଛର ଡାଳ ନେଇଗଲା । ଏଥିରେ ଦେବବ୍ରତର ମନଦୁଃଖ କରିବାର କ’ଣ ଅଛି ? ମୁହୂର୍ତ୍ତକ ଲାଗି ତା’ ନିଜର ଦୁଃଖ ଦୂରକୁ ଟିକିଏ ହଟିଗଲା ।

 

ସେ କହିଲା, “ତାଙ୍କ ଗଛ, ସିଏ ନେଲେ । ଏଥିରେ ଆପଣଙ୍କର ଅସୁବିଧା କ’ଣ ?”

 

: ଯୋଜନା । ପନ୍ଦର ଦିନ ହେଲା ମୁଁ ଯୋଜନା କରିଥିଲି । ଆଙ୍କୁଡ଼ିବି ବନେଇଥିଲି । ସଜନା ଛୁଇଁରେ କ’ଣ କ’ଣ ଭଜା, ତରକାରୀ ହେବ ତା’ର ତାଲିକା ପ୍ରସ୍ତୁତ କରିଥିଲି । ଅଥଚ ସବୁ ବ୍ୟର୍ଥ ହେଲା ।

 

ମାଳବିକା କିଛି କହିଲା ନାହିଁ । ଲୋକଟି ଅନ୍ୟ ପ୍ରକାରର । ନହେଲେ କ’ଣ କିଏ ପରର ସଜନାଗଛକୁ ନେଇ ଏମିତି ଯୋଜନା କରି ବସିଥାନ୍ତା !

 

ଦେବବ୍ରତ ଉଠିଯିବାକ୍ଷଣି ମାଳବିକାର ପୁରୁଣା ଚିନ୍ତାତକ ଆସି ମାଡ଼ି ବସିଲା । ଆଜିକାଲି ତାକୁ ତା’ ଘର ଭଲ ଲାଗୁ ନାହିଁ । ଶାଶୁ ଏକବାଗିଆ ଏବଂ ସ୍ୱାର୍ଥପର । ମହେନ୍ଦ୍ରବି ଉଦାସୀନ । ବାହାଘର ଆଗରୁ କେତେ ମିଠା ମିଠା କଥା କହୁଥିଲେ ! ଏବେ ସେ ମିଠା କଥା ମନେପଡ଼ୁ ନାହିଁ ।

 

ମାଳବିକାର ଗୋଟିଏ ଝିଅ, ଭେଲୋରରେ ପଢ଼ୁଛି । ଆଉରି ଚାରିବର୍ଷ ପଢ଼ିବ । ତା’ପରେ ସିଏ ବାହାହେବ, କୁଆଡ଼େ ମନ କୁଆଡ଼େ ଯିବ । ସିଏ ଆଉ ଘରକୁ ଫେରିବ ନାହିଁ । ଯେତେବେଳେ ଫେରିବ କୁଣିଆ ପରି, ସପ୍ତାହେ ପନ୍ଦର ଦିନ ।

 

ତାହାର ଯାହା ସଞ୍ଚୟ ଥିଲା ସେଥିରେ ଘରଟେ କରିଛନ୍ତି । ଏବେ କରଜ କରି ପଢ଼ଉଛନ୍ତି ଝିଅକୁ । ଘରର ଅଭାବ ମଧ୍ୟ ସ୍ୱାମୀ–ସ୍ତ୍ରୀଙ୍କର ଉଦାସୀନତା ପାଇଁ ଦାୟୀ । ସେମାନେ ଜାଣନ୍ତି, ଏ ଜନ୍ମପାଇଁ ସେମାନେ ଆଉ ନୂଆ କିଛି ସ୍ୱପ୍ନ ଦେଖିପାରିବେ ନାହିଁ । ପାଠ ପଢ଼ି ଫେରିବା ପରେ ଝିଅ ବାହାହେବ । ଭଲରେ ଭଲରେ ପାତ୍ରଟିଏ ମିଳିଲା ତ ଭାଗ୍ୟର କଥା, ନହେଲେ ଜମିବାଡ଼ି ବନ୍ଧା ପକେଇବାକୁ ପଡ଼ିବ । ଚାକିରି କରି ଏଇ ସମସ୍ୟା । ଜଣେ ଚାକିରି କରି ନଥିଲେ ଅବସ୍ଥା କ’ଣ ହୁଅନ୍ତାଣି ସେ କଥା ସେ ଚିନ୍ତା କରିପାରେ ନାହିଁ ।

 

ମାଳବିକାର ଜୀବନ ଏହିପରି । ପିଲାଦିନୁ ମାମୁଘରେ ଆସି ରହିଲା । ତା’ପରେ କଟକ-। ମାଉସୀଙ୍କର ପିଲାଛୁଆ ନଥିବାରୁ ତାକୁ ଝିଅ କରି ଆଣିଲେ । କଟକରେ ରହୁଥିଲାବେଳେ ମାମୁଙ୍କ ପାଖରେ ରହୁଥିଲେ । ବାପା ଚାଲିଗଲେଣି, କିନ୍ତୁ ବୋଉ ଅଛି । ନିଜର ବୋଉ, ମାମୁ, ମାଉସୀ ସମସ୍ତେ ଅଧିକାର ଜାହିର କରନ୍ତି ତା’ ଉପରେ । ଯୁଆଡ଼କୁ ନ ଅନେଇଲେ ସିଆଡ଼େ ଅଭିମାନ । ସବୁଆଡ଼େ ଅନେଇଲେ ଘର ଚଳିବ ନାହିଁ । ନିଜର ପିଲାଟି ଅରକ୍ଷଣୀୟ ହୋଇଯିବ-

 

ମହେନ୍ଦ୍ରଙ୍କ ଉଚ୍ଚ ଅଭିଳାଷ । ବଡ଼ଘର ଲୋଡ଼ା, ବଡ଼ ଗାଡ଼ି ଦରକାର । କ୍ଲବ୍‌, ପାର୍ଟି ଭ୍ରମଣ । ଜୀବନରେ ଯଦି ଉଚ୍ଚାକାଂକ୍ଷା ନ ରହିଲା ସେ ଜୀବନ କି ଜୀବନ !

 

ମାଳବିକାର ମୁଣ୍ଡ ବିନ୍ଧୁଥିଲା । ସେ ଚିନ୍ତା କରିପାରୁ ନଥିଲା ଏଭଳି ପରିସ୍ଥିତିରେ ବଞ୍ଚିବାର ଅର୍ଥ କ’ଣ ? କେବଳ କ’ଣ ଏଇଥିପାଇଁ ମଣିଷ ବଞ୍ଚିବ ଯେ, ନିତି ସକାଳେ ଉଠିବ, ଗାଧୁଆଘରକୁ ଯିବ, ରୋଷେଇ କରିବ, ଖାଇବ, ଅଫିସ୍‌ ଆସିବ ଓ ଅଫିସ୍‌ରୁ ଫେରି ଗଣ୍ଡେ ଖାଇଦେଇ ଶୋଇଯିବ । ଏଇ ଜୀବନ !

 

ତା’ ସ୍ୱାମୀ ମହେନ୍ଦ୍ର ଓଡ଼ିଶା ସରକାରଙ୍କ ଅଧୀନରେ କାମ କରନ୍ତି । ସେ ଗୀତ ଗାଆନ୍ତି-। ତେଣୁ ତାଙ୍କର ଅଲଗାଭାବେ ବଞ୍ଚିବାର ଅଧିକାର ଅଛି ।

 

ଆର୍ଟିଷ୍ଟ୍‍ର ଜୀବନ ଆଉ କମ୍ପ୍ୟୁଟର ପ୍ରୋଗ୍ରାମ୍‍ର ଜୀବନ କ’ଣ ସମ୍ପୂର୍ଣ୍ଣ ଅଲଗାଅଲଗା ଜୀବନ ?

 

ଲଞ୍ଚ୍ ଟାଇମ୍‌ ହୋଇ ନାହିଁ, ଦେବବ୍ରତ ପୁଣି ଆସି ହାଜର । ଏଥର ନ ଗଲେ ନ ଚଳେ । ମାଳବିକା ସିଟ୍‌ରୁ ଉଠିଲା ଓ କହିଲା, ‘ଚାଲନ୍ତୁ । କ୍ୟାଣ୍ଟିନ୍‌ଟି ଦେଖି ଆସିବା ।’

 

ଦେବବ୍ରତ କହିଲା, “କପେ କଫି ଅନ୍ତତଃ ।”

 

: ନା, ମୁଁ କ୍ଷୀରମିଶା କଫି କି ଚା’ ପିଏ ନାହିଁ । ଆପଣ ଯାହା ଖାଇବେ ଖାଆନ୍ତୁ । ମୋତେ ଭୋକ ନାହିଁ । ମାଳବିକାର କିଛି ଖାଇବା ଲାଗି ମୁଡ଼୍ ନଥିଲା ।

 

: ଆମର ଏଠି ଲେମନ୍‌ ଟି ମିଳେ । ଆଜିକାଲି ତ ସମସ୍ତେ ସେଇ ରାସ୍ତାରେ । ଦେବବ୍ରତ କହିଲା ଓ କ୍ୟାଣ୍ଟିନ୍‌ର ପିଲାଟିକୁ ବଡ଼ପାଟିରେ ଡାକି କହିଲା, ଦି’ କପ୍‌ ଲେମନ୍ ଟି ଆଣିବୁ ।

 

ମାଳବିକା ଆଉ କିଛି କହି ପାରିଲା ନାହିଁ ।

 

ଦେବବ୍ରତ କହିଲା, “ଆପଣ ଜାଣି ନଥିବେ । ଶାନ୍ତନୁବାବୁଙ୍କ ମନ ଭଲ ନାହିଁ ।”

 

: ଶାନ୍ତନୁବାବୁ, ଆମ ଆସିଷ୍ଟାଣ୍ଟ୍ ବ୍ରାଞ୍ଚ ମାନେଜର ?

 

: ହଁ, ତାଙ୍କ ପୁଅକୁ କ୍ୟାନ୍‌ସର୍‌ । ସେ ଏକଦମ୍‌ ଭାଙ୍ଗି ପଡ଼ିଛନ୍ତି ।

 

: ସତେ ! ଚମକି ପଡ଼ିଲା ମାଳବିକା । କ୍ୟାନ୍‌ସର୍‌ ହେଇଛି ଶାନ୍ତନୁବାବୁଙ୍କ ପୁଅକୁ ! କେତେ ବୟସ ତାଙ୍କ ପୁଅର ?

 

: କୋଡ଼ିଏବର୍ଷ । –ଦେବବ୍ରତ କହିଲା ।

ମାଳବିକା ବ୍ୟସ୍ତ ହୋଇପଡ଼ିଲା । ଶାନ୍ତନୁବାବୁ ଖୁବ୍‌ ଉପକାରୀ ଲୋକ । ବେଶ୍‌ ମେଳାପୀ । ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିବେ ସେ । ସେ କହିଲା, “ଶାନ୍ତନୁବାବୁ କେଉଁଠି ରହନ୍ତି ? ତାଙ୍କ ଘରଆଡ଼େ ଟିକେ ଯିବା ଦରକାର । ଆଗରୁ ତ କହୁ ନଥିଲେ ?”

: ନା, ଜଣାପଡ଼ି ନଥିଲା । ତିନିଦିନ ତଳେ ଜଣାପଡ଼ିଲା ।

ଚା’ ପିଆ ସରିଲା । ମାଳବିକା ପୁଣି ତା’ ସିଟ୍‌ ପାଖକୁ ଫେରି ଆସିଲା । ଏଥର ତା’ ନିଜର ବ୍ୟକ୍ତିଗତ ଚିନ୍ତାର କିଛି ଜାଗା ନେଇଥିଲା ଶାନ୍ତନୁବାବୁଙ୍କ ପୁଅ କ୍ୟାନ୍‌ସର୍‌ ବେମାର । ସେ ସ୍ଥିର କଲା, ଫେରିବା ବାଟରେ ଶାନ୍ତନୁବାବୁଙ୍କ ଘର ହୋଇ ଯିବ ।

ପରଦିନ ସକାଳୁ ମାଳବିକାର ମୁଣ୍ଡକୁ ପୁଣି ନିଜ ଚିନ୍ତାତକ ଫେରି ଆସିଥିଲା । ସେ ଭାବୁଥିଲା, ଏତେ କାମ କରି ଲାଭ କ’ଣ ? ମିଛଟାରେ ଦେହପା ଖରାପ କରିବା କଥା । ଏଠି ତ ଧୁଆ ମୂଳା, ଅଧୁଆ ମୂଳା ସବୁ ସମାନ ।

ଦେବବ୍ରତ ନିଜ ସିଟ୍‌ରୁ ମାଳବିକା ଆଡ଼େ ଚାହିଁଥିଲା । ମାଳବିକା ସେକଥା ଜାଣିସାରିଥିଲା । ସେ ସାମ୍ନାରେ ଠିଆ ହୋଇଥିବା ଗ୍ରାହକଙ୍କୁ ବିଦା କରିଦେଇ ଦେବବ୍ରତକୁ ପଚାରିଲା, “ଆଜି ସଜନା ଛୁଇଁ କିଣିଲେ ନା ନାହିଁ ?”

ଦେବବ୍ରତ ଯେମିତି ଏହି କଥାପାଇଁ ଅପେକ୍ଷା କରିଥିଲା । ଉଠିଆସି ମାଳବିକା ଟେବୁଲ ସାମ୍ନାରେ ଚେୟାରଟିକୁ ଭିଡ଼ିନେଲା ଓ କହିଲା, “ଆଜି ମୋର ଦୁର୍ଭାଗ୍ୟ ଶୁଣିଲେ ଆପଣ ନ ହସି ରହି ପାରିବେ ନାହିଁ ।”

: ପୁଣି କ’ଣ ହେଲା ?

: କାଲି ରାତିରେ ଦାନ୍ତ ଡାକ୍ତର ମଧୁସୂଦନ ମିଶ୍ରଙ୍କ ପାଖକୁ ଯାଇଥିଲି । ଏ ଦାନ୍ତ ଡାକ୍ତରଙ୍କ କଥା ତ ଆପଣ ଜାଣନ୍ତି । ସବୁ ରାତିଅଧିଆ କାମ । କାହିଁକି ନା ରୋଗୀକୁ ରାତି ଖାଇବା କାମ ସାରି ସେମାନଙ୍କ ପାଖକୁ ଯିବାକୁ ପଡ଼େ । ଡାକ୍ତର ଲଗେଇଲେ ପୂରା ଘଣ୍ଟାଏ । ତାଙ୍କ କୋଠରିରୁ ବାହାରିବାବେଳକୁ ମୋ ଜୋତା ହଳକ ଜଖମ ।

: ଜଖମ ମାନେ ?

: ତାଙ୍କର କୁକୁର ଛୁଆଟି ଜୋତାକୁ କାମୁଡ଼ି କାମୁଡ଼ି ତାକୁ ଅଷ୍ଟ୍ରେଲିଆ ମ୍ୟାପ୍‌ ବନେଇ ଦେଇଛି ।

: ଆରେ, ଇଏ ତ ବଡ଼ ଅସୁବିଧା ।

: ରାତିରେ କିପରି ଆସିବି ? ଡାକ୍ତର ମିଶ୍ର କହିଲେ, ‘ଆପଣ ମୋ ଚପଲ ହଳକ ନେଇ ଯାଆନ୍ତୁ । କାଲି ଦେଖିବା ।’

: ତାଙ୍କ ଚପଲ ନେଇ ଫେରିଲେ ତ ? –ମାଳବିକା ପଚାରିଲା ।

: ଶୁଣନ୍ତୁ । ଡାକ୍ତର ମିଶ୍ର ଗଲେ ଯେ ଫେରିଲେ ନାହିଁ । ରାତିଅଧରେ ମୁଁ ରାସ୍ତା ଉପରେ ଛିଡ଼ା ହୋଇଥାଏ । କିଛି ସମୟ ପରେ ଆସି ହତାଶ ସ୍ୱରରେ କହିଲେ, ‘ଦେବବ୍ରତବାବୁ ମୁଁ ଦୁଃଖିତ-। ମୋ ଚପଲ ନାହିଁ ।’

 

: ତାକୁ କ’ଣ କୁକୁରଛୁଆ କାମୁଡ଼ି ନଷ୍ଟ କରି ଦେଇଛି ? –ମୁଁ ପଚାରିଲି ।

 

: ନା, ଗତକାଲି ଆଉ ଜଣେ ପେସେଣ୍ଟ୍‌ ଆସିଥିଲେ । ତାଙ୍କ ଚପଲର ଅବସ୍ଥା ଆପଣଙ୍କ ଚପଲ ପରି ହୋଇଯାଇଥିଲା । ମୋ ସ୍ତ୍ରୀ ମୋତେ ନ ଜଣେଇ ସେ ଚପଲ ହଳକ ଦେଇ ଦେଇଛନ୍ତି-। –ଡାକ୍ତର ମିଶ୍ର କହିଲେ ।

 

: କି ବିଚିତ୍ର ପରିସ୍ଥିତି ! ଏହାପରେବି ସେ କୁକୁର ଛୁଆକୁ ଆପଣ ଖୋଲା ଛାଡ଼ିଛନ୍ତି-? ମୁଁ କହିଥିଲି ।

 

: କ’ଣ କରିବା ? ତା’ ପଛରେ ମାଡ଼ାମ୍‌ଙ୍କ ସମର୍ଥନ ଅଛି । –ଡାକ୍ତର ମିଶ୍ର କହିଲେ । ଏହା ଭିତରେ ମୁଁ ଆଉ ଜୋତା କଥା କହିବି କ’ଣ ? ସେମିତି ଖାଲି ପାଦରେ ଘରକୁ ଫେରିଲି । ବିଷ୍ଣୁ ଓ ଶିବଙ୍କଠାରୁ ନେଇ ଡାକ୍ତର ମିଶ୍ରଙ୍କ ଯାଏଁ ସମସ୍ତେ ପତ୍ନୀ ଅନୁଗତ । କରିବା କ’ଣ ?

 

ହଠାତ୍‌ ବହୁଦିନ ତଳେ ମହେନ୍ଦ୍ରଙ୍କର ଏମିତି କଥା ପଦେ ମାଳବିକାର ମନେ ପଡ଼ିଗଲା-। ସେ ହସିଦେଲା ।

 

ଦେବବ୍ରତବି ।

 

ପାଖ ସିଟ୍‌ରୁ ମୁରଲୀଧର ମିଶ୍ର କହିଲେ, ‘ଜୋତା ଗଲେ ଶନିଗ୍ରହ ଯାଏଁ । ଆପଣଙ୍କର ଦିଇଟା ଲାଭ ହେଲା । ନୂଆ ଜୋତା ଆସିବ, ଦ୍ୱିତୀୟରେ ଶନି ବିଦା ହୋଇଗଲେ ।’

 

: କିନ୍ତୁ ମୋର ଜୋତା ହଳକ ଯେ ନୂଆ ଥିଲା ।

 

ଦେବବ୍ରତ କହିସାରି ଉଠିଗଲା । ମାଳବିକା କାମରେ ମନଦେଲା । ସେ ଅନୁଭବ କଲା, କାଲି ପରି ଆଜି ତାକୁ ବିରକ୍ତ ଲାଗୁ ନଥିଲା । ସେ ମନେମନେ ଦେବବ୍ରତକୁ ଧନ୍ୟବାଦ ଦେଲା । ସେ ଏକଥାବି ଲକ୍ଷ୍ୟ କଲା, ଦେବବ୍ରତ ଟିକିଏ ସମୟ ପାଇଲେ ଏ ଟେବୁଲ୍‌ ସେ ଟେବୁଲ୍‌ ହୋଇ ବୁଲି ଆସୁଥିଲା । ସମସ୍ତେ ତାକୁ ଦେଖି ହସୁଥିଲେ ଓ ସେ ସମସ୍ତଙ୍କୁ ଦେଖି ହସୁଥିଲା ।

 

ସେଦିନ ଘରକୁ ଫେରିବା ବାଟରେ ସେ ଶାନ୍ତନୁବାବୁଙ୍କ ଘର ହୋଇ ଆସିଲା । ତାଙ୍କ ପୁଅକୁ କ୍ୟାନ୍‌ସର୍‌ । ଘରଟା ଗୋଟେ ଅମୁହାଁ ଗୁମ୍ଫା ପରି ମାଡ଼ି ମାଡ଼ି ପଡ଼ୁଥାଏ । ସନ୍ଧ୍ୟା ସାଢ଼େ ଛଅଟା ହେଲାଣି, କିନ୍ତୁ ଲାଇଟ୍‌ ଜଳି ନଥାଏ । ମାଳବିକା ଯାଇ ବାରନ୍ଦାର ଲାଇଟ୍‌ ଜଳାଇଲା । କଲିଂବେଲ୍‌ ଟିପିଲା । ଶାନ୍ତନୁବାବୁଙ୍କ ସ୍ତ୍ରୀ ଆସିଲେ । ପୁଣି ଫେରିଯାଇ ପଠେଇଲେ ଶାନ୍ତନୁବାବୁଙ୍କୁ-। ମାଳବିକା ତାଙ୍କ ମେଲାଘରେ କିଛି ସମୟ ବସିଲା । ମାତ୍ର କୌଣସି କଥା କହିବାକୁ ଆଗ୍ରହ ହେଉ ନଥାଏ । ଯେଉଁ ବାପ–ମାଆଙ୍କର କୋଡ଼ିଏବର୍ଷର ପୁଅକୁ କ୍ୟାନ୍‌ସର୍‌ ହୋଇଥିବ ସେ ବାପ–ମାଆଙ୍କୁ କ’ଣ କହି ସେ ସହାନୁଭୂତି ଜଣେଇବ ? ଖୁବ୍‌ ଗମ୍ଭୀର ଲାଗୁଥାଏ ସେ ପରିବେଶ-। ଏତିକିବେଳେ ପୁଅ ପଶିଆସିଲା । ଶାନ୍ତନୁବାବୁଙ୍କ ପୁଅ । ମାଳବିକାକୁ ଦେଖି ନମସ୍କାର କଲା-। ପଚାରିଲା, “ଆଣ୍ଟି, ଆପଣ ଚକୋଲେଟ୍‌ ଖାଇବେ ?”

 

ମାଳବିକା ‘ହଁ’ ଭରିଲା ।

 

ଶାନ୍ତନୁବାବୁଙ୍କ ପୁଅ ତା’ ହାତରେ ଆଣି ଦିଇଟି ଚକୋଲେଟ୍‌ ଧରେଇ ଦେଇ ପାଖରେ ବସିଲା ।

 

ମାଳବିକା ଶାନ୍ତନୁବାବୁଙ୍କୁ କହିଲା, “ଦେବବ୍ରତବାବୁଙ୍କଠାରୁ ଖବର ପାଇଲି ।”

 

ଶାନ୍ତନୁବାବୁ କିଛି କହିଲେ ନାହିଁ । ମାଳବିକାର ମନେ ହେଲା, ସେ କଥା କହିବା ଆରମ୍ଭ କଲେ କାନ୍ଦି ପକେଇବେ ।

 

ସମୟ ଏତେ ନିଷ୍ଠୁର ଏବଂ ନିଶ୍ଚଳ ହୋଇଯାଏ କେମିତି ?

 

ମାଳବିକା ଶାନ୍ତନୁବାବୁଙ୍କ ଘର ଚାରିପଟେ ଦୃଷ୍ଟି ବୁଲେଇ ଆଣୁଥିଲା । ସାଧାରଣ ପରିବାର । ସବୁଆଡ଼ୁ ରୁଣ୍ଡେଇ ମୁଣ୍ଡେଇ ଏଇ ଘରକରଣା ସଜାଡ଼ିଛନ୍ତି । ପୁଅଟି ଉପରେ କେତେ ଆଶାଭରସା ରଖିଥିବେ ବାପା–ମାଆ !

 

ଶାନ୍ତନୁବାବୁ କହିଲେ, “ହେଉ । ଆପଣ ଆସିଲେ ଭଲ ହେଲା । କାଲି ତ ମୁମ୍ବାଇ ଯାଉଛୁ । ଫେରିଲେ କ’ଣ ହେଲା କହିବି ।”

 

ମାଳବିକା ଫେରି ଆସିଲା । ବାଟସାରା ଖାଲି ପ୍ରାର୍ଥନା କରୁଥିଲା, ଶାନ୍ତନୁବାବୁଙ୍କ ପୁଅ ଭଲ ହେଇଯାଉ । ପିଲାଟିର ମୁହଁ, ନାକ, କାନ, ଓଠ ସବୁ ତା’ ଆଖି ଆଗରେ ନାଚିଯାଉଥିଲା । ତାକୁ ଆଉ କିଛି ଦିଶୁ ନଥିଲା । ଅନ୍ୟ କିଛି କଥା ମନେ ପଡ଼ୁ ନଥିଲା । ସେ ଭାବିଲା, ପୀତବାସବାବୁ ମୁମ୍ବାଇରେ ରହୁଛନ୍ତି । ତାଙ୍କୁ ଟେଲିଫୋନ୍‌ କରି ଶାନ୍ତନୁବାବୁଙ୍କୁ କ’ଣ ସାହାଯ୍ୟ କରାଯାଇପାରେ ବୋଲି ପଚାରିବ । ସୁକାନ୍ତ ସାମଲବି ରହୁଛନ୍ତି ମୁମ୍ବାଇରେ । ସେ ମନେମନେ ଏସବୁ କାମ କରିବାଲାଗି ଚଞ୍ଚଳ ହୋଇ ପଡ଼ିଲା ।

 

ପର ଦିନଟାସାରା ମାଳବିକା ଶାନ୍ତନୁବାବୁଙ୍କ ପୁଅପାଇଁ ଦେଲା । ପୀତାବାସବାବୁ ଓ ସୁକାନ୍ତ ସାମଲ ଦିହେଁ ତାକୁ ପ୍ରତିଶ୍ରୁତି ଦେଲେ ଯେ ସେମାନେ ସବୁ ସାହାଯ୍ୟ କରିବେ । ଟାଟା ମେମୋରିଆଲ୍‌ରେ ଚିକିତ୍ସା ବ୍ୟବସ୍ଥା ଖୁବ୍‌ ଭଲ । ପୃଥିବୀର ସର୍ବୋତ୍ତମ ଚିକିତ୍ସା ସୁବିଧା ସେଠାରେ ରହିଛି । ସୁକାନ୍ତ ସାମଲଙ୍କର ନିଜ ଭାଇ ପ୍ରଶାନ୍ତ ସାମଲ ପୁଣି ସେଠିକାର ଡାକ୍ତର ।

 

ଏ ଖବରଟି ଶାନ୍ତନୁବାବୁଙ୍କୁ ଜଣାଇଦେବାବେଳେ ମାଳବିକାକୁ ଖୁବ୍‌ ଖୁସି ଲାଗୁଥିଲା । ସବୁଦିନ ପରି ‘ଲଞ୍ଚ୍ ଆୱାର୍‌’ରେ ଦେବବ୍ରତ ଆସି ପହଞ୍ଚିଗଲା । ମାଳବିକା ଦେବବ୍ରତଙ୍କ ପାଦକୁ ଚାହିଁଲା ଓ ଡାକିଲା, “ପାଖକୁ ଆସନ୍ତୁ ।”

 

: ମହିଳାମାନଙ୍କ ପାଖକୁ ଯିବା ବିପଦ–ଦେବବ୍ରତ କହିଲା ।

 

: ଓହୋ ପୁରୁଷ ପୁଙ୍ଗବ ଆସନ୍ତୁ–ମାଳବିକା କହିଲା ଓ ଦେବବ୍ରତର ହାତକୁ ଟିକେ ଚିମୁଟି କହିଲା, “ନିଉ ପିଞ୍ଚ୍‌, ଡାକ୍ତର ମିଶ୍ରଙ୍କ ଦୟାରୁ ଆପଣଙ୍କୁ ପୁଣି ହଳେ ନୂଆ ଜୋତା ମିଳିଗଲା-।”

 

ଦେବବ୍ରତ ହସିଲା । କହିଲା, “ଶାନ୍ତନୁବାବୁ ଫୋନ୍‌ କରିଥିଲେ, ଆପଣ ତାଙ୍କର ରହିବା ବ୍ୟବସ୍ଥା କରିଛନ୍ତି । ଡାକ୍ତର ସାମଲଙ୍କ କଥାବି ସେ କହୁଥିଲେ ।”

 

ମାଳବିକା କହିଲା, “ତାଙ୍କ ପୁଅଟା କେଡ଼େ ସୁନ୍ଦର, ସ୍ୱଭାବ କେତେ ଭଲ !”

 

ଡାକବାଲା ଆସି ଚିଠି ଦେଇଗଲା । ମାଳବିକା ସିଆଡ଼କୁ ଚାହିଁଲା ନାହିଁ । ତା’ର ଝିଅ ସାଙ୍ଗେ କେବଳ ଚିଠି ଦିଆନିଆ । ଆଜିକାଲି ସେ ଚିଠି ଲେଖେ ନାହିଁ । ମୋବାଇଲ୍‌ରେ ଏସ୍‌ଏମ୍‌ଏସ୍‌ କରିଦିଏ । ସେସବୁ ପୁଣି ଅଦ୍ଭୁତ ଶୈଳୀରେ । ଠାରରୁ ବୁଝିବାକୁ ହୁଏ ।

 

ଅଫିସ୍‌ ପିଅନ ତା’ ଟେବୁଲ୍‌ ଉପରେ ଆଣି ଚିଠିଟିଏ ରଖିଦେଲା । ମାଳବିକା ଆଶ୍ଚର୍ଯ୍ୟ ହେଲା । ତାକୁ ପୁଣି କିଏ ଚିଠି ଦେଲା ! ଦେଖିଲା, ମହେନ୍ଦ୍ର ଦେଇଛନ୍ତି ଚିଠିଟିଏ । ବାହାଘରର ବାଇଶିବର୍ଷ ଭିତରେ ସର୍ବମୋଟ ତିନି ଚାରିଖଣ୍ଡ ଚିଠି ଲେଖିଥିବେ ମହେନ୍ଦ୍ର । ଏଇଟି ତା’ ଭିତରୁ ଗୋଟିଏ ।

 

ମାଳବିକା ଆଗ୍ରହରେ ଚିଠିଟି ଖୋଲି ପଢ଼ିବାକୁ ଲାଗିଲା ।

 

ଖାଇବା ସମୟରେ ଦେବବ୍ରତ ଆସି ପହଞ୍ଚିଲା । ପଚାରିଲା, “ଚିଠିଟା ବୋଧେ ସାର୍‌ ପଠେଇଥିଲେ । ଆପଣଙ୍କ ମୁହଁର ଭଙ୍ଗୀରୁ ସେକଥା ଜଣାପଡ଼ୁଥିଲା ।”

 

ମାଳବିକା କହିଲା, “ପୁରୁଷମାନେ ତ ପଟେଇବାରେ ଓସ୍ତାଦ । ସବୁ କାର୍ଯ୍ୟଘେନା ପ୍ରୀତି-।”

 

ସେମାନେ କ୍ୟାଣ୍ଟିନ୍‌ ଗଲେ ଓ କଫି ପିଇଲେ । ସେଦିନ ସନ୍ଧ୍ୟାରେ ଶାନ୍ତନୁବାବୁଙ୍କ ପୁଅକୁ ନେଇ ମାଳବିକା ଗୋଟେ କବିତା ଲେଖିଲା । କଲେଜରେ ପଢ଼ିବାବେଳେ ସେ କବିତା ଲେଖୁଥିଲା । ତା’ ଝିଅ ଜନ୍ମ ପରେ ଦିଇଟି ଲେଖିଥିଲା । ତା’ପରେ ଲେଖିବାକୁ ମନ ହେଲେବି ସମୟ ପାଉ ନଥିଲା ସେ । ରାୟଗଡ଼ାର ଏକାନ୍ତ ପରିବେଶ ତାକୁ ସେଇ ସମୟ ଦେଇଥିଲା ।

 

ଏମିତି ବିତୁଥିଲା ରାୟଗଡ଼ାର ସମୟ ।

 

ମାଳବିକାର ବ୍ୟସ୍ତତା ବଢ଼ୁଥିଲା, ସମ୍ପର୍କବି । ଏସବୁ ଭିତରେ ଯେଉଁଠି ଅବସର ରହୁଥିଲା, ତାକୁ ପୂରଣ କରୁଥିଲା ଦେବବ୍ରତ । ସବୁବେଳେ ମଜାକଥା, ପରିହାସ ଏବଂ ଗୋଡ଼ଟଣା ମନ୍ତବ୍ୟ । ଦିନଟାଏ ସେ ଅଫିସ୍‌ ନ ଆସିଲେ ଜଣା ପଡ଼ିଯାଏ ।

 

ଆଜି ଶନିବାର । ସୋମବାର ଦିନ ପଡ଼ିବ ଅଗଷ୍ଟ ପନ୍ଦର । ମାଳବିକା ଆଜି ରାତିରେ ବ୍ରହ୍ମପୁର ଯିବାକୁ ମନ ସ୍ଥିର କରିଛି । ମଝିରେ ତିନିଦିନ ଛୁଟି, ବୁଲି ଆସିବ ।

 

ଛଅ ମାସରୁ ଅଧିକ ସମୟ ହେଇଗଲାଣି । ଆଗ ପରି ବିରକ୍ତ ଲାଗୁ ନାହିଁ ମାଳବିକାକୁ-। କେବଳ ଯାହା ମଝିରେ ମଝିରେ ଅଭିଯୋଗ, ପଦୋନ୍ନତିକୁ ନେଇ ।

 

ବାହାରେ କାହାର ପାଟି ଶୁଭୁଥିଲା । କ’ଣ ହେଇଛି ? ମାଳବିକା କ୍ୟାବିନ୍‌ ଭିତରୁ ବାହାରି ଆସି ପଚାରିଲା । ଦେବବ୍ରତ କହିଲା, “ବ୍ରାଞ୍ଚ ମାନେଜରଙ୍କର ଆକ୍ସିଡ଼େଣ୍ଟ୍‌ ହେଇଯାଇଛି । ବହୁତ ରକ୍ତ ବାହାରିଯାଇଛି ଦେହରୁ । ଆମେମାନେ ଯାଉଛୁ । କିନ୍ତୁ ସମସ୍ୟା ହେଉଚି ସାର୍‌ଙ୍କ ବ୍ଲଡ଼୍ ଗ୍ରୁପ୍‌ । ଇଏ ତ ବ୍ରହ୍ମପୁର କି କଟକ ନୁହେଁ ।”

 

: ତାହାହେଲେ କ’ଣ ହେବ ?

 

: ଆମେ ଯାଇକି ଦେଖୁଛୁ । ଆପଣ ଟିକେ ତାଙ୍କ ଘରକୁ ଫୋନ୍‌ କରି ଜଣାଇ ଦିଅନ୍ତୁ । ବେଶି ସିରିୟସ୍‌ ବୋଲି କହିବେ ନାହିଁ । ତାଙ୍କ ଫୋନ୍‌ ନମ୍ବର ଏଇଠି ରହିଲା ।

 

ଦେବବ୍ରତ ଓ ତା’ର ଅନ୍ୟ ତିନିଜଣ ସହକର୍ମୀ ଡାକ୍ତରଖାନାକୁ ଚାଲିଗଲେ । ମୁହୂର୍ତ୍ତକ ଭିତରେ ଅଫିସ୍‌ରେ ଉଦ୍‌ବେଗ ଏବଂ ଦୁଃଖ ଖେଳିଗଲା । ମାଳବିକାର କମ୍ପ୍ୟୁଟର ବିଭାଗ । ଇଚ୍ଛା ଥାଇବି ସେ ଯାଇପାରିଲା ନାହିଁ । ଦିନ ଦିଇଟାରେ କାଉଣ୍ଟର ବନ୍ଦ ହେଲାପରେ ସେ ଯିବ ।

 

ରାୟଗଡ଼ା ଛୋଟିଆ ସହର । ଅଟୋଟିଏ ଡାକି ସେ ଡାକ୍ତରଖାନା ମୁହାଁ ଚାଲିଲା । ଏ ସମୟରେ ବ୍ରାଞ୍ଚ ମାନେଜରଙ୍କ ପାଖେ ଠିଆହେବା ଉଚିତ । କାଲିକି ହୁଏତ ତାଙ୍କ ପରିବାର ଆସି ପହଞ୍ଚିଯିବେ ।

 

: ଦେବବ୍ରତ ଏପଟ ସେପଟ ହେଉଥିଲା । ମାଳବିକା ତା’ର ଉଦ୍‌ବେଗ ଦେଖି ଜାଣିପାରିଲା ଯେ କିଛି ଗୋଟାଏ ଗୁରୁତର ସମସ୍ୟା ହୋଇଛି । ତାହାହେଲେ କ’ଣ ବ୍ରାଞ୍ଚ ମାନେଜରଙ୍କ ଜୀବନ ବିପଦାପନ୍ନ !

 

ମାଳବିକା ପଚାରିଲା, “କ’ଣ ସିରିୟସ୍‌ ?”

 

: ସାର୍‌ଙ୍କ ବ୍ଲଡ଼୍ ଗ୍ରୁପ୍‌ ବି–ନେଗେଟିଭ୍‌ । ଆମର କାହାର ବି–ନେଗେଟିଭ୍‌ ନୁହେଁ । ଏଇ ଗ୍ରୁପ୍‌ର ରକ୍ତ ମିଳୁ ନାହିଁ ।

 

: କ’ଣ କହିଲ ? ବି–ନେଗେଟିଭ୍‌ ?

 

: ହଁ ।

 

ମାଳବିକା ଉତ୍ସାହିତ ଦିଶିଲା । କହିଲା, “ଚାଲନ୍ତୁ । ମୋର ବ୍ଲଡ଼୍ ଗ୍ରୁପ୍‌ ବି–ନେଗେଟିଭ୍‌ ।”

 

ପରଦିନ ସକାଳୁ ବ୍ରାଞ୍ଚ ମାନେଜରଙ୍କ ଚେତା ଫେରି ଆସିଲା । ଭୁବନେଶ୍ୱରରୁ ତାଙ୍କ ପତ୍ନୀ ଓ ପୁଅ ଆସି ପହଞ୍ଚିଗଲେ । ଦେବବ୍ରତ ସବୁଆଡ଼େ ପ୍ରଚାର କରୁଥାଏ, ମାଳବିକା ମାଡ଼ାମ୍‌ଙ୍କ ଯୋଗୁଁ ସାର୍‌ ଜୀବନ ପାଇଲେ । ମାଡ଼ାମ୍‌ ଯଦି ବ୍ରହ୍ମପୁର ପଳେଇଥାଆନ୍ତେ ତାହାହେଲେ କ’ଣ ପରିସ୍ଥିତି ହୋଇଥାଆନ୍ତା କେହି କହିପାରିବେ ନାହିଁ ।

 

ମାଳବିକା ଏଗୁଡ଼ିକୁ ଅତିରଞ୍ଜନ ବୋଲି ଭାବି କିଛି ମନ୍ତବ୍ୟ ଦେଉ ନଥାଏ ।

 

ଦିନ ଦଶଟାବେଳକୁ ସେ ଗାଧୋଇ ପଡ଼ିଲା । ସାଣ୍ଡ୍ଉଇଚ୍‌ ଏବଂ ଆମ୍‌ଲେଟ୍‌ ତିଆରି କଲା । ବ୍ରାଞ୍ଚ ମାନେଜରଙ୍କ ପିଲାମାନେ ଡାକ୍ତରଖାନାରେ ଥିବେ । ସେମାନଙ୍କ ପାଇଁ ଜଳଖିଆ ନେଇଯିବ ।

 

ସେତିକିବେଳେ ତା’ର ମନେପଡ଼ିଲା, ଅନେକ ବର୍ଷ ସେ ଏମିତି ଭାବପ୍ରବଣ ହୋଇ ଅଫିସ୍‌ ସହଯୋଗୀଙ୍କ ପାଇଁ କାମ କରିଚି । ଏଇ ବ୍ରାଞ୍ଚ ମାନେଜର ଏକଦା ଥିଲେ ତା’ର ସିନିୟର-। ଭଦ୍ରଲୋକ କେବେବି ତା’ ସମ୍ପର୍କରେ ଭଲ ମନ୍ତବ୍ୟ ଦେଉ ନଥିଲେ ।

 

କିନ୍ତୁ ହସିଦେଲା ମାଳବିକା । ତା’ ବୋଉର କଥା ମନେ ପଡ଼ିଲା । ମୋ ଝିଅ ଚନ୍ଦନ କାଠ । ଅଗ କ’ଣ ମୂଳ କ’ଣ, ସବୁଠି ଚନ୍ଦନ ବାସ୍ନା ।

 

ତାକୁ ଦେଖି ଦେବବ୍ରତ ଆନନ୍ଦରେ ଚିତ୍କାର କଲା ଭଳି କହିଲା, “ଆସନ୍ତୁ, ଆସନ୍ତୁ ମାଡ଼ାମ୍‌ । ମୁଁ ଆପଣଙ୍କ ପାଇଁ ଅପେକ୍ଷା କରୁଥିଲି । ମୋ ପାଖେ ଗୋଟେ ଖୁସି ଖବର ଓ ଗୋଟେ ଖରାପ ଖବର ଅଛି । କେଉଁଟା ଆଗେ ଶୁଣିବେ ?

 

: ଖୁସି ଖବର–ମାଳବିକା କହିଲା ।

 

: ଶାନ୍ତନୁବାବୁଙ୍କ ପାଖରୁ ଖବର ଆସିଛି । ତାଙ୍କ ପୁଅର ଚିକିତ୍ସାରେ ଉନ୍ନତି ହେଉଛି । ସେମାନେ ପ୍ରାଥମିକ ଅବସ୍ଥାରେ ସେଠିକି ନେଇ ଭଲ କରିଛନ୍ତି ।

 

: କ’ଣ କହୁଛନ୍ତି ଆପଣ ? ମାଳବିକା ନିଜ କାନକୁ ବିଶ୍ୱାସ କରିପାରୁ ନଥିଲା ।

 

: ସତ । ସେ ବେଶିକରି ଆପଣଙ୍କୁ କହିବାକୁ ଫୋନ୍‌ କରିଥିଲେ । ଆପଣଙ୍କ ମୋବାଇଲ୍‌ କାମ କରୁନାହିଁ କି ?

 

: କରୁଛି ତ ? ମାଳବିକା କହିଲା ଏବଂ ନିଜ ଭ୍ୟାନିଟିବ୍ୟାଗ୍‌ରୁ ଫୋନ୍‌ଟା ଖୋଜି ବାହାର କଲା । ତା’ପରେ ଲାଜେଇ ଯାଇ ଉତ୍ତର ଦେଲା, “ଏଇଟା କେତେବେଳେ ଅଫ୍‌ ହେଇଯାଇଛି ।”

 

: ସେଇଆ ହୋଇଥିବ । ଶାନ୍ତନୁବାବୁ କହୁଥିଲେ, ଡାକ୍ତର ସାମଲ ତାଙ୍କୁ ବହୁତ ସାହାଯ୍ୟ କଲେ ।

 

ମାଳବିକା ଆକାଶକୁ ଅନେଇଲା । ହାତଯୋଡ଼ି ଈଶ୍ୱରଙ୍କୁ ପ୍ରଣାମ କଲା ମନେମନେ । ଶାନ୍ତନୁବାବୁଙ୍କ ପୁଅର ହସହସ ଚେହେରା ଓ ତା’ ବାପା–ମାଆଙ୍କର ଉଦାସ ମୁହଁ ତା’ର ମନେପଡ଼ିଲା ଆଉଥରେ । ସେ ନିଜ କଳ୍ପନାରୁ ହସ ଟିକେ ନେଇ ବାପ–ମାଆ ଯୋଡ଼ିକଙ୍କ ଓଠରେ ଲଗେଇ ଦେବାକୁ ଚେଷ୍ଟା କଲା । ତାକୁ ଖୁବ୍‌ ଭଲ ଲାଗିଲା ।

 

ଏଥର ସେ ପଚାରିଲା, “ଆଉ ଖରାପ ଖବର ?”

 

ଦେବବ୍ରତ ଉତ୍ତର ଦେବା ଆଗରୁ କହିଲା, “ଆପଣ ଆଗେ କୁହନ୍ତୁ, ଦୁର୍ବଳ ଲାଗୁ ନାହିଁ ତ ? କାଲି ଆପଣ ରକ୍ତ ଦେଇ ନଥିଲେ... । ତା’ପରେ ସିନା ଯୋଗାଡ଼ ହେଲା ।”

 

ମାଳବିକା ବ୍ରାଞ୍ଚ ମାନେଜର ବିଶ୍ରାମ ନେଉଥିବା ୱାଡ଼୍‍ ଭିତରକୁ ଗଲା । ତାଙ୍କ ମୁଣ୍ଡ ପାଖ ଝରକାଟି ବନ୍ଦ ଥିଲା । ସେଥିରେ ଝୁଲୁଥିଲା ଗୋଟେ ଶାଗୁଆ ରଙ୍ଗର ପରଦା । ସେ ଯାଇ ପରଦାଟି ଆଡ଼େଇ ଝରକା ଖୋଲିଦେଲା । କୋଠରି ଭିତରକୁ ମେଞ୍ଚାଏ ସକାଳ ପବନ ପଶି ଆସିଲା । ମାଳବିକା ସେଇ ଝରକା ଦେଇ ବାହାରକୁ ଚାହିଁଲା । ରାୟଗଡ଼ା ସହରର ଅନେକ ଅଂଶ ତାକୁ ଦିଶୁଥିଲା । ଦିଶୁଥିଲାବି ମଝିଘରିଆଣୀ ଠାକୁରାଣୀଙ୍କ ମନ୍ଦିର । ସେ ସ୍ଥିର କଲା ଏଇ ମଙ୍ଗଳବାର ଠାକୁରାଣୀଙ୍କ ଦର୍ଶନ ଲାଗି ଯିବ ।

 

ଦେବବ୍ରତ ବ୍ରାଞ୍ଚ ମାନେଜରଙ୍କ ବାଁ ପଟେ ଛିଡ଼ା ହୋଇଥିଲା ।

 

ମାଳବିକା କୋଠରି ବାହାରକୁ ଆସିଲା । ତା’ ପଛେ ପଛେ ଦେବବ୍ରତ । ମାଳବିକା ପଚାରିଲା, “ଆଉ ଖରାପ ଖବରଟା କ’ଣ କୁହ ?”

 

: ମୋର ବଦଳି ଅଡ଼ର୍ ଆସିଯାଇଛି । ବଲାଙ୍ଗୀରରେ ହେଇଛି ମୋର ପୋଷ୍ଟିଂ ।

 

: ଏଇଟା ତ ଭଲ ଖବର । ଆପଣଙ୍କର ଘର ପାଖକୁ ବଦଳି ହୋଇଗଲା । –ମାଳବିକା କହିଲା ।

 

: ହଁ ଯେ, ମାତ୍ର ରାୟଗଡ଼ା ପ୍ରତି ଗୋଟାଏ ମାୟା ଆସିଯାଇଥିଲା ଛଅବର୍ଷ ଭିତରେ । ପ୍ରଥମେ ଯେତେବେଳେ ଏଠିକି ଆସିଥିଲି ଭାରି ବିରକ୍ତ ଲାଗୁଥିଲା । କିନ୍ତୁ ତା’ପରେ ମନ ଆରେଇଗଲା । ଏବେ ରାୟଗଡ଼ା ଛାଡ଼ିବାକୁ ମନ ହେଉ ନାହିଁ ।

 

ମାଳବିକା କିଛି କହିଲା ନାହିଁ । ଦେବବ୍ରତର ବଦଳି ଖବରଟା ଶୁଣି ତାକୁ ଦୁଃଖ ଲାଗୁଥିଲା । ସେ ଭାବୁଥିଲା, ଦେବବ୍ରତ ଯଦି ଏଠି ନଥାନ୍ତା, ତାହାହେଲେ ତାକୁ ଆହୁରି କେତେ ମାସ ସଁବାଳୁଆ ଭଳି ପଡ଼ିବାକୁ ପଡ଼ିଥାଆନ୍ତା । କାହିଁକି ତା’ର ଏତେ ଶୀଘ୍ର ବଦଳି ହେଲା ?

 

ସେ କହିଲା, “ସତରେ ଏଇଟା ମୋପାଇଁ ଦୁଃଖ ଖବର । କିନ୍ତୁ ତୁମେ ଯାଅ । ସେଠିବି କେହି ଦୁଃଖୀ ମଣିଷ ଥିବେ । ନହେଲେ ସେଠିକି ତୁମର ବଦଳି ହୋଇ ନଥାନ୍ତା ।”

 

: ମାଡ଼ାମ୍‌, ଆପଣ ଏତେ ଭାବପ୍ରବଣ ? ମୁଁ କ’ଣ ଅବତାର ନା କ’ଣ ?–ଦେବବ୍ରତ ହସି ହସି କହିଲା ।

 

ମାଳବିକା ସତରେ ଭାବପ୍ରବଣ ହୋଇ ପଡ଼ୁଥିଲା । କହିଲା, “ତମର ମନେଅଛି, ମୁଁ ଯେତେବେଳେ ଏଠି ଆସି ଜଏନ୍‌ କରିଥିଲି ସେତେବେଳେ ତମେ ପ୍ରଥମ ଦିନ ଆସି ପଚାରିଥିଲ, ‘ସଁବାଳୁଆଠେଇଁ କ’ଣ ଲକ୍ଷଣ ଥାଏ ଯେ ତାକୁ ଦେଖି ଜାଣିହେବ ସେଇଟି ଦିନେ ହେବ ପ୍ରଜାପତି-।’ ସେଦିନ ମୁଁ କିଛି କହି ନଥିଲି । କହିବାର ଇଚ୍ଛା ନଥିଲା । କିନ୍ତୁ ବିଶ୍ୱାସ କର, ତୁମରି ପରି ମଣିଷଙ୍କୁ ଦେଖିବା ଲାଗି ବୋଧହୁଏ ସଁବାଳୁଆ ତା’ ଖୋସା ଭିତରୁ ବାହାରି ଆସି, ପ୍ରଜାପତି ହୁଏ-।”

 

ଦେବବ୍ରତ ଏକଥା ଶୁଣି ହସିଦେଲା ।

 

ମାଳବିକାବି ।

 

ତାକୁ ରାୟଗଡ଼ା ଭଲ ଲାଗିବାକୁ ଆରମ୍ଭ କରିଥିଲା ।

☆☆☆

 

Unknown

କାନ୍ଧ

 

ପଚାଶ ସରିକି ମିଣିପ–ମାଇପେ, ଟୋକା–ବୁଢ଼ା ହାଁ କରି ଅନେଇଛନ୍ତି, ବୈରାଗୀ ରାଉତ ଓ ତା’ ସ୍ତ୍ରୀ ମନ୍ତ୍ରୀଙ୍କ ମେଲା ଘରକୁ ଡକରା ପାଇଲେ । ସେମାନେ ହାଁ କରି ଅନେଇବାର ଉଦ୍ଦେଶ୍ୟ–ବୈରାଗୀ ରାଉତ ନାମଧ୍ୟେୟ ଲୋକଟି ପ୍ରତି ମନ୍ତ୍ରୀଙ୍କର ଏ ପ୍ରକାର ଅନୁଗ୍ରହ । ତାଙ୍କ ଭିତରୁ ଅନେକ ସିନ୍ଦୂରା ଫାଟିବା ଆଗରୁ ଆସି ଏଠି ଗୁହାରିଆ ପଡ଼ିଛନ୍ତି । କିଏ ଚାନ୍ଦବାଲିରୁ ଆସିଛି ତ କିଏ ଧାମନଗରରୁ । କିଏ ପୁଣି ଗଲା ଚାରିଦିନ ଧରି ପ୍ରତିଦିନ ଆସି ଫେରୁଚି । ସେମାନଙ୍କୁ ଏପର୍ଯ୍ୟନ୍ତ ଡକରା ମିଳି ନାହିଁ; ମାତ୍ର ବୈରାଗୀ ରାଉତ ଜମା ଅଧଘଣ୍ଟା ଆଗରୁ ଆସି ଡକରା ପାଇଗଲା ।

 

ସେମାନଙ୍କ ଆଖିରେ ବୈରାଗୀ ରାଉତ ଏକ ପ୍ରତିଦ୍ୱନ୍ଦ୍ୱୀ ପାଲଟି ଯାଇଥିଲା । ତା’ର ପରିଚୟ, ଗୁଣଗ୍ରାମ ଏବଂ ମନ୍ତ୍ରୀଙ୍କ ବିଶେଷ ଅନୁଗ୍ରହ ଲାଭର ଯୋଗ୍ୟତା ସମ୍ବନ୍ଧରେ ସ୍ୱାଭାବିକଭାବେ ଆଲୋଚନା ଆରମ୍ଭ ହୋଇଯାଇଥିଲା । ମୁରୁକୁଟିଆ ଚେହେରା, ମଳିଛିଆ ଲୁଗାପଟା ଓ ଦରିଦ୍ର ମଫସଲିଆ ଲୋକଟି ପ୍ରତି ମନ୍ତ୍ରୀଙ୍କର ଏ ଧରଣର ଆଦରର ହେତୁ କ’ଣ ?

 

ସକାଳ ପହରୁ କେତେ ନା କେତେ କଥା ଏଠି ଆଲୋଚନାର ପ୍ରସଙ୍ଗ ହୋଇଥିଲା । ଏବେ ତହିଁରେ ବୈରାଗୀ ରାଉତ ପ୍ରସଙ୍ଗ ଯୋଡ଼ିହେଲା । ମନ୍ତ୍ରୀଙ୍କ ପିଅନ ଆସି ସେମାନଙ୍କ ଆଗରେ ବୈରାଗୀ ରାଉତକୁ ତା’ ନାଁ ଧରି ଡାକି ନଥିଲେ ସେମାନେ କେହି ତା’ର ନାଁ ହୁଏତ ଜାଣିପାରି ନଥାନ୍ତେ । ଆଗରୁ ତା’ ସାଙ୍ଗେ ସେମାନଙ୍କର ପରିଚୟ ନଥିଲା, ଭବିଷ୍ୟତରେ ଆଉ ଦେଖାହେବ କି ନାହିଁ ଜଣାନାହିଁ । କିନ୍ତୁ ବର୍ତ୍ତମାନ ପାଇଁ ସିଏହିଁ ତାଙ୍କର ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟି ଥିଲା ।

 

ଏସବୁ ପ୍ରତି ସାମାନ୍ୟ ଧ୍ୟାନ ଦେଲା ନାହିଁ ନିଜେ ବୈରାଗୀ । ଏତେ ସଅଳ ସେ ମନ୍ତ୍ରୀଙ୍କ ପାଖରୁ ଡକରା ପାଇ ଖୁସି ହୋଇଥିଲା । ସେ ଜାଣେ ମନ୍ତ୍ରୀ ସୁରଞ୍ଜନ ସାକ୍ଷାତ ଧର୍ମରାଜ ଯୁଧିଷ୍ଠିର-। ତାଙ୍କ ଦରବାରରୁ କେହି ଖାଲି ହାତରେ ଫେରେ ନାହିଁ । ସିଏ ତ ନିଜେ ପଚିଶବର୍ଷ ହେଲା ଦେଖୁଛି । ତାକୁ ବେଶି ଭଲ ଲାଗୁଥିଲା ଯେ ତା’ ସ୍ତ୍ରୀ ସାଙ୍ଗରେ ଥିଲାବେଳେ ସେ ମନ୍ତ୍ରୀଘରେ ଏ ପ୍ରକାର ଆଦର ବ୍ୟବହାର ପାଇଲା । ତା’ ସ୍ତ୍ରୀ ଆଗରୁ କେବେ ଏଠିକି ଆସି ନଥିଲା-। ଏଇ ପ୍ରଥମ-। ମନ୍ତ୍ରୀଙ୍କ ବ୍ୟବହାର ଦେଖି ତା’ ଆଖିରେ ଯେ ସେ ଆଉ ଦି’ ଆଙ୍ଗୁଳି ଉଚ୍ଚ ହୋଇଯାଇଥିବ ଏକଥା ବୈରାଗୀ ରାଉତ ଅନୁମାନ କରିପାରୁଥିଲା । ସେ ପଛକୁ ଅନେଇ ଦେଖିଲା, ଗୋବିନ୍ଦର ମା’ ଖୁସି ଦିଶୁଥିଲା ।

 

ବୈରାଗୀ ରାଉତ ମନ୍ତ୍ରୀ ସୁରଞ୍ଜନଙ୍କ ନିର୍ବାଚନ ମଣ୍ଡଳୀର ବିଶ୍ୱସ୍ତ କର୍ମୀ । ଏମିତି ତ ଅନେକ କର୍ମୀ ଅଛନ୍ତି, କିନ୍ତୁ ବୈରାଗୀ ସ୍ୱତନ୍ତ୍ର । ମାସରେ ପନ୍ଦର ଦିନ ସେ ଭୁବନେଶ୍ୱର ପଳେଇ ଆସେ ଖାସ୍‌ ମନ୍ତ୍ରୀଙ୍କ ଡକରା ପାଇ । ତା’ ସାଙ୍ଗକୁ ନିର୍ବାଚନ ମଣ୍ଡଳୀର ଯେତେକ ଛୋଟମୋଟ କାମ ସବୁ ତା’ ଜିମା । ଦରକାର ପଡ଼ିଲେ ସେ ମନ୍ତ୍ରୀଙ୍କ ଲାଗି ନିଜ ଜୀବନ ଦେଇ ଦେବ, ଏକଥା ସମସ୍ତେ ଜାଣନ୍ତି । ସେଥିପାଇଁ କର୍ମୀ ମହଲରେ ତା’ର ବିଶେଷ ଆଦର । ତା’ ଭଳି ସଚ୍ଚୋଟ, ବିଶ୍ୱସ୍ତ ଏବଂ କର୍ମଠ କର୍ମୀ ଆଜିକାଲି ବିରଳ ବୋଲି ମନ୍ତ୍ରୀ ନିଜେ କହନ୍ତି ।

 

ପରଦା ଆଡ଼େଇବାବେଳେ ବୈରାଗୀ ରାଉତ ନିଃଶ୍ୱାସ ପରଖି ଦେଖିଲା, ଡାହାଣ ପୁଡ଼ାରେ ଚାଲୁଛି । ଭଲବେଳା । ସେ ଅନେଇଲା, ଡଉଲଡ଼ାଉଲ ମନ୍ତ୍ରୀ ଝୁଲଣାରେ ବସିଛନ୍ତି । ଦିଶୁଛନ୍ତି ସାକ୍ଷାତ ଗଣେଶ ପରି । ରଜା ଲୋକ ସେ, ଚେହେରାବି ସେମିତି । ସାରା ରାଜ୍ୟର ମନ୍ତ୍ରୀ-। ତା’ ସାଙ୍ଗକୁ ଖଣି, ଚିଙ୍ଗୁଡ଼ି, ଗାଡ଼ି ମଟର, ସ୍କୁଲ୍‍–କଲେଜ, କୋଉ ବ୍ୟବସାୟ ବଣିଜ ତାଙ୍କର ନାହିଁ-? ସେ ଐରାବତ ହସ୍ତୀ । ମନ୍ତ୍ରୀ ହେଲେ ଲକ୍ଷେ, ନହେଲେ ଲକ୍ଷେ । ସେଇଥିପାଇଁ ମନ୍ତ୍ରୀ ସୁରଞ୍ଜନ ନିର୍ବାଚନରେ ହାରିଗଲା ପରେବି ଲୋକେ ତାଙ୍କୁ ‘ମନ୍ତ୍ରୀ’ ବୋଲି ଡାକିବା ବନ୍ଦ କରନ୍ତି ନାହିଁ-। ବୈରାଗୀ ତା’ ସ୍ତ୍ରୀକୁ ଇସାରା ଦେଲା–ଦଣ୍ଡବତ ହୁଅ । ସାକ୍ଷାତ ଧର୍ମରାଜ । କହୁଥିଲୁ ପରା ମନ୍ତ୍ରୀଙ୍କୁ ଦେଖିବୁ, ହେଇ ଦେଖ୍‌ ।

 

ବୈରାଗୀକୁ ଦେଖିବାକ୍ଷଣି ହସହସ ବଦନରେ ମନ୍ତ୍ରୀ ଡାକ ପକେଇଲେ, “ବୈରାଗୀ ଆଉ ତା’ ସ୍ତ୍ରୀ ଆସିଛନ୍ତି” ଓ ମୁହଁ ଫେରେଇ ସେ ଦୁହିଁଙ୍କୁ କହିଲେ, “ବସ ।”

 

ତଳେ ନରମ କାର୍ପେଟ୍‌ । ଘର ଭିତରଟା ଶୀତଦିନ ପରି ଥଣ୍ଡା । କାନ୍ଥ କଡ଼କୁ ଲାଗି ପାଞ୍ଚଟି ନରମ ଗଦି ଚଉକି ପଡ଼ିଛି । ଏଥିରେ ବସିବାକୁ ସେମାନଙ୍କର ସାହସ ହେଉ ନଥିଲା । ମନ୍ତ୍ରୀ ବାଧ୍ୟ କଲେ, “ତୁମେ ଆମର ନିଜର ଲୋକ, ବସୁନ କାହିଁକି ? ତୁମେ କ’ଣ ପର ହେଇଛ ?”

 

: ଆପଣ ବାବୁ ଧର୍ମରାଜ ଯୁଧିଷ୍ଠିର–ହୃଦୟର ଉଦ୍‌ବେଳିତ ଭାବରାଜିକୁ ମାଇନର୍ ପଢ଼ା ବୈରାଗୀ ଏହିଭଳି ଗୋଟିଏ ବାକ୍ୟରେ ପ୍ରକାଶ କଲା । ସ୍ୱାମୀ–ସ୍ତ୍ରୀ ଦିହେଁ ଯାକିଯୁକି ହୋଇ ଦୁଇଟି ଚଉକିରେ ବସିଲେ । ଖୁବ୍‌ ଅପ୍ରସ୍ତୁତ ମନେ କରୁଥିଲେ ଦିହେଁ ।

 

ଦିଇଟି ପ୍ଲେଟ୍‌ରେ ଯୋଡ଼ିଏ ଲେଖାଁ ଗୋଲାପଜାମୁ ଆଣି ମନ୍ତ୍ରୀଙ୍କ ଚାକର ସେମାନଙ୍କ ଆଗରେ ଥୋଇଦେଇ ଗଲା । ସାଙ୍ଗରେ ଦିଇଟି ଚକ୍‌ଚକ୍‌ କାଚ ଗିଲାସରେ ଥଣ୍ଡା ପାଣି ।

 

ବାହାରେ ଗୁହାରିଆଙ୍କ ଭିଡ଼, ଗୋଳଚହଳ, ଧୂଳି, ଝାଳ, ଉତ୍କଣ୍ଠା ଓ ଉଷ୍ମତା । ଭିତରେ ସବୁ ଶାନ୍ତ, ଶୀତଳ, ମିଠା ଓ ଧୀରସ୍ଥିର । ମନ୍ତ୍ରୀ ସୁରଞ୍ଜନ ଝୁଲଣାରେ ଧୀରେ ଧୀରେ ଝୁଲୁଥିଲେ । ତାଙ୍କ ମୁଖମଣ୍ଡଳରେ କୌଣସି ଚିନ୍ତା ନଥିଲା ।

 

ବୈରାଗୀ ରାଉତ ପକେଟ୍‌ରୁ ଗୋଟିଏ ମାଟିଆ ଲଫାଫା ବାହାର କରି ସୁରଞ୍ଜନଙ୍କ ହାତକୁ ବଢ଼େଇ ଦେଲା । କହିଲା, “ଆପଣଙ୍କ ଉପରେ ବଡ଼ ଭରସା ନେଇ ଦିହେଁ ଗାଁରୁ ଆସିଛୁ । ପୁଅଟି ଇଞ୍ଜିନିୟରିଙ୍ଗ ପଢ଼ିବ ବୋଲି ଆଶା କରିଛି । ପ୍ରବେଶିକା ପରୀକ୍ଷା ତାଲିକାର ଟିକିଏ ତଳକୁ ତା’ ନାଁ ଅଛି । ଏଣୁ ସରକାରୀ କଲେଜରେ ସିଟ୍‌ ପାଇବ ନାହିଁ । ପ୍ରାଇଭେଟ୍‌ବାଲାଏ କିଏ ଚାରିଲକ୍ଷ ତ କିଏ ପାଞ୍ଚଲକ୍ଷ ମାଗୁଛନ୍ତି । ଧୋଇଆ ଅଞ୍ଚଳ ଚାଷୀ ମୁଁ । ସବୁ ବିକାବିକି କରି ଟଙ୍କା ଲକ୍ଷେ ଯୋଗାଡ଼ କରିବି ସିନା; ଚାରି, ପାଞ୍ଚ କୁଆଡ଼ୁ ଆଣିବି ? ଆପଣ ଟିକିଏ କାହାକୁ କହିଦେଲେ ସେମାନେ ପୁଅକୁ ସିଟ୍‌ଟାଏ ଦିଅନ୍ତେ ।”

 

ବୈରାଗୀ ରାଉତ କଥା ସାରିପାରିଲା ନାହିଁ । ଧୋତି କୁଞ୍ଚରେ ଆଖି ପୋଛିଲା । ଏହା ଆଗରୁ ଆଉ କେବେ କାହାରି ଆଗରେ ତାକୁ ଏତେ ନ୍ୟୂନ ହେବାକୁ ପଡ଼ି ନଥିଲା । ନ୍ୟୂନ ହେଉଥିବା ଲୋକଙ୍କ ଉପରେ ସେ ସବୁବେଳେ ଦୟା ଦେଖେଇ ଆସିଥିଲା । ଏଇ ମନ୍ତ୍ରୀଙ୍କ ଘରେ କେତେ ବଡ଼ବଡ଼ିଆଙ୍କୁ ସେ ଦେଖିଥିବ । ଦାମୀ କୋଟ୍‌–ପେଣ୍ଟ ପିନ୍ଧା ଲୋକଗୁଡ଼ିକ, ଜିଆ କି ତେଲୁଣି ପୋକ ପରି ହେଉଥିବେ । ବିଲେଇ କୁକୁର ପରି ବ୍ୟବହାର ଦେଖାଉଥିବେ । ସେତେବେଳେ ସେ ଭାବେ, ବିଧାତା କ’ଣ ଏମାନଙ୍କ ଦେହରେ ଖଣ୍ଡିଏ ହେଲେ ସଳଖ ହାଡ଼ ଖଞ୍ଜିନାହିଁ ! ନହେଲେ ସେମାନେ ଏମିତି ହେଉଛନ୍ତି କିପରି ? ମାତ୍ର ଯୋଗ ଏମିତି ! ଆଜି ତାକୁ ନିଉଛାଳି ହେବାକୁ ପଡ଼ୁଛି ।

 

ବୈରାଗୀ ସ୍ତ୍ରୀ ଯୋଡ଼ିଲା, “ଇଏ ତ ବାବୁ ସାଆନ୍ତଙ୍କ ପାଇଁ ଜୀବନ ଦେବା ଲୋକ । ଗୋଟିଏ ବୋଲି ପୁଅ । ତାକୁ ଆପଣେ କୃପା କରନ୍ତୁ ।”

 

ବୈରାଗୀ ପୁଣି ଯୋଡ଼ିଲା, “ପିଲାଦିନେ ମୋ ବାପା ଚାରିଟଙ୍କା ଦେଇପାରି ନଥିବାରୁ ମୋତେ ଓଝାମାଷ୍ଟ୍ରେ ଚାଟଶାଳିରୁ ବାହାର କରି ଦେଇଥିଲେ । ସେଇଠୁ ପଳେଇ ଯାଇ କଲିକତା ଅପେରା ପାର୍ଟିରେ କାମ କଲି । ଚା’ ଜଳଖିଆ ଦେଲି, ଦୁଆରୀ ହେଲି, ସବୁ ରକମର ପାର୍ଟ୍ କଲି । କିନ୍ତୁ ଆଉ ପାଠ ପଢ଼ିପାରିଲି ନାହିଁ । ପୁଅଟି ଭଲ ପଢ଼ୁଛି । ତାକୁ ଦୟା କରନ୍ତୁ । ସେଇ ଆମର ବୁଢ଼ାବେଳେ ଏକମାତ୍ର ଭରସା । ମୁଁ ଆପଣଙ୍କ ପାଖେ ସଦାଦିନେ ଋଣୀ ରହିଥିବି ।”

 

ମନ୍ତ୍ରୀ ସୁରଞ୍ଜନ ଦୀର୍ଘଶ୍ୱାସ ନେଲେ । କହିଲେ, “ଠିକ୍‌ ଅଛି ଯେ ! ମାତ୍ର ତୁମେ ଇଞ୍ଜିନିୟରିଙ୍ଗ ପଢ଼େଇବା ଲାଗି କାହିଁକି ସ୍ଥିର କଲ ମୁଁ ବୁଝିପାରୁ ନାହିଁ । ସେଥିରେ ଅଧିକ ଟଙ୍କା ଖର୍ଚ୍ଚ । ତୁମେ କୁଆଡ଼ୁ ଆଣିବ ?”

 

ବୈରାଗୀର ସରାଗ ମଉଳିଗଲା । ମନ୍ତ୍ରୀଙ୍କ କଥା ସତ । ଛୋଟିଆ ଚାଷୀ ସେ । ବିଲ କହିଲେ ଦି’ ମାଣ । ସେଥିରେ ପୁଣି ସବୁବର୍ଷ ବନ୍ୟା, ସବୁବର୍ଷ ମରୁଡ଼ି । ବଡ଼ କଷ୍ଟରେ ଖୋରାକି ଗଣ୍ଡାକ ଯୋଗାଡ଼ ହୁଏ । ଆଜିକାଲି ସମସ୍ତେ ଗାଁ ଉନ୍ନତି କଥା କହୁଛନ୍ତି । କିନ୍ତୁ କେହି ଗାଁ ସମସ୍ୟାର ଭିତରକୁ ପଶୁ ନାହାନ୍ତି । ଚାଷୀ ପାଖରେ ତା’ ଦରକାରବେଳେ ବିହନ ନାହିଁ କି ସାର ନାହିଁ । ସେ ଜମି ଚଷିବ କେମିତି ? ହାତଉଧାରି ଋଣ ନେଇ, କଂସାବାସନ ବନ୍ଧା ପକେଇ ତେଲଲୁଣ କିଣିବାକୁ ହଉଛି । ସେଭଳି ଅବସ୍ଥାର ଲୋକ ପୁଅକୁ ଇଞ୍ଜିନିୟରିଙ୍ଗ ପଢ଼େଇବା ଛୋଟା ଲୋକ ପର୍ବତ ଚଢ଼ିବା ପରି ।

 

ବୈରାଗୀ କହିଲା, “ସେଇଥିପାଇଁ ଆପଣଙ୍କ ପାଖକୁ ଧାଇଁ ଆସିଛି । କେତେ ଲୋକଙ୍କପାଇଁ ଆପଣ କେତେ ବଡ଼ବଡ଼ କାମ ନ କରିଛନ୍ତି ! ଆପଣଙ୍କ ଦୟା ପାଇଲେ ଗୋବିନ୍ଦ ଗିରି ଲଙ୍ଘିଯିବ । ଜୀବନରେ ତ କେବେ କିଛି ଆପଣଙ୍କୁ ମାଗି ନାହିଁ । ଏଇତକ ପାଇଁ ଦି’ ପ୍ରାଣୀ ଗାଁରୁ ଦଉଡ଼ି ଆସିଛୁ । ଆପଣ ନିରାଶ କରିବେ ନାହିଁ ।”

 

ସୁରଞ୍ଜନ କହିଲେ, “ହଉ, ତୁମେ ଏତେ ବ୍ୟସ୍ତ ହେବା ଦରକାର ନାହିଁ । ଭାବିନିଅ ଯେ ତୁମଲାଗି ସିଟ୍‌ଟିଏ ରିଜର୍ଭ୍ ରହିଛି । ମୁଁ ଆଜି ଦିଲ୍ଲୀ ଯାଉଛି । ତୁମେ ଆସି ମୋତେ ଶୁକ୍ରବାର ଦିନ ଭେଟିବ । ଆଉ ଶୁଣ, ସେମାନଙ୍କର ଏବେ ଉପାର୍ଜନ ସମୟ । ଗୋଟିଏ ଗୋଟିଏ ଇଞ୍ଜିନିୟରିଙ୍ଗ କଲେଜ ବସେଇବା ଲାଗି ସେମାନଙ୍କୁ ତିରିଶ ଚାଳିଶ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ସେମାନେ ବ୍ୟାଙ୍କ୍ ଋଣ ଆଣି କଲେଜ ବସେଇଛନ୍ତି । ତେଣୁ ତାଙ୍କ କଥାବି ବୁଝିବାକୁ ପଡ଼ିବ ।”

 

ବୈରାଗୀ ରାଉତ କହିଲା, “ବାବୁ, ଆପଣଙ୍କ ଛଡ଼ା ଆମର ଆଉ କେହି ସାହାଭରସା ନାହାନ୍ତି । ଆପଣଙ୍କର ପଦେ କଥା ଉପରେ ନିର୍ଭର ପୁଅର ସାରା ଜୀବନ ।”

 

: ହଉ, ହଉ । ତୁମ ଉପକାର କ’ଣ ମୁଁ ଭୁଲିପାରିବି ? ତୁମେ ନଥିଲେ ତ ଆନନ୍ଦପୁରର ସେ ଖଣ୍ଡାଚୋଟ ମୋ ବେକରେ ବସିଥାନ୍ତା । ତା’ଛଡ଼ା ସବୁ ନିର୍ବାଚନରେ ତୁମେ ତୁମ କାମଦାମ ଛାଡ଼ି ମୋପାଇଁ ଖଟିଛ । ଏବେବି ଜରୁରୀ କାମ ଲାଗି ମୁଁ ତୁମ ଉପରେ ନିର୍ଭର କରେ । ଏହାପରେ କିଛି ସମୟ ରହି ମନ୍ତ୍ରୀ ପୁଣି କହିଲେ, “ଆଚ୍ଛା, ତୁମ ଗାଁ ପାଖରୁ ବିଜୟପାଟଣା କେତେ ବାଟ ?”

 

: ଏଇ ବାର ଚଉଦ କିଲୋମିଟର ହେବ । –ବୈରାଗୀ ଉତ୍ତର ଦେଲା ।

 

: ତାହାହେଲେ ଗୋଟାଏ କାମ କରିବ । ଯିବା ଆଗରୁ ମାଆଙ୍କଠାରୁ ବୁଝିଯିବ । ସେଠୁ ଜଣେ ସାଧୁ ଆସିବା କଥା । ଅନେକ ଦିନ ହେଲା ଚେଷ୍ଟା କରୁଛି, ତାଙ୍କୁ ଆଣିପାରୁ ନାହିଁ । ତୁମକୁ ଦେଖି ଭଲ ଲାଗିଲା । ତୁମେ ଯାଇ ସେ ଲୋକଙ୍କୁ ମୁଁ ଡକେଇଥିବା ଖବରଟା ଦେଇଦେବ ।

 

ବୈରାଗୀ ରାଉତ ଖୁସି ହେଲା । ମନ୍ତ୍ରୀ ତା’ର ସବୁ ଉପକାର ମନେ ରଖିଛନ୍ତି । ଆଜିକାଲି କିଏ କାହା କଥା ମନେରଖୁଛି ! ପୁଣି ନୂଆ ଦାୟିତ୍ୱ ତା’ ଜିମା ଦେଲେଣି । ସେ ସେତିକି ବିଶ୍ୱସ୍ତ ବୋଲି ସିନା ! ନହେଲେ କ’ଣ ମନ୍ତ୍ରୀଙ୍କୁ ଲୋକ ଅଭାବ ?

 

ମନ୍ତ୍ରୀ ଝୁଲଣରୁ ଉଠି ପଡ଼ିଲେ ।

 

ବୈରାଗୀ କହିଲା, “ଅନେକ ଲୋକ ମେଲାଘରେ ବାବୁଙ୍କୁ ଅପେକ୍ଷା କରୁଛନ୍ତି ।”

 

ସୁରଞ୍ଜନ ତାକୁ ଅନେଇଲେ । ମୁରୁକି ହସି କହିଲେ, “ହଉ ।”

 

।। ଦୁଇ ।।

 

ଗାଁ ଫେରନ୍ତା ରାସ୍ତାରେ ବୈରାଗୀ ରାଉତର ପାଦ ମାଟିରେ ପଡ଼ୁ ନଥିଲା । ତା’ ପୁଅ ଇଞ୍ଜିନିୟରିଙ୍ଗ ପାଠ ପଢ଼ିବ, ଇଞ୍ଜିନିୟର୍ ହେବ, ଇଏ କ’ଣ କମ୍‌ ଗର୍ବର କଥା ! ତାଙ୍କ ଗାଁ କ’ଣ, ଏ ନନ୍ଦପୁର ପଞ୍ଚାୟତରେ କେହି ଜଣେ ହେଲେ ଇଞ୍ଜିନିୟର୍ ନାହାନ୍ତି । ମାଗୁଣି ରାଉତ ପୁଅ ବୈରାଗୀ ରାଉତ, ତା’ ପୁଅ ଗୋବିନ୍ଦ ହେବ ଇଞ୍ଜିନିୟର୍ । ଯାହାର ଜେଜେବାପା ପାଖରେ ଗୋବେ ବୋଲି ଜମି ନଥିଲା, ମୂଲ ଲାଗି ଚଳୁଥିଲା, ଯାହାର ବାପ ନାଟ ଦଳରେ ହୋଇଥିଲା ଦୁଆରୀ, ସେଇ ଗୋବିନ୍ଦ ଗାଡ଼ି ମଟର ଚଢ଼ି ବୁଲିବା ଓ ବଡ଼ କୋଠାଘରେ ରହିବ, ଉଡ଼ାଜାହାଜରେ ଉଡ଼ିବ, ସେସବୁ ଚିନ୍ତା କଲାବେଳେ ବୈରାଗୀ ରାଉତର ଦୁଇ କାନ୍ଧରୁ ଦିଇଟି ଡେଣା କୁଆଁ ମେଲଉଥିଲା । ସେ ଡଗଡ଼ଗ ହୋଇ ଧାଇଁ ଯାଉଥିଲା । ତା’ ସ୍ତ୍ରୀ ତା’ ସାଙ୍ଗରେ ତାଳଦେଇ ଚାଲି ନ ପାରି ପଛରେ ରହିଯାଉଥିଲା ।

 

ଘରେ ପହଞ୍ଚି କିଛି ଗଣ୍ଡାଏ ଖାଇ ସେ ବିଜୟପାଟଣା ବାହାରିଯିବ । ସେଇଠି ସେ ବାବା ପରମାନନ୍ଦଙ୍କୁ ଭେଟିବ । ପରମାନନ୍ଦ ବାବାଙ୍କ ଆଶ୍ରମ ଯାଏଁ ଭଲ ରାସ୍ତା ନାହିଁ । ମନ୍ତେଇ ନଈକୂଳରୁ ସାତ ମାଇଲ ଅମଡ଼ା ରାସ୍ତାରେ ଚାଲି ଚାଲି ଯିବାକୁ ପଡ଼ିବ । ସେଇ ବାଟଟା ଟିକିଏ ସମସ୍ୟା । କିନ୍ତୁ କ’ଣ କରିବ ? ଯାହାହେଲେବି ତାକୁ ଯିବାକୁ ପଡ଼ିବ । ମନ୍ତ୍ରୀଙ୍କ କଥା, ସେଥିରେ ହେଳା କଲେ ଚଳିବ ନାହିଁ ।

 

ମନ୍ତ୍ରୀ ସୁରଞ୍ଜନଙ୍କର ବାବା–ମାତାଙ୍କ ଉପରେ ଅସମ୍ଭବ ଭରସା । ଦେଶର ଏଭଳି କୌଣସି ମଠ କି ମନ୍ଦିର, ବାବାଜି କି ମାତାଜୀ, ଗୁଣିଆ କି ସାଧକ ନଥିବେ ଯୋଉଠିକି ସେ ଯାଇ ନଥିବେ । ବେକରେ, ହାତରେ, ଅଣ୍ଟାରେ ନାନା ରକମର ତାବିଜ୍ । ଦି’ ହାତରେ ଆଠଟି ପଥରବସା ମୁଦି । ସବୁ ମୁଦି ଅଲଗାଅଲଗା ଗ୍ରହପାଇଁ । ଏହି କାମରେ ବୈରାଗୀ ମନ୍ତ୍ରୀଙ୍କର ଜଣେ ବିଶ୍ୱସ୍ତ ଲୋକ । କେଉଁଠି ପୋଖରୀରୁ ମାଛ ଆଣି ନଈରେ ଛାଡ଼ିବ, ଗାଁରୁ ବଣି ଆଣି ନନ୍ଦନକାନନରେ ଉଡ଼େଇବ, କୋଉଠି ପିମ୍ପୁଡ଼ି ଗାତ ଖୋଜି ଖୋଜି ଯାଇ ତା’ ମୁହଁରେ ଚିନି ଢାଳିବ ଏବଂ କେଉଁଠୁଁ ବୁଲା ଗାଈଗୋରୁଙ୍କୁ ଆଣି ତାଙ୍କୁ ଭାତଡ଼ାଲି ପରଶିବ ସେ ଦାୟିତ୍ୱ ମନ୍ତ୍ରିଆଣୀ ତା’ ଉପରେ ଦେଇଥାଆନ୍ତି । ଆଗରୁ ପାଞ୍ଚ ସାତବର୍ଷ ତଳେ ଭରତ ଏସବୁ କଥା ବୁଝୁଥିଲା । ଅଲକ୍ଷଣାଟି ସବୁବେଳେ ମନ୍ତ୍ରିଆଣୀଙ୍କଠାରୁ ମିଛ ସତ କହି ପାଆଁଶ, ହଜାରେ ହାତେଇଲା । ମନ୍ତ୍ରିଆଣୀଙ୍କର ଲକ୍ଷ୍ମୀ ଭଣ୍ଡାର । ଲକ୍ଷ ଲକ୍ଷ, କୋଟି କୋଟି ଅଛି । ତା’ ବୋଲି ଭରତ ସାହୁ ଧର୍ମରାଜଙ୍କ ପରି ବାବୁ ଓ ଲକ୍ଷ୍ମୀ ସାଆନ୍ତାଣୀ ପରି ମାଆଙ୍କୁ ଭଣ୍ଡିବା ତ ଠିକ୍‌ ନୁହେଁ !

 

ବାବୁଙ୍କର ଚନ୍ଦକା ପ୍ଲଟ୍‌ରେ ଭରତ ସାହୁର ରହିବା ବ୍ୟବସ୍ଥା ହୋଇଥିଲା । ବିରାଟ ଜାଗା-। ତା’ ଭିତରେ ପୋଖରୀ ଓ ଚାଷଜମି । ଭରତ ସାହୁ କିଛିଦିନ ହାଟରୁ ଶାଗ ଓ ଛତୁ କିଣିଆଣି ପ୍ରଚାର କଲା, ସେ ମନ୍ତ୍ରୀଙ୍କ ଜାଗାରେ ଚାଷ କରିଛି । ମନ୍ତ୍ରିଆଣୀ ଖୁସି ହୋଇ ତାକୁ ଟଙ୍କା ଦି’ ଚାରି ହଜାର ଦେଇଥିଲେ । ତା’ପରେ ଫି ସପ୍ତାହକୁ ସପ୍ତାହ ସେଇ ସୁଆଙ୍ଗ । ଦିନେ ବୈରାଗୀ ଯାଇ ଦେଖେ ତ ଶାଗ ପଟାଳି ନାହିଁ କି ଛତୁ ଚାଷ ନାହିଁ । ଭରତ ସାହୁ ଗଞ୍ଜେଇ ଭିଡ଼ି ଢୁଳଉଥାଏ-। ସେ ଏ ଖବରଟା ମନ୍ତ୍ରୀଙ୍କ ପାଖେ ପହଞ୍ଚେଇବ ବୋଲି ଭାବୁଛି, ସେପଟେ ଭରତ ସାହୁ କିପରି ଖବର ପାଇଲା କେଜାଣି ଆଗତୁରା ମନ୍ତ୍ରିଆଣୀଙ୍କ ପାଖରେ ଆସି କନ୍ଦାକଟା ଲଗେଇଦେଲା-। କୁଆଡ଼େ ବୁଲାଗାଈ ଓ ବଳଦ ପଶି ତା’ର ବର୍ଷ ବର୍ଷ ଯତ୍ନର ଶାଗ ପଟାଳି, କଦଳୀ ଗଛ ଓ ଛତୁ ଚାଷ ନଷ୍ଟ କରିଦେଲେ । ତା’ କଥା ଶୁଣି ସେଦିନ ବୈରାଗୀ ହସିବ ନା କାନ୍ଦିବ ସ୍ଥିର କରିପାରି ନଥିଲା-

 

ଏ ଘଟଣା ପରେ ମନ୍ତ୍ରିଆଣୀ ବୈରାଗୀକୁ ଯାଇ ଚନ୍ଦକା ଜାଗାରେ ରହିବାକୁ କହିଥିଲେ-। କିନ୍ତୁ ସେ ନିଜର ଗାଁ ଚାଷବାସ ଛାଡ଼ି କେମିତି ବା ସବୁଦିନେ ଭୁବନେଶ୍ୱରରେ ରହିଥାନ୍ତା-? ମନ୍ତ୍ରୀ କହୁଥିଲେ, ବୈରାଗୀ ତା’ ପିଲାଛୁଆଙ୍କୁ ଚାହିଁଲେ ଭୁବନେଶ୍ୱରକୁ ନେଇ ଆସିପାରିବ-। କିନ୍ତୁ ସେମିତି ରହିବାପାଇଁ ତା’ ପୁଅ ମନା କରିଥିଲା । ସବୁ ଯାଉ ମହତ ଥାଉ–ପୁଅ କହିଥିଲା-। ବୟସରେ ସାନ ହେଲେ କ’ଣ ହେବ, ପୁଅ ମୁଣ୍ଡରେ ଅନେକ ବୁଦ୍ଧି ।

 

ବୈରାଗୀ ପାଖରେ ଟଙ୍କା ଚାଳିଶି ହଜାର ଅଛି । ମନ୍ତ୍ରୀ ଯଦି ଲକ୍ଷେ ଟଙ୍କାକୁ ଦି’ କିସ୍ତିରେ ଦେବା ବ୍ୟବସ୍ଥା କରି ଦିଅନ୍ତେ ତାହାହେଲେ ତା’ର ସମସ୍ୟା ହାଲୁକା ହୋଇଯାଆନ୍ତା । ଯଦି ଏକାଥରେ ସବୁ ଦେବାକୁ ପଡ଼ିବ ତାହାହେଲେ ଅସୁବିଧା । ବାଟ ଚାଲୁ ଚାଲୁ ବୈରାଗୀ କୋଉଠୁ ଆଉ ଟଙ୍କା ଯୋଗାଡ଼ କରିବ ତା’ର ହିସାବ କରୁଥିଲା । ଆଷାଢ଼ ମାସରେ ଜମି ବିକି ପାରିବ ନାହିଁ । ଏ ବେଳେ କାହା ପାଖରେ ବା ଟଙ୍କା ଥିବ ? ଗୋବିନ୍ଦ ବୋଉର ଗହଣା କେଇପଟ ଭିନ୍ନ ଆଉ ଘରେ କିଛି ସମ୍ବଳ ନାହିଁ । କିନ୍ତୁ ଯାହା ହେଉନା କାହିଁକି ସେ ପୁଅକୁ ପଢ଼େଇବ । ଏ ସୁନା, ଜମି, ବଳଦ–ଏସବୁର କିଛି ମୂଲ୍ୟ ନାହିଁ । ପାଠ ଏକା ସବୁଠୁ ବଡ଼ । ଗୋଟିଏ ପିଲା ମଣିଷ ହୋଇ ବାଟ ଚାଲିଲେ ସବୁ ଫେରି ଆସିବ ।

 

ମନ୍ତ୍ରୀ ସୁରଞ୍ଜନଙ୍କ ସାଙ୍ଗେ ତା’ର ସମ୍ପର୍କପାଇଁ ସେ ଗର୍ବ କରୁଥିଲା । ସେ ତା’ ଜୀବନ ଦେଇ ମନ୍ତ୍ରୀଙ୍କପାଇଁ କାମ କରିଥିଲା ବୋଲି ସିନା ଆଜି ମନ୍ତ୍ରୀ ତା’ ପୁଅ କଥା ବୁଝିବାକୁ ନିର୍ଭର ପ୍ରତିଶ୍ରୁତି ଦେଲେ ! ଶହ ଶହ ଲୋକ ଅପେକ୍ଷା କରି ଥାଉଁଥାଉଁ ତାକୁ ହଠାତ୍‌ ଡକରା ପଡ଼ିଲା–ଏଇଟା କ’ଣ କମ୍‌ କଥା ! ନହେଲେ ମନ୍ତ୍ରୀ କିଏ, ସେ କିଏ ? ତା’ ଭଳିଆ କର୍ମୀ ତାଙ୍କ ଚାକରବାକରଙ୍କଠାରୁବି ହୀନ ।

 

ଗାଁ ଆଡ଼ୁ ତେଜରାତି ଦୋକାନୀ ଶରତ ସାହୁ ଆସୁଥିଲା । ବୈରାଗୀର ଚାଲିରୁ ବୋଧହୁଏ ସେ ବୁଝିନେଲା ଯେ ବୈରାଗୀ ଖୁବ୍‌ ଖୁସି ଅଛି । କହିଲା, “ଓଳଗି, ବଇରାଗୀ ଭାଇ । ତମେ ତ ମନ୍ତ୍ରୀଙ୍କ ଖାସ୍‌ ଲୋକ । ତମର କ’ଣ ଅସୁବିଧା ? ପୁଅର ଆଡ଼୍‍ମିସନ୍‌ ହେଇଗଲା ତ !”

 

: ରାମ୍‌, ରାମ । ସବୁ ଆଗଚଲା କଥା ତୋଅରି ପାଖରେ । ମୂଳରୁ ପରା କାଉନ୍‌ସେଲିଂ ସରି ନାହିଁ, ଆଡ଼୍‍ମିସନ୍‌ ହେଲା କେମିତି ? –ବୈରାଗୀ କହିଲା ।

 

: କାଉନ୍‌ସେଲିଂ–ସିଏ ପୁଣି କ’ଣ ?

 

“ଓହୋ–ବାଟ ମଝିରେ ମୁଁ ତୋତେ ଏତେ କଥା କହିପାରିବି ନାହିଁ । ପଛରେ କଥା ହେବା ।” ଶରତ ସାହୁର ଅଜ୍ଞତାକୁ ଦୟା କରିବା ଭଳି ବୈରାଗୀ କହିଲା । ଶରତ ସାହୁ ନିଜେବି ଅପ୍ରସ୍ତୁତ ମନେ କଲା । ସେ ଆଉ କିଛି ନ ପଚାରି ‘ହଉ, ହଉ କଥା ହେବା’ କହି ଚାଲିଗଲା ।

 

ବୈରାଗୀର ସ୍ତ୍ରୀ କହିଲା, “ମନ୍ତ୍ରୀଙ୍କର ବଡ଼ବଡ଼ିଆ କଥା । ସଦାଦିନେ ଶହ ଶହ ଲୋକଙ୍କ କଥା ବୁଝୁଛନ୍ତି । ଆମର ତ ଆଉ କୋଉଠି କୂଳକିନାରା ଦୁଶୁ ନାହିଁ । ତମେ ପୁଅକୁ ସାଙ୍ଗରେ ଧରି ଯାଆ । ଆଡ଼୍‍ମିସନ୍‌ ସାରି ଫେରିବ ।”

 

: ତା’ କ’ଣ ମୁଁ ବୁଝୁ ନାହିଁ ! ଆଗେ ବାବା ପରମାନନ୍ଦଙ୍କୁ ଖବରଟା ପହଞ୍ଚାଇ ଦେଇ ଆସେ । ତା’ପରେ ପୁଅକୁ ସାଙ୍ଗରେ ନେଇ ଯିବି । –କହୁ କହୁ ବ୍ୟାଗ୍‌ଟା ତଳେ ରଖିଦେଇ ସେ ଅଣ୍ଟା ସଳଖିଲା ।

 

ବୈରାଗୀ ରାଉତର ଅଣ୍ଟା ଦରଜ ବେମାର ଆଠବର୍ଷ ତଳର । ମଝିରେ ମଝିରେ ସେ ଭାରି କଷ୍ଟ ପାଏ । ପ୍ରାଣ ଛାଡ଼ିଗଲା ଭଳି ଲାଗେ ସେତେବେଳେ । ତାଆରି ଭିତରେ ଚାଷବାସ, ଘର ବାହାର ସବୁ କାମ । ଗାଁ ଲୋକେ ଈର୍ଷା କରନ୍ତି । କହନ୍ତି ବୈରାଗୀ ରାଉତର ଉଭା ଯେତେ ପୋତା ସେତେ । କିନ୍ତୁ ଗୋବିନ୍ଦର ମା’ ଜାଣେ, ଉଭା ନାହିଁ କି ପୋତା ନାହିଁ । କାହାରି ପାଖରେ ସେ ମୁହଁ ହାରିବେ ନାହିଁ କି ହାତ ପତେଇବେ ନାହିଁ ।

 

ଗୋବିନ୍ଦର ବୋଉ କହିଲା, “ଏତେଥର ଭୁବନେଶ୍ୱର ଯାଉଛ, ଟିକିଏ ଡାକ୍ତରଙ୍କୁ ଦେଖଉନା କାହିଁକି ? ହଉ ଘରକୁ ଚାଲ, ବିଶଲ୍ୟକରଣୀ ମଲମ ଟିକେ ଲଗେଇଦେବି । ଟିକିଏ ଉଶ୍ୱାସ ଲାଗିବ । ମଙ୍ଗଳା ଠାକୁରାଣୀଙ୍କ ପାଖରେ ମାନସିକ କରିଥିଲି । ପୁଅର କାମଟି ହେଇଗଲେ ମୁଁ ନରେନ୍ଦ୍ରପୁର ଯିବି । ତମେ ଜଲଦି ଜଲଦି ଭୁବନେଶ୍ୱରରୁ ଫେରି ଆସିବ ।”

 

: ତୋର ଯେଉଁ କଥା । ଏପଟେ କହୁଛୁ କାମ ସରିଲା ଯାଏଁ ଅପେକ୍ଷା କରିବ, ସେପଟେ କହୁଛୁ ଜଲଦି ଫେରିଆସିବ । –ନଈ ନ ଦେଖୁଣୁ ନଙ୍ଗଳା ହଅନା । ଆଗେ କାମଟି ସରୁ, ତା’ପରେ ମଙ୍ଗଳା କି ମହାଦେବ ଯାହା ପାଖକୁ ଯିବାର ଯିବୁ । –ବୈରାଗୀ କହିଲା ।

 

।। ତିନି ।।

 

ବାବା ପରମାନନ୍ଦ ମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା ସାରି ଫେରିଯିବାର ତିନି ଦିନ ହୋଇଗଲାଣି । ବୈରାଗୀ ରାଉତ ଗାଁକୁ ଫେରିପାରି ନାହିଁ । ବାବାଙ୍କୁ ସାଙ୍ଗରେ ଧରି ଆସିବା ଦିନ ଥରୁଟେ ମନ୍ତ୍ରୀଙ୍କ ସାଙ୍ଗରେ ଦେଖା ହୋଇଥିଲା । ମନ୍ତ୍ରୀ ତାକୁ ଦେଖିଥିଲେ କି ନାହିଁ କିଏ ଜାଣେ, କିନ୍ତୁ କିଛି କହି ନଥିଲେ । ଆଜି ସତେଇଶ ତାରିଖ ହେଲାଣି । ଏକତିରିଶ ଭିତରେ ସବୁ କଲେଜରେ ଆଡ଼୍‍ମିସନ୍‌ ସରିଯିବ । ଗୋବିନ୍ଦ କହୁଥିଲା, ଆସ୍ତେ ଆସ୍ତେ ଭଲ କଲେଜର ସିଟ୍‌ ସରିଯାଉଛି । କମ୍ପ୍ୟୁଟର, ଆଉ କି କି ପାଠ ଉପରେ ଭାରି ଡିମାଣ୍ଡ୍‌ । ଗୋବିନ୍ଦ କମ୍ପ୍ୟୁଟର ପଢ଼ିବା ଲାଗି ଚାହୁଁଥିଲା । ମାତ୍ର ବୈରାଗୀ କ’ଣ କରିବ ? କଥାଟା ସିନା ଛିଣ୍ଡିଲେ ଯାଇ ଯାହା ହେବା । ଅଳପ ପଇସାରେ ଦାମିକା ସିଟ୍‌ ଚାହିଁଲେ ମିଳିବ କୁଆଡ଼ୁ ?

 

ମନ୍ତ୍ରୀ ସୁରଞ୍ଜନଙ୍କ ଉପରେ ତା’ର ପୂର୍ଣ୍ଣ ଭରସା ଅଛି । କେତେ ବର୍ଷର କର୍ମୀ ସେ । କମ୍‌ ଖରାବର୍ଷା, ସହିଛି ସେ ତାଙ୍କପାଇଁ ? ଦିନଦିନ ଧରି ଚୁଡ଼ାଗୁଡ଼ ଖାଇ ସେ ତାଙ୍କ ଲାଗି କାମ କରିଛି । ମନ୍ତ୍ରୀଙ୍କପାଇଁ ବେକ ପାତି ଦେଇଛି ଖଣ୍ଡାଚୋଟ ଆଗରେ । ଆୟୁଷ ଥିଲା ବୋଲି ସିନା ବଞ୍ଚିଗଲା, କିନ୍ତୁ ଖଣ୍ଡାଚୋଟ ଦାଗଟା ଏବେବି ରହିଛି । ଏସବୁ ବଦଳରେ କେବେ କିଛି ସେ ମାଗି ନାହିଁ । ଭରତ ସାହୁ ପରି କର୍ମୀମାନେ ନିର୍ବାଚନବେଳେ ମଦ ମାଉଁସରେ ବୁଡ଼ି ରହନ୍ତି । ଜିପ୍‌, ଟ୍ୟାକ୍ସି ଛଡ଼ା ଖାଲି ପାଦରେ ଚାଲନ୍ତି ନାହିଁ । ସବୁ କଥାପାଇଁ ଟଙ୍କା ଲୋଡ଼ନ୍ତି । ମାତ୍ର ବୈରାଗୀ ରାଉତଦ୍ୱାରା ସେସବୁ ହୁଏ ନାହିଁ । ନେତାଙ୍କ ପାଖରୁ ଟଙ୍କା ନେଇ କାମ କରିବ, ସେମିତିକା କର୍ମୀ ସେ ନୁହେଁ । ସେ ମନ୍ତ୍ରୀ ସୁରଞ୍ଜନଙ୍କୁ ସମ୍ମାନ ଦିଏ, ପୂଜା କରେ, ତେଣୁ ତାଙ୍କ ଲାଗି କାମ କରେ ।

 

ମନ୍ତ୍ରୀ ସୁରଞ୍ଜନ ସବୁବେଳେ ମୂଲ୍ୟବାନ କଥା କହନ୍ତି । ଦିଅଁଦେବତାଙ୍କୁ ଭକ୍ତି କରନ୍ତି । ମଠ ମନ୍ଦିରକୁ ଦାନ ଦିଅନ୍ତି । ତାଙ୍କର କଥା ଏପଟ ସେପଟ ହୁଏ ନାହିଁ । ବୈରାଗୀର ଆଶା ଅଛି, ସେ ନିଶ୍ଚୟ ତା’ କଥା ବୁଝିବେ ।

 

ମନ୍ତ୍ରୀଙ୍କ ମେଲା ଘରଟାରେ ସେ ବସିଛି । କେତେ ଲୋକ ଦେଖାକରି ଗଲେଣି । ଘରର ସେ କୋଣରେ ବୁଢ଼ାଟିଏ ଆଉ ତିନି ଜଣ ସ୍ତ୍ରୀଲୋକ । ସେଇମାନେ ଯାହା ସକାଳୁ ବସିଛନ୍ତି-। ଅନ୍ୟମାନେ ପଛରେ ଆସି ଦେଖାକରି ଗଲେଣି । ମନ୍ତ୍ରୀଙ୍କ ସହକାରୀ ପଟ୍ଟନାୟକବାବୁଙ୍କୁ ସେ ଯାଇ ପାଞ୍ଚ ଥର ପଚାରି ଆସିଲାଣି । ସବୁଥର ଗୋଟିଏ ଉତ୍ତର–‘ମନ୍ତ୍ରୀ ବ୍ୟସ୍ତ ଅଛନ୍ତି-। କ’ଣ ଗୋଟିଏ ଗୁରୁତର କଥା ଆଲୋଚନା କରୁଛନ୍ତି ।’

 

ଏଣେ ଯେ ବୈରାଗୀର ଧୈର୍ଯ୍ୟର ବନ୍ଧ ଭାଙ୍ଗିଯିବାକୁ ବସିଛି ! ସେ କରିବ କ’ଣ ? ତା’ ମନ ଭିତରେ ଉଦ୍‌ବେଗ ଓ ଆଶଙ୍କା । ପୁଅଟା ଗୋଟିଏ ବର୍ଷ ବସି ରହିଲାଣି । ତା’ର ସାଙ୍ଗମାନେ ଆଗକୁ ବର୍ଷେ ବଢ଼ିଗଲେଣି । ଗୋବିନ୍ଦ ଖୁବ୍‌ ଚୁପ୍‌ଚାପ୍‌ ପିଲା । ଉପରକୁ କିଛି କହେ ନାହିଁ, ସବୁକଥା କିନ୍ତୁ ପେଟ ଭିତରେ ରଖିଥାଏ । ଯଦି ନିରାଶ ହୋଇ କୁଆଡ଼େ ପଳେଇ ଯାଏଁ କି କୁଜଙ୍ଗର ସେ ଝିଅ ପରି ଅଘଟଣ କରି ବସେ ତାହାହେଲେ ବୈରାଗୀ ରାଉତର ସଂସାର ବୁଡ଼ିଯିବ-। କୁଜଙ୍ଗର ଝିଅଟିଏ ମାଟ୍ରିକ୍‌ ପ୍ରଥମ ଡିଭିଜନ୍‌ରେ ପାସ୍‌ କରିଥିଲା । କିନ୍ତୁ ତା’ ବାପ କଲେଜରେ ଆଡ଼୍‍ମିସନ୍‌ କରେଇ ନ ପାରିବାରୁ ଝିଅଟି ବେକରେ ଦଉଡ଼ି ଦେଇ ମରିଗଲା । ସେଦିନ ଖବରଟା ଶୁଣି ବୈରାଗୀ ରାଉତ ନିଜେ ଡରିଯାଇଥିଲା ।

 

ବୈରାଗୀ ରାଉତ ପଟ୍ଟନାୟକବାବୁଙ୍କୁ କହିଲା, “ମୁଁ ଯାଉଛି, ମାଆଙ୍କ ପାଖରୁ ଆସେ । ଏଠି ଆଉ କେତେ ସମୟ ବସିବି ?”

 

: ହଉ, ଯାଉନ । ତୁମେ କ’ଣ ନୂଆ ଲୋକ ଯେ ଆମକୁ ପଚାରୁଛ ?

 

ବୈରାଗୀ ଉପରକୁ ଗଲା । ଉପରେ ଚାକରବାକରଙ୍କ ଯା–ଆସ । ମନ୍ତ୍ରୀ କାହାନ୍ତି ? ଭିତରଘର ଆଡ଼ୁ ଭରତ ସାହୁ ଆସୁଥିଲା । ତାକୁ ଦେଖି ଗୋବିନ୍ଦ ଆଶ୍ଚର୍ଯ୍ୟ ହୋଇଗଲା । ଠକ୍, ଫିସାଦିଆ ଭରତ ସାହୁର ଏଠି କାମ କ’ଣ ? ନିଜେ ମା’ କହିଥିଲେ, ତା’ର ମୁହଁ ଆଉ ଚାହିଁବେ ନାହିଁ । ସିଏ ପୁଣି ଏଠି ଆବିର୍ଭାବ ହେଲା କେମିତି ? କିଛିକ୍ଷଣ ଲାଗି ବୈରାଗୀ ତା’ ନିଜ କଥା ଭୁଲି ଭରତକୁ ଚାହିଁଲା ।

 

ଭରତ ପାନ ଚୋବଉ ଚୋବଉ କହିଲା, “କ’ଣ ଆସିଗଲ ? ନିଜେ ତ ଖାଇବ ନାହିଁ କି କାହାକୁ ଖୁଆଇ ଦେବ ନାହିଁ । ହଉ–ହଉ, ତୁମେ ଯାହାସବୁ କରୁଛ, ସେ ଖବର ମୋ ପାଖରେ ଅଛି ଯେ ! ତମେ ଡାଳେ ଡାଳେ ଗଲେ ମୁଁ ପତ୍ରେ ପତ୍ରେ ଯିବା ଲୋକ ।”

 

ବୈରାଗୀ କହିଲା, “ଏଇ ଭରତ ! ଶୁଣ, ଶୁଣ । କୁଆଡ଼େ ଆସିଥିଲୁ ?”

 

: ମୁଁ କାହିଁକି ଆସିବି ବା ? ବାବୁ ଡକେଇଥିଲେ । ତୁ ଜାଣି ନଥିବୁ । ବାବୁ ମୁଖ୍ୟମନ୍ତ୍ରୀ ହୋଇଯାଇ ପାରନ୍ତି । ଆଉ ଗୋଟାଏ ଯଜ୍ଞ ବାକି ଅଛି । ତା’ର ସବୁ ଦାୟିତ୍ୱ ମୁଁ ନେଇଛି । ଏବେ ମୁଁ ଭାରି ବ୍ୟସ୍ତ । ପଛକୁ କହିବି । ନିଃଶ୍ୱାସ ନେବାକୁ ମୋତେ ଟାଇମ୍‌ ନାହିଁ ।

 

ଭରତ ଚାଲିଯିବାକୁ ବାହାରିଥିଲା, ବୈରାଗୀ କହିଲା, “ଏ ଭରତ ! ମନ୍ତ୍ରୀ କାହାନ୍ତି ?”

 

: ତାଙ୍କ ଦେହ ଭଲ ନାହିଁ । ଶୋଇଛନ୍ତି । ତୁ ଉପରଓଳିକୁ ଆସୁ ନାହୁଁ !

 

: କାମଟା ପରା ଜରୁରୀ । ଆଚ୍ଛା, ମା’ କୋଉଠି ?

 

: ସିଏ ମନ୍ଦିର ଯାଇଛନ୍ତି ।

 

: ତାହାହେଲେ ମୁଁ ତଳେ ଯାଇକି ବସେ । ଯେମିତି ହେଲେ ବାବୁଙ୍କୁ ଆଜି ଭେଟିବାକୁ ପଡ଼ିବ । ନହେଲେ ଟାଇମ୍‌ ଗଡ଼ିଯିବ ।

 

: କ’ଣ ଏମିତି ଅର୍ଜେଣ୍ଟିଆ କାମ ପଡ଼ିଛି କି ? ମୋତେ କହୁନୁ ।

 

ବୈରାଗୀ ଟିକିଏ ଭାବିଲା । ଭରତ ଦି’ ଧାରିଆ ଛୁରି । ତା’ର ଏପଟେ ଧାର, ସେପଟେବି । କାଳେ ହେବା କାମଟା ପୁଣି ବିଗିଡ଼ିଯିବ, ସେଥିପାଇଁ ସେ ଡରୁଥିଲା । କହିଲା, “ନାଇଁ, କଥାଟା ଏତେ ଅର୍ଜେଣ୍ଟ ନୁହେଁ । ମୁଁ ପରେ ତୋତେ କହିବି ।”

 

: ଓହୋ, ମୋ ଉପରେ ବିଶ୍ୱାସ ନାହିଁ ପରା ! ହଉ–ହଉ । –ଭରତ କହିଦେଇ ଚାଲିଗଲା ।

 

ବୈରାଗୀ କିଛି ସମୟ ସେଇଠି ଏପଟ ସେପଟ ଚାହିଁ ପୁଣି ତଳକୁ ଓହ୍ଲେଇ ଗଲା । ମନ୍ତ୍ରୀଙ୍କ କୋଠାର ତଳ ମହଲାଟା ଅଫିସ୍‌ । ଉପରମହଲାରେ ସେ ରହନ୍ତି । ତଳ ମହଲାଟା ଯେତିକି ଗହଗହ, ଉପରମହଲାଟା ସେତିକି ଶାନ୍ତ । ତଳେ ଚାକର, ବାକର, ଡ୍ରାଇଭର, ପୂଜାରୀ, ଷ୍ଟେନୋ ଓ ଟାଇପିଷ୍ଟ । ମନ୍ତ୍ରୀ ଗୁହାରିଆମାନଙ୍କୁ ତଳ ଅଫିସ୍‌ ଘରେ ଦେଖା ଦିଅନ୍ତି । କେବଳ ଖାସ୍‌ ଲୋକମାନେ ଯାଆନ୍ତି ଉପରମହଲାକୁ ।

 

ସେ ତଳକୁ ଓହ୍ଲେଇ ଆସି ମେଲାଘରେ ପୁଣି ବସିଲା । ଏକଦମ୍‌ ସକାଳୁ ଚାଲି ଆସିଥିବାରୁ କିଛି ଖାଇ ନଥିଲା । ଏବେ ତାକୁ ଭୋକ ଲାଗୁଥିଲା, ଶୋଷବି । ମନ୍ତ୍ରୀଙ୍କ ଘର ଆଗରେ ଫୁଲ ବଗିଚା । ବଗିଚା ମଝିରେ ଜଳ ଫୁଆରା । ପୋର୍ଟିକୋରେ ବଡ଼ବଡ଼ ଗାଡ଼ି । ପଛପଟୁ ପୋଷା କୁକୁରଗୁଡ଼ାଙ୍କର ଭୁକିବା ଶୁଭୁଛି । ବୈରାଗୀ ଅପେକ୍ଷା କଲା ମନ୍ଦିରରୁ ଫେରିବା ବାଟରେ ମନ୍ତ୍ରିଆଣୀଙ୍କୁ ଦେଖା କରିବ ।

 

ଦିନ ଦିଇଟାବେଳକୁ ମନ୍ତ୍ରୀଙ୍କ ସାଙ୍ଗରେ ବୈରାଗୀର ଦେଖାହେଲା । ସେ ତରତରରେ ଏୟାର୍‍ପୋର୍ଟ ଯିବାବେଳକୁ ବୈରାଗୀ ଭେଟିଲା । ମନ୍ତ୍ରୀଙ୍କ ଦେହ ଖରାପ ନଥିଲା । ଦିଲ୍ଲୀ ଯିବାର ଥିବାରୁ ସେ ଅଫିସ୍‌ ଯାଇ ନଥିଲେ ।

 

ବୈରାଗୀ ପଚାରିଲା, “ସାର୍‌, ପୁଅ କଥା ?” ଏବଂ ଉତ୍ସାହର ସହ ଅପେକ୍ଷା କଲା, ମନ୍ତ୍ରୀ କ’ଣ କହିବେ । ଉଦ୍‌ବେଗ ଯୋଗୁଁ ତା’ ଛାତି ଉଠୁଥାଏ, ପଡ଼ୁଥାଏ । ଗୋଟିଏ ଗୋଟିଏ ମୁହୂର୍ତ୍ତ ଗୋଟିଏ ଗୋଟିଏ ଯୁଗ ପରି ଲାଗୁଥାଏ ।

 

ମନ୍ତ୍ରୀ କହିଲେ, “ଆରେ ଦେଖୁଛ ! ମୁଁ ତୁମ କଥା ସମ୍ପୂର୍ଣ୍ଣ ଭୁଲିଯାଇଛି ।” ଓ ତା’ପରେ ପଟ୍ଟନାୟକଙ୍କୁ ଲକ୍ଷ୍ୟ କରି ଡାକ ପକେଇଲେ, “ଏ ପଟ୍ଟନାୟକ, ବୈରାଗୀଙ୍କ କଥା ଟିପି ରଖ । ମୁଁ ଫେରିବାମାତ୍ରେ ମନେପକାଇବ ।”

 

ଗୋବିନ୍ଦ କହିଲା, “ସାର୍‌, ସାର୍‌ ! ଏକତିରିଶ ତାରିଖ ଲାଷ୍ଟ୍ ଡେଟ୍‌ । ଆଜି ସତେଇଶି । ଆପଣ ଫେରିବାବେଳକୁ ସବୁ ସରିଯାଇଥିବ ।” –ତା’ ସ୍ୱର ବିକଳ ଶୁଭିଲା ।

 

ମନ୍ତ୍ରୀ କହିଲେ, “ତୁମେ ଏତେ ଅଧୈର୍ଯ୍ୟ ହେଉଛ କାହିଁକି ? ଇଞ୍ଜିନିୟରିଙ୍ଗ ନ ପଢ଼ିଲେ କ’ଣ ମହାଭାରତ ଅଶୁଦ୍ଧ ହୋଇଯିବ ? ହେଲା, ସେ ଇଞ୍ଜିନିୟରିଙ୍ଗ ପଢ଼ିବ । ସେମାନଙ୍କର କୋଟା ଥାଏ । ତୁମେ ଯୋଗାଡ଼ଯନ୍ତ୍ର କରୁଥାଅ । ମୁଁ ଅଣତିରିଶିରେ ଫେରିଲେ କଥା ହେବା ।”

 

ବୈରାଗୀ ଆଉ କ’ଣ କହିବ ବୋଲି ତୁଣ୍ଡ ଖୋଲୁଥିଲା, ଅନ୍ୟ ଗୁହାରିଆମାନେ ମାଡ଼ି ଆସିଲେ । ତାଙ୍କ ଭିତରୁ ଜଣେ ବୈରାଗୀ ଉପରେ ଚିଡ଼ିଗଲା ପରି କହିଲା, “ତୁମେ କ’ଣ ସବୁ କହୁଥିବ ! ଆମେ ଯେ ସକାଳ ପହରୁ ଏଠି ବସିଛୁ !” ବୈରାଗୀ ପଛକୁ ଘୁଞ୍ଚିଗଲା । ମନ୍ତ୍ରୀ ସେମାନଙ୍କୁ ସେମିତି ପଦେ ଦିପଦ କହି ଗାଡ଼ି ଭିତରେ ବସିପଡ଼ିଲେ । ଗାଡ଼ି ଚାଲିଗଲା ।

 

ବୈରାଗୀ ରାଉତ ମୁଣ୍ଡ କଟକଟ କରୁଥିଲା । ତାକୁ ସବୁଆଡ଼ ଅନ୍ଧାର ଦିଶୁଥିଲା ।

 

କିନ୍ତୁ ଏ ପରିସ୍ଥିତିରେ ସେ କରିବ କ’ଣ ? କଥାଟା ଚିନ୍ତା କଲାବେଳକୁ ଊଣେଇଶବର୍ଷର ପୁଅ ଗୋବିନ୍ଦର ମୁହଁ ତା’ ଆଗରେ ନାଚିଯାଉଥିଲା । ତା’ ପଛକୁ ତା’ ମାଆର ନିରୀହ ଚେହେରା । ସେ ମନକୁ ଦୃଢ଼ କଲା । ନା, ସେ ଏଇଠି ଅପେକ୍ଷା କରିବ । ଅଣତିରିଶ ତାରିଖରେ କିଛି ଗୋଟାଏ ଫଇସଲା କରି ଯିବ । ଏମିତି ଖାଲି ହାତରେ ସେ ଫେରିଯାଇପାରିବ ନାହିଁ । ଆରଥର ଗାଁକୁ ପଳେଇ ନ ଯାଇ ଏଇଠି ରହିଥିଲେ ମନ୍ତ୍ରୀ ତା’ କଥା କଦାପି ଭୁଲି ନ ଥାଆନ୍ତେ । ପଳେଇଯାଇ ସେ ଭୁଲ୍‌ କରିଛି ।

 

ସେ ମନକୁ ଦୃଢ଼ କଲା । ତା’ ପୁଅର କାମ ହେବାଯାଏ ସେ ଦିନରେ ବକତେ ଖାଇବ । ମାଛ, ମାଉଁସ ଛୁଇଁବ ନାହିଁ । ପିଆଜ ରସୁଣ ଖାଇବ ନାହିଁ । ଲିଙ୍ଗରାଜଙ୍କ ପାଖରେ ଅଧିଆ ପଡ଼ିବ-। ଠାକୁର ଚାହିଁଲେ ତା’ ସମସ୍ୟା ନିଶ୍ଚୟ ତୁଟିବ ।

 

ଅଣତିରିଶ ତାରିଖ ଦିଇଟାବେଳକୁ ମନ୍ତ୍ରୀ ଫେରି ଏୟାର୍‍ପୋର୍ଟରୁ ସିଧା ତାଙ୍କ ନିର୍ବାଚନ ମଣ୍ଡଳୀ ଚନ୍ଦ୍ରପୁର ଚାଲିଗଲେ । ତା’ ପରଦିନ ରବିବାର । ବୈରାଗୀ ରାଉତ ମନ୍ତ୍ରୀଙ୍କ ଦେଖା ପାଇଲା ।

 

ମନ୍ତ୍ରୀ ଆଗରୁ ପ୍ରସ୍ତୁତ ଥିଲେ । କହିଲେ, “ମୁଁ ବିକାଶ ଇଞ୍ଜିନିୟରିଙ୍ଗ କଲେଜ ସାଙ୍ଗରେ କଥା ହୋଇଛି । ସେମାନେ ସମସ୍ତଙ୍କଠାରୁ ପାଞ୍ଚ ନେଉଛନ୍ତି । ମୁଁ କହିବା ପରେ ତୁମକୁ ପୂରା ଲକ୍ଷେ ଟଙ୍କା ଛାଡ଼ି ଦେଇଛନ୍ତି । ଚାରି ଲକ୍ଷ ନେବେ । ତୁମେ ଯାଇ ଏକତିରିଶରେ ଆଡ଼୍‍ମିସନ୍‌ ନେଇଯିବ-।”

 

ମନ୍ତ୍ରୀ ଚଉକିରୁ ଉଠୁଥିଲେ ।

 

ବୈରାଗୀ ରାଉତ ତଳକୁ ଖସିଯାଉଥିଲା ।

 

ସିଏ କିଏ, ଚାରି ଲକ୍ଷ ଟଙ୍କା କିଏ ? ସବୁ ବିକିବାକି ସେ ଲକ୍ଷେ ଟଙ୍କା ଯୋଗାଡ଼ କରିପାରିବ । ସେତକ ପୁଣି ଦୁଇ କିସ୍ତିରେ । ଚାରି ଲକ୍ଷ ଟଙ୍କା ଯୋଗାଡ଼ କରିବାର ସାମର୍ଥ୍ୟ ଥିଲେ ସେ ଏଠିକି କାହିଁକି ପନ୍ଦର ଦିନ ହେଲା ଆସି ଗୁହାରି ପଡ଼ିଥାନ୍ତା ? ଭାବିଲା, ଆଉଥରେ କହିବ । ବାବୁ, ମୁଁ ତୁମର ଜୀବନ ବଞ୍ଚେଇଛି ବୋଲି ତୁମେ ନିଜେ କହିଛ । ତୁମ ଜୀବନର ମୂଲ୍ୟ କ’ଣ ଏଇ ଲକ୍ଷେ ଟଙ୍କା ? ବିଚାର କର ବାବୁ । ମୋ ପୁଅର କଥା ଟିକିଏ ଭାବ । ମୋ ପରି ସିଏବି ତୁମ ପିଲାଙ୍କର ଗୁଣ ଗାଇବ । ଟିକିଏ ବିଚାର କର ।

 

ସେ ଏଥର ନୋଇଁପଡ଼ି ମନ୍ତ୍ରୀଙ୍କ ଗୋଡ଼ ଧରିପକାଇଲା । ଅଠାବନବର୍ଷର ବୟସ୍କ ମଣିଷ ବୈରାଗୀ ରାଉତ, ଯିଏ ଖୋସାମତ କରିବାକୁ ସବୁଠାରୁ ଘୃଣା କରେ, କାହା ଆଗରେ ନ୍ୟୂନ ହେବାଟାକୁ ଆତ୍ମସମ୍ମାନର ଅପମାନ ବୋଲି ଭାବେ, ସେ ମନ୍ତ୍ରୀ ସୁରଞ୍ଜନଙ୍କ ଆଗରେ ଅଧିଆ ପଡ଼ିଥିଲା । ତା’ ଆଖିର ଲୁହ ରୁଢ଼ଭର୍ତ୍ତି ଗାଲ ଉପର ଦେଇ ବୋହି ଯାଉଥିଲା ।

 

ମନ୍ତ୍ରୀ ସୁରଞ୍ଜନ ବିରକ୍ତ ହୋଇଗଲେ । ଗରିବ ଆଖିର ଲୁହ ଧନୀ ମନର କ୍ରୋଧକୁ, ଘିଅ ନିଆଁକୁ ତେଜିଦେଲା ପରି ତେଜେଇ ଦେଉଥିଲା । କହିଲେ, “ବଡ଼ ବିଚିତ୍ର ଲୋକ ତୁମେ ବୈରାଗୀ । ତୁମପାଇଁ ଲକ୍ଷେ ଟଙ୍କା ଛାଡ଼ କରିଦେଲି । ତା’ ସତ୍ତ୍ୱେ ତୁମେ ସନ୍ତୁଷ୍ଟ ନୁହ । ତୁମେ ଯେମିତି ମୋର କର୍ମୀ, ଏଇ କଲେଜ ବସେଇଥିବା ଲୋକମାନେବି ସେମିତି ମୋର ସହଯୋଗୀ । ସେମାନଙ୍କ ଦାନାପାଣି ବୁଡ଼େଇଲେ ସେମାନେ ସମର୍ଥନ କରିବେ ତ ! ହଉ, ଯଦି କହୁଛ, ଆଉ ଦଶ ପନ୍ଦର ହଜାର ଛାଡ଼ କରିଦେବା । ତା’ପରେ ମୋର ଆଉ କିଛି କରିବାର ନାହିଁ । ତୁମେ ଟଙ୍କା ଯୋଗାଡ଼ କରି ଏକତିରିଶରେ ନାମ ଲେଖାଇ ଦେବ ।”

 

ମନ୍ତ୍ରୀ ଝଡ଼ ପରି ଉଠି ଚାଲିଗଲେ । ତାଙ୍କ ଚପଲର ଶବ୍ଦ ଧୀରେ ଧୀରେ ହଜିଯାଉଥିଲା-। ବୈରାଗୀ ଜାଣିଲା, ଏହାପରେ ଏଠି ମୁଣ୍ଡ ବାଡ଼େଇ ହେଲେ କିଛି ଲାଭ ନାହିଁ ।

 

ବୈରାଗୀର ହାତପାଦ ଚଳୁ ନଥିଲା । କଅଁଳାବାଛୁରୀ ପରି ଡେଇଁ ଡେଇଁ ସେ ଆସିଥିଲା ଗାଁରୁ । ନିର୍ଭର ବିଶ୍ୱାସ ଦେଇ ଆସିଥିଲା ପୁଅକୁ । ହସି ହସି ତା’ ମୁଣ୍ଡ ଆଉଁଶି ଦେଇଥିଲା । ପୁଅକୁ ଇଞ୍ଜିନିୟର୍ କରିବ ବୋଲି ତା’ ମା’ ଦିହମୁଣ୍ଡରୁ ଗହଣା ସବୁ କାଢ଼ି ଧରେଇ ଦେଇଥିଲା ବୈରାଗୀ ହାତରେ । ଏବେ ସେ କ’ଣ କରିବ ? କୁଆଡ଼େ ଯିବ ? କିଏ ତାକୁ ତିନି ଲକ୍ଷ ଟଙ୍କା ଦେବ ? ସେ ଦଶଥର ବିକ୍ରି ହୋଇଗଲେବି ତିନି ଲକ୍ଷ ଟଙ୍କା ହେବ ନାହିଁ ।

 

ବୈରାଗୀର ମୁଣ୍ଡ ଚକ୍ରି ପରି ଘୂରୁଥିଲା । ଲାଗୁଥିଲା ମୁଣ୍ଡଟା ଫାଳଫାଳ ହୋଇ ଫାଟିଯିବ । କେମିତି ଗୋଟାଏ ଗରମ ବାମ୍ଫ ବାହାରୁଥିଲା ମୁଣ୍ଡ ଭିତରୁ । ତାକୁ କାନ୍ଦ ମାଡ଼ୁଥିଲା, ରାଗବି । ଅଭିମାନରେ ସେ ଥରୁଥିଲା । ଗଲା ପଚିଶବର୍ଷର ପଚିଶ ହଜାର କଥା ମନେପଡ଼ୁଥିଲା । କେତେ ସେବା, କେତେ ସତ୍କାର ସେ ମନ୍ତ୍ରୀଙ୍କର ନ କରିଛି ! କେତେ ସରୁ ଅରୁଆ ଚାଉଳ, ଦୁଧ ଛେନା, ଗୁଆଘିଅ, ବାଗଦା ଚିଙ୍ଗୁଡ଼ି ଓ ବସାଦହି ଆଣି ମନ୍ତ୍ରୀଙ୍କୁ ସେ ଭେଟି ନ ଦେଇଛି ! ମନ୍ତ୍ରୀ ଇଲେକ୍ସନ୍‌ରେ ଜିଣିବେ ବୋଲି ସେ ଓ ତା’ ସ୍ତ୍ରୀ କେତେ ଠାକୁରଠାକୁରାଣୀଙ୍କ ପାଖରେ ଅଧିଆ ନ ପଡ଼ିଛନ୍ତି ! ଖରାତରାରେ ତଣ୍ଟିଫଟେଇ କେତେ ସେ ନ ଗର୍ଜିଛି ନିର୍ବାଚନ ପ୍ରଚାରରେ ! ଠାକୁରାଣୀଙ୍କ ଫୁଲମାଳ ଧରି ଗାଁ ଛକରେ ଅପେକ୍ଷା କରିଛି ସକାଳୁ ସଞ୍ଜ ପର୍ଯ୍ୟନ୍ତ । ବାଣ ଫୁଟେଇଛି, ନାଚିଛି, ପେଟ୍ରୋମାକ୍ସ ମୁଣ୍ଡେଇ ମନ୍ତ୍ରୀଙ୍କ ଜିପ୍‌କୁ ବାଟ କଢ଼େଇଛି ପାଞ୍ଚ ମାଇଲ ନଈବନ୍ଧ ରାସ୍ତା ରାତିଅଧରେ । ଅଥଚ ସେଇ ମନ୍ତ୍ରୀ ତା’ର ଏଡ଼େବଡ଼ କଥାଟିକୁ ଏମିତି ହାଲୁକା ଭାବରେ ଏଡ଼େଇ ଚାଲିଗଲେ । ସେ ଇଞ୍ଜିନିୟରିଙ୍ଗ କଲେଜ ମାଲିକ ବଡ଼ ହେଲା, ପଚିଶବର୍ଷର କର୍ମୀ ବୈରାଗୀ ବଡ଼ ହେଲା ନାହିଁ !

 

ବୈରାଗୀ ରାଉତ ଉଠିଲା । ଦରୱାନ୍‌ ଗେଟ୍‌ ବନ୍ଦ କରିବ । ସେ ଜାଣୁଥିଲା ଆଉ କୌଣସି ଦିନ ତା’ ଲାଗି ଏଇ ଗେଟ୍‌ ଖୋଲିବ ନାହିଁ । କିନ୍ତୁ କୋଉଠିକୁ ଯିବ ସେ, ଜାଣିପାରୁ ନଥିଲା ।

 

ତା’ର ଭରତ ସାହୁ କଥା ମନେପଡ଼ୁଥିଲା । ଭରତ କହେ–“ଉପର ପାହାଚକୁ ଉଠିବାପାଇଁ ଶିଡ଼ି ଦରକାର ହୁଏ । କ୍ଷମତାରେ ଉପରକୁ ଉଠିବା ଲାଗି ମଣିଷର କାନ୍ଧ ଦରକାର ପଡ଼େ । ଯେଉଁ ମଣିଷ ଯେତେ ଉପରକୁ ଚଢ଼ିବ, ସିଏ ସେତେ ଅଧିକ ପାହାଚରେ ଗୋଡ଼ ଦେଇ ଉଠିବ । ଯେଉଁ ନେତା ଯେତେ ଉପରକୁ ଉଠିବ ସିଏ ସେତେ ମଣିଷଙ୍କ କାନ୍ଧରେ ଗୋଡ଼ ଦେଇ ଉଠିବ । ସବୁଠୁ ବଡ଼ ନେତା ସବୁଠୁ ବେଶି ମଣିଷଙ୍କ କାନ୍ଧରେ ଗୋଡ଼ ଦେଇ ଉଠନ୍ତି । ମୁଁ, ତୁ, ଆମେ ସମସ୍ତେ ଗୋଟିଏ ଗୋଟିଏ କାନ୍ଧ । ଆମ ଉପରେ ଗୋଡ଼ ଦେଇ ଏମ୍‌.ଏଲ୍‌.ଏ, ମନ୍ତ୍ରୀ ଉପରକୁ ଉଠନ୍ତି । କୌଣସି ଦିନ ଯଦି ତୁ ତାଙ୍କୁ ଭାରା ଦେଇ ପାଦଟିଏ ଆଗକୁ ବଢ଼ିବାକୁ ଚାହିଁବୁ ତୋତେ ସେଇଦିନ ବଳୀ ରାଜା ପାତାଳକୁ ପଠେଇଲା ପରି ସେମାନେ ପାତାଳକୁ ପଠେଇଦେବେ-

 

ଭରତ ସାହୁ ତା’ଠୁ ବୟସରେ ସାନ । କିନ୍ତୁ କେତେ କଥା ବୁଝିଥିଲା ସିଏ ! ଏତିକି କଥା ବୁଝିବା ଲାଗି ତାକୁ ଏତେ ବର୍ଷ ଲାଗିଗଲା ! ବୈରାଗୀ ନିଜକୁ ଧିକ୍‌କାର କଲା । ପାଗଳ ପରି ରାସ୍ତାକଡ଼ରୁ ଗୋଟେ ପଥର ଉଠେଇଆଣି ମୁଣ୍ଡରେ ବାଡ଼େଇଲା । ଥରେ, ଦି’ ଥର, ତିନି ଥର । ମୁଣ୍ଡ ଫାଟି ରକ୍ତ ବୋହିଲା ପର୍ଯ୍ୟନ୍ତ ସେ ବାଡ଼େଇଲା । ଯେମିତି ହେଉ ମୁଣ୍ଡ ଭିତରୁ ସେ ସୁରଞ୍ଜନଙ୍କ ଧର୍ମରାଜ ଚେହେରାଟିକୁ ଲିଭେଇବ ।

☆☆☆

 

ବୈରାଗ୍ୟ

 

ଆଉ ଅଧଘଣ୍ଟା ପରେ ରାଜସ୍ୱ ମନ୍ତ୍ରୀ ଆସି ଆନନ୍ଦାଶ୍ରମରେ ପହଞ୍ଚିବେ ।

 

ଆଶ୍ରମରେ ସକାଳ ଓଳି ରହିବା ପରେ ସ୍ୱାମୀ ଆନନ୍ଦଙ୍କୁ ସାଙ୍ଗରେ ନେଇ ସେ ଅପରାହ୍‌ଣରେ ଟାଉନ୍‌ ହଲ୍‌ରେ ଆୟୋଜିତ ସଭାକୁ ଯିବେ । ସେହିଠାରେ ଆନନ୍ଦଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯିବ । ନିଜେ ରାଜସ୍ୱ ମନ୍ତ୍ରୀ ଉତ୍ତରୀୟ, ପ୍ରଶସ୍ତିପତ୍ର ଏବଂ ଉପଢ଼ୌକନ ଉପହାର ଦେବେ । ସହରର ବଛାବଛା କେତେଜଣ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସ୍ୱାମୀଙ୍କୁ ଫୁଲମାଳ, ଫୁଲତୋଡ଼ା ଏବଂ ଅନ୍ୟ ଉପହାର ଦେବେ । ତା’ପରେ ସ୍ୱାମୀ ଆନନ୍ଦ ତାଙ୍କର ଭାଷଣ ଦେବେ ।

 

ଆଜି ଭାଷଣର ବିଷୟ–ବୈରାଗ୍ୟ ।

 

ସ୍ୱାମୀ ଆନନ୍ଦଙ୍କ ଭାଷଣ ଦେବାର ଶୈଳୀ ଚମତ୍କାର । ଶବ୍ଦଗୁଡ଼ିକ ଆଉ କେଉଁଠି ଅଧିକ ଭାବ ବହନ କରି ପାରିଥାନ୍ତେ, ତାଙ୍କ ଭାଷଣ ଶୁଣିବାବେଳେ ଏଭଳି ଧାରଣା କାହାର ହୁଏ ନାହିଁ । ପ୍ରତିଟି ବାକ୍ୟ ଫଳବତୀ ବୃକ୍ଷ ପରି ସାର୍ଥକ । ରହି ରହି ଭାଷଣ ଦିଅନ୍ତି ଆନନ୍ଦ । ସେ କହନ୍ତି, ବାକ୍ୟପାଇଁ ଯେମିତି ଶବ୍ଦ ଦରକାର, ସେମିତି ଭାବ ଉପଲବ୍ଧି ପାଇଁ ନିରବତା ଦରକାର । ଗୋଟିଏ ବାକ୍ୟ ପରେ ତତ୍‌କ୍ଷଣାତ୍‌ ଆଉ ଗୋଟିଏ ବାକ୍ୟ କହିଦେଲେ, ପ୍ରଥମ ବାକ୍ୟଟି ଅବୁଝା ରହିଯାଏ । ବାକ୍ୟ ମଝିରେ କିଛି ସମୟର ନିରବତା ପ୍ରୟୋଜନ । ଶବ୍ଦମାନେ ମଧ୍ୟ ମଣିଷ ପରି ନିଃଶ୍ୱାସ ନେବାଲାଗି ଜାଗା ଲୋଡ଼ନ୍ତି । ଥରେ କାଗଜ ଉପରକୁ ଆସିଗଲେ ଅକ୍ଷରଗୁଡ଼ିକ ଯେମିତି ଜୀବନ୍ତ ହୋଇଉଠନ୍ତି, ସେମିତି ଥରେ ବକ୍ତୃତା ଭିତରକୁ ଚାଲି ଆସିଲେ ବାକ୍ୟମାନେ ମଧ୍ୟ ଜୀବନ ପାଇଥାଆନ୍ତି ।

 

ସ୍ୱାମୀ ଆନନ୍ଦଙ୍କର କଥାଗୁଡ଼ିକ ହୃଦୟକୁ ଛୁଇଁଯାଏ । ସେଥିପାଇଁ ସମସ୍ତେ ତାଙ୍କ ପ୍ରବଚନ ଓ ଭାଷଣ ଭଲପାଆନ୍ତି ।

 

ଏବେ କିନ୍ତୁ ଆନନ୍ଦାଶ୍ରମର ଚାରିଆଡ଼େ ଗୋଟେ ଗୈରିକ ଅସ୍ୱସ୍ତି । ଧୀରେ ଧୀରେ ନିରବତା ହଜିଯାଉଥିଲା ଏବଂ ଲାଗୁଥିଲା ଖୁବ୍‌ ଶୀଘ୍ର ତାହା କୋଳାହଳର ରୂପ ନେବ । ରାଜସ୍ୱ ମନ୍ତ୍ରୀଙ୍କ ପହଞ୍ଚିବା ସମୟ ଯେତିକି ପାଖେଇ ଆସୁଥିଲା ଏହି କୋଳାହଳ ସେତିକି ସେତିକି ଅନିବାର୍ଯ୍ୟ ହୋଇପଡ଼ୁଥିଲା । ଆନନ୍ଦଙ୍କର ପ୍ରଧାନ ଶିଷ୍ୟମାନେ ଆଶ୍ରମ ଭିତର ମୁଖ୍ୟ ରାସ୍ତା ଉପରେ ଛିଡ଼ାହୋଇ ବ୍ୟସ୍ତବିବ୍ରତ ଭାବରେ ପରସ୍ପରକୁ ପ୍ରଶ୍ନ ଓ ପ୍ରତିପ୍ରଶ୍ନ କରୁଥିଲେ । ସମସ୍ତଙ୍କ ଚେହେରାରେ ଉଦ୍‌ବିଗ୍ନ ଭାବ । ମାତ୍ର ସେମାନେ ଖୋଜୁଥିବା ଉତ୍ତରଟି କାହାରି ପାଖେ ନଥିଲା ।

 

ଆନନ୍ଦାଶ୍ରମରୁ ପାଖ ସହର ମାତ୍ର ପଚିଶ କିଲୋମିଟର ଦୂର । ଏତେବେଳକୁ ରାଜସ୍ୱ ମନ୍ତ୍ରୀ ହୁଏତ ସର୍କିଟ୍‌ ହାଉସ୍‌ ଛାଡ଼ି ସାରିବେଣି । ମନ୍ତ୍ରୀ ଏଠି ପହଞ୍ଚିବାକ୍ଷଣି ତାଙ୍କୁ ସ୍ୱାମୀ ଆନନ୍ଦ ପାଛୋଟି ନେବେ । ଦୁଇଟି ଚମ୍ପା ଓ କଦମ୍ବ ଗଛ ଲଗେଇବେ ମନ୍ତ୍ରୀ ମହୋଦୟ ଆଶ୍ରମର ଫାଟକ ନିକଟରେ । ତା’ପରେ ସ୍ୱାମୀଙ୍କ ସହ ଶାସ୍ତ୍ର ଆଲୋଚନା କରିଥାନ୍ତେ । ଆଲୋଚନା ପରେ ପରେ ମଧ୍ୟାହ୍ନ ଭୋଜନ । ସାମାନ୍ୟ ବିଶ୍ରାମ ନେଇ ଉଭୟେ ଏକାଠି ସଭାସ୍ଥଳକୁ ବାହାରିଯିବା କଥା । ସଭା ଶେଷ ପରେ ମନ୍ତ୍ରୀ ରାଜଧାନୀକୁ ଫେରିଯିବେ ଏବଂ ସ୍ୱାମୀଜୀ ଫେରିଆସନ୍ତେ ଆଶ୍ରମକୁ ।

 

ଅଥଚ ସ୍ୱାମୀଜୀ ଏତେବେଳେ ଗଲେ କୁଆଡ଼େ ? ପୁଣି କାହାକୁ କିଛି ନ ଜଣାଇ ! ତାହାହିଁ ଥିଲା ସଭିଙ୍କ ଅସ୍ୱସ୍ତିର କାରଣ । ସମୟେ ସମୟେ ସ୍ୱାମୀ ଆନନ୍ଦ ବ୍ରାହ୍ମ ମୁହୂର୍ତ୍ତରେ ପାଖ ଜଙ୍ଗଲକୁ ଭ୍ରମଣରେ ଯାଇଥାଆନ୍ତି । ପାହାଡ଼ ତଳେ କିଛି ସମୟ ବୁଲାଚଲା କରି ସୂର୍ଯ୍ୟୋଦୟ ପୂର୍ବରୁ ଫେରିଆସନ୍ତି ସେ । ଆଜି କିନ୍ତୁ ସକାଳ ଆଠଟା ବାଜିଲାଣି । ସ୍ୱାମୀଜୀ ଫେରି ନାହାନ୍ତି ।

 

ରାଜସ୍ୱ ମନ୍ତ୍ରୀଙ୍କ ଆଜିର ଆନନ୍ଦାଶ୍ରମ ଗସ୍ତ ପଛରେ ଗୋଟେ ଛୋଟ ଇତିହାସ ରହିଛି ।

 

ସାତବର୍ଷ ତଳେ, ଗୋଟିଏ ଗ୍ରୀଷ୍ମ ଅପରାହ୍‌ଣରେ ଆନନ୍ଦ କୋରାପୁଟର ଏହି ପାହାଡ଼ ତଳ ଗାଁମୁଣ୍ଡ ବରଗଛ ତଳେ ଆସି ଡେରା ପକେଇଥିଲେ । ସେଦିନ ସେ ଏକାକୀ ଆସିଥିଲେ । ରୁଢ଼ ଭର୍ତ୍ତି ଚେହେରା, ମଳିଛିଆ ବେଶପୋଷାକ ଏବଂ ଭୋକିଲା ଉଦର । ଏଠିକାର ଲୋକମାନେ ତାଙ୍କୁ ଗୋଟେ ଅବାଞ୍ଛିତ ଲୋକ ବୋଲି ଭାବି ଘଉଡ଼ାଇବାକୁ ବସିଥିଲେ । ଜଣେ ଦି’ ଜଣ ଭାବିଥିଲେ ଆନନ୍ଦ କୌଣସି ଗୁପ୍ତ ସଂଗଠନର ଲୋକ ହୋଇଥିବେ । ପାଖ ଲୁଣପଡ଼ା ଫାଣ୍ଡିର ପୁଲିସ ଆସି ତାଙ୍କୁ ପାଞ୍ଚ ସାତଥର ଜେରା କରିଥିଲେ । ମାତ୍ର ଶେଷ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ପ୍ରମାଣ ପାଇ ନଥିଲେ ସେମାନେ । ଆନନ୍ଦ ସେଇ ବରଗଛ ମୂଳେ ନିଜର ଅଖା ଆସନକୁ ବିଛେଇ ଧ୍ୟାନ ମୁଦ୍ରାରେ ବସିଥିଲେ !

 

ଏମିତି ପ୍ରାୟ ସାତଦିନ ଗୋଟିଏ ମୁଦ୍ରାର ବସିବା ପରେ କେତେଜଣ ଗାଁ ଲୋକ ଏକାଠି ଦିନେ ଆସି, ତାଙ୍କଠାରୁ ଦୂରଛଡ଼ା ହୋଇ ବସି ତାଙ୍କୁ ଲକ୍ଷ୍ୟ କରିଥିଲେ । ଅଦ୍ଭୁତ ଲୋକ ! ଗୋଟିଏ ଜାଗାରେ, ଗୋଟିଏ ମୁଦ୍ରାରେ ସାତଦିନ କାଳ ବସିଲାଣି ! ଲୋକଟିର କିଛି ମାହାତ୍ମ୍ୟ ଥିବ । ଏମିତି ଭୋକ, ଉପବାସରେ ବସିଲେ ହୁଏତ ଲୋକଟି ମରିଯାଇପାରେ ! ଏମିତି ଭାବି ଜଣେ ଦୟାଳୁ ଲୋକ ଆନନ୍ଦଙ୍କୁ ଆଣି ଗିଲାସେ କ୍ଷୀର ଓ ପାଚିଲା ଅମୃତଭଣ୍ଡା ଦେଇଥିଲା । ଦୟାଳୁ ଲୋକଟି ଥିଲା ଲୁଣପଡ଼ାର କରୁଣାକର ପ୍ରଧାନ । ଆନନ୍ଦ ତା’ ହାତରୁ କ୍ଷୀର ଗିଲାସଟି ଗ୍ରହଣ କରିବାବେଳେ ଆଖି ଖୋଲି ତାକୁ ଅନେଇଥିଲେ ଏବଂ ଆଶୀର୍ବାଦ ସୂଚକ ବର ଦେଇଥିଲେ, “ତୁମର ପୁତ୍ରଲାଭ ହେଉ ।”

 

ଯେଉଁମାନେ କରୁଣାକର ପଛେ ପଛେ ଆନନ୍ଦଙ୍କୁ ଦେଖିବାପାଇଁ ସେଇ ବରଗଛ ମୂଳକୁ ଯାଇଥିଲେ ସେମାନେ ସମସ୍ତେ ଏକଥା ଶୁଣି ଅଟ୍ଟହାସ୍ୟ କରିଥିଲେ । ଆନନ୍ଦବି ଚମକି ପଡ଼ିଥିଲେ-। ସେମାନଙ୍କ ଅଟ୍ଟହାସ ଶୁଣି ଅନୁମାନ କରିଥିଲେ, ତାଙ୍କ ଗଣନା ଭୁଲ୍‌ ହୋଇଯାଇଛି-। ସେ ପ୍ରଶ୍ନ ପଚାରିବା ଭଙ୍ଗୀରେ ଚାହିଁଥିଲେ । ଅର୍ଥ–ତୁମେମାନେ ହସୁଛ କାହିଁକି ?

 

: କରୁଣାକର ତ ମୂଳରୁ ବାହା ହେଇ ନାହିଁ । ତା’ର ପୁଅ ଆସିବ କୁଆଡ଼ୁ ? କରୁଣାକରର ସାଥୀ ଜଣକ କହିଥିଲା । ଆର ଜଣକ କହିଥିଲା, “ଏ ଗୋଟେ ଠକ ବାଆଜୀ, ବିରାଡ଼ି ବୈଷ୍ଣବ । ଏଭଳି ବାଆଜୀଙ୍କ କାମ ହେଲା ଏମିତି ଠାସ୍‍କୁ ମାରି ଭବିଷ୍ୟବାଣୀ କହିବା । ଦଶଟାରେ ଯଦି ଗୋଟେ ବାଜିଯାଏ ତାହାହେଲେ ମନ୍ଦ ନୁହେଁ । ବେପାର ଚାଲିବ ।”

 

କରୁଣାକର ହସି ହସି କହିଥିଲା, “ମୋ ବଡ଼ଭାଇର ବାହାଘର ଛଅମାସ ତଳେ ସରିଛି-। ମୋ ବାହାଘର ଆର ବର୍ଷକୁ ହେଲେ ହୋଇପାରେ ।” ସେ ଆଉ କ’ଣ କହିଥାନ୍ତା, ତା’ର ସାଥୀ ଦି’ ଜଣଙ୍କ ଭିତରୁ ଜଣେ କହିଲା, “ହୋ, ବାଆଜୀ ବାବୁ, ଆର ବର୍ଷକୁ ତା’ର ବାହାଘର ହେବ କି ନାହିଁ ଟିକିଏ କହି ଦେଉ ନାହାନ୍ତି ?” ଲୋକଟିର ସ୍ୱରରେ ପରିହାସ ଓ ବିଦ୍ରୂପ ଥିଲା-। ଆନନ୍ଦ ଜାଣିପାରିଥିଲେ ଯେ, ତାଙ୍କର ମୁହଁ ଖୋଲିବା ଭୁଲ୍‌ ହୋଇଛି । କରୁଣାକରର ବୟସ ତିରିଶ ବତିଶ ହେବ । ହୃଷ୍ଟପୁଷ୍ଟ ଚେହେରା । ତା’ ହାବଭାବ ଦେଖି ସେ ଭାବିଥିଲେ ଲୋକଟି ସଂସାରୀ ହୋଇଥିବ । ସେଥିପାଇଁ ସେ ‘ପୁତ୍ରଲାଭ’ ଆଶୀର୍ବାଦ ଦେଇଥିଲେ । କିନ୍ତୁ ଲୋକଟି ଯେ ଅବିବାହିତ, ସେକଥା ସେ ଅନୁମାନ କରିପାରି ନଥିଲେ ।

 

ସେ ଅପେକ୍ଷା କରୁଥିଲେ, କେମିତି ଲୋକମାନେ ସେଠୁ ଚାଲିଯିବେ ଏବଂ ସିଏ ଏଠୁ ପଳେଇବେ । ଯେଉଁ ଜାଗାରେ ଲୋକମାନେ ତାଙ୍କୁ ସନ୍ଦେହ କଲେଣି, ସେ ଜାଗାରେ ରହିବା ଆଉ ନିରାପଦ ନୁହେଁ । ନିଜର ଜୀବନ ଥିଲେ ସଂସାରର ସବୁ ଅଛି । ସେଇ ଜୀବନ ବଞ୍ଚେଇବା ପାଇଁ ତ ସେ ଭଦ୍ରକର କରଣପଲ୍ଲୀରୁ କୋରାପୁଟର ଏ ପାହାଡ଼ିଆ ଅଞ୍ଚଳକୁ ପଳେଇ ଆସିଛନ୍ତି !

 

ଲୋକମାନେ କିନ୍ତୁ ଜଣକ ପରେ ଜଣେ ତାଙ୍କୁ ପ୍ରଶ୍ନ କରିଚାଲିଥିଲେ ।

 

ଜଣେ ପଚାରିଥିଲା, ‘ସୁଖ କ’ଣ ?’ –ଖୁବ୍‌ ଦାର୍ଶନିକ ଥିଲା ତା’ର ପ୍ରଶ୍ନ ।

 

ଆନନ୍ଦଙ୍କର ମନେ ପଡ଼ିଥିଲା, କାହାର ଗୋଟେ କବିତା ସେ କଲେଜରେ ପଢ଼ିବା ଦିନରେ ପଢ଼ିଥିଲେ । ତାକୁ ଉଦ୍ଧାର କରି, ସେ ଅନୁରୂପ ଦାର୍ଶନିକ ଭଙ୍ଗୀରେ ଉତ୍ତର ଦେଇଥିଲେ, “ଦୁଃଖର ମୁଖାପିନ୍ଧା ଚେହେରାହିଁ ସୁଖ ।”

 

ଲୋକଟି କିଛି ବୁଝିଥିଲା କି ନାହିଁ କିଏ ଜାଣେ, କିନ୍ତୁ ସାମାନ୍ୟ ପ୍ରଭାବିତ ହୋଇଥିଲା ବୋଧହୁଏ । କାହିଁକି ନା, ସେ ଆଉ ଦ୍ୱିତୀୟ ପ୍ରଶ୍ନ ପଚାରି ନଥିଲା । କରୁଣାକର କ୍ଷୀର ଗିଲାସଟି ନେଇ ଫେରି ଯାଇଥିଲା । ତା’ ସାଙ୍ଗରେ ଅନ୍ୟମାନେ ।

 

ସେତେବେଳକୁ ବେଳ ରତରତ ହେବ । ଆନନ୍ଦ ନିଜର ଆସନ ଓ ଝୁଲା ଧରି ସେଠୁ ଉଠିଥିଲେ । ଦେହସାରା କ୍ଳାନ୍ତି ଓ ବ୍ୟର୍ଥତା; ଅପମାନର ଜ୍ୱାଳା ମନ ଭିତରେ । ଗୋଟିଏ ସମୟରେ ଭାବିଥିଲେ, ପାହାଡ଼ମୁଣ୍ଡିଆ ଉପରକୁ ଚଢ଼ିଯାଇ ତଳକୁ ଡେଇଁପଡ଼ିବେ । ଜୀବନ ଶେଷ, ଚିନ୍ତାବି ଶେଷ । କିନ୍ତୁ ସେତିକିବେଳେ ତାଙ୍କର ଗପଟେ ମନେ ପଡ଼ିଥିଲା । ନା, ସେ ନିଜେ ଗପଟାକୁ ମନେ ପକେଇବାକୁ ଚାହିଁଥିଲେ । ସେ ଗପରେ ଜଣେ ଲୋକ ଆତ୍ମହତ୍ୟା କରିବାକୁ ଚାହୁଁଥିଲା । ଖୋଜି ଖୋଜି, ପାହାଡ଼ମୁଣ୍ଡିଆ ଜାଗାଟିଏ ପାଇଥିଲା ଲୋକଟି, ଆନନ୍ଦଙ୍କ ପରି ।

 

ସେ ଡେଇଁ ପଡ଼ିବାକୁ ଯାଉଥିଲା, ପଛରୁ କେହି ଜଣେ ଡାକିଥିଲା, “ହୋ ଭାଇ, ଟିକିଏ ଶୁଣ ।”

 

ଲୋକଟି ବିରକ୍ତ ହୋଇ ପଚାରିଥିଲା, “କ’ଣ କହୁଛ ?” –ସେ ଭାବିଥିଲା ଅନ୍ୟ ଲୋକଙ୍କ ପରି ଏହି ଲୋକଟି ବୋଧହୁଏ ତାକୁ ଆତ୍ମହତ୍ୟାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେବ, ଜୀବନ ଖୁବ୍‌ ମୂଲ୍ୟବାନ ବୋଲି ଆଉଥରେ କହିବ । ମାତ୍ର ସେ ଲୋକଟି, ଯିଏ ବାସ୍ତବରେ ଜଣେ ସନ୍ନ୍ୟାସୀ ଥିଲେ, ସେକଥା କହିଲେ ନାହିଁ । ଓଲଟି ସେ ପ୍ରସ୍ତାବ ଦେଲେ “ଏ ରାଜ୍ୟର ରାଜା ଚକ୍ଷୁହୀନ । ତୁମେ ତ ଆତ୍ମହତ୍ୟା କରିବାକୁ ଯାଉଛ, କିଛି ସମୟ ପରେ ମରିଯିବ । ହେଲେ ତା’ ଆଗରୁ ତୁମର ଆଖିଯୋଡ଼ାକ ଯଦି ରାଜାଙ୍କୁ ଦାନ କରିପାରନ୍ତ, ଭଲ ହୁଅନ୍ତା । ରାଜାଙ୍କ ଲୋକମାନେ ପୁଣି ଆଣି ତୁମକୁ ଏଇଠି ଛାଡ଼ିଦିଅନ୍ତେ ଏବଂ ଏହି ଜାଗାରୁ ତୁମେ ଡେଇଁପଡ଼ି ଆତ୍ମହତ୍ୟା କରିପାରନ୍ତ ।”

 

ଲୋକଟି କହିଲା, “ଦାନ ? ରାଜା କ’ଣ ନିର୍ଦ୍ଧନ ? ମୋଠାରୁ ସେ ଦାନ ଚାହୁଁଛନ୍ତି ?”

 

ସନ୍ନ୍ୟାସୀ କହିଥିଲେ, “ନା ସେ ପ୍ରଚୁର ଟଙ୍କା ଦେବେ । ତେବେ ଚକ୍ଷୁ ଯୁଗଳ ସାମ୍ନାରେ କେଇ ହଜାର ଟଙ୍କାର ବା କି ମୂଲ୍ୟ ? ଯାହା ଅର୍ଥ ନେଲେବି ତୁମର ଉଦାରତାକୁ ଦାନହିଁ କୁହାଯିବ-। କେତେ ହଜାର ଟଙ୍କା ନେବ କୁହ ?”

 

ସନ୍ନ୍ୟାସୀ ଏବଂ ଆତ୍ମହତ୍ୟା କରିବାକୁ ଯାଉଥିବା ଲୋକ, ଦି’ଜଣଯାକ ରାଜଉଆସ ଅଭିମୁଖେ ଯାତ୍ରା କରୁଥିଲେ । ବାଟସାରା ଲୋକଟିର ପ୍ରଶ୍ନ, “ମୋ ଦେହରେ ଆଉ କ’ଣ କ’ଣ ଅଛି, ଯାହା ବିନିମୟରେ ମୋତେ ଅର୍ଥ ମିଳିପାରିବ ।”

 

ସନ୍ନ୍ୟାସୀ ଉତ୍ତର ଦେଉଥାଆନ୍ତି, “ହୃତ୍‌ପିଣ୍ଡ, ବୃକ୍‍କ, ଯକୃତ, ରକ୍ତ ।”

 

: ଏସବୁ ମିଶି କେତେ ଟଙ୍କା ହେବ ?

 

: ପ୍ରାୟ ପାଞ୍ଚଲକ୍ଷ ଟଙ୍କା ।

 

: ପାଞ୍ଚଲକ୍ଷ ? –ଲୋକଟି ପ୍ରାୟ ଚମକିପଡ଼ିଲା ସ୍ୱରରେ କହିଲା ।

 

ରାଜଉଆସ ଆଉ ମାତ୍ର କିଛି ପାଦ ଦୂର ଥାଏ, ଆତ୍ମହତ୍ୟା କରିବାକୁ ଚାହୁଁଥିବା ଲୋକଟି ସନ୍ନ୍ୟାସୀଙ୍କୁ କହିଲା, “ମୁଁ ଆତ୍ମହତ୍ୟା କରିବି ନାହିଁ ବୋଲି ଭାବୁଛି ।”

 

ସନ୍ନ୍ୟାସୀ କହିଲେ, “ଆଚ୍ଛା ଲୋକ ! ଆତ୍ମହତ୍ୟା କରିବ ବୋଲି ସ୍ଥିର କରିଥିବା ଜାଣି ମୁଁ ତୁମ ସହ ମୂଲାମୂଲି କଲି । ଆମେ ଚାରିଘଣ୍ଟା କାଳ ବେପାର ବଣିଜ କଥା ହୋଇସାରିଲେଣି । ଅଥଚ ତୁମେ ଶେଷକୁ କହୁଛ ଆତ୍ମହତ୍ୟା କରିବ ନାହିଁ । ଏ ବ୍ୟର୍ଥ ଜୀବନ ରଖି ତୁମେ କ’ଣ କରିବ-?”

 

“ନା, ମୁଁ ଯେଉଁ କହୁଥିଲି ଯେ ମୋ ଜୀବନର କିଛି ମୂଲ୍ୟ ନାହିଁ, ତାହା ଭୁଲ୍‌ । ଆଜି ପ୍ରଥମଥର ପାଇଁ ଉପଲବ୍ଧି କଲି, ଜନ୍ମବେଳୁ ମୁଁ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଧରି ଦୁନିଆକୁ ଆସିଛି-। ମୁଁ ଆତ୍ମହତ୍ୟା କରିବି ନାହିଁ ।”–ଗପର ଲୋକଟି ଏହିକଥା କହି ସେଠୁ ଦଉଡ଼ି ଦଉଡ଼ି ପଳେଇଥିଲା । ଆନନ୍ଦ ଆତ୍ମହତ୍ୟା କରିପାରିଲେ ନାହିଁ । ବୋଧହୁଏ ଆତ୍ମହତ୍ୟା ପାଇଁ ତାଙ୍କ ନିଜର ସମର୍ଥନ ନଥିଲା । ଗଛର ପତ୍ରଟିଏ ସମ୍ପୂର୍ଣ୍ଣ ଗଛର ବିନା ଅନୁମୋଦନରେ ପାଗଳ ହୁଏ ନାହିଁ-। ଆନନ୍ଦ ନିଜର ସମ୍ପୂର୍ଣ୍ଣ ସମର୍ଥନ ବିନା ଆତ୍ମହତ୍ୟା କରି ପାରିଥାନ୍ତେ ବା କିପରି !

 

ସେ କୁଆଡ଼େ ଯିବେ ଏବଂ କ’ଣ କରିବେ ଏହି ଚିନ୍ତାରେ ଆଉ ସାତଦିନ ବିତେଇ ଦେଇଥିଲେ । ସେଇ ସାତଦିନ କାଳ ଲୁଣପଡ଼ା ଗାଁର ପାହାଡ଼ ତଳେ ଏ ଗାଁରୁ ସେ ଗାଁ ଖାଲି ଘୂରିଥିଲେ । କୋଉଠୁ ପାଣି ଗିଲାସେ, କେଉଁଠୁଁ ଚାଟିକିଏ, କୋଉଠୁ କଦଳୀ ଗୋଟେ ବା ଆଉ କେଉଁଠୁଁ ଚୁଡ଼ା ବା ମୁଢ଼ି ଦି’ ମୁଠା ଖାଇ ଭୋକଶୋଷ ମେଣ୍ଟେଇଥିଲେ । ପାଖରେ ଥିବା ସବୁ ପଇସା ସରିଯାଇଥିଲା ।

 

ଏଣେ ଘରକୁ ଫେରିବାର ରାସ୍ତା ମଧ୍ୟ ତାଙ୍କପାଇଁ ବନ୍ଦ ହୋଇଯାଇଥିଲା । କଲେଜ ନିର୍ବାଚନରେ ସେ ଛିଡ଼ା ହୋଇଥିଲେ ଏବଂ ନିର୍ବାଚନ ପୂର୍ବଦିନ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଯୁବକଟିର ଆକସ୍ମିକ ମୃତ୍ୟୁ ହୋଇଯାଇଥିଲା । ତାଙ୍କୁ କେହି ହତ୍ୟା କରିଥିଲା ଟ୍ରକ୍‌ ମଡ଼େଇଦେଇ । ପ୍ରତିପକ୍ଷ ଭାବୁଥିଲେ ଆନନ୍ଦ ନିଶ୍ଚୟ ଏହି କାମ କରାଇଥିବେ । ଜଣେ ଦୁଷ୍ଟ, ଉଚ୍ଚାଭିଳାଷୀ ଏବଂ ପ୍ରତିଶୋଧପରାୟଣ ଛାତ୍ରଭାବେ ଆନନ୍ଦଙ୍କର ବଦନାମ ଥିଲା ।

 

ସହରସାରା ଖବର ରଟିଥିଲା ଓ ଆନନ୍ଦଙ୍କୁ ପୁଲିସ ଖୋଜୁଥିଲା । ପୁଲିସ ତାଙ୍କୁ ପାଇଲା ନାହିଁ । କିନ୍ତୁ ଖବରଟା ଶୁଣୁ ଶୁଣୁ ବାପା ତଳେ କଚାଡ଼ି ପଡ଼ିଥିଲେ । ତା’ପରେ ସେ ପକ୍ଷାଘାତରେ ପଡ଼ିଲେ ।

 

ସେ ଭଦ୍ରକ ଛାଡ଼ିବା ପୂର୍ବରୁ ଯଶୋଧାରା ପାଖକୁ ଶରଣ ଲୋଡ଼ି ଯାଇଥିଲେ ।

 

ମାତ୍ର ଯଶୋଧାରା ତାଙ୍କର କଥା ଶୁଣିବା ଆଗରୁ କବାଟ ବନ୍ଦ କରିଦେଇଥିଲା ।

 

ଏହାପରେ ଆତ୍ମଗୋପନ କରିବା ଭିନ୍ନ ତାଙ୍କର ଆଉ କିଛି ଉପାୟ ନଥିଲା । ଲୁଚି ଲୁଚି ସେ ଭଦ୍ରକରୁ ବ୍ରହ୍ମପୁର ଓ ବ୍ରହ୍ମପୁରରୁ କୋରାପୁଟ ପଳେଇ ଆସିଥିଲେ ।

 

ସେଦିନ ଥିଲା ସପ୍ତମ ଦିନର ଶେଷ ଅପରାହ୍‌ଣ । ଆନନ୍ଦ ବ୍ୟସ୍ତ ହୋଇ ଚିନ୍ତା କରୁଥାନ୍ତି, ସେ କ’ଣ କରିବେ । ପୁଣି ନିଜର ସହରକୁ ଫେରିଯାଇ ପୁଲିସ ନିକଟରେ ଆତ୍ମସମର୍ପଣ କରି ନ୍ୟାୟକୁ ଅପେକ୍ଷା କରିବେ କି ? ସେ ଜାଣିଥିଲେ, କୌଣସି ହତ୍ୟା ସହ ତାଙ୍କର ସମ୍ପର୍କ ନଥିଲା । ଅନ୍ୟମାନେ ଯାହା ଭାବୁଥିଲେ ଭାବୁଥାଆନ୍ତୁ, ସେ ହତ୍ୟା ଭଳି ଅପରାଧ କେବେ କରିପାରିବେ ନାହିଁ । ଦିନେ ନା ଦିନେ ସତ୍ୟ ପ୍ରକାଶ ପାଇବ ଓ ସମସ୍ତେ ସବୁକଥା ଜାଣିବେ । ମାତ୍ର ସାହସ ଜୁଟୁ ନଥିଲା ।

 

ସେ ଦୁର୍ବଳ ହୋଇପଡ଼ୁଥିଲେ । ତାଙ୍କ ଚାରିପାଖେ ପାହାଡ଼ । ତା’ର ଗଛଲଟା, ନାଁ ନ ଜଣା ଫୁଲ ଓ ଚଢ଼େଇ, ପାହାଡ଼ତଳି ଗାଁର କୌତୂହଳୀ ଅଥଚ ନିରୀହ ଲୋକ, ଆକାଶ ଏବଂ ସୂର୍ଯ୍ୟ, ଜହ୍ନ ଏବଂ ତାରା, ପାହାଡ଼ଖୋଲର ସରୁ ଝରଣା ଏବଂ ଗୃହପାଳିତ ପଶୁଙ୍କ ଛଡ଼ା ଆଉ କେହି ନଥିଲେ । ହୁଏତ ସେଇ ବରଗଛ ମୂଳେ ସେ ଆଉ କିଛିଦିନ ବିତେଇ ଦେଇପାରିଥାଆନ୍ତେ । ମାତ୍ର ତାଙ୍କର ଭବିଷ୍ୟବାଣୀ ମିଛ ହେବାପରେ ସେ ସମ୍ଭାବନା ଟିକକ ଆଉ ନଥିଲା ।

 

କିନ୍ତୁ ସେ ଲୋକଟିକୁ “ପୁତ୍ରଲାଭ ହେବ” ବୋଲି କହିଲେ କାହିଁକି ?

 

କାହିଁକି କହିଲେ ସେ ? ତାଙ୍କ ମୁହଁକୁ ଏ ପଦକ ଆସିଲା କାହିଁକି ? ସେ ନିରବ ରହିପାରିଥାନ୍ତେ ।

 

ନିଜକୁ ସେଇ ପ୍ରଶ୍ନଟି ଆନନ୍ଦ ଆଉଥରେ ପଚାରୁଥିଲେ । ଚଢ଼େଇଙ୍କ କିଚିରି ମିଚିରି ଏବଂ ପରେ ପରେ କିଛି ଲୋକଙ୍କ କୋଳାହଳ ଶୁଣି ଚମକି ପଡ଼ିଲେ ସେ । ପ୍ରାୟ ପଚାଶରୁ ଊର୍ଦ୍ଧ୍ୱ ଲୋକ ଦଉଡ଼ି ଦଉଡ଼ି ତାଙ୍କ ଆଡ଼କୁ ଆସୁଥିଲେ । ସେ ଭୟରେ ପଛକୁ ବୁଲିପଡ଼ି ଧାଇଁବାକୁ ଚିନ୍ତା କରୁଥିଲେ । କେହି ଜଣେ ବଡ଼ପାଟିରେ ନିର୍ଦ୍ଦେଶ ଦେବା ଭଙ୍ଗୀରେ କହିଲା, “ଯାଆନ୍ତୁ ନାହିଁ । ସେଇଠି ରୁହନ୍ତୁ ।”

 

ଆନନ୍ଦଙ୍କ ସାରା ଦେହରେ ଭୟ ଖେଳିଯାଇଥିଲା । ଝାଳ ବୋହିଯାଇଥିଲା ଦେହରୁ । ସେ ନିଶ୍ଚିନ୍ତ ହୋଇଗଲେ ଯେ ଏମାନଙ୍କ ପଛେ ପଛେ ପୁଲିସ ଆସୁଥିବ । ହୁଏତ ପୁଲିସ ଖବର ପାଇ ଯାଇଥିଲା, ତାଙ୍କ ଆତ୍ମଗୋପନର । ସେମାନେ ତାଙ୍କର ଫଟୋଟିଏ ସଂଗ୍ରହ କରିଥିବେ ଭଦ୍ରକ ପୁଲିସ ପାଖରୁ ଏବଂ ସେଇ ଫଟୋରୁ ତାଙ୍କୁ ଚିହ୍ନିଥିବେ ଲୁଣପଡ଼ା ଗାଁର ଲୋକମାନେ । ତାଙ୍କର ଅଯତ୍ନବର୍ଦ୍ଧିତ ଦାଢ଼ି ଏବଂ ମଳିଛିଆ ପୋଷାକ ସତ୍ତ୍ୱେ ପୁଲିସ ତାଙ୍କୁ ଚିହ୍ନିପାରିଛି, ଏନେଇ ସେ ନିଶ୍ଚିତ ହୋଇଯାଇଥିଲେ ।

 

ସେଇ ଲୋକମାନଙ୍କ ସବା ଆଗରେ ଥିଲା କରୁଣାକର । ସେ ଗୋଟେ ଝୁଲା ବ୍ୟାଗ୍‌ରେ କ’ଣ ସବୁ ଧରିଥିଲା । ଆନନ୍ଦଙ୍କର ଦେହହାତ ଭୟରେ ଥରୁଥିଲା । ସେ କେବଳ ପରବର୍ତ୍ତୀ ଘଟଣାକୁ ଅପେକ୍ଷା କରୁଥିଲେ । କିଏ ଜଣେ ଆସି ଖପ୍‌ କରି ତାଙ୍କ ହାତକୁ ଧରିବ ଏବଂ ତାଙ୍କୁ ଘୋଷାରି ନିଆଯିବ ପାଖ ଫାଣ୍ଡିକୁ, ଏଇ ଆଶଙ୍କା ତାଙ୍କର ଦୃଢ଼ ହେଉଥିଲା । ମାତ୍ର କରୁଣାକର ଆସି ତାଙ୍କ ପାଦତଳେ ପଡ଼ିଯାଇଥିଲା ।

 

ଆନନ୍ଦ କିଛି ବୁଝିପାରି ନଥିଲେ । ତାହା ସତ୍ୟ ଥିଲା ନା ସ୍ୱପ୍ନ !

 

ଲୁଣପଡ଼ାର ଗାଁଲୋକମାନେ ଧାଇଁ ଧାଇଁ ହାଲିଆ ହୋଇପଡ଼ିଥିଲେ । ସେମାନେ ସମସ୍ତେ ଧଇଁସଇଁ ହେଉଥିଲେ । ଆନନ୍ଦ ସେମାନଙ୍କୁ ଥୟ ଧରିବାକୁ କହି ଗୋଟେ ପଥର ଉପରେ ବସିପଡ଼ିଥିଲେ । ଗାଁର ଲୋକମାନେ ମେଳିକରି ତାଙ୍କ ଚାରିପଟେ ବସିଥିଲେ । ଆନନ୍ଦ ସେମାନଙ୍କ ପଛରେ କେହି ଆସୁଥିବ ଭାବି ଅନେଇଲେ । ନା, କୌଣସି ପୁଲିସ କର୍ମଚାରୀ ତାଙ୍କ ସାଙ୍ଗରେ ନଥିଲେ ।

 

କରୁଣାକର ତା’ ଝୁଲାରୁ ଗୋଟେ ଗେଣ୍ଡୁଫୁଲ ମାଳ ବାହାର କରି ଆନନ୍ଦଙ୍କ ଗଳାରେ ଲମ୍ବେଇ ଦେଲା ଓ ପୁଣିଥରେ ତାଙ୍କ ପାଦତଳେ ପଡ଼ିଗଲା ।

 

ଆନନ୍ଦ କିଛି ବୁଝିପାରୁ ନଥିଲେ । ଏସବୁ ତାଙ୍କୁ ବିଚିତ୍ର ପରି ଲାଗୁଥିଲା । ହଠାତ୍‌ ଗ୍ରାମବାସୀମାନଙ୍କର ମନୋଭାବ ପରିବର୍ତ୍ତନର କାରଣ କ’ଣ ହୋଇପାରେ, ତାହା ସେ ଜାଣି ପାରି ନଥିଲେ ।

 

ବୟସ୍କ ଭଦ୍ରଲୋକ ଜଣକ ତାଙ୍କୁ ସବୁକଥା କହିଥିଲେ । ସିଏ ଥିଲେ କରୁଣାକରର ବାପା । ଆନନ୍ଦଙ୍କୁ ଗଛମୂଳେ କ୍ଷୀର ଦେଇ ଯିବା ପରଦିନ ତାଙ୍କ ବଡ଼ପୁଅର ସର୍ପାଘାତରେ ମୃତ୍ୟୁ ଘଟିଲା । ବୋହୂଟି ବିଧବା ହେଇଗଲା । ନୂଆବୋହୂ, କ’ଣ କରିବ ? ଗ୍ରାମବାସୀ ସ୍ଥିର କଲେ, କରୁଣାକର ସହ ବୋହୂଟିର ବିବାହ କରେଇ ଦିଆଯିବ । ବାରଦିନ କର୍ମ ସରିବା ପରେ ବାହାଘରର ତାରିଖ ଠିକଣା କରାଯିବ । ମାତ୍ର ଶୀଘ୍ର ଏ କାମ ଶେଷ କରିବାକୁ ହେବ ।

 

ଆନନ୍ଦ ଆଶ୍ଚର୍ଯ୍ୟ ହୋଇ ଶୁଣୁଥିଲେ । ତେବେ ବାହାଘର ଶୀଘ୍ର ସାରିବାର କାରଣ ସେ ବୁଝିପାରୁ ନଥିଲେ । ଅନ୍ତତଃ ଶୋକ ପାଳନପାଇଁ ବର୍ଷଟାଏ ତ ଅପେକ୍ଷା କରାଯିବା ଦରକାର ।

 

ଭଦ୍ରଲୋକ ଆନନ୍ଦଙ୍କର କାନ ପାଖକୁ ମୁହଁ ଘୁଞ୍ଚେଇ ଆଣି କହିଲେ, “ବୋହୂଟି ଦି’ ମାସର ଅନ୍ତଃସତ୍ତ୍ୱା । ପିଲାଜନ୍ମ ପର୍ଯ୍ୟନ୍ତ ଅପେକ୍ଷା କଲେ କଥାଟା ଅସୁନ୍ଦର ହେବ । କରୁଣାକର ତାଙ୍କର ବାଧ୍ୟ ପୁଅ । ସବୁ କଥା ଜାଣି ମଧ୍ୟ ସେ ରାଜି ହୋଇଛି । ନହେଲେ ବିଧବା ବୋହୂଟି ପିଲାଟିକୁ ନେଇ କେମିତି ଏଡ଼େ ବଡ଼ ଲମ୍ବା ଜୀବନ ଜିଅଁନ୍ତା ?

 

ଏ ପ୍ରଶ୍ନଟି ଆନନ୍ଦଙ୍କ ପାଇଁ ପ୍ରାସଙ୍ଗିକ ନଥିଲା । ହୁଏତ ଭିତରେ ଭିତରେ ସେ ଭଦ୍ରଲୋକଙ୍କ ପ୍ରସ୍ତାବକୁ ସମର୍ଥନ କରୁ ନଥିଲେ । କରୁଣାକର ଓ ତା’ର ବାପା ଏଭଳି ନିଷ୍ପତ୍ତି ନେବା ଆଗରୁ, ଏ କଥାଟି ବିଧବା ବୋହୂଟିକୁ ପଚାରିଛନ୍ତି କି ନାହିଁ ତାହା ସେ ପଚାରି ନଥିଲେ । ପୁଣି ପଚାରି ନଥିଲେ ଯେ, ମାତ୍ର ଛଅଦିନ ତଳେ ସ୍ୱାମୀକି ହରେଇଥିବା ସ୍ତ୍ରୀଟି ତା’ର ଦିଅରକୁ ବାହା ହେବ କି ନାହିଁ ବା ଏ ବିଷୟରେ କେହି ତା’ର ମତାମତ ଲୋଡ଼ିଛନ୍ତି କି ନାହିଁ । ସେକଥା ସବୁ ସେ ପରେ ଚିନ୍ତା କଲେ । ସେଦିନ ସେ କେବଳ ଘଟଣାଚକ୍ରର ନାଟକୀୟ ମୋଡ଼ ପରିବର୍ତ୍ତନ ଲକ୍ଷ୍ୟ କରିଥିଲେ । ତାଙ୍କ ଭବିଷ୍ୟବାଣୀ ମିଥ୍ୟା ହୋଇ ନାହିଁ । ତାହା ସିଧା ଗତିରେ ନ ହୋଇ ବକ୍ରଗତିରେ ହେଉ ପଛେ ସତ୍ୟ ହୋଇଛି ଏବଂ ଏଇଟିହିଁ ତାଙ୍କର ତତ୍‌କ୍ଷଣାତ୍‌ ପ୍ରସିଦ୍ଧିର କାରଣ । ସେହି ମୁହୂର୍ତ୍ତରୁ ଆନନ୍ଦ ଲୁଣପଡ଼ା ଗ୍ରାମବାସୀଙ୍କ ଦୃଷ୍ଟିରେ ମହାପୁରୁଷ ହେଲେ । ସେ ପୁଣି ଫେରିଆସିଲେ ତାଙ୍କର ବରଗଛ ପାଖକୁ । ଗ୍ରାମବାସୀମାନେ ତାଙ୍କ ପୂର୍ଣ୍ଣ ଭରଣପୋଷଣର ଦାୟିତ୍ୱ ନେଲେ ।

 

କିଛିଦିନ ପରେ ସୁବିଧା ଦେଖି ଆନନ୍ଦ ଗୋଟେ ବଡ଼ ଜାଗା, ବରଗଛ ଚାରିପଟ ପଡ଼ିଆ ସମେତ ନିଜେ ଘେରେଇଥିଲେ । କରୁଣାକର ଘଟଣା ପରେ ସେ ଖୁବ୍‌ ହୁସିଆର ହୋଇଯାଇଥିଲେ । ଆଗପଛ ଚିନ୍ତା କଲା ପରେ ଯାଇ କାହାକୁ କିଛି କହୁଥିଲେ । ମୁଖ୍ୟତଃ ସେ ପୂର୍ବଜନ୍ମ କଥାହିଁ ଲୋକମାନଙ୍କୁ ଜଣାଉଥିଲେ ଏବଂ ପ୍ରୟୋଜନ ସ୍ଥଳେ ବର୍ତ୍ତମାନର ସମସ୍ୟା କଥା । କିନ୍ତୁ ଭବିଷ୍ୟତ କଥା ଆଦୌ ସେ କହୁ ନଥିଲେ । କେହି ଆସି ଖୁବ୍‌ ଜିଦ୍‌ କରୁଥିଲେ ସେ ବୁଲେଇ ବଙ୍କେଇ ରହସ୍ୟାବୃତ୍ତ ଭାଷାରେ ତା’ର ଉତ୍ତର ଦେଉଥିଲେ । ଏଥିରେ ତାଙ୍କର କିଛି କ୍ଷତି ହେଉ ନଥିଲା । ପୁଣି କରୁଣାକରର ଆକସ୍ମିକ ବାହାଘର ଓ ପୁତ୍ରଲାଭ ଖବର ତାଙ୍କ ସମ୍ପର୍କରେ ଏଭଳି ଧାରଣା ସୃଷ୍ଟି କରିଥିଲା ଯେ ସମସ୍ତେ ତାଙ୍କୁ ମହାତ୍ମା ବୋଲି ବିଶ୍ୱାସ କରୁଥିଲେ ।

 

ଆନନ୍ଦଙ୍କ ଜୀବନଯାପନ ଶୈଳୀ ବଦଳି ଯାଇଥିଲା ।

 

ସେ ସବୁଦିନ ସକାଳେ ଏବଂ ଅପରାହ୍‌ଣରେ କିଛି ସମୟ ସେହି ବରଗଛ ମୂଳେ ବସୁଥିଲେ ଏବଂ ଶ୍ରୋତାମାନଙ୍କୁ ପ୍ରବଚନ ଦେଉଥିଲେ । ମାତ୍ର କୌଣସି ଦିନ ତାଙ୍କର ମନ ପ୍ରବଚନ ଉପରେ ବେଶି ରହୁ ନଥିଲା, ଶ୍ରୋତାମାନେ ଆଣିଥିବା ଫଳମୂଳ ଓ ଟଙ୍କା ଉପରେ ତାହା ବରଂ ବେଶି କେନ୍ଦ୍ରୀଭୂତ ଥିଲା । ସେ ଗୋଟିଏ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲିଥିଲେ ଏବଂ ତା’ ସହ ଛୋଟିଆ ବିଦ୍ୟାଳୟ । ବିଦ୍ୟାଳୟ ପାଇଁ ଦାନ ସଂଗ୍ରହ ନିମନ୍ତେ ତାଙ୍କର କିଛି କୁଣ୍ଠା ନଥିଲା ଏବଂ ଏହାଫଳରେ ଚାନ୍ଦା ଆଦାୟ ବେଶ୍‌ ସହଜ ହୋଇପାରିଥିଲା ।

 

ଦୁଇବର୍ଷ ଭିତରେ ଆନନ୍ଦ ଖୁବ୍‌ ଧନୀ ହୋଇପାରିଥିଲେ । ସେତେବେଳେ ଦିନେ ସେ ଭାବିଥିଲେ ଯେ ବର୍ଷ ବର୍ଷ ଧରି ବହିପତ୍ର ପଢ଼ି, ସେସବୁ ଘୋଷି କିରାଣି ଚାକିରି କରିବାଠାରୁ ଏହି ଉପାୟ କେତେ ଭଲ ! ତା’ ଭିତରେ ଭଦ୍ରକର ଛାତ୍ରନେତା ମୃତ୍ୟୁ ମାମଲା ବନ୍ଦ ହୋଇଯାଇଥିଲା । ଏହାପରେ ଆନନ୍ଦ ଚାହିଁଥିଲେ କରଣପଲ୍ଲୀ ଫେରିଯାଇ ପାରିଥାଆନ୍ତେ; ମାତ୍ର ଲୁଣପଡ଼ାର ଜମିବାଡ଼ି, ଟଙ୍କାପଇସା, ସମ୍ମାନ ଓ ଖାତିର ଏସବୁ ଛାଡ଼ି ଆଉ କୁଆଡ଼େ ଯିବାପାଇଁ ତାଙ୍କର ମନ ବଳି ନଥିଲା ।

 

କ୍ରମେ ତାଙ୍କର ଖ୍ୟାତି ଲୁଣପଡ଼ାରୁ ଜିଲ୍ଲାର ସଦରମହକୁମା ଏବଂ ରାଜଧାନୀ ପର୍ଯ୍ୟନ୍ତ ବ୍ୟାପିଥିଲା । ଦୂର ଦୂର ସହରରୁ ଲୋକମାନେ ତାଙ୍କର ଦର୍ଶନ ଲାଗି ଆସୁଥିଲେ । ଯେତେ ଲୋକ ଆସୁଥିଲେ ସେତେ ସମସ୍ୟା ଆଣୁଥିଲେ । କାହାକୁ ଚାକିରି ମିଳୁନାହିଁ, କାହାର ଝିଅ ବାହା ହୋଇପାରୁ ନାହିଁ, ଯେତେଆଡ଼େ ଠିକ୍‌ ହେଉଛି ସବୁ ଭାଙ୍ଗିଯାଉଛି, କାହାର ଦୁରାରୋଗ୍ୟ ବ୍ୟାଧି, କାହା ପରିବାରରେ ଭ୍ରାତୃ କଳହ, ଆଉ କାହାର ଠିକାଦାରି, ପୁଣି କାହାର ପଦୋନ୍ନତି ସମସ୍ୟା । ଇତିମଧ୍ୟରେ କରୁଣାକର ଘଟଣାକୁ ବନେଇ ଚୂନେଇ ନିଜେ ଆନନ୍ଦ ଗୋଟେ ଗୀତ ବହି ଲେଖିଥିଲେ ଓ ନିଜର ଜଣେ ଶିଷ୍ୟର ନାମରେ ଛପେଇ ଦେଇଥିଲେ । ସେ ବହିଟି ବିକ୍ରୟ ହୋଇ ତାଙ୍କର ସୁନାମ ବଢ଼େଇ ଦେଇଥିଲା ।

 

କୋରାପୁଟ ଜିଲ୍ଲାର ସମସ୍ତେ ଅବଶ୍ୟ ଆନନ୍ଦଙ୍କୁ ସମର୍ଥନ କରୁ ନଥିଲେ । ସେଇ ଲୁଣପଡ଼ା ଅଞ୍ଚଳର କିଛି ଲୋକ ମୂଳରୁ ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କଲା ଭଳି ବ୍ୟବହାର ଦେଖଉଥିଲେ । ତାଙ୍କ ଭିତରେ ଥିଲେ ତାନ୍ତ୍ରିକ ସିଦ୍ଧେଶ୍ୱର, ହେତୁବାଦୀ ହିମାଂଶୁ ଶେଖର ଏବଂ ରାଜନୈତିକ କର୍ମୀ ବୈଷ୍ଣବ ଚରଣ ମଲ୍ଲିକ । ଏହି ତିନିହେଁ ତାଙ୍କର କଠୋର ଶତ୍ରୁ ଥିଲେ । ଆନନ୍ଦ ଏକଥା ଜାଣୁଥିଲେବି ସେମାନଙ୍କର କିଛି କରିପାରୁ ନଥିଲେ । ତେବେ ତାଙ୍କର ଶିଷ୍ୟ ଓ ସମର୍ଥକମାନେ ଶତ୍ରୁଙ୍କ ତୁଳନାରେ ଶହେ କି ଦୁଇଶହ ଗୁଣ ଅଧିକ ଥିବାରୁ ସେ ଏମାନଙ୍କୁ ଭ୍ରୂକ୍ଷେପ କରୁ ନଥିଲେ ।

 

ଦି’ବର୍ଷ ତଳେ ହେତୁବାଦୀ ହିମାଂଶୁ ଶେଖର ଗୋଟେ ଲିଫଲେଟ୍‌ ଛପେଇ ଏହି ଅଞ୍ଚଳରେ ବଣ୍ଟେଇଥିଲେ । ସ୍ୱାମୀ ଆନନ୍ଦ ତାଙ୍କର ଆନନ୍ଦାଶ୍ରମ ପାଇଁ ମୂଲ୍ୟବାନ ଦଶ ଏକର ସରକାରୀ ଜମି ଘେରେଇଛନ୍ତି–ଏଇ ଥିଲା ତାଙ୍କର ପ୍ରଥମ ଅଭିଯୋଗ । ଦ୍ୱିତୀୟ ଅଭିଯୋଗ, ସେ ମିଥ୍ୟା ପ୍ରତିଶ୍ରୁତି ଦେଇ ସରଳ ଲୋକମାନଙ୍କୁ ଭଣ୍ଡଉଛନ୍ତି । ତୃତୀୟ ଅଭିଯୋଗ ହେଲା, ତାଙ୍କର ଗୋପନ ରାଜନୈତିକ ଅଭିଳାଷ ରହିଛି ।

 

ସେତିକିବେଳେ ଆନନ୍ଦ ବାଧ୍ୟହୋଇ ଶାସକ ଦଳ ନେତାଙ୍କ ସାହାଯ୍ୟ ଲୋଡ଼ିଥିଲେ । ଆନନ୍ଦ ଜାଣିଥିଲେ ଯେ ଏ ଦେଶରେ ପୂଜାପାଠ ପାଇଁ, ମନ୍ଦିର କି ମଠଟେ ତୋଳିବାପାଇଁ ତିନିଟି କଥା ଦରକାର । ଜବରଦଖଲ, ଚାନ୍ଦା ଓ ରାଜନୈତିକ ସମର୍ଥନ । ତାଙ୍କ ପାଖରେ ପ୍ରଥମ ଦିଇଟି ଥିଲା, ଶେଷଟି ନଥିଲା । ସେ ତାଙ୍କର ପ୍ରଧାନ ଶିଷ୍ୟ ମନୋହରଙ୍କ ମାଧ୍ୟମରେ ସେତେବେଳର ଶିଳ୍ପମନ୍ତ୍ରୀ ଓ ଏବକାର ରାଜସ୍ୱ ମନ୍ତ୍ରୀଙ୍କୁ ଖବର ପଠେଇଥିଲେ । ସଂଯୋଗବଶତଃ ମନ୍ତ୍ରୀ ନିଜେ ସେତିକିବେଳେ ତାଙ୍କ ନିର୍ବାଚନ ମଣ୍ଡଳୀର ଇନ୍ଦିରା ଆବାସ ଦୁର୍ନୀତି ଘଟଣାକୁ ନେଇ ଖୁବ୍‌ ବ୍ୟସ୍ତ ଥିଲେ । ଟିକେଟ୍‌ ପାଇବେ କି ନ ପାଇବେ ଏମିତି ସନ୍ଦେହବି ଥିଲା । ମାତ୍ର ଆନନ୍ଦ ମନ୍ତ୍ରୀଙ୍କୁ ଦୃଢ଼ବିଶ୍ୱାସ ଦେଲେ । କହିଲେ ସେ ଟିକେଟ୍‌ ପାଇବେ, ନିର୍ବାଚନ ଜିଣିବେ ଓ ମନ୍ତ୍ରିମଣ୍ଡଳର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିବେ । ଆନନ୍ଦଙ୍କର ତିନିଟିଯାକ ଭବିଷ୍ୟବାଣୀ ସତ୍ୟ ହୋଇଥିଲା । ମନ୍ତ୍ରୀ ମନୋହରଙ୍କ ଜରିଆରେ ଖବର ପଠାଇଥିଲେ, ନିର୍ବାଚନ ଜିଣିବା ପରେ ସେ ସ୍ୱାମୀଜୀଙ୍କ ଆଶ୍ରମକୁ ଆସିବେ ଏବଂ ସ୍ୱାମୀଙ୍କର ଜବରଦଖଲ କେସ୍‌ର ରଫାନାମା କରି ଏହି ଦଶ ଏକର ଜମିର ପଟ୍ଟା ଆନନ୍ଦ ଶିକ୍ଷାଶ୍ରମକୁ ହସ୍ତାନ୍ତର କରିବେ ।

 

ଦଶ ଏକର ଜମି ! କୋରାପୁଟର ଏହି ଅଞ୍ଚଳ ଏବେ ଖୁବ୍‌ ଉନ୍ନତି କରୁଛି । ଆନନ୍ଦ ତା’ର ସୁଯୋଗ ନେବେ । ଧୂପ କାରଖାନା, ଘିଅ ପ୍ୟାକେଟ୍‌ ପ୍ରସ୍ତୁତି, ନଡ଼ିଆ ପ୍ରସେସିଙ୍ଗ୍ ସାଙ୍ଗକୁ ସେ ଗୋଟିଏ ହୋଟେଲ ଚେନ୍‌ ଖୋଲିବାକୁ ଚାହୁଁଥିଲେ, ଯାହାର ନାମ ହେବ ଆନନ୍ଦ ଭୋଜନାଳୟ । ନିରାମିଷ ଭୋଜନପାଇଁ ବର୍ତ୍ତମାନ ଯୁବକମାନେ ବେଶ୍‌ ଆଗ୍ରହୀ । ହୋଟେଲଗୁଡ଼ିକ ଆଜିକାଲି ମନ୍ଦିର ନକ୍ସାର ହେଉଥିବାରୁ, ତାଙ୍କ ବଙ୍ଗଳାଟି ମନ୍ଦିର ନକ୍ସାର ହେଲେ କେହି ଖରାପ ଭାବିବେ ନାହିଁ । ତା’ ଭିତରେ ସେ ସମସ୍ତ ସୁଖସ୍ୱାଚ୍ଛନ୍ଦ୍ୟର ବ୍ୟବସ୍ଥା ରଖିବେ । ବାତାନୁକୂଳିତ ସମ୍ମିଳନୀ କକ୍ଷ, ନିଜର ଦପ୍ତର, ସନ୍ତରଣ–ବ୍ୟାୟାମପାଇଁ ସୁଇମିଂପୁଲ୍‌ ଓ ବ୍ୟାୟାମଶାଳା । ଯୌବନର ଗୁଡ଼ିଏ ବର୍ଷ ଅବହେଳାରେ ଚାଲିଗଲା । ଏବେ ସେ ସ୍ୱଚ୍ଛନ୍ଦରେ ଜୀବନ କଟେଇବେ ।

 

ଏସବୁ କଥା ଚିନ୍ତା କଲାବେଳେ ସେ ମଝିରେ ମଝିରେ ଟିକିଏ ଶଙ୍କି ଯାଉଥିଲେ । କାଳେ କିଏ ତାଙ୍କର ମନୋଭାବ ଜାଣିପକଉଥିବ, ଏମିତି ଭାବି ବ୍ୟସ୍ତ ହେଉଥିଲେ । ସେଇ ହେତୁବାଦୀ ଟୋକାଟି ଖୁବ୍‌ ଚତୁର । ତାଙ୍କ ସାଙ୍ଗକୁ ତାନ୍ତ୍ରିକ ଓ ନେତା । ସେଥିପାଇଁ ରାଜସ୍ୱ ମନ୍ତ୍ରୀଙ୍କ ପୃଷ୍ଠପୋଷକତା ଦରକାର । ଥରେ ମନ୍ତ୍ରୀ ଆସି ବୁଲି ଯାଇଛନ୍ତି । ଆଉଥରେ ଆସି ବୁଲିଗଲେ ସ୍ଥାନୀୟ ପ୍ରଶାସନ ନିରବ ରହିବ ।

 

ତିନିଦିନ ତଳେ ତାଙ୍କର ଭବିଷ୍ୟତ ଯୋଜନାର ପୂର୍ଣ୍ଣାଙ୍ଗ ମାନଚିତ୍ର ତିଆରି କରୁଥିଲେ ଆନନ୍ଦ । ଆଉ ଦଶବର୍ଷ ଭିତରେ ସେ ଦଶ କୋଟି ଟଙ୍କାର ବ୍ୟବସାୟ କରିବେ । ସେଥିପାଇଁ ସେ ‘ଦୈନିକ ଏକ ପଇସା’ କାର୍ଯ୍ୟକ୍ରମର ଶୁଭ ଆରମ୍ଭ କରିବେ । ମାସକୁ ଜଣେ ଭକ୍ତ ମାତ୍ର ତିରିଶ ପଇସା ଦେବ । ତିନିଜଣ ଥିଲେ ମାସକୁ ନବେ ପଇସା, ବା ଟଙ୍କାଟାଏ । ଦଶହଜାର ପରିବାର ଏଥିରେ ସାମିଲ ହେଲେ ମାସକୁ ଆଶ୍ରମ ପାଇବ ଦଶହଜାର ଟଙ୍କା । ମାତ୍ର ସେ ଏହାକୁ ପଚାଶ ହଜାର ସଂଖ୍ୟାକୁ ବଢ଼େଇବେ । ଭକ୍ତମାନଙ୍କ ପାଇଁ ସେ ପୁରସ୍କାର ବା ‘ପ୍ରୋତ୍ସାହନ ଯୋଜନା’ ରଖିବେ । ଅଧିକ ସଫଳ ଭକ୍ତଙ୍କୁ ଏକଲକ୍ଷ ଟଙ୍କା ଉପହାର ମିଳିବ । ରାଜଧାନୀରେ ପାଳିତ ହେବ ନିଖିଳ ଭାରତୀୟ ସନ୍ଥ ସମ୍ମିଳନୀ । ତା’ପରେ ତାଙ୍କୁ ଆଉ କିଛି କରିବାକୁ ପଡ଼ିବ ନାହିଁ । ଯାହା କରିବାର କଥା ସେ କାମ କରିବେ ଶିଷ୍ୟମଣ୍ଡଳି, ପ୍ରଚାର ବହି, କ୍ୟାସେଟ୍‌ ଏବଂ ଡକ୍ୟୁମେଣ୍ଟାରି ଫିଲ୍ମ । ମାସକୁ ମାସ ଅନ୍ତତଃ ପାଞ୍ଚଲକ୍ଷ ଟଙ୍କା ସଂଗ୍ରହର ସେ ବ୍ୟବସ୍ଥା କରାଇବେ ।

 

ବରଗଛ ତଳର ମହାପୁରୁଷ ସ୍ୱାମୀ ଆନନ୍ଦ ।

 

ଏହି ଭାବରେ ସାରା ରାଜ୍ୟ ତାଙ୍କୁ ଜାଣୁଛି ।

 

ଜୀବନ ଏହିପରି । ସାତବର୍ଷ ତଳେ ସେ ଥିଲେ ଜଣେ ପଳାତକ ଓ ଅଭିଯୁକ୍ତ ଆସାମୀ-। ତାଙ୍କ ରହିବାପାଇଁ ଚାଳଛପର ଘରଟିଏ ନଥିଲା, ଖାଇବାପାଇଁ ଦି’ ମୁଠା ଅନ୍ନ । ଆଜି ସେ ଏ ରାଜ୍ୟର ସମ୍ମାନାସ୍ପଦ ସ୍ୱାମୀ ଆନନ୍ଦ ।

 

ଇତିମଧ୍ୟରେ ନିଜର ବିଧବା ମାଆପାଇଁ ସମସ୍ତ ବନ୍ଦୋବସ୍ତ କରିଦେଇଛନ୍ତି ସ୍ୱାମୀ ଆନନ୍ଦ । ଗାଁରେ ତୋଳି ଦେଇଛନ୍ତି ବଡ଼ଘରଟିଏ । ଯଶୋଧାରା କଥା ସେ ଆଉ ଚିନ୍ତା କରି ନାହାନ୍ତି । ସେଥିପାଇଁ ତାଙ୍କର ସମୟ ନାହିଁ । ଯେଉଁଠିକୁ ଗଲେ ସମ୍ଭ୍ରାନ୍ତ ପରିବାରର ଭଦ୍ରମହିଳାମାନେ ତାଙ୍କର ସତ୍କାର କରନ୍ତି । ତାଙ୍କର ସହକର୍ମିଣୀ ହେବାପାଇଁ ଶିଷ୍ୟାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲେ ।

 

ସବୁକିଛି ଠିକ୍‌ ଚାଲିଥିଲା । ମାତ୍ର ଦିଦିନ ତଳର ଗୋଟିଏ ଛୋଟ ଘଟଣା ଆନନ୍ଦଙ୍କୁ ସମ୍ପୂର୍ଣ୍ଣ ବିଚଳିତ କରିଦେଲା । ତା’ପରେ ସେ ଶୋଇପାରିଲେ ନାହିଁ । ଶେଷରେ ବାଧ୍ୟହୋଇ ରାତି ଅନ୍ଧାରରେ ସେ ନିଜର ଆଶ୍ରମ ଛାଡ଼ି ଦୂରକୁ ଚାଲି ଆସିଛନ୍ତି ।

 

ରାଜସ୍ୱ ମନ୍ତ୍ରୀଙ୍କ ସଭାରେ ସେ ବୈରାଗ୍ୟ ସମ୍ପର୍କରେ ଭାଷଣ ଦେବେ ବୋଲି ପ୍ରସ୍ତାବ ଦେଇଥିଲେ । ଏହା ଭିତରେ ସେ ଦେଶ ବିଦେଶର କିଛି ବହି ଓ ପତ୍ରିକାରୁ ‘ବୈରାଗ୍ୟ’ ସମ୍ବନ୍ଧରେ ଭଲ ଭଲ ଉଦ୍ଧୃତି ସଂଗ୍ରହ କରିଥିଲେ । ତା’ ସାଙ୍ଗକୁ କିଛି ମହାପୁରୁଷଙ୍କ ଉଦାହରଣ । ମଝିରେ ମଝିରେ ଯୋଡ଼ିବାପାଇଁ କିଛି ମଜା ଗପ ମଧ୍ୟ ସଂଗ୍ରହ ସରିଥିଲା । ଦିଦିନ ତଳେ, ରବିବାର ସନ୍ଧ୍ୟାରେ ଆସି ତାଙ୍କ ଆଶ୍ରମରେ ପହଞ୍ଚିଥିଲା, ସହରର ଜଣାଶୁଣା ମଦ ଓ ଗଞ୍ଜେଇ ବେପାରୀ ଭୋଳାରାମ ନାଏକ । ପକେଟ୍‌ରୁ ଲକ୍ଷେ ଟଙ୍କାର ଚେକ୍‌ ବାହାର କରି ସ୍ୱାମୀ ଆନନ୍ଦଙ୍କ ସାମ୍ନାରେ ଥୋଇ କହିଥିଲା–

 

ବୈରାଗ୍ୟ ପ୍ରବଚନ ପାଇଁ ଲକ୍ଷେ ଟଙ୍କା ବଇନା ।

 

ଆନନ୍ଦ ଚମକି ପଡ଼ିଥିଲେ । କିଏ ଯେମିତି ତାଙ୍କ ଛାତି ଉପରେ ବିଜୁଳି ଆଘାତ ଲଗେଇ ଦେଇଥିଲା । ‘ବୈରାଗ୍ୟ’ ସମ୍ପର୍କରେ ଭାଷଣ ଦେବାପାଇଁ ଆଗତୁରା ବଇନା ଲକ୍ଷେ ଟଙ୍କା-? ଭୋଳାରାମର କଥା ତାଙ୍କୁ ଥଟ୍ଟା ପରି ଲାଗିଥିଲା । ସେ ଆଖି ଉଠେଇ ଚାହିଁଥିଲେ; କଳା କିଟିକିଟି ରଙ୍ଗ, ମୋଟା ଓଠ, ପେଟୁଆ ଚେହେରା ଉପରେ ସିଲ୍କ ପଞ୍ଜାବି ଓ ସୁନା ଚେନ୍‌ ପିନ୍ଧି ଭୋଳାରାମ ନାଏକ ଛିଡ଼ା ହୋଇଥିଲା । ରାଜସ୍ୱ ମନ୍ତ୍ରୀଙ୍କ ସଭାପାଇଁ ଲକ୍ଷେ ଟଙ୍କାର ଚାନ୍ଦା ଦେଉଥିବାରୁ ତା’ ମୁହଁରେ ସନ୍ତୋଷ ଭାବ ସ୍ପଷ୍ଟ ବାରି ହେଉଥିଲା ।

 

ମୁହୂର୍ତ୍ତକ ପାଇଁ ଆନନ୍ଦ ଚୁପ୍‌ ହେଇଗଲେ ।

 

ତାଙ୍କୁ ଆଶ୍ରମର କୋଳାହାଳ, ପକ୍ଷୀଙ୍କ କିଚିରି ମିଚିରି, ପବନର ସନସନ ଶବ୍ଦ କି ଶିଷ୍ୟମାନଙ୍କ ବେଦପାଠ କୌଣସିଟି ଶୁଭୁ ନଥିଲା । କେବଳ ଗୋଟିଏ ଶବ୍ଦ ପାଖରେ ସେ ଅଟକି ଯାଇଥିଲେ–ବୈରାଗ୍ୟ । ସେ ଭାବିଥିଲେ, ଏହି ବିଷୟ ଉପରେ ଭାଷଣ ଦେବାର ଅଧିକାର ବେଶି କାହାର ? ଗଞ୍ଜେଇ ବ୍ୟବସାୟୀ ଭୋଳାରାମ ନାଏକର ନା ତାଙ୍କର ନିଜର ?

 

ଲକ୍ଷେ ଟଙ୍କାର ଚେକ୍‌ଟି ରଖିଦେଇ ଭୋଳାରାମ ଚାଲିଯାଇଥିଲା । କିନ୍ତୁ ଆନନ୍ଦ ସେଠୁ ଉଠି ପାରି ନଥିଲେ । ସେଇଠି ଟିକିଏ ଆଖିବୁଜି ଶୋଇଯାଇଥିଲେ ସେ । ସଞ୍ଜବେଳକୁ ତାଙ୍କ ଦେହ ଜ୍ୱର କୋପରେ ତାତିଲା ତାତିଲା ଲାଗୁଥିଲା । ଗୋଟିଏ ବଟିକା ଖାଇ ସେ ଶୋଇ ପଡ଼ିଥିଲେ ।

 

ରାତିରେ କିନ୍ତୁ ନିଦ ହେଲା ନାହିଁ । ସ୍ୱପ୍ନ ପରେ ସ୍ୱପ୍ନ । କଳା କିଟିକିଟି ଅନ୍ଧାର ରାସ୍ତାରେ ସେ ଦଉଡ଼ୁଛନ୍ତି । ସବୁ ବିଶ୍ୱାସ, ମୂଲ୍ୟବୋଧ, ଆସ୍ଥା ଓ ଯୁକ୍ତିର ମୁଣ୍ଡକାଟି ସେ ଦଉଡ଼ୁଛନ୍ତି ଆଗକୁ ଆଗକୁ । ତାଙ୍କ ବାଁ ହାତରେ ଗୋଟେ ସୁନାଭର୍ତ୍ତି ବିରାଟ ଥଳି । କ୍ରମେ ସେ ଥଳିର ଆକାର ବଢ଼ଛି, ଆହୁରି ବଢ଼ୁଛି, ଆହୁରି ଏବଂ ସେ ନିଜେ ଛୋଟ ହୋଇ ଯାଉଛନ୍ତି । ଏଥର ଗୋଟେ ପାହାଡ଼ ପାଲଟିଯାଉଛି ସୁନାଥଳି ଏବଂ ସେ ପାହାଡ଼ ତାଙ୍କ ଉପରେ ଅଜାଡ଼ି ହୋଇ ପଡ଼ୁଛି । ସେଇ ପାହାଡ଼ ତଳେ ଚାପିହୋଇ ପଡ଼ୁଛନ୍ତି ଆନନ୍ଦ । ଆଖି ବନ୍ଦ ହେବା ଆଗରୁ ସେ ଦେଖୁଛନ୍ତି ସେଇଠି ଟିକିଏ ଦୂରରେ ଗୋଟେ ମଫସଲ ଗାଁ । ଗାଁର ଶେଷ ମୁଣ୍ଡରେ ଗୋଟେ କଇଁ ଭର୍ତ୍ତି ପୋଖରୀ । ପୋଖରୀକୂଳରେ ତିନି ବଖରାର ଚାଳଘର । ସେଇ ଚାଳଘର ମେଲାରେ ଜଣେ ପ୍ରାଥମିକ ସ୍କୁଲ୍‍ ଶିକ୍ଷକ ତାଙ୍କ ପୁଅକୁ ପଢ଼ଉଛନ୍ତି–ଧର୍ମ ଏକା ସିନା ମହତ ପଣିଆ, ଆଉ ସବୁ କଥା ଅଢ଼େଇ ଦିନିଆ-

 

ନିଦ ଭାଙ୍ଗିଯାଇଥିଲା ଆନନ୍ଦଙ୍କର । କୁଆଡ଼େ ଗଲା ସେ କଇଁ ଭର୍ତ୍ତି ପୋଖରୀ ! କୁଆଡ଼େ ଗଲେ ସେ କିଚିରି ମିଚିରି ଚଢ଼େଇ ! କୁଆଡ଼େ ଗଲେ ସେ ବାପା, ଯିଏ ଏଇଠି ବସି ପୁଅକୁ ପଢ଼ଉଥିଲେ । ସେ ଗାଁଟିବି କୁଆଡ଼େ ଗଲା ?

 

ଅନେକ ବାଟ ଚାଲି ଚାଲି ଆନନ୍ଦ ଥକି ପଡ଼ିଥିଲେ । ଲୁଣପଡ଼ା ଗାଁ ଦୂରରେ ରହିଲାଣି । ଗୋଟେ ଗଛମୂଳେ ଟିକିଏ ବସିପଡ଼ିଲେ । ଝାଳ ପୋଛିଲେ କପାଳରୁ । ଉପରକୁ ଅନେଇଲେ, ଇଏବି ଗୋଟେ ବରଗଛ । ଶ୍ୟାମଳ ପତ୍ର ଗହଳି ଭିତରେ ଲାଲ ଟୁକୁଟୁକୁ ଅସଂଖ୍ୟ ବରଫଳ । ଛୋଟ ଛୋଟ ଫଳ ଭିତରେ ଶହ ଶହ ବରଗଛର ନୂଆ ସମ୍ଭାବନା । ଦି’ ତିନିଟି ଗୁଣ୍ଡୁଚି ଏ ଡାଳରୁ ସେ ଡାଳ ଡେଇଁ ବରଫଳ ଖାଉଥିଲେ । ସେ ପଛକୁ ଅନେଇଲେ । ନା, ଜଙ୍ଗଲର ପଥୁରିଆ ରାସ୍ତାରେ ତାଙ୍କର ପଦଚିହ୍ନ ଦିଶୁ ନାହିଁ । ରାସ୍ତା ମନେରଖେ ନାହିଁ ପଥିକର ପଦଚିହ୍ନ । ସେ ନିଜର ଗେରୁଆ ଜାମାଟିକୁ ଖୋଲିଦେଇ ବ୍ୟାଗ୍‌ରୁ ଖଣ୍ଡେ ଧଳା ଜାମା ବାହାର କରି ପିନ୍ଧିଲେ । ମୁଣ୍ଡର ପଗଡ଼ିକୁ ଖୋଲିଦେଲେ । ଏବେ ତାଙ୍କର ଲମ୍ବା ବାଳଗୁଡ଼ିକୁ ଛୋଟ କରିବାପାଇଁ ଜଣକର ସହାୟତା ଦରକାର । ସେ ପାଦର ଗତି ବଢ଼େଇଲେ । ନିଛାଟିଆ ରାସ୍ତା ସରିଆସୁଥିଲା । ଆଗରେ ଦିଶୁଛି ଗୋଟେ ଗାଁ ।

 

ଗାଁର କିଛି ବାଟ ଗଲା ପରେ ରାସ୍ତା କଡ଼ରେ ଗୋଟେ ଲେଟର ବକ୍ସ । ଆନନ୍ଦ ବ୍ୟାଗ୍‌ରୁ ଖଣ୍ଡିଏ ପୋଷ୍ଟ୍‍କାର୍ଡ଼୍‍ ବାହାର କଲେ ଏବଂ ପ୍ରଧାନ ଶିଷ୍ୟ ମନୋହରଙ୍କ ମାର୍ଫତ୍‍ରେ ଆଶ୍ରମବାସୀଙ୍କ ପାଇଁ ଚିଠିଟିଏ ଲେଖିଲେ । ଦି’ ଧାଡ଼ିର ଚିଠି । “ଯାହା ପାଖରେ ଥାଏ, ସେଇହିଁ ତ୍ୟାଗ କରେ । ଆଜି ପର୍ଯ୍ୟନ୍ତ ମୁଁ ରଙ୍କୁଣା ଥିଲି, ଆଜିଠୁ ବୈରାଗ୍ୟ କ’ଣ ଶିଖିବାପାଇଁ ଉଦ୍ୟମ କରିବି ।”

 

କାର୍ଡ଼୍‍ଟିକୁ ବାକ୍ସ ଭିତରେ ପକେଇଦେଇ ସେ ଆଗକୁ ଚାଲିଲେ ।

☆☆☆

 

Unknown

ଗତକାଲି

 

କିଛିଦିନ ହେଲା ଏଭଳି ହେଉଛି ।

 

ଘର ବାହାରେ ମନଖୁସିରେ ଘୂରି ବୁଲୁଥିବା ମୋହନ ଘରକୁ ଫେରିବାକ୍ଷଣି ଦୁଃଖୀ ପାଲଟିଯାଉଛି । ତା’ର ପ୍ରଶସ୍ତ ସାତ ବଖରା ଘରଟି ତାକୁ ଗୋଟେ ଅମୁହାଁ ଅନ୍ଧାରି ଗୁମ୍ଫା ପରି ମନେହେଉଛି, ଯାହା ଭିତରେ ସେ ଶ୍ୱାସରୁଦ୍ଧ ହୋଇପଡ଼ିଲା ପରି ଅନୁଭବ କରୁଛି ।

 

ଆଜି ସେଇ ଅମୁହାଁ ଗୁମ୍ଫାଟି ଆହୁରି ସଂକୀର୍ଣ୍ଣ ଓ ଆହୁରି ଅନ୍ଧାରୁଆ ଲାଗୁଥିଲା । ଏହି ମୁହୂର୍ତ୍ତରେ ସେ କ’ଣ କରିବ ସେକଥା ଚିନ୍ତା କରି ପାରୁ ନଥିଲା । ତା’ ମୁଣ୍ଡ ଭିତରର ତନ୍ତୁଗୁଡ଼ାକ ଅସମ୍ଭବ ଯନ୍ତ୍ରଣାରେ କିଟ୍‌ କିଟ୍‌ କରିଉଠୁଥିଲା ।

 

ସେ ଦୋକାନରେ ବସିଥିଲା । ଖବର ପାଇଲା, ଊର୍ମିଳା କନିଅର ମଞ୍ଜି ବାଟିକି ଖାଇଦେଇଛି ।

 

ପ୍ରଥମେ ମୋହନ ଏକଥା ବିଶ୍ୱାସ କରି ପାରି ନଥିଲା । ଊର୍ମିଳା ପରି ବୁଝିଲା ସୁଝିଲା ଝିଅ ଏଭଳି କାମ କଲା କାହିଁକି ? କିନ୍ତୁ ପର ମୁହୂର୍ତ୍ତରେ ସେ କାରଣଟା ଅନୁମାନ କରିପାରିଥିଲା । ହୁଏତ ଏମିତି ଗୋଟେ କିଛି ଦୁର୍ଘଟଣା କେବେ ନା କେବେ ଘଟିବ ବୋଲି ସେ ଅନେକଦିନ ତଳୁ ମନ ଭିତରେ ଆଶଙ୍କା କରୁଥିଲା । ମାତ୍ର ପରିବାରର ନିତିଦିନିଆ ଗୋଳଚହଳ, ଭାଉଜ ଏବଂ ଊର୍ମିଳା ଭିତରେ ସୌହାର୍ଦ୍ଦ୍ୟ ଓ ତା’ ନିଜର ବ୍ୟସ୍ତତା ଭିତରେ ସେ ଏହି ଦିଗଟିକୁ ଯେତିକି ଗୁରୁତ୍ୱ ଦେବା କଥା ଦେଇ ନଥିଲା ।

 

ସେ ସାଙ୍ଗେ ସାଙ୍ଗେ ମଟର ସାଇକେଲ୍‌ ଧରି ଘରକୁ ଧାଇଁଲା । ଦୋକାନ ବୁଝାସୁଝା କରୁଥିବା ପିଲାକୁ କହିଲା, “ତୁ ଦୋକାନ ବନ୍ଦ କରି ଘରେ ନେଇ ଚାବି ଦେଇଦେବୁ । ମୁଁ ଯାଉଛି ।”

 

ସନ୍ଧ୍ୟା ସାତଟାରୁ କିଛି ବେଶି ହେବ । ପାଖ ଦୋକାନରୁ ଆକାଶବାଣୀର ଆଞ୍ଚଳିକ ସମ୍ବାଦ ଶୁଭୁଥିଲା । ମୋହନ ମଟର ସାଇକେଲ୍‌ ଷ୍ଟାର୍ଟ୍ କଲା । ଲକ୍ଷ୍ମୀପୁର ବଜାରରୁ ତାଙ୍କ କୋଳିଆଡ଼ିଆ ଗାଁ ମାତ୍ର ମାଇଲିଏ ଦୂର । ମାତ୍ର ଆଜି ସେଇ ମାଇଲିଏ ଦୂର ରାସ୍ତା ମୋହନକୁ ଦଶ ମାଇଲ ପରି ଲାଗୁଥିଲା । ତା’ ଆଖିକୁ କିଛି ଦିଶୁ ନଥିଲା, ଦିଶୁଥିଲା କେବଳ ଊର୍ମିଳାର ମୁହଁ ।

 

ମୋହନର ଏକଥାବି ସନ୍ଦେହ ହେଉଥିଲା ଯେ ଊର୍ମିଳା ଏପର୍ଯ୍ୟନ୍ତ ସତରେ ବଞ୍ଚି ରହିଥିବ । ହୁଏତ ଚଟ୍‌ କରି ଖରାପ ଖବରଟା ତାକୁ ନ ଦେବା ଲାଗି କେବଳ ପ୍ରାଥମିକ ଖବରଟି ଦିଆଯାଇଛି । ହୁଏତ ଊର୍ମିଳା ମରି ସାରିଛି ଏବଂ ଏବେ ତାକୁ ଘରେ ଯିଏ ଅପେକ୍ଷା କରିଛି ସିଏ ତା’ର ତିରିଶବର୍ଷର ସ୍ୱାସ୍ଥ୍ୟବତୀ ପତ୍ନୀ ଊର୍ମିଳା ନୁହେଁ; ବରଂ ତା’ର ନିଷ୍ପ୍ରାଣ ଶରୀର । ସେ ଯାଇ କନ୍ଦାକଟା କରିବ, ବାଡ଼େଇ କଚାଡ଼ି ହେବ, ଏପରିକି ଊର୍ମିଳାର ନିଷ୍ପ୍ରାଣ ଦେହଟାକୁ ବୋହି ବୋହି ଲକ୍ଷ୍ମୀପୁର ଡାକ୍ତରଖାନାକୁ ଆସିବ । ମାତ୍ର ତା’ଦ୍ୱାରା କିଛି ଲାଭ ହେବ ନାହିଁ । ଊର୍ମିଳା ଆଉ ବଞ୍ଚିବ ନାହିଁ । ସେ ତା’ ଲାଗି ଗତକାଲି ପାଲଟି ଯାଇଥିବ ।

 

ତା’ପରେ ଚାଲିବ ପୁଲିସ କେସ୍ ଓ ମାଲିମକଦ୍ଦମା । ଟୁପ୍‌ଟାପ୍‌, ଫୁସରଫାସର । ଗାଁ ଲୋକଙ୍କର କେବେବି ସରୁ ନଥିବା ପରଚର୍ଚ୍ଚା, ଅଶ୍ଳୀଳ ଆଲୋଚନା ଏବଂ ତା’ର ଅସହାୟ ନିରବତା । ସେ ମନେମନେ ଅନାଗତ ଘଟଣାକ୍ରମ ସମ୍ପର୍କରେ ଚିନ୍ତା କରି ଚାଲିଥିଲା ।

 

ଅଥଚ ଊର୍ମିଳାର ହାତ ଧରି ଘରକୁ ଆଣିବା ଦିନହିଁ ସେ ତା’ ମନ କଥା ତାକୁ କହିଦେଇଥିଲା । ଚଉଠି ରାତିରେହିଁ ସେ ସ୍ପଷ୍ଟ ଶବ୍ଦରେ ଜଣେଇ ଦେଇଥିଲା ଯେ ଊର୍ମିଳା କୌଣସି ଦିନ ମାଆ ହେବାକୁ ମନ କରିବ ନାହିଁ । ତା’ର କାରଣ ଊର୍ମିଳାର ଅସାମର୍ଥ୍ୟ ନୁହେଁ, ମୋହନର ନିଷ୍ପତ୍ତି ।

 

ଊର୍ମିଳା ବଲବଲ କରି ସେଦିନ ମୋହନର ମୁହଁକୁ ଚାହିଁଥିଲା । ହୁଏତ ସେ ଚିନ୍ତା କରୁଥିଲା, ସ୍ୱାମୀ ନାମକ ଏହି ଯେଉଁ ଲୋକଟି ସହ ତା’ର କିଛିଦିନ ହେଲା ପରିଚୟ ହୋଇଛି, ଯିଏ ଏବେ ତା’ କାନ୍ଧକୁ କାନ୍ଧ ଲଗେଇ ବସିଛି ଗୋଟିଏ ଗୋଲାପୀ ଚାଦର ବିଛା ନରମ ବିଛଣାରେ, ତା’ର ମୁଣ୍ଡ ଠିକ୍‌ ଅଛି ନା ନାହିଁ !

 

ମୋହନର ମୋଟର ସାଇକେଲ୍‌ ବ୍ରେକ୍ ଦେବାକ୍ଷଣି ପୁତୁରା ବୁଲୁ ତା’ ପାଖକୁ ଧାଇଁ ଆସିଲା । ସେତେବେଳକୁ ଗୋଟେ ଛୋଟକାଟର ମେଳା ତାଙ୍କ ଘର ଅଗଣାରେ ବସି ସାରିଥିଲା । ପଡ଼ୋଶୀ ନବ ଦାଦା ଓ ତାଙ୍କର ସ୍ତ୍ରୀ, ଘର ସାମ୍ନାର ମଙ୍ଗରାଜ ମଉସା, ତାଙ୍କର ସ୍ତ୍ରୀ, ଦି’ ଝିଅ ଏବଂ ସାହିଟାଯାକର ବୁଢ଼ାବୁଢ଼ୀ ସେଠି ଠୁଳ ହୋଇଥିଲେ । କେତେଖଣ୍ଡ ସାଇକେଲ୍‌ବି ଥୁଆ ହୋଇଥିଲା ଦୁଆର ସାମ୍ନାରେ । ଊର୍ମିଳାର କନିଅର ମଞ୍ଜି ଖାଇବା ଘଟଣାଟି ସାହି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟି ସାରିଥିଲା । ତିନି ଚାରିଜଣ ସାହି ପିଲା ଉଦ୍ୟତ ହୋଇ ରହିଥିଲେ, ମୋହନର ପରାମର୍ଶ ପାଳନପାଇଁ । ଗୋଟେ ଅଟୋରିକ୍ସା ଆସି ପହଞ୍ଚି ସାରିଥିଲା ।

 

ମୋହନ ଝଡ଼ ପରି ଘର ଭିତରକୁ ପଶିଗଲା । ତା’ ଶୋଇବା ଘର ଖଟ ଉପରେ ଊର୍ମିଳା ଶୋଇ ରହିଥିଲା । ତା’ ପାଖରେ ତା’ର ଭାଉଜ । ଊର୍ମିଳାର ମୁହଁ ଫଣଫଣ ଦିଶୁଥିଲା । ଭାଉଜ ତାକୁ ଗରମ କ୍ଷୀର ପିଆଇ ଦେଇ ଗିଲାସଟିକୁ କାଠଟୁଲ୍‌ ଉପରେ ଥୋଉଥିଲେ, ମୋହନକୁ ଦେଖି ସେ ଖଟରୁ ଓହ୍ଲେଇ ଛିଡ଼ା ହୋଇପଡ଼ିଲେ ।

 

: କ’ଣ ହେଇଛି ? ମୋହନ ବଡ଼ପାଟିରେ ପଚାରିଲା ।

 

ଉତ୍ତରରେ ଭାଉଜ ଭୋଭୋ କରି କାନ୍ଦି ପକେଇଲେ ।

 

କିନ୍ତୁ କାନ୍ଦ ଶୁଣିବାପାଇଁ ମୋହନର ବେଳ ନଥିଲା । ସେପାଇଁ ବହୁତ ସମୟ ଅଛି । ଏବେ ଊର୍ମିଳାକୁ ନେଇ ଡାକ୍ତରଖାନା ଯିବାକୁ ପଡ଼ିବ । ଡାକ୍ତରହିଁ କହିବେ, ଊର୍ମିଳାର ପେଟ ଭିତରକୁ କେତେ ବିଷ ପଶିଛି । କେତେ କ୍ଷତି କରିଛି ବିଷ ତା’ ଭିତରର ଯକୃତ ଓ ହୃତ୍‌ପିଣ୍ଡର ।

ଭାଉଜ କହିଲେ, “ସଞ୍ଜ ଦେବାପାଇଁ ଡାକିବାକୁ ମୁଁ ଏ ଘରକୁ ଆସୁଥିଲି । ଅନ୍ଧାରଟାରେ ଊର୍ମିଳାକୁ ଖଟ ଉପରେ ବସିବାର ଦେଖି ପାଖକୁ ଆସେ ତ ଏଇ ଗିନାଟି ଧରି ସେ ଖାଉଥିଲା । ମୋତେ ଦେଖି ସେଇଟାକୁ ଖଟ ତଳକୁ ଛାଟି ଦେଇଥିଲା । ଏଇ ଦେଖ ।”

 

ଭାଉଜ କଳା କଳା ବାଟଣ ପରି ଦିଶୁଥିବା କିଛି ଜିନିଷର ଅବଶିଷ୍ଟାଂଶ ମୋହନକୁ ଦେଖେଇଦେଲେ । କହିଲେ, “ମନା କରୁଛି, ଖାଇ ନାହିଁ । କିନ୍ତୁ ମୋର ସନ୍ଦେହ ହେଉଛି । ସେ ନିଶ୍ଚୟ ଅନେକଗୁଡ଼ାଏ ଖାଇଛି । ତିନି ଚାରି ଥର ବାନ୍ତି କରେଇ ସାରିଲାଣି । କିନ୍ତୁ ତୁମେ ଡାକ୍ତରଖାନା ନେଇଚାଲ । ମୁଁ ବି ଯିବି ।”

 

ମୋହନ ଊର୍ମିଳା ପାଖକୁ ଗଲା ଏବଂ ତାକୁ କିଛି ପଚରାଉଚୁରା ନ କରି ତା’ର ଦୁଆଗୋଡ଼ ଓ ବେକ ତଳେ ନିଜର ଦୁଇ ହାତ ଲମ୍ବେଇ ତାକୁ ଶୂନ୍ୟରେ ତୋଳି ଧରିଲା । ପର ମୁହୂର୍ତ୍ତରେ ସେ ଊର୍ମିଳାକୁ ନେଇ ଅଟୋରିକ୍ସା ଭିତରେ ରଖିସାରି ନିର୍ଦ୍ଦେଶ ଦେଉଥିଲା, “ଚାଲ୍‌, ଡାକ୍ତରଖାନା ।”

 

ଚାଳିଶବର୍ଷର ମୋହନ ଦେହରେ ରକ୍ତ ଧାଉଁଥିଲା । ଊର୍ମିଳାର ଦୁର୍ଦ୍ଦଶା ତୁଳନାରେ ଏତେ ବର୍ଷ ଧରି ଯତ୍ନରେ ସାଇତି ଆସିଥିବା ନିଜ ବିଶ୍ୱାସର ଅପମୃତ୍ୟୁହିଁ ତାକୁ ବେଶି ଉତ୍ତ୍ୟକ୍ତ କରୁଥିଲା ।

 

ପୁଣି ଥରେ ତା’ ବାହାଘର ପରର ରାତି କଥା ମନେପଡ଼ୁଥିଲା । ଚାରିଆଡ଼ ଶୂନଶାନ୍‌ । ଏତେ ଶୂନଶାନ୍‌ ଯେ କୋଉଠି ସୋରିଷଟେ ପଡ଼ିଲେ ସୁଦ୍ଧା ତା’ର ସ୍ୱର ଶୁଭିଯିବ ତା’ କାନରେ । ଭାଉଜ ଓ ତାଙ୍କର ପିଲା ଦିହେଁ ଶୋଇସାରିଥିଲେ । ଭୋଜିଭାତର କୋଳାହଳ ଅନେକବେଳୁ ନିରବି ଯାଇଥିଲା । ନିଜ ଶୋଇବା ଘରେ ମୋହନ, ପତ୍ନୀ ଊର୍ମିଳାକୁ ନିଜର କଥାତକ ଭଲଭାବେ ବୁଝେଇ କହିବା ଲାଗି ଶବ୍ଦ ଖୋଜୁଥିଲା ।

 

ମୋହନ କହିଥିଲା, “ଭାଉଜ ମୋର ବଡ଼ଭାଇ ଓ ମାଆ ପରି । ବାପାବୋଉ ଚାଲିଗଲା ପରେ ବଡ଼ଭାଇ ମୋତେ ମଣିଷ କରିଥିଲେ । ମୋତେ ଖୁଆଇ ପିଆଇ ଛୋଟରୁ ବଡ଼ କରିଥିଲେ । ମୋର ଅଳିଅର୍ଦ୍ଦଳି ସହିଥିଲେ ଏବଂ କୌଣସି ଦିନ ମୋ ମନରେ ଏ ଧାରଣା ସୃଷ୍ଟି ହେବାକୁ ଦେଇ ନଥିଲେ ଯେ, ଏହି କଥାଟା ବାପା କି ବୋଉ ନଥିବା ଯୋଗୁଁ ମୋର ହୋଇପାରିଲା ନାହିଁ । ମୁଁ ହାଇସ୍କୁଲ୍‍ରେ ପଢ଼ିବାବେଳେ ଭାଉଜ ଆସିଲେ । ଭାଇଙ୍କ ବାହାଘର ଆଗରୁ ମୋର ବହୁତ ଡର ଥିଲା । ଏ ସ୍ତ୍ରୀଲୋକଟି କି ପ୍ରକାର ମଣିଷ ହୋଇଥିବେ–ଏଇକଥା ବରାବର ଭାବୁଥିଲି । ଆମ ଗାଁରେ ଖୁବ୍‌ କମ୍‌ରେ ସାତଟି ଘରେ ଭାଉଜମାନଙ୍କ ଦୁର୍ବ୍ୟବହାର ମୁଁ ଦେଖିଥିଲି । ତେଣୁ ମୋ ମନରେ ଭୟ ଥିଲା । ପ୍ରଥମରୁ ମୁଁ ତାଙ୍କ ପ୍ରତି ଖରାପ ବ୍ୟବହାର କରିବା ଆରମ୍ଭ କରିଦେଇଥିଲି । କିନ୍ତୁ ସେ ଅଦ୍ଭୁତ ପ୍ରକାରର ମଣିଷ । କେବଳ ଗୋଟିଏ ପଦରେ କହିବି, ମୋ ବୋଉ ସୁଦ୍ଧା ମୋତେ ଏତେ ସ୍ନେହରେ ଲାଳନପାଳନ କରି ନଥାନ୍ତେ ।

 

“ଆମେ ଖୁସିରେ ଥିଲୁ । ଜମିବାଡ଼ି କିଣି ଆଉ ଟିକିଏ ଭଲରେ ରହିବାକୁ ଚାହୁଁଥିଲୁ । ଭାଇ ମରିଗଲେ । ସେତେବେଳକୁ ବୁଲୁ ଓ ଲୋନି ଖୁବ୍‌ ସାନ ସାନ । ଦିଇଟି ବିଲେଇ ଛୁଆ ପରି ସାନ ସାନ ପିଲା ଏବଂ ଅଠେଇଶିବର୍ଷ ବୟସର ବିଧବା ଭାଉଜ ।”

 

ସେଦିନ ଏକଥା କହିବାବେଳେ ମୋହନର ଆଖିରେ ଲୁହ ଜକେଇ ଆସିଥିଲା । ଊର୍ମିଳା, ନୂଆ ଘରକରଣାର ଲାଜ ଭୁଲି ନିଜ ପଣତରେ ମୋହନ ଆଖିରୁ ଲୁହ ପୋଛିଦେଇ କହିଥିଲା–ଥାଉ, ପଛକଥା ଭାବି ମନକଷ୍ଟ କର ନାହିଁ ।

 

ସେମାନଙ୍କ ଅଟୋ ଲକ୍ଷ୍ମୀପୁର ଡାକ୍ତରଖାନା ହତା ଭିତରେ ପହଞ୍ଚିସାରିଥିଲା । ମୋହନ ଓହ୍ଲେଇ ପଡ଼ି ଊର୍ମିଳାକୁ ଉଠେଇନେଲା । ସେତେବେଳକୁ ତା’ ପଛେ ପଛେ ମଟର ସାଇକେଲ୍‌ରେ ଆସୁଥିବା ବୁଲୁବି ପହଞ୍ଚି ସାରିଥିଲା । ତା’ ସହିତ ଥିଲା ପଡ଼ିଶା ଘରର ଆଉ ଜଣେ ଯୁବକ । ସେମାନେ ଊର୍ମିଳାକୁ ନେଇ ଆଶୁଚିକିତ୍ସା ବିଭାଗର ଖଟ ଉପରେ ଶୁଆଇଦେଲେ ।

 

ଡାକ୍ତର ପଦ୍ମଲୋଚନ ମହାପାତ୍ର ଊର୍ମିଳାକୁ ତନଖି ଦେଖିଲେ । ତା’ର ଆଖିଡ଼ୋଳା, ତା’ର ଦି’ ହାତର ନାଡ଼ି, ତା’ ଛାତିର ଦୁକୁଦୁକି ଏବଂ ତା’ର ଜିଭ । ତା’ପରେ ସେ ଜଣେ ନର୍ସଙ୍କୁ ଡାକିଲେ । ଖଣ୍ଡିଏ କାଗଜରେ କିଛି ଔଷଧ ଓ ଇଞ୍ଜେକ୍‍ସନ୍‌ର ନାଁ ଲେଖିଦେଇ ମୋହନକୁ ଦେଲେ-। ମୋହନ ସେ କାଗଜ ଖଣ୍ଡିକ ପଢ଼ିବା ଆଗରୁ ବୁଲୁ ସେଇଟିକୁ ଛଡ଼େଇ ନେଲା ପରି ନେଇଗଲା ଏବଂ ‘ମୁଁ ଆଣୁଛି’ କହି ଔଷଧ ଦୋକାନ ମୁହାଁ ଚାଲିଗଲା !

 

ଡାକ୍ତର ମହାପାତ୍ର କହିଲେ, ‘ଆପଣମାନେ ଟିକେ ବାହାରକୁ ଯାଆନ୍ତୁ । ବ୍ୟସ୍ତ ହେବାର କିଛି କାରଣ ନାହିଁ । ସେ ବିପଦମୁକ୍ତ ।’

 

ମୋହନ ଦେହରୁ ଗୋଟେ ଶ୍ରମଝାଳ ବୋହିଗଲା । ସେ ଉପରକୁ ହାତଯୋଡ଼ି ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଇଲା । “ଗୋଟେ ବଡ଼ ବିପଦରୁ ବଞ୍ଚେଇଦେଲ” ବୋଲି କହିଲା ଏବଂ ଡାକ୍ତରଖାନା ବାରନ୍ଦାର ବେଞ୍ଚ୍ ଉପରେ ଆସି ବସିଲା ।

 

ରାସ୍ତା ସେକଡ଼େ ଲଙ୍କାଆମ୍ବ ଗଛ କେତୋଟିରେ ଫୁଲ ଫୁଟିଛି । ଆକାଶରେ ଜହ୍ନ, ସପ୍ତମୀ ତିଥି ହେବ କି କ’ଣ ! ଲକ୍ଷ୍ମୀପୁର ବଜାରରୁ ଫେରୁଥିବା ଲୋକମାନେ ନିଜ ନିଜ ଭିତରେ ଗପ୍‍ସପ୍ ହେଉଛନ୍ତି । ମୋହନ ବାହାର ରାସ୍ତାରୁ ଦୃଷ୍ଟି ଫେରାଇ ଡାକ୍ତରଖାନାର ଭିତରକୁ ଚାହିଁଲା-। ବାରନ୍ଦାରେ ଦି’ଜଣ ରୋଗିଣୀ ଶୋଇଛନ୍ତି । ସେମାନଙ୍କ ପାଖରେ ବୁଲାକୁତିଟାଏ-। ମୋହନ ଉଠିପଡ଼ି ସେ କୁତିଟାକୁ ଘଉଡ଼େଇ ଦେଲା ଏବଂ ପୁଣି ଆସି ନିଜ ଜାଗାରେ ବସିଲା ।

 

ତା’ର ବାହାଘର ପରର ସେହି ରାତି କଥା ବାରମ୍ବାର ମନେ ପଡ଼ୁଥିଲା । ସେ ଊର୍ମିଳାକୁ କହିଥିଲା, ବୁଲୁ ଓ ଲୋନି ଦିହିଁଙ୍କର ଦାୟିତ୍ୱ ତା’ର–ଏହିକଥା ଭାଇଙ୍କ ମରିବା ଦିନ ସେ ସ୍ଥିର କରି ନେଇଥିଲା । ମଶାଣିରେ ମୁଖାଗ୍ନି ଦେବାବେଳେ ସେ ସଂକଳ୍ପ କରିଥିଲା, ସେ ଆଉ ବାହାହେବ ନାହିଁ । କାରଣ ବାହାହେଲେ ଏହିସବୁ ସମସ୍ୟା ଆସିବ ଏବଂ ସେ ତା’ର ସଂକଳ୍ପ ପୂରଣ କରିପାରିବ ନାହିଁ । ମଶାଣିରୁ ଫେରି ଭାଉଜଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରିଥିଲା । କିନ୍ତୁ ସେ ଅବସ୍ଥାରେ କିଏ ବା କାହାକୁ ସାନ୍ତ୍ୱନା ଦେଇଥାଆନ୍ତା !

 

ହିନ୍ଦୁ ସମାଜର ଥିବା ସଂସ୍କାର ଓ ଏଗାର–ବାରଦିନ ପର୍ଯ୍ୟନ୍ତ ଯେଉଁ କର୍ମକର୍ମାଣି ତା’ ଉପରେ ମୋହନ ସବୁବେଳେ ରାଗି ଆସିଥିଲା । କିନ୍ତୁ ଭାଇଙ୍କ ମୃତ୍ୟୁ ପରେ ସେ ଅନୁଭବ କରିଥିଲା, ଏସବୁ ଜଞ୍ଜାଳ ନଥିଲେ ମଣିଷର କେତେ କ୍ଷତି ହୁଅନ୍ତା । ସେ ଆତ୍ମୀୟ ଶୋକରୁ ଆଦୌ ମୁକୁଳି ପାରନ୍ତା ନାହିଁ । ଏହିସବୁ ଜଞ୍ଜାଳର ବ୍ୟସ୍ତତା ତାକୁ ପରୋକ୍ଷ ଭାବରେ ଶୋକଠାରୁ ଦୂରେଇ ନିଏ । ତା’ ଭିତରେ ସେ ଏତେ ବ୍ୟସ୍ତ ରହିଯାଏ ଯେ, ଆତ୍ମୀୟ କଥା ମନେପକେଇବା ଲାଗି ଖୁବ୍‌ କମ୍‌ ସମୟ ପାଏ । ଅନ୍ତତଃ ଏମିତିରେ ବାର ତେରଦିନ ସମୟ ଗଡ଼ିଯାଏ ।

 

ଜଞ୍ଜାଳର ସେଇ ସଂକ୍ଷିପ୍ତ ଅବସର ଭିତରେ ମୋହନ ନିଜର ଭବିଷ୍ୟତ କର୍ମପନ୍ଥା ସ୍ଥିର କରିଥିଲା । ସେଦନ ତାକୁ ମାତ୍ର ଚଉଦବର୍ଷ ହୋଇଥିଲା । ତା’ର ବାହାଘର, ଘରସଂସାର ଓ ପରିବାର ଗଢ଼ିବା ଏସବୁ ବହୁ ଦୂରବର୍ତ୍ତୀ ଥିଲା । ତା’ ସତ୍ତ୍ୱେ ସେ ଭାଇଙ୍କପାଇଁ ମାଲହାଣ୍ଡି ନେବା ଓ ଶ୍ରାଦ୍ଧ କରିବା ଭିତରେ ନିଜକୁ ତାଙ୍କ ପୁଅର ଆସନରେ ବସେଇଥିଲା ।

 

ସେହିଦନୁ ସେ ଭାଉଜଙ୍କୁ ତା’ ମା’ ରୂପରେ ଦେଖିଆସିଛି ।

 

ସେଇଥିପାଇଁ ସେଦିନ ଯେତେବେଳେ ଊର୍ମିଳା ଡବଡ଼ବ ଆଖିରେ ତାକୁ ଅନେଇ ଜାଣିବାକୁ ଚାହିଁଲା ଯେ କାହିଁକି ସେମାନେ ମା’–ବାପା ହୋଇ ପାରିବେ ନାହିଁ, ଦୃଢ଼ ସ୍ୱରରେ ମୋହନ କହିଥିଲା, “ମୁଁ ନିଷ୍ପତ୍ତି ନେଇ ସାରିଛି ।”

 

ବୋଧହୁଏ ସେମିତି କିଛି ସୁରାକ ପାଇଥିଲା କି କ’ଣ ଊର୍ମିଳା, ତାଙ୍କ ଘରକୁ ଆସିବା ଆଗରୁ । ନିଜେ ମୋହନ ଊର୍ମିଳାର ବଡ଼ଭାଉଜଙ୍କୁ କହିଥିଲା, “ଯିଏ ଆମ ଘରକୁ ଆସିବ, ସିଏ ସାଙ୍ଗରେ ଭାଉଜଙ୍କ ପରିବାରକୁ ମଧ୍ୟ ନିଜର ବୋଲି ଭାବିବ । ନିଜପାଇଁ ପୁଅଝିଅ ଚିନ୍ତା କରିବ ନାହିଁ ।”

 

ବୁଲୁ ଔଷଧ ନେଇ ଆସୁଥିଲା । ତା’ର ମୁଣ୍ଡବାଳ ବିପର୍ଯ୍ୟସ୍ତ ଦିଶୁଥିଲା ।

 

ଚେହେରାରୁ ଜଣା ପଡ଼ିଯାଉଥିଲା ଯେ ସେ ଏତିକି ବାଟ ଚାଲି ଚାଲି ନୁହେଁ ଦଉଡ଼ି ଦଉଡ଼ି ଆସିଛି । ମୋହନ ବେଞ୍ଚ୍ ଉପରୁ ଉଠୁଥିଲା । ବୁଲୁ କହିଲା, ‘ତୁମେ ଥାଅ । ମୁଁ ଖୁଡ଼ୀଙ୍କୁ ଔଷଧ ଦେଇଆସୁଛି ।’

 

ଏଇ ବୁଲୁ ସେତେବେଳେ ତିନିବର୍ଷର ଛୁଆ ହୋଇଥିଲା । ତା’ଠୁ ସାନ ଲୋନିର ବୟସ ଦେଢ଼ବର୍ଷ । ସେହି ଦିନମାନଙ୍କର କଥା ଭୁଲିପାରେ ନାହିଁ ମୋହନ । ଛୁଆ ଦିଇଟିଙ୍କୁ କୋଳରେ ଧରି ଭାଉଜ ତା’ ଲାଗି ଖାଇବା ରାନ୍ଧୁଥିବେ । ତାକୁ ସ୍କୁଲ୍‍ ପଠେଇବା ପାଇଁ କାମ ସାରୁଥିବେ । ଧୂଆଁରେ କୁହୁଳୁଥିବ ହାଣ୍ଡିଶାଳ । ଧୂଆଁ ଫୁଙ୍କୁ ଫୁଙ୍କୁ ଭାଉଜଙ୍କ ଗୋରା ମୁହଁ ନାଲି ପଡ଼ିଯାଏ । ଆଖିରୁ ନିଗିଡ଼ି ଆସେ ଲୁହ । କିନ୍ତୁ ସେ ଆଡ଼କୁ ତାଙ୍କର ନଜର ନଥାଏ । ତାଙ୍କ ଉପରେ ତିନି ତିନିଟି ପ୍ରାଣୀଙ୍କ ଦାୟିତ୍ୱ । ଘରବାଡ଼ି, ଚାଷବାସ–ସବୁକଥା ତାଙ୍କୁ ବୁଝିବାକୁ ପଡ଼େ ।

 

“ଏକାଏକା ନିଷ୍ପତ୍ତି ନେଇଗଲ । ମୋ ଆସିବାଯାଏ ଅପେକ୍ଷା କଲ ନାହିଁ ?” ଊର୍ମିଳା କହିଥିଲା । କୃତଜ୍ଞତାରେ ମୋହନ ସାନପିଲାଟିଏ ପାଲଟି ଯାଇଥିଲା । ସେ ନିଜକୁ ସହସା ଖୁବ୍‌ ଭାଗ୍ୟବାନ ମନେ କରିଥିଲା । ଯେତେ ଯାହା ଅଭାବ କି ଅସୁବିଧା ଥାଉ, ଭାଉଜ ଏବଂ ଊର୍ମିଳା ପରି ଦି’ଜଣ ଭଲ ମଣିଷ ତା’ ପରିବାରରେ ଅଛନ୍ତି, ଏଇ କଥାଟି ଭାବି ସେ ଖୁବ୍‌ ଖୁସି ହୋଇଥିଲା-

 

ମୋହନ କହିଥିଲା, “ତୁମ ଉପରେ ବିଶ୍ୱାସ ଅଛି, କିନ୍ତୁ ନିଜ ଉପରେ ନାହିଁ । କାଳେ କେତେବେଳେ କ’ଣ ହେଇଯିବ । ମୂଳରୁ ସେ ସମ୍ଭାବନାଟିକୁ ନ ରଖିଲେ ଭଲ ।”

 

ଊର୍ମିଳା କହିଥିଲା, “ତୁମେ ଜଣେ ଦେବତା ।”

 

ମୋହନ ଉତ୍ତର ଫେରେଇଥିଲା, “ଦେବତା ହେବା ସହଜ । ମଣିଷ ହେବା କିନ୍ତୁ କଷ୍ଟ । ଦେବତା ତ ସବୁଦିନେ ଦେବତା ହୋଇ ରହିବେ । କିନ୍ତୁ ମଣିଷ ଚାହିଁଲେ ଦେବତା ହୋଇପାରିବ, ରାକ୍ଷସବି ହୋଇପାରିବ ।”

 

ଊର୍ମିଳା କିଛି କହି ନଥିଲା । ବି.ଏ. ପଢ଼ା ଲୁଗାବେପାରୀ ବରଟି ମୁହଁରୁ ଏମିତି କଷ୍ଟ କଷ୍ଟ କଥା ଶୁଣି ସେ ଟିକେ ଆଶ୍ଚର୍ଯ୍ୟ ହୋଇଥିଲା । କିନ୍ତୁ ଯେଉଁ ମଣିଷ ପୁତୁରା–ଝିଆରୀଙ୍କ ପାଇଁ ନିଜର ବାପପଣିଆକୁ ବିସର୍ଜନ କରିଦେଇ ପାରୁଛି, ତା’ ପକ୍ଷେ ଦେବତା ହେବାଟି ବଡ଼କଥା ନଥିଲା-। ସେ ତା’ର ପାଟଶାଢ଼ିର ପଣତରେ ମୋହନର ଶ୍ୟାମଳ ମୁହଁଟିକୁ ଲୁଚେଇ ଦେଇ କହିଥିଲା, “ତୁମ ଉପରେ କାହାର ନଜର ନ ପଡ଼ୁ ।”

 

ଅଟୋରିକ୍ସାଟିଏରୁ ଭାଉଜ ଓହ୍ଲଉଥିଲେ । ଗୋଟେ ଟିଫିନ୍‌ କ୍ୟାରିୟରରେ କ’ଣ ସବୁ ଧରିଛନ୍ତି । ମୋହନ ଉଠି ପଡ଼ିଲା । ମାତ୍ର ଭାଉଜ ତା’ ଆଡ଼େ ନ ଚାହିଁ ଦୂରଛଡ଼ା ହୋଇ ଠିଆହୋଇଥିବା ବୁଲୁକୁ ପଚାରିଲେ, “ଡାକ୍ତର କ’ଣ କହୁଛନ୍ତି ?”

 

ବୁଲୁ ଧୀର ଗଳାରେ କହିଲା, “ବିପଦ ନାହିଁ । ଖୁଡ଼ୀ ସେଗୁଡ଼ାରୁ ବେଶି ଖାଇ ପାରି ନାହାନ୍ତି । ତୁମେ ପହଞ୍ଚି ନଥିଲେ... ।”

 

“ପାଗଳୀଟା ମୋ ସଂସାର ତ ଭସେଇ ଦେଇଥିଲା... ।” ଭାଉଜ କହିଲେ ଓ ବୁଲୁ କାନ୍ଧରେ ଆଉଜି ପଡ଼ି କାନ୍ଦିବାରେ ଲାଗିଲେ ।

 

ମୋହନ ଭାଉଜଙ୍କ ଦୁଃଖ ବୁଝିପାରୁଥିଲା । ଘଟଣା ଯେଉଁ ଦିଗରେ ଯାଉନା କାହିଁକି ସବୁବେଳେ ଭାଉଜହିଁ ସମାଲୋଚିତ ହେଉଥିଲେ । ଭାଇଙ୍କ ଅସମୟ ମୃତ୍ୟୁ ଲାଗି ଭାଉଜ ଦାୟୀ, ମୋହନର ବାପ ନ ହେବାପାଇଁ ସେ ଦାୟୀ ଏବଂ ଆଜିର ଦୁର୍ଘଟଣା ଲାଗି ମଧ୍ୟ ସେ ଦାୟୀ । ଭାଉଜଙ୍କ ଦୁଃଖ ଚିନ୍ତା କରି ମୋହନ ବିବଶ ହୋଇପଡ଼ୁଥିଲା ।

 

ଅନେକ ସମୟରେ ଭାଉଜଙ୍କ ଭାଗ୍ୟ କଥା ଚିନ୍ତା କରେ ମୋହନ । ବାପ–ମାଆଙ୍କର ଗୋଟେ ବୋଲି ଗେହ୍ଲା ଝିଅ ଥିଲେ ଭାଉଜ । ଖୁବ୍‌ ଆଦରରେ ବଢ଼ିଥିଲେ ତାଙ୍କ ବାପଘରେ । ସେହି ଝିଅ ମାତ୍ର ଅଠେଇଶବର୍ଷ ବୟସରେ ବିଧବା ହୋଇଗଲେ । ତା’ପରେ ସାନ ସାନ ପିଲା ଓ ନାବାଳକ ପରି ଦିଅରଟିର ଦାୟିତ୍ୱ । ଆଜି ପିଲାଏ ବଡ଼ ହୋଇଗଲେଣି । ସେମାନେ ଦିନସାରା ସ୍କୁଲ୍‍ ଓ କଲେଜରେ ବିତାନ୍ତି । ରାତିରେ ନିଜ ନିଜ ଘରେ ଶୁଅନ୍ତି । ଭାଉଜ ଏକାକୀ, ଏକଟଣାର ସୁର ପରି ଘରର ଏପଟୁ ସେପଟ ଓ ସେପଟୁ ଏପଟ ହେଉଥାନ୍ତି । ତାଙ୍କ ପାଖରେ ବସିବାକୁ କାହାର ସମୟ ନଥାଏ ।

 

ମୁଣ୍ଡବାଳ ଅଧା ପାଚିଗଲାଣି । ଅଠଚାଳିଶ ଅଣଚାଶବର୍ଷ ବୟସରେ ଭାଉଜ ବୁଢ଼ୀ ହୋଇଗଲା ପରି ଦିଶନ୍ତି । ଯେଉଁଦିନଠାରୁ ସେ ତାଙ୍କ ଘରକୁ ଆସିଲେଣି ସେହିଦିନଠାରୁ ଜଞ୍ଜାଳ ଲାଗିଛି । ବାହାହୋଇ ଆସିବାର ଦେଢ଼ଟା ବର୍ଷ ପରେ ମା’ ହେଲେ । ଜଞ୍ଜାଳ ବଢ଼ିଲା । ତା’ପରେ ଆସିଲା ଲୋନି । ମୋହନର ଦାୟିତ୍ୱ ମୂଳରୁ ଥିଲା । ଶେଷକୁ ବୈଧବ୍ୟ ।

 

ଅଥଚ ମୋହନ ଜାଣେ, ଗାଁରେ ଅସହିଷ୍ଣୁ ଲୋକମାନେ ଠିକ୍‌ ଓଲଟାଭାବେ ଚିତ୍ରଣ କରନ୍ତି ତା’ ଭାଉଜକୁ । କହନ୍ତି, ସବୁ ତ ଭୋଗ କରୁଛି ମାଇପି ଖଣ୍ଡିକ । ଶାଶୁ ଶ୍ୱଶୁର ନାହାନ୍ତି, ଗେରସ୍ତବି ନାହିଁ । ଟୋକା ଦିଅର ମାଲୁଣୀର ମେଣ୍ଢା ପରି ପୋଷା ମାନିଛି । ତା’ର ଆଉ କି ଚିନ୍ତା !

 

ଜଣକୁ ନିଆଁ ପରି ଲାଗୁଥିବା ଜିନିଷଟି ଅନ୍ୟକୁ ପାଣି ପରି କେମିତି ଲାଗେ, ସେ ରହସ୍ୟ ମୋହନ ଭେଦ କରିପାରେ ନାହିଁ । ତା’ ସାମ୍ନାରେ ଭାଉଜଙ୍କ ଥକି ପଡ଼ିଥିବା ଚେହେରା ବରାବର ଦିଶିଯାଏ । କେତେବେଳେବି ନିଜ ଦେହପାର ଯତ୍ନ ସେ ନିଅନ୍ତି ନାହିଁ । ପତଳା କଳାଧଡ଼ିର ଧଳା ଶାଢ଼ି ପିନ୍ଧନ୍ତି, ଦେହରେ ଗହଣାଗାଣ୍ଠି ଖଣ୍ଡେ ନାହିଁ, ହାତ ଫୁଙ୍ଗୁଳା । ତା’ ସତ୍ତ୍ୱେ ଗାଁ ଲୋକେ ନାନା ଟିପ୍ପଣୀ ଦିଅନ୍ତି ।

 

ଭାଉଜ ଊର୍ମିଳା ପାଖରେ ଯାଇ ବସିଛନ୍ତି । ଡାକ୍ତର ଇଞ୍ଜେକ୍‍ସନ୍‌ ଦେବାକୁ କହି ଚାଲିଗଲେଣି । ଆଉ କିଛି ବିପଦ ନାହିଁ । ଶୀଘ୍ର ଡାକ୍ତରଖାନା ନେଇ ଆସି ସେମାନେ ଭଲ କରିଛନ୍ତି । ଏବେ ଊର୍ମିଳା ବିପଦଶୂନ୍ୟ । ସକାଳକୁ ସେମାନେ ତାକୁ ଘରକୁ ନେଇଯିବେ ।

 

କିନ୍ତୁ ସବୁ ବିପଦ ଏବେ ମୋହନର ମୁଣ୍ଡ ଉପରେ । ମହଣେ ଓଜନର ପାପବୋଧ ତା’ ମୁଣ୍ଡ ଉପରେ ଆସି ସବାର ହୋଇଛି । ଗତକାଲି ପର୍ଯ୍ୟନ୍ତ ଏ କଥାକୁ ନେଇ କେହି କିଛି ଚର୍ଚ୍ଚା କରୁ ନଥିଲେ । କିନ୍ତୁ ଆଜିଠାରୁ ସମସ୍ତେ ଏଇ କଥାଟିକୁ ନେଇ ବାର ଆଲୋଚନା କରିବେ । କୋଳିଆଡ଼ିଆ ପରି ମଫସଲୀ ଗାଁରେ, ଊର୍ମିଳାର କନିଅର ମଞ୍ଜି ଖାଇ ଆତ୍ମହତ୍ୟା କରିବା ଉଦ୍ୟମଠାରୁ ଆଉ ବଡ଼ ଘଟଣା ଚର୍ଚ୍ଚାପାଇଁ କ’ଣ ଅଛି ? କାହିଁକି ଖାଇଲା ବିଷ ? ସ୍ୱାମୀ–ସ୍ତ୍ରୀଙ୍କ ଭିତରେ ନିଶ୍ଚୟ ପଡ଼ୁନାହିଁ । ପଡ଼ିବ କେମିତି ? ଝୁଅଟି ଆଠବର୍ଷ ହେଲା ବାହା ହୋଇ ଆସିଲାଣି, ଏପର୍ଯ୍ୟନ୍ତ ଫଳିଲା ନାହିଁ । ତା’ ଦୋଷ କି ମର୍ଦର ଦୋଷ କିଏ ଜାଣେ ? ବାଞ୍ଝ ମାଇକିନା ମୁହଁ ଚାହିଁଲେ ତ ଫଳନ୍ତି ଗଛ ସୁଦ୍ଧା ମରିଯିବ । ଆମେ ତ ମଣିଷ ।

 

ବାଞ୍ଝ, ବାଞ୍ଝ, ବାଞ୍ଝ !

 

ଏହି ବାଞ୍ଝ ଶବ୍ଦଟିକୁ ଆଦୌ ସହିପାରେ ନାହିଁ ମୋହନ । ତାକୁ ଲାଗେ ଏଇ ଶବ୍ଦଟା ଭିତର ଦେଇ ଗୋଟେ ବିଷବୋଳା ତୀରଟିଏ ଯେମିତି କେହି ତା’ ଛାତି ଭିତରେ ବିନ୍ଧି ଦେଉଛି । କଥାଟି ଊର୍ମିଳାକୁ ଲକ୍ଷ୍ୟକରି କୁହାଯାଉଥିଲେବି ସେଇଟା ଆସି ତାକୁ ଲହୁଲୁହାଣ କରିଦିଏ । ତା’ ଦେହସାରା ଉତ୍କଟ ବିଷର ଜ୍ୱାଳା ଭର୍ତ୍ତି କରିଦିଏ । ପୁରୁଷଟେ ହୋଇ ଯଦି ତାକୁ ଏତିକି ଅପମାନ ଲାଗୁଛି, ତାହାହେଲେ ଊର୍ମିଳାକୁ ତା’ଠାରୁ ଶହେ ଗୁଣ ଅଧିକ ଅପମାନ ଲାଗୁଥିବ । ପର ମୁହୂର୍ତ୍ତରେ ସେ ନିଜର ସଂକଳ୍ପ ଏବଂ ଊର୍ମିଳାର ମହତପଣିଆ ଚିନ୍ତା କରି ନିଶ୍ଚିନ୍ତ ହୋଇଯାଏ । ଗାଁ ଲୋକଙ୍କ ସଂକୀର୍ଣ୍ଣପଣିଆକୁ ସେ ଦୟା କରେ, ଉପହାସ କରେ ସେମାନଙ୍କର ଅଜ୍ଞତାକୁ ।

 

ଅଥଚ ଆଉ ମୋହନ ସେଭଳି ଭାବି ନିଶ୍ଚିନ୍ତ ରହିପାରିବ ନାହିଁ । ସେ ଯୁଦ୍ଧ ହାରିଯାଇଛି-। କେହି କିଛି ନ କହିଲେବି ସେ ଜାଣିପାରୁଛି, ଊର୍ମିଳା ଆଉ ତା’ ସଂକଳ୍ପ ସାଙ୍ଗରେ ନାହିଁ ।

 

: କାହିଁକି ରହନ୍ତା ? –ମୋହନ ଚମକି ପଡ଼ି ଚାହିଁଲା । ଭାଉଜ ତାଙ୍କ ସାଙ୍ଗରେ ଆସିଥିବା ମହାନ୍ତି ଖୁଡ଼ୀଙ୍କୁ କହୁଥିଲେ । ସେ କାନଡ଼େରି ଶୁଣିଲା । ‘ଆଠବର୍ଷ ହେଲା ଏ ଘରକୁ ସେ ଆସିଲାଣି । କୋଉ ସୁଖଶାନ୍ତି ତା’ର ଅଛି ? ସବୁଦିନେ ଦୁନିଆଯାକ ଲୋକଙ୍କ କଥା ଶୁଣୁଛି । ଏତେ କଥା ଶୁଣି ସେ କାହିଁକି ରହନ୍ତା ? ତା’ଠାରୁ ଜୀବନ ହାରିଦେଲେ ଭଲ ।’

 

ମୋହନବି କାନରେ ହାତଦେଇ ଥମ୍‌ କରି ସେଇ ବେଞ୍ଚ୍‍ରେ ବସିପଡ଼ିଲା । ଭାଉଜ ଏ କ’ଣ ସବୁ କହୁଛନ୍ତି ? ଏତେ ଟାଣ ଟାଣ କଥା କେମିତି କହୁଛନ୍ତି ? ସେ କାନ ଡେରିଲା, ମହାନ୍ତି ଖୁଡ଼ୀ କି ଉତ୍ତର ଫେରଉଛନ୍ତି ।

 

ଭଦ୍ରମହିଳା କହୁଥିଲେ, “କିଏ ତାକୁ କହିବ ? ସମସ୍ତେ ତୁମକୁ ଦୋଷ ଦେଉଛନ୍ତି ବାସନ୍ତୀ । ଜଣେ ଦି’ଜଣ ହୋଇଥିଲେ ସିନା ସେମାନଙ୍କ ମୁହଁ ବନ୍ଦ କରିଦିଅନ୍ତି । ସାରା ଗାଁ ଗୋଟାକର ମୁହଁ କିପରି ବନ୍ଦ କରିବି ? ମୋହନକୁ ବରଂ କୁହ, ଊର୍ମିଳାକୁ ନେଇ ଡାକ୍ତର ଫାକ୍ତର ଦେଖଉ । ନହେଲେ କରଞ୍ଜଆଡ଼ିଆ ସିଦ୍ଧଗୋସାଇଁଙ୍କ ପାଖକୁ ନେଇଯାଉ । ସେଠି ତ କେତେକେତେ ବାଞ୍ଝ ଫଳନ୍ତି ହେଇ ଫେରିଛନ୍ତି । ଯଦି ୟା ଭାଗ୍ୟରେ ଥାଏ, ଇଏବି ଫଳିବ ।”

 

ଭାଉଜ ମୁଣ୍ଡ ତଳକୁ କରି ଏସବୁ ଶୁଣୁଥିଲେ । ମୋହନ ଅନୁମାନ କରିପାରୁଥିଲା, ଲାଜରେ ସିଏ ମୁହଁ ଟେକି ପାରୁ ନାହାନ୍ତି । ସମୁଦାୟ ପରିବାରଟିରେ ଏବେ ଅପମାନର ବଢ଼ିପାଣି-। ଗାଁଟି ଭିତରେ ସେଇମାନେ ଯେମିତି ନିନ୍ଦିତ ଲୋକ କେତୋଟି । ଏହାର ଗୋଟିଏ କାରଣ, ଊର୍ମିଳାର ପିଲାଟିଏ ନାହିଁ । ଊର୍ମିଳାର ପିଲାଟିଏ ଥିଲେ, ଆଉ କାହାରି କିଛି ଚିନ୍ତା ନଥାନ୍ତା-

 

ଏହି କାରଣରୁ ସେଦିନ ବାହାଘର ପାଇଁ ମୋହନ ରାଜିହେଉ ନଥିଲା । ସେ ଜାଣିଥିଲା, ଦିନେ ନା ଦିନେ ଏମିତି ସମୟ ଆସିବ । କୌଣସି ନାରୀ ଚିରଦିନ ନିଃସନ୍ତାନ ହୋଇ ରହିବାର ଭାଗ୍ୟକୁ କଦାପି ଗ୍ରହଣ କରିପାରିବ ନାହିଁ । ରାମାୟଣର ଊର୍ମିଳା ଭଉଣୀ ସୀତାଙ୍କ ପ୍ରତି ଈର୍ଷା କରିବାର ପରିସ୍ଥିତି ଏଡ଼େଇ ପାରି ନଥିଲେ । ଇଏ ତ ମଫସଲ ଗାଁର ମାଟ୍ରିକ ପଢ଼ୁଆ ଊର୍ମିଳା-! ମାତ୍ର ସେଇ କଥାଟି ଊର୍ମିଳା ତାକୁ ଚୁପ୍‌ଚାପ୍‌ କହିଦେଇ ପାରିଥାନ୍ତା । ତାହା ନ କରି ଏମିତି ଗୋଟେ ଦୁର୍ଘଟଣା ଘଟେଇ କି ଲାଭ ପାଇଲା !

 

ପର ମୁହୂର୍ତ୍ତରେ ଊର୍ମିଳାର ଦୃଷ୍ଟିକୋଣରୁ ସେ ଘଟଣାଟିକୁ ଦେଖିବାଲାଗି ଚେଷ୍ଟା କଲା । ଊର୍ମିଳା ତାକୁ ବା ତାଙ୍କ ପରିବାରର କାହାରିକୁ ଅପମାନ ଦେବାଲାଗି ଚାହିଁ ନଥିଲା । ସେ ଚୁପ୍‌ଚାପ୍‌ ମରିଯିବାକୁ ଚାହୁଁଥିଲା । ମରିଯିବାର କାରଣ ସେ ଜାଣିଥିଲେବି ତା’ ବରକୁ ତାଙ୍କର ସଂକଳ୍ପରୁ ଓହରି ଆସିବାକୁ କହିବାଲାଗି ସେ ଚାହୁଁ ନଥିଲା ।

 

ଭାଉଜ ଆସି ମୋହନ ପାଖରେ ଛିଡ଼ାହେଲେ । ହଠାତ୍‌ କାହିଁକି ତାକୁ ଅପରିଚିତ ଅପରିଚିତ ଲାଗୁଥିଲେ ତା’ର ଭାଉଜ । ଚଉଦବର୍ଷ ବୟସରୁ ଆଜି ପର୍ଯ୍ୟନ୍ତ ଏଇ ଭାଉଜ ତା’ର ସବୁ ଭଲମନ୍ଦ ବୁଝି ଆସିଛନ୍ତି । ତାଙ୍କ ସାମ୍ନାରେ ଛିଡ଼ାହେବାବେଳେ ସବୁବେଳେ ଲାଗିଛି ସେ ଯେମିତି ତା’ ବୋଉ କି ବଡ଼ଭାଇଙ୍କ ସାମ୍ନାରେ ଛିଡ଼ା ହୋଇଛି । ଆଜି ସେ ଏତେ ଅପରିଚିତ ଲାଗୁଛନ୍ତି କାହିଁକି ? ସିଏବି କ’ଣ ଭାବୁଛନ୍ତି ଯେ ଏହା ପଛରେ ମୋହନର ସ୍ୱାର୍ଥପରତା ଦାୟୀ । ଦେବତା ପାଲଟିବାର ସ୍ୱାର୍ଥପରତା ଲାଗି ଊର୍ମିଳା ଏବଂ ସେ, ଦୁଇଟି ନାରୀ, ଦୁନିଆ ହାଟରେ ବେଜିତ ହେଉଛନ୍ତି ?

 

ମୋହନ କହିଲା, “ତୁମେ ଘରକୁ ଯାଅ । ମୁଁ ସକାଳୁ ଊର୍ମିଳାକୁ ସାଙ୍ଗରେ ନେଇକି ଯିବି-। ଡାକ୍ତର ତ କହୁଛନ୍ତି... ।” ଭାଉଜ କହିଲେ, “ତମର ମୁଁ କି ଦୋଷ କରିଛି ? କାହିଁକି ମୋତେ ଏତେ ଉଲୁଗୁଣା ଶୁଣଉଛ ? ଯଦି ଊର୍ମିଳାର କିଛି ହୋଇଯାଇଥାଆନ୍ତା, ତାହାହେଲେ ଏ ଗାଁରେ ମୁଁ ପିଲାଛୁଆ ଧରି ରହିପାରିଥାନ୍ତି ତ ?”

 

ମୋହନ କହିଲା, “ମୁଁ ତ ଊର୍ମିଳାକୁ ସବୁ କଥା କହିଥିଲି ।”

 

: ନା ମୋହନ । ତୁମର ସବୁ ଭୁଲ୍‌ । ତୁମେ ନିଜେ ନିଜେ ନିଷ୍ପତ୍ତି ନେଇଥିଲ ଏବଂ ତମର ସେ ନିଷ୍ପତ୍ତିକୁ ତା’ ଉପରେ ଲଦି ଦେଇଥିଲ । ସିଏ ଖୁବ୍‌ ଭଲ ଝିଅ । ଆଉ କେହି ହୋଇଥିଲେ ସେହିଦିନ କ’ଣ ବୋଲି କ’ଣ କହିପକେଇଥାଆନ୍ତା । ତୁମେ କାଲିହିଁ ଡାକ୍ତରଙ୍କ ସାଙ୍ଗରେ କଥା ହୁଅ । ଊର୍ମିଳା ସୁସ୍ଥ ହେବାକ୍ଷଣି ତୁମେ କଟକ ଯାଇ ଆସ । ତା’ ନହେଲେ ଊର୍ମିଳା ସିନା ବଞ୍ଚିଯାଇଛି, ମୁଁ ବଞ୍ଚିବି ନାହିଁ । ଆଉ ଶୁଣ, ଊର୍ମିଳା ଜାଣିଛି, ତମେ ଚାହିଁଲେ ସେ ମାଆ ହୋଇପାରିବ । ମାସେ ତଳେ ଆମେ ଦିହେଁ ଆସି ଡାକ୍ତରଙ୍କୁ ଦେଖେଇ ଯାଇଥିଲୁ ।

 

ମୋହନ ଚମକି ପଡ଼ିଲା । ଏ ଦୁଇଟି ସ୍ତ୍ରୀଲୋକ ତାକୁ ଆଜି ସମ୍ପୂର୍ଣ୍ଣ ଭାବରେ ଖଣ୍ଡଖଣ୍ଡ କାଟିଦେଇ ତା’ପରେ ଶାନ୍ତ ପଡ଼ିବେ । ଗୋଟିଏ ଡାକ୍ତରଖାନା ଖଟ ଉପରେ ଶୋଇ ନିରବରେ ତାକୁ ଲହୁଲୁହାଣ କରିଚାଲିଥିଲା । ଆଉ ଗୋଟିଏ ଏବେ ଟାଣ ଟାଣ କଥା କହି ଚାଲିଥିଲେ ।

 

ସବୁକଥା କହିସାରି ମୋହନ ଗିଲାସେ ପାଣି ମାଗିଲା । ତାକୁ ଏସବୁ ବ୍ୟକ୍ତିଗତ କଥା ଡାକ୍ତର ହୋତାଙ୍କ ପାଖେ କହିବାପାଇଁ ଲାଜ ମାଡ଼ୁଥିଲା । ଆଠବର୍ଷ ତଳେ ସେ ଏଠିକି ଆସି ନିଜେ ପୁରୁଷ ବନ୍ଧ୍ୟାକରଣ ଅପରେସନ୍‌ କରେଇଯାଇଥିଲା । ସେଦିନ ଡାକ୍ତର ହୋତା ତାକୁ ଅନେକ ସମୟ ପର୍ଯ୍ୟନ୍ତ ଏମିତି ନ କରିବାପାଇଁ ବୁଝେଇଥିଲେ । ମାତ୍ର ମୋହନ ତା’ ଜିଦ୍‌ରେ ଅଟଳ ଥିଲା । କହିଥିଲା, ସେ ତା’ର ଭାବୀ ପତ୍ନୀକୁ କହିସାରିଛି, କୌଣସି ଦିନ ସେ ବାପା ହୋଇପାରିବ ନାହିଁ ।

 

ଡାକ୍ତର ହୋତା, ଭୀଷଣ କୁଣ୍ଠା ସହିତ ସେଦିନ ତାକୁ ଅସମର୍ଥ କରି ଦେଇଥିଲେ । ତା’ପରେ କହିଥିଲେ, ଏବେବି ସେ ସ୍ତ୍ରୀ ସହ ସମ୍ପର୍କ ରକ୍ଷା କରି ପାରିବ, ମାତ୍ର ବାପା ହୋଇପାରିବ ନାହିଁ ।

 

ଆଠବର୍ଷ ପରେ ପୁଣି ସେଇ କ୍ଲିନିକ୍‌ । ଏହା ଭିତରେ ସେଦିନର ଛୋଟିଆ କ୍ଲିନିକ୍‌ଟି ଚାରିମହଲା ସୌଧ ପାଲଟିଛି । ଡାକ୍ତର ହୋତାଙ୍କ ବୟସ ବଢ଼ିଛି, ମୁଣ୍ଡବାଳ ଅନେକ ପାଚିଗଲାଣି-। ମୋହନ ତାଙ୍କ ସାମ୍ନାରେ ବଡ଼ କାକୁସ୍ଥ ଭଙ୍ଗୀରେ ବସିଛି ।

 

ଡାକ୍ତର ହୋତା କହିଲେ, “ମୁଁ ପୁଣି ରିଭର୍ସ ଅପରେସନ୍‌ କରିଦେବି । ମାତ୍ର ତା’ପରେ ଯେ ଆପଣ ବାପା ହୋଇପାରିବେ ସେ ଗ୍ୟାରେଣ୍ଟି ଦେଇପାରିବି ନାହିଁ । ଆପଣ ଯେମିତି ଲୋକ, ପଛେ ମୋତେ ପୁଣି ଦୋଷ ଦେବେ ।”

 

ମୋହନ ଭାବିଲା, ଡାକ୍ତର ହୋତା ତା’ର ସମସ୍ୟା ଠିକ୍‌ରୂପେ ବୁଝିପାରୁ ନାହାନ୍ତି । ସେ ଗୋଟେ ଛୋଟ ବ୍ୟବସାୟୀ ହୋଇପାରେ, କିନ୍ତୁ ନିଷ୍ପତ୍ତି ନେବାକୁ ଅସମର୍ଥ ନୁହେଁ । ଭାଇଙ୍କ ପିଲା ଯୋଡ଼ିକଙ୍କ ଭବିଷ୍ୟତ ପାଇଁ ସେ ଅବିବାହିତ ରହିବା ଲାଗି ନିଷ୍ପତ୍ତି ନେଇଥିଲା । ହୁଏତ ଭାଇଙ୍କ ମୃତ୍ୟୁବେଳକୁ ତାକୁ ଏକୋଇଶ, ବାଇଶବର୍ଷ ହୋଇଥିଲେ ଗାଁ ଲୋକେ ଭାଉଜଙ୍କୁ ବାହା ହେଇଯିବା ଭଳି ଲଜ୍ଜାକର ପ୍ରସ୍ତାବ ଦେଇଥାଆନ୍ତେ । କାରଣ ତାଙ୍କ ଗାଁ ଲୋକ ଚାଷ ଜମି ଓ ଗୋଟେ ସ୍ତ୍ରୀଲୋକ ଭିତରେ ବେଶି ଫରକ ନାହିଁ ।

 

ଅଧଘଣ୍ଟା ଭିତରେ ଅପରେସନ୍‌ ସରିଥିଲା । ପୁଣି ଯୋଡ଼ା ହୋଇଗଲା ମୋହନ ଦେହ ଭିତରେ ସେହି ସଂଯୋଗସୂତ୍ର, ଯାହା ଜରିଆରେ ସେ ଊର୍ମିଳାକୁ ମାତୃତ୍ୱର ଗୌରବ ଦେଇପାରିବ-। କିନ୍ତୁ ମୋହନ ଭିତରୁ ଭୟଟି ଦୂର ହୋଇ ନଥିଲା । ଏତେ ସବୁ ସତ୍ତ୍ୱେ ଯଦି ଊର୍ମିଳା ମାଆ ନହୁଏ, ତାହାହେଲେ ସେ କ’ଣ କରିପାରିବ ?

 

ଡାକ୍ତର ହୋତା ଅନ୍ୟ ରୋଗୀର ଆସିବାପାଇଁ ବେଲ୍‌ ଟିପିବାପାଇଁ ଯାଉଥିଲେ, ମୋହନ ସନ୍ତର୍ପଣରେ କହିଲା, “ସାର୍‌, ମୁଁ କ’ଣ... ?”

 

ଡାକ୍ତର ହୋତା ହସିଲେ କି କାଶିଲେ ଜଣାପଡ଼ିଲା ନାହିଁ ।

 

କହିଲେ, “ମୁଁ ଆପଣଙ୍କୁ ପରୀକ୍ଷା କରୁଥିଲି । ଅଧିକାଂଶ କ୍ଷେତ୍ରରେ ସ୍ତ୍ରୀଲୋକଙ୍କର କୌଣସି ଦୋଷ ନଥାଏ । ବେଶି ଅସାମର୍ଥ୍ୟ ଥାଏ ପୁରୁଷର । ତା’ଛଡ଼ା ଆପଣ ତ କହିଲେ, ଆପଣଙ୍କ ସ୍ତ୍ରୀ ଭାଉଜଙ୍କ ସାଙ୍ଗେ ଯାଇ ଡାକ୍ତରଙ୍କୁ ଦେଖେଇ ଆସିଛନ୍ତି । ପ୍ରକୃତରେ ଆତ୍ମହତ୍ୟା ଭଳି ଗୋଟେ ଚରମ ପଦକ୍ଷେପ ନେବାପାଇଁ ସେହିଦିନ ସେ ସ୍ଥିର କରିଥିବେ । ଜଣେ ଯେତେବେଳେ ଜାଣୁଛି ଯେ ସେ ବନ୍ଧ୍ୟା ନୁହେଁ, ଅଥଚ ତାକୁ ସମସ୍ତେ ସେଇଆ କହି ଅପମାନିତ କରୁଛନ୍ତି, ତାଙ୍କୁ କଷ୍ଟ ହେବା ସ୍ୱାଭାବିକ ।”

 

: ଆପଣଙ୍କୁ ଅଶେଷ ଧନ୍ୟବାଦ । କିନ୍ତୁ ଗୋଟାଏ ଦୁଃଖ ରହିଗଲା, ମୁଁ ମୋ ସଂକଳ୍ପ ରଖି ପାରିଲି ନାହିଁ । ସେଦିନ କେଡ଼େ ମୁହଁ ଟାଣରେ ଆପଣଙ୍କୁ କେତେକଥା କହିଥିଲି । ସେକଥା ଭାବି ଲାଜ ମାଡ଼ୁଛି ।

 

: ସେସବୁ ଗତକାଲି ଥିଲା ମୋହନବାବୁ । ମଣିଷ ଗତକାଲି ନୁହେଁ, ଆଜିରେ ବଞ୍ଚେ । ଆପଣ ଏବେ ଆସିପାରନ୍ତି ।

 

ମୋହନ ଉଠିଲା ।

☆☆☆

 

କାରାଗାର

 

ନୂଆଗଡ଼ର ତରୁଣ ଜିଲ୍ଲାପାଳ ମନ୍ମଥ ଚୌଧୁରୀ ତାଙ୍କ ରେଭେନ୍ୟୁ ଅଫିସରଙ୍କ ଉପରେ ଚିଡ଼ି ଉଠିଲେ । କଥା କଥାରେ ରେଭେନ୍ୟୁ ଅଫିସର ଯେମିତି ଜଣେ ଟିକସ ଖିଲାପୀ ଭଦ୍ରଲୋକଙ୍କ ପାଇଁ ସମ୍ମାନଜନକ ବିଶେଷଣ ବ୍ୟବହାର କରୁଥିଲେ ତାହା ଜିଲ୍ଲାପାଳଙ୍କର ପସନ୍ଦ ହେଉ ନଥିଲା । ସେ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ ଯେ ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ପରେ ସୁଦ୍ଧା ଲୋକମାନଙ୍କ ଭିତରୁ ଦାସତ୍ୱର ମନୋଭାବ ଯାଇ ନାହିଁ । ପୁଣି ରେଭେନ୍ୟୁ ଇନିସ୍‌ପେକ୍ଟର ବାନାମ୍ବର ପାତ୍ର କଥାରେ କଥାରେ ଯେମିତି ରାଜା ଶୈଳେନ୍ଦ୍ର ନାରାୟଣଙ୍କୁ ସତ୍ୟବାଦୀ ହରିଶ୍ଚନ୍ଦ୍ରଙ୍କ ଭଳି ସମ୍ମାନ ଦେଉଥିଲେ ତାହା ତାଙ୍କର ଅସହ୍ୟ ହେଉଥିଲା । ସେ ନିଜେ କଲେକ୍‍ଟରିଏଟ୍‌ର ରେକର୍ଡ଼ପତ୍ର ଯାଞ୍ଚ କରି ଜାଣି ସାରିଛନ୍ତି ଯେ ଶୈଳେନ୍ଦ୍ର ନାରାୟଣଙ୍କ ଉପରେ ବିଭିନ୍ନ ରକମର ଟିକସ ମିଶି ତିନିଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବାକି ଅଛି । ସେଥିରୁ ବେଶି ଭାଗ ଅବକାରୀ ଟିକସ ।

 

ସେ ରେଭେନ୍ୟୁ ଅଫିସରଙ୍କୁ ନିର୍ଦ୍ଦେଶ ଦେଲେ, “ଭଦ୍ରଲୋକଙ୍କୁ କୁହ, ମୋତେ ଆସି ଦେଖା କରିବେ । ନହେଲେ ତାଙ୍କୁ ଆରେଷ୍ଟ କରି ଆଣିବାକୁ ପଡ଼ିବ । ତିନି ମାସ ହେଲା ସେ ଆମ ନୋଟିସ୍‌କୁ ଏଡ଼େଇ ଆସୁଛନ୍ତି ।”

 

ରେଭେନ୍ୟୁ ଅଫିସର ବାନାମ୍ବର ପାତ୍ର ପ୍ରୌଢ଼ କର୍ମଚାରୀ । ସରକାରୀ କାଗଜପତ୍ରର ରୀତିନୀତି ଦେଖି ପାକଳ ହେଲେଣି । ଥରେ କଞ୍ଚା ବୟସର ଏହି ହାକିମଙ୍କ ଆଡ଼େ ଏବଂ ଆଉଥରେ ଝରକା ସେପଟର ମହାଦେବଗଡ଼ା ମୁଣ୍ଡିଆ ପାହାଡ଼ ଆଡ଼େ ଚାହିଁ କ’ଣ ଭାବିଲେ । ନୂଆଗଡ଼ର ରାଜା ଶୈଳେନ୍ଦ୍ର ନାରାୟଣ ଏବେବି ସମଗ୍ର ଜିଲ୍ଲାର ଜଣେ ସମ୍ମାନାସ୍ପଦ ବ୍ୟକ୍ତି । ତାଙ୍କୁ ଗିରଫ୍ କରି ଆଣିବା କଥାଟା ବାନାମ୍ବରଙ୍କୁ ଠିକ୍‌ ଲାଗୁ ନଥିଲା । କିନ୍ତୁ ସେକଥା ହାକିମଙ୍କୁ କହିବାପାଇଁ ସେ ଭରସି ପାରୁ ନଥିଲେ ।

 

ଜିଲ୍ଲାପାଳ କହିଲେ, “ଠିଆହେଲେ କାହିଁକି ? ଯାଆନ୍ତୁ, ସେଇକଥା ସବ୍‌କଲେକ୍‍ଟରଙ୍କୁ କହିବେ । ମୁଁ ଯେମିତି କହିଲି ସେମିତି କରନ୍ତୁ । ଦେଖିବେ ସେ ବଳେ ବାଟକୁ ଆସିବେ । ତା’ଛଡ଼ା ରାଜସ୍ୱ ନ ବଢ଼ାଇଲେ ଆମେ ସରକାରଙ୍କ ଟାର୍ଗେଟ୍‌ ପୂରଣ କରିପାରିବା ନାହିଁ । ସମସ୍ତେ ଯଦି କେବଳ ଲୋକପ୍ରିୟ ହେବାପାଇଁ ଚେଷ୍ଟା କରିବେ ତାହାହେଲେ ଜଣେ ଦି’ଜଣ କିଛି କରିପାରିବେ ନାହିଁ । ଏଥିପାଇଁ ସମସ୍ତଙ୍କର ଅଙ୍ଗୀକାର ରହିବା ପ୍ରୟୋଜନ ।”

 

ବାନାମ୍ବର ପାତ୍ର ବୁଝିପାରିଲେ । ଏକଥାର ଶେଷ ଧାଡ଼ିଗୁଡ଼ିକ ସବ୍‌କଲେକ୍‍ଟରଙ୍କ ଲାଗି ଉଦ୍ଦିଷ୍ଟ ଥିଲା । ଜିଲ୍ଲାପାଳଙ୍କର ଏ ପ୍ରକାର ଧାରଣା କେମିତି ଏବଂ କାହିଁକି ଯେ ସୃଷ୍ଟି ହେଲା ତାହା ସେ ଜାଣନ୍ତି ନାହିଁ । ସମ୍ଭବତଃ ଏ.ଡି.ଏମ୍‌. କିମ୍ବା ଆଉ କେଉଁ ସିନିଅର ଅଫିସର ଜିଲ୍ଲାପାଳଙ୍କୁ ଆସି ସବ୍‌କଲେକ୍‍ଟରଙ୍କ ସମ୍ବନ୍ଧରେ ଏମିତି କହିଥିବେ । ବାସ୍ତବରେ ସବୁ ଲୋକଙ୍କ ଭିତରେ ଟାଣ ଓ ନରମ ହୋଇ ଦିଇଟି ଭାବ ଥାଏ । ବେଳେବେଳେ ଟାଣ ମଣିଷ ନରମ ହୁଏ ଏବଂ ନରମ ମଣିଷ ଟାଣ ।

 

ବାନାମ୍ବର ପାତ୍ର ଆଉ ବେଶି କିଛି ନ କହି ଚାଲିଗଲେ । ଜିଲ୍ଲାପାଳ ଠିକ୍‌ କହୁଛନ୍ତି । ରାଜସ୍ୱ ଆଦାୟ ସରକାରୀ କଳର ମୁଖ୍ୟ କାମ । ସେତକ ଯଦି ନ କରି ପାରିବେ ତାହାହେଲେ ଜିଲ୍ଲାପାଳ ଅଫିସରମାନଙ୍କୁ ଶ୍ରଦ୍ଧା କରିବେ କାହିଁକି ?

 

ମନ୍ମଥ ଚୌଧୁରୀ ଚା’ କପ୍‌ଟି ଟି–ପୟ ଉପରେ ଥୋଇଦେଇ ସକାଳର ଖବରକାଗଜ ଉପରେ ଆଖି ବୁଲେଇନେଲେ । ରାଜ୍ୟ ସୀମାନ୍ତର ଏହି ଜିଲ୍ଲାଟି ଆଗରୁ ଶାନ୍ତ ଏବଂ ନିରୁପଦ୍ରବ ଥିଲା । ସତୁରି ଭାଗ ଲୋକ ଆଦିବାସୀ ଏବଂ ଦରିଦ୍ର । ଅବଶିଷ୍ଟ ତିରିଶ ଭାଗରୁ ପଚିଶ ଭାଗ ବିଭିନ୍ନ ଅଞ୍ଚଳରୁ ଆସି ଏଠି ବେପାର ବଣିଜରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ସେମାନେ ଏ ଜିଲ୍ଲାର ସବୁକିଛି ନିୟନ୍ତ୍ରଣ କରୁଛନ୍ତି କହିଲେ କଥାଟା ଭୁଲ୍‌ ହେବ ନାହିଁ । ଆଉ ପାଞ୍ଚ ଭାଗ ଲୋକେ ନୂଆଗଡ଼ର ପୁରୁଣା ସମ୍ଭ୍ରାନ୍ତ ପରିବାର । ସେମାନେ ପାଟପୁରରୁ ନେଇ ଖଇରପଡ଼ା ପର୍ଯ୍ୟନ୍ତ ବିଭିନ୍ନ ଜାଗାରେ ଖେଳେଇ ହୋଇ ରହିଛନ୍ତି । ଦେଶ ସ୍ୱାଧୀନ ହେବାର ଅନେକ ବର୍ଷ ପର୍ଯ୍ୟନ୍ତ ନୂଆଗଡ଼ରେ ଗମନାଗମନର କୌଣସି ବିକାଶ ହୋଇ ନଥିଲା । ଏ ଜିଲ୍ଲାର ଲୋକମାନେ କ’ଣ ଚାହୁଁଛନ୍ତି ସେକଥା ରାଜଧାନୀ ଜାଣୁ ନଥିଲା କିମ୍ବା ରାଜଧାନୀ ଏହି ଲୋକମାନଙ୍କ ପାଇଁ କି କି ଯୋଜନା କରୁଛି ସେକଥା ଏ ଜିଲ୍ଲାର ଲୋକେ ଜାଣୁ ନଥିଲେ । ଜିଲ୍ଲାଟି କେବଳ ଥିଲା ସରକାରଙ୍କ ରାଜସ୍ୱ ମାନଚିତ୍ରରେ ।

 

ଆଉ ଗୋଟିଏ ଦୃଷ୍ଟିରୁ ନୂଆଗଡ଼ର ଗୁରୁତ୍ୱ ଥିଲା । ତାହା ହେଲା ଏ ଜିଲ୍ଲାର ଅଫୁରନ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟ । ସେଥିପାଇଁ ଯେତେବେଳେ କୌଣସି ବିଶିଷ୍ଟ ବ୍ୟକ୍ତି ରାଜ୍ୟ କିମ୍ବା ଦେଶ ବାହାରୁ ଆସୁଥିଲେ, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ତାଙ୍କୁ ନୂଆଗଡ଼ ବୁଲେଇ ଆଣୁଥିଲେ । ଏହାର ଉଚ୍ଚ ଶ୍ୟାମଳ ପର୍ବତଶ୍ରେଣୀ, ବର୍ଷସାରା ଚଳଚଞ୍ଚଳ ନଦୀ ଓ ଝରଣା, ବଣ୍ୟ ଜୀବଜନ୍ତୁ ଏବଂ ସବାଶେଷକୁ ପାରମ୍ପରିକ ବେଶରେ ସାଜସୁଜା ହୋଇଥିବା ଯୁବତୀ ଆଦିବାସୀ ଝିଅଙ୍କ ନାଚଗୀତ ପର୍ଯ୍ୟଟକମାନଙ୍କ ଲାଗି ଆକର୍ଷଣ ଥିଲା ।

 

ଭାରତୀୟ ପ୍ରଶାସନିକ ସେବା ତାଲିମର ଗୋଟିଏ କାର୍ଯ୍ୟକ୍ରମ ଭାରତଦର୍ଶନ । ସେହି ସମୟରେ ମନ୍ମଥ ଚୌଧୁରୀ ଅନୁନ୍ନତ ଜିଲ୍ଲା ନୂଆଗଡ଼କୁ ଆସିଥିଲେ । ପ୍ରଥମ ଦର୍ଶନରେ ନୂଆଗଡ଼ ତାଙ୍କୁ ଭଲ ଲାଗିଥିଲା । ଥରେ ସେ ନୂଆଗଡ଼ର ଶାନ୍ତ ସମାହିତ ଚେହେରା ଓ ଆଉଥରେ କଲିକତାର ନିଜ ପଡ଼ାର ଦୃଶ୍ୟ ଚିନ୍ତା କରି ଅଥୟ ହୋଇପଡ଼ିଥିଲେ । କଲିକତାର ଯେ କି ଦାରୁଣ ଅବସ୍ଥା ! ତାଙ୍କର ମନେହୁଏ ସେହି ମହାନଗରୀଟା ଆଧୁନିକ ହେବାପାଇଁ ବହୁକାଳୁ ସ୍ଥିର କରିସାରିଥିଲେ ସୁଦ୍ଧା ମରହଟ୍ଟୀ ଅଭ୍ୟାସ ଛାଡ଼ିବା ଲାଗି ମନ ବଳେଇ ନାହିଁ । କୌଣସି ପରିସ୍ଥିତିରେ ମନ୍ମଥ ଚୌଧୁରୀ କଲିକତାର ମୁଖ୍ୟ ରାସ୍ତାଗୁଡ଼ିକ ଉପରେ ଟ୍ରାମ୍‌ର ଧାରଣାଗୁଡ଼ିକୁ ବରଦାସ୍ତ କରିପାରନ୍ତି ନାହିଁ । ଟ୍ରାଫିକ୍‌, ଟ୍ରାମ୍‌ ଓ ଟ୍ରେଡ଼୍ ୟୁନିୟନ୍‌–ଏ ତିନିଟି ତାଙ୍କ ସହରର ମୁଖ୍ୟ ସମସ୍ୟା ବୋଲି ସେ ଭାବନ୍ତି । ସେହି ସହରର ଫ୍ଲାଟ୍‌ଟିଏ ଭିତରେ ବିତିଥିଲା ତାଙ୍କର ପଚିଶବର୍ଷ, ଯେଉଁଠି ବଗିଚାକହିଲେ ବୁଝାଯାଏ ପାରାପେଟ୍‌ କି ବାଲ୍‌କୋନି ଉପରେ ଥୁଆ ସାତ ଆଠଟା ଫୁଲକୁଣ୍ଡ ଏବଂ ଆକାଶ କହିଲେ ବାଲ୍‌କୋନିର ତାରଜାଲି ଫାଙ୍କରୁ ଛଅଫୁଟ୍ ଲମ୍ବ ଓ ଚାରିଫୁଟ୍ ଓସାରର ସଂକୀର୍ଣ୍ଣ ନୀଳ ଅନୁଭବ । ସେଥିପାଇଁ ସେ ମନେମନେ ଗୋଟେ ଜଙ୍ଗଲ ପରିବେଶକୁହିଁ ଖୋଜି ହେଉଥିଲେ, ଯାହା ଉପରେ ଥିବ ଆକାଶର ଅନନ୍ତ ନୀଳିମା ଏବଂ ଚାରିପଟେ ବିସ୍ତୀର୍ଣ୍ଣ ସବୁଜିମା ।

 

ମନ୍ମଥ ଚୌଧୁରୀଙ୍କ କଳ୍ପନାର ଚିତ୍ର ସାଙ୍ଗରେ ନୂଆଗଡ଼ ସମ୍ପୂର୍ଣ୍ଣ ମିଶିଯାଇଥିଲା । ଏହାର ଉଠାଣି ଗଡ଼ାଣି ରାସ୍ତା, ରାସ୍ତା ଦି’ ଧାରରେ ଶାଳ, ଶାଗୁଆନ ଗଛ, ସଦରମହକୁମାର ଅନୁଚ୍ଚ କୋଠାବାଡ଼ି ଏବଂ ଚିତ୍ରରେ ଦେଖିଥିବା ପରି ଛୋଟ ରେଳଷ୍ଟେସନ୍‌ ସବୁ ତାଙ୍କୁ ଭଲ ଲାଗୁଥିଲା । ଖାଲି ଗୋଟିଏ ସମସ୍ୟା ଜଟିଳ ଥିଲା ଏବଂ ତାହା ହେଲା ସରକାରଙ୍କ ପ୍ରତି ସ୍ଥାନୀୟ ଲୋକଙ୍କ ଉଦାସୀନ ମନୋଭାବ । ସେମାନଙ୍କ ଢଙ୍ଗରଙ୍ଗରୁ ଜଣାପଡ଼ୁଥିଲା ଯେମିତି ସେମାନେ ତଥାପି ପୁରୁଣା ଗଡ଼ଜାତୀ ଶାସନ ଅମଳରେ ଅଛନ୍ତି ।

 

ଏ ଜିଲ୍ଲାର ଲୋକମାନେ ସରକାରଙ୍କୁ ଟିକସ ଦେବା କଥାକୁ ଗୌଣ ବୋଲି ଭାବୁଥିଲେ-। ତା’ର କାରଣ ହେଲା ଆଦିବାସୀ ଲୋକଙ୍କ ନାଁରେ କୌଣସି କାଗଜପତ୍ର ନଥିଲା-। ସେମାନେ ନିଜ ଗାଁ ଚାରିପଟ ଜମି ଚାଷ କରୁଥିଲେ, ସଳପ ଗଛରୁ ରସ ପିଉଥିଲେ ଏବଂ ସୀମିତ ସ୍ୱପ୍ନ ଭିତରେ ଖୁସି ରହୁଥିଲେ । ସେମାନଙ୍କ ଅଳସୁଆପଣର ସୁଯୋଗ ଉଠଉଥିଲେ ବାହାରୁ ଆସି ବ୍ୟବସାୟ ଖୋଲିଥିବା ବେପାରୀ ଏବଂ ସରକାରୀ କର୍ମଚାରୀ । ସେଇମାନେହିଁ ନୂଆଗଡ଼କୁ ନିୟନ୍ତ୍ରଣ କରୁଥିଲେ । ତେବେ ଟିକସ ଦେବା କ୍ଷେତ୍ରରେ ସେମାନେ ନିରକ୍ଷର ଆଦିବାସୀମାନଙ୍କର ପଦାଙ୍କ ଅନୁସରଣ କରୁଥିଲେ ।

 

ମନ୍ମଥ ଚୌଧୁରୀଙ୍କର ମନେପଡ଼ିଲା, କିଏ ଜଣେ କହିଥିଲେ ଯେ ମଣିଷ ନିଜ ଜୀବନରେ ଦିଇଟି କଥାକୁ ସବୁବେଳେ ଏଡ଼େଇ ଥାଏ–ଟିକସ ଓ ମୃତ୍ୟୁ । ଋଣ ଏବଂ ଟିକସ ଛାଡ଼ ପୁଣି ଭାରତୀୟ ଭୋଟ୍‌ ରାଜନୀତିର ଦୁଇ ପ୍ରଧାନ କାର୍ଯ୍ୟକ୍ରମ । ବହୁଦିନ ତଳେ ନୂଆଗଡ଼ ରାଜା ଶୈଳେନ୍ଦ୍ର ନାରାୟଣଙ୍କ ନାଁରେ ଗୋଟିଏ ଏକ୍ସାଇଜ୍‌ ଲାଇସେନ୍‌ସ୍ ଥିଲା । ଜଣେ ବିଳାସୀ ଏବଂ ସୁରାସକ୍ତ ବ୍ୟକ୍ତି ଭାବରେ ତାଙ୍କର ପରିଚୟ ନୂଆଗଡ଼ରେ ସମସ୍ତେ ଜାଣିଥିଲେ । ସେ ଭଦ୍ରଲୋକ କେବେବି ବାହାରକୁ ବାହାରନ୍ତି ନାହିଁ । ତାଙ୍କର ରାଜପ୍ରାସାଦ ହେଉଛି ତାଙ୍କର ପୃଥିବୀ । ତାଆରି ଭିତରେ ତାଙ୍କର ସକାଳ–ସନ୍ଧ୍ୟା, ଦିନ–ରାତି । ସ୍ୱଭାବରେ ଗମ୍ଭୀର ଶୈଳେନ୍ଦ୍ର ନାରାୟଣଙ୍କର ବେଶି ବନ୍ଧୁ ନାହାନ୍ତି । ପୁଣି ନୂଆଗଡ଼ ଭଳି ଅନୁନ୍ନତ ଜିଲ୍ଲା ସଦରମହକୁମାରେ ଶୈଳେନ୍ଦ୍ର ନାରାୟଣଙ୍କ ଭଳି ଅଭିଜାତ ଓ ଉଚ୍ଚଶିକ୍ଷିତଙ୍କ ସାଙ୍ଗରେ କାନ୍ଧ ମିଳେଇଲା ଭଳି ବନ୍ଧୁ ଆସିବେ ବା କୋଉଠୁ ? ସେଥିପାଇଁ ସେ ବେଶି ସମୟ ତାଙ୍କର ବ୍ୟକ୍ତିଗତ ଲାଇବ୍ରେରିରେ ବସି ବସି ବିତେଇଥାଆନ୍ତି ।

 

ମନ୍ମଥ ଚୌଧୁରୀଙ୍କୁ ଏସବୁ କାହାଣୀ ଭଲ ଲାଗିଥିଲେବି ବିଶେଷ ଉତ୍ସାହିତ କରି ନଥିଲା । କଲିକତାର ସାମ୍ୟବାଦୀ ଚିନ୍ତାଧାରା ପାଣିପାଗରେ ତାଙ୍କର କୈଶୋର ଏବଂ ଯୌବନ ବିତିଛି । ଭାରତବର୍ଷର ଏହି ରାଜରାଜୁଡ଼ା, ସାମନ୍ତ ଏବଂ ବିଳାସୀ ମଣିଷଙ୍କ କାରବାର ତାଙ୍କୁ କୌଣସି ଦିନ ଉତ୍ସାହିତ କରି ନାହିଁ । ଏମାନେହିଁ ଏ ଦେଶର ଅଧୋଗତି ଲାଗି ଦାୟୀ ବୋଲି ମନ୍ମଥ ଚୌଧୁରୀ ଭାବିଥାଆନ୍ତି ।

 

ସେ ଶୈଳେନ୍ଦ୍ର ନାରାୟଣଙ୍କ ପ୍ରସଙ୍ଗକୁ ଫେରି ଆସିଲେ । ଏହି ରାଜାଙ୍କର ପିତା ମହେନ୍ଦ୍ର ନାରାୟଣ ଥିଲେ ଆହୁରି ବିଳାସୀ ଏବଂ ଅତ୍ୟାଚାରୀ । ତାଙ୍କ ସମ୍ପର୍କରେ ଦି’ ପ୍ରକାର ମନ୍ତବ୍ୟ ଶୁଣନ୍ତି ଶ୍ରୀ ଚୌଧୁରୀ । କିଛି କହନ୍ତି ଖୁବ୍‌ ଭଲ, କିଛି କହନ୍ତି ଖୁବ୍‌ ଖରାପ । ଦୁଇ ହାତରେ ଟଙ୍କାପଇସା ବାଣ୍ଟୁଥିଲେ । ନିଜର ରକ୍ଷିତାମାନଙ୍କ ମେଳରେ ତାଙ୍କର ସମୁଦାୟ ସମୟ ବିତୁଥିଲା । ଯେତେବେଳେ ନୂଆଗଡ଼ ରାଜ୍ୟ ତାଙ୍କ ହାତରେ ଥିଲା, ସେ ସେଇ ରାଜ୍ୟର ଗାଁଗୁଡ଼ିକ ତାଙ୍କର ଜଣେ ଜଣେ ସୁନ୍ଦରୀ ରକ୍ଷିତାଙ୍କ ନାମରେ ନାମକରଣ କରିଥିଲେ । ଏ ଘଟଣାରେ ଘୋର ପ୍ରତିବାଦ କରିଥିଲେ ସ୍ଥାନୀୟ ରାଜ୍ୟର ପ୍ରଜାମାନେ । ରାଜାଙ୍କ ରକ୍ଷିତାମାନଙ୍କ ନାମରେ ନାମକରଣ ହେବ ସେମାନଙ୍କର ଜନ୍ମମାଟି ଗାଁ–ଏ କଥାକୁ ନୂଆଗଡ଼ର ରକ୍ଷଣଶୀଳ ଲୋକେ ଗ୍ରହଣ କରିପାରି ନଥିଲେ-। ମାତ୍ର ଶୈଳେନ୍ଦ୍ର ନାରାୟଣଙ୍କ ପିତା ଲୋକଙ୍କର କୌଣସି ଆପତ୍ତି ଶୁଣି ନଥିଲେ । ଆଜି ନୂଆଗଡ଼ ଇଲାକାର ଅନେକ ଗାଁର ନାମ ଜଣେ ଜଣେ ରକ୍ଷିତାଙ୍କ ନାମରେ ନାମିତ ।

 

ସେ ଏଠିକି ଜିଲ୍ଲାପାଳ ହୋଇ ଆସିବା ପରେ ରେଭେନ୍ୟୁ ସେକ୍ରେଟାରି ଥରେ ତାଙ୍କୁ ଶୈଳେନ୍ଦ୍ର ନାରାୟଣଙ୍କୁ ଯାଇ ଭେଟି ଆସିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଜଣେ ଟିକସ ଖିଲାପୀ ଲୋକର ଘରକୁ ଜିଲ୍ଲାପାଳ ଯିବା ଉଚିତ ନୁହେଁ ବୋଲି ମନ୍ମଥ ଚୌଧୁରୀ ତାଙ୍କୁ ରୋକ୍‌ଠୋକ୍‌ କହିଦେଇଥିଲେ ।

 

ପ୍ରାୟ ତିନି ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ପଡ଼ିଛି ଶୈଳେନ୍ଦ୍ର ନାରାୟଣଙ୍କ ଉପରେ । ପନ୍ଦରବର୍ଷ ହେଲା ଟିକସ ପଇଠ କରି ନାହାନ୍ତି ଭଦ୍ରଲୋକ । ଯେତେଥର ରାଜସ୍ୱ ଓ ଅବକାରୀ ବିଭାଗ କର୍ମଚାରୀ ନୋଟିସ୍‌ ନେଇ ଯାଇଛନ୍ତି ଉଆସର ମାନେଜର ସେସବୁ ନେଇ ରଖିଦେଇଛନ୍ତି-। କିନ୍ତୁ ତା’ର ପ୍ରଭାବ କିଛି ପଡ଼ିନାହିଁ । ଶୈଳେନ୍ଦ୍ର ନାରାୟଣଙ୍କୁ ଭେଟିବାପାଇଁ ସୁଦ୍ଧା ସୁଯୋଗ ଦିଆଯାଇ ନାହିଁ ସରକାରୀ ଅଫିସରଙ୍କୁ । ଏ ଧରଣର ସାମନ୍ତବାଦୀ ଔଦ୍ଧତ୍ୟ ମନ୍ମଥ ଚୌଧୁରୀଙ୍କୁ ଅସହ୍ୟ ହେଉଥିଲା ।

 

ଏହି ଲୋକମାନେ ନିଜକୁ କ’ଣ ବୋଲି ଭାବନ୍ତି ? ଏଭଳି ପ୍ରଶ୍ନ ମନ୍ମଥ ଚୌଧୁରୀଙ୍କ ମନ ଭିତରେ କେତେକ ସମୟରେ ଉଙ୍କିମାରେ । ତାଙ୍କ ଭିତରୁ କିଛି ଏବେବି ଭାବୁଛନ୍ତି ଯେ ଦେଶ ସ୍ୱାଧୀନ ହୋଇ ନାହିଁ ! ସେଇମାନେହିଁ ଏପର୍ଯ୍ୟନ୍ତ ଶାସନ ଗାଦିରେ ବସିଛନ୍ତି ! ସେମାନେ ଶାସକ, ଆଉ ଅନ୍ୟ ସମସ୍ତେ ତାଙ୍କର ଶାସିତ । ତାଙ୍କ ମୁହଁର କଥା ଆଇନ, ତାଙ୍କ ମର୍ଜିହିଁ ଶାସନ । ସ୍ୱାଧୀନତା ପାଇବାର ଏତେ ବର୍ଷ ପରେ ଯଦି ଏହି ଲୋକମାନଙ୍କର ଏ ପ୍ରକାର ମାନସିକତା ରହିଛି, ତାହାହେଲେ ପ୍ରକୃତ କ୍ଷମତା ଗାଦିରେ ବସିଥିଲାବେଳେ ସେମାନେ କେଉଁ ପ୍ରକାର ବ୍ୟବହାର କରୁଥିବେ ତାହା ମନ୍ମଥ ଚୌଧୁରୀ ସହଜରେ ଅନୁମାନ କରିପାରୁଥିଲେ ।

 

ମହାରାଜା ଅଫ୍‌ ନୂଆଗଡ଼ ।

 

ବାସ୍‌, ଏତିକି ଲେଖା ଥିବା ଖଣ୍ଡିଏ ସ୍ଲିପ୍‌ ଜିଲ୍ଲାପାଳ ମନ୍ମଥ ଚୌଧୁରୀଙ୍କୁ ଆଣି ଧରେଇ ଦେଇଗଲା ତାଙ୍କ ପିଅନ । ଶ୍ରୀ ଚୌଧୁରୀ ଅଫିସ୍‌ରୁ ଫେରି ନିଜର ଆବାସିକ କାର୍ଯ୍ୟାଳୟରେ ବସିଥିଲେ । ଦିନସାରା ଫାଇଲ୍‍ପତ୍ର କାମ ଏବଂ ରାଜଧାନୀର ବଡ଼ ହାକିମଙ୍କ ସହ ଯୁକ୍ତିତର୍କ କରି ସେ ଥକି ପଡ଼ିଥିଲେ । କିନ୍ତୁ ଏଇ କାଗଜ ସ୍ଲିପ୍‌ ଖଣ୍ଡିକ ତାଙ୍କୁ ଚଞ୍ଚଳ କରିଦେଲା ।

 

ମହାରାଜା ଅଫ୍‌ ନୂଆଗଡ଼–ଶବ୍ଦ ତିନିଟି ତାଙ୍କୁ ଭାବନାର ଭିନ୍ନ ସ୍ତରକୁ ନେଇଯାଉଥିଲା-। ନିଜର ନାଁଟି ନ ଲେଖି ପଦବିଟି ଲେଖିବା ପଛରେ ଯେଉଁ ମାନସିକତା ରହିଥିଲା, ତାହା ତାଙ୍କୁ ବିସ୍ମିତ କରୁଥିଲା । ଇତିହାସ ବହିର ପୃଷ୍ଠାରେ ସେ ନାନା ଦେଶର ରାଜାରାଣୀଙ୍କୁ ଭେଟିଥିଲେ-। ଏକଥାବି ଜାଣିଥିଲେ ଯେ ସେ ସମୟରେ ରାଜାମାନଙ୍କୁ ତାଙ୍କର ନାଁ ଧରି ଡାକିବା ସେମାନଙ୍କ ପ୍ରତି ଅସମ୍ମାନ ବୋଲି ଗଣାଯାଉଥିଲା । ମହାରାଜା ଗ୍ୱାଲିଓର, ମହାରାଜା ପାଟଣା, ମହାରାଜା କଳାହାଣ୍ଡି, ମହାରାଜା ମୟୂରଭଞ୍ଜ–ଏଭଳି ସମ୍ବୋଧନ କରାଯାଉଥିଲା ସେ ରାଜ୍ୟର ରାଜାମାନଙ୍କୁ-। ମାତ୍ର ରାଜତନ୍ତ୍ରର ସେହି ପ୍ରଭାବ ଯେ ଦେଶ ସ୍ୱାଧୀନ ହେବାର ପ୍ରାୟ ଅର୍ଦ୍ଧଶତାବ୍ଦୀ ପରେ, ତାହା ପୁଣି ନୂଆଗଡ଼ ପରି କ୍ଷୁଦ୍ରତମ ଏକ ରାଜ୍ୟର ଜମିଦାର ପ୍ରାୟ ରାଜାଙ୍କ ନିକଟରେ ଦେଖିବାକୁ ମିଳିବ ତାହା ସେ ଭାବି ନଥିଲେ ।

 

ସେ ପିଅନ ଜରିଆରେ ମହାରାଜାଙ୍କୁ ଡକେଇବା ପାଇଁ ଘଣ୍ଟି ଦେବାକୁ ଯାଉଥିଲେ । କିନ୍ତୁ କ’ଣ ଭାବି ନିଜେ ଉଠିପଡ଼ିଲେ ।

 

ତାଙ୍କ କଳ୍ପନାରେ ମୁହୂର୍ତ୍ତକ ଲାଗି ଗୋଟିଏ ଦୃଶ୍ୟ ନାଚିଗଲା । ସମୟ ଥିଲା, ଯେତେବେଳେ ଶହ ଶହ ଦର୍ଶନାର୍ଥୀ ଏହି ମହାରାଜାଙ୍କ ଦର୍ଶନ ଲାଗି ତାଙ୍କ ଦରବାର ଆଗରେ ଅପେକ୍ଷା କରୁଥିବେ । କେତେକ ଦେଖା ପାଉଥିବେ, ଆଉ କେତେକ ଦେଖା ପାଉ ନଥିବେ ।

 

ମନ୍ମଥ ଚୌଧୁରୀଙ୍କର ଅନୁମାନ ଠିକ୍‌ ଥିଲା । ଶୈଳେନ୍ଦ୍ର ନାରାୟଣ ଅପେକ୍ଷମାଣ ଦର୍ଶନାର୍ଥୀଙ୍କ ଲାଗି ଉଦ୍ଦିଷ୍ଟ ଚୌକିରେ ବସି ନଥିଲେ; ବରଂ ଅସ୍ଥିର ଭାବରେ ଇତସ୍ତତଃ ପଦଚାରଣା କରୁଥିଲେ ଘର ଆଗରେ । ସାଧାରଣ ଲୋକଙ୍କ ଲାଗି ଉଦ୍ଦିଷ୍ଟ ଚୌକିରେ ବସିବାପାଇଁ ତାଙ୍କର ସଂକୋଚ ଜିଲ୍ଲାପାଳ ବୁଝିପାରୁଥିଲେ ।

 

କିନ୍ତୁ ଶୈଳେନ୍ଦ୍ର ନାରାୟଣ ଆସିଛନ୍ତି କିଭଳି ? ଘର ସାମ୍ନାରେ ସେଭଳି କୌଣସି ଦାମୀ ଗାଡ଼ି ଠିଆ ହୋଇଥିବାର ସେ ଦେଖିଲେ ନାହିଁ । ଶୈଳେନ୍ଦ୍ର ନାରାୟଣ ବହୁ କୋଟି ଟଙ୍କାର ମାଲିକ ବୋଲି ଜିଲ୍ଲାପାଳ ଶୁଣିଛନ୍ତି । ଉତ୍ତରାଧିକାର ସୂତ୍ରରେ ସେସବୁ ପାଇଛନ୍ତି ସେ । ନିଜେ ମହାରାଜା ଅପୁତ୍ରକ । ତେଣୁ ମନଭରି ବିଳାସ ବ୍ୟସନରେ ମାତିଥାଆନ୍ତି ଓ ଦୁଇ ହାତରେ ଟଙ୍କା ଖର୍ଚ୍ଚ କରନ୍ତି । ସେ ରାସ୍ତା ଉପରୁ ଆଖି ଫେରେଇ ଆଣି ମହାରାଜାଙ୍କୁ କହିଲେ, “ଆସନ୍ତୁ, ଭିତରକୁ ଆସନ୍ତୁ ।”

 

ଶୈଳେନ୍ଦ୍ର ନାରାୟଣ ଭିତରକୁ ଆସିଲେ । ଦିହେଁ ବସିଲେ ସୋଫା ଉପରେ । ଘର ଭିତରେ ଆଉ କେହି ନାହାନ୍ତି ।

 

ମନ୍ମଥ ଚୌଧୁରୀ ଦି’ କପ୍‌ କଫିପାଇଁ ବରାଦ ଦେବାକୁ ଯାଉଥିଲେ, ମାତ୍ର ଶୈଳେନ୍ଦ୍ର ନାରାୟଣ ବାରଣ କଲେ । ଏ ସମୟରେ ସେ କଫି ପିଅନ୍ତି ନାହିଁ । ତା’ଛଡ଼ା ସେ ଶୀଘ୍ର ଚାଲିଯିବେ-

 

: ତାହାହେଲେ ଆପଣ ଫଳରସ ଟିକିଏ ନିଅନ୍ତୁ । –ଜିଲ୍ଲାପାଳ ପ୍ରସ୍ତାବ ଦେଲେ ।

 

: ନା, ନା । ମୁଁ ମୋର ପାନୀୟ ସାଙ୍ଗରେ ଧରି ବୁଲୁଥାଏ । –ଶୈଳେନ୍ଦ୍ର ନାରାୟଣ ଆଉଥରେ ବାରଣ କଲେ ।

 

ଏବେ ଶୈଳେନ୍ଦ୍ର ନାରାୟଣ କ’ଣ କହିବେ ସେକଥା ଶୁଣିବାକୁ ଜିଲ୍ଲାପାଳ ପ୍ରସ୍ତୁତ ହେଉଥିଲେ । ଲକ୍ଷ୍ୟ କରି ଦେଖିଲେ, ସେ ଶୈଳେନ୍ଦ୍ର ନାରାୟଣଙ୍କ ସମ୍ପର୍କରେ ଯେମିତି ଚିତ୍ରଟିଏ ମନ ଭିତରେ କଳ୍ପନା କରିଥିଲେ, ଏ ଭଦ୍ରଲୋକ ସେମିତି ନଥିଲେ । ପୃଥୁଳକାୟ ପ୍ରୌଢ଼ ଭଦ୍ରଲୋକଙ୍କ ମୁହଁରେ କ୍ଳାନ୍ତିର ଚିହ୍ନ ସ୍ପଷ୍ଟ ବାରି ହେଉଥିଲା । ତା’ ସାଙ୍ଗକୁ ପ୍ରଚୁର ମଦ୍ୟପାନର ସବୁତକ ଉପସର୍ଗ । ଆଖି ଦୁଇଟା ଆଗକୁ ବାହାରି ଆସିଲା ପରି ଦିଶୁଥିଲା । ଲାଲ୍‌ ଲାଲ୍‌ ଓଠ ଦୁଇଟି ଥରୁଥିଲା । ମନେ ହେଉଥିଲା ଏବେ ଏବେ ଯେମିତି ସେ ମଦ୍ୟପାନର ଆସନରୁ ଉଠି ଆସିଛନ୍ତି । ସେଇ ପ୍ରକାର ଗନ୍ଧବି ବାରୁଥିଲେ ମନ୍ମଥ ଚୌଧୁରୀ । ଦଉଡ଼ି ଦଉଡ଼ି ଆସିବା ଲୋକ ଯେମିତି ଧଇଁସଇଁ ହୁଏ ସେମିତି ଅସ୍ୱସ୍ତି ଅନୁଭବ କରୁଥିଲେ ଶୈଳେନ୍ଦ୍ର ନାରାୟଣ ।

 

ରାଜା ପିନ୍ଧିଥିଲେ ନୀଳ ରଙ୍ଗର ଲମ୍ବା ଅଚ୍‌କନ ଓ ଧଳା ପାଇଜାମା । ଅଚ୍‌କନର ଛାତି ଉପରେ ଧଳାସୂତାର ଫୁଲ । ପୋଷାକଟି ଖୁବ୍‌ ଦାମୀ ଓ ସୁନ୍ଦର ଦିଶୁଥିଲେବି ଲୋଚାକୋଚା ହୋଇଯାଇଥିଲା । ଅନେକ ଦିନ ପରେ ଯେମିତି ଏଇ ହଳକ ଆଜି ବ୍ୟବହାରରେ ଆସିଥିଲା । ମନ୍ମଥ ଚୌଧୁରୀ ମହାରାଜାଙ୍କ ଉପରୁ ଦୃଷ୍ଟି ଫେରାଇଆଣି କହିଲେ, “ଆପଣ ନିଜେ ଆସିବେ ବୋଲି ମୁଁ ଆଶା କରୁ ନଥିଲି ।”

 

ମହାରାଜା ଶୈଳେନ୍ଦ୍ର ନାରାୟଣ ଟିକିଏ ହସିଲେ । ସେ ହସ ମୁହୂର୍ତ୍ତକ ପାଇଁ ଜିଲ୍ଲାପାଳ ମନ୍ମଥ ଚୌଧୁରୀଙ୍କୁ ଅନ୍ୟମନସ୍କ କରିଦେଲା । ସମ୍ଭବତଃ ରାଜା କହିବାକୁ ଚାହୁଁଥିଲେ ଯେ ଭାରତୀୟ ଅମଲାତନ୍ତ୍ରର ଏହି ଛଳନାପୂର୍ଣ୍ଣ ବ୍ୟବହାର ସହ ସେ ପରିଚିତ ନୁହନ୍ତି । ଗୋଟିଏ ପଟେ ସରକାରୀ ମୋହର ଲଗା ଚିଠିରେ, ‘ଆବଶ୍ୟକ ହେଲେ ଗିରଫ୍ କରାଯିବ’ ଭଳି ଶବ୍ଦର ବ୍ୟବହାର କରିସାରି ଏବେ କପଟ ବିନୟ ଭାବ ଦେଖାଇବା କଥାକୁ ସେ ଗ୍ରହଣ କରିପାରୁ ନଥିଲେ ।

 

ଶୈଳେନ୍ଦ୍ର ନାରାୟଣଙ୍କର ନିରବତା ଜିଲ୍ଲାପାଳଙ୍କୁ ଅସହ୍ୟ ମନେ ହେଉଥିଲା । କାହିଁକି କେଜାଣି ଭଦ୍ରଲୋକଙ୍କର ଉପସ୍ଥିତି ତାଙ୍କୁ ଓଜନିଆ ଲାଗୁଥିଲା । ସେ ଲକ୍ଷ୍ୟ କରି ଦେଖିଲେ, ଶୈଳେନ୍ଦ୍ର ନାରାୟଣଙ୍କ ଆଖି ଦୁଇଟାରେ ତୀକ୍ଷ୍ଣ ଅନୁଶୀଳନ ଶକ୍ତି ସକ୍ରିୟ ଅଛି । ସେ ସ୍ୱାଭାବିକ ହେବାକୁ ଚେଷ୍ଟା କଲେ । ଶୈଳେନ୍ଦ୍ର ନାରାୟଣ ଗତକାଲିର ଶାସକ, ଇତିହାସ । ସେ ନିଜେ ଆଜିର ଜିଲ୍ଲାପାଳ, ବର୍ତ୍ତମାନ । ଅତୀତ ଯେତେ କ୍ଷମତାଶାଳୀ, ଯେତେ ବର୍ଣ୍ଣିଳ ଏବଂ ଯେତେ ଅଭିଜାତ ହେଉନା କାହିଁକି ତାହା ବର୍ତ୍ତମାନ ନିକଟରେ ମୂଲ୍ୟହୀନ । ଏ ପୃଥିବୀ ବର୍ତ୍ତମାନର, ଅତୀତର ନୁହେଁ-

 

ଜିଲ୍ଲାପାଳ କହିଲେ, “ସେଭଳି ନୋଟିସ୍‌ ପଠେଇବା ଭିନ୍ନ ଅନ୍ୟ ଉପାୟ ନଥିଲା । ଆମକୁ ଯେ ଟାର୍ଗେଟ୍‌ ପୂରଣ କରିବାକୁ ପଡ଼େ, ତାହା ତ ଆପଣ ଜାଣିଥିବେ ।”

 

ପ୍ରୌଢ଼ ଶୈଳେନ୍ଦ୍ର ନାରାୟଣ ଗମ୍ଭୀର ଦିଶିଲେ । ଟିକିଏ ରହି କହିଲେ, “ମୁଁ କିନ୍ତୁ ସରକାରଙ୍କର ସବୁ ଟିକସ ପଇଠ କରିଛି । ମନେରଖିବେ, ଶୈଳେନ୍ଦ୍ର ନାରାୟଣ କେବେ ମିଛ କୁହେ ନାହିଁ ।”

 

ଜିଲ୍ଲାପାଳ ଆଶ୍ଚର୍ଯ୍ୟ ହେଲେ । ଶୈଳେନ୍ଦ୍ର ନାରାୟଣଙ୍କର ଏହି ରୋକ୍‌ଠୋକ୍‌ ଜବାବ ପଛରେ ତାଙ୍କର ଔଦ୍ଧତ୍ୟ ନା ଆତ୍ମବିଶ୍ୱାସ କେଉଁଟି ଥିଲା ତାହା ସେ ବୁଝି ପାରୁ ନଥିଲେ । ସେ କହିଲେ, “ମାତ୍ର ସରକାରୀ ରେକର୍ଡ଼ରେ ତ ଆପଣ ଟିକସ ଖିଲାପୀ । ତା’ଛଡ଼ା ଆପଣ ଯଦି ପ୍ରକୃତରେ ଟିକସ ଦେଇସାରିଛନ୍ତି, ତାହାହେଲେ ଏତେସବୁ ନୋଟିସ୍‌ ପଠାଯିବା ସତ୍ତ୍ୱେ ଆପଣ ଆଜି ପର୍ଯ୍ୟନ୍ତ କାହିଁକି ନିରବ ଥିଲେ ? ଏକଥା ତ ଆପଣ ଲେଖି ଜଣାଇ ଦେଇ ପାରିଥାନ୍ତେ !”

 

: ହଁ, ପାରିଥାଆନ୍ତି । କିନ୍ତୁ... ।

 

: କିନ୍ତୁ କ’ଣ ?

 

: ମୋ ପାଖରେ ଟ୍ରେଜେରୀ ଚାଲାଣଗୁଡ଼ିକର କାଉଣ୍ଟର ଫଏଲ୍‌(୮୯) ନାହିଁ । ସେସବୁ ମୋ ନିଜର ହେଉ ବା ମୋ ମାନେଜରଙ୍କର ଅସାବଧାନତା ଯୋଗୁଁ କୁଆଡ଼େ ହଜିଯାଇଛି । ତେଣୁ ଆପଣଙ୍କର ମୋ କଥାକୁ ବିଶ୍ୱାସ କରିବା ଭିନ୍ନ ଅନ୍ୟ ପନ୍ଥା କିଛି ନାହିଁ ।

 

ଜିଲ୍ଲାପାଳ ଏଥର ମନେମନେ ବିରକ୍ତ ହୋଇ ଉଠିଲେ । କି ଅହଂକାର ! ଶୈଳେନ୍ଦ୍ର ନାରାୟଣ ଯେ ଟିକସ ପଇଠ କରିଛନ୍ତି ସେଇ କଥାଟା ପୁଣି ଜିଲ୍ଲାପାଳଙ୍କୁହିଁ ପ୍ରମାଣିତ କରିବାକୁ ପଡ଼ିବ ! ଯଦି ସେସବୁ କାଗଜ ରାଜାଙ୍କ ପାଖରେ ନାହିଁ, ତାହାହେଲେ ସେ ହିଁ ଯାଇ ସେସବୁର ନକଲ ସଂଗ୍ରହ କରନ୍ତୁ ।

 

ଜିଲ୍ଲାପାଳ କିଛି ଗୋଟାଏ ଟାଣ ଶବ୍ଦ ବ୍ୟବହାର କରିବାକୁ ଯାଉଥିଲେ; ମାତ୍ର ରହିଗଲେ-। କେଜାଣି କାହିଁକି ଭଦ୍ରଲୋକଙ୍କର କଥାବାର୍ତ୍ତା, ଠାଣିବାଣୀ ଏବଂ ଚାହିଁବାର ଅନ୍ତର୍ଭେଦୀ ଢଙ୍ଗ ଜିଲ୍ଲାପାଳଙ୍କୁ ଦୁର୍ବଳ କରିଦେଉଥିଲା । ପୁଣି ଶୈଳେନ୍ଦ୍ର ନାରାୟଣଙ୍କ ସାଙ୍ଗେ ସାଙ୍ଗେ ସାମନ୍ତବାଦର ଯେଉଁ ଅଦୃଶ୍ୟ ବଳୟଟିଏ ବୁଲୁଥିଲା ତାହାର ପ୍ରଭାବକୁ ସାମ୍ୟବାଦୀ ମନ୍ମଥ ଚୌଧୁରୀ ଚେଷ୍ଟା କରି ସୁଦ୍ଧା ଦୂରେଇ ପାରୁ ନଥିଲେ ।

 

ସେ କହିଲେ, “ଠିକ୍‌ ଅଛି । ଆପଣ ଯଦି ଏକଥା କହୁଛନ୍ତି, ତାହାହେଲେ ମୋତେ ସପ୍ତାହେ ସମୟ ଦିଅନ୍ତୁ । ମୋ ଅଫିସ୍‌ରେ ଯଦି ତ୍ରୁଟି ରହିଥିବ ମୁଁ ଜଣାଇବି । ମାତ୍ର ମୋର ଦୃଢ଼ବିଶ୍ୱାସ, ସେଭଳି ତ୍ରୁଟି ନଥିବ । ତେଣୁ ଆପଣ ତିନି ଲକ୍ଷ ଟଙ୍କାର ଟିକସ ପଇଠ ଲାଗି ପ୍ରସ୍ତୁତ ରହିବା ଉଚିତ ।”

 

: ତିନି ଲକ୍ଷ ! ଶୈଳେନ୍ଦ୍ର ନାରାୟଣ ସତେ କି ଆର୍ତ୍ତନାଦ କରିଉଠିଲେ ।

 

: ଆପଣଙ୍କୁ କ’ଣ ଏକଥା ଆପଣଙ୍କର ଲୋକମାନେ କହି ନାହାନ୍ତି ? ଆମେ ତ ପ୍ରତି ନୋଟିସ୍‍ରେ ସେଇ ପରିମାଣ ଉଲ୍ଲେଖ କରିଥାଉ ।

 

ମୁହୂର୍ତ୍ତକ ପାଇଁ ନିରବ ହୋଇଗଲେ ଶୈଳେନ୍ଦ୍ର ନାରାୟଣ । ସୋଫା ଉପରୁ ଉଠୁ ଉଠୁ ପୁଣି ବସିପଡ଼ିଲେ । ଠିଆହେବା ପାଇଁ ଆବଶ୍ୟକ ଶକ୍ତି ତାଙ୍କର ନଥିଲା । ତା’ ସାଙ୍ଗକୁ ଏହି ମୋଟା ପରିମାଣର ଟିକସ କଥା ତାଙ୍କୁ ଅଧିକ ଦୁର୍ବଳ କରି ଦେଇଥିଲା ।

 

ଜିଲ୍ଲାପାଳ ତାଙ୍କୁ ଫାଟକ ପର୍ଯ୍ୟନ୍ତ ବଳେଇ ଦେବାକୁ ଗଲେ । ଯିବା ସମୟରେ ଶୈଳେନ୍ଦ୍ର ନାରାୟଣ କହିଲେ, “ମୋର ମାନେଜର ଏତେ ପରିମାଣର ଟଙ୍କା ବକେୟା ପଡ଼ିଥିବା କଥା ଅବଶ୍ୟ କହି ନାହାନ୍ତି । କିନ୍ତୁ ମୋର ମନେହୁଏ ମୁଁ ସବୁ ଟିକସ ଦେଇଛି ।”

 

: ଆପଣ ଯିବେ କେମିତି ? ଜିଲ୍ଲାପାଳ ପଚାରିଲେ ।

 

: ଅଛି, ଗାଡ଼ି ଅଛି । ଟିକିଏ ଦୂରରେ । ଶୈଳେନ୍ଦ୍ର ନାରାୟଣ କହିଲେ ଏବଂ ସଞ୍ଜ ଅନ୍ଧାର ଭିତରେ ଚାଲିବାକୁ ଆରମ୍ଭ କଲେ । ଜିଲ୍ଲାପାଳ ଲକ୍ଷ୍ୟ କଲେ, ଅଚ୍‌କନର ପ୍ୟାକେଟ୍‌ ଭିତରେ ଚକ୍‌ଚକ୍‌ କରୁଥିଲା ଏକ ରୁପାର ମଦ ବୋତଲ । ତାଙ୍କ ପାଖରୁ ବିଦାୟ ନେବାକ୍ଷଣି ଶୈଳେନ୍ଦ୍ର ନାରାୟଣ ସେଇ ବୋତଲକୁ ନିଜ ଓଠ ପାଖରେ ଟେକି ଧରିଲେ ।

 

ସେ ଏକଥା ମଧ୍ୟ ଅନୁମାନ କରିପାରୁଥିଲେ ଯେ ମହାରାଜାଙ୍କ ପାଇଁ ବାସ୍ତବରେ କୋଉଠି ଗାଡ଼ିଟିଏ ଅପେକ୍ଷା କରି ନଥିଲା । ତେବେ ତାଙ୍କର ରୋକ୍‌ଠୋକ୍‌ କଥା ଏବଂ ଔଦ୍ଧତ୍ୟପୂର୍ଣ୍ଣ ବ୍ୟବହାରରେ ବାଧା ଦେବାପାଇଁ ଜିଲ୍ଲାପାଳ ଚାହୁଁ ନଥିଲେ ।

 

ଶୈଳେନ୍ଦ୍ର ନାରାୟଣଙ୍କ ସହ ପୂର୍ବ ସାକ୍ଷାତର ଆଜି ପଞ୍ଚମ ଦିନ । ସେ ଯିବା ପରେ ପରେ ଜିଲ୍ଲାପାଳ ତାଙ୍କର ବ୍ୟକ୍ତିଗତ ସହକର୍ମୀଙ୍କୁ ଡାକି ଏହି କଥାଟି କହିଥିଲେ । କିନ୍ତୁ ନୂଆଗଡ଼ ଜିଲ୍ଲାପାଳଙ୍କ ଦପ୍ତରରେ ରାଜା ଶୈଳେନ୍ଦ୍ର ନାରାୟଣ ଟିକସ ପଇଠ କରିଥିବାର କୌଣସି ପ୍ରମାଣ ନଥିଲା । ଏଭଳି କ୍ଷେତ୍ରରେ ରାଜାଙ୍କ ମାନେଜର ଉପରେ ତାଙ୍କର ସନ୍ଦେହ ହୋଇଥିଲା । ହୁଏତ ସିଏ ଟିକସ ପଇଠ କରିବାପାଇଁ ଟଙ୍କାତକ ଆଣି ବାଟମାରଣା କରିଦେଇଥିବେ । ରାଜରାଜୁଡ଼ାଙ୍କ ପାଖରେ ଥିବା ଲୋକମାନଙ୍କ ଭିତରେ ଏଭଳି ଚରିତ୍ରଙ୍କ ସଂଖ୍ୟା ବେଶି । ଜିଲ୍ଲାପାଳ ଦିନେ ମାନେଜରଙ୍କୁ ଡକେଇଥିଲେ । ରାଜା ଶୈଳେନ୍ଦ୍ର ନାରାୟଣଙ୍କଠାରୁ ଆହୁରି ରହସ୍ୟମୟ ଥିଲା ମାନେଜରଙ୍କ ବ୍ୟକ୍ତିତ୍ୱ । ସେ ଏତେ ସମ୍ଭ୍ରାନ୍ତ, ରୁଚିସମ୍ପନ୍ନ ଏବଂ ମାର୍ଜିତ ଯେ ସରକାରୀ ଦପ୍ତରର କୌଣସି ପ୍ରଶାସନିକ ଅଧିକାରୀ ମଧ୍ୟ ତାଙ୍କ ଭଳି ହେବେ ନାହିଁ । ସେପରି ଜଣେ ବ୍ୟକ୍ତି ମିଛ କହୁଥିବେ, ଏ ଧାରଣା ଜିଲ୍ଲାପାଳଙ୍କର ହୋଇ ନଥିଲା । ତାଙ୍କୁ ଡକେଇ କଷ୍ଟ ଦେଇଥିବାରୁ ଜିଲ୍ଲାପାଳ ବରଂ ଦୁଃଖ ପ୍ରକାଶ କରିଥିଲେ । ରାଜାଙ୍କ ମାନେଜର ଗୋଟିଏ ବାକ୍ୟ କହିଥିଲେ, “ମୁଁ ବୁଢ଼ା ହେଲିଣି । ସବୁ କଥା ମନେରଖି ପାରୁ ନାହିଁ । ପ୍ରାୟ ସବୁ ଟିକସ ଦିଆଯାଇଛି ଏବଂ ସେ କାଗଜପତ୍ର ମୁଁ ମହାରାଜାଙ୍କୁ ଦେଇଛି ।”

 

ଆଉ କିଛି ପଚାରିବାର ପ୍ରୟୋଜନ ନଥିଲା । ମାନେଜର କୋଉକାଳୁ ରାଜ୍ୟ କାର୍ଯ୍ୟରୁ ଅବସର ନେଲେଣି । ସମ୍ଭବତଃ ସେ କୌଣସି ଦରମାପତ୍ର ବା ଭତ୍ତା ପାଉ ନାହାନ୍ତି । କେବଳ ସୌଜନ୍ୟ ଖାତିରରେ ସେ ରାଜାଙ୍କୁ ସାହାଯ୍ୟ କରୁଥାଇପାରନ୍ତି ।

 

ଏହାପରେ ମନ୍ମଥ ଚୌଧୁରୀ ଅନୁସନ୍ଧାନ କରିଥିଲେ । ସେଇ ଅନୁସନ୍ଧାନରୁ ସେ ଜାଣିଥିଲେ ଯେ ଜିଲ୍ଲା ସବୁ ଭାଗ ଭାଗ ହେବା ଆଗରୁ ନୂଆଗଡ଼ ସୁନାପୁଟ ଜିଲ୍ଲା ସହୁ ମିଶିକି ଥିଲା-। ତା’ପରେ ସେ ସୁନାପୁଟ ଜିଲ୍ଲାର ପୁରୁଣା ରେକର୍ଡ଼ପତ୍ର ଯାଞ୍ଚ କରିବା ଲାଗି ନିଜେ ଯାଇଥିଲେ-। ସେଇଠି ସେ ଆବିଷ୍କାର କରିଥିଲେ, ଶୈଳେନ୍ଦ୍ର ନାରାୟଣ ଯାହା କହୁଛନ୍ତି ତାହା ସତ-। ପନ୍ଦରବର୍ଷ ତଳୁ ସେହି ଟିକସ ସେ ପଇଠ କରିସାରିଛନ୍ତି । ନୂଆ ଜିଲ୍ଲା ହେବା ପରେ ଅସାବଧାନତାବଶତଃ ଏହି କାଗଜପତ୍ର ନୂଆଗଡ଼କୁ ଆସି ନଥିଲା । ଯାହାଫଳରେ ବର୍ଷ ପରେ ବର୍ଷ ସେହି ପୁରୁଣା ବକେୟା ପରିମାଣ ନୂଆ ଖାତାରେ ଚଢ଼ି ଯାଉଥିଲା ।

 

ଏକଥା ଜାଣିବା ପରେ ମନ୍ମଥ ଚୌଧୁରୀ ମନେମନେ ଲଜ୍ଜିତ ହୋଇଥିଲେ । ଭଦ୍ରଲୋକଙ୍କ ପ୍ରତି ଯେଉଁ ଅନ୍ୟାୟ ବ୍ୟବହାର ଦେଖାଯାଇଛି ସେଥିପାଇଁ ସେ ନିଜେ ଯାଇ ଦୁଃଖ ପ୍ରକାଶ କରିବା ଉଚିତ ବୋଲି ବିଚାର କରିଥିଲେ ।

 

ଶୈଳେନ୍ଦ୍ର ନାରାୟଣଙ୍କ ଉଆସର ରାସ୍ତା ସମସ୍ତେ ଜାଣିଥିଲେ । ଜିଲ୍ଲାପାଳଙ୍କ ଡ୍ରାଇଭର ପୁଣି ଥିଲା ଏହି ଅଞ୍ଚଳର ସ୍ଥାନୀୟ ଲୋକ । ମାତ୍ର ରାଜପ୍ରାସାଦର ଏହି ଦୁର୍ଦ୍ଦଶା ଜିଲ୍ଲାପାଳ ଆଦୌ କଳ୍ପନା କରି ନଥିଲେ । ବର୍ଷ ବର୍ଷର ଅବହେଳା, ଉଦାସୀନତା ଏବଂ ଦାୟିତ୍ୱହୀନତାର ସବୁତକ ଲକ୍ଷଣ ସେ ପ୍ରାସାଦ କାନ୍ଥରେ ଦେଖି ପାରୁଥିଲେ ।

 

ଚାରିଆଡ଼ ଖାଁ ଖାଁ । ଡେଙ୍ଗା ଡେଙ୍ଗା ଗଛ ଘେରା ପୁରୁଣା ପ୍ରାସାଦଟି ଦିଶୁଥାଏ ଏକ ହାତୀଶାଳ ପରି । ଯୁଆଡ଼କୁ ଚାହିଁଲେ ଶୁଖିଲା ପତ୍ର, ଛିଣ୍ଡା କାଗଜ, ଖାଲି ମଦ ବୋତଲ ଓ ପଲିଥିନ୍‌ । ଅନେକ ଦିନ ହେଲା ଯେମିତି ଏହା ଭିତରକୁ କେହି ଆସି ନାହାନ୍ତି ।

 

ସେ ଛିଡ଼ାହୋଇ କାହାକୁ ଅପେକ୍ଷା କରୁଥିଲେ । ତାଙ୍କ ଡ୍ରାଇଭର ଯାଇ ରାଜପ୍ରାସାଦ ପାହାଚରେ ଟିକିଏ ଛିଡ଼ାହେଲା ଏବଂ ଫେରିଆସିଲା । ଜିଲ୍ଲାପାଳ ବୁଝିଲେ, ଡ୍ରାଇଭରଟି ଆଉ ଭିତରକୁ ପଶିବାପାଇଁ ସାହସ ଜୁଟେଇ ପାରୁ ନାହିଁ ।

 

ମେଲା ମୁକୁଳା ଡ୍ରଇଂରୁମ୍‌ ଆଗରେ ଗୋଟାଏ ଘଣ୍ଟି ଟଙ୍ଗାଯାଇଥାଏ । ଜିଲ୍ଲାପାଳ ସେହି ଘଣ୍ଟିକୁ ଦୁଇଥର ବଜେଇ ଡ୍ରଇଂରୁମ୍‌ ସୋଫା ଉପରେ ବସିପଡ଼ିଲେ ।

 

କିଛି ମୁହୂର୍ତ୍ତ ବିତିଗଲା । ଜିଲ୍ଲାପାଳ ମହାରାଜାଙ୍କୁ ଅପେକ୍ଷା କରୁଥିଲେ ।

 

: ସୁପ୍ରଭାତ କଲେକ୍‍ଟର ସାହେବ, ସୁପ୍ରଭାତ । –କେବେ କାହାକୁ ହାତ ଯୋଡ଼ି ନଥିବାର ଅନଭ୍ୟସ୍ତ ଠାଣିରେ ଶୈଳେନ୍ଦ୍ର ନାରାୟଣ ଡାହାଣ ହାତଟିକୁ ସାମାନ୍ୟ ଉପରକୁ ଟେକି ଧରିଲେ । ତା’ପରେ ଦୁଲ୍‌କରି ଗୋଟିଏ ଚୌକି ଉପରେ ବସିପଡ଼ିଲେ । ତାଙ୍କ ହାବଭାବରୁ ଜଣାପଡ଼ୁଥିଲା ସେ ଅପ୍ରସ୍ତୁତ ହୋଇପଡ଼ିଛନ୍ତି । ହୁଏତ ଏଭଳିଭାବେ ଜିଲ୍ଲାପାଳଙ୍କ ସହ ସାକ୍ଷାତ ସେ ଆଶା କରୁ ନଥିଲେ ।

ଜିଲ୍ଲାପାଳ କହିଲେ, “ମୁଁ ଦୁଃଖିତ । ଆପଣଙ୍କ ପ୍ରତି ଆମର ଏଭଳି ବ୍ୟବହାର ଦେଖେଇବା ଉଚିତ ହୋଇ ନାହିଁ । ସେଥିପାଇଁ ମୁଁ ନିଜେ ଆସିଲି ।”

ଶୈଳେନ୍ଦ୍ର ନାରାୟଣ ହସିଲେ । ସେହି ସଞ୍ଜର ହସ ପରି । ଯାହାର ଅର୍ଥ ବୁଝିହୁଏ କମ୍‌, ଅବୁଝା ରହେ ବେଶି । କିଛିକ୍ଷଣ ରହି କହିଲେ, “କିନ୍ତୁ ଗୋଟାଏ ସୁଯୋଗ ମୋର ହାତଛଡ଼ା ହୋଇଗଲା ।”

: ସୁଯୋଗ ? କି ସୁଯୋଗ ! –ମନ୍ମଥ ଚୌଧୁରୀ ଆଶ୍ଚର୍ଯ୍ୟ ହେଲେ ।

ଏହାପରେ ଶୈଳେନ୍ଦ୍ର ନାରାୟଣଙ୍କୁ ଦେଖିବାର କଥା । ସେ ହଠାତ୍‌ ସାନପିଲା ପରି କାନ୍ଦି ଉଠିଲେ । ତାଙ୍କ ଆଖିରୁ ଲୁହ ନିଗିଡ଼ିବାର ଦେଖି ଜିଲ୍ଲାପାଳ ଅପ୍ରସ୍ତୁତ ହୋଇପଡ଼ିଲେ । ମଦ୍ୟପମାନେ ଏଭଳି ଭାବପ୍ରବଣ ହେବା ଅସ୍ୱାଭାବିକ ନୁହେଁ । କିନ୍ତୁ ଶୈଳେନ୍ଦ୍ର ନାରାୟଣଙ୍କ ଭଳି ଜଣେ ଅଭିଜାତ ପ୍ରୌଢ଼ ହଠାତ୍‌ ଏପରି ବ୍ୟବହାର କରିବା ତାଙ୍କୁ ଅସ୍ୱାଭାବିକ ଲାଗୁଥିଲା । ସମ୍ଭବତଃ ଭଦ୍ରଲୋକ କିଛି ଗୋଟାଏ ଦୁଶ୍ଚିନ୍ତା ଭିତରେ ବୁଡ଼ି ରହିଥିବାବେଳେ ସେ ଆସି ପହଞ୍ଚି ଯାଇଥିଲେ ।

ଶୈଳେନ୍ଦ୍ର ନାରାୟଣ କହିଲେ, “ଆପଣଙ୍କ ଅଫିସର କହିଥିଲେ, ସରକାର ମୋତେ ଗିରଫ୍ କରି କାରାଗାରକୁ ପଠାଇ ଦେବେ । ସେଇ ନୋଟିସ୍‌ଟା ପାଇ ମୁଁ ସେଦିନ ସଞ୍ଜରେ ଆପଣଙ୍କ ପାଖକୁ ଯାଇଥିଲି ।”

: କିନ୍ତୁ ମୁଁ ସେଥିପାଇଁ କ୍ଷମା ଲୋଡ଼ୁଛି । –ଜିଲ୍ଲାପାଳ କହିଲେ ।

: ନା, ନା । ମୋତେ କାରାଗାରକୁ ପଠେଇ ଦିଅନ୍ତୁ କଲେକ୍‍ଟର ସାହେବ । ଆପଣ ଭାବୁଥିବେ ମୁଁ ପରିହାସ କରୁଛି । କିନ୍ତୁ ଆପଣ ମୋ ଜାଗାରେ ରହି ଏଇଠି ଗୋଟିଏ ଦିନ କାଟନ୍ତୁ, ଦେଖିବେ ଏହା କାରାଗାରର ଜୀବନଠାରୁ କେତେ ନିଃସଙ୍ଗ !

ଜିଲ୍ଲାପାଳ ବୁଝିପାରିଲେ ନାହିଁ । ତାଙ୍କୁ ଶୈଳେନ୍ଦ୍ର ନାରାୟଣଙ୍କ କଥା ରହସ୍ୟପୂର୍ଣ୍ଣ ଲାଗୁଥିଲା ।

: ମୋର ଜନ୍ମ ପରେ ପରେ ଆମର ଜନ୍ମଦାତ୍ରୀ ଜନନୀ ଚାଲିଗଲେ । ବାବା ଆଉଥରେ ବିବାହ କଲେ । ସାବତ ମା’ ମୋ ଓଠରେ ଯେଉଁ ବୟସରେ କ୍ଷୀର ବୋତଲ ଧରେଇବା କଥା ସେହି ବୟସରେ ଧରେଇଦେଲେ ମଦ ବୋତଲ । କାରଣ ସେ ମୋର ବଞ୍ଚିବା ଚାହୁଁ ନଥିଲେ ।

ଗୋଟାଏ ନିଷ୍ଠୁର ଏବଂ ଦୀର୍ଘ ଇତିହାସକୁ ପ୍ରତ୍ୟକ୍ଷ କରିବାର ଅନୁଭବରେ ଜିଲ୍ଲାପାଳଙ୍କ ଲୋମ ଟାଙ୍କୁରି ଉଠୁଥିଲା । ସେ ଚିନ୍ତା କରି ପାରୁ ନଥିଲେ ଯେ ଗୋଟିଏ ଦୁଗ୍ଧପୋଷ୍ୟ ଶିଶୁ ଓଠରେ ମଦବୋତଲ ଦେବାର ନିର୍ଦ୍ଦୟତା କୌଣସି ନାରୀ କେବେ କରିପାରେ !

: ଛାଡ଼ନ୍ତୁ ମିଷ୍ଟର୍ କଲେକ୍‍ଟର । ସେସବୁ ପୁରୁଣା କଥା । ମା’ ପରେ ମଣିଷ ଜୀବନରେ ସ୍ତ୍ରୀ ହେଉଛି ଦ୍ୱିତୀୟ ନାରୀ, ଯିଏ ତାକୁ ଟିକିଏ ଶାନ୍ତି ଦିଏ, ତା’ ପଛରେ ଛିଡ଼ା ହୁଏ । ଲୋକମାନେ ଥରେଲେଖା ବାହା ହୁଅନ୍ତି । ମୁଁ ଦି’ ଦି’ଥର ବାହା ହୋଇଥିଲି । ଜଣେ ଏଇ ନୂଆଗଡ଼ର, ଜଣେ କାଶ୍ମୀରର । ସେ ଦୁଇଜଣଙ୍କ ମଧ୍ୟରେ ମାଲିମୋକଦ୍ଦମା ଚାଲିଛି । ଜଣେ କେବଳ ସରକାରୀ ଟ୍ରେଜେରୀରୁ ମୋର ଭତ୍ତା ମିଳିବା ଦିନ ଆସନ୍ତି ଓ ସେତକ ଅର୍ଥ ନେଇ ଚାଲିଯାଆନ୍ତି । ଆଉ ଜଣେ ଖଇରଗଡ଼ ଉଆସରେ ତା’ର ପ୍ରେମିକ ସହ ରହେ ଏବଂ ତା’ ପ୍ରତି ସାନରାଣୀ କରୁଥିବା ଅନ୍ୟାୟ କଥା କହି ମୋତେ ଘଣ୍ଟା ଘଣ୍ଟା ଭର୍ତ୍ସନା କରେ । ଦିନେ ଦିନେ ଉଭୟଙ୍କ ଟଣାଓଟରାରେ ମୁଁ ଏଇଠି ପଡ଼ି ଛଟପଟ ହୁଏ । କିନ୍ତୁ ମୋ ପାଖରେ ମଦ ବୋତଲ ଭିନ୍ନ ଆଉ କେହି ନଥାନ୍ତି । ଆପଣ ନିଜେ ଦେଖନ୍ତୁ, ଏ ଉଆସରେ କୌଣସି ଗୋଟିଏ ପୁରୁଣା ଜିନିଷ ନାହିଁ । ଗାଡ଼ି, ମଟର, ସୁନା, ରୁପା ସବୁ ଦି’ ଜଣଙ୍କ ଭାଗବଣ୍ଟରାରେ ନିଃଶେଷ ହୋଇଯାଇଛି । କେବଳ ମୁଁ ଅଛି ଏବଂ ମୋର ଦୁଃଖ ।

 

ମନ୍ମଥ ଚୌଧୁରୀ କ’ଣ କହିବେ ଚିନ୍ତା କରିପାରୁ ନଥିଲେ । ଯେଉଁ ଲୋକଟିକୁ ଉଦ୍ଧତ, ଅହଂକାରୀ ଓ ଅତ୍ୟାଚାରୀ ବୋଲି ସେ ଗଲା ଛଅମାସ କାଳ ଭାବି ଆସିଥିଲେ ସିଏ ଯେ ଏଭଳି ଅସହାୟ ଅବସ୍ଥା ଭୋଗୁଛନ୍ତି ତାହା ତାଙ୍କର କଳ୍ପନାରେ ନଥିଲା ।

 

ସେ ସୋଫା ଉପରୁ ଉଠିଲେ ।

 

ଶୈଳେନ୍ଦ୍ର ନାରାୟଣ କହିଲେ, “ମୋତେ ଏଠୁ ନେଇଯାଆନ୍ତୁ ମିଷ୍ଟର୍ କଲେକ୍‍ଟର । ଆପଣମାନେ ଯେଉଁ କାରାଗାର ଗଢ଼ିଛନ୍ତି ସେଇଠିକି ମୋତେ ନେଇଯାଆନ୍ତୁ । କେତେଦିନ ମୁଁ ମଦ ପିଇ ଦିନସାରା ଶୋଉଥିବି, କେତେ ରାତି ମୁଁ ବିଷ ପିଇ ପିଇ ଏମିତି ଚେଉଁଥିବି !”

 

ସେ ଦୃଶ୍ୟ ଦେଖିପାରୁ ନଥିଲେ ଜିଲ୍ଲାପାଳ । ସେ ମୁଣ୍ଡ ତଳକୁ କରି କହିଲେ, “ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ପୁଣି ଆସିବି ।” ତା’ପରେ ସେ ତରତର ପାଦରେ ପୋର୍ଟିକୋରେ ଥିବା ତାଙ୍କ ଗାଡ଼ି ପାଖକୁ ଚାଲି ଆସିଲେ ।

 

ଭିତରଘରୁ ସେଇ ବୁଢ଼ା ଓ ଦୁର୍ବଳ ମାନେଜର ଜଣକ ଧାଇଁଆସି ଶିଶୁପୁତ୍ରକୁ ପିତା କୋଳେଇ ଧରିବା ପରି ତଳେ ପଡ଼ିଯାଉଥିବା ଶୈଳେନ୍ଦ୍ର ନାରାୟଣଙ୍କୁ କୋଳେଇ ଧରୁଥିଲେ । ଶୈଳେନ୍ଦ୍ର ନାରାୟଣ କିନ୍ତୁ ବିକଳରେ ଖୋଜି ହେଉଥିଲେ, ହାତରୁ ଖସିପଡ଼ିଥିବା ଅଧାପିଆ ମଦ ବୋତଲ, ପିଲାଟିଏ ଅଧାପିଆ କ୍ଷୀର ବୋତଲ ଖୋଜିହେବା ପରି ।

 

ଜିଲ୍ଲାପାଳ ମନ୍ମଥ ଚୌଧୁରୀଙ୍କ ବସିବାପାଇଁ ଡ୍ରାଇଭର ଗାଡ଼ିର କବାଟ ଖୋଲିଦେଲା । ସେ ଭିତରେ ବସିବା ଆଗରୁ ଆଉଥରେ ଶୈଳେନ୍ଦ୍ର ନାରାୟଣଙ୍କର ପୁରୁଣା ଉଆସକୁ ଚାହିଁଲେ । ଚାରିଆଡ଼େ ଅବହେଳା, ଅନାଦର । କୋଉକାଳୁ ଶୁଖିଲାପତ୍ର ଠୁଳ ହୋଇ ଏଣେତେଣେ ବିଛେଇ ପଡ଼ିଛି । ବୁଢ଼ିଆଣୀ, ମାଙ୍କଡ଼ସା ବସାରେ ରୁନ୍ଧି ହୋଇଯାଇଛି ଉଆସର କବାଟ ଝରକା । କ୍ରମେ ତାଙ୍କର ଗାଡ଼ି ରାଜାଙ୍କ ଉଆସର ପଥର ବସା ରାସ୍ତା ପାର ହୋଇ ଫାଟକ ବାହାରକୁ ଚାଲିଆସିଲା-

 

କଳଙ୍କିଲଗା ଲୁହା ଗେଟ୍‌ଟା ଖୋଲିବାପାଇଁ କେହି ନାହିଁ । ଡ୍ରାଇଭର ଓହ୍ଲେଇଯାଇ ଗେଟ୍‌ ଖୋଲିଲା ଏବଂ ଫେରିଯାଇ ପୁଣି ବନ୍ଦ କଲା । ନୂଆଗଡ଼ର ଜିଲ୍ଲାପାଳଙ୍କୁ ଶୈଳେନ୍ଦ୍ର ନାରାୟଣଙ୍କ ଉଆସଟା ସତକୁସତ ଏକ କାରାଗାର ପରି ଦିଶୁଥିଲା ।

✽✽✽

 

ରାଜଜେମା

 

ମେଘପଖଳା ଆଷାଢ଼ ଆକାଶ ତଳେ ଘନ ଅରଣ୍ୟ ବେଷ୍ଟିତ ବରୁଣେଇ ପାହାଡ଼ ଯେତିକି ଶାନ୍ତ ଓ ସମାହିତ ଦିଶୁଥିଲା, ପାହାଡ଼ ପାଦଦେଶରେ ଅବସ୍ଥିତ ରାଜପ୍ରାସାଦ ଅଭ୍ୟନ୍ତରର ଦୃଶ୍ୟ ଯେତିକି ଅଶାନ୍ତ ଓ ଉଦ୍‌ବେଗଜନକ ଅନୁଭୂତ ହେଉଥିଲା । ରାଜଜେମା ମୁକ୍ତାଦେଈ ଶରାହତ ପକ୍ଷୀଟିଏ ପରି ନିଜ କକ୍ଷ ଭିତରେ ଛାଟିପିଟି ହେଉଥିଲେ । ଏତେ ଅପମାନ, ଅନାଦର ଏବଂ ଉପେକ୍ଷା ସେ ଅନ୍ୟ କୌଣସି ଦିନ ଅନୁଭବ କରି ନଥିଲେ । ତାଙ୍କର ଇଚ୍ଛା ହେଉଥିଲା ସେ ଜଗନ୍ନାଥପୁର କଟକଗଡ଼ର ଏହି ରାଜପ୍ରାସାଦ ଉପରୁ ତଳକୁ ଡେଇଁପଡ଼ି ନିଜର ଜୀବନ ବିସର୍ଜନ କରିଦିଅନ୍ତେ ଏବଂ ଏହି ପ୍ରକାର ଅପମାନରୁ ନିଷ୍କୃତି ପାଇଯାଆନ୍ତେ ।

 

ଗଜପତି ରାଜା ପୁରୁଷୋତ୍ତମଦେବଙ୍କ ଅଲିଅଳ ରାଜଜେମା ମୁକ୍ତାଦେଈ କେବେ କଳ୍ପନା ସୁଦ୍ଧା କରି ନଥିଲେ ଯେ ତାଙ୍କରି ଏକାନ୍ତ ଅନୁଗତ, ବିଶ୍ୱସ୍ତ ପରିଚାରିକା ଶଶିକଳାହିଁ ତାଙ୍କ ସାଙ୍ଗରେ ଏଭଳି ଦାଉ ସାଧି ବସିବ । ଶଶିକଳାର ନରମ, ମଧୁର ଓ ସଲଜ୍ଜ ଚେହେରା ପଛରେ ଏଭଳି ଏକ ଅବିଶ୍ୱସ୍ତ ନାଗୁଣୀ ଛପି ରହିଥିବା କଥା ସିଏ ବା କାହିଁକି କଳ୍ପନା କରିଥାଆନ୍ତେ ? କିନ୍ତୁ ସେନାପତି ଚକ୍ରପ୍ରତାପ ! ସେ କିଭଳି ରାଜଜେମାଙ୍କର ପ୍ରଣୟ ନିବେଦନକୁ ଉପେକ୍ଷା କରି ଜଣେ ସାଧାରଣ ପରିଚାରିକାର ପ୍ରେମକୁ ସ୍ୱୀକାର କରିନେଲେ ? ଚକ୍ରପ୍ରତାପଙ୍କ ଦୃଷ୍ଟିରେ କ’ଣ ପରିଚାରିକା ଶଶିକଳା ରାଜଜେମା ମୁକ୍ତାଦେଈଙ୍କଠାରୁ ଅଧିକ ସୁନ୍ଦରୀ ? ଅଧିକ ଗୁଣବତୀ ?

 

ରାଜଜେମାଙ୍କ କପାଳରେ ଉଦ୍‌ବେଗର ବୁନ୍ଦା ବୁନ୍ଦା ସ୍ୱେଦ । ପିତା ପୁରୁଷୋତ୍ତମଦେବଙ୍କୁ କହି ସେ କୌଣସି ନା କୌଣସି ଆଳରେ ସେନାପତି ଚକ୍ରପ୍ରତାପଙ୍କୁ ରାଜ୍ୟ ବାହାରକୁ ପଠେଇଦେବେ । ତା’ପରେ ପରିଚାରିକା ଶଶିକଳାକୁ ଦେବେ ଉପଯୁକ୍ତ ଶାସ୍ତି । ଦୀର୍ଘ ତିନି ମାସ ଧରି ସେ ଯେଉଁ କଷ୍ଟ ଓ ଯନ୍ତ୍ରଣା ମର୍ମେ ମର୍ମେ ଅନୁଭବ କରୁଛନ୍ତି ତାହାର ସମୁଚିତ ନିଦାନ ଶଶିକଳାର ଯନ୍ତ୍ରଣାଦାୟକ ମୃତ୍ୟୁ । ମନ ଭିତରେ ସେ ଯୋଜନାର ନକ୍ସା ପ୍ରସ୍ତୁତିରେ ଲାଗିପଡ଼ିଲେ-। ଶଶିକଳାର ମୃତ ଶରୀରକୁ ସେ ଘନ ଅରଣ୍ୟର ଏଭଳି ପରିତ୍ୟକ୍ତ ସ୍ଥାନରେ ଫିଙ୍ଗିଦେବେ, ଯାହାକୁ ଗୃଧ୍ର କି ଶୃଗାଳ ସୁଦ୍ଧା ଦେଖିବାକୁ ପାଇବେ ନାହିଁ ।

 

ରାଜଜେମା ମୁକ୍ତାଦେଈ ରାଜପ୍ରାସାଦର ଗବାକ୍ଷ ଦେଇ ଦୂର ଅରଣ୍ୟ ଆଡ଼େ ଚାହିଁଲେ । ବରୁଣେଇ ପାଦଦେଶରେ ଖୋଲାପଲା ଓ ଖୁରୁଧା ଦୁଇଟି ପଲ୍ଲୀ ଗ୍ରାମ । ଜେଜେ ରାମଚନ୍ଦ୍ରଦେବ କଟକ ବାରବାଟୀ ଉଦ୍ଧାରରେ ଶ୍ରମ ଓ ସମୟ ବିନିଯୋଗ ନ କରି ଏଇଠି ଘନ ଅରଣ୍ୟାନୀ–ପରିବେଷ୍ଟିତ ଅଞ୍ଚଳରେ ଖୁରୁଧା ଦୁର୍ଗ ପ୍ରତିଷ୍ଠା କରିଥିଲେ । ନିଜର ପିତା ରାଜା ପୁରୁଷୋତ୍ତମଦେବଙ୍କଠାରୁ ରାଜଜେମା ଶୁଣିଛନ୍ତି ରାମଚନ୍ଦ୍ରଦେବଙ୍କ ଅପୂର୍ବ ଶୌର୍ଯ୍ୟ ବୀର୍ଯ୍ୟର କାହାଣୀ । ଏକଦା ଆକବରଙ୍କ ସେନାଧ୍ୟକ୍ଷ ମାନସିଂହ ଏବଂ ତାଙ୍କର ପୁଅ ଜଗତସିଂହ ସୁଦ୍ଧା ରାଜା ରାମଚନ୍ଦ୍ରଙ୍କର ବୀରତ୍ୱ ଦେଖି ବିସ୍ମିତ ହୋଇଥିଲେ । ଖୋର୍ଦ୍ଧା ଆକ୍ରମଣ ପାଇଁ ସେମାନଙ୍କର ଉଦ୍ୟମକୁ ପ୍ରତିଟି ଦୁର୍ଗରେ ସଫଳରୂପେ ବାଧା ଦିଆଯାଇଥିଲା । ମାନସିଂହ ନିଜେ ରାମଚନ୍ଦ୍ରଦେବଙ୍କୁ ସାକ୍ଷାତ କରି ମିତ୍ରତାର ପ୍ରସ୍ତାବ ଦେଇଥିଲେ । ତା’ପରେ ଠାକୁରରାଜା ରାମଚନ୍ଦ୍ରଦେବଙ୍କୁ ମିଳିଥିଲା ମହାରାଜାର ସ୍ୱୀକୃତି । ସେହି ଠାକୁର ରାଜାଙ୍କର ବଂଶଜା ମୁକ୍ତାଦେଈ ଜଣେ ସାଧାରଣ ପରିଚାରିକାଦ୍ୱାରା ଉପେକ୍ଷିତା ହେବା ଘଟଣାକୁ କଦାପି ସେ ଗ୍ରହଣ କରି ପାରିବେ ନାହିଁ ।

 

କ୍ରୋଧ ଏବଂ ଅପମାନରେ ରାଜଜେମାଙ୍କ ନାସାଗ୍ର ଫୁଲି ଉଠୁଥିଲା । ସମୟେ ସମୟେ ସେ ଏତେ ଅସହାୟ ହୋଇପଡ଼ୁଥିଲେ ଯେ ଇଚ୍ଛା ହେଉଥିଲା ହସ୍ତ ମୁଦ୍ରିକାର କପାଟ ଭିତରେ ଥିବା ହୀରକ ଖଣ୍ଡକୁ ଚୁମ୍ବନ ଦେଇ ପ୍ରାଣତ୍ୟାଗ କରିବେ । ବଞ୍ଚି ଥାଉଁଥାଉଁ ଚକ୍ରପ୍ରତାପଙ୍କ ବାହୁ ଆଲିଙ୍ଗନରେ ଦ୍ୱିତୀୟ ନାରୀର ଉପସ୍ଥିତି ସେ ସହିପାରିବେ ନାହିଁ ।

 

ରାଜଜେମାଙ୍କର ଦୃଷ୍ଟି ପାହାଚର ସୋପାନ ଶ୍ରେଣୀ ଉପରେ ବୁଲିଗଲା । ନା ଚକ୍ରପ୍ରତାପ ଏପର୍ଯ୍ୟନ୍ତ ଆସି ନାହାନ୍ତି । କିନ୍ତୁ କାହିଁକି ଆସୁ ନାହାନ୍ତି ଚକ୍ରପ୍ରତାପ ? ସେ କ’ଣ ରାଜଜେମା ପଠେଇଥିବା ଖବର ପାଇ ନାହାନ୍ତି ? ନା ଖବର ପାଇବା ସତ୍ତ୍ୱେ ରାଜଜେମାଙ୍କୁ ଭେଟିବା ଲାଗି ସେ ଆଗ୍ରହୀ ନୁହନ୍ତି ! କିମ୍ବା ଶଶିକଳା ସହ ଚକ୍ରପ୍ରତାପଙ୍କ ଗୋପନ ଅଭିସାର କଥା ସେ ଜାଣିସାରିଥିବାର ଖବର ତାଙ୍କ ପାଖରେ ପହଞ୍ଚିଯାଇଛି ? କିନ୍ତୁ ଏ ଖବର ବା କିଏ ଦେବ ଚକ୍ରପ୍ରତାପଙ୍କୁ ? ଭାନୁମତୀ ଏବଂ ତାଙ୍କ ଭିନ୍ନ ଆଉ କେହି ଏ ବିଷୟରେ ନିଶ୍ଚୟ ଜାଣନ୍ତି ନାହିଁ ।

 

କେହି ଜଣେ ତାଙ୍କରି କକ୍ଷ ଆଡ଼େ ଆସୁଥିଲା । ଅପରାହ୍‌ଣର ନିର୍ଜନ ପରିବେଶରେ ଓଜନିଆ ପାଦ ଶବ୍ଦ ଅଧିକ ଓଜନିଆ ମନେ ହେଉଥିଲା । ଇଏ ନିଶ୍ଚୟ ଚକ୍ରପ୍ରତାପଙ୍କ ପାଦ ଶବ୍ଦ । ଆବେଗ ଓ ଭାବପ୍ରବଣତାରେ ଲବଣୀପିତୁଳା ପରି ନରମ ହୋଇଗଲେ ମୁକ୍ତାଦେଈ । ଚକ୍ରପ୍ରତାପଙ୍କ ଦୃଷ୍ଟିରେ ସେ ଯେଉଁ ସମ୍ମୋହିନୀ ଶକ୍ତି ! ଇଚ୍ଛା ହୁଏ ବନ୍ୟ ଝରଣା ବରୁଣେଇ ପାହାଡ଼ କୋଳରେ ଜଡ଼ିଗଲା ପରି ସେ ଚକ୍ରପ୍ରତାପଙ୍କ ଛାତିରେ ଜଡ଼େଇ ହୋଇ ଯାଆନ୍ତେ ।

 

: ରାଜଜେମା ମଣିମା ଶୁଣିବା ହେବେ !

 

: କିଏ ? –ବୁଲିପଡ଼ିଲେ ମୁକ୍ତାଦେଈ । ସାମ୍ନାରେ ସୈନିକଟିଏ ଛିଡ଼ା ହୋଇଥିଲା । ଦୀର୍ଘଯାତ୍ରାରୁ ଫେରିଥିବା ପରି ସେ କ୍ଳାନ୍ତ ଦିଶୁଥିଲା ।

 

: ସେନାପତି ଚକ୍ରପ୍ରତାପ ଆପଣଙ୍କୁ ସାକ୍ଷାତ କରିପାରୁ ନଥିବା ଯୋଗୁଁ କ୍ଷମା ପ୍ରାର୍ଥନା କରି ଖବର ପଠେଇଛନ୍ତି । କହିଛନ୍ତି ସେ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ବାହାରି ଯାଉଛନ୍ତି । ସେଠାରୁ ଫେରି ଆସିବା ପରେ ସବା ଆଗ ଆସି ଜେମାଙ୍କ ଶ୍ରୀଛାମୁରେ ସାକ୍ଷାତ କରିବେ ।

 

: କିନ୍ତୁ ହଠାତ୍‌ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ବାହାରିଯିବାର ପ୍ରୟୋଜନ କାହିଁକି ପଡ଼ିଲା ଶୁଣେ ?

 

: କ୍ଷମା କରିବେ । ସେ ପ୍ରସଙ୍ଗରେ ଏ ଅଧୀନ କିଛି ଜାଣେ ନାହିଁ ।

 

: ଠିକ୍‌ ଅଛି । ତୁମେ ଏବେ ଆସିପାର–ମୁକ୍ତାଦେଈ କହିଲେ ଏବଂ ଦ୍ରୁତପଦରେ କକ୍ଷ ଭିତରକୁ ପଶିଯାଇ କବାଟ ଆଉଜେଇ ନେଲେ । ସେନାପତି ଚକ୍ରପ୍ରତାପ ହଠାତ୍‌ ଶ୍ରୀକ୍ଷେତ୍ର ପୁରୀ ବାହାରିଯିବାର ଅନ୍ୟ କିଛି କାରଣ ଅଛି ନା ତାଙ୍କ ଅନୁରୋଧକୁ ଏଡ଼ାଇ ଯିବାପାଇଁ ସେ ଚାଲିଗଲେ ତାହା ସେ ବୁଝିପାରୁ ନଥିଲେ । କିନ୍ତୁ କାହାକୁ ଏକଥା ପଚାରିବେ ? ପିତା ପୁରୁଷୋତ୍ତମଦେବଙ୍କୁ ତ ଏକଥା ସିଧାସଳଖ ସେ ପଚାରି ପାରିବେ ନାହିଁ !

 

।। ଦୁଇ ।।

 

ଗୋଟିଏ ଗୋଟିଏ ମୁହୂର୍ତ୍ତ ଗୋଟିଏ ଗୋଟିଏ ଯୁଗ ପରି ମନେ ହେଉଥିଲା ଗଜପତି ପୁରୁଷୋତ୍ତମଦେବଙ୍କୁ । ତାଙ୍କର ପାଦଯୋଡ଼ିକ ମାଟି ଭିତରକୁ ଧସିଗଲା ପରି ସେ ଅନୁଭବ କରୁଥିଲେ । ଅସହାୟ ଭାବରେ ସେ ମଝିରେ ମଝିରେ ଚିତ୍କାର କରୁଥିଲେ, “ଶ୍ରୀଜଗନ୍ନାଥ, ଏ ବିପଦରୁ ରକ୍ଷା କର ପ୍ରଭୋ, ରକ୍ଷା କର ।”

 

ଗଜପତିଙ୍କ ନିକଟରେ ଗୁପ୍ତଚର ଖବର ପହଞ୍ଚିଥିଲା, ମୋଗଲ ସେନାବାହିନୀ ଶ୍ରୀକ୍ଷେତ୍ର ଆକ୍ରମଣ ଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଛି । ଆଜି ରାତିରେ କିମ୍ବା ଆସନ୍ତାକାଲି ପ୍ରଭାତରେ ସେମାନେ ଉଭୟ ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ଉପରେ ଏକ ସମୟରେ ଆକ୍ରମଣ କରିବେ ଓ ଦେବତାମାନଙ୍କର ବିଗ୍ରହଗୁଡ଼ିକୁ ଅଗ୍ନିକୁଣ୍ଡକୁ ନିକ୍ଷେପ କରିବେ । ଏଥରର ଆକ୍ରମଣ ନୃଶଂସପଣିଆ ଏବଂ ଧୂର୍ତ୍ତତାରେ ୧୫୬୮ର କଳାପାହାଡ଼ ଆକ୍ରମଣକୁ ସୁଦ୍ଧା ଅତିକ୍ରମ କରିଯିବ ।

 

ବିପର୍ଯ୍ୟୟର ଆଶଙ୍କାରେ ପୁରୁଷୋତ୍ତମଦେବଙ୍କ ଦେହ ହାତ ଝାଳେଇ ଯାଉଥିଲା । ଖୋଦ୍‌ ସମ୍ରାଟ ଆକବରଙ୍କ ସହ ତାଙ୍କର ଚୁକ୍ତିନାମା ହୋଇଥିଲା–ଏସବୁ ଯୁଦ୍ଧ ଏବଂ ବୈରତାରୁ ଶ୍ରୀଜଗନ୍ନାଥଙ୍କୁ ସବୁଦିନେ ସ୍ୱତନ୍ତ୍ର ରଖାଯିବ । ଆଜି ପୁଣି ସେ ଚୁକ୍ତିର ଖିଲାପ କାହିଁକି କରୁଛି ସୁବାଦାର ହାସିମ ଖାଁ ? ରାଜା ପୁରୁଷୋତ୍ତମଦେବ ନିଜର ବିଶ୍ୱସ୍ତ ଗୁପ୍ତଚର ମୁହଁରୁ କଥାଟି ଶୁଣି ନଥିଲେ ଏହାକୁ ସତ୍ୟ ବୋଲି କେବେ ଭାବିପାରି ନଥାନ୍ତେ । ସେନାପତି ଚକ୍ରପ୍ରତାପ ଶ୍ରୀକ୍ଷେତ୍ରରେ ପହଞ୍ଚି ତାଙ୍କ ପାଖକୁ ବିଶଦ ସମ୍ବାଦ ପ୍ରେରଣ କରିବେ । ଏବେ ସେଇ ସମ୍ବାଦକୁ ଅପେକ୍ଷା କରିବା ଭିନ୍ନ ତାଙ୍କ ନିକଟରେ ଅନ୍ୟ ଉପାୟ ନାହିଁ ।

 

ଆକବରଙ୍କ ମୃତ୍ୟୁ ପରେ ଜାହାଙ୍ଗୀର ଦିଲ୍ଲୀ ସିଂହାସନ ଆରୋହଣ କରିବା ଦିନରୁ ଏଭଳି ଏକ ଆଶଙ୍କାରେ ରାଜା ପୁରୁଷୋତ୍ତମଦେବ ଆତଙ୍କିତ ହୋଇ ଉଠୁଥିଲେ । ପୁରୁଷୋତ୍ତମଦେବ ଜାଣନ୍ତି, ଅନ୍ୟ ଧର୍ମମାନଙ୍କ ପ୍ରତି ସମ୍ରାଟ ଆକବରଙ୍କର ଯେଉଁ ସହନଶୀଳତା ତାହା ସମ୍ରାଟ ଜାହାଙ୍ଗୀରଙ୍କର ନାହିଁ । ପୂର୍ବରୁ ବଙ୍ଗଳାର ଗଭର୍ଣ୍ଣରଙ୍କୁ ଓଡ଼ିଶା ଶାସନ ବ୍ୟାପାର ବୁଝିବାକୁ ପଡ଼ୁଥିଲା । କିନ୍ତୁ ଗତବର୍ଷ ଜାହାଙ୍ଗୀର ନିଜର ସମ୍ପର୍କୀୟ କାଶିମ ଖାଁଙ୍କ ପୁତ୍ର ହାସିମ ଖାଁଙ୍କୁ ଦୁଇ ହଜାର ଘୋଡ଼ା ସମେତ ତିନି ହଜାର କର୍ମଚାରୀ ଦେଇ ଓଡ଼ିଶାର ସୁବେଦାରଭାବେ ପଦୋନ୍ନତି ଦେଇଛନ୍ତି । କ୍ଷମତାଲିପ୍‌ସୁ ହାସିମ୍‌ ଖାଁର ଇଚ୍ଛା, ଖୁବ୍‌ କମ୍‌ ସମୟରେ କିଛି ଗୋଟାଏ କାମ କରି ସମ୍ରାଟ ଜାହାଙ୍ଗୀରଙ୍କର କୃପା ଲାଭ କରିବ । ସେଥିପାଇଁ ଓଡ଼ିଶା ଉପରେ ପଡ଼ିଛି ତା’ର ଶ୍ୟେନଦୃଷ୍ଟି । ଜାହାଙ୍ଗୀର ଶ୍ରୀଜଗନ୍ନାଥଙ୍କ ସମ୍ମାନ ଲୁଣ୍ଠନ କରି କେଉଁ ବିଜୟ ବାନା ଉଡ଼େଇବେ, ତାହା ରାଜା ପୁରୁଷୋତ୍ତମଦେବ ବୁଝିପାରୁ ନଥିଲେ ।

 

ପୁରୁଷୋତ୍ତମଦେବ ଅସ୍ଥିରଭାବେ ପଦଚାରଣା କରୁଥିଲେ । ହଠାତ୍‌ ତାଙ୍କର ମନେହେଲା ଆଉ ଜଣେ କେହି ସେଇ ପ୍ରକୋଷ୍ଠ ଭିତରେ ତାଙ୍କର ଏହି ଅସହାୟତାକୁ ନିରୀକ୍ଷଣ କରୁଛି । ସେ ବୁଲିପଡ଼ି ପଚାରିଲେ, “କିଏ ?” ତାଙ୍କର ଚିତ୍କାରରେ କାନ୍ଥ ସେକଡ଼ର ପାରାଟିଏ ଡେଣା ଫଡ଼ଫଡ଼ କରି ଦୂରକୁ ଉଡ଼ିଗଲା । ରାଜା ପୁରୁଷୋତ୍ତମଦେବ ଦେଖିଲେ, ଭଗିନୀ ଭାନୁମତୀ ସରବତ ପାତ୍ର ଧରି ଛିଡ଼ା ହୋଇଛି । ସେ ପଚାରିଲେ, “ତୁମେ କାହିଁକି କଷ୍ଟ କଲ ଭାନୁମତୀ ? ଅନ୍ୟ କାହାରିକୁ ଏ ଦାୟିତ୍ୱ ଦେଇପାରିଥାନ୍ତ ।”

 

: ଏତକ ସେବା କରିବାର ସୌଭାଗ୍ୟ କ’ଣ ମୋର ନାହିଁ ଜ୍ୟେଷ୍ଠଭ୍ରାତା ?”–ଅଭିମାନ ସ୍ୱରରେ ଉତ୍ତର ଦେଲେ ଭାନୁମତୀ ।

 

ନିଜ ଛାତି ଉପରେ ଲଦି ହୋଇ ପଡ଼ିଥିବା ଆଶଙ୍କା ଓ ଉଦ୍‌ବେଗର ପଥରଟାକୁ ମୁହୂର୍ତ୍ତକ ଲାଗି ଠେଲିଦେଇ ପୁରୁଷୋତ୍ତମ ଉତ୍ତର ଦେଲେ, “ଆରେ ନା, ନା । ସେଭଳି କାହିଁକି ଭାବୁଛ ?”

 

ଭାନୁମତୀ ଭୂଇଁରେ ପାଦ ଘୋଷାରୁ ଘୋଷାରୁ କହିଲେ, “ଆପଣଙ୍କୁ ରାଜଜେମା ମୁକ୍ତାଦେଈଙ୍କ କଥା ଚିନ୍ତା କରିବାକୁ ପଡ଼ିବ । ଆଜିକାଲି ସେ ବଡ଼ ଉଦ୍‌ବେଗ ଭିତରେ ରହିବା ପରି ମନେ ହେଉଛନ୍ତି । ତା’ଛଡ଼ା ବୟସବି ହେଲାଣି ।”

 

: ଓଃ–ଏଇକଥା । ରାଜଜେମାଙ୍କର ବୟସ ହୋଇଛି ଆଉ ମୋ ଭଉଣୀର ବୟସ ହୋଇ ନାହିଁ ! ଆଚ୍ଛା, ଠିକ୍‌ ଅଛି । ମୁଁ ଆଜି ତା’ ସହ ଆଲୋଚନା କରିବି । ଲାଜରେ ସରମି ଯାଇଥିବା ଭାନୁମତୀ ଫେରିଗଲେ ଏବଂ ସେ ଯିବା ପରେ ରାଜା ପୁରୁଷୋତ୍ତମଦେବ ପୁଣିଥରେ ନିଜ ଭାବନା ଭିତରେ ବୁଡ଼ିଗଲେ । ଶାରୀରିକ ଅସୁସ୍ଥତା ଯୋଗୁଁ ସେ ନିଜେ ଏଥର ରଥଯାତ୍ରାକୁ ଯାଇପାରି ନଥିଲେ । ତାଙ୍କ ପକ୍ଷରୁ ‘ମୁଦିରଥ’ କରିଥିଲେ ଛେରାପହଁରା । ଏପର୍ଯ୍ୟନ୍ତ ଦୂରଦୂରାନ୍ତର ଯାତ୍ରୀମାନେ ଶ୍ରୀକ୍ଷେତ୍ରରୁ ଫେରି ନାହାନ୍ତି । ଗଲାକାଲି ପର୍ଯ୍ୟନ୍ତ ବର୍ଷା ହେଉଥିଲା । ଆଜି ପାଗ ଟିକିଏ ଭଲ ଥିବାରୁ ଯାତ୍ରୀମାନେ ପୁରୀରୁ ଫେରିବା ଯୋଜନା କରୁଥିବେ । ଅଥଚ ଏମିତି ସମୟରେ ଏହି ମୋଗଲ ଆକ୍ରମଣର ଖବର ପହଞ୍ଚିବାର ଥିଲା !

 

ହାସିମ ଖାଁର ଅତ୍ୟନ୍ତ ବିଶ୍ୱସ୍ତ କେଶୋଦାସ ମାରୁ ଏବେ ପୁରୁଷୋତ୍ତମଙ୍କର ପ୍ରବଳ ବିଦ୍ରୋହୀ ହୋଇ ଉଠିଛି । ସାମନାସାମନି ତାକୁ ଭେଟି ନଥିଲେବି ଏହି ରାଜପୁତ ଯୁବକ ଜଣକୁ ତାଙ୍କ ରାଜ୍ୟର ସୀମାନ୍ତରେ ଦୁଇଥର ଦେଖିବାକୁ ମିଳିଥିବା ଖବର ସେ ପାଇଥିଲେ । କିନ୍ତୁ କେଶୋଦାସର ଏହି ଅନୁପ୍ରବେଶର ଅସଲ ରହସ୍ୟ ସେ ବୁଝିପାରି ନଥିଲେ, ଗତକାଲି ଶ୍ରୀକ୍ଷେତ୍ର ଉପରେ ମୋଗଲ ଆକ୍ରମଣର ଯୋଜନା କଥା ଶୁଣିବା ପର୍ଯ୍ୟନ୍ତ । କେଶୋଦାସ ପୁରୀର ତିନିପଟୁ ଘେରାଉ କରିବାକୁ ଯୋଜନା କରୁଅଛି ଏବଂ ତା’ର ମୁଖ୍ୟ ଉଦ୍ଦେଶ୍ୟ ବଡ଼ଠାକୁରମାନଙ୍କର ବିଗ୍ରହ ନଷ୍ଟ ସହ ରତ୍ନଭଣ୍ଡାର ଲୁଣ୍ଠନ ।

 

କିନ୍ତୁ ତାଙ୍କ ରାଜ୍ୟର କେଉଁ ବିଶ୍ୱାସଘାତକ କେଶୋଦାସ ମାରୁ ସହ ରଖିଛି ଗୋପନ ସମ୍ପର୍କ ? କିଏ ତାଙ୍କ ରାଜପ୍ରାସାଦର ଟିକିନିଖି ଖବର ସେହି ଅତ୍ୟାଚାରୀ ଲୋକଟାକୁ ଦେଉଛି, ତାହା ପୁରୁଷୋତ୍ତମଦେବ ଜାଣିପାରୁ ନଥିଲେ । ହୁଏତ ମନ୍ତ୍ରୀ ବିଦ୍ୟାଧର ସେ ସମ୍ପର୍କରେ କିଛି ସୂଚନା ଦେଇପାରିବେ ଆଶା କରି ସେ ମନ୍ତ୍ରୀଙ୍କୁ ଡାକିବା ଲାଗି ପରିଚାରକକୁ ନିର୍ଦ୍ଦେଶ ଦେଲେ ।

 

ମନ୍ତ୍ରୀ ବିଦ୍ୟାଧର ବୈଷ୍ଣବ । ଶ୍ରୀଚୈତନ୍ୟଙ୍କ ଆଦର୍ଶରେ ଉଦ୍‌ବୁଦ୍ଧ ବିଦ୍ୟାଧର ଖୁବ୍‌ ବୁଦ୍ଧିମାନ ଏବଂ ପ୍ରତ୍ୟୁତ୍ପନ୍ନମତି ହେଲେ ସୁଦ୍ଧା କିଛି ମାସ ହେଲା ତାଙ୍କଠାରେ ଅଦ୍ଭୁତ ଏକ ନିଃସ୍ପୃହ ଭାବ ରାଜା ପୁରୁଷୋତ୍ତମଦେବ ଲକ୍ଷ୍ୟ କରୁଛନ୍ତି । ସେ ନିଜେ ଚୈତନ୍ୟ ଆଦର୍ଶର ବିରୋଧୀ ନୁହନ୍ତି-। ମାତ୍ର କେବଳ ଭକ୍ତି ଓ ସଂକୀର୍ତ୍ତନକୁ ଧରି ବସିଥିଲେ ରାଜ୍ୟ ଶାସନ ସମ୍ଭବ ହୋଇପାରିବ ନାହିଁ-

 

ମନ୍ତ୍ରୀ ବିଦ୍ୟାଧର ତରତର ପାଦରେ ପଶି ଆସିଲେ । ମନେ ହେଉଥିଲା ରାଜାଙ୍କ ଖବର ପାଇବା ପୂର୍ବରୁ ସେ ଏଠିକି ବାହାରି ଆସିଥିଲେ । ମହାରାଜାଙ୍କୁ ଅଭିବାଦନ ଜଣାଇ କହିଲେ, “ମହାରାଜ, ଗୁପ୍ତଚରର ଖବର ଭୁଲ୍‌ ନୁହେଁ, ନିଜେ କେଶୋଦାସ ଏହି ଅଭିଯାନର ନେତୃତ୍ୱ ନେଇଛି । ତେଣୁ ଆମେ ବିଳମ୍ବ ନ କରି ଆମର ସେନାବାହିନୀକୁ ଶ୍ରୀକ୍ଷେତ୍ର ଅଭିମୁଖେ ପ୍ରେରଣ କରିବା ଉଚିତ । କେବଳ ଖୁରୁଧାଗଡ଼ର ସୁରକ୍ଷାପାଇଁ ଯେତିକି ସୈନ୍ୟସାମନ୍ତ ଦରକାର ସେତିକି ଏଠି ରହିବେ ।”

 

: ତୁମେ ଠିକ୍‌ କହୁଛ ବିଦ୍ୟାଧର । ଏଥରକ କେଶୋଦାସକୁ ସମୁଚିତ ଶିକ୍ଷା ଦେବାକୁ ପଡ଼ିବ । ମାତ୍ର ଆମ ଯୋଜନାର ଖବର ସବୁ କେଶୋଦାସ ନିକଟରେ କିପରି ପହଞ୍ଚୁଛି ତାହାର ରହସ୍ୟ ତୁମେ ଜାଣ କି ?

 

: ମହାରାଜ ! –ନିରବରେ ମୁଣ୍ଡପାତି ବିଦ୍ୟାଧର ଛିଡ଼ାହେଲା ।

 

: କିଏ ଆମର ଗୃହଶତ୍ରୁ ବିଭୀଷଣ ?

 

: ଆପଣ ମୋ କଥାକୁ ହୁଏତ ବିଶ୍ୱାସ କରିବେ ନାହିଁ ମହାରାଜ ।

 

: କାହିଁକି ନୁହେଁ ମନ୍ତ୍ରୀ ବିଦ୍ୟାଧର ? ସେ କ’ଣ ଆମ ସୈନ୍ୟବାହିନୀର ?

 

: ନା, ସେ ଆପଣଙ୍କର ଖୁବ୍‌ ପ୍ରିୟ ମହାରାଜ ।

 

: ସିଏ ଯିଏ ହୁଅନ୍ତୁ ନା କାହିଁକି, ତାଙ୍କୁ ମୁଁ ଉପଯୁକ୍ତ ଶାସ୍ତି ଦେବି । ରାଜଦ୍ରୋହର ଶାସ୍ତି ଯେ ଶିରଚ୍ଛେଦ, ତାହା ଆପଣ ଜାଣନ୍ତି ମନ୍ତ୍ରୀ ବିଦ୍ୟାଧର !

 

: ତେବେ ସେ ବିଷୟ ବର୍ତ୍ତମାନ ଚର୍ଚ୍ଚା କରି ଆଉ ଲାଭ ନାହିଁ । ସେ ଆମର ଯାହା କ୍ଷତି କରିବାର କଥା କରିସାରିଛନ୍ତି । ବର୍ତ୍ତମାନ ଆମ ଆଗରେ ସବୁଠୁ ବଡ଼ ଦାୟିତ୍ୱ ଶ୍ରୀଜଗନ୍ନାଥଙ୍କୁ ରକ୍ଷା କରିବା । ତାହା ନହେଲେ ରାଜା ଓ ରାଜ୍ୟର ସୁରକ୍ଷା ଅସମ୍ଭବ ।

 

: କିନ୍ତୁ ମୁଁ ପଚାରିଥିବା ପ୍ରଶ୍ନର ଉତ୍ତର ପାଇଲି ନାହିଁ ବିଦ୍ୟାଧର ! –ପୁରୁଷୋତ୍ତମଦେବଙ୍କ ସ୍ୱରରେ ଉଦ୍‌ବେଗ ଏବଂ ଆଧିପତ୍ୟ ଉଭୟ ମିଶିଥିଲା ।

 

ମନ୍ତ୍ରୀ ବିଦ୍ୟାଧର ଉତ୍ତର ଦେବାକୁ ତୁଣ୍ଡ ଖୋଲୁଥିଲେ, ହଠାତ୍‌ ଯୁଦ୍ଧ ଅଶ୍ୱ ଓ ହସ୍ତୀମାନଙ୍କର ଚିତ୍କାର ସହ ରାଜପ୍ରାସାଦ ପ୍ରହରୀମାନଙ୍କ ‘ହୁସିଆର’ ଶବ୍ଦ ଶୁଣି ଉଭୟ ପୁରୁଷୋତ୍ତମଦେବ ଓ ମନ୍ତ୍ରୀ ଚମକିପଡ଼ିଲେ । କେହି ନିଶ୍ଚୟ ରାଜଉଆସର ସୁରକ୍ଷାବଳୟ ଭାଙ୍ଗି ଭିତରକୁ ପ୍ରବେଶ କରିଛି । “ମୁଁ ଆସୁଛି ମଣିମା” କହି ମନ୍ତ୍ରୀ ବିଦ୍ୟାଧର ସେଠାରୁ ଦ୍ରୁତପଦରେ ନିଷ୍କ୍ରାନ୍ତ ହୋଇଗଲେ ।

 

ରାଜା ପୁରୁଷୋତ୍ତମଦେବ ଆଉଥରେ ଦୁଇ ହାତଯୋଡ଼ି ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କଲେ, “ଏ କି ବିପଦରେ ପୁଣି ପକାଉଛ ମହାପ୍ରଭୋ, ରକ୍ଷାକର ।”

 

।। ତିନି ।।

 

ସେନାପତି ଚକ୍ରପ୍ରତାପ ଶ୍ରୀକ୍ଷେତ୍ରରେ ପହଞ୍ଚିବାବେଳକୁ କେଶୋଦାସ ମାରୁ ଅଧା ଯୁଦ୍ଧ ଲଢ଼ି ସାରିଥିଲା । ପୂର୍ବଦିନ ରାତିରୁ ଏକ ହଜାରରୁ ଊର୍ଦ୍ଧ୍ୱ ରାଜପୁତ ସୈନିକ ଛଦ୍ମ ତୀର୍ଥଯାତ୍ରୀ ବେଶରେ ଶ୍ରୀମନ୍ଦିର ଭିତରେ ପଶିଯାଇ ଭିତରପଟୁ କବାଟ ବନ୍ଦ କରିଦେଇଥିଲେ । କେଶୋଦାସର ସୈନ୍ୟମାନେ କିଛି ସେବକଙ୍କୁ ମଧ୍ୟ ପଣବନ୍ଦୀ କରିନେଇଥିଲେ । ଏଭଳି ପରିସ୍ଥିତିର ମୁକାବିଲା କେମିତି ସମ୍ଭବ, ସେ ବୁଦ୍ଧିବାଟ ଚକ୍ରପ୍ରତାପଙ୍କୁ ଦିଶୁ ନଥିଲା ।

 

ବିଶ୍ୱସ୍ତ ଅନୁଚର ସମ୍ବାଦ ଦେଲା, ଯେମିତି ହେଉ ଜଗନ୍ନାଥ ବିଗ୍ରହଙ୍କୁ ଆଜି ରାତିରେହିଁ ଖୋର୍ଦ୍ଧାର ଶ୍ରୀଗୋପାଳ ମନ୍ଦିରକୁ ଅପସାରଣ କରିବାକୁ ହେବ । ତାହା ନହେଲେ କାଲି ଯବନ ସୈନିକମାନେ ଗୁଣ୍ଡିଚା ମନ୍ଦିର ଦଖଲ କରି ବିଗ୍ରହମାନଙ୍କୁ ପୋଡ଼ିଦେବେ ବୋଲି ଯୋଜନା କରୁଛନ୍ତି ।

 

ଚକ୍ରପ୍ରତାପ ଉତ୍ତେଜିତ ହୋଇଉଠିଲେ । କଟୀଦେଶର ତରବାରି ଆଡ଼କୁ ତାଙ୍କର ହାତ ଛାଏଁ ଚାଲିଯାଉଥିଲା । ମାତ୍ର ସେ ବୁଝି ପାରୁଥିଲେ, ବର୍ତ୍ତମାନର ସମୟ ରଣନୀତି ସହ କୂଟନୀତିର ପ୍ରୟୋଜନ ଲୋଡ଼ୁଛି । ସେ ଅନୁଚରଟିକୁ ନିର୍ଦ୍ଦେଶ ଦେଲେ, ତୁମେ ଗଡ଼କୁ ଫେରିଯାଇ ସମସ୍ତ ଖବର ମହାରାଜାଙ୍କୁ ଦିଅ । ମୁଁ ଠାକୁରମାନଙ୍କ ଅପସାରଣର ଆୟୋଜନ କରୁଅଛି ।

 

ଶ୍ରୀକ୍ଷେତ୍ରରେ ନିଶା ଗର୍ଜୁଛି । ବେଳାଭୂମିର ବିକ୍ଷୁବ୍ଧ ବୀଚିମାଳା ଆଡ଼େ ଅନେଇ ଚକ୍ରପ୍ରତାପ ଚିନ୍ତା କରୁଛନ୍ତି, ସେ କ’ଣ କରିବେ । କେଶୋଦାସ ଏତେ ସଂଖ୍ୟକ ସୈନ୍ୟ ଆଣି କିପରି ଶ୍ରୀକ୍ଷେତ୍ରରେ ମେଳି ବାନ୍ଧି ପାରିଲା ଅଥଚ ସେମାନେ ତା’ର ସାମାନ୍ୟ ସୂଚନା ସୁଦ୍ଧା ପାଇଲେ ନାହିଁ, ତାହାହିଁ ସେ ଚିନ୍ତା କରୁଥିଲେ । ରଥଯାତ୍ରା ଉପଲକ୍ଷେ ହଜାର ହଜାର ଯାତ୍ରୀ ସାରା ଦେଶରୁ ଆସିଥାଆନ୍ତି । ତାଆରି ସୁଯୋଗ ନେଇ କେଶୋଦାସ ନିଜର ସୈନ୍ୟମାନଙ୍କୁ ଶ୍ରୀକ୍ଷେତ୍ରକୁ ନେଇ ଆସିଛି ।

 

ଏତେ ବ୍ୟସ୍ତତା ଭିତରେ ସୁଦ୍ଧା ରାଜଜେମା ମୁକ୍ତାଦେଈଙ୍କର କଥା ମନେ ପଡ଼ୁଥିଲା ଚକ୍ରପ୍ରତାପଙ୍କର । ଶଶିକଳା ଓ ତାଙ୍କର ସମ୍ପର୍କକୁ ଯୋଡ଼ି କେହି ଜଣେ ରାଜଜେମାଙ୍କୁ ବିଭ୍ରାନ୍ତ କରିବା ସମ୍ବାଦ ସୁଦ୍ଧା ସେ ପାଇଛନ୍ତି । ମାତ୍ର ରାଜଜେମାଙ୍କ ମନରୁ ସେ ସନ୍ଦେହ ଦୂର କରିବାର ଅବକାଶ ସେ ପାଇ ନାହାନ୍ତି । ଈର୍ଷା ଏବଂ ନାରୀ କ’ଣ ପରସ୍ପରର ପରିପୂରକ–ଚକ୍ରପ୍ରତାପ ମନକୁ ମନ ପଚାରିଲେ ।

 

ଶ୍ରୀମନ୍ଦିର ଦିଗରୁ ପ୍ରକାଣ୍ଡ ନିଆଁହୁଳାଟାଏ ଦେଖି ଚକ୍ରପ୍ରତାପ ଚମକି ପଡ଼ିଲେ । ପ୍ରଚଣ୍ଡ ଧୂଆଁ ମଝିରେ ନିଆଁର ଲେଲିହାନ ଶିଖା ବଡ଼ଦାଣ୍ଡକୁ ଆଲୋକିତ କରିଦେଉଛି । କେହି ଦୁର୍ବୃତ୍ତ କୌଣସି ରଥରେ ସମ୍ଭବତଃ ଅଗ୍ନିସଂଯୋଗ କରିଅଛି । ସେ ନିଜର ଘୋଡ଼ାକୁ ସେହି ଦିଗରେ ଦଉଡ଼ାଇ ଦେଲେ ।

 

ରାତି ପାହିବାବେଳକୁ ଖୋର୍ଦ୍ଧା ରାଜାଙ୍କର ଦଶ ହଜାର ଅଶ୍ୱାରୋହୀ, ଚାରି ହଜାର ପଦାତିକ ସୈନ୍ୟ ଏବଂ ତିନି ଶହରୁ ଊର୍ଦ୍ଧ୍ୱ ରଥ ଶ୍ରୀକ୍ଷେତ୍ର ସୀମାରେ ପହଞ୍ଚି ସାରିଥିଲେ । ପ୍ରତ୍ୟେକ ରଥ ସାଙ୍ଗରେ ଥିଲେ ପାଞ୍ଚ ଶହରୁ ହଜାରେ ପର୍ଯ୍ୟନ୍ତ ସୈନ୍ୟ । ଚକ୍ରପ୍ରତାପ ଥିଲେ ସେନାବାହିନୀର ସମ୍ମୁଖ ଭାଗରେ । ଗତ ରାତିଟି ଅନିଦ୍ରାରେ ବିତିଛି । ମୁହୂର୍ତ୍ତକ ପାଇଁ ସୁଦ୍ଧା ସେ ଆଖିର ପଲକ ପକାଇ ନାହାନ୍ତି । କିନ୍ତୁ ତାଙ୍କର ମୁଖମଣ୍ଡଳରେ ରାତି ଅନିଦ୍ରାର ସାମାନ୍ୟତମ କ୍ଳାନ୍ତି ନାହିଁ । ସେନାବାହିନୀରେ ରଥଗୁଡ଼ିକୁ ହଜାର ହଜାର ଲୋକ ଟାଣି ଟାଣି ନେଇ ଉଭୟ ମନ୍ଦିର ବେଢ଼ା ଚାରିପଟେ ରଖିସାରିଲେଣି । ଚାରିଆଡ଼ୁ ରେ ରେ ରବ ଶୁଭୁଛି । ଏହା ଭିତରେ ସେ ଭକ୍ତମାନଙ୍କୁ ମନ୍ଦିର ବେଢ଼ା ନିକଟରୁ ଦୂରେଇ ଦେବାରେ ସଫଳ ହୋଇଛନ୍ତି । ମାତ୍ର ସୈନ୍ୟମାନଙ୍କର ବାରଣ ସତ୍ତ୍ୱେ ପ୍ରତ୍ୟୁଷରୁ ପ୍ରବେଶ କରିଥିବା କିଛି ଯାତ୍ରୀ ତଥାପି ରହିଯାଇଛନ୍ତି ମନ୍ଦିର ଭିତରେ । ଭକ୍ତଙ୍କ ଭିନ୍ନ ଦୁଇଶହ ସରିକି ସେବାୟତ ଶ୍ରୀମନ୍ଦିର ଭିତରେ ଅଛନ୍ତି ପଣବନ୍ଦୀ ହୋଇ ।

 

ଏଥର ମନ୍ଦିର ବେଢ଼ା ଭିତରୁ ଏକାସାଙ୍ଗରେ ପଚିଶ ସରିକି ନିଆଁହୁଳା ହାବେଳି ପରି ଭିନ୍ନ ଭିନ୍ନ ଦିଗରୁ ଆସି ବେଢ଼ା ଏ ପାଖରେ ଠିଆ ହୋଇଥିବା ରଥଗୁଡ଼ିକ ଉପରେ ପଡ଼ିଗଲା । ଚକ୍ରପ୍ରତାପ ଯାହା ଆଶଙ୍କା କରିଥିଲେ ତାହାହିଁ ଘଟିଥିଲା । ଶ୍ରୀମନ୍ଦିର ଭିତରର ଚାନ୍ଦୁଆ, ଚାଦର ଓ ପାଟକନା ସବୁ ଛିଣ୍ଡେଇ କେଶୋଦାସର ସୈନ୍ୟମାନେ ନିଆଁହୁଳା ପ୍ରସ୍ତୁତ କରିଛନ୍ତି ଏବଂ ଠାକୁରଙ୍କ ରୋଷଘରୁ ଘିଅ ଆଣି ତାକୁହିଁ ଇନ୍ଧନରୂପେ ବ୍ୟବହାର କରୁଛନ୍ତି । ଅପମାନ ଏବଂ ଅଭିମାନରେ ତାଙ୍କ ସମଗ୍ର ଶରୀର ଥରୁଥିଲା । ଲକ୍ଷ ଲକ୍ଷ ଓଡ଼ିଆଙ୍କ ସ୍ୱାଭିମାନର ତୀର୍ଥ ଶ୍ରୀମନ୍ଦିର । ତାହାର ରୋଷେଇଶାଳରୁ ଆସୁଥିବା ଅଭଡ଼ା ଏ ଜାତିର ପବିତ୍ର ନିର୍ମାଲ୍ୟ । ସେହି ରୋଷଘର ଶେଷରେ କେଶୋଦାସର ଆଖଡ଼ାରେ ପରିଣତ ହେଲା !

 

ମାତ୍ର ଏହା ଥିଲା ସୁଦୀର୍ଘ ବିଡ଼ମ୍ବନା ପର୍ବର ଆରମ୍ଭ ମାତ୍ର । ଅପରାହ୍‌ଣବେଳକୁ କେଶୋଦାସ ସିଂହଦ୍ୱାରର ଦରଜା ସେପଟୁ ଖବର ପଠେଇଲା–ରାଜା ପୁରୁଷୋତ୍ତମଦେବ ଯଦି ତାଙ୍କର ସର୍ତ୍ତ ସବୁ ମାନି ନ ନିଅନ୍ତି, ତାହାହେଲେ ସେ ମନ୍ଦିର ଭିତରେ ପଣବନ୍ଦୀ ରଖିଥିବା ଯାତ୍ରୀ ଏବଂ ସେବାୟତମାନଙ୍କୁ ହତ୍ୟା କରିବା ସହିତ ଛଦ୍ମବେଶରେ ରହିଥିବା ଯବନ ସୈନିକଙ୍କଦ୍ୱାରା ବଡ଼ଠାକୁରଙ୍କୁ ରତ୍ନବେଦୀ ଉପରେ ପୋଡ଼ି ପାଉଁଶ କରିଦେବ । ତାହାର ଏହି ଆକ୍ରମଣରୁ ଗୁଣ୍ଡିଚା ମନ୍ଦିର କିମ୍ବା ଶ୍ରୀମନ୍ଦିରର ରତ୍ନଭଣ୍ଡାର ସୁଦ୍ଧା ରକ୍ଷା ପାଇବ ନାହିଁ । ବର୍ତ୍ତମାନ ପୁରୁଷୋତ୍ତମଦେବ ନିଷ୍ପତ୍ତି ନିଅନ୍ତୁ–ସେ କେଶୋଦାସର ସର୍ତ୍ତ ପୂରଣ କରିବେ ନା ବଡ଼ଠାକୁରମାନଙ୍କୁ ପୋଡ଼ିଥିବାର ଅପକୀର୍ତ୍ତିକୁ ମୁଣ୍ଡରେ ମୁଣ୍ଡେଇ ଚାଲିବେ ।

 

କି ଭୟଙ୍କର ଷଡ଼ଯନ୍ତ୍ର ! ସେନାପତି ଚକ୍ରପ୍ରତାପ ଚିନ୍ତା କରୁଥିଲେ । ଆଉ ଗୋଟିଏ ଦିନ ସମୟ ପାଇଥିଲେ ହୁଏତ ସେ ଶ୍ରୀମନ୍ଦିର ଭିତରୁ ଶତ୍ରୁମାନଙ୍କୁ ବାହାର କରିଦେଇ ପାରିଥାଆନ୍ତେ । ମାତ୍ର ବର୍ତ୍ତମାନ ସେ ସମୟ ନାହିଁ । କ’ଣ କରିବେ ସେ ? ମନ୍ଦିର ଭିତରକୁ ପଶିବା ଲାଗି ସୈନ୍ୟବାହିନୀକୁ ନିର୍ଦ୍ଦେଶ ଦେବେ ନା କେଶୋଦାସର ସର୍ତ୍ତପୂରଣ ଲାଗି ମହାରାଜାଙ୍କୁ ପ୍ରସ୍ତାବ ଦେବେ ? ସେ ଅବଶ୍ୟ ଜାଣିଥିଲେ ଯେ, ଯେତିକି ସୈନ୍ୟ ଶ୍ରୀମନ୍ଦିର ମଧ୍ୟରେ ଅଛନ୍ତି, ସେମାନଙ୍କୁ ସାମ୍ନା କରିବା କଷ୍ଟ ହେବ ନାହିଁ । ଏପର୍ଯ୍ୟନ୍ତ ସୁବାଦାର ହାସିମ ଖାଁ ପଠାଉଥିବା ଦ୍ୱିତୀୟ ବାହିନୀ ଶ୍ରୀକ୍ଷେତ୍ରରେ ପହଞ୍ଚି ନାହାନ୍ତି । ମାତ୍ର ଯବନମାନେ ଠାକୁରମାନଙ୍କ ଚଳନ୍ତି ବିଗ୍ରହଗୁଡ଼ିକୁ ଜାଳିପୋଡ଼ି ଦେଲେ ସେଇ ଅପବାଦ ପାଇଁ ଓଡ଼ିଶାବାସୀ ଯେ ଗଜପତିଙ୍କୁ କ୍ଷମା କରିବେ ନାହିଁ ! ଶ୍ରୀଜଗନ୍ନାଥ ଓଡ଼ିଆଙ୍କର ଆରାଧ୍ୟ ଦେବତା । ସେଇ ଆରାଧ୍ୟ ଦେବତାଙ୍କୁ ସୁରକ୍ଷା ଦେଇପାରି ନଥିବା ରାଜାକୁ କିଏ କାହିଁକି ଗ୍ରହଣ କରିବ ?

 

ମାତ୍ର ତିନିଦିନ ତଳେ ଯେଉଁ ବଡ଼ଦାଣ୍ଡ ଭକ୍ତମାନଙ୍କର ଶଙ୍ଖ, ସଂକୀର୍ତ୍ତନ, ଝାଞ୍ଜ, ମୃଦଙ୍ଗ ଓ ହରିବୋଲ ହୁଳହୁଳିରେ ଉଛୁଳି ଉଠୁଥିଲା ଏବେ ସେଇ ବଡ଼ଦାଣ୍ଡରେ ଯୁଦ୍ଧ ଅଶ୍ୱ ଏବଂ ହସ୍ତୀମାନଙ୍କ ହ୍ରେଷାରବ, ଯାତ୍ରୀମାନଙ୍କର ଆକୁଳ ଚିତ୍କାର ଓ ପାଇକମାନଙ୍କ ରଣ ହୁଙ୍କାର । ଅଗ୍ନିସଂଯୋଗ ହୋଇଥିବା ରଥଗୁଡ଼ିକ ହୁହୁ ହୋଇ ଜଳୁଛି ଏବଂ ତାହାର ଉତ୍ତାପ ଯୋଗୁଁ ମନ୍ଦିରର ନିକଟବର୍ତ୍ତୀ ହେବା ସମ୍ଭବ ହେଉ ନାହିଁ । ଅଗ୍ନିର ବଳୟ ଘେରି ରହିଛି ଶ୍ରୀମନ୍ଦିରକୁ । ଚକ୍ରପ୍ରତାପ ବୁଝିପାରୁଥିଲେ, ରାଜପୁତ କେଶୋଦାସ ଶ୍ରୀମନ୍ଦିର ଭିତରେ ରତ୍ନ ଅଳଙ୍କାର ଲୁଣ୍ଠନ ଆରମ୍ଭ କରିଦେଇଛି । ଏସବୁକୁ ମୋଗଲ ଦରବାରରେ ଉପହାର ଦେଇ ସେ ଗୌରବ ଅର୍ଜନ କରିବ । ତେଣେ ରାଜଗୁରୁ ଓ ମନ୍ତ୍ରୀଙ୍କ ସହ ମହାରାଜା ତାଙ୍କୁ ଅପେକ୍ଷା କରିଥିବେ–ସେ କେଶୋଦାସର ସର୍ତ୍ତ କ’ଣ ତାହା ଯାଇ ରାଜାଙ୍କୁ ଜଣାଇବେ ।

 

ମାତ୍ର ସେ କ’ଣ ଏଭଳି ଲଜ୍ଜାଜନକ ସର୍ତ୍ତ ସବୁ ସତରେ ଯାଇ ରାଜାଙ୍କୁ ଜଣାଇ ପାରିବେ-? ସେନାପତି ଚକ୍ରପ୍ରତାପ ଚିନ୍ତା କରି ପାରୁ ନଥିଲେ । ତିନି ଲକ୍ଷ ଟଙ୍କାର ପେସ୍‍କସ୍ କିମ୍ବା ପାଞ୍ଚଶହ ହାତୀ ଘୋଡ଼ା ଉପହାର ବଡ଼କଥା ନୁହେଁ । ମାତ୍ର କେଶୋଦାସ ଚାହେଁ ରାଜଭଗିନୀ ଭାନୁମତୀଙ୍କୁ ବିବାହ କରିବ । ଚକ୍ରପ୍ରତାପ ଦୀର୍ଘଶ୍ୱାସଟାଏ ନେଲେ । ଶେଷ ସର୍ତ୍ତଟିର ଉଚ୍ଚାରଣ ତାଙ୍କୁ ମର୍ମାନ୍ତିକ ଯନ୍ତ୍ରଣାରେ ଅସ୍ତବ୍ୟସ୍ତ କରି ଦେଉଥିଲା । କାରଣ କେଶୋଦାସ ସର୍ତ୍ତ ରଖିଛି, ରାଜା ପୁରୁଷୋତ୍ତମଦେବ ତାଙ୍କର ଅଲିଅଳ ରାଜଜେମା ମୁକ୍ତାଦେଈଙ୍କୁ ଭେଟିସ୍ୱରୂପ ପଠାଇବେ ଜାହାଙ୍ଗୀରଙ୍କ ହାରେମ୍‌କୁ !

 

ରାଜା ପୁରୁଷୋତ୍ତମଦେବ ସର୍ତ୍ତ ବିଷୟ ଶୁଣିବାକ୍ଷଣି ଅଚେତ ହୋଇପଡ଼ିଲେ । କିଛିଦିନ ହେଲା ତାଙ୍କର ସ୍ୱାସ୍ଥ୍ୟ ଠିକ୍‌ ରହୁ ନଥିଲା । ତା’ ସାଙ୍ଗକୁ ଯାତ୍ରାଜନିତ କ୍ଳାନ୍ତି ଏବଂ ଶେଷକୁ ଏହି ଚରମ ଅପମାନ ।

 

ରାଜା ପୁରୁଷୋତ୍ତମଦେବ ଓ ସେନାପତି ଚକ୍ରପ୍ରତାପ ଉଭୟେ ବୁଝିସାରିଥିଲେ ଯେ ରାଜଭଗିନୀ ଭାନୁମତୀହିଁ ହେଉଛନ୍ତି ଗୃହଶତ୍ରୁ ବିଭୀଷଣ । ରାଜପୁର ଜାୟଗିରଦାର କେଶୋଦାସ ଭାନୁମତୀଙ୍କୁହିଁ ନିଜର ଚରରୂପେ ଖୋରଧାଗଡ଼ରେ ବ୍ୟବହାର କରି ଆସୁଥିଲା । ଉଭୟେ ଯେ ପରସ୍ପରକୁ ବିବାହ କରିବା ଲାଗି ସମ୍ମତ, ତାହା ସେମାନଙ୍କର ହାବଭାବରୁ ଜାଣିବା କଷ୍ଟକର ନଥିଲା । କିନ୍ତୁ ରାଜଜେମା ମୁକ୍ତାଦେଈ !

 

ସେନାପତି ଚକ୍ରପ୍ରତାପ କିଛି ଭାବି ପାରୁ ନଥିଲେ । ତାଙ୍କର ଇଚ୍ଛା ହେଉଥିଲା ରାଜଜେମାଙ୍କୁ ନେଇ ସେ କେଉଁ ପାହାଡ଼ ଖୋଲରେ ଲୁଚାଇ ରଖି ଫେରି ଆସନ୍ତେ । ତାଙ୍କର ମୁକ୍ତାନିନ୍ଦି ମୁଖମଣ୍ଡଳଟି ବାରମ୍ବାର ଚକ୍ରପ୍ରତାପଙ୍କ ଆଖି ଆଗରେ ଭାସି ଯାଉଥିଲା ।

 

ଗୋଟିଏ ପଟେ ଶ୍ରୀଜଗନ୍ନାଥଙ୍କର ସମ୍ମାନ; ସେବାୟତ, ଯାତ୍ରୀମାନଙ୍କର ଜୀବନ, ଶ୍ରୀକ୍ଷେତ୍ରର ପ୍ରତିଷ୍ଠା ଏବଂ ଆଉ ଗୋଟିଏ ପଟେ ନିଜର ପ୍ରାଣାଦପି ପ୍ରିୟ କନ୍ୟାର ଜୀବନ ଓ ଭବିଷ୍ୟତ । ମଝି ଛକରେ ଛିଡ଼ାହୋଇ ଦୁର୍ବଳ ଏବଂ ଅସହାୟ ପୁରୁଷୋତ୍ତମଦେବ କେବଳ ଦୀର୍ଘଶ୍ୱାସ ନେଉଥିଲେ ।

 

ତାଙ୍କ ପକ୍ଷେ କେଶୋଦାସର ସର୍ତ୍ତସବୁକୁ ମାନିନେବା ଭିନ୍ନ ଅନ୍ୟ ବିକଳ୍ପ ନଥିଲା ।

 

ଏକଥା ଶୁଣିବାମାତ୍ରେ ଉତ୍‌ଫୁଲ୍ଲ କେଶୋଦାସ ଚାରିଶହ ସୈନିକଙ୍କ ସହ ବଡ଼ଦାଣ୍ଡକୁ ବାହାରି ଆସିଲା । ତତ୍‌କ୍ଷଣାତ୍‌ ଚାଳିଶ ଜଣ ଅଶ୍ୱାରୋହୀ ସୈନିକଙ୍କ ସହ ସେ ଖୋର୍ଦ୍ଧା ଅଭିମୁଖେ ବାହାରି ପଡ଼ିଲା । ଆଜି ରାତିରେହିଁ ସେ ଭାନୁମତୀଙ୍କ ପାଣିଗ୍ରହଣ କରିବ । ସ୍ୱତନ୍ତ୍ର ହାନ୍ଦୋଳାରେ ରାଜଜେମାଙ୍କୁ ପଠାଇବା ଦାୟିତ୍ୱ ନ୍ୟସ୍ତ କରାଗଲା ସେନାପତି ଚକ୍ରପ୍ରତାପଙ୍କ ଉପରେ ।

 

କ୍ଷମତାଲୋଭୀ କେଶୋଦାସ ! ନିଜେ ଜଣେ ହିନ୍ଦୁ ହୋଇ ସୁଦ୍ଧା ଶ୍ରୀଜଗନ୍ନାଥଙ୍କ ସମ୍ମାନକୁ ପଣବନ୍ଦୀଭାବେ ରଖି ଏଭଳି ବିଭୀଷିକା ସୃଷ୍ଟି କରିବା ନିମନ୍ତେ ତା’ର ମନ ଥରେ ପ୍ରତିବାଦ କଲା ନାହିଁ–ସେନାପତି ଚକ୍ରପ୍ରତାପ ଚିନ୍ତା କରୁଥିଲେ ।

 

ସନ୍ଧ୍ୟା ହେଲାଣି । ବଡ଼ବଡ଼ ମଶାଲ ଜଳି ଉଠିଲାଣି ଜଗନ୍ନାଥ ସଡ଼କର ସୈନ୍ୟମାନଙ୍କ ହାତରେ । ଆଗରେ ପଛରେ ହାତୀ, ଘୋଡ଼ା ଓ ସେମାନଙ୍କ ପିଠି ଉପରେ ଲକ୍ଷ ଲକ୍ଷ ଟଙ୍କାର ସୁନା ଓ ରତ୍ନ ଅଳଙ୍କାର । ତାଆରି ମଝିରେ ଗୋଟିଏ ହାନ୍ଦୋଳାରେ, ପଣତକାନିରେ ବାରମ୍ବାର ଲୁହ ପୋଛୁଥିବା ଅବଗୁଣ୍ଠିତା ମୁକ୍ତାଦେଈ ।

 

କେଶୋଦାସ ଆଗେଆଗେ ବାହାରିଗଲା । ଏଇଠୁ ଏମାନେ ଯିବେ କଟକ ଏବଂ କଟକରୁ ବଙ୍ଗଳା ଦେଇ ଜାହାଙ୍ଗୀରଙ୍କ ଦରବାରକୁ ।

 

ମଝିରେ ଗୋଟାଏ ମାଇଲବ୍ୟାପି ଜଙ୍ଗଲ । ମୁକ୍ତାଦେଈଙ୍କ ହାନ୍ଦୋଳା ପହଞ୍ଚିବାକ୍ଷଣି ଚାରିପଟୁ ମୁହଁରେ କଳାକନାଗୁଡ଼ା ହୋଇଥିବା ଦସ୍ୟୁମାନେ ତରବାରି ଧରି ଘେରି ଆସିଲେ । କ’ଣ ହେଲା, କ’ଣ ହେଲା ବୁଝିବା ଆଗରୁ ସେନାପତି ଚକ୍ରପ୍ରତାପଙ୍କୁ କେହି ଜଣେ ଗଛ ଉହାଡ଼କୁ ଘୋଷାରି ନେଇଥିଲା । ତା’ପରେ ସେଇ ପାହାଡ଼ ଖୋଲ ପାଖରେ ସେ ଯାହା ଦେଖିଲେ ତାହା କେଶୋଦାସର ଷଡ଼ଯନ୍ତ୍ରଠାରୁ ମଧ୍ୟ ଆହୁରି ବିସ୍ମୟକର ଥିଲା ।

 

ପରିଚାରିକା ଶଶିକଳା ରାଜଜେମାଙ୍କର ବସ୍ତ୍ର ଓ ଅଳଙ୍କାର ପରି ପୋଷାକ ପିନ୍ଧି ଛପି ରହିଥିଲା । ଚକ୍ରପ୍ରତାପଙ୍କୁ ଦେଖିବାକ୍ଷଣି ସେ ଅପହୃତା ମୁକ୍ତାଦେଈଙ୍କୁ ତାଙ୍କ ହାତରେ ଜିମାଦେଇ ଥରଥର ଗଳାରେ କହିଲା, “ଖାଲି ଶ୍ରୀଜଗନ୍ନାଥ ନୁହେଁ ସେନାପତି, ରାଜଜେମା ମୁକ୍ତାଦେଈ ମଧ୍ୟ ଓଡ଼ିଶାର ସ୍ୱାଭିମାନ । ତାଙ୍କୁ ମୋଗଲ ହାରେମ୍‌କୁ ପଠେଇ ଦେଲେ ଇତିହାସ ଆମକୁ କେବେବି କ୍ଷମା ଦେବ ନାହିଁ ।”

 

ଚକ୍ରପ୍ରତାପ କହିଲେ, “ସେନାବାହିନୀରେ ଗୋଳମାଳ ଖବର ହୁଏତ କେଶୋଦାସ ପାଖରେ ପହଞ୍ଚିଯିବଣି । ଆମେ କ’ଣ କରିବା ?”

 

ଶଶିକଳା ଉତ୍ତର ଦେଲା, “ମୁଁ ମୁକ୍ତାଦେଈ ସାଜି ହାରେମ୍‌କୁ ଯିବି ସେନାପତି । ରାଜଜେମାଙ୍କୁ ଶଶିକଳା ନାଆଁ ଧରି ଏଠୁ ଖୋରଧାଗଡ଼ ଫେରିଯିବାକୁ ପଡ଼ିବ । ତା’ପରେ ତାଙ୍କର ଦାୟିତ୍ୱ ଆପଣ ବୁଝିବେ । ଆମ ହାତରେ ସମୟ ନାହିଁ । ଏହି ଛଦ୍ମବେଶୀ ଦସ୍ୟୁମାନେ ସମସ୍ତେ ଆମର ବିଶ୍ୱସ୍ତ ସୈନିକ । ସେମାନେ ମୋତେ ଏଇ ହାନ୍ଦୋଳା ସହ ପୁଣି କେଶୋଦାସର ଶୋଭାଯାତ୍ରାରେ ସାମିଲ କରି ଫେରିଆସିବେ । କେହି ପଚାରିଲେ କହିଦେବି, ଦସ୍ୟୁମାନେ ମୋର ଅଳଙ୍କାର ପାଇଁ ଆକ୍ରମଣ କରିଥିଲେ ।”

 

ରାଜଜେମା ମୁକ୍ତାଦେଈଙ୍କ ଓଠରେ ଶବ୍ଦ ନଥିଲା । ଏଇ ତାଙ୍କର ଏକାନ୍ତ ଅନୁଗତା ଅନିନ୍ଦ୍ୟ ସୁନ୍ଦରୀ ପରିଚାରିକା ଶଶିକଳା, ଯାହାଙ୍କୁ ସେ ଜୀବନରେ ମାରିଦେବାଲାଗି ଷଡ଼ଯନ୍ତ୍ର କରୁଥିଲେ । ଅଥଚ ସେଇ ଶଶିକଳା ନିଜର ଜୀବନ ବିନିମୟରେ ତାଙ୍କୁ ଫେରାଇ ଦେଉଛି ତାଙ୍କର ପ୍ରେମ ଆଉ ସ୍ୱପ୍ନ ! ଏଭଳି ତ୍ୟାଗ ଓ ତିତିକ୍ଷା ଶଶିକଳା କୋଉଠୁ ଶିକ୍ଷା କରିଥିଲା ?

 

ଶଶିକଳା ଅନିଶ୍ଚିତ ଇତିହାସ ଭିତରକୁ ଗୋଡ଼ ବଢ଼େଇବା ଆଗରୁ ମୁକ୍ତାଦେଈଙ୍କ ପାଖକୁ ଲାଗିଆସିଲା । ମୁକ୍ତାଦେଈ ତାକୁ ନିବିଡ଼ ଆଲିଙ୍ଗନରେ ଜଡ଼େଇ ଧରିଲେ । ଶଶିକଳା କହିଲା, ‘ଚକ୍ରପ୍ରତାପ ସବୁଦିନେ ଆପଣଙ୍କର ରାଜଜେମା । ବିଶ୍ୱାସଘାତକ ଭାନୁମତୀଙ୍କ ସମ୍ପର୍କରେ ଖବର ସଂଗ୍ରହପାଇଁ ସମୟେ ସମୟେ ସେ ମୋତେ ଭେଟୁଥିଲେ ସତ, କିନ୍ତୁ ଯେତିକି ସମୟ ସେ ରହୁଥିଲେ କେବଳ ଆପଣଙ୍କର ରୂପ ଆଉ ଗୁଣର ପ୍ରଶଂସାରେ ବ୍ୟୟ କରୁଥିଲେ ।’

 

: ଶଶିକଳା ! ମୁକ୍ତାଦେଈଙ୍କ ପାଟିରୁ କଥା ବାହାରୁ ନଥିଲା ।

 

ଶଶିକଳା ନିଜକୁ ଦୂରେଇ ଆଣିଲା । କହିଲା, “ସେନାପତି ମହୋଦୟ, ରାଜଜେମାଙ୍କୁ ନେଇ ଶୀଘ୍ର ମହାରାଜଙ୍କ ନିକଟକୁ ଫେରିଯାଆନ୍ତୁ । କିନ୍ତୁ ସେଠାରେ ଅଧିକ ସମୟ ରହିବେ ନାହିଁ-। ଯେକୌଣସି ମୁହୂର୍ତ୍ତରେ ଶତ୍ରୁ ସୈନ୍ୟ ସେଠି ପହଞ୍ଚି ପାରନ୍ତି । ଆପଣଙ୍କ ହାତରେ ରାଜଜେମାଙ୍କ ଦାୟିତ୍ୱ ଦେଇ ଯାଉଛି । ବିଦାୟ ।”

 

ଶଶିକଳା ମୁକ୍ତାଦେଈଙ୍କର ନାମ ଓ ପୋଷାକ ସହ ସେଇ ଅନ୍ଧାର ଭିତରେ ମିଶିଗଲା । ଖୁବ୍‌ ଶୀଘ୍ର ତାକୁ ବହନ କରୁଥିବା ହାନ୍ଦୋଳାଟି ପୁଣି କେଶୋଦାସର ସେନାବାହିନୀର ଶୋଭାଯାତ୍ରା ଭିତରେ ହଜିଗଲା ।

 

ରାତି ଅନ୍ଧାର ହେଉଥିଲା । ପାହାଡ଼ଖୋଲ ଭିତରେ ସେନାପତି ଚକ୍ରପ୍ରତାପ ଓ ଶଶିକଳାର ପରିଚୟରେ ଓଡ଼ିଶାର ରାଜଜେମା । ଚକ୍ରପ୍ରତାପ ଚଞ୍ଚଳ ହେଲେ । ଖୁବ୍‌ ଶୀଘ୍ର ତାଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ପଡ଼ିବ । ସେ ହାତ ବଢ଼େଇ ଡାକିଲେ, “ଆସ । ରାତି ପାହିବା ଆଗରୁ ଆମକୁ ଅନେକ ଦୂର ଯିବାକୁ ପଡ଼ିବ ।”

 

ରାଜଜେମା କିନ୍ତୁ ବାରମ୍ବାର ସେଇ ରାସ୍ତାକୁ ଚାହୁଁଥିଲେ, ଯେଉଁ ରାସ୍ତାରେ ସାଧାରଣ ଝିଅ ଶଶିକଳା କିଛି ମୁହୂର୍ତ୍ତ ଆଗରୁ ଦେବୀଟିଏ ପାଲଟି ଅଦୃଶ୍ୟ ହୋଇଯାଇଥିଲା ।

 

ମଥୁରାର ମାନଚିତ୍ର

 

ଅଣ୍ଟା ସଳଖେଇ ଟିକିଏ ଆକାଶକୁ ଚାହିଁଲା ଯଶୋଦା । ବାଟ ଚାଲି ଚାଲି ଥକି ପଡ଼ିଲାଣି । ଆଉ କେତେବାଟ ରହିଲା ବ୍ଲକ୍‌ ଅଫିସ୍‌ ? ନା, ଖଇରଗଡ଼ ବଜାର ଦିଶିଲାଣି । ବଜାରଟା ଡେଇଁଗଲେ ଆମ୍ବତୋଟା, ତାଆରି ବାଁ ପଟକୁ ବ୍ଲକ୍‌ ଅଫିସ୍‌ । ଯଶୋଦାର ପେଟଟା ସକାଳ ପହରୁ କଟକଟ ହେଇ କାଟୁଛି । କାଲି ରାତିରେ ଖାଇବା ଲାଗି ଘରେ କିଛି ନଥିଲା । ଖୋଜି ଲୋଡ଼ି ପାଏ ସରିକି ଅଟା ପାଣିରେ ଗୋଳେଇ ସେଇଆକୁ ଗିଲାସେ ଗିଲାସେ ମାଆ ଝିଅ ଦିହେଁ ପିଇଥିଲେ, ଛୁଆ ଦିଇଟାକୁବି ସେଇଆ ପିଆଇଥିଲେ । ଅଟାଗୋଳା ପାଣିର ବା କେତେ ବଳ ? ଅଧରାତିକୁ ଛୁଆ ଦିଇଟା ଭୋକ ବିକଳରେ ରଡ଼ି ପକେଇଥିଲେ । ଛୋଟଟା ମାଆ ଥନରେ ମୁହଁ ଗୁଞ୍ଜି ଦେଇଥିଲା ସିନା, ବଡ଼ଟା ସେମିତି ହାତଗୋଡ଼ ଛାଟି କାନ୍ଦିଥିଲା । ଶୁଖିଲା ହାତ ଆଉଁଶା ଛଡ଼ା ବୁଢ଼ୀ ଆଈଟା ପାଖରେ ବା କ’ଣ ଥିଲା ଯେ ଛୁଆଙ୍କୁ ଖାଇବା ଲାଗି ଦେଇଥାଆନ୍ତା-?

 

ଘଡ଼ିଏ କାଳ ସେ ସାନ ନାତୁଣୀ ଓ ତା’ ମାଆ ଉଭୟଙ୍କୁ ଚାହିଁଥିଲା । ଯୁବତୀ ଝିଅଟା ଦେହକୁ ମୁଣ୍ଡକୁ ନ ପାଇ ଭୂତୁଣୀ ପରିକା ଦିଶୁଥିଲା । କୋଉ ଦିନ ଯଦି ବିଧାତା ପୁରୁଷ ସାଙ୍ଗରେ ଯଶୋଦାର ଦେଖା ହୁଅନ୍ତା, ତାହାହେଲେ ସେଇଦିନ ସେ ପଚାରନ୍ତା–କି ସୁଖ ପାଉଛୁରେ ଚାରିଟା ଜୀବଙ୍କୁ ଏମିତି ସନ୍ତୁଳି ସନ୍ତୁଳି ! ଏଇ କ’ଣ ତୋର ବିଧାତାପଣିଆ ?

 

ଅସରନ୍ତି କାହାଣୀ ପରିକା ଯଶୋଦାର ଦୁଃଖ, କୋଉଠୁ ଆରମ୍ଭ କରିବ, କୋଉଠି ବା ସାରିବ ? କାହାର ବା ସମୟ ଅଛି ତା’ କଥା ଶୁଣିବାପାଇଁ ? ଗରିବଗୁରୁବାଙ୍କ କଥା ଶୁଣିବାପାଇଁ ହାକିମ ଅମଲା ଚାକିରି କରିଛନ୍ତି, ମାସକୁ ମାସ ହଜାର ହଜାର ଟଙ୍କା ଦରମା ପାଆନ୍ତି । ରହିବା ଲାଗି ବଙ୍ଗଳା ଓ ବୁଲିବାପାଇଁ ଗାଡ଼ି ମଟର ପାଆନ୍ତି । ସବୁକଥା କହୁଥିବେ, ଶୁଣୁଥିବେ; କିନ୍ତୁ ତା’ ପରି ଦୁଃଖୀରଙ୍କି କିଏ ପହଞ୍ଚି କିଛି କହିଲେ ବିରୁଡ଼ି ବିନ୍ଧିଲା ପରି ଚିଡ଼ିଚିଡ଼ି ହୋଇ ଉଠି ପଳେଇବେ-। କହିବେ, ବହୁତ କାମ ଅଛି । ଯାହା କହିବାର ଅଛି ଦରଖାସ୍ତରେ ଲେଖିକି ଆଣ-। ସେତିକି ଲେଖିବାପାଇଁ ତ ପୁଣି ଆଉ କାହାକୁ ବାର ଖୁସାମତ କରିବାକୁ ପଡ଼େ ।

 

ଯଶୋଦା ନାତି ଟୋକାଟାକୁ କାଖ ବଦଳ କଲା । ଟୋକାଟା ଶୋଇପଡ଼ିଲାଣି କି କ’ଣ ଓଜନିଆ ଲାଗୁଛି ! ବାଟସାରା ଭାତ, ଭାତ କହି କାନ୍ଦୁଥିଲା । ହଉ, ଆଉ କେତେ ସମୟ କି ? ଭାତିଆ ଟଙ୍କା ପାଇବାକ୍ଷଣି ସେ ଆଗେ ନାତିପାଇଁ ଗୋଟେ ବିସ୍କୁଟ୍ ପାକେଟ କିଣିବ । ତା’ପରେ ଯାଇ ଅନ୍ୟ ଖର୍ଚ୍ଚ ।

 

ବ୍ଲକ୍‌ ଅଫିସ୍‌ ସାମ୍ନାରେ ଜିପ୍‌ଗାଡ଼ି ନଥିଲା । ଯଶୋଦାର ମନକୁ ଶଙ୍କା ଛୁଇଁଲା । ଲୋକମାନେ ମେଳିମେଳି ହୋଇ ବୁଲୁଥିଲେ । ବେଶି ଭାଗ ବୁଢ଼ାବୁଢ଼ୀ । ଫି ମାସ ଆସି ଆସି ତାଙ୍କ ଭିତରୁ କେତେକଙ୍କୁ ଚିହ୍ନିଗଲାଣି ଯଶୋଦା । କିନ୍ତୁ ଜିପ୍‌ଗାଡ଼ି କାହିଁକି ନାହିଁ ?

 

କଥାଟା ଭାବି ପୁଣି ନିଜର ବୋକାପଣିଆ ଉପରେ ଚିଡ଼ିଉଠିଲା ଯଶୋଦା । ଗାଡ଼ିଟା କ’ଣ ଗଛ ନା ଦୋକାନ ଯେ ଯୋଉ ଜାଗାରେ ଥିବା କଥା ସେଇଠି ସଦାଦିନ ରହିଥିବ ! ଗାଡ଼ି ଗଡ଼ିବା ଯନ୍ତ୍ର, ଏଇଠି ଏଇନେ, ଆଉ ନିମିଷକୁ ଆଉ କୁଆଡ଼େ ।

 

: ଆଲୋହେ ସ୍ୱାଇଁଘର ବୋହୂ । –ଯଶୋଦା ଡାକିଲା ଓ ସ୍ୱାଇଁଘର ବୋହୂକୁ ପଚାରିଲା, “ଆଜି କ’ଣ ଭାତିଆ ମିଳିବ ନେଇଁ କି ?”

 

: ସେଇକଥା ପରା, ଆଜି କୁଆଡ଼େ ମିଳିବ ନେଇଁ । ବାବୁ ତ ଆସି ନାହାନ୍ତି । ଆର ଶୁକ୍ରବାର ମିଳିବ । –ସ୍ୱାଇଁଘର ବୁଢ଼ୀ କହିଲା ।

 

ଯଶୋଦାର ଆଖିରୁ ଜୁଳୁଜୁଳିଆପୋକ ବାହାରିଗଲା । ଏତେ ବଡ଼କଥାଟେ ଶୁଣିବ ବୋଲି ସେ କଦାପି ଭାବି ନଥିଲା । ବାଟସାରା କେତେ କଥା ଭାବି ଭାବି ଆସିଥିଲା । ଏବେ ସେ ଖାଲି ହାତରେ ପାଟପୁର ଯିବ କେମିତି ? ଆଜି ଯଦି ପାଟପୁର ନ ଯିବ ତାହାହେଲେ ମଧୁ ସାହୁ ରାଗିଯାଇପାରେ । ଗଲା ମାସ ତାକୁ ଗୁଡ଼ିଆ ମଧୁ ସାହୁ ବହୁତ କୁହାପୋଛା କରି କହିଥିଲା । ତାକୁ କେତେ ପ୍ରକାର ଜଳଖିଆ ଖୁଆଇଥିଲା । କହିଥିଲା, ଆମ ଦି’ ପରାଣୀଙ୍କର ସିନା ଗ୍ରହ ଖରାପ ଯୋଗୁଁ ଈଶ୍ୱର ଛୁଆଟିଏ ଦେଲେ ନାହିଁ । କିନ୍ତୁ ତମ ଛୁଆଟିକି ମୁଁ ନିଜଠୁ ଅଧିକ ନିଜର କରି ପାଳିବି-। କୌଣସି ଦିନ ତାକୁ ଅଭାବ କ’ଣ ଜାଣିବାକୁ ଦେବି ନାହିଁ । ଆଜି ନ ଗଲେ ସେ ଭାବିବ, ଯଶୋଦା ତା’ ଜବାବ ରଖିଲା ନାହିଁ ।

 

ମଧୁ ସାହୁକୁ ରାଜି କଲା ପରେ ନିଜ ଝିଅକୁ ରାଜି କରେଇବା ଆଉ ଗୋଟେ କାଠିକର ପାଠ ହୋଇଥିଲା । ଝିଅର ଗୋଟିଏ କଥା–ବର୍ତ୍ତମାନ ମିଠା ମିଠା କଥା କହି ଛୁଆ ନେଇଯିବ । ଦଶ ବାରବର୍ଷ ହେଇଗଲାକ୍ଷଣି ତାକୁ କଠିନ କାମରେ ଲଗେଇଦେବ । ଜୀବନସାରା ତା’ ଛୁଆ ପରଘରେ ମୂଲ ଲାଗି ଚଳିବ ସିନା କୌଣସି ଦିନ ମୁକୁଳି ପାରିବ ନାହିଁ । ଅଧା ବୟସରେ ମରିଯିବ ତା’ ପୁଅ !

 

ଝିଅର କଥା ଶୁଣି ଯଶୋଦାର ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା । କହିଥିଲା, ଆମେ କୋଉ ରାଜା ଜମିଦାର ଘର ଯେ ଆମ ପିଲା ମୂଲ ନ ଲାଗି ହାକିମି କରନ୍ତା ! ଏଠି ଥିଲେ ଯାହା, ଅନ୍ୟ ଘରକୁ ଗଲେ ସେଇଆ । ଓଲଟି ଏଠି ରହିଲେ ନ ଖାଇ ନ ପିଇ ଶୁଖି ଶୁଖି ମରିଯିବ । ସେଠି ତ ଗଣ୍ଡେ ପେଟପୂରା ଖାଇବାକୁ ପାଇବ ।

 

: କିଏ ଜାଣେ, ତାକୁ ଖାଇବା ପିଇବାକୁ ଦେବେ ନା ନାହିଁ !

 

: ତୁଇ ତ ଖାଲି ମାଆ, ଆଉ ସବୁ ପୁତନା ରାକ୍ଷସୀ–ଯଶୋଦା ରାଗିକି ଗାଳି ଦେଇଥିଲା । ସେ ବୁଝେଇପାରି ନଥିଲା ଯେ ଛୁଆଟାକୁ ପର ହାତକୁ ଟେକିଦେବା ପାଇଁ ତା’ ମନବି କହୁ ନାହିଁ । ସେତିକି ଅଗତ୍ୟା ପଡ଼ି ନଥିଲେ ସେ କାହିଁକି ଏକଥା କରିବାକୁ ଯାଆନ୍ତା ?

 

ଝିଅକୁ କହିଥିଲା, ‘ଜୀବନ ବଞ୍ଚେଇବା ଲାଗି ବସୁଦେବ ରାଜାବି ନିଜ ଛୁଆକୁ ପରଘରେ ଦେଇ ଆସିଥିଲାଲୋ, ଆମେ ତ ଛାର ମଣିଷ !’

 

ତା’ପରେ ଝିଅ ରାଜି ହୋଇଥିଲା ।

 

ଯଶୋଦାକୁ ଲାଗିଲା ଅଫିସ୍‌ ସାମ୍ନାରେ ଗୋଳଚହଳ ଟିକିଏ ବଢ଼ିଲା । ବାବୁ ଆସିଲେ ବୋଧହୁଏ ! ସେ ଭାବିଲା ଓ ଉଠିପଡ଼ିଲା । କିନ୍ତୁ ବାବୁ ଆସି ନଥିଲେ ।

 

ଭାତିଆ ଟଙ୍କାଟା ମିଳିବ ନା ମିଳିବ ନାହିଁ କିଏ ତାହାହେଲେ କହିବ ? ବଡ଼ି ସକାଳୁ ଘରୁ ବାହାରି ପାଞ୍ଚ ମାଇଲ ବାଟ ସେ ପଡ଼ିଉଠି ଆସିଛି । ଯଶୋଦା ବଡ଼ ବିକଳ ସ୍ୱରରେ ଯାଇ ଅଫିସ୍‌ ସାମ୍ନାରେ ବସି ଢୁଳଉଥିବା ପିଅନକୁ ପଚାରିଲା, “ଆଜି କ’ଣ ଆମ ଭାତିଆ ମିଳିବ ନାହିଁ ସାଆରେ ?”

 

ଶୀତଦିନ ସକାଳର ଖରାପିଠିଆ ନରମ ନିଦଟା ଚାଉଁକରି ଭାଙ୍ଗିଗଲା ବ୍ଲକ୍‌ ଅଫିସ୍‌ ପିଅନର । ଭୋକିଲା କୁକୁର ଖିଙ୍କାରି ଗଲା ପରି ସେ ଯଶୋଦା ଆଡ଼କୁ ଖିଙ୍କାରି ଗଲା–“ଥରେ ତ କହିଲି ମିଳିବ ନେଇଁ, ସେଇ କଥାକୁ ତମେମାନେ ଦଶ ଦଶ ଥର ଫଟେଇ ନ ପଚାରିଲେ କ’ଣ ହୁଅନ୍ତା ନାହିଁ ?” ତା’ପରେ ସେ ଆମ୍ବଗଛ ଡାଳକୁ ଚାହିଁ କହିଲା, “କୁଆଡ଼ୁ ପଲ ପଲ ରାଣ୍ଡୀଖଣ୍ଡି ଧାଇଁ ଆସୁଛନ୍ତି କିଏ ଜାଣେ ?” ଏହାପରେ ସେ ପୁଣି କାନ୍ଥକୁ ଆଉଜି ଆଖି ବୁଜିଦେଲା ।

 

ସୂର୍ଯ୍ୟ ଆକାଶ ମଥାନରେ । ଶୀତଦିନ ବୋଲି ଖରା ସିନା କାଟୁ ନାହିଁ, ଯଶୋଦାର ଅଣ୍ଟା କାଟିଲାଣି । ତା’ ସାଙ୍ଗକୁ ସାନ ଛୁଆଟା । ସିଏ ମଝିରେ ମଝିରେ କୁଁ କାଁ ହୋଇ କାନ୍ଦୁଛି । ପେଟରେ ତା’ର କିଛି ବୋଲି କିଛି ନଥିବ ଉଛୁଣିକା ।

 

ପଉଷର ଧୂଳି ନେସିହେଇ ବ୍ଲକ୍‌ ଅଫିସ୍‌ର କାନ୍ଥବାଡ଼, ଗଛ, ପାଚିରି ସବୁ ମଳିଛିଆ ଦିଶୁଛି, କାନପୁର ଯଶୋଦା ପ୍ରଧାନର ଚେମେଡ଼ା ଚେହେରା ପରି । ବାରନ୍ଦାରେ ମଳାମଳା ଲୋକ–ଯିଏ ଯାହା କାମରେ ଖାଲି ଦଉଡ଼ୁଛନ୍ତି । ପ୍ରତି ମାସ ପନ୍ଦର ତାରିଖରେ ଯଶୋଦା ପ୍ରଧାନ ଆସେ, ଶହେ ଟଙ୍କାର ଭାତିଆ ସକାଶେ । ଖଣ୍ଡିଏ ଶହେଟଙ୍କିଆ ନୋଟ୍‌ ମାସକଯାକର ଅପେକ୍ଷା ପରେ ମିଳେ । ସରକାର କଲ୍ୟାଣବନ୍ତ, ଗରିବଗୁରୁବା ରାଣ୍ଡୀଖଣ୍ଡିଙ୍କ ପାଇଁ ବ୍ୟବସ୍ଥା କରିଦେଇଛନ୍ତି-। ସେଥିରେ ମାଟିତେଲ, ଅଟା, ଲୁଣ, ତେଲହଳଦୀ ଆଉ ଧୂଆଁ ପତର ଦୋକ୍ତା-। କାନପୁର କାଶୀସାହୁ ଦୋକାନରେ ହାତ ଖାଲି ହୋଇଯାଏ ଯଶୋଦାର, ପଲା ପର୍ଯ୍ୟନ୍ତ ଟଙ୍କା ଦି’ ଚାରିଟା ଯାଏଁ ନାହିଁ । କାଶୀସାହୁ ଭଲ ମଣିଷ, ମାଟିତେଲ ଲିଟରେ ତା’ପାଇଁ ଆଗରୁ ରଖିଥାଏ-। ନହେଲେ ଇଏ ଯେଉଁ ତିରୋଟ ସମୟ, ପଇସା ଦେଲେବି ମାଟିତେଲ ମିଳୁ ନାହିଁ ।

 

ଯଶୋଦା ପ୍ରଧାନକୁ ଷାଠିଏ ପୂରିଗଲାଣି । ଘରେ ମା’ ଝିଅ ଓ ନାତିନାତୁଣୀ । ଏଇ ନାତିଟା ବଡ଼, ଆଇଲା ମାଘକୁ ଦି’ବର୍ଷ ପୂରିବ । ୟା ପଛକୁ ଦୁଧଖିଆ ଛୁଆଟା । ଜମା ଚାରି ମାସ । ଜମିବାଡ଼ି ନାହିଁ କି ଅଲଗା ଆୟ ନାହିଁ । ଯଶୋଦା ପ୍ରଧାନ ଦିନସାରା ଗାଁ ଚାରିମୁଣ୍ଡ ବୁଲି ଗୋବର ଲଣ୍ଡା, ମୁଠିଶାଗ, ଝଟାମଟା ଶୁଖିଲା ଡାଙ୍ଗ, କେତେବେଳେ କୋଉଠୁ ସୁନୁସୁନିଆ କି ପୁରୁଣି ଶାଗ ଗୋଛାଏ ଗୋଟେଇ ଗାଟେଇ ଆଣେ । ଏଇ କେତେଦିନ ହେଲା ବିଲ ପରେ ବିଲ ବୁଲି ସେ ଧାନ ଖୁଣ୍ଟୁଛି, ଦିନକୁ ଗୌଣିଏ, ଦେଢ଼ଗୌଣି ଧାନ । ଜମି ମାଲିକ ଧାନକାଟି ନେଇଗଲା ପରେ ଯାହା ସବୁ ପଡ଼ିଥାଏ ତା’ ଉପରେ ପାରା, ବଣି, ଟିଆ ଆଉ ଯଶୋଦା ବୁଢ଼ୀର ନଜର । ସେଠି କମ୍‌ ଲଢ଼େଇ ନୁହେଁ । ଶଗଡ଼ଗୁଳା ଉପରେ ତ ସାହିଯାକ ମାଇପିଙ୍କ ଆଖି ।

 

ବୁଢ଼ୀର ଆଶା ଥିଲା, ଝିଅଟା ହାତକୁ ଦି’ ହାତ ହୋଇଗଲା ପରେ ସିଏ ଏପଟ ସେପଟ କରି କିଛିଦିନ ବଞ୍ଚିଯାଇ ଥାଆନ୍ତା । ଅଲକ୍ଷଣା ଟୋକାଟା ଝିଅକୁ ବାହାହେଲା ନାହିଁ ଯେ ତା’ର ସର୍ବନାଶ କରିଦେଇ ଚାଲିଗଲା । ଦି’ବର୍ଷରେ ଦିଇ ଦିଇଟା ଛୁଆ ଝିଅ କୋଳରେ ଦେଇ କୁଆଡ଼େ ଯେ ଅଳପେଇସା ଯାଇଛି ଆଜିକି ସାତ ମାସ ହେଇଗଲାଣି ତା’ର ଦେଖାଦର୍ଶନ ନାହିଁ । କିଏ କହୁଛି ଚବିଶ ପ୍ରଗଣା, କିଏ କହୁଛି ସୁରଟ–ସତ କି ମିଛ ବୁଢ଼ୀ ଜାଣେ ନାହିଁ । ସିଏ ଷାଠିଏବର୍ଷର ବୁଢ଼ୀଟା କେତେ ଆଉ ସଂସାର ଚଳେଇବ–ଚିନ୍ତା କଲାକ୍ଷଣି ତା’ ମୁଣ୍ଡ ଘୂରେଇ ଦିଏ । ଆଣ୍ଠୁଗଣ୍ଠି ବିନ୍ଧିଲାଣି, ସୋରିଷତେଲ ଟିକିଏ ମାଲିସପାଇଁ ପାଉ ନାହିଁ । ଆଖି ଦିଇଟାରେ ପରଳ ଘେରି ଆସିଲାଣି । ଦି’ ହାତରେ ଭାରୀ ଜିନିଷ ଉଠେଇପାରୁ ନାହିଁ । ଝିଅଟା ନଥିଲେ ଯଶୋଦା ଏତେ ଡହଳବିକଳ ହୁଅନ୍ତା ନାହିଁ । ଅଳପେଇସାଟା ଆଉ ଫେରିବ କି ନାହିଁ କିଏ ଜାଣିଛି ? ତା’ର ସିନା ଦିନକାଳ ସରିଆସିଲାଣି, ପାଚିଲା ତାଳ ଖସିପଡ଼ିବ । କିନ୍ତୁ ଝିଅଟା କୁଆଡ଼େ ଯିବ ?

 

ଅନେକ ଖୋଜାଲୋଡ଼ା ପରେ ପାଟପୁର ବଜାରର ତେଲଭାଜି ଦୋକାନୀ ମଧୁ ସାହୁ ବଡ଼ ଛୁଆଟାକୁ ନେବ ବୋଲି ରାଜି ହେଇଛି । କହିଛି ଟଙ୍କା ଦି’ ହଜାର ଚାରିଶହ ଦେବ–ମାସକୁ ମାସ ଦିଇଶ କରି ପୂରା ବର୍ଷେ ପର୍ଯ୍ୟନ୍ତ । ଯଶୋଦାର ଟଙ୍କାରେ ମନ ନାହିଁ, ଛୁଆଟା କେମିତି ପେଟପୂରା ଖାଇ ଏ ଦୁନିଆରେ ବଞ୍ଚିଯାଉ । ବ୍ଲକ୍‌ ଅଫିସ୍‌ରୁ ଭାତିଆ ଟଙ୍କା ଶହେଟା ପାଇଥିଲେ ସେ ପାଟପୁର ଯାଇଥାଆନ୍ତା । କିନ୍ତୁ ଏଠି କହିଲେଣି, ଆଜି ଟଙ୍କା ମିଳିବ ନାହିଁ । ଫେର୍‌ କୋଉଦିନ ମିଳିବ କିଏ ଜାଣେ ?

 

ଯଶୋଦା ପ୍ରଧାନ ଆମ୍ବଗଛକୁ ଭରା ଦେଇ ବସିଥିଲା । ନାତିଟି ମାଟି ପଥରରେ ଖେଳୁ ଖେଳୁ ଗୋଟାଏ ତେଲୁଣିଆ ପୋକକୁ ଭୋକ ବିକଳରେ ପାଟିରେ ପୂରେଇ ଦେଇଥାଆନ୍ତା, ବୁଢ଼ୀ ପାଟିକରି ଉଠିଲା, ‘ଛାଡ଼–ଟୋକାଟା ପୋକଯୋକ କିଛି ମାନୁ ନାହିଁ ।’ ପାଟି ଶୁଣି ନାତିଟା କାନ୍ଦି ଉଠିଲା ରାହାଧରି । ତାକୁ ଭୋକ ଲାଗୁଥିଲା । ତା’ର ଶିଙ୍ଗାଣିବୋଳା ଓଠ, ନାକ ଦିଶୁଥିଲା ଅଦ୍ଭୁତ-। ଛାତି ଉପରେ ଖଣ୍ଡେ ଚିରା ଗଞ୍ଜି । ଅଣ୍ଟା ତଳକୁ ଫୁଙ୍ଗୁଳା । ନାତିଟିକୁ ଅନେଇଲାକ୍ଷଣି ବୁଢ଼ୀ ସବୁଦିନ ବିଗିଡ଼ିଯାଏ, ତା’ ମୁହଁଟା ଦିଶେ ଦଗାଦିଆ ଜୁଆଇଁ ନବଘନର ମୁହଁ ପରି । କିନ୍ତୁ ଆଜି ସେ ରାଗିପାରିଲା ନାହିଁ । ଆହା, ଦୁଧଖିଆ ଛୁଆଟା ! ତା’ର ସମ୍ବଳ ନାହିଁ ବୋଲି ସିନା ପରହାତକୁ ଟେକିଦେବା ଲାଗି ସ୍ଥିର କରିଛି । ନହେଲେ ଇମିତିକା କଅଁଳା ଛୁଆକୁ ପରହାତରେ ଧରେଇ ଦେବା ଲାଗି ଭଲା କଂସେଇର ହାତ ଯାଆନ୍ତା ! ସବୁ ଦଇବ ବିଧାତାର ଭିଆଣ । ଯିଏ ଚନ୍ଦ୍ର ସୂର୍ଯ୍ୟ ଆତଯାତ କରୁଛି, ତାଆରି ନିଶାପ ଏସବୁ । ମଧୁ ସାହୁ ମାଇପ କୋଳରେ ବାରବର୍ଷ ହେଲା ଛୁଆଟେ ନାହିଁ । କେତେ ଯଜ୍ଞରାଗ, ପୂଜାପାର୍ବଣ, ଓଷାବ୍ରତ କରି ଥକିଲାଣି । ୟାକୁ କହନ୍ତି କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ ।

 

ନାତିଟାକୁ କୋଳକୁ ଭିଡ଼ି ଆଣିଲା ଯଶୋଦା । ଛୁଆଟା ତା’ର କୁନି କୁନି ଦୁଇ ହାତ ପାପୁଲିରେ ଜେଜେମା’ର ମୁହଁକୁ ଆଉଁଶିଦେଲା । କିଏ ଯେମିତି ଗିନାଏ ଚନ୍ଦନ ବୋଳିଦେଲା କି ବୁଢ଼ୀ ମୁହଁରେ ! ଛୁଆଟାର ହାତ ଆଉଁଶାରେ ତା’ ଦୁଃଖକଷ୍ଟ ସବୁ ଯେମିତି ହଜିଗଲା । ସେ ତାକୁ କୋଳରେ ପୂରେଇ କହିଲା, “ଚାଲ୍‌ରେ ଧନ, ତୋ ଭାଗ୍ୟ ଯୋଉଠିକୁ ଡାକୁଛି, ସେଇଠି ଛାଡ଼ି ଆସିବି ।” ବୁଢ଼ୀ ନାତିକୁ କାଖେଇ ଉଠିଲା । କୋଉଦିନ ଯଦି ଛୁଆଟା ବଡ଼ ହେଇ ଏକଥା ଜାଣେ ତାହାହେଲେ ତାକୁ ଆସି କ’ଣ ଏଣୁତେଣୁ ପଚାରିବ ନାହିଁ–ମନକୁ ମନ ଭାବିଲା ଓ କହିଲା, “ମୁଁ ତ ଏତେ ବର୍ଷ ଆଉ ବଞ୍ଚିବି ନାହିଁରେ ଧନ ! ଯାହା ପଚାରିବାର ଏବେଠୁ ପଚାର । ମୋ ମନରେ ଟିକିଏବି ପାପ ନାହିଁ । ତୋତେ ଏମିତି ସାରା ଦିନ ଭୋକ ଉପାସରେ ରାହା ଧରି କାନ୍ଦିବାର ଦେଖିବା ମୋ ଦିହରେ ଯାଉ ନାହିଁ । ଯୋଉଠି ରହିବୁ ସୁଖରେ ରହିବୁ । ତୋ ବାପ ତ କୋଢ଼ିଆ, ମାଆ ହତଭାଗିନୀ । ମୁଁ ବୁଢ଼ୀଟା କ’ଣ କରିବି ? ଏମିତି ଶୁଖି ଶୁଖି କାହିଁକି କଣ୍ଟା ହେବୁ କହୁନୁ ଧନ-!”

 

ନାତି କିଛି ବୁଝିଲା ନାହିଁ । ସେ ଖାଲି ବୁଢ଼ୀର ମୁହଁକୁ ଆଉଁଶିଲା । ବୁଢ଼ୀର ଆଖିରୁ ତତଲା ଲୁହ ଦି’ ଟୋପା ଖସିପଡ଼ିଲା ।

 

ଦୁଇ

 

ସବ୍‌କଲେକ୍‍ଟର ସାର୍‌ ଘରେ ଅଛନ୍ତି ?

 

ଅଫିସ୍‌ର ଷ୍ଟେନୋବାବୁ ଦେବକୀକୁ ପଚାରୁଥିଲେ । ଦେବକୀ ରାତିର ରୋଷେଇ କାମ ସାରି ଟେଲିଭିଜନ ଆଗରେ ଏଇମାତ୍ର ବସିଥିଲା । ଆଖି ଯୋଡ଼ିକ ଟେଲିଭିଜନ ଉପରେ ଥିଲେବି ମନ ସକାଳର ଖବର ସମ୍ପର୍କରେ ଚିନ୍ତା କରୁଥିଲା । ସେତିକିବେଳେ ଷ୍ଟେନୋବାବୁ ତରବର ହୋଇ ପହଞ୍ଚିଥିଲେ ।

 

ଦେବବ୍ରତ ଫୋନ୍‌ରେ କେଉଁ ଠିକାଦାର ସାଙ୍ଗରେ କ’ଣ କଥାବାର୍ତ୍ତା କରୁଥିଲେ । ଦିନସାରା ଅଫିସ୍‌ କାମ କରି କରି ପୁଣି ରାତିଅଧଯାଏ ତାଙ୍କର କାମ ଥାଏ । ଦେବକୀ ଆଗେ ପ୍ରତିବାଦ କରୁଥିଲା, ଏବେ ଆଉ କରେ ନାହିଁ । ପ୍ରତିବାଦ ନ କଲେ ଲାଭ, ହଉ ପଛେ ସେ ସବୁ ପାର୍ଥିବ । ଦେବବ୍ରତ ଯେତେ ଅଧିକ ସମୟ ଘରଠୁ ବାହାରେ ରହନ୍ତି ସେତେ ଅଧିକ ଉପାର୍ଜନ କରନ୍ତି, ସେତେ ଦାମୀ ଉପହାର ମିଳେ ଦେବକୀକୁ । ଦେବକୀର ସେସବୁ ଗହଣା ଆଲମାରିରେ ସଯତ୍ନ ଥୁଆ ହୋଇଛନ୍ତି । କେଉଁଟା କଟକରେ କିଣା ହୋଇଥିଲା, କେଉଁଟା ବ୍ରହ୍ମପୁରରେ, ଆଉ କେଉଁଟା ସମ୍ବଲପୁରରେ ସେସବୁ ଦେବବ୍ରତଙ୍କର ମୁହେଁ ମୁହେଁ । ସମୟେ ସମୟେ ସେଗୁଡ଼ିକ ପିନ୍ଧିବା ଲାଗି ଦେବବ୍ରତ ଜିଦ୍‌ କରନ୍ତି । ମାତ୍ର ଦେବକୀ ସେ ଅନୁରୋଧକୁ ଏଡ଼େଇ ଯାଏଁ । ଗହଣାପତ୍ରରେ ମଣ୍ଡିହୋଇ ଚିତ୍ର ପ୍ରତିମା ପରି ଦିଶିବାକୁ ତା’ର କୌଣସି ଦିନ ଆଗ୍ରହ ନଥିଲା କି ଆଜି ନାହିଁ ।

 

ଦେବବ୍ରତ ଫୋନ୍‌ କଥାକୁ ତରବରରେ ସାରିଦେଲେ ଓ ଷ୍ଟେନୋଙ୍କୁ ସାଙ୍ଗରେ ଧରି ଅଫିସ୍‌ ଚାଲିଗଲେ ସାଙ୍ଗେ ସାଙ୍ଗେ । ଡ୍ରାଇଭରବି ଆଗରୁ ଆସି ପହଞ୍ଚି ସାରିଥିଲା । ଦେବକୀକୁ କେହି କିଛି ନ କହିଲେବି ସେ ଅନୁମାନ କରିପାରିଲା ସକାଳର ପିଲାବିକ୍ରି ଘଟଣା ସଂକ୍ରାନ୍ତରେ ବୁଝାବୁଝି ପାଇଁ ସେ ନିଶ୍ଚୟ ଯାଇଥିବେ । ସକାଳର ଖବରକାଗଜରୁ ସେ ସବୁକିଛି ପଢ଼ି ସାରିଥିଲା-

 

ସେ କବାଟ ବନ୍ଦ କରି ବସି ରହିଲା । ଘରେ ଶୀତ ରାତିର ନିର୍ଜନତା । ଚାରିପଟେ ଖାଲି ନିର୍ଜୀବ ଆସବାବପତ୍ର । ମଣିଷର ସ୍ୱର ଶବ୍ଦ ନାହିଁ । ଦେବକୀର ଆଖି ଲୁହରେ ଓଦା ହୋଇଆସେ । ତିନି ତିନି ଥର ତା’ ଗର୍ଭରୁ ବାହୁଡ଼ି ଗଲାଣି ସନ୍ତାନ । ଦୁଇ ତିନି ମାସ ପର୍ଯ୍ୟନ୍ତ ସବୁ ଠିକ୍‌ ରହୁଛି । ମାତ୍ର ତା’ପରେ ତରଳ ପଦାର୍ଥର ଅଭାବ ଯୋଗୁଁ ସେଇ ଗର୍ଭାଶୟ ଭିତରେହିଁ ମରିଯାଉଛି ଗର୍ଭସ୍ଥ ସନ୍ତାନ । କେତେ ଦିଅଁଦେବତାଙ୍କୁ ସେ ଡାକିଛି, ରାତିରାତି କାନ୍ଦି ପେଟ ଭିତରର ଛୁଆଟାକୁ ଅନୁନୟ କରିଛି, “ଆ ଧନ, ତୁ ପୁଅ ହଅ କି ଝିଅ–ମାଆ ଗର୍ଭର କାରାଗାରକୁ ଭେଦ କରି ଆ । ତୋତେ ମୁଁ ପୃଥିବୀର ସବୁଯାକ ସୁଖ ଦେବି । ଏଇ ଲଢ଼େଇରେ ମୋତେ ତୁ ଜିତେଇଦେ । ଆଉ କୌଣସି ଥର ତୋତେ ଲଢ଼ିବାକୁ ପଡ଼ିବ ନାହିଁ ।” ମାତ୍ର ତା’ର ପ୍ରାର୍ଥନା ସଫଳ ହୋଇ ନାହିଁ । ଅଥଚ ଏଇଠୁ ଅଶୀ ମାଇଲ ଦୂର କାନପୁରର ନିଆଶ୍ରୀ ଯଶୋଦା ପ୍ରଧାନ ଘରେ ଦୁଇ ଦୁଇଟି କୁନି ପିଲା ଫେରିବାଲାର ପସରାରେ କଣ୍ଢେଇ ପରି ବିକ୍ରି ହେଉଛନ୍ତି ।

 

ଦେବକୀ ସମୟେ ସମୟେ ଭାବେ । ପେଟ ଓ ପିଠିକୁ ଦାନାକନା ଯୋଗାଇ ପାରୁ ନଥିବା ଗୋଟେ ବ୍ୟବସ୍ଥାକୁ ସେ ସରକାର ବୋଲି ଗ୍ରହଣ କରିପାରେ ନାହିଁ । ଗୋଟିଏ ଗାଁ ଚଉସୀମାରେ ଯେତିକି ଜମିସବୁକୁ ଏକାଠି କରି ଗାଁର ସବୁ ପରିବାର ଭିତରେ ସମାନ ସମାନ ବାଣ୍ଟି ଦିଅନ୍ତା ସରକାର । ଚାରି ପାଞ୍ଚବର୍ଷ ପାଇଁ ଚାଷବାସ ଲାଗି ସାହାଯ୍ୟ କରନ୍ତା । ପଚିଶ ହଜାର କୋଟି, ତିରିଶ ହଜାର କୋଟି ଖର୍ଚ୍ଚ ହୋଇ ଲାଭ କ’ଣ, ଯଦି ଗାଁର ବୁଢ଼ାବୁଢ଼ୀ ଗଣ୍ଡେ ଖାଇବାକୁ ପାଇଲେ ନାହିଁ ? ଦଶ ମାସ ଗର୍ଭରେ ଧରିଥିବା ମାଆ ତା’ର କୋଳଛୁଆକୁ ବିକିଦେଲା ଆଉ କେଉଁ ଅଚିହ୍ନା ମଣିଷକୁ ? କିନ୍ତୁ ଦେବକୀର ଏ ପ୍ରକାର ଉଦ୍ଭଟ ଚିନ୍ତାକୁ କେହି ଅନୁମୋଦନ କରନ୍ତି ନାହିଁ । ଦେବବ୍ରତ ହସିକି ଉଡ଼େଇ ଦିଅନ୍ତି । ଶେଷକୁ ଦେବକୀ ଅପମାନିତ ହେଲା ପରି କୁହେ, “ହଉ ରୁହ, ମାଲକାନଗିରି ପଟୁ ସେମାନେ ଆସିଲେଣି । ମୁହଁରେ ବୁଝୁ ନାହଁ, ଯେଉଁଦିନ ବନ୍ଧୁକ ମୁନରେ ସେମାନେ ସେଇକଥା କହିବେ–ସେଦିନ ବୁଝିବ ।”

 

ଦେବବ୍ରତ ଦେବକୀର କଥା ଶୁଣି ସ୍ତବ୍ଧ ହୋଇଯାଆନ୍ତି । ଏମିତି ଗୋଟେ କଥା ନବରଙ୍ଗପୁରରେ ଥରେ ତାଙ୍କୁ ପଚାରିଥିଲା ଗୋଟେ ଟୋକା ମାଷ୍ଟର । ସ୍କୁଲ୍‍ ପାଠବହିର ଚିତ୍ର ଦେଖେଇ ପଚାରିଥିଲା–ଏଇ ଆପେଲ୍‌, ଅଙ୍ଗୁର, କ୍ଷୀର ଓ ଛେନାର ଚିତ୍ର କାହିଁକି ଆପଣମାନେ ଛାପନ୍ତି ବହିରେ ? ଆମ ଅଞ୍ଚଳର ପିଲାଏ ସେସବୁ ଦେଖି ନାହାନ୍ତି । ଛବି ବହିର ଘରର ଚିତ୍ରକୁ ସେମାନେ ନିଜ ପିଲା ସାଙ୍ଗରେ କୌଣସି ଦିନ ମିଳେଇ ଖୁସି ହୋଇପାରିବେ ନାହିଁ । ତାଙ୍କପାଇଁ ରାସ୍ତା, ଘାଟ, ଉଡ଼ାଜାହାଜ, କାର୍‌–ଏସବୁ ଅଜଣା ଶବ୍ଦ । ‘ଇଣ୍ଡିଆ’ରେ ରହୁଥିବା ଲୋକଙ୍କୁ ଭାରତପାଇଁ ଯୋଜନା ତିଆରି କରିବାର ଅଧିକାର ଦେଇଛି କିଏ ? ସେ ଯୁବକଟାକୁ ସେଠିକାର ଲୋକେ ପାଗଳ ମାଷ୍ଟର କହି ଚିଡ଼ଉଥିଲେ । କିନ୍ତୁ ତାଆରି ଘରେ, ସବ୍‌କଲେକ୍‍ଟର ଦେବବ୍ରତର ଘରେ ତା’ ସ୍ତ୍ରୀ ଏପରି ଯୁକ୍ତି ବାଢ଼ିବ–ସେଇଟା ଗ୍ରହଣଯୋଗ୍ୟ ହେଉ ନଥିଲା ।

 

କିନ୍ତୁ ଦେବକୀ ଏମିତି ଯୁକ୍ତି କରେ, ନ କହିବା କଥା କୁହେ, ନ ଫୁଟୁଥିବା ଫୁଲ, ନ ଫଳିଥିବା ଫଳଗୁଡ଼ିକ ବିଷୟରେ ଚିନ୍ତା କରେ । ଏମିତି ଚିନ୍ତାରେ ତା’ର ସମୟ କଟିଯାଏ । ପିଲାଦିନେ ଅନେକବାର ଏହି କୌଶଳ ସେ ପ୍ରୟୋଗ କରିଥିବ–ଖାସ୍‌ ସମୟ କାଟିବାପାଇଁ । ପରିବାରର ଏକଇ ସନ୍ତାନ ଦେବକୀ । ବାହାରକୁ ଯିବାର ବେଶି ଅବକାଶ ନଥିଲା । ତେଣୁ ସେ ବସି ବସି ଚିନ୍ତା କରେ, ହଠାତ୍‌ ଯଦି ଈଶ୍ୱର ତା’ ଆଗରେ ଛିଡ଼ାହୋଇ ତାକୁ ବରଟିଏ ମାଗିବାର ପ୍ରସ୍ତାବ ଦେବେ ତାହାହେଲେ ସେ ତାଙ୍କୁ କି ବର ମାଗିବ ? ବାସ୍‌ ! କେଉଁଟା ମାଗିବ କେଉଁଟା ମାଗିବ ନାହିଁ ଚିନ୍ତାରେ ତା’ର ସମୟ ସରିଯାଏ, ମାତ୍ର ଶେଷ କଥାଟି ସ୍ଥିର କରିପାରେ ନାହିଁ । ସେମିତି ବେଳେବେଳେ ଭାବେ, ହଠାତ୍‌ ସେ କୋଟିଏ ଟଙ୍କାର ଲଟେରି ଜିଣିଗଲେ, ତାକୁ କେମିତି ଖର୍ଚ୍ଚ କରିବ । ସବୁ ଭାବିଚିନ୍ତି, ଚକୋଲେଟ୍‌, କଣ୍ଢେଇ, କଲମ ଓ ସାଇକେଲ୍‌ ହେଇ ଦଶହଜାର ଟଙ୍କା ଖର୍ଚ୍ଚ କରିପାରେ ନାହିଁ ଦେବକୀ ତା’ ହିସାବରେ । ସମୟ ସରିଯାଏ । ଏଇ କୌଶଳଟା ସେ ନିଜେ ନିଜକୁ ଶିଖେଇଛି । ଏକଲା ମଣିଷର ସମୟ ମେରୁ ପର୍ବତ, ଭୂମିକମ୍ପରେବି ଟଳିବା କଷ୍ଟ । ସେ ଆଉ କ’ଣ କରନ୍ତା ?

 

ଡାକ୍ତର ଜେନା କହିଛନ୍ତି ଏଥର ଆଗଭଳି କୌଣସି ରିସ୍କ ନାହିଁ । ପାଞ୍ଚ ମାସ ତ ସୁରୁଖୁରୁରେ ଗଡ଼ିଗଲାଣି, ଆଉ ଚାରିଟା ମାସ । ଯେତିକି ଯତ୍ନ ନେବା କଥା ସେତିକି ନେବେ । ଅଯଥା ମାନସିକ ଉଦ୍‌ବେଗ ନେବେ ନାହିଁ । ନିୟମିତ ଔଷଧ ଖାଇବେ, ତା’ ସହ ଚେକ୍‌ଅପ୍‌ । ସବୁ ସୁରୁଖୁରୁରେ ହେବ ।

 

ଦେବକୀ ଡାକ୍ତର ଜେନାଙ୍କ କଥା ଶୁଣି ସାହସ ପାଏ । ଖୁବ୍‌ ସୁନ୍ଦର ମଣିଷ । ସବୁକଥା ସାନପିଲାଙ୍କୁ ବୁଝେଇଲା ପରି କହି ଦିଅନ୍ତି । ଡାକ୍ତର ଗଲା ପରେ କବାଟ ଆଉଜେଇ ନିଜର ପେଟ ଉପରେ ହାତ ବୁଲେଇ ଆଣି ଦେବକୀ କହେ–ଆ ଧନ, ମୋତେ ଏ ଅପବାଦର ବନ୍ଦିଶାଳାରୁ ମୁକ୍ତ କରିଦେ ଧନ । ମୁକ୍ତ କରିଦେ ।

 

ତିନି

 

ଚାହୁଁଚାହୁଁ କଥାଟା ଯେମିତି ବଣନିଆଁ ପରି ସବ୍‌ଡ଼ିଭିଜନସାରା ଖେଳିଯାଇଥିଲା । ସେକଥା ଦେଖି ସବ୍‌କଲେକ୍‍ଟର ଦେବବ୍ରତଙ୍କ ଦେହରୁ ଶୀତଦିନଟାରେବି ଝାଳ ନିଗିଡ଼ି ପଡ଼ିଥିଲା । କାଉ ପରି ଗୁଡ଼ାଏ ରିପୋର୍ଟର ଏହି ଅଞ୍ଚଳରେ ମେଳା ବାନ୍ଧିଛନ୍ତି । କୋଉଠି ସୋରିଷଟାଏ ଫୁଟିଲେ ଏମାନଙ୍କୁ ବୋମା ଫୁଟିଲା ପରି ଶବ୍ଦ ହେଉଛି । ସେଇଥିପାଇଁ ସେ ବଡ଼ବାବୁଙ୍କ ମାଧ୍ୟମରେ ମାସକୁ ମାସ ବ୍ୟବସ୍ଥା କରି ସମସ୍ତଙ୍କୁ ଫଳେପୁଷ୍ପେ ସନ୍ତୁଷ୍ଟ କରିଥାଆନ୍ତି । ମଝିରେ ମଝିରେ ଭୋଜିଭାତ ଦେବାଠାରୁ ଆରମ୍ଭ କରି କାହାର ଭଲମନ୍ଦରେ ପାଁଶହ ହଜାରେ ଦେବାକୁ ସୁଦ୍ଧା କହିଥାଆନ୍ତି । ଏହାର ଏକମାତ୍ର ଉଦ୍ଦେଶ୍ୟ ହେଲା ଖଇରଗଡ଼ ସବ୍‌ଡ଼ିଭିଜନର କୌଣସି ଖବର ଯେମିତି ଏହି ଇଲାକାର ସୀମା ଡେଇଁ କୁଆଡ଼େ ନ ଯାଏଁ । ମାତ୍ର ଅକୃତଜ୍ଞପଲଙ୍କୁ ଦେଖ, ସିଧା ଯାଇ କ୍ୟାପିଟାଲରେ ଖବର ପହଞ୍ଚେଇ ଦେଲେ ଏବଂ ସେଠା ଖବରକାଗଜଗୁଡ଼ାକ ପ୍ରଥମ ପୃଷ୍ଠାରେ ଛାପିଦେଲେ–ଖଇରଗଡ଼ରେ ଶିଶୁ ବିକ୍ରି ।

 

ଦେବବ୍ରତ ଏବେ କିନ୍ତୁ ବହୁତ ଆଶ୍ୱସ୍ତ ଦିଶୁଥିଲେ । ବୁଦ୍ଧି ଖର୍ଚ୍ଚ କରି ଏକାଥରକେ ଦିଇଟା ଦୁଶ୍ଚିନ୍ତା ସେ ମୁଣ୍ଡ ଉପରୁ ହଟେଇ ଦେଇ ପାରିଥିଲେ । ନହେଲେ ପିଲାବିକ୍ରି ପରି ସ୍ପର୍ଶକାତର ପ୍ରସଙ୍ଗଟି ଅଯଥାରେ ଗୋଟାଏ ବଡ଼ ରାଜନୈତିକ ପ୍ରଶ୍ନ ହୋଇ ଯାଇଥାଆନ୍ତା । କେତେ ଧରାଧରି କେତେ ଖୋସାମତ ପରେ ସେ ଖଇରଗଡ଼ର ସବ୍‌କଲେକ୍‍ଟର ହୋଇ ଆସିଛନ୍ତି । ବିଧାୟକ କରୁଣାକର ମହାନ୍ତି ସାହାଯ୍ୟ କରି ନଥିଲେ ସେ ଏବେବି ନବରଙ୍ଗପୁରରେ ଶଢ଼ୁଥାଆନ୍ତେ । ଅଥଚ ଛଅମାସ ନ ପୂରୁଣୁ ଏଇ ବିପଦ । ଏହା ଭିତରେ ଯଦି ପୁଣି ବଦଳି ହୋଇଯାଏ ତାହାହେଲେ ନିଜର ତ ଯାହା ଅସୁବିଧା ହେବ, ଦେବକୀର ବେଶି ସମସ୍ୟା ହେବ ।

 

ଦେବବ୍ରତ ଅଫିସ୍‌ରେ ବସି ଚା’ ପିଉଥିଲେ, କଲେକ୍‍ଟରଙ୍କ ଫୋନ୍‌ ଆସିଲା । ତାଙ୍କୁ ଆର୍‍ଡ଼ିସି ଫୋନ୍‌ କରିଥିଲେ । କାନପୁରରେ ଛୁଆବିକ୍ରି ହୋଇଛି ଚବିଶ ଶହ ଟଙ୍କାରେ, ତୁରନ୍ତ ରିପୋର୍ଟ ଦିଅ । ବିଧାନସଭା ଚାଲିଛି, କେତେବେଳେ କୋଉ କଥା ଘଟିଯିବ କହିହେବ ନାହିଁ । କଲେକ୍‍ଟର ଏପରି ଟାଇଁଟାଇଁଆ ସ୍ୱରରେ କଥା କହୁଥିଲେ ଯେ, ଦେବବ୍ରତଙ୍କର ମନେ ହେଉଥିଲା ସାଙ୍ଗେ ସାଙ୍ଗେ ଫୋନ୍‌ଟା ରଖି ଦେଇଥାଆନ୍ତେ । କିନ୍ତୁ ଅଧସ୍ତନ ସେ, କ’ଣ କରିବେ ? ବାଧ୍ୟ ହୋଇ ଶୁଣୁଥିଲେ ।

 

କଲେକ୍‍ଟରଙ୍କ ଫୋନ୍‌ ପରେ ଆସିଥିଲା ମନ୍ତ୍ରୀଙ୍କ ଫୋନ୍‌ । ବାଧ୍ୟ ହୋଇ ସେ ସଞ୍ଜବୁଡ଼େ କାନପୁର ବାହାରି ଯାଇଥିଲେ । ପିଲାବିକ୍ରି ଘଟଣାଟା ମିଛ ନଥିଲା । କିନ୍ତୁ ସିଏ ତ ସେକଥା ସ୍ୱୀକାର କରିପାରିବେ ନାହିଁ । ନେତା ଆଉ ଅଫିସରମାନଙ୍କ ମଧ୍ୟରେ ଏଇଠି ତଫାତ୍‌ । ନେତାମାନେ ସରକାରରେ ଥିବାବେଳେ ଯାହା କହନ୍ତି, ବିରୋଧୀଦଳକୁ ଗଲା ପରେ ଠିକ୍‌ ତା’ର ଓଲଟା କହନ୍ତି । କିନ୍ତୁ ଅଫିସରମାନେ ଅବସର ନେବା ପର୍ଯ୍ୟନ୍ତ ସେଇ ଗୋଟାଏ କଥା କହନ୍ତି । ଅନ୍ୟ କଥା କହିବା ଲାଗି ସେମାନଙ୍କୁ ବାରଣ । ସେମାନେ ଚାହିଁଲେ ମଧ୍ୟ କହିପାରିବେ ନାହିଁ । କୋଉଠି ପଦୁଟିଏ ହୁଡ଼ିଲେ ସେଇଟା ବଡ଼ବଡ଼ ଅକ୍ଷରରେ ସିସିଆର୍‌ ଫାଇଲ୍‌ରେ ଲେଖାଯିବ । ତେଣିକି ଚାକିରି କାଳ ତମାମ ସେଇଥିରେ ସନ୍ତୁଳି ହେବାକୁ ପଡ଼ୁଥିବ ।

 

ଏବେ ପିଛିଲା ତାରିଖରେ ଯଶୋଦାକୁ ବାର୍ଦ୍ଧକ୍ୟ ଭତ୍ତା ମିଳିବା କଥା ଫାଇଲ୍‌ରେ ଲେଖାହୋଇ ଯାଇଛି । ସେହି ଅନୁସାରେ ରସିଦ ରେଜିଷ୍ଟରରେ ଟିପଚିହ୍ନବି ଲଗାଯାଇ ସାରିଛି । ଯୋଜନା ଟଙ୍କା ଠିକଣା ସମୟରେ ବିନିଯୋଗ ହୋଇଛି । ସେ ଦୃଷ୍ଟିରୁ ବ୍ଲକ୍‌ କିମ୍ବା ସବ୍‌ଡ଼ିଭିଜନ ପ୍ରଶାସନକୁ କେହି ଦୋଷ ଦେବା ଉଚିତ ନୁହେଁ । ତେବେ ସେଇଟା ଦେବବ୍ରତଙ୍କ ଲାଗି ବଡ଼ ସମସ୍ୟା ନଥିଲା । ବଡ଼ ସମସ୍ୟା ଥିଲା ପିଲା ବିକ୍ରି ପ୍ରସଙ୍ଗ । କିନ୍ତୁ ଦେବବ୍ରତବି ଉଧାର ବୁଦ୍ଧିରେ ଓଏଏସ୍‌ ପାଇ ନଥିଲେ ! ହଜାର ହଜାର ପିଲାଙ୍କୁ ବୁଦ୍ଧିରେ କିଣି, ସେଫ୍‌ଟିପିନ୍‌ର ଉଦ୍ଭାବକଠୁଁ ନେଇ ହୀରାକୁଦ ବନ୍ଧର ଦୈର୍ଘ୍ୟ ପର୍ଯ୍ୟନ୍ତ ପାଠ ଘୋଷି ଘୋଷି ସେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । କାନପୁର ଗାଁର ମଳିମୁଣ୍ଡିଆ ଗୋଟିଏ ବୁଢ଼ୀ ଆଉ ପାଟପୁର ବଜାରର ତେଲଭାଜି ଦୋକାନୀ ତାଙ୍କୁ ବୁଦ୍ଧିରେ ଟପିଯାଇ ପାରି ନଥାନ୍ତେ । ବୁଢ଼ୀର ଝିଅଟା ଗୋଟେ ଦୁଶ୍ଚରିତ୍ରା ଓ ଚରିତ୍ରହୀନା–ଏ ଅଭିଯୋଗର ସାକ୍ଷୀପ୍ରମାଣ ସବୁ ସେ ବ୍ୟବସ୍ଥା କରିଦେଇ ଆସିଛନ୍ତି । ପ୍ରଶ୍ନ ଉଠିବାକ୍ଷଣି ଝିଅଟାକୁ ପିଲାଦିନୁ ଜାଣିଥିବା ଲୋକେ କହିବେ, ଝିଅଟାର ଚାଲିଚଳଣ ଖରାପ । ପାଟପୁରର ସେ ଦୋକାନୀ ତାକୁ ଦ୍ୱିତୀୟ ହେବ ବୋଲି ଲୋଭ ଦେଖାଇ ତା’ ସହ ସମ୍ପର୍କ ରଖିଥିଲା । ଏଥିରେ ଦାରିଦ୍ର୍ୟ ଓ ଅଭାବର କିଛି ସମ୍ପର୍କ ନଥିଲା ବା ନାହିଁ ।

 

: କିନ୍ତୁ ସେ ବୁଢ଼ୀ । କ’ଣ ଯେ ତା’ର ନାଁ–ଯଶୋଦା ?

 

: ସାର୍‌, ସେ ବି ସେଇ ଧନ୍ଦାରେ ସାମିଲ । ପବ୍ଲିକ୍‌ ପରା କହୁଛନ୍ତି–ଷ୍ଟେନୋବାବୁ ପରାମର୍ଶ ଦେଲେ, “ଆପଣ ଦେଖିବେ, ସେ ବୁଢ଼ୀ କାହାକୁ ମୁହଁ ଦେଖେଇ ପାରିବ ନାହିଁ । ଆମେ ତ ଡିଭିଡ଼ି ରେକର୍ଡ଼ିଂ କରି ଆଣିଛେ । ଆମର କିଛି ଚିନ୍ତା ନାହିଁ । ଗାଁଗହଳର ଏଇ ଚରିତ୍ରଗତ ବ୍ୟାପାରଟା ଭାରି ଗୁରୁତର ଘଟଣା ସାର୍‌ ।”

: ହଁ ଷ୍ଟେନୋବାବୁ । ଠିକ୍‌ କଥା । ଦଶଟାବେଳକୁ ଆପଣ କ୍ୟାସେଟ୍‌ଗୁଡ଼ାକ ନେଇ ଭୁବନେଶ୍ୱର ବାହାରି ଯାଆନ୍ତୁ । ଆର୍‌ଡ଼ିସି ଅଫିସ୍‌ରେ ଗୋଟାଏ ଦେଇ ଭୁବନେଶ୍ୱର ଚାଲିଯିବେ । ସେ ବିଡ଼ିଓବି ଆପଣଙ୍କ ସାଙ୍ଗରେ ଯିବ ।

: ସାର୍‌ ।

ଦେବବ୍ରତ କାନ୍ଥଘଣ୍ଟାକୁ ଚାହିଁଲେ । ସକାଳ ନଅଟା ବାଜିବ । ଯାହାହେଉ, ଏତେବଡ଼ ସମସ୍ୟାଟାର ଗୋଟାଏ ସହଜ ସମାଧାନ ହୋଇଗଲା । କିନ୍ତୁ ତାଙ୍କ ଛାତି ଭିତରୁ କିଏ ଗୋଟାଏ ପ୍ରତିବାଦ କରୁଥିଲା । କହୁଥିଲା, ତୁମେ ଅର୍ଥ ଓ କ୍ଷମତାର ଅପବ୍ୟବହାର କରି ସରଳ ଲୋକଙ୍କୁ ଠକିଦେଇଛ । ଏପରି କରିବା ଅନ୍ୟାୟ, ପାପ । ଦେବବ୍ରତ ହସି ଉଠିଲେ । ମନକୁ ମନ କହିଲେ, ଏ ପୃଥିବୀରେ ଦି’ କିସମର ଲୋକ ରହନ୍ତି । ଦଳେ ଅନ୍ୟମାନଙ୍କୁ ଠକନ୍ତି, ଆର ଦଳକ ଅନ୍ୟମାନଙ୍କଦ୍ୱାରା ଠକି ହୁଅନ୍ତି । ଏଥିରେ ଭୁଲ୍‌ କେଉଁଠି ? ସେ ଯଦି ଅନ୍ୟକୁ ଠକି ନ ପାରିବେ ତାହାହେଲେ ନିଜେ ଠକି ହୋଇଯିବେ । ସେମିତି ହେବାପାଇଁ ସେ କେବେବି ଦେବେ ନାହିଁ ।

ଦେବବ୍ରତ ଉଠିବା ଲାଗି ତତ୍ପର ହେଲେ । ଆବାସିକ କାର୍ଯ୍ୟାଳୟରୁ ଅଫିସ୍‌ ବେଶି ଦୂର ନୁହେଁ । କିନ୍ତୁ ବିଧାନସଭା ଚାଲିଛି, ଠିକ୍‌ ସମୟରେ ପହଞ୍ଚିଗଲେ ଭଲ । ହୁଏତ ମନ୍ତ୍ରୀ ପୁଣି ଖୋଜି ପାରନ୍ତି ।

ସେତିକିବେଳେ ଅତି ବିଚଳିତ ମୁଦ୍ରାରେ ଖଇରଗଡ଼ ବିଡ଼ିଓ ସର୍ବେଶ୍ୱର ପଶିଆସିଲେ । ତାଙ୍କ ଚେହେରା ଦିଶୁଥିଲା ଝଡ଼ ବିପର୍ଯ୍ୟସ୍ତ ଗଛଟେ ପରି । ଦେବବ୍ରତଙ୍କୁ ନମସ୍କାରଟିଏ କରିବା ପରେ ସେ ଯେଉଁ ଖବରଟି ଦେଲେ ତାହା ସେଇ ଶୀତଳ ସକାଳକୁ ସୁଦ୍ଧା ଉତ୍ତପ୍ତ କରିଦେଲା ।

 

: କାଲି ରାତିରେ ପିଲା ଦିହିଁଙ୍କି ବିଷ ଖୁଆଇ ସେ ମାଆ, ଝିଅ ଦି’ଜଣ ଆତ୍ମହତ୍ୟା କରିଛନ୍ତି ସାର୍‌ । –ବିଡ଼ିଓ ସର୍ବେଶ୍ୱର କହିଲେ ।

 

: ଆତ୍ମହତ୍ୟା ! –ଦେବବ୍ରତ ଚମକି ପଡ଼ିଲେ । ତାଙ୍କୁ ଲାଗିଲା ଯେମିତି ଘରର ଚଟାଣଟା ହଲି ଯାଉଛି । ସେ ଚଉକିର ଦୁଇ ହାତକୁ ଜାବୁଡ଼ି ବସି ରହିଲେ ।

 

ତା’ପରେ କିଛି ସମୟ ନିରବତା । କାହାରି ପାଟିରେ କିଛି କଥା ନାହିଁ । ସମସ୍ତେ ଚୁପ୍‌ଚାପ୍‌ ।

 

ପ୍ରଥମେ ଦେବବ୍ରତ ମୁହଁ ଖୋଲିଲେ । “ଗୋଟାଏ କାମ କର । ଆମ ହାତରେ ଆଉ ସମୟ ନାହିଁ । ତୁରନ୍ତ ‘ପାଟପୁର ଟିଭି’ ନାଆଁରେ ସେଇ ଯେଉଁ ‘ସମ୍ବେଦନା’ ଏନ୍‌ଜିଓ ସଂସ୍ଥାର ମହାନ୍ତି ଗୋଟାଏ ଟି.ଭି. ସଂସ୍ଥା କରିଛନ୍ତି ତାଙ୍କ କ୍ୟାମେରାମ୍ୟାନ୍‌ଙ୍କୁ ଗାଡ଼ି ପଠେଇ ଡାକି ଆଣ । ଛୋଟରାୟଙ୍କୁବି ଖବର ଦିଅ ।”

 

: ଛୋଟରାୟ... ? ଷ୍ଟେନୋବାବୁ ପଚାରିଲେ ।

 

: ଠିକାଦାର ଛୋଟରାୟଙ୍କୁ ଜାଣି ନାହାନ୍ତି ? ଦେବବ୍ରତ ଚିତ୍କାର କଲେ ଓ କହିଲେ, “କହିବେ ଜରୁରୀ ଦରକାର ଅଛି । ସେ ପ୍ରସ୍ତୁତ ହୋଇ ଆସିବେ । ଗୋଟାଏ ଟାକ୍‍ସି ମଗାନ୍ତୁ । ସେଥିରେ ଟିଭିବାଲା କାନପୁର ଯିବେ ।” –ସେ ବିଚଳିତ ହୋଇ ପଡ଼ିଥିଲେ ।

 

: କିନ୍ତୁ ଆମେ ନିଜଆଡ଼ୁ କ’ଣ କଥାଟା ଫୁଟିଆରା କରିବା ସାର୍‌ ? ବିଡ଼ିଓ ସର୍ବେଶ୍ୱର ପଚାରି ଆସୁଥିଲେ ।

 

: ତୁମ ମୁଣ୍ଡରେ ଦିପଇସାର ବୁଦ୍ଧି ନାହିଁ । ତୁମକୁ ବିଡ଼ିଓ କିଏ କଲା ? –ଦେବବ୍ରତ ପୁଣି ଚିତ୍କାର କଲେ । ସେଇ ଚିତ୍କାର ଭିତରେ ତାଙ୍କ ଅଫିସ୍‌ ଘର ଓ ଡ୍ରଇଂରୁମ୍‌ର ମଝି କବାଟ ଖୋଲିଯିବାର ଶବ୍ଦ ସେ ଶୁଣିପାରି ନଥିଲେ ।

 

ଦେବବ୍ରତ କହିଲେ, “ସାକ୍ଷୀ ପ୍ରମାଣ ତ ପ୍ରସ୍ତୁତ ଅଛନ୍ତି । ଆମେ ଖବରଟା ଆମ ଆଡ଼ୁ ପ୍ରଚାର କରାଇବା ଯେ, ଚରିତ୍ରହୀନତାର କଳଙ୍କ ସହି ନ ପାରି ମାଆଝିଅ ବିଷଖାଇ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ପାପ କାରବାରରେ ନିରୀହ ଶିଶୁ ଦିଇଟି ବଳି ପଡ଼ିଛନ୍ତି । ଏଥିରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଶବ ସତ୍କାରର ବନ୍ଦୋବସ୍ତ କରାଯାଇଛି ।”

 

: ସାର୍‌ ! –ଷ୍ଟେନୋବାବୁଙ୍କୁ ପାନ ପିକବୋଳା ମୁହଁଟି ଏଭଳି ପ୍ରସନ୍ନ ଦିଶୁଥିଲା, ଯେମିତି ସିଏ ଭାଗବତର ଉଦ୍ଧବ ଓ ସବ୍‌କଲେକ୍‍ଟର ହେଉଛନ୍ତି ସ୍ୱୟଂ ଶ୍ରୀକୃଷ୍ଣ । ମନ ପ୍ରାଣ ଓ ହୃଦୟ ଢାଳି ସେ ଦେବବ୍ରତଙ୍କ କଥାଗୁଡ଼ାକ ଶୁଣି ଯାଉଥିଲେ ।

 

ଅପମାନ ଓ ଲଜ୍ଜା ଭୁଲି ବିଡ଼ିଓ ସର୍ବେଶ୍ୱର ମଧ୍ୟ ପ୍ରଶଂସକ ଦୃଷ୍ଟିରେ ଦେବବ୍ରତଙ୍କୁ ଚାହିଁଥିଲେ ।

 

ଦେବବ୍ରତ କହିଲେ, “ଚାଲ, ଆମ ହାତରେ ସମୟ ନାହିଁ । ଛୋଟରାୟ ଆସି ପହଞ୍ଚିବାକ୍ଷଣି ବାହାରିଯିବାକୁ ପଡ଼ିବ । ଯଥାଶୀଘ୍ର ଶବ ସତ୍କାର ହୋଇଯିବା ଦରକାର । ସମସ୍ତ ଘଟଣା ସୁଇସାଇଡ଼୍ ଆଙ୍ଗଲ୍‌ରୁ ଟିଭି ଓ ଖବରକାଗଜରେ ପ୍ରଚାରିତ ହେବା ଆବଶ୍ୟକ । କିନ୍ତୁ ଏଥିପାଇଁ ଯେଉଁ ମୂଲ୍ୟ ଦେବାକୁ ପଡ଼ୁଛି ସେସବୁ ତମକୁହିଁ ଭରଣା କରିବାକୁ ହେବ ସର୍ବେଶ୍ୱର । ଜାଣିପାରୁଛ ତ ?”

 

: ସାର୍‌, ଆପଣ ମୋର ବାପା, ମା’ ସାର୍‌‌ । ମୋତେ ରକ୍ଷା କରନ୍ତୁ ।

 

ସେମାନେ ବାହାରକୁ ବାହାରିବା ଲାଗି ଉଠୁଥିଲେ, ଧଡ଼୍ କରି ଶବ୍ଦଟାଏ ଶୁଣି ଚମକି ଚାହିଁଲେ । ଦେବବ୍ରତଙ୍କ ଅଫିସ୍‌ ଘର ଓ ଡ୍ରଇଂରୁମ୍‌ ମଝିରେ ପରଦାଟାକୁ ଧରି ବସିପଡ଼ିଥିଲା ଦେବକୀ, ଦେବବ୍ରତଙ୍କ ସହଧର୍ମିଣୀ । ତା’ର ଭାରା ସହି ନ ପାରି କାଠ ପେଲମେଟ୍‌ଟା ଖସି ପଡ଼ିଥିଲା । ଦେବବ୍ରତ ପତ୍ନୀଙ୍କୁ ଉଠାଇବା ଲାଗି ଧାଇଁ ଯାଉଥିଲେ ।

 

: ସେଇଠି ଠିଆହୁଅ । ମୋ ପାଖକୁ ଆସ ନାହିଁ–ଖୁବ୍‌ ବଡ଼ପାଟିରେ କହୁଥିଲା ଦେବକୀ-। କଷ୍ଟ ସହିବାଲାଗି ସେ ଦାନ୍ତଚାପି କଥା କହୁଥିଲା । ତା’ର ପ୍ରତିକ୍ରିୟାରୁ ଜଣାପଡ଼ୁଥିଲା ସେ ଏମାନଙ୍କର ସବୁ ମନ୍ତ୍ରଣା ଶୁଣି ସାରିଛି-

 

: ଦେବକୀ ! ୟେ କ’ଣ କହୁଛ ? ତମ ଲୁଗାରେ ରକ୍ତ କାହିଁକି ? –ଦେବବ୍ରତ କହିଲେ ଓ ନିଜର ସହଯୋଗୀମାନଙ୍କୁ ସେଠୁ ଚାଲିଯିବା ଲାଗି ଇସାରା ଦେଲେ । ଷ୍ଟେନୋବାବୁଙ୍କୁ କେବଳ ନିର୍ଦ୍ଦେଶ ଦେଲେ, “ଗାଡ଼ି ମଗାଅ, ମାଡ଼ାମ୍‌ଙ୍କୁ ସାଙ୍ଗେ ସାଙ୍ଗେ ଡକ୍ଟର ଜେନାଙ୍କ କ୍ଲିନିକ୍‌ ନେଇଯିବା-।”

 

ଦେବକୀ କହିଲା, “ତା’ର ଆଉ ଦରକାର ନାହିଁ । ସେ ମରିଯାଇଛି । ପାଞ୍ଚ ମାସ କାଳ ଯାହାକୁ ମୁଁ ଏତେ ଯତ୍ନରେ ପାଳିଥିଲି ମୋ ଗର୍ଭରେ, ସେ ମରିଯାଇଛି ।”

 

: କେମିତି ? କେମିତି ଏସବୁ ହେଲା ? –ଦେବବ୍ରତ ପଚାରିଲେ ।

 

: ତମେ ମାରିଦେଇଛ ଦେବବ୍ରତ । ତମେ ମୋ ଗର୍ଭର ଛୁଆକୁ ତୋଟି ଚିପି ହତ୍ୟା କରିଛ । ଚାହଁ ତମର ଦୁଇ ହାତକୁ । ସେଥିରେ କଅଁଳା ଛୁଆର ରକ୍ତ ଲାଗିଛି । ତମେ ମଣିଷ ନୁହ, ତମେ କଂସ, ତମେ କଂସେଇ । –ଦେବକୀ ମୂର୍ଚ୍ଛା ହୋଇଗଲା ।

 

ଦେବବ୍ରତ ଏକାକୀ ବିମୂଢ଼ ହୋଇ ଛିଡ଼ା ହୋଇଥିଲେ । ସେ ନିଜର ଦୁଇ ହାତ ପାପୁଲିକୁ ଚାହିଁଲେ । ହାତ ଯୋଡ଼ିକ ତାଙ୍କୁ ହଠାତ୍‌ ଲାଲ୍‌ ଦିଶିଲା । ତାଙ୍କୁ ଲାଗୁଥିଲା, ଦୁଇ ହାତପାପୁଲିରୁ ତାଙ୍କର ଠୋପା ଠୋପା ରକ୍ତ ନିଗିଡ଼ି ପଡ଼ୁଛି । କିନ୍ତୁ ଏ ରକ୍ତ କେଉଁଠୁଁ ଆସିଲା ?

 

ସାମ୍ନାରେ ପତ୍ନୀ ଦେବକୀର ଅସାଢ଼ ଦେହ । ସେ ବୁଝିପାରୁଥିଲେ ଆଉଥରେ ମିସ୍‌କ୍ୟାରେଜ୍‌ ହୋଇଯାଇଛି ଦେବକୀର । ତା’ ଗର୍ଭର ଛୁଆଟି ଜନ୍ମ ହେବା ଆଗରୁ ଆଉଥରେ ମରିଯାଇଛି । ସେ କ’ଣ କରିବେ କିଛି ଚିନ୍ତା କରିପାରୁ ନଥିଲେ । ରକ୍ତରେ ଜୁଡ଼ୁବୁଡ଼ୁ ହୋଇଯାଉଥିଲା ତାଙ୍କର ଘରର ଚଟାଣ । କ୍ରମେ ସେ ରକ୍ତର ଧାର ବାରନ୍ଦା ଡେଇଁ ହୁଏତ ରାସ୍ତାକୁ ବୋହିଯିବ । ତାକୁ କେମିତି ସେ ଅଟକେଇବେ, ସେ ଚିନ୍ତା କରିପାରୁ ନଥିଲେ । କମ୍ପ୍ୟୁଟର ପରି ସକ୍ରିୟ ତାଙ୍କ ମସ୍ତିଷ୍କର ବୁଦ୍ଧିତକ କୁଆଡ଼େ ଉଭେଇ ଯାଇଥିଲା ।

 

ସେ ଆଉଥରେ ଦେବକୀର ଦେହକୁ ତୋଳି ଧରିବା ଲାଗି ହାତ ବଢ଼େଇଲେ । କିନ୍ତୁ ଦେବକୀ ମୁହଁ ବୁଲେଇ ନେଇ ଚିତ୍କାର କଲା, “ମୋ ପାଖକୁ ଆସ ନାହିଁ । ତମେ ମଣିଷ ନୁହ, କଂସେଇ । ତମପାଇଁ ମଣିଷ ମାରିବା କଲମର ଖେଳ । ତମେ ଦୂର୍‌ ହେଇଯାଅ । ଦୂର୍‌ ହୋଇଯାଅ ।”

Image